ମୁଦ୍ରା ରାକ୍ଷସ

ନରେନ୍ଦ୍ର ମୋଦୀ ବୋଧହୁଏ ବର୍ତ୍ତମାନ ଏକାନ୍ତରେ ପଶ୍ଚାତ୍‌ତାପ କରୁଥିବେ (ସର୍ବସମ୍ମୁଖରେ ତାହା କରିବା ତାଙ୍କର ସ୍ୱଭାବ ବିରୁଦ୍ଧ)। ପଶ୍ଚାତ୍‌ତାପର କାରଣ ନୁହେଁ ତାଙ୍କର ଅତୀତର କୌଣସି ଭୁଲ୍‌ କାର୍ଯ୍ୟ; କାରଣ ହେଉଛି ସେ ଅତୀତରେ କହିଥିବା ଭୁଲ୍‌ କଥା। ରାଜନେତାମାନେ ଅବଶ୍ୟ କଥା କହିବା ବେଳେ ସତରେ ମିଛ ମିଶାଇବାରେ ସିଦ୍ଧହସ୍ତ। ସମସ୍ୟା ହୁଏ ଯେତେବେଳେ ସମୟ ସମୟରେ ସେମାନେ ଅତୀତରେ କହିଥିବା ମିଛ ପାଟି ଆଁ କରି ତାଙ୍କୁ ଗିଳିବା ପାଇଁ ସାମ୍‌ନାରୁ ମାଡ଼ି ଆସେ। ମୋଦୀ କ୍ଷମତାକୁ ଆସିବା ପରଠାରୁୁ ତାଙ୍କୁ ଅବଶ୍ୟ ଏପରି ଅନେକ ଛୋଟ ବଡ଼ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଛି, ଯାହାକୁ ସେ ‘ଜୁମ୍‌ଲା’ ଆଖ୍ୟା ଦେଇ ଖସିଯିବାକୁ ଚେଷ୍ଟା କରିଛନ୍ତି। ଏଥର କିନ୍ତୁ ତାଙ୍କୁ ଯେଉଁ ମିଛ ରାକ୍ଷସର ସାମ୍‌ନା କରିବାକୁ ପଡ଼ିଛି ତାହା ସେ ସବୁ ପରିସ୍ଥିତିଠାରୁ ଭିନ୍ନ; କାରଣ ଏହାର ମୂଳ ଭିତ୍ତି ଥିଲା ଜାତୀୟତାବାଦ।

ଏ ମିଛ ରାକ୍ଷସର ନାମ ହେଉଛି ମୁଦ୍ରା ରାକ୍ଷସ। ୨୦୧୩ରେ ନିର୍ବାଚନ ପ୍ରଚାର ସରଗରମ ହୋଇଥିବା ବେଳେ ଆମେରିକୀୟ ଡଲାର୍‌ ବଦଳରେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ହାର ପ୍ରତି ଡଲାର୍‌ ପିଛା ୫୪ ଟଙ୍କାରୁ ଖସି ୬୮ ଟଙ୍କା ହୋଇ ଯାଇଥିଲା। ମୋଦୀ ଭାରତୀୟ ମୁଦ୍ରାକୁ ଭାରତୀୟ ଗର୍ବର ପ୍ରତୀକ ରୂପେ ଚିତ୍ରିତ କରି ଟଙ୍କାର ଏହିି ଦୁର୍ବଳତାକୁ ଏକ ଜାତୀୟ ଲଜ୍ଜା ରୂପେ ପ୍ରଦର୍ଶିତ କରିଥିଲେ। ଆଉ ଏପରି ଆନ୍ତିର୍ଜାତିକ ସ୍ତରରେ ଭାରତର ‘ଅପମାନ’ ପାଇଁ ସେ ଦାୟୀ କରିଥିଲେ କଂଗ୍ରେସ ନେତୃତ୍ୱାଧିନ କ୍ଷମତାସୀନ ୟୁପିଏ ସରକାରକୁ। ଯଦି ଏନ୍‌ଡିଏ ସରକାର ଗଠନ ପରେ ତେବେ ଟଙ୍କାର ବିନିମୟ ମୂଲ୍ୟ ଡଲାର୍‌ ପିଛା ୪୦ ଟଙ୍କାକୁ ଉଠିବ ବୋଲି ସେତେବେଳେ ମୋଦୀଙ୍କ ପକ୍ଷ ଘୋଷଣା କରିଥିଲେ। ତେଣୁ ବର୍ତ୍ତମାନ ଯେତେବେଳେ ଇତିହାସରେ ପ୍ରଥମ ଥର ପାଇଁ ଟଙ୍କାର ବିନିମୟ ହାର ହ୍ରାସ ପାଇ ଡଲାର୍‌ ପିଛା ୭୦ ଟଙ୍କା ସୀମା ଅତିକ୍ରମ କରି ସାରିଲାଣି, ଏହି ପ୍ରାକ୍‌- ନିର୍ବାଚନୀ ବର୍ଷରେ ସେଥିଯୋଗୁଁ ମୋଦୀଙ୍କର ଅସ୍ୱସ୍ତି ବୁଝିବା କଷ୍ଟକର ନୁହେଁ।

ଦେଶର ମୁଦ୍ରାର ବିନିମୟ ହାରକୁ ଜାତୀୟ ଗର୍ବର ଏକ ସଂକେତ ବୋଲି କହିବା ହିଁ ଥିଲା ମୋଦୀଙ୍କର ମସ୍ତବଡ଼ ମିଛ। ଆଉ ସେ ବିନିମୟ ହାରକୁ ସେ ଚାହିଁବା ମାତ୍ରେ ଉପରକୁ ଉଠାଇ ଦେଇ ପାରିବେ ବୋଲି ଧାରଣା ପ୍ରଦାନ କରିବା ଥିଲା ଆଉ ଏକ ସହଯୋଗୀ ମିଛ। ମୁଦ୍ରାର ବିନିମୟ ହାର ଜାତୀୟ ପତାକା ନୁହେଁ ଯେ ଜଣେ ପ୍ରଧାନମନ୍ତ୍ରୀ ଚାହିଁଲେ ସ୍ୱାଧୀନତା ଦିବସରେ ରଶି ଟାଣି ତାହାକୁ ଉପରକୁ ଉଠାଇ ଦେଇ ପାରିବେ। ତେଣୁ ଭାରତର ୭୧ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ରଶି ଭିଡ଼ି ତ୍ରିରଙ୍ଗା ଉତ୍ତୋଳନ କରୁଥିଲେ ଟଙ୍କା ସେତିକିବେଳେ ବିଡ଼ମ୍ବନା ସଦୃଶ ଡଲାର୍‌ ପିଛା ୭୧ ଟଙ୍କାର ନିକଟବର୍ତ୍ତୀ ହେଉଥିଲା।

ଅବଶ୍ୟ ଏଥିପାଇଁ ମୋଦୀକୁ ଦୋଷ ଦିଆଯାଇ ପାରିବ ନାହିଁ (ଯଦିବା କଂଗ୍ରେସ ତାହାହିଁ କରୁଛି, କାରଣ ମୋଦୀ ଅତୀତରେ ମନମୋହନ ସରକାରକୁ ଦୋଷ ଦେଇଥିଲେ)। ସତ କଥା ହେଲା ମୁଦ୍ରାର ମୂଲ୍ୟ ଠିକ୍‌ ସେହିପରି ନିର୍ଦ୍ଧାରିତ ହୋଇଥାଏ, ଯେମିତି ବଜାରରେ ଆଳୁ ପିଆଜର ଦର ନିର୍ଦ୍ଧାରିତ ହୋଇଥାଏ- ଯୋଗାଣ ଓ ଚାହିଦା ମଧ୍ୟରେ ବଳ କଷାକଷି ଦ୍ୱାରା। ଚାହିଦା ତୁଳନାରେ ଯୋଗାଣ ଅଧିକ ହେଲେ ଯେମିତି ଆଳୁର ଦର ହ୍ରାସ ପାଇଥାଏ କିମ୍ବା ଯୋଗାଣ କମ୍‌ ହେଲେ ଯେମିତି ଆଳୁର ଦରରେ ବୃଦ୍ଧି ଘଟିଥାଏ, ବୈଦେଶିକ ମୁଦ୍ରା ବଜାରରେ ସେମିତି ଡଲାର୍‌ର ଯୋଗାଣରେ ବୃଦ୍ଧି ଘଟିଲେ କମ୍‌ ଟଙ୍କା ବଦଳରେ ଡଲାର୍‌ ମିଳିଥାଏ ଏବଂ ଡଲାର୍‌ର ଯୋଗାଣ ସଂକୁଚିତ ହେଲେ ଡଲାର୍‌ ପାଇବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ; ଯେମିତି ବର୍ତ୍ତମାନ ଘଟିଛି। ଡଲାର୍‌ ପାଇଁ ଚାହିଦା କେଉଁମାନେ ସୃଷ୍ଟି କରିଥାନ୍ତି? ଯେଉଁମାନେ ବିଦେଶରୁ ଆମଦାନି କରିଥାନ୍ତି, ଯେଉଁମାନେ ନିବେଶ କିମ୍ବା ଋଣ ନିମିତ୍ତ ବୈଦେଶିକ ପୁଞ୍ଜି ଆବଶ୍ୟକ କରିଥାନ୍ତି, ସେଇମାନେ ଚାହିଦା ପାର୍ଶ୍ୱରେ ସକ୍ରିୟ ଥାନ୍ତି। ଡଲାର୍‌ର ଯୋଗାଣ ପାର୍ଶ୍ୱରେ ଥାନ୍ତି ରପ୍ତାନିକାରୀମାନେ ଓ ଯେଉଁ ବୈଦେଶିକ ପୁଞ୍ଜି ନିବେଶକମାନେ ଭାରତରେ ନିବେଶ କରିବାକୁ ଚାହାନ୍ତି। ଭାରତ କ୍ଷେତ୍ରରେ ଆମଦାନି ସର୍ବଦା ରପ୍ତାନିଠାରୁ ଅଧିକ ହୋଇ ଆସିଛି। ତେଣୁ ଚଳନ୍ତି ହିସାବ ଖାତାରେ ଭାରତ ସର୍ବଦା ଡଲାର୍‌ ନିଅଣ୍ଟର ସମ୍ମୁଖୀନ ହୋଇ ଆସିଛି। କିନ୍ତୁ ସୌଭାଗ୍ୟବଶତଃ ନିବେଶ ଓ ଋଣ ଆକାରରେ ଦେଶରେ ପ୍ରବେଶ କରୁଥିବା ବୈଦେଶିକ ମୁଦ୍ରା ସ୍ରୋତ ଯୋଗୁଁ ଚଳନ୍ତି ହିସାବର ଅଭାବ ଭରଣା ହୋଇ ଆସିଛି। ଚଳନ୍ତି ହିସାବ ନିଅଣ୍ଟ ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ (ଜିଡିପି)ର ୩% ସୀମା ମଧ୍ୟରେ ରହିବା ନିରାପଦ ବିବେଚିତ ହୋଇଥିବା ବେଳେ ୨୦୧୩ରେ ଏହା ୫% ପାଖାପାଖି ହୋଇ ଆତଙ୍କ ସୃଷ୍ଟି କରିଥିଲା। ବର୍ତ୍ତମାନ ଏହା ୨.୫% ଟପିବାକୁ ବସିବା ଚିନ୍ତାଜନକ ହୋଇଛି। ତେବେ ଭାରତ ପୃଥିବୀର ଛ’ଟି ସର୍ବାଧିକ ପରିମାଣର ବୈଦେଶିକ ମୁଦ୍ରା ଗଚ୍ଛିତ ଥିବା ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଭାରତରେ ଏକ ପ୍ରଳୟଙ୍କରୀ ବୈଦେଶିକ ମୁଦ୍ରା ସଙ୍କଟ ସୃଷ୍ଟି ହେବା ସମ୍ଭାବନା କ୍ଷୀଣ। ୧୯୯୧ର ସଙ୍କଟ ପରେ ଭାରତ ୧୯୯୭ରେ ନିଜକୁ ନିଜେ ସୁରକ୍ଷିତ ରଖି ପାରିଥିଲା।

ବର୍ତ୍ତମାନ କିନ୍ତୁ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇବାର କାରଣ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭାରତରେ ମୁଦ୍ରା ସ୍ଫୀତିହାର ଅପେକ୍ଷାକୃତି ନୀଚା ୫% ରହିଥିବା ବେଳେ ତୁଳନାତ୍ମକ ଭାବରେ ଆମେରିକାର ୧%-୨% ହାର ତୁଳନାରେ ତାହା ବେଶ୍‌ ଅଧିକ; ତେଣୁ ଡଲାର୍‌ ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହେବା ସ୍ୱାଭାବିକ। ଏହି ସମ୍ଭାବନା ହଠାତ୍‌ ସତ୍ୟରେ ପରିଣତ ହେବା ପାଇଁ ଯେଉଁ କାରଣ ମୁଖ୍ୟତଃ ଦାୟୀ ତାହା ହେଲା ଅନ୍ୟତମ ବିକାଶଶୀଳ ଦେଶ ତୁର୍କୀର ମୁଦ୍ରା ଲିରାର ବିନିମୟ ମୂଲ୍ୟରେ ଘଟିଥିବା ତୀବ୍ର ସ୍ଖଳନ। ବିଗତ ଏକ ବର୍ଷ ମଧ୍ୟରେ ଡଲାର୍‌ ବଦଳରେ ଲାରାର ବିନିମୟ ମୂଲ୍ୟରେ ୭୦% ହ୍ରାସ ଘଟିଥିବା ବେଳେ ତୁର୍କୀରେ ମୁଦ୍ରାସ୍ଫୀତି ହାର ହେଉଛି ସୁଉଚ୍ଚ ୧୫% ଏବଂ ସେ ଦେଶର ଚଳନ୍ତି ଜମା ନିଅଣ୍ଟ ହେଉଛି ଦେଶର ଜିଡିପିର ୬.୩%! ଦେଶର ଡଲାର ଆକାରରେ ଋଣ ଯାଇ ପହଞ୍ଚିଛି ଜିଡିପିର ୫୩% ଅନୁପାତରେ! ତେଣୁ ସେଠାରେ ଏକ ବିତ୍ତୀୟ ସଂକଟ ଆଶଙ୍କା କରି ବୈଦେଶିକ ନିବେଶକମାନେ ସେମାନଙ୍କର ପୁଞ୍ଜି ପ୍ରତ୍ୟାହାର କରି ପଳାୟନର ଯେଉଁ ସ୍ରୋତ ସୃଷ୍ଟି କରିଛନ୍ତି, ତାହା ଗୋଠ ମାତିଲେ ଖଣ୍ଡିଆ ମାତିବା ନ୍ୟାୟରେ ଅନ୍ୟ ସମସ୍ତ ବିକାଶଶୀଳ ଦେଶମାନଙ୍କୁ ପ୍ରଭାବିତ କରିଛି। କେବଳ ବ୍ରାଜିଲ୍‌କୁ ଛାଡ଼ିଦେଲେ ରୁଷିଆ, ଚୀନ୍‌, ଦକ୍ଷିଣଆଫ୍ରିକା ଭଳି ଅନ୍ୟ ସମସ୍ତ ‘ବ୍ରିକ୍‌ସ’ ଦେଶର ମୁଦ୍ରା ଏହି ଡଲାର୍‌ ପଳାୟନଜନିତ ମୁଦ୍ରା ବିନିମୟ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛନ୍ତି।

ଏଠାରେ ସୂଚାଇ ଦିଆଯାଇପାରେ ଯେ ଟଙ୍କାର ବିନିମୟ ମୂଲ୍ୟ ଅପେକ୍ଷାକୃତ ଉଚ୍ଚା ରହିଥିବାରୁ ବିଗତ ଚାରିବର୍ଷ ଧରି ଭାରତୀୟ ରପ୍ତାନିରେ ଏକ ସ୍ଥାଣୁ ଅବସ୍ଥା ଦେଖାଯାଇଛି। ଅପରପକ୍ଷେ ଚୀନ୍‌ର ମୁଦ୍ରା ଏହି ସମୟରେ ଭାରତୀୟ ଟଙ୍କା ତୁଳନାରେ ଅପେକ୍ଷାକୃତ ଦୁର୍ବଳ ରହି ଚୀନା ରପ୍ତାନିକୁ ପ୍ରୋତ୍ସାହିତ କରି ଆସିଛି। ବର୍ତ୍ତମାନ ଭାରତୀୟ ଟଙ୍କା ଯଥାର୍ଥ ଭାବରେ ତାର ବିନିମୟ ମୂଲ୍ୟରେ ହ୍ରାସ ଘଟି ୭୦ ଟଙ୍କା ଟପିବା ପରେ ଭାରତୀୟ ରପ୍ତାନି ପାଇୁଁ ସାହାଯ୍ୟକାରୀ ହୋଇପାରେ। ଏହା କୌଣସି ଜାତୀୟ ଲଜ୍ଜା ନୁହେଁ। ମୋଦୀ ସରକାର ଯଦି ନିଜର ଅତୀତର ମିଥ୍ୟାଚାର ଜାଲରେ ଛନ୍ଦି ହୋଇ କୃତ୍ରିମ ହସ୍ତକ୍ଷେପ ମାଧ୍ୟମରେ ଟଙ୍କାର ଟାଣପଣ ଫେରାଇ ଆଣିବାକୁ ଚେଷ୍ଟା କରେ, ତାହା ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ହେବ ନାହିଁ।

ସମ୍ବନ୍ଧିତ ଖବର