ପ୍ରଗତି ହିରଣ୍ୟାକ୍ଷ

‘‘ଈଶ୍ୱରଙ୍କ ଆପଣା ଭୂଇଁ’’ (‘‘ଗଡ୍‌’ସ ଓନ୍‌ କଣ୍ଟି୍ରି’’)। କେରଳର ଏହି ସ୍ଲୋଗାନ୍‌ ସହିତ ପୃଥିବୀ ସାରାର ପର୍ଯ୍ୟଟକମାନେ ସୁପରିଚିତ। ନିଜକୁ ଏଭଳି ଈଶ୍ୱରଙ୍କ ବିଚରଣ ଭୂମି ବୋଲି ଦାବି କରୁଥିବା କେରଳରେ ଏବେ କିନ୍ତୁ ଶୁଖିଲା ଭୂଇଁ ଦେଖିବା କଷ୍ଟ। ସତେ ଯେମିତି ସାରା ରାଜ୍ୟ ପାଣି ତଳକୁ ଚାଲି ଯାଇଛି। ଯେମିତି ହିନ୍ଦୁ ପୌରାଣିକ କଥା ଅନୁସାରେ ଦିନେ ରାକ୍ଷସ ହିରଣ୍ୟାକ୍ଷର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡ଼ି ପୃଥିବୀ ବା ଭୂଦେବୀ ଧରାପୃଷ୍ଠର ସମସ୍ତ ବାସିନ୍ଦାମାନଙ୍କ ସହିତ ଅତଳ ମହାଜାଗତିକ ଜଳ ମଧ୍ୟରେ ନିମଗ୍ନ ହୋଇ ଯାଇଥିଲେ। ଯେଉଁ ହିରଣ୍ୟାକ୍ଷର ଅତ୍ୟାଚାର ଯୋଗୁଁ କେରଳରେ ଭୂଦେବୀ ସଲୀଳ ସମାଧି ନେଇଛନ୍ତି, ସେ ରାକ୍ଷସକୁ ଚିହ୍ନଟ କରିବା କଷ୍ଟକର ନୁହେଁ; କାରଣ ସେ ହେଉଛି ଏକ ପରିଚିତ ରାକ୍ଷସ।

ଏହି ହିରଣ୍ୟାକ୍ଷର ଆଧୁନିକ ନାମ ହେଉଛି- ‘ପ୍ରଗତି’ (ଯାହାକୁ କେତେ ବର୍ଷ ତଳେ ବିଶିଷ୍ଟ ପ୍ରାବନ୍ଧିକ ହରପ୍ରସାଦ ଦାସ ଏହି ସମ୍ବାଦପତ୍ରରେ ପ୍ରକାଶିତ ତାଙ୍କ ସ୍ତମ୍ଭରେ ‘ବିତ୍ତାଶ୍ରୟୀ’ ବିଶେଷଣ ପ୍ରୟୋଗ କରି ଅଧିକ ପ୍ରାସଙ୍ଗିକ କରିଥିଲେ)। ଏଭଳି ପ୍ରଗତିର ପ୍ରଧାନ ପରିପ୍ରକାଶ ହେଉଛି ‘ନିର୍ମାଣ’। କୋଠାବାଡ଼ି, କଳକାରଖାନା, ରାସ୍ତାଘାଟ… ଏ ସମସ୍ତ ହେଉଛି ନିର୍ମାଣର ଅଂଶମାନ। ନିର୍ମାଣର ମୁଖ୍ୟ ଆବଶ୍ୟକତା ହେଉଛି ଭୂମି ଓ ନିର୍ମାଣ ସାମଗ୍ରୀମାନ। ତେଣୁ ଯେଉଁ ସବୁଜ ସୁନ୍ଦର ଧାନକ୍ଷେତ, ଜଳାଭୂମି, ନଦୀନାଳ ଓ ପାହାଡ଼ ପର୍ବତ ପାଇଁ କେରଳ ଦିନେ ଈଶ୍ୱର ବା ଭୂ-ଦେବୀଙ୍କର ପ୍ରିୟ ବିଚରଣସ୍ଥଳୀରେ ପରିଣତ ହୋଇଥିଲା ବୋଲି ସେ ରାଜ୍ୟ ଦାବି କରିଆସୁଥିଲା ସେ ସବୁ କ୍ରମେ ରିଅଲ୍‌ ଇଷ୍ଟେଟ୍‌ ମାଫିଆ ଓ ଖଣିଖାଦାନ ମାଫିଆଙ୍କ ଶିକାରରେ ପରିଣତ ହୋଇ ଏପରି ସଂକୁଚିତ ହେବାରେ ଲାଗିଛି ଯେ ଭୂ-ଦେବୀ ଜଳଶାୟିନୀ ହେବା ଛଡ଼ା ତାଙ୍କର ଅନ୍ୟ ଉପାୟ ନାହିଁ।

ଜଳ ବିଜ୍ଞାନୀମାନଙ୍କ ମତରେ ଗୋଟିଏ ହେକ୍ଟର୍‌ (୨.୫ ଏକରରୁ ସାମାନ୍ୟ କମ୍‌) ଧାନ କିଆରି ନିଜ ତଳେ ପ୍ରାୟ ୨ କୋଟି ଲିଟର ଜଳ ଧରି ରଖିଥାଏ। ଉପଲବ୍‌ଧ ପରିସଂଖ୍ୟାନ ଅନୁସାରେ ଚଳିତ ଶତାବ୍ଦୀର ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ କେରଳର ମୋଟ ଧାନଚାଷ ଜମି ଆୟତନରେ ସଂକୋଚନ ଘଟିଛି ୩୫%, ପରିମାଣ ଅନୁସାରେ ଯାହା ହେଉଛି ୧,୦୯,୦୦୦ ହେକ୍ଟର୍‌। କେରଳ ବାର୍ଷିକ ହାରାହାରି ୩୧୦ ସେମି ବୃଷ୍ଟିପାତ ଲାଭ କରିଥାଏ, ଯାହା ପ୍ରାୟ ୭,୦୦୦ କୋଟି ଘନ ମିଟର ଜଳ ଆଣି ଦେଇଥାଏ। ଯଦି ବର୍ତ୍ତମାନ ଅନ୍ତର୍ଦ୍ଧାନ ହୋଇଯାଇଥିବା ଧାନ କ୍ଷେତ ମାନ ଅକ୍ଷୁଣ୍ଣ ଥାନ୍ତା, ତେବେ ଏହି ଜଳରାଶିର ଏକ ବିଶେଷ ଅଂଶ ଭୂଇଁ ତଳେ ନିରାପଦରେ ସାଇତା ହୋଇ ରହିଥାନ୍ତା, ଭୂଇଁ ଉପରେ ବନ୍ୟାର ପ୍ରଳୟଙ୍କରୀ ରୂପ ପରିଗ୍ରହଣ କରନ୍ତା ନାହିଁ।

କେରଳ ତାର ଜଳାଭୂମିମାନଙ୍କ ପାଇଁ ସୁବିଦିତ। ମାତ୍ର ପ୍ରାୟ ଦେଢ଼ ଦଶନ୍ଧି ତଳେ ୨୦୦୪ରେ ଏହି ରାଜ୍ୟର ଜଳାଭୂମି ମାନଙ୍କର ମୋଟ ଆୟତନ ଥିଲା ୩,୨୮,୪୦୨ ହେକ୍ଟର୍‌। ବର୍ତ୍ତମାନ ପ୍ରଗତି ରାକ୍ଷସ ତାହାକୁ କ୍ରମଶଃ ଉଦରସ୍ଥ କରିଚାଲିବା ପରେ ସେଥିରେ ସଂକୋଚନ ଘଟି ତାହା ଆସି ପହଞ୍ଚିଛି ୧,୬୦,୫୯୦ ହେକ୍ଟର୍‌ରେ। ସଂକୋଚନର ଅନୁପାତ ହେଉଛି ୪୯%, ଅର୍ଥାତ୍‌ ସେଠାରେ ବିଗତ ପ୍ରାୟ ୧୫ ବର୍ଷ ମଧ୍ୟରେ ଜଳାଭୂମିର ଆକାର ଅଧା ହୋଇଯାଇଛି। ନିର୍ମାଣ ପାଇଁ ପୋତା ହୋଇ ଜଳାଭୂମି ମାନ ଏପରି ଉଭାନ ହୋଇ ଯାଇଛନ୍ତି। ଏଭଳି ଜଳାଭୂମି ସଂକୋଚନର ଗତିରୋଧ କରିବା ଉଦ୍ଦେଶ୍ୟରେ ୨୦୦୮ରେ ସେଠାରେ ଏକ ଆଇନ ପ୍ରଣୟନ କରାଯାଇଥିଲା। ବର୍ତ୍ତମାନ ସେ ରାଜ୍ୟର କ୍ଷମତାସୀନ ବାମପନ୍ଥୀ ସରକାର କିନ୍ତୁ ‘ପ୍ରଗତି’କୁ ତ୍ୱରାନ୍ଵିତ କରିବା ପାଇଁ ସେ ଆଇନକୁ ହୁଗୁଳା କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି, ଯେପରି ନିର୍ମାଣ ଉଦ୍ଦେଶ୍ୟରେ ଧାନ ଚାଷ ଜମି ଏବଂ ଜଳାଭୂମି ଆଦିକୁ ବିନା ବାଧାରେ ପୋତି ଦିଆଯାଇ ପାରିବ। ଏଭଳି ବେଲଗାମ ପ୍ରଗତି କିପରି ବିପର୍ଯ୍ୟୟକୁ ହାତ ଠାରି ଡାକିଥାଏ, ତାହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଥିଲା ସେଠାରେ ବର୍ତ୍ତମାନ ଦେଖାଦେଇଥିବା ବିପର୍ଯ୍ୟୟ ଋତୁର ଠିକ୍‌ ଆରମ୍ଭ ସମୟରେ। ଜୁନ୍‌ ୧୪ ତାରିଖର ପାହାନ୍ତା ପହରରେ କୋଝିକୋଡ୍‌ ଜିଲ୍ଲାର ତିରୁଭମ୍ବାଡ଼ିଠାରେ ଏକ ପାହାଡ଼ ଅତଡ଼ା ଧସି ଯାଇ ନିମିଷକ ମାତ୍ରେ ୧୪ ଜଣଙ୍କର ପ୍ରାଣହାନି ଘଟାଇଥିଲା। ଉଦ୍ଧାରକାରୀ ଦଳ ଚାରିଦିନ ଧରି ଅକ୍ଳାନ୍ତ ପରିଶ୍ରମ କଲା ପରେ ହଜାର ହଜାର ଟନ୍‌ର କାଦୁଅ, ଗୋଡ଼ି, ପଥର, ଗଛପତ୍ର ହଟାଇ ମୃତ ଦେହଗୁଡ଼ିକୁ ଆବିଷ୍କାର କରିଥିଲେ। ପାହାଡ଼ର କାନ୍ଥିରେ ହିଁ ଅବୈଧ ଭାବରେ ବସତି ନିର୍ମାଣ କରାଯାଇଥିଲା ଯାହା ଥିଲା ବିପର୍ଯ୍ୟୟର ଅନ୍ୟତମ କାରଣ ଓ ଭୟଙ୍କର ପରିଣତିର ଅଭିନୟ ମଞ୍ଚ। ସତେ ଯେମିତି ପାହାଡ଼ର କାନ୍ଥିକୁ ଖୋଳିତାଡ଼ି ପ୍ରଗତି ହାସଲ କରିବା ଯଥେଷ୍ଟ ନଥିଲା, ପାହାଡ଼ର ଶିଖରରେ ୫୦,୦୦୦ ଲିଟର ପାଣି ଭର୍ତ୍ତି ହୋଇଥିବା ଏକ ବିଶାଳ ଟାଙ୍କି ମଧ୍ୟ ଥିଲା ଯାହା ଏକ କୃତ୍ରିମ ପ୍ରପାତ ସୃଷ୍ଟି କରିଥିଲା।

କୋଟ୍ଟାୟାମ୍‌କୁ କେରଳର ଏକ ଅପେକ୍ଷାକୃତ ନିରାପଦ ସହର ରୂପେ ବିଚାର କରାଯାଇଥାଏ। ଏଥର କିନ୍ତୁ କୋଟ୍ଟାୟାମ୍‌ ମଧ୍ୟ ପାଣି ତଳକୁ ଚାଲିଯିବା ଦେଖାଯାଇଛି। ପ୍ରାୟ ସମଗ୍ର କୋଟ୍ଟାୟାମ୍‌ ଜିଲ୍ଲାର ଜୀବନରେଖା ହେଉଛି ମୀନାଚିଲ୍‌ ନଦୀ। ବିଗତ କେତେ ଦଶନ୍ଧି ମଧ୍ୟରେ ଅନିୟନ୍ତ୍ରିତ ବାଲି ଖନନ ଏବଂ ଜବରଦଖଲ ମିଶି ଏହି ନଦୀର ଭୌଗୋଳିକ ଚରିତ୍ରରେ ଏପରି ବ୍ୟାପକ ପରିବର୍ତ୍ତନ ଘଟାଇଛନ୍ତି ଯେ ଏଥର ବର୍ଷାଋତୁରେ ଏହାର ତଟ ଦେଶରେ ହିଁ ପ୍ରାୟ ଏକ ଡଜନ୍‌ ସରିକି ବଡ଼ ବଡ଼ ଭୂ-ସ୍ଖଳନ ଘଟିଛି। ଅବୈଧ ନିର୍ମାଣ ଏବଂ ପଥର ଖାଦାନ ମାନଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ହିଁ ଏହି ବିପର୍ଯ୍ୟୟମାନ ଘଟିଛି। ଏହା ମଧ୍ୟ ଏକ ବିରଳ ଉଦାହରଣ ନୁହେଁ। ପମ୍ପା, ଭରତପୁଝା ଏବଂ ପେରିୟାର୍‌ ଭଳି ରାଜ୍ୟର ଅନ୍ୟ ମୁଖ୍ୟ ନଦୀଗୁଡ଼ିକ ମଧ୍ୟ ପ୍ରଗତି ହିରଣ୍ୟାକ୍ଷର ଲୋଲୁପ ଦୃଷ୍ଟିରୁ ବର୍ତ୍ତି ନାହାନ୍ତି।

ଏହା ଅବଶ୍ୟ ସତ ଯେ କେରଳରେ ଏଥର ଅଧିକ ମୌସୁମୀ ବୃଷ୍ଟିପାତ ଘଟିଛି। ସାଧାରଣ ହାରାହାରି ବୃଷ୍ଟିପାତ ଅପେକ୍ଷା କେରଳରେ ଚଳିତ ଋତୁରେ ୨୧% ଅଧିକ ବୃଷ୍ଟିପାତ ଘଟିଛି। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବୃଷ୍ଟିପାତ ବୃଦ୍ଧି ହାର ଏହାର ପ୍ରାୟ ଦୁଇଗୁଣ ମଧ୍ୟ ହୋଇଥିବା ଦେଖାଯାଇଛି। ଉଦାହରଣ ସ୍ୱରୂପ ଇଡୁକ୍କି, କୋଟ୍ଟାୟାମ୍‌, ଏର୍ଣ୍ଣାକୁଲମ୍‌ ଏବଂ ପାଲାକ୍କାଡ୍‌ ଜିଲ୍ଲାମାନଙ୍କରେ ୪୦% ଅଧିକ ବୃଷ୍ଟିପାତ ଘଟିଛି। ଏଭଳି ଅତ୍ୟଧିକ ଅପ୍ରତ୍ୟାଶିତ ବୃଷ୍ଟିପାତ ପାଇଁ କେରଳ ଦାୟୀ ନୁହେଁ। ବିଶ୍ୱାସ କରାଯାଉଛି ଜଳବାୟୁରେ ଏଭଳି ବିକୃତିର କାରଣ ହେଉଛି ଏକ ବିଶ୍ୱବ୍ୟାପୀ ପ୍ରକ୍ରିୟା- ବିଶ୍ୱ ତାପନ ବା ଉତ୍ତପ୍ତୀକରଣ। କିନ୍ତୁ ଏହା ମଧ୍ୟ ସତ ଯେ କେରଳ ଯଦି ନିଜର ସ୍ୱଘୋଷିତ ଦେବଭୂମି ଉପରେ ଏପରି ମାନବୀୟ ହିରଣ୍ୟାକ୍ଷ-ସୁଲଭ ଅତ୍ୟାଚାର ଚଳାଇ ନଥାନ୍ତା, ତେବେ ସେଠାରେ ପ୍ରକୃତିର ପ୍ରକୋପ ଏତେ ଭୀଷଣ ହୋଇ ନଥାନ୍ତା। ପୁରାଣରେ ବିଷ୍ଣୁ ବରାହ ଅବତାର ଧାରଣ କରି ଭୂ-ଦେବୀଙ୍କୁ ପ୍ରଳୟ ଜଳରୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଈଶ୍ୱରଙ୍କୁ ପୁଣି ନିଜ ରାଜ୍ୟରେ ଆଉଥରେ ବରାହ ଅବତାର ଧାରଣ କରିବାର ସମୟ ଉପସ୍ଥିତ।

ସମ୍ବନ୍ଧିତ ଖବର