ବଜେଟ୍‌ ବ୍ୟୟରେ ଦକ୍ଷତା ବଢୁ

ଆର୍ଥିକ ବର୍ଷ ଆରମ୍ଭ ହେବାର ମାତ୍ର ସାଢ଼େ ଚାରି ମାସ ପରେ ସରକାର ୨୦୧୮-୧୯ ପାଇଁ ଅତିରିକ୍ତ ବଜେଟର ଆବଶ୍ୟକତା ଅନୁଭବ କରିଛନ୍ତି। ବିଧାନସଭାରେ ଗୃହୀତ ୧,୨୦,୦୨୮ କୋଟି ଟଙ୍କାର ମୂଳ ବଜେଟ ଉପରେ ୧୨,୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପରେ ମନ୍ତ୍ରୀ ପରିଷଦ ବୈଠକରେ ମୋହର ଲାଗିଛି। ଆସନ୍ତା ସେପ୍‌ଟେମ୍ବର ୪ରୁ ଆରମ୍ଭ ହେଉଥିବା ବିଧାନସଭାର ବର୍ଷାକାଳୀନ ଅଧିବେଶନରେ ପ୍ରସ୍ତାବିତ ଅତିରିକ୍ତ ବଜେଟ ଅନୁମୋଦିତ ହେଲେ ଚଳିତ ୨୦୧୮-୧୯ ବର୍ଷ ପାଇଁ ବଜେଟର ଆକାର ୧ ଲକ୍ଷ ୩୨ ହଜାର ୭୯୬ କୋଟି ଟଙ୍କାକୁ ବୃଦ୍ଧି ପାଇବ। ଏହା ଗତ ୨୦୧୭-୧୮ ବର୍ଷର ମୂଳ ୧,୦୬,୯୧୦.୮୭ ଏବଂ ୯,୮୨୮,୫୭ କୋଟି ଟଙ୍କାର ଅତିରିକ୍ତ ବଜେଟ ସମେତ ମୋଟ ୧,୧୬,୭୩୯.୪୪ କୋଟି ତୁଳନାରେ ୧୬,୦୫୭ କୋଟି ଟଙ୍କା (୧୪%) ଅଧିକ। ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଏଥର ଅତିରିକ୍ତ ବଜେଟ ଆଗୁଆ ଆସିଥିବାରୁ ନିର୍ବାଚନ ବର୍ଷରେ ଆର୍ଥିକ ବର୍ଷ ଶେଷ ପୂର୍ବରୁ ଦ୍ୱିତୀୟ ଅତିରିକ୍ତ ବଜେଟର ସମ୍ଭାବନାକୁ ଅସ୍ୱୀକାର କରାଯାଇ ପାରୁନାହିଁ।

ବିଗତ ଗୋଟିଏ ଦଶକ ହେଲା, ପ୍ରତିବର୍ଷ ପୂର୍ବବର୍ଷ ଅପେକ୍ଷା ରାଜ୍ୟର ବଜେଟ ଆକାର ବୃଦ୍ଧି ପାଇ ଚାଲିଛି। ଓଡ଼ିଶା ଭଳି ଏକ ପଛୁଆ, ଦାରିଦ୍ର୍ୟ ପ୍ରବଣ ରାଜ୍ୟ ପାଇଁ ଏହା ଏକ ସ୍ୱାଭାବିକ ଏବଂ ସୁସ୍ଥ ଧାରା। ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ କଲ୍ୟାଣ ଓ ପଛୁଆ ଅଞ୍ଚଳର ବିକାଶ କ୍ଷେତ୍ରରେ ରହିଥିବା ନିଅଣ୍ଟିଆ ଦୂର ପାଇଁ ଅଧିକ ବ୍ୟୟବରାଦ ଆବଶ୍ୟକ। ମୁଖ୍ୟତଃ, ବିକାଶ ଓ କଲ୍ୟାଣ କ୍ଷେତ୍ରରେ ନିଅଣ୍ଟିଆ ଭରଣା ପାଇଁ ଯେ ବଜେଟ ଆକାର ବୃଦ୍ଧି ପାଉଛି, ତା’ର ସୂଚକ ହେଲା ଲଗାତାର ଯୋଜନା ବାବଦ କ୍ରମବର୍ଦ୍ଧିଷ୍ଣୁ ବ୍ୟୟବରାଦ। ୨୦୦୭-୦୮ରେ ଯୋଜନା ବାବଦ ୫ ହଜାର ୧୦୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଦଶ ବର୍ଷରେ ଏ ପରିମାଣ ୨୦୧୭-୧୮ ବେଳକୁ ୫୭,୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଯୋଜନା ଓ କାର୍ଯ୍ୟକ୍ରମ ବାବଦ ବ୍ୟୟ ଅଟକଳ ୬୨ ହଜାର କୋଟି ଟଙ୍କାରେ ପହଞ୍ଚିଛି; ଯାହା ମୋଟ ବଜେଟର ୫୦ %ରୁ ଅଧିକ।

ତେବେ, କେତେକ ମହଲରେ ବଜେଟର ଆକାର ଲଗାତାର ବୃଦ୍ଧି ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଉଦ୍‌ବେଗର କାରଣ, ଯେଉଁ ହାରରେ ରାଜ୍ୟର ସମ୍ବଳ ସଂଗ୍ରହ ବୃଦ୍ଧି ପାଉଛି, ତା’ଠାରୁ ଅଧିକ ହାରରେ ବଜେଟ ବ୍ୟୟ ଅଟକଳ ବୃଦ୍ଧି ପାଇ ଚାଲିଛି। ଫଳରେ ନିଅଣ୍ଟିଆ ଭରଣା ପାଇଁ ସରକାରଙ୍କୁ ଋଣ ଉଠାଇବାକୁ ପଡୁଛି। ଏହା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଚାପ। ବଜେଟର ଆକାର ବଢ଼ିବା ସହ ରାଜ୍ୟ ଉପରେ ଋଣ ଭାର ମଧ୍ୟ ବୃଦ୍ଧି ପାଇ ୯୦ ହଜାର କୋଟି ଟଙ୍କା ଟପିଗଲାଣି। କିନ୍ତୁ ବଜେଟ ଆକାର ଓ ଋଣ ବୃଦ୍ଧି ନେଇ ଏ ଉଦ୍‌ବେଗ ରକ୍ଷଣଶୀଳ ମନୋଭାବ ସୁଲଭ ଅତିରଞ୍ଜନ। ବିକାଶ କ୍ଷେତ୍ରରେ ନିଅଣ୍ଟିଆ ଭରଣା ପାଇଁ ବଜେଟ ଆକାର ବୃଦ୍ଧିରୁ ଆଦୌ ଅଯଥା ମନେ କରାଯାଇ ନପାରୋ। ଗୋଟିଏ କଲ୍ୟାଣକାରୀ ବିକାଶନ୍ମୁଖୀ ରାଜ୍ୟ ପକ୍ଷରେ ବିକାଶ ଓ ଉନ୍ନୟନ ମୂଳକ ଯୋଜନା ପାଇଁ ଋଣ ମାଧ୍ୟମରେ ଅର୍ଥ ଯୋଗାଡ଼ ଅପରାଧ ନୁହେଁ। ଯଦି ବିକାଶ ଓ କଲ୍ୟାଣ ଅଣଦେଖାର ଶିକାର ହୁଏ, ତେବେ ଫଳସ୍ୱରୂପ ଯେଉଁ ସାମାଜିକ- ଅର୍ଥନୈତିକ ଅସମାନତା ଦେଖା ଦେବ, ଆଞ୍ଚଳିକ ବୈଷମ୍ୟ ସୃଷ୍ଟି ହେବ, ତାହା ରାଜ୍ୟ ପାଇଁ ଋଣ ଅପେକ୍ଷା ଅଧିକ ବୋଝ ସାବ୍ୟସ୍ତ ହେବ। ପୁଣି ରାଜ୍ୟର ନିଜସ୍ୱ ସଂବଳ ସଂଗ୍ରହର ଚିତ୍ର ସେତେ ଉତ୍ସାହଜନକ ନହେଲେ ସୁଦ୍ଧା, ନିରାଶା ଜନକ ବୋଲି କୁହାଯାଇ ପାରିବ ନାହିଁ। ଋଣ ପରିମାଣ ମଧ୍ୟ ନିର୍ଦ୍ଧାରିତ ସୀମା ଟପି ନାହିଁ। ରାଜ୍ୟ ଜିଡିପିର ୨୫ ପ୍ରତିଶତ ପର୍ଯ୍ୟନ୍ତ ଋଣ ପାଇଁ ଅନୁମତି ଅଛି। ବର୍ତ୍ତମାନ ସୁଦ୍ଧା ଋଣ ପରିମାଣ ଜିଡିପିର ୨୦ ପ୍ରତିଶତ ଭିତରେ ରହିଛି।

ତେଣୁ ବଜେଟ ଆକାର ଓ ଋଣ ବୋଝ ବଡ଼ ଏକ ପ୍ରସଙ୍ଗ ନୁହେଁ। ମୁଖ୍ୟ ପ୍ରସଙ୍ଗ ହେଲା, ଋଣ ଆଣି ବଜେଟରେ ବରାଦ ହେଉଥିବା ଅର୍ଥର ସୁବିନିଯୋଗ। ଋଣ ନେଇ ସେପର୍ଯ୍ୟନ୍ତ ଚିନ୍ତା ନାହିଁ, ଯେ ପର୍ଯ୍ୟନ୍ତ ଏହା ରାଜ୍ୟର ବିକାଶ ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉଛି। ଈପ୍‌ସିତ ପରିବର୍ତ୍ତନ ପାଇଁ ପ୍ରତିଟି ଟଙ୍କାର ଗୁଣାତ୍ମକ ଖର୍ଚ୍ଚ ନିଶ୍ଚିତ ହେବା ଦରକାର। ତେବେ ବିଡ଼ମ୍ବନା ହେଲା, ଏ କ୍ଷେତ୍ରରେ ସରକାରୀ କଳର ପ୍ରଦର୍ଶନ ବିଶେଷ ଉତ୍ସାହପ୍ରଦ ମନେ ହେଉନାହିଁ। ଈପ୍‌ସିତ ପରିବର୍ତ୍ତନର ଲକ୍ଷ୍ୟ ହାସଲ ହୋଇ ପାରୁନାହିଁ। ପରିବର୍ତ୍ତନର ଲକ୍ଷ୍ୟ ହାସଲ ହେବ କେମିତି ଯଦି ହାତରେ ଥିବା ପାଣ୍ଠିର ଏକ ଉଲ୍ଲେଖନୀୟ ଭାଗ ବିନିଯୋଗ ହୋଇ ନପାରେ। ବିଗତ ପାଞ୍ଚବର୍ଷରେ ଯୋଜନା ବାବଦ ବାର୍ଷିକ ହାରାହାରି ପାଞ୍ଚହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ପାରି ନାହିଁ। ଏମିତିି ବି ଅନେକ ବର୍ଷ ଅଛି, ଯେଉଁ ବର୍ଷ ଅତିରିକ୍ତ ବଜେଟରେ ବ୍ୟୟବରାଦ ପରିମାଣଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ପାରିନାହିଁ। ୨୦୧୬-୧୭ରେ ଅତିରିକ୍ତ ବଜେଟର ବ୍ୟୟବରାଦ ପରିମାଣ ଥିଲା, ୫,୧୫୦ କୋଟି ଟଙ୍କା। ଅଥଚ, ବର୍ଷ ଶେଷ ବେଳକୁ ୬,୮୩୪ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରି ନଥିଲା। ପୂର୍ବବର୍ତ୍ତୀ ୨୦୧୫-୧୬ରେ ଅତିରିକ୍ତ ବଜେଟରେ ୮,୩୭୪ କୋଟି ଟଙ୍କାର ବ୍ୟୟବରାଦ ବିପକ୍ଷରେ ଖର୍ଚ୍ଚ ହୋଇ ପାରିନଥିବା ଅର୍ଥର ପରିମାଣ ଥିଲା ୮,୧୭୦ କୋଟି ଟଙ୍କା। ୨୦୧୪-୧୫ ଅତିରିକ୍ତ ବଜେଟର ୧,୪୯୪ ବ୍ୟୟ ବରାଦ ବିପକ୍ଷରେ ୧୦,୪୪୯ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ଫେରସ୍ତ ହୋଇଥିଲା। ଏହି ଗଣିତ ସ୍ୱତଃ ଅତିରିକ୍ତ ବଜେଟର ଆବଶ୍ୟକତା ଓ ବଜେଟ କସରତର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯୋଜନା କ୍ଷେତ୍ରରେ ଅପାରଗତା, ଅଦକ୍ଷତା ଆଡ଼କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବିକାଶ ଦୃଷ୍ଟିରୁ ନିଅଣ୍ଟିଆ ଓଡ଼ିଶା ଭଳି ଏକ ରାଜ୍ୟରେ ପାଣ୍ଠି ଉପଲବ୍‌ଧ ହେବା ସତ୍ତ୍ୱେ ଖର୍ଚ୍ଚ ନ ହେବା ଏକ ଦୁର୍ଭାଗ୍ୟଜନକ ବିଡ଼ମ୍ବନା। ଦିନ ଥିଲା ନା ଥିଲା ଯୋଜନା, ନା ଥିଲା ସମ୍ବଳ। ପରେ ଯୋଜନା ହେଲା, କିନ୍ତୁ ପାଣ୍ଠିର ଅଭାବ ଥିଲା। ଏବେ ଯୋଜନା ଅଛି, ପର୍ଯ୍ୟାପ୍ତ ପାଣ୍ଠି ମଧ୍ୟ ଉପଲବ୍ଧ। ତଥାପି କାହିଁକି ଯୋଜନା କାର୍ଯ୍ୟକାରୀ ହେଉନାହିଁ? ବଜେଟର ଆକାର କାହିଁକି ବୃଦ୍ଧି ପାଉଛି ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଲା ବଜେଟ ଆକାର ବୃଦ୍ଧି ଅନୁପାତରେ ବିକାଶ କାହିଁକି ହେଉ ନାହିଁ? ବିକାଶ ପାଇଁ ପାଣ୍ଠିର ଅଭାବ ନେଇ ଅଭିଯୋଗକୁ ଏହା ଆପେ ଖାରଜ କରି ଦେଉଛି।

କେନ୍ଦ୍ରୀୟ ଅବହେଳା ଅଭିଯୋଗ ଉଠାଇବାରେ ଅଭ୍ୟସ୍ତ ସରକାରୀ କଳ ପକ୍ଷରୁ ସଫେଇ ଦିଆଯାଇ ପାରେ ଯେ, ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଭାଗ ମିଳିବାରେ ବିଳମ୍ବ ଯୋଗୁ ଖର୍ଚ୍ଚ ବିଳମ୍ବିତ ହେଉଛି। ଫଳତଃ ଗୋଟିଏ ବଡ଼ ପରିମାଣ ଖର୍ଚ୍ଚ ହୋଇ ନପାରି ଯୋଜନା ପ୍ରଭାବିତ ହେଉଛି। ଏହା କିଛି ମାତ୍ରାରେ ସତ ହୋଇପାରେ। ବିଭିନ୍ନ ଯୋଜନାରେ କେନ୍ଦ୍ର- ରାଜ୍ୟ ଯୋଗଦାନର ଅନୁପାତ ବଦଳିଛି। କେନ୍ଦ୍ରୀୟ ଅନୁଦାନ ଭାଗ କମିଛି ଓ ରାଜ୍ୟର ବୋଝ ବଢ଼ିଛି। ଏହା ସତ୍ତ୍ୱେ ଠିକଣା ସମୟରେ କେନ୍ଦ୍ରୀୟ ଅନୁଦାନ ଆସୁନଥିବାରୁ ଯୋଜନାର କାର୍ଯ୍ୟକାରିତା ପ୍ରଭାବିତ ହେଉଛି। କିନ୍ତୁ ଏହାକୁ ଆଳ କରି ଶାସନ କଳ ଯୋଜନା ରୂପାୟନରେ ନିଜର ଅଦକ୍ଷତାକୁ ଘୋଡ଼ାଇ ପାରିବେ ନାହିଁ। ଚଳିତବର୍ଷ ପ୍ରଥମ ତିନି ମାସରେ ଯୋଜନା ବାବଦ ଖର୍ଚ୍ଚ ହାର ମୋଟାମୋଟି ସନ୍ତୋଷଜନକ ରହିଛି। କିନ୍ତୁ ବିକାଶ ପ୍ରକ୍ରିୟା ସହ ଘନିଷ୍ଠ ଭାବେ ଯୋଡ଼ି ହୋଇଥିବା ଅନେକ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଖର୍ଚ୍ଚ ହାର ନୈରାଶ୍ୟଜନକ। ଏଥିରେ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ପ୍ରଭାବିତ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ। ପୁଣି ଅନୁମୋଦିତ ଧାରା ଅନୁଯାୟୀ ବର୍ଷସାରା ଖର୍ଚ୍ଚର ପ୍ରବାହ ନରହିଲେ, ବର୍ଷ ଶେଷ ଆଡ଼କୁ ତରବରିଆ ଖର୍ଚ୍ଚ ଦୁର୍ନୀତି ପାଇଁ ଅବକାଶ ସୃଷ୍ଟି କରିଥାଏ।

ଋଣ କରି ଅବା ଅନ୍ୟ କୌଣସି ସୂତ୍ରରୁ ସମ୍ବଳ ଯୋଗାଡ଼ କରି, ବଜେଟର ଆକାର ବଢ଼ୁ କୌଣସି ଆପତ୍ତି ନାହିଁ। କିନ୍ତୁ ତା’ ସହ ସମାନୁପାତିକ ଭାବେ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ଥିବା ନିଅଣ୍ଟିଆ ମଧ୍ୟ ଦୂର ହେଉ। ଯୋଜନା ରୂପାୟନରେ ଦକ୍ଷତା କ୍ଷେତ୍ରରେ ନିଅଣ୍ଟିଆ ଦୂର ନହେଲେ ବିକାଶ ଓ କଲ୍ୟାଣର ନିଅଣ୍ଟ ଦୂର ହୋଇ ପାରିବ ନାହିଁ। ଯୋଜନା ରୂପାୟନରେ ଗୁଣାତ୍ମକ ପରିବର୍ତ୍ତନ ଆସିବ ସେତେବେଳେ, ଯେତେବେଳେ ରାଜନୈତିକ ସ୍ତରରେ ଦୃଢ଼ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ସ୍ତରରେ ନିଷ୍ଠାର ନିଅଣ୍ଟିଆ ଦୂର ହେବ। ଯୋଜନା ରୂପାୟନରେ ଦକ୍ଷତା ସହିତ ସ୍ୱଚ୍ଛତା ଆସିବ। ଅନ୍ୟଥା ଏକ କଲ୍ୟାଣକାରୀ ବ୍ୟବସ୍ଥାରେ ସାମାଜିକ- ଅର୍ଥନୈତିକ ପରିବର୍ତ୍ତନ ପାଇଁ ବଜେଟ ଏକ ପ୍ରଭାବଶାଳୀ ଆୟୁଧ ବୋଲି ଯେଉଁ ତତ୍ତ୍ୱ ରହିଛି, ତାହା ଭୁଲ ପ୍ରମାଣିତ ହେବ।

ସମ୍ବନ୍ଧିତ ଖବର