ଜାତୀୟ ସମ୍ମାନ ଓ ମାନବୀୟ ସଂକଟ

0 116

ଶତାବ୍ଦୀର ସବୁଠାରୁ ପ୍ରଳୟଙ୍କରୀ ବନ୍ୟାରେ ବିଧ୍ୱସ୍ତ କେରଳର ପୁନଃନିର୍ମାଣ ପାଇଁ ବିଦେଶୀ ସହାୟତା ଗ୍ରହଣ କରାଯିବ କି ନାହିଁ? ଏହି ପ୍ରଶ୍ନ ଉପରେ ବିଗତ କିଛି ଦିନ ଧରି ଲାଗି ରହିଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି। କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ, କେରଳର ପୁନଃନିର୍ମାଣ ପାଇଁ ଘରୋଇ ସମ୍ବଳ ଓ ସାଧନର ଅଭାବ ନାହିଁ, ତେଣୁ କୌଣସି ବିଦେଶୀ ରାଷ୍ଟ୍ରର ସହାୟତା ଗ୍ରହଣୀୟ ନୁହେଁ। ବିଦେଶରେ ଅବସ୍ଥାପିତ ରାଷ୍ଟ୍ରଦୂତ ଓ ଅନ୍ୟ କୂଟନୀତିଜ୍ଞ ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଜାରି କରାଯାଇଛି। ଏ ଦୁର୍ଦ୍ଦିନରେ ସହାୟତାର ପ୍ରସ୍ତାବ ଦେଉଥିବା ରାଷ୍ଟ୍ରର ସରକାର ମାନଙ୍କୁ ଧନ୍ୟବାଦ ଜଣାଇ ବିନମ୍ରତାର ସହ ସହାୟତାକୁ ଅଗ୍ରାହ୍ୟ କରିବା ଲାଗି ଭାରତୀୟ ଦୂତାବାସ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ବିନ୍ୟାବିପନ୍ନ କେରଳ ପାଇଁ ଉପସାଗରୀୟ ଦେଶ ୟୁଏଇ ପକ୍ଷରୁ ପ୍ରାୟ ୭୦୦ କୋଟି ଟଙ୍କାର ସହାୟତା ଘୋଷଣା ଏବଂ କତାର, ଥାଇଲାଣ୍ଡ ଓ ମାଳଦ୍ୱୀପ ଭଳି କେତେକ ଦେଶ ପକ୍ଷରୁ ସହାୟତା ପାଇଁ ପ୍ରସ୍ତାବର ପୃଷ୍ଠଭୂମିରେ ଭାରତର ଆତ୍ମନିର୍ଭରଶୀଳତା, ରାଷ୍ଟ୍ରୀୟ ଗର୍ବ ଓ ସ୍ୱାଭିମାନକୁ ଆଖି ଆଗରେ ରଖି ଏନ୍‌ଡିଏ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ କେରଳର ବାମପନ୍ଥୀ ସରକାର କେନ୍ଦ୍ରର ଏହି ନିଷ୍ପତ୍ତି ସହ ଏକମତ ନୁହନ୍ତି। କେରଳ ସରକାରଙ୍କ ମତ ହେଲା, ବନ୍ୟା ଜନିତ କ୍ଷୟକ୍ଷତିର ମାତ୍ରା ଏତେ ଅଧିକ ଯେ, ପୁନଃନିର୍ମାଣ ପାଇଁ ବିଦେଶୀ ସହାୟତା ନେବାରେ କୌଣସି କୁଣ୍ଠା ରହିବା ଉଚିତ ନୁହେଁ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ କ୍ଷୟକ୍ଷତିର ପରିମାଣ ୨୫୦୦୦ କୋଟି ଟଙ୍କାରୁ ଅଧିକ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାର ୨,୬୦୦ କୋଟି ମାଗିଥିବା ବେଳେ କେନ୍ଦ୍ର ୬୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେବଳ କେରଳର ବାମପନ୍ଥୀ ସରକାର ନୁହଁନ୍ତି, ଅନ୍ୟ କେତେକ ମହଲର ମଧ୍ୟ ଯୁକ୍ତି ହେଲା ଯେ ଜାତୀୟ ସମ୍ମାନ ଓ ସ୍ୱାଭିମାନ ଆଳରେ କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ବିଦେଶୀ ସହାୟତା ସକାଶେ ଦ୍ୱାର ବନ୍ଦ କରାଯିବା ଯଥାର୍ଥ ନୁହେଁ। ପ୍ରଶ୍ନ ହେଉଛି- ଧନୀ ଯୁକ୍ତରାଷ୍ଟ ଆମେରିକା ୨୦୦୫ କ୍ୟାଟ୍ରିନା ଘୂର୍ଣ୍ଣିବାତ୍ୟା ବେଳେ ୩୬ଟି ରାଷ୍ଟ୍ରରୁ ସହାୟତା ଗ୍ରହଣ କରିଥିଲା ଓ ଖୋଦ୍‌ ଭାରତ ବିପର୍ଯ୍ୟୟ ବେଳେ ନେପାଳ, ଫିଲିପାଇନ୍ସ, ମିଆମାର୍‌ ଆଦି ଦେଶର ସହାୟତା କରିଥିବା ବେଳେ ଏବେ କେରଳ ବିପର୍ଯ୍ୟୟ ପାଇଁ କାହିଁକି ସହାୟତା ମନା କରୁଛି? ଫଳସ୍ୱରୂପ ଏହି ଯୁକ୍ତି-ପ୍ରତିଯୁକ୍ତି ମଧ୍ୟରେ ବନ୍ୟା ବିଧ୍ୱସ୍ତ କେରଳ ପାଇଁ ବିଦେଶୀ ସହାୟତା ପ୍ରସଙ୍ଗରେ ଏକ ଅଲୋଡ଼ା ଅସ୍ୱସ୍ତିକର ବିବାଦ ଛିଡ଼ା ହୋଇଛି। ଗୋଟିଏ ପଟେ ଦେଶର ସମ୍ମାନ, ଆତ୍ମନିର୍ଭରଶୀଳତା, ଅନ୍ୟ ପଟେ ଏକ ଗୁରୁତର ମାନବୀୟ ସଙ୍କଟ। କିନ୍ତୁ ଏଭଳି ଏକ ବିପର୍ଯ୍ୟୟ ସମୟରେ ଏ ବିବାଦ ସମ୍ପୂର୍ଣ୍ଣ ଅହେତୁକ। ଅଯଥାରେ ଏହା କେରଳର ପୁନଃନିର୍ମାଣ ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ବର୍ତ୍ତମାନ ସମୟର ଆହ୍ଵାନ ହେଉଛି, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଯେମିତି ସହମତି ଥିଲା, କେରଳର ପୁନଃନିର୍ମାଣ ଓ ବନ୍ୟା ବିପନ୍ନଙ୍କ ଥଇଥାନ ପ୍ରସଙ୍ଗରେ ମଧ୍ୟ ଅନୁରୂପ ସହମତି ସହ ଦେଶ ଏକଜୁଟ ହେବା ଉଚିତ। କୌଣସି ପ୍ରକାର ବିବାଦ ଏକ ଗମ୍ଭୀର ମାନବୀୟ ସମସ୍ୟା ପ୍ରତିି ଉପହାସ।

ବିଦେଶୀ ସହାୟତାକୁ ‘ନା’ କହି ମୋଦୀ ସରକାର ନେଇଥିବା ନିଷ୍ପତ୍ତିକୁ ଆକସ୍ମିକ, ଅପ୍ରତ୍ୟାଶିତ କିମ୍ବା ଅଯଥାର୍ଥ କୁହାଯାଇ ପାରିବ ନାହିଁ। କେନ୍ଦ୍ରରେ କ୍ଷମତାସୀନ ମେଣ୍ଟର ପ୍ରମୁଖ ଦଳର ରାଜନୈତିକ ମତାଦର୍ଶରେ ଭାରତୀୟ ରାଷ୍ଟ୍ରବାଦର ଗୁରୁତ୍ୱ ପ୍ରତି ଅଙ୍ଗୁଳି ଦେଖାଇ ନିଷ୍ପତ୍ତିକୁ ସନ୍ଦିଗ୍ଧ କରାଯାଇ ନ ପାରେ। ବିଗତ ଚଉଦ ବର୍ଷ ଧରି ଅନୁସୃତ ଏକ ଜାତୀୟ ନୀତି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୦୪ ସୁନାମୀ ପରେ ତତ୍କାଳୀନ ୟୁପିଏ ସରକାର ନୀତି ପ୍ରଣୟନ କରିଥିଲେ ଯେ, କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ବିଦେଶୀ ରାଷ୍ଟ୍ରର ସହାୟତା ନିଆଯିବ ନାହିଁ। ତେବେ କେନ୍ଦ୍ରର ଏହି ନୀତିଗତ ନିଷ୍ପତ୍ତି ଉପରେ ଭିନ୍ନମତର କୌଣସି ଅବକାଶ ରହିନଥାନ୍ତା, ଯଦି ୨୦୦୪ ନୀତି ଏବଂ ୨୦୧୬ରେ ପ୍ରସ୍ତୁତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା (ଏନ୍‌ଡିଏମ୍‌ପି) ପରସ୍ପର ବିରୋଧାତ୍ମକ ହୋଇନଥାନ୍ତେ। ୨୦୦୪ ନୀତିରେ ବିଦେଶୀ ସହାୟତାକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଅଥଚ, ୨୦୧୬ ଏନ୍‌ଡିଏମ୍‌ପିରେ ବିଦେଶୀ ସହାୟତାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇ ନାହିଁ। ଏଥିରେ ଉଲ୍ଲେଖ ଅଛି ଯେ, ବିପର୍ଯ୍ୟୟର ମୁକାବିଲା ପାଇଁ ସହାୟତା ସକାଶେ ଭାରତ କୌଣସି ବିଦେଶୀ ରାଷ୍ଟ୍ର କିମ୍ବା ଆନ୍ତର୍ଜାତିକ ସଂସ୍ଥାକୁ ନିଜ ଆଡୁ ନିବେଦନ କରିବ ନାହିଁ। କିନ୍ତୁ, ମାନବୀୟ ଦୃଷ୍ଟିକୋଣରୁ ଯଦି କୌଣସି ବିଦେଶୀ ରାଷ୍ଟ୍ର କିମ୍ବା ସଂସ୍ଥା ସ୍ୱଇଚ୍ଛାରେ ସହାୟତାର ହାତ ବଢ଼ାନ୍ତି, ତେବେ ସହାୟତା ଗ୍ରହଣ କରିବା ବିଷୟ କେନ୍ଦ୍ର ସରକାର ବିଚାର କରିପାରନ୍ତି। କେନ୍ଦ୍ର ସରକାର ୨୦୦୪ର ନୀତି ଆଧାରରେ ବିଦେଶୀ ସହାୟତାକୁ ‘ନା’ କହିଛନ୍ତି। ଅନ୍ୟ ପକ୍ଷରେ ଏନ୍‌ଡିଏମ୍‌ପି-୨୦୧୬ର ବ୍ୟବସ୍ଥାକୁ ଦର୍ଶାଇ କେରଳ ସରକାର ନିଷ୍ପତ୍ତିର ପୁନଃ ବିଚାର ଲାଗି କେନ୍ଦ୍ର ଉପରେ ଚାପ ପକାଉଛନ୍ତି। କେରଳରେ ବିରୋଧୀ ଦଳ କଂଗ୍ରେସ ଓ ଆଉ କେତେକ ମହଲରେ ମଧ୍ୟ ବନ୍ୟା ବିପର୍ଯ୍ୟୟର ଭୟାବହତା ପରିପ୍ରେକ୍ଷୀରେ କେରଳ ସରକାରଙ୍କ ସହ ସ୍ୱର ମିଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା, କେନ୍ଦ୍ରର ପ୍ରାରମ୍ଭିକ ୬୦୦ କୋଟିର ସହାୟତା ବିପକ୍ଷରେ ୟୁଏଇର ପ୍ରସ୍ତାବିତ ୭୦୦ କୋଟି ଓ ଅନ୍ୟ ତିନିଟି ଦେଶରୁ ଅତିରିକ୍ତ ୨୦୦ କୋଟି ସହାୟତାର ସମ୍ଭାବନା ପରିପ୍ରେକ୍ଷୀରେ କେରଳ ଜନମତ ବିଦେଶୀ ସହାୟତା ସପକ୍ଷରେ ଢଳୁଛି। ପୁଣି କେନ୍ଦ୍ର ଓ ରାଜ୍ୟରେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଶକ୍ତି ଶାସନରେ ଥିବାରୁ ବିବାଦ ରାଜନୈତିକ ରଙ୍ଗ ନେବାର ମଧ୍ୟ ଆଶଙ୍କା ଦେଖାଦେଇଛି, ଯାହା ସାଂପ୍ରତିକ ସଂକଟ ସମୟରେ ଆଦୌ ସ୍ପୃହଣୀୟ ନୁହେଁ।

ତେବେ ପ୍ରଶ୍ନ ଉଠୁଛି, ଏ ଅସ୍ୱସ୍ତିକର ବିବାଦର ସମାଧାନ କ’ଣ? କେମିତି, ଜାତୀୟ ସମ୍ମାନ, ଦେଶର ସ୍ୱାବଲମ୍ବନଶୀଳତାକୁ ଅକ୍ଷୁଣ୍ଣ ରଖି ଏ ଗୁରୁତର ମାନବୀୟ ସଂକଟର ସଫଳ ମୁକାବିଲା କରାଯାଇ ପାରିବ? କେରଳର ବନ୍ୟା ବିଭୀଷିକାକୁ କେନ୍ଦ୍ର ସରକାର ‘ଜାତୀୟ ବିପର୍ଯ୍ୟୟ’ ଘୋଷଣା କରି ନାହାନ୍ତି। କିନ୍ତୁ ଏବେ ବନ୍ୟା ବିଧ୍ୱସ୍ତ କେରଳର ପୁନଃ ନିର୍ମାଣ ଓ ବନ୍ୟା ଦୁର୍ଗତଙ୍କ ଥଇଥାନକୁ ‘ଜାତୀୟ କାର୍ଯ୍ୟକ୍ରମ’ ଭାବେ ଗ୍ରହଣ କରି ଦିଲ୍ଲୀ ସରକାର ସଂପୂର୍ଣ୍ଣ ଦାୟିତ୍ୱ ନିଜ ହାତକୁ ନିଅନ୍ତୁ। ସମୟାବଦ୍ଧ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ପୁନଃ ନିର୍ମାଣ ସଂପୂର୍ଣ୍ଣ କରନ୍ତୁ। ସାଧାରଣ ପରିସ୍ଥିତିରେ ସାଧାରଣ ପଦକ୍ଷେପ ଯଥେଷ୍ଟ ହୋଇପାରେ। କିନ୍ତୁ ଗୋଟିଏ ଅସାଧାରଣ ପରିସ୍ଥିତିର ଅସାଧାରଣ ପଦକ୍ଷେପ ନିହାତି ଆବଶ୍ୟକ। ବିଦେଶୀ ସରକାର ମାନେ କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ଯେତିକି ସହାୟତାର ପ୍ରସ୍ତାବ ଦେଇଛନ୍ତି, କେନ୍ଦ୍ର ସରକାର ତା’ର ଢେର ଗୁଣ ଅଧିକ ସହାୟତା ପ୍ରଦାନ କରନ୍ତୁ। ସ୍ୱାଭାବିକ ଜୀବନଯାତ୍ରାକୁ ପୁନର୍ବାର ଫେରିବା ଲାଗି ସଂଘର୍ଷରତ କେରଳବାସୀଙ୍କୁ ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କରିବାକୁ ପଡ଼ିବ ଯେ, ପୁନଃନିର୍ମାଣ ଓ ଥଇଥାନ ଲାଗି ପାଣ୍ଠିର ଅଭାବ ବାଧକ ହେବ ନାହିଁ। କେବଳ କଥାରେ ନୁହେଁ କାମରେ ଜାତୀୟ ସମ୍ମାନ ଓ ଆତ୍ମନିର୍ଭରଶୀଳତାର ପ୍ରମାଣ ଦେବାକୁ ହେବ। ଏ ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ଦୃଢ଼ ପଦକ୍ଷେପର ଉଦାହରଣ ଦିଆଯାଇପାରେ। ପିଏ-୪୮୦ କାର୍ଯ୍ୟକ୍ରମରେ ଆମେରିକାରୁ ମାଗଣାରେ ଗହମ ଯୋଗାଣକୁ ଇନ୍ଦିରା ବନ୍ଦ କରି ଦେଇ ଖାଦ୍ୟରେ ଆତ୍ମନିର୍ଭରଶୀଳତା ପାଇଁ ଆରମ୍ଭ କଲେ ସବୁଜ ବିପ୍ଳବ। ଆଜି ଯଦି ଭାରତ ଖାଦ୍ୟ କ୍ଷେତ୍ରରେ ଖାଲି ଆତ୍ମନିର୍ଭରଶୀଳ ନୁହେଁ, ବିଦେଶକୁ ଖାଦ୍ୟ ରପ୍ତାନି ଲାଗି ସକ୍ଷମ, ତେବେ ତା’ର ଶ୍ରେୟ ସବୁଜ ବିପ୍ଳବର। ଉତ୍ତରାଖଣ୍ଡ ବର୍ଷା ବିତ୍ପାତ, କଶ୍ମୀର ବନ୍ୟା ଓ ଭୂମିକମ୍ପ ବେଳେ ଯଦି କୌଣସି ବିଦେଶୀ ସହାୟତା ନ ନେଇ ଭାରତ ନିଜ ବଳରେ ବିପର୍ଯ୍ୟୟର ମୁକାବିଲା ସହ ପୁନଃ ନିର୍ମାଣକୁ ସମ୍ଭବ କରିପାରିଲା, ତେବେ କେରଳରେ ତାହା ସମ୍ଭବ ହେବ ନାହିଁ କାହିଁକି? ଅବଶ୍ୟ, ଏଥିପାଇଁ ଆବଶ୍ୟକ କେରଳବାସୀ ସମେତ ସମଗ୍ର ଭାରତ ବାସୀଙ୍କ ସାମୂହିକ ଜାତୀୟ ଭାବନା। ଉଭୟ କେନ୍ଦ୍ର ଓ ରାଜ୍ୟର ରାଜନୈତିକ ନେତୃତ୍ୱଙ୍କ ଦୃଢ଼ ଇଚ୍ଛା ଶକ୍ତି, ନିଷ୍ଠା। ନୂଆଦିଲ୍ଲୀ ଓ ତିରୁଭନନ୍ତପୁରମ୍‌ର ସରକାରଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସମନ୍ଵୟ। ସଂକୀର୍ଣ୍ଣ ରାଜନୈତିକ ବିଚାରରୁ ଉପରକୁ ଉଠି କେରଳର ସାଂପ୍ରତିକ ଗମ୍ଭୀର ପରିସ୍ଥିତିକୁ ଏକ ଗୁରୁତର ମାନବୀୟ ସଙ୍କଟ ଭାବେ ବିଚାର କଲେ କିଛି ଜଟିଳତା ରହିବ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.