କୃତ୍ରିମ ବନ୍ୟା!

0 149

ବିଗତ ବହୁ ବର୍ଷ ଧରି ଧାରଣା ରହିଆସିଛି ଯେ, ବନ୍ୟା ଦୃଷ୍ଟିରୁ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାର ‘ଜୀବନ ନାଟିକା’ ରହୁଛି ହୀରାକୁଦ ବନ୍ଧରେ। ରାଜ୍ୟର ପ୍ରଧାନ ନଦୀ ମହାନଦୀର ବିସ୍ତୀର୍ଣ୍ଣ ଅବବାହିକା, ବିଶେଷକରି ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣର ଚାବିକାଠିି ହେଲା ହୀରାକୁଦ ନଦୀବନ୍ଧ ପ୍ରକଳ୍ପ। ବିଗତ ପ୍ରାୟ ଛଅ ଦଶକ ଧରି ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ହୀରାକୁଦ ଏକ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରଭାବଶାଳୀ ଭୂମିକା ଗ୍ରହଣ କରି ଆସିଛି। ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଯଦି ହୀରାକୁଦ ପ୍ରକଳ୍ପର ପ୍ରଦର୍ଶନର ସମୀକ୍ଷା କରାଯାଏ, ତେବେ ହିସାବ ଫର୍ଦ୍ଦରେ ବିଫଳତା ଅପେକ୍ଷା ସଫଳତାର ଘର ଅଧିକ ଭାରି ରହିବ। ହୀରାକୁଦ ଜଳଭଣ୍ଡାର ଯୋଗୁ ଅନେକ ବର୍ଷ ବନ୍ୟାକୁ ଏଡ଼ାଯାଇ ପାରିଛି କିମ୍ବା ବନ୍ୟା ପ୍ରକୋପକୁ ଯଥେଷ୍ଟ ମାତ୍ରାରେ ପ୍ରଶମିତ କରାଯାଇ ପାରିଛି। ଯେଉଁ କାଁ ଭାଁ ଅଳ୍ପ କିଛି ଥର ବନ୍ୟା ନିୟନ୍ତ୍ରଣରେ ହୀରାକୁଦ ସଫଳ ହୋଇନାହିଁ, ସେଥିପାଇଁ ପ୍ରକଳ୍ପର ଜଳ ନିୟନ୍ତ୍ରଣ କ୍ଷମତା ଓ ଦକ୍ଷତା ଅପେକ୍ଷା ମନୁଷ୍ୟକୃତ ଚଞ୍ଚକତାପୂର୍ଣ୍ଣ ନିଷ୍ପତ୍ତି ଅଧିକ ଦାୟୀ। ନିଃସନ୍ଦେହ, ହୀରାକୁଦ ଜଳଭଣ୍ଡାର ହେବା ପରେ ମହାନଦୀ ଯୋଗୁ ଓଡ଼ିଶା ପ୍ରତି ବନ୍ୟା ବିପର୍ଯ୍ୟୟର ବିପଦ କମିଛି।

ଏବେ କିନ୍ତୁ ମହାନଦୀର ବନ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ହୀରାକୁଦର କ୍ଷମତା ଓ ଦକ୍ଷତା ନେଇ ଧାରଣା ବଦଳାଇବାକୁ ପଡ଼ିବ। ଉପର ମୁଣ୍ଡରେ ଛତିଶଗଡ଼ରେ ବହୁସଂଖ୍ୟକ ଛୋଟ ବଡ଼ ବନ୍ଧ, ବ୍ୟାରେଜ୍‌ ନିର୍ମାଣ ହେବା ପରେ ହୀରାକୁଦ ତଳମୁଣ୍ଡରେ ମହାନଦୀ ଅବବାହିକାରେ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ପ୍ରକଳ୍ପ ତା’ର ନିର୍ଣ୍ଣାୟକ ଭୂମିକା ହରାଇ ବସିଛି। ଏବେ ହୀରାକୁଦ ନୁହେଁ, ମହାନଦୀରେ ବନ୍ୟା ନିୟନ୍ତ୍ରଣର ଚାବିକାଠି ଛତିଶଗଡ଼ରେ। ପଡ଼ୋଶୀ ରାଜ୍ୟର ବନ୍ଧ, ବ୍ୟାରେଜଗୁଡ଼ିକର ଜଳପରିଚାଳନା ଉପରେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ନିର୍ଭରଶୀଳ ହୋଇପଡ଼ିଛି। ବର୍ଷା ଜଳ ନ ହେଲେ ବି ଛତିଶଗଡ଼ ବନ୍ଧ ପାଣିରେ ବନ୍ୟାର ଆଶଙ୍କାକୁ ଏଡ଼ାଯାଇ ପାରୁନାହିଁ। ସଂପ୍ରତି ରାଜ୍ୟରେ ଏଗାରଟି ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିର ଆଶଙ୍କା ତା’ର ପ୍ରମାଣ।

ଗତ ଦୁଇ ଦିନ ହେଲା, ସରକାର ମହାନଦୀରେ ବନ୍ୟା ନେଇ ଯେଉଁ ଆଗୁଆ ସତର୍କତା ଜାରି କରିଛନ୍ତି, ତାହା ଗୁରୁତର ନୁହେଁ, ମଧ୍ୟମ ଧରଣର। ତେବେ ଉଲ୍ଲେଖନୀୟ ବିଷୟ ହେଲା, ଉପର କିମ୍ବା ତଳମୁଣ୍ଡରେ ବର୍ଷା ଜଳ ଏ ବନ୍ୟାର କାରଣ ଯେତେ ନୁହେଁ, ଉପର ମୁଣ୍ଡରୁ ଛତିଶଗଡ଼ର ବନ୍ଧ ଓ ବ୍ୟାରେଜ୍‌ଗୁଡ଼ିକରୁ ଛଡ଼ା ଯାଇଥିବା ଉଦ୍‌ବୃତ୍ତ ଜଳ ବନ୍ୟାର ଏକ ପ୍ରମୁଖ କାରଣ। ବର୍ଷ ବର୍ଷ ଧରି ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦରେ ଯେଉଁ ‘ରୁଲ୍‌ କର୍ଭ୍‌’ ଅର୍ଥାତ୍‌, କେଉଁ ସମୟରେ ଜଳଭଣ୍ଡାରରେ କେତେ ଜଳପତ୍ତନ ରହିବ, ଉପର ଓ ତଳ ମୁଣ୍ଡରେ ବର୍ଷା ପରିମାଣ କେତେ ହେଲେ କେତୋଟି ଗେଟ୍‌ ଖୋଲାଯାଇ କେତେ ପରିମାଣ ଜଳ ଉଦ୍‌ବୃତ୍ତ ଭାବେ ନିଷ୍କାସିତ ହେବ; ଏବେ ଆଉ ବିଶେଷ ଗୁରୁତ୍ୱ ରଖୁନାହିଁ। ପରିସ୍ଥିତି ବଦଳିବା ସହ ଏହାର ସମୀକ୍ଷା କରି ପୁନର୍ବିନ୍ୟାସ ଆବଶ୍ୟକ ହୋଇପଡ଼ିଛି। କାରଣ, ବର୍ଷା ଜଳ ସହ ଉପରମୁଣ୍ଡର ବନ୍ଧ ଗୁଡ଼ିକରୁ ନିଷ୍କାସିତ ଜଳ ପରିମାଣକୁ ମଧ୍ୟ ବିଚାରକୁ ନେଇ ଜଳଭଣ୍ଡାରର ଜଳସ୍ତର ଓ ଉଦ୍‌ବୃତ୍ତ ଜଳ ନିଷ୍କାସନର ଆକଳନ ଜରୁରୀ। ଫଳରେ ଏବେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ହୀରାକୁଦ ପ୍ରକଳ୍ପର ଦକ୍ଷତା ଚାପରେ। ଗତ ଦୁଇଦିନ ହେଲା, ହୀରାକୁଦରୁ ପଚିଶଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇ ପ୍ରତି ସେକେଣ୍ଡରେ ୪ ଲକ୍ଷରୁ ଅଧିକ ଘନଫୁଟ ବନ୍ୟା ଜଳ ନିଷ୍କାସିତ ହେଉଛି। ସାଧାରଣ ଭାବେ ଉପରମୁଣ୍ଡ ବର୍ଷାର ପରିମାଣ ଦୃଷ୍ଟିରୁ ଏତିକି ପରିମାଣର ଜଳ ନିଷ୍କାସନର ଆବଶ୍ୟକତା ନଥିଲା। କିନ୍ତୁ ବର୍ଷା ସହ ଉପରମୁଣ୍ଡରୁ ଛତିଶଗଡ଼ ଜଳଭଣ୍ଡାର ଗୁଡ଼ିକରୁ ଅଳ୍ପ ସମୟ ମଧ୍ୟରେ ଅଧିକ ଜଳ ପ୍ରବେଶ ଫଳରେ ୨୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିବାକୁ ପଡ଼ିଛି। ହୀରାକୁଦରୁ ପ୍ରଥମ ଛବିଶ ଘଣ୍ଟା ପର୍ଯ୍ୟନ୍ତ ଯେତିକି ଜଳ ଛଡ଼ା ଯାଉଥିଲା, ପାଖାପାଖି ସେତିକି ପରିମାଣ ଜଳ ଉପରମୁଣ୍ଡରୁ ହୀରାକୁଦକୁ ପ୍ରବେଶ ମଧ୍ୟ କରୁଥିଲା। ଉଲ୍ଲେଖନୀୟ ହେଲା, ହୀରାକୁଦରୁ ପ୍ରତି ସେକେଣ୍ଡରେ ଚାରିଲକ୍ଷ କ୍ୟୁସେକ୍‌ ପାଣି ଛଡ଼ା ଗଲେ ତଳମୁଣ୍ଡରେ ମୁଣ୍ଡଳି ପହଞ୍ଚିଲା ବେଳକୁ ଏହା ଦୁଇଗୁଣ ହୋଇ ପ୍ରତି ସେକେଣ୍ଡରେ ଆଠ ଲକ୍ଷରୁ ଅଧିକ ଘନଫୁଟ ଜଳ ପ୍ରବାହିତ ହୋଇଥାଏ, ଯାହା ତଳିଆ ଅଞ୍ଚଳ ପାଇଁ ବିପଦର ଆଶଙ୍କା ସୃଷ୍ଟି କରିଥାଏ।

ସାଂପ୍ରତିକ ବନ୍ୟା ପରିସ୍ଥିତି ନିଶ୍ଚୟ ବିଶେଷ ଉଦ୍‌ବେଗଜନକ ନୁହେଁ। ତଥାପି ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପ୍ରବଣ ଅଞ୍ଚଳର ଲୋକଙ୍କୁ ଆଗୁଆ ସତର୍କ କରାଯାଇ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ସରକାରୀ କଳକୁ ସଜାଗ ରଖାଯାଇଛି। ତେବେ ଆଗାମୀ ଦିନରେ ଏ ପ୍ରକାର ପରିସ୍ଥିତିର ଯେ ବାରମ୍ବାର ପୁନରାବୃତ୍ତି ନ ଘଟିବ ତାହା ନିଶ୍ଚିତ ନୁହେଁ। ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହେବା ଆଶଙ୍କାକୁ ମଧ୍ୟ ଏଡ଼ାଯାଇ ନପାରେ। କାରଣ, ପରିବର୍ତ୍ତିତ ପରିସ୍ଥିତିରେ ବନ୍ୟା ନିୟନ୍ତ୍ରଣ ନେଇ ଦୁଇ ପଡ଼ୋଶୀ ଓଡ଼ିଶା ଓ ଛତିଶଗଡ଼ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯେଉଁ ପ୍ରକାର ସହଯୋଗ, ସମନ୍ଵୟ ଓ ସୂଚନା ଆଦାନପ୍ରଦାନର ବ୍ୟବସ୍ଥା ହେବା କଥା, ତାହା ଅଦ୍ୟାବଧି ହୋଇନାହିଁ। ଏ କ୍ଷେତ୍ରରେ ଏକ ପ୍ରଧାନ ସମସ୍ୟା ହେଲା, ହୀରାକୁଦରେ ଜଳ ପରିଚାଳନା ନେଇ ଏକ ବିଶ୍ୱସନୀୟ ‘ରୁଲ କର୍ଭ୍‌’ ବା ନିୟମାବଳୀ ଥିବା ବେଳେ ଛତିଶଗଡ଼ କର୍ତ୍ତୃପକ୍ଷ ତାଙ୍କ ରାଜ୍ୟରେ ନୂଆ କରି ନିର୍ମିତ ଜଳଭଣ୍ଡାର ଗୁଡ଼ିକର ଜଳ ପରିଚାଳନା ନେଇ ସେମିତି ନିୟମାବଳୀ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ କରି ନାହାନ୍ତି। ଏହା ନିଶ୍ଚିତ ଭାବେ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଏକ ବାଧକ। ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ମଧ୍ୟ ନିଜର ଦାୟିତ୍ୱ ପ୍ରତି ସଚେତନ ଥିବା ମନେ ହେଉନାହିଁ। ପରିଣତି ଏମିତି ହୋଇଛି ଯେ, ଅଣ-ମୌସୁମୀ ଦିନରେ ମହାନଦୀରେ ଜଳ ପ୍ରବାହ କମିଯାଉଛି, ଏବଂ ମୌସୁମୀ ସମୟରେ ମହାନଦୀରେ କୃତ୍ରିମ ବନ୍ୟାର ଆଶଙ୍କା ଦେଖା ଦେଉଛି। ଏହା ଓଡ଼ିଶା ପାଇଁ ଦୋହରା ବିପଦ।

ମହାନଦୀ ବିବାଦ ଏବେ ଟ୍ରିବ୍ୟୁନାଲରେ। ରାତାରାତି ବିବାଦର ସମାଧାନର ଆଶା ନାହିଁ। କିନ୍ତୁ ଟ୍ରିବ୍ୟୁନାଲରେ ବିବାଦ ବିଚାରାଧୀନ ଥିବା ବେଳେ କେନ୍ଦ୍ର ମଧ୍ୟସ୍ଥିରେ ମହାନଦୀର ଜଳ ପରିଚାଳନା ନେଇ ପ୍ରଭାବଶାଳୀ ପଦକ୍ଷେପ ନିଆଯିବା ଏକାନ୍ତ ଜରୁରୀ। ଦୁଇ ପଡ଼ୋଶୀ ରାଜ୍ୟ ପାରସ୍ପରିକ ସହଯୋଗ- ସମନ୍ଵୟ ଭିତ୍ତିରେ ଏକ ଢାଞ୍ଚାଗତ ବ୍ୟବସ୍ଥାର ପ୍ରବର୍ତ୍ତନ ଲାଗି ମିଳିତ ପ୍ରୟାସ କରିବା ଦରକାର। ଏ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ପରିବର୍ତ୍ତିିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳ ପରିଚାଳନା ବ୍ୟବସ୍ଥାକୁ ଅଧିକ ଦୋରସ୍ତ ଓ ଦକ୍ଷ କରାଯାଉ। ଅନ୍ୟଥା, ମହାନଦୀରେ କୃତ୍ରିମ ବନ୍ୟାର ଆଶଙ୍କା ଲାଗି ରହିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.