ଗୈରିକ ‘ବ୍ରଦର’!

0 125

ଭାରତୀୟ ରାଜନୀତିରେ ଯାହା ଗତାନୁଗତିକତାକୁ ଓଲଟପାଲଟ କରି ସଦ୍ୟତମ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତାହା ହେଲା ଏକ ଗୁଞ୍ଜରଣ ଯେ ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ (ଆର୍‌ଏସ୍‌ଏସ୍‌) ଆସନ୍ତା ମାସରେ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ତା’ର ତିନିଦିନିଆ ବକ୍ତତା ମାଳାରେ ଅଂଶ ଗ୍ରହଣ କରିବା ପାଇଁ କଂଗ୍ରେସ୍‌ ସଭାପତି ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛି। ଅଳ୍ପ ଦିନ ତଳେ ପୂର୍ବତନ ରାଷ୍ଟ୍ରପତି ତଥା ଅତୀତର ତୁଙ୍ଗ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କୁ ଆରଏସ୍‌ଏସ୍‌ ତାର ନାଗପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିବାଓ ମୁଖାର୍ଜୀ ତାହା ଗ୍ରହଣ କରି ସେଠାରେ ଉପସ୍ଥିତ ହେବା ପୃଷ୍ଠଭୂମିରେ ବର୍ତ୍ତମାନର ଗୁଜବରେ ଯେ ସତ୍ୟତା ଥିବାର ଦୃଢ଼ ସମ୍ଭାବନା ରହିଛି, ଏଥିରେ ସନ୍ଦେହ ନାହିଁ।

ଯଦି ରାହୁଲ ଗାନ୍ଧୀ ପ୍ରଣବ ମୁଖାର୍ଜୀଙ୍କୁ ଅନୁସରଣ କରି ଏହି ସମ୍ଭାବ୍ୟ ନିମନ୍ତ୍ରଣ ରକ୍ଷା କରନ୍ତି ତେବେ ତାହା ଦେଶର ରାଜନୈତିକ ଦୃଶ୍ୟପଟରେ ଯେଉଁ ରୋଚକ ତଥା ରୋମାଞ୍ଚକର ମୁହୂର୍ତ୍ତ ସୃଷ୍ଟି କରିବ, ତା’ ସହିତ ତାଳ ଦେବା ପାଇଁ କୌଣସି କାଳ୍ପନିକ ରହସ୍ୟ ରୋମାଞ୍ଚ କାହାଣୀ ମଧ୍ୟ ସକ୍ଷମ ହେବ ନାହିଁ। ଏହାର ସରଳ କାରଣ ହେଲା ରାହୁଲ ଓ ଆର୍‌ଏସ୍‌ଏସ୍‌ ହେଉଛନ୍ତି ଏପରି ଦୁଇ ପ୍ରତିପକ୍ଷ ଯେଉଁମାନଙ୍କ ମଧ୍ୟରେ ସାମାନ୍ୟତମ ସଦିଚ୍ଛା ମଧ୍ୟ ଖୋଜିଲେ ମିଳିବ ନାହିଁ। ଅତୀତରେ ରାହୁଲ ଗାନ୍ଧୀ ଯେଉଁଭଳି ସ୍ପଷ୍ଟ ଭାଷାରେ ଆର୍‌ଏସ୍‌ଏସ୍‌ ପ୍ରତି ନିଜର ଆଭିମୁଖ୍ୟ ପ୍ରକାଶ କରି ଆସିଛନ୍ତି, ତାହା ଏ ନେଇ ସମସ୍ତ ସନ୍ଦେହ ଦୂର କରିଥାଏ। ସଂକ୍ଷିପ୍ତ ଉଦାହରଣ ସ୍ୱରୂପ ୨୦୧୪ରେ ଥାନେର ଭିଓ୍ଵାଣ୍ଡିଠାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଆର୍‌ଏସ୍‌ଏସ୍‌ ଲୋକମାନେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ କରିଥିଲେ। ଏ ନେଇ ଆର୍‌ଏସ୍‌ଏସ୍‌ ତାଙ୍କ ବିରୁଦ୍ଧରେ ଆଣିଥିବା ଏକ ମାନହାନି ଅଭିଯୋଗ ବର୍ତ୍ତମାନ ଅଦାଲତରେ ବିଚାରାଧୀନ ଅଛି। ରାହୁଲ ଗାନ୍ଧୀ ବିଭିନ୍ନ ସମୟରେ ତାଙ୍କର ଭାଷଣମାନଙ୍କରେ ଅଭିଯୋଗ କରି ଆସିଛନ୍ତି ଯେ ଆର୍‌ଏସ୍‌ଏସ୍‌ ହେଉଛି ମହିଳା ବିରୋଧୀ (କାରଣ ଏହି ସଂଗଠନରେ ମହିଳା ସଦସ୍ୟ ନାହାନ୍ତି); ଏହା ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ପ୍ରଦାନ କରାଯାଉଥିବା ଆରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଦେବାକୁ ଚାହେଁ; ଏବଂ ଏହାର ଚାପ ଯୋଗୁଁ ହିଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବିବଦମାନ ବିମୁଦ୍ରୀକରଣ ପଦକ୍ଷେପ ନେଇଥିଲେ।

ଆର୍‌ଏସ୍‌ଏସ୍‌ ବିରୁଦ୍ଧରେ ରାହୁଲଙ୍କର ବିଷୋଦ୍‌ଗାର କିନ୍ତୁ ଏ ସବୁକୁ ଟପି ଯାଇଥିଲା ନିକଟରେ ଲଣ୍ଡନ୍‌ରେ ସେ ଯେତେବେଳେ ସେଠାରେ ଏକ ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଭାଷଣ ଦେଇ କହିଥିଲେ ଯେ ଆର୍‌ଏସ୍‌ଏସ୍‌ ଭାରତର ବିଭିନ୍ନ ଅନୁଷ୍ଠାନମାନଙ୍କୁ କବଳିତ କରି ଭାରତର ମୌଳିକ ଚରିତ୍ର ବଦଳାଇ ଦେବାକୁ ଚେଷ୍ଟା କରୁଛି। ସେଇ ଏକ ସମୟରେ ଏ କଥା ମଧ୍ୟ କହିଥିଲେ ଯେ ଆରଏସ୍‌ଏସ୍‌ର ଚିନ୍ତାଧାରା ହେଉଛି ଆରବ ଜଗତର ଇସଲାମୀୟ ମୌଳବାଦୀ ସଂଗଠନ ‘ମୁସଲିମ୍‌ ବ୍ରଦର୍‌ ହୁଡ୍‌’ (‘ମୁସଲମାନ ଭାଇଚାରା’)ର ଚିନ୍ତାଧାରା ସହିତ ସମାନ। ପ୍ରତିକ୍ରିୟାରେ ଆର୍‌ଏସ୍‌ଏସ୍‌ କହିଛି ଯେ ଭାରତ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ନଥିବା ରାହୁଲ ଗାନ୍ଧୀ ଆର୍‌ଏସ୍‌ଏସ୍‌କୁ ବୁଝିବାକୁ ସମର୍ଥ ନୁହନ୍ତି।

Panda Mobile only

ଆର୍‌ଏସ୍‌ଏସ୍‌ ବିରୁଦ୍ଧରେ ରାହୁଲ୍‌ଙ୍କର ଅନ୍ୟ ଅଭିଯୋଗମାନ ଊଣା ଅଧିକେ ଜଣାଶୁଣା। କିନ୍ତୁ ତାଙ୍କର ଉପରୋକ୍ତ ‘ମୁସ୍‌ଲିମ୍‌ ବ୍ରଦର୍‌ହୁଡ୍‌’ ଅଭିଯୋଗ ସମ୍ପୂର୍ଣ୍ଣ ନୂତନ। ଏହିଳ କାରଣରୁ ଏ ଅଭିଯୋଗ ପଛରେ କ’ଣ ପ୍ରାସଙ୍ଗିକତା ଥାଇ ପାରେ ସେ ସମ୍ବନ୍ଧରେ ଏକ ସ୍ୱାଭାବିକ ଅନୁସନ୍ଧିତ୍ସା ଜାଗ୍ରତ ହୋଇଥାଏ। ସେ ଦୃଷ୍ଟିରୁ ଏକ ସମ୍ଭାବ୍ୟ ପ୍ରାସଙ୍ଗିକତା ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟି ନିକ୍ଷେପ କରାଯାଇପାରେ। ଇଜିପ୍ଟର ଏହି ଇସ୍‌ଲାମୀୟ ସଂଗଠନ ସର୍ବଦା ଏକ କୁହେଳିକା ହୋଇ ରହିଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ଗୁପ୍ତ ସଂଗଠନର ଧାରଣା ସୃଷ୍ଟି କରି ଆସିଥିଲେ ମଧ୍ୟ ଏହା କିନ୍ତୁ ବେଶ୍‌ ଦୃଶ୍ୟମାନ ହୋଇ ଆସିଛି। ଏହାର ସଦସ୍ୟମାନେ ହେଲେ ଅଧିକାଂଶ ମଧ୍ୟବୟସ୍କ ମଧ୍ୟବିତ୍ତ ଶ୍ରେଣୀର। ସେମାନେ ଦାଢ଼ିକୁ ଯତ୍ନର ସହିତ ବାଗେଇ ଥାନ୍ତି ଏବଂ ମୁଖ୍ୟତଃ ଚିନୋସ୍‌ ଓ ବୋତାମ ବନ୍ଦ ସାର୍ଟ ପରିଧାନ କରିଥାନ୍ତି। ବ୍ରଦର୍‌ହୁଡ୍‌ର ଏହି ସଦସ୍ୟ ମାନଙ୍କର ଲକ୍ଷ୍ୟ କ’ଣ ତାହା କେବେ ସ୍ପଷ୍ଟ ନଥିଲା। ହାସାନ୍‌ ଆଲ୍‌-ବାନା ଯେତେବେଳେ ୧୯୨୮ରେ ବ୍ରଦର୍‌ହୁଡ୍‌ ପ୍ରତିଷ୍ଠା କଲେ, ସେତେବେଳେ ସେ ସ୍ପଷ୍ଟ କରିନଥିଲେ ତାହା ଏକ ଶାନ୍ତିକାମୀ ସଂଗଠନ ହେବ କି ଲଢ଼ୁଆ ସଂଗଠନ ହେବ; ରାଜନୈତିକ ସଂଗଠନ ହେବ କି ଆଧାତ୍ମିକ ହେବ; ଗଣତାନ୍ତ୍ରିକ ସଂଗଠନ ହେବ କି ଏକଛତ୍ରବାଦୀ ହେବ।

ଇଜିପ୍ଟର ଏକଛତ୍ର ଶାସକମାନେ କେତେବେଳେ ବ୍ରଦର୍‌ହୁଡ୍‌ ସଦସ୍ୟମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ପ୍ରଦର୍ଶନ କରୁଥିଲେ ତ କେତେବେଳେ ନରମ ଓ କେତେବେଳେ ସହନଶୀଳ। ଆମେରିକା ମଧ୍ୟ ଶାସକମାନଙ୍କୁ ଅନୁରୂପ ଅନୁକରଣ କରି ଚାଲିଥିଲା। ବ୍ରଦର୍‌ହୁଡ କିନ୍ତୁ ପ୍ରାୟ ସର୍ବଦା ଉଚିତ୍‌ ମନେ ହେଉଥିବା ଭଳି ମତବାଦ ପ୍ରସାର କରି ଆସୁଥିଲା। ସେମାନେ ଧର୍ମ ଓ ରାଷ୍ଟ୍ରର ପୃଥକ୍‌କରଣ ସପକ୍ଷରେ ମନ୍ତବ୍ୟ ଦେଉଥିଲେ; ମତପ୍ରକାଶର ସ୍ୱାଧୀନତା ସପକ୍ଷରେ ଯୁକ୍ତି କରୁଥିଲେ; ମହିଳା ଓ ସଂଖ୍ୟା ଲଘୁମାନଙ୍କ ପାଇଁ ସମାନ ଅଧିକାର ଦାବି କରୁଥିଲେ। ଇଜିପ୍ଟର ସାଧାରଣ ସମାଜରେ ଏ ସବୁ ପ୍ରସଙ୍ଗରେ ପ୍ରଚଳିତ ମତଠାରୁ ବ୍ରଦର୍‌ହୁଡ୍‌ର ଏଭଳି ମତ ବହୁ ଅଧିକ ଉଦାର ଥିଲା।

୨୦୧୧ରେ ଆରବ ଜଗତ୍‌ ସହିତ ତାଳ ଦେଇ ଇଜିପ୍ଟରେ ଦେଖା ଦେଇଥିବା ଗଣତାନ୍ତ୍ରିକ ବିପ୍ଳବରେ (‘ଆରବ ବସନ୍ତ’) ବ୍ରଦର୍‌ହୁଡ୍‌ ମଧ୍ୟ ଭାଗ ନେଇଥିଲେ ହେଁ, ସମ୍ଭାବ୍ୟ ପ୍ରତିକୂଳ ପ୍ରତିକ୍ରିୟା ଏଡ଼ାଇବା ପାଇଁ ଘୋଷଣା କରିଥିଲା ଯେ ଏହା ପାର୍ଲାମେଣ୍ଟର ଏକ- ତୃତୀୟାଂଶରୁ ଅଧିକ ଆସନ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ କିମ୍ବା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଛିଡ଼ା କରିବ ନାହିଁ। କିନ୍ତୁ ନିର୍ବାଚନ ଆସିବା ପରେ ଦେଖାଗଲା ଅଧିକାଂଶ ଆସନ ପାଇଁ ବ୍ରଦର୍‌ହୁଡ୍‌ ପ୍ରାର୍ଥୀ ଦେଇଛି ଏବଂ ଫଳାଫଳ ଘୋଷିତ ହେବା ପରେ ପାର୍ଲାମେଣ୍ଟର ପ୍ରାୟ ଅର୍ଦ୍ଧେକ ସ୍ଥାନ ବ୍ରଦର୍‌ହୁଡ୍‌ ଦଖଲକୁ ଆସିଗଲା। ଆଉ ରାଷ୍ଟ୍ରପତି ପଦ ପାଇଁ ଯିଏ ନିର୍ବଚନ ଜିତିଲେ ସିଏ ହେଲେ ବ୍ରଦର୍‌ହୁଡ୍‌ର ନେତା ମହମ୍ମଦ ମୋସି। ମୋସି ରାଷ୍ଟ୍ରପତି ହେବା ପରେ କାଳବିଳମ୍ବ ନ କରି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ‘ବ୍ରଦର୍‌’ ମାନଙ୍କୁ ନିଯୁକ୍ତ କରିଦେଲେ। ମାତ୍ର କେତେ ମାସ ପରେ ମୋସି ଏକ ଆଦେଶନାମା ଜାରି କରି ନିଜକୁ ନ୍ୟାୟିକ ତଦାରଖ ଊର୍ଦ୍ଧ୍ୱକୁ ନେଇଗଲେ ଏବଂ ଉଦାରବାଦୀମାନେ ବିରୋଧ କରୁଥିବା ଏକ ନୂତନ ରକ୍ଷଣଶୀଳ ସମ୍ବିଧାନ ମଧ୍ୟ ପ୍ରଣୟନ କରିଦେଲେ। ଅବସ୍ଥା ଅଣାୟତ୍ତ ହେବାରୁ ଶେଷରେ ସାମରିକ ବାହିନୀ ହସ୍ତକ୍ଷେପ କରି ମୋସିଙ୍କୁ କ୍ଷମତାଚ୍ୟୁତ କଲା ଏବଂ ସେଠାରେ ସେଇ ସଂକ୍ଷିପ୍ତ ଗଣତାନ୍ତ୍ରିକ ପରୀକ୍ଷାର ଅନ୍ତ ଘଟିଲା।

ରାହୁଲ୍‌ ଗାନ୍ଧୀ ନିଶ୍ଚିତ ଭାବରେ ଆର୍‌ଏସ୍‌ଏସ୍‌ଠାରେ ବ୍ରଦର୍‌ହୁଡ୍‌ର ଏହି ସମସ୍ତ ଲକ୍ଷଣ ଦେଖି ପାରୁଛନ୍ତି, ଯାହା ଭାରତୀୟ ଗଣତନ୍ତ୍ର ପ୍ରତି ଘୋର ବିପଦ ସୃଷ୍ଟି କରିପାରେ। ଆର୍‌ଏସ୍‌ଏସ୍‌ ପକ୍ଷରେ ଉଚିତ ହେବ ଏ ସମସ୍ତ ଅଭିଯୋଗର ଉତ୍ତର ଦେବା ଏବଂ ଏ ନେଇ ଦେଶବାସୀଙ୍କର ଅସ୍ୱସ୍ତି ଦୂର କରିବା। ଏ ଦିଗରେ ଏକ ପ୍ରଥମ ପଦକ୍ଷେପ ହେବ ଅଭିଯୋଗକାରୀଙ୍କ ସହିତ ଏ ସମସ୍ତ ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା କରିବା। ତେଣୁ ଯଦି ସତ ହୋଇଥାଏ ଆର୍‌ଏସ୍‌ଏସ୍‌ର ରାହୁଲଙ୍କୁ ନିମନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ଓ ସଂପୂର୍ଣ୍ଣ ସ୍ୱାଗତଯୋଗ୍ୟ। ଆଶା, ରାହୁଲ ଏ ନିମନ୍ତ୍ରଣ ଗ୍ରହଣ କରି ଶତ୍ରୁ ଶିବିରରେ ସିଧାସଳଖ ପ୍ରବେଶ କରି ନିଜର ପ୍ରସିଦ୍ଧ ବାଗ୍ମିତା ଓ ତାର୍କିକ ବିଚକ୍ଷଣତା ଦ୍ୱାରା ଶତ୍ରୁକୁ ଧରାଶାୟୀ କରିବେ ଓ ‘ଗୈରିକ ବ୍ରଦର୍‌’ମାନଙ୍କ କବଳରୁ ଭାରତରେ ଗଣତନ୍ତ୍ରକୁ ରକ୍ଷା କରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.