ବ୍ୟତିକ୍ରମ ନ ହୋଇ ପରଂପରା ହେଉ

1 186

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମେ’ରେ ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ କେବେହେଲେ ସଂସଦର ସଦସ୍ୟ ହୋଇନଥିଲେ। ଚଉଦ ସାଧାରଣ ନିର୍ବାଚନରେ ସେ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇ ସଂସଦ ଭବନକୁ ପ୍ରବେଶ ବେଳେ ଏହାର ପାହାଚରେ ମୁଣ୍ଡିଆ ମାରି କହିଥିଲେ ‘ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର’। ତେବେ ଦୁର୍ଭାଗ୍ୟଜନକ ବିଡ଼ମ୍ବନା ହେଲା, କ୍ୱଚିତ କେମିତିି କାଁ ଭାଁ ସଂସଦର କାର୍ଯ୍ୟଧାରାରେ ମନ୍ଦିର ତୁଲ୍ୟ ପବିତ୍ରତା ଓ ଶୁଦ୍ଧତାର ଅନୁଭବ ମିଳେ। ବରଂ ଅନ୍ୟପକ୍ଷରେ ପ୍ରତିଦ୍ୱନ୍ଦ୍ୱୀ ପ୍ରତିପକ୍ଷଙ୍କ ମଧ୍ୟରେ ବାକ୍‌ବିତଣ୍ଡା, ହଟ୍ଟଗୋଳ, କକ୍ଷତ୍ୟାଗ ଓ ଗୃହ ବର୍ଜନ ମଧ୍ୟରେ ଭାରତୀୟ ଗଣତନ୍ତ୍ରର ଏ ସର୍ବୋଚ୍ଚ ମଞ୍ଚ- ରାଜନୈତିକ କୁସ୍ତିର ଆଖଡ଼ାଘର ପାଲଟିଥିବାର ଧାରଣା ଦିଏ। ଜାତୀୟ ସ୍ୱାର୍ଥ ଓ ସାଧାରଣ ଦେଶବାସୀଙ୍କ ସାମୂହିକ କଲ୍ୟାଣ ସହ ଯୋଡ଼ି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅର୍ଥପୂର୍ଣ୍ଣ ବିତର୍କ ବଦଳରେ ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥ ଜଡ଼ିତ ରାଜନୈତିକ ପ୍ରସଙ୍ଗରେ ଅଯଥା ବିବାଦ, ବାକ୍‌ ବିତଣ୍ଡା, କଳି ତକରାଳ ଓ ମୁଲତବୀରେ ଘଣ୍ଟା ଘଣ୍ଟା ସଂସଦର ମୂଲ୍ୟବାନ୍‌ ସମୟର ଅପଚୟ ଏକ ଅସୁସ୍ଥ ଧାରା। ପରସ୍ପରକୁ ତଳେଇ ଦେଖେଇବା ବ୍ୟଗ୍ରତା ମଧ୍ୟରେ ମାନ୍ୟବର ସାଂସଦମାନେ ଭୁଲି ଯାଆନ୍ତି ଯେ, ସର୍ବୋଚ୍ଚ ଅନୁଷ୍ଠାନ ଭାବେ ସଂସଦର ଗରିମାକୁ ଅସଲରେ ସେମାନେ ତଳକୁ ଟାଣୁଛନ୍ତି। ଏ କଥା ପ୍ରତି ସେମାନେ ଆଖିବୁଜି ଦିଅନ୍ତି ଯେ, ଯେଉଁ ସଂସଦର ସମୟ ଅଯଥା ବରବାଦ ହେଉଛି, ସେଥିପାଇଁ ସାଧାରଣ ଜନତା ମିନିଟ୍‌ ପିଛା ଅଢ଼େଇ ଲକ୍ଷ ଟଙ୍କା ତଣ୍ଡ ଗଣନ୍ତି। ଏହି ପ୍ରକ୍ରିୟାରେ ମାନ୍ୟବର ଜନପ୍ରତିନିଧିବୃନ୍ଦ ଏ କଥା ଜାଣି ସୁଦ୍ଧା ଅଜଣା ରହନ୍ତି ଯେ, ସଂସଦର କାର୍ଯ୍ୟ ସ୍ୱାଭାବିକ ଭାବେ ନ ଚାଲିବା ଫଳରେ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳାଧାର- ଉତ୍ତରଦାୟୀ ଶାସନର ଲକ୍ଷ୍ୟ ସୁଦୂର ପରାହତ ହେଉଛି। ଜନ ପ୍ରତିନିଧି ଭାବେ ନିଜର ଦାୟିତ୍ୱ ନିର୍ବାହରେ ସେମାନେ ସାମୂହିକ ଭାବେ ବିଫଳ ହେଉଛନ୍ତି। ଫଳତଃ, ଭାରତୀୟ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ଅନୁଷ୍ଠାନ ଗୁରୁତ୍ୱ ହରାଉଛି ଏବଂ ଗଣତାନ୍ତ୍ରିିକ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ନିଅଣ୍ଟିଆ ପଡୁଛି।
ଏହି ଦୁଃଖଦ ଓ ନିରାଶାଜନକ ପୃଷ୍ଠଭୂମିରେ ଗତ ସପ୍ତାହରେ ସମାପ୍ତ ହୋଇଥିବା ସଂସଦର ମୌସୁମୀ ଅଧିବୋନ ନିଶ୍ଚୟ ଏକ ସୁଖଦ, ସକାରାତ୍ମକ ଓ ଆଶାଭରା ବ୍ୟତିକ୍ରମ। ଦୁଇ ହଜାର ମସିହା ପରେ ଅଠର ବର୍ଷରେ ସଦ୍ୟ ସମାପ୍ତ ଅଧିବେଶନ ହେଉଛି ଭାରତୀୟ ସଂସଦର ସବୁଠାରୁ ଫଳପ୍ରଦ ଅଧିବେଶନ। ଲୋକସଭାରେ ନିର୍ଦ୍ଧାରିତ ସମୟର ୧୧୦ ଏବଂ ରାଜ୍ୟସଭାରେ ୬୬ ପ୍ରତିଶତ ସମୟର ବିନିଯୋଗ ହୋଇପାରିଛି। ଗତ ବଜେଟ୍‌ ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ ଯଥାକ୍ରମେ ମାତ୍ର ୨୧ ଓ ୩୧ ପ୍ରତିଶତ ସମୟର ବିନିଯୋଗ ହୋଇ ଅବଶିଷ୍ଟ ସମୟ ଅଯଥାରେ ନଷ୍ଟ ହୋଇଥିଲା। ସେ ତୁଳନାରେ ଫଳପ୍ରଦ ମୌସୁମୀ ଅଧିବେଶନ ନିଶ୍ଚୟ ବିଶେଷ ଉଲ୍ଲେଖର ଅପେକ୍ଷା ରଖୁଛି। କେବଳ ସେତିକି ନୁହେଁ, ବଜେଟ ଅଧିବେଶନରେ ନିମ୍ନ ଓ ବରିଷ୍ଠଙ୍କ ସଦନରେ ପ୍ରଶ୍ନୋତ୍ତର କାଳର ଯଥାକ୍ରମେ ମାତ୍ର ୧୧ ଓ ୭ ପ୍ରତିଶତ ସମୟ ବିନିଯୋଗ ହୋଇଥିବା ବେଳେ ମୌସୁମୀ ଅଧିବେଶନରେ ଯଥାକ୍ରମେ ୮୪ ଓ ୬୮ ପ୍ରତିଶତ ପ୍ରଶ୍ନୋତ୍ତର କାଳ ବିନିଯୋଗ ହୋଇଛି। କ୍ଷମତାସୀନ ସରକାରଙ୍କୁ ଉତ୍ତରଦାୟୀ କରିବାରେ ସଂସଦର ପ୍ରଶ୍ନୋତ୍ତର କାଳ ଏକ ପ୍ରଭାବଶାଳୀ ଆୟୁଧ। ଆହୁରି ଉଲ୍ଲେଖର ବିଷୟ ହେଲା, ମୌସୁମୀ ଅଧିବେଶନରେ ଲୋକସଭା ଓ ରାଜ୍ୟସଭାର ଯଥାକ୍ରମେ ୫୦ ଓ ୪୮ ପ୍ରତିଶତ ସମୟ ଆଇନ ପ୍ରଣୟନରେ ବିନିଯୋଗ ହୋଇଛି। ଅନେକ ସମୟରେ ଦେଖାଯାଉଛି ଯେ ଆଇନ ପ୍ରଣୟନ ସଂସଦର ମୁଖ୍ୟ କାର୍ଯ୍ୟ ହୋଇଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ ଆଗତ ବିଧେୟକ ଉପରେ ଅତି ସ୍ୱଳ୍ପ ଆଲୋଚନା ସମ୍ଭବ ହୋଇଥାଏ। ମାତ୍ର ଦୁଇ ମିନିଟ୍‌ , ପାଞ୍ଚ ମିନିଟ୍‌ ମଧ୍ୟରେ ବିଧେୟକ ଗୃହୀତ ହେବାର ଅନେକ ନଜିର ରହିଛି। ଗତ ବଜେଟ ଅଧିବେଶନର ୯୦ଟି ବିଭାଗର ବ୍ୟୟ ଦାବି ଏବଂ ଅର୍ଥବିଲ୍‌ ଉପରେ ପ୍ରାୟ ୨୦୦ଟି ସଂଶୋଧନ ମାତ୍ର ୩୦ ମିନିଟ୍‌ରେ ସଂସଦର ଅନୁମୋଦନ ଲାଭ କରିଥିଲା। ଏମିତିରେ କ୍ଷମତାସୀନ ସରକାରଙ୍କୁ ତାଙ୍କର କର୍ମ ଓ ଅକର୍ମ ପାଇଁ ଉତ୍ତରଦାୟୀ କେମିତି କରାଯାଇ ପାରିବ? ଏହି ପ୍ରକ୍ରିୟାରେ ସଂସଦର ପ୍ରାଧାନ୍ୟ ଓ ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି- ଯାହା ଗଣତାନ୍ତ୍ରିକ ଭାବନାର ପରିପନ୍ଥୀ। ତେବେ ଗତ ମୌସୁମୀ ଅଧିବେଶନରେ ଅର୍ଥପୂର୍ଣ୍ଣ ଆଲୋଚନା ପରେ ଏସ୍‌ଟି, ଏସ୍‌ସି ଅତ୍ୟାଚାର ବିରୋଧୀ ସଂଶୋଧନ ବିଲ୍‌, ଦୁର୍ନାତି ନିବାରଣ ସଂଶୋଧନ ବିଲ୍‌ , ପଳାତକ ଅର୍ଥନୈତିକ ଅପରାଧୀ ବିଲ୍‌ ଏବଂ ପଛୁଆ ବର୍ଗ ପାଇଁ ଏକ ସ୍ୱତନ୍ତ୍ର କମିସନ୍‌ ଗଠନ ସକାଶେ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ ହେବା ଏକ ଶୁଭ ସଂକେତ। ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଦୀର୍ଘ ବାର ଘଣ୍ଟା ଧରି ବିତର୍କ ନିଶ୍ଚିତ ଭାବେ ଗତ ଅଧିବେଶନର ସବୁଠାରୁ ଉଜ୍ଜ୍ୱଳ ଘଟଣାକ୍ରମ। ମୋଦୀ ସରକାର ବିରୋଧରେ ଆଗତ ପ୍ରଥମ ଅନାସ୍ଥା ପ୍ରସ୍ତାବର ଭାଗ୍ୟ କ’ଣ ହେବ, ତାହା କାହାକୁ ଅଜଣା ନଥିଲା। ସଂଖ୍ୟା ଦୃଷ୍ଟିରୁ ସରକାରଙ୍କ ପ୍ରତି କୌଣସି ବିପଦ ନଥିଲା। କିନ୍ତୁ ଯାହା ଗୁରୁତ୍ୱପୂର୍ଣ୍ଣ ଓ ସଂସଦୀୟ ଗଣତନ୍ତ୍ର ଦୃଷ୍ଟିରୁୁ ବେଶ୍‌ ତାତ୍ପର୍ଯ୍ୟ ବହନ କରେ, ତାହା ହେଲା ଜାତୀୟ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା। ସଂସଦୀୟ ଗଣତନ୍ତ୍ରରେ ବିରୋଧୀଙ୍କ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଲା ବିଭିନ୍ନ ପ୍ରସଙ୍ଗରେ ସେମାନେ ପ୍ରକାଶ କରୁଥିବା ଭିନ୍ନମତ। ଅନାସ୍ଥା ପ୍ରସ୍ତାବ ଭିନ୍ନମତ ପ୍ରକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲା। ଅନାସ୍ଥା ଭୋଟ ଉପରେ ମତଦାନର ଫଳାଫଳ ନିର୍ବିଶେଷରେ ଏହା ଥିଲା ଏକ ସଫଳ ସଂସଦୀୟ କସରତ। ଭିଡ଼ ହିଂସା ଓ ଆସାମରେ ଜାତୀୟ ନାଗରିକ ରେକର୍ଡ (ନ୍ୟାସନାଲ ସିଟିଜନ୍‌ର ରେକର୍ଡ) ଉପରେ ଆଲୋଚନା ମଧ୍ୟ ଜାତୀୟ ସୁରକ୍ଷା ସହିତ ଯୋଡ଼ି ହୋଇଥିବା ଏକ ପ୍ରସଙ୍ଗରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଁ ଅବସର ସୃଷ୍ଟି କରିଥିଲା। ସେଥିପାଇଁ କୁହାଯାଏ, ସଂସଦ ଦେଶକୁ ଦିଶା ଦେଖାଏ। ଭିନ୍ନମତ ପଛରେ ସମର୍ଥନ ଯେତେ ସଂଖ୍ୟାଲଘୁ ହେଲେ ସୁଦ୍ଧା ଗଣତନ୍ତ୍ରର ଏଥିପାଇଁ ସ୍ଥାନ ଅଛି, ତାହା ପୁଣି ଥରେ ପ୍ରମାଣିତ ହୋଇଛି।
ଗଣତନ୍ତ୍ର ସଂଖ୍ୟାର ଖେଳ ନିଶ୍ଚୟ । ସେଥିପାଇଁ ଏଠାରେ ସଂଖ୍ୟାଗରିଷ୍ଠତାର ପଶୁବଳର ରାଜୁତି। ଏହା ସତ୍ତ୍ୱେ ଜଣେ ବ୍ୟକ୍ତବିଶେଷଙ୍କ ମତ ଓ ସ୍ୱର ପାଇଁ ମଧ୍ୟ ପର୍ଯ୍ୟାପ୍ତ ସ୍ଥାନ ରହିଛି। ଗତ ଅଧିବେଶନରେ ବହୁସଂଖ୍ୟକ ସଦସ୍ୟଙ୍କ ଦ୍ୱାରା ଘରୋଇ ବିଲ୍‌ ଆଗତ ହେବା ଏହାର ପ୍ରମାଣ। ଶହେରୁ ଅଧିକ ଘରୋଇ ବିଲ୍‍ ଆଗତ ହୋଇଛି। ୧୯୭୦ ପରେ ଗୋଟିଏ ବି ଘରୋଇ ବିଲ୍‌ ସଂସଦର ଏରୁଣ୍ଡି ହେଇଁ ପାରିନାହିଁ। ତଥାପି ଚଳିତ ଷୋଡ଼ଶ ଲୋକସଭାରେ ବ୍ୟକ୍ତିଗତ ଭାବେ ସାଂସଦଙ୍କ ଦ୍ୱାରା ପାଖାପାଖି ହଜାରେ ବେସରକାରୀ ବିଲ୍‌ ଆଗତ ହେଲାଣି। ଏଥିରୁ ସ୍ପଷ୍ଟ ଯେ, ଦଳୀୟ ବ୍ୟବସ୍ଥାର ଶୃଙ୍ଖଳା ଭିତରେ ବି ଭାରତର ସଂସଦୀୟ ଗଣତନ୍ତ୍ରରେ ବ୍ୟକ୍ତି ବିଶେଷଙ୍କ ସ୍ୱର, ମତ ଓ ଦୃଷ୍ଟିକୋଣ ଦେଶର ସର୍ବୋଚ୍ଚ ମଞ୍ଚରେ ପ୍ରତିଧ୍ୱନିତ ହେବାର ଅବକାଶ ରହିଛି।
ନିଃସନ୍ଦେହ, ସଂସଦୀୟ କାର୍ଯ୍ୟଧାରାରେ ଏକ ସୁଖଦ ବ୍ୟତିକ୍ରମ ଆଣିଥିବା ସଦ୍ୟ ସମାପ୍ତ ମୌସୁମୀ ଅଧିବେଶନ ଭାରତୀୟ ଗଣତନ୍ତ୍ର ପାଇଁ ଏକ ସକାରାତ୍ମକ ସଂକେତ। ଗଣତନ୍ତ୍ର, ବିଶେଷ କରି ସଂସଦୀୟ ଗଣତନ୍ତ୍ର ନେଇ ଲୋକଙ୍କ ମନରେ ନିଷ୍ପ୍ରଭ ହୋଇ ଆସୁଥିବା ଆଶାକୁ ଏହା ପୁଣି ଉଜ୍ଜ୍ୱଳ କରିଛି। ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ପତଳା ପଡ଼ି ଆସୁଥିବା ଆସ୍ଥା ଓ ବିଶ୍ୱାସକୁ କିଛି ମାତ୍ରାରେ ପୁଣି ଦୃଢ଼ୀଭୂତ କରିବାରେ ଏହା ଅବଶ୍ୟ ସହାୟକ ହେବ। ମାନ୍ୟବର ସାଂସଦମାନେ ମନେ ରଖିବା ଉଚିତ ଯେ ସଂସଦ ହେଉଛି ଭାରତୀୟ ଜନଗଣଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ। ଜନତାଙ୍କ ଆଶା ଓ ଆକାଂକ୍ଷା ପୂରଣ ହେଉ କି ନ ହେଉ, ତାକୁ ପୂରଣ ଲାଗି ଜନପ୍ରତିନିଧିମାନେ ଯେ ନିଷ୍ଠା ଓ ଆନ୍ତରିକତାର ସହ ପ୍ରୟାସ ରତ, ଏ ସଂକେତ ସଂସଦର କାର୍ଯ୍ୟଧାରାରୁ ଆଶା କରାଯାଏ। ସଂସଦର କାର୍ଯ୍ୟକାରିତା ଉପରେ ଭାରତୀୟ ଗଣତନ୍ତ୍ରର କାର୍ଯ୍ୟକାରିତା ନିର୍ଭର କରେ। ସଂସଦର କାର୍ଯ୍ୟଧାରାରେ ଯେତିକି ଗୁଣାତ୍ମକ ଉନ୍ନତି ଆସିବ, ଭାରତୀୟ ଗଣତନ୍ତ୍ରର ଗୁଣାତ୍ମକ ମାନ ମଧ୍ୟ ସେତିକି ଉଚ୍ଚତର ହେବ। ଆଶା, ମୌସୁମୀ ଅଧିବେଶନର କାର୍ଯ୍ୟଧାରା ଗୋଟିଏ ସୁଖଦ ବ୍ୟତିକ୍ରମ ମାତ୍ର ନ ହୋଇ ଏକ ସୁସ୍ଥ ପରମ୍ପରାର ରୂପ ନେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Rakesh Dwibedy says

    discussion in the parliament always accepted. this is the feature of our constitution.