ତୋଗଲକୀ ନିଷ୍ପତ୍ତି

କଳାଧନ ମୁକାବିଲାରେ ‘ଅମୋଘ ଅସ୍ତ୍ର’, ଅର୍ଥନୈତିକ ସଂସ୍କାର ଦିଗରେ ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରଚାର କରାଯାଉଥିବା ମୋଦୀ ସରକାରଙ୍କ ବିମୁଦ୍ରାୟନ ଶେଷରେ ବହ୍ଵାଡମ୍ବରେ ଲଘୁକ୍ରିୟା ପ୍ରମାଣିତ ହୋଇଛି। ୨୦୧୬, ନଭେମ୍ବର ୮ ତାରିଖରେ ଦେଶବାସୀଙ୍କ ମନରେ ବିପୁଳ ଆଶା ସୃଷ୍ଟି କରି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିବା ବିମୁଦ୍ରାୟନ କସରତ ନେଇ ବହୁ ବିଶାରଦ ଯେଉଁ ଆଶଙ୍କା ପ୍ରକାଶ କରିଥିଲେ, ତାହା ଆଧିକାରିକ ଭାବେ ସତ୍ୟ ସାବ୍ୟସ୍ତ ହୋଇଛି। ଘୋଷଣାର ୧ ବର୍ଷ ୯ ମାସ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ୧୭-୧୮ ବର୍ଷର ରିପୋର୍ଟ ଏକ ନିଷ୍ଫଳ କସରତ ଭାବେ ବିମୁଦ୍ରାୟନର ଚିତ୍ର ଆଙ୍କିଛି। ଆର୍‌ବିଆଇ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି ଯେ, କଳାଧନ, ଭ୍ରଷ୍ଟାଚାର, ଆତଙ୍କବାଦ ଓ ଜାଲ ନୋଟ୍‌ ବିରୋଧରେ ଏହି ତଥାକଥିତ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଅତିବେଶୀରେ ଏକ ଧୂଆଁ ବାଣ ଥିଲା।

ଅକାଟ୍ୟ ତଥ୍ୟ ପ୍ରମାଣ ସହ ଆର୍‌ବିଆଇ ରିପୋର୍ଟ ବିମୁଦ୍ରାୟନର ବିଫଳତାକୁ ଅତି ସ୍ପଷ୍ଟ ଭାବେ ଉଜାଗର କରିଛି। କିନ୍ତୁ ବିଫଳତାକୁ ସ୍ୱୀକାର କରିବା ଲାଗି ନାରାଜ ଶାସକ ପକ୍ଷ ତଥାପି ସଫଳତା ଦାବି କରି ଧୂଆଁ ଛାଡ଼ି ଚାଲିଛନ୍ତି। ଯେତେ ଧୂଆଁ ଛାଡ଼ିଲେ ବି ଜଳ ଜଳ ଦିଶୁଥିବା ବିଫଳତାକୁ ଢାଙ୍କିବା ଲାଗି ତାହା ଯଥେଷ୍ଟ ହେଉନାହିଁ। ବିମୁଦ୍ରାୟନ ନେଇ ଘୋଷିତ ଲକ୍ଷ୍ୟ ହାସଲ ହୋଇ ନାହିଁ। ବରଂ ଅନ୍ୟପକ୍ଷରେ ବିମୁଦ୍ରାୟନର ଆଘାତରୁ ବର୍ତ୍ତମାନ ବି ଭାରତୀୟ ଅର୍ଥନୀତି ପୂରା ସଳଖି ପାରି ନାହିଁ। ବିମୁଦ୍ରାୟନ ପଛର ପ୍ରଥମ ଉଦ୍ଦେଶ୍ୟ ଉପରେ ଆଲୋଚନା କରାଯାଉ। ଦାବି କରାଯାଇଥିଲା ଯେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରି ଦେବା ଫଳରେ ନୋଟ ଆକାରରେ ମହଜୁଦ ବିପୁଳ ପରିମାଣର ଦୁର୍ନୀତି ଉପାୟରେ ଅର୍ଜିତ କଳାଟଙ୍କା ଅର୍ଥନୀତିକୁ ଫେରି ନ ପାରି କବର ନେଇଯିବ। ଅର୍ଥନୀତିର ବିଶୁଦ୍ଧୀକରଣ ହୋଇଯିବ। ସମାନ୍ତରାଳ କଳା ଅର୍ଥନୀତିର କୌଣସି ଚାପ ରହିବ ନାହିଁ। ଆକଳନ କରାଯାଇଥିଲା ଅନ୍ତତଃ ତିନି ଲକ୍ଷ କୋଟିର କଳା ଟଙ୍କା ସଫା ହୋଇଯିବ। କିନ୍ତୁ ହେଲା କ’ଣ? ସରକାର ଯେତିକି ମୂଲ୍ୟର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ କରିଥିଲେ ତାର ୯୯.୩ ପ୍ରତିଶତ ଫେରିଆସିଛି। ଅଚଳ ହୋଇଥିବା ଉଚ୍ଚ ମୂଲ୍ୟର ନୋଟଗୁଡ଼ିକର ମୋଟ ମୂଲ୍ୟ ଥିଲା ୧୫.୪ ଲକ୍ଷ କୋଟି। ସେଥିରୁ ୧୫.୩୧ ଲକ୍ଷ ପୁଣି ବ୍ୟବସ୍ଥାକୁ ଫେରି ଆସିଛି। ତିନିଲକ୍ଷ କୋଟି ଟଙ୍କା ନୁହେଁ, ମାତ୍ର ୧୦,୭୨୦ କୋଟି ଟଙ୍କା ଫେରି ପାରି ନାହିଁ। ସ୍ୱଳ୍ପ ପରିମାଣର ଟଙ୍କା ନ ଫେରିବା ଏହାର ସଂକେତ ଯେ, କଳାଧନ କାଗଜ ଟଙ୍କା ଆକାରରେ ନଥାଏ, ଘର, ଜମି, ସୁନା ଆଦି ସମ୍ପତ୍ତି ରୂପରେ ଥାଏ। ଯାହାକୁ ବିମୁଦ୍ରାୟନ ଛୁଇଁ ପାରିଲା ନାହିଁ। ଅନ୍ୟପକ୍ଷରେ ଯାହାବି କଳାଧନ ଟଙ୍କା ଆକାରରେ ଥିଲା, ସେଗୁଡ଼ିକର ରଙ୍ଗ କଳାରୁ ଧଳା ହେବାକୁ ବିମୁଦ୍ରାୟନ ଏକ ସୁବର୍ଣ୍ଣ ସୁଯୋଗ ଦେଲା। ଗରିବ, ମଧ୍ୟବିତ୍ତ ରଖିଥିବା ନିଜର ଟଙ୍କା ଜମା ଓ ଉଠାଣ ଲାଗି ବ୍ୟାଙ୍କ୍‌ ଆଗରେ ଲମ୍ବାଧାଡ଼ି ଲଗାଇ ଯନ୍ତ୍ରଣା ଭୋଗିଲେ ସିନା, ବଡ଼ବଡ଼ିଆଙ୍କ କଳାଟଙ୍କା ଧଳା ହେଲା। ଅଦୃଶ୍ୟ କଳାଧନ ସେମିତି ଅଦୃଶ୍ୟ ହୋଇ ରହିଗଲା। ବ୍ୟାଙ୍କିଂ ବ୍ୟବସ୍ଥାକୁ ୧୦,୭୨୦ କୋଟି ଟଙ୍କା ମୂଲ୍ୟର ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଫେରିଲା ନାହିଁ। ଅଥଚ, ଛଅ ଟଙ୍କା ଘୋଡ଼ାକୁ ନଅ ଟଙ୍କା ଦାନା ଭଳି ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଛାପିବା ଲାଗି ତହବିଲ୍‌ରୁ ୧୨,୮୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କଳାଧନ, ଭ୍ରଷ୍ଟାଚାର ବିରୋଧରେ ବିମୁଦ୍ରାୟନ ଏକ ଅମୋଘ ଅସ୍ତ୍ର ବୋଲି ଦାବି ବାସ୍ତବତା ପ୍ରତି ଉପହାସ।

ପୁଣି, ଯେହେତୁ କଳାଟଙ୍କାର ଆବିଷ୍କାର ହୋଇ ପାରିଲା ନାହିଁ, ଏହାଦ୍ୱାରା ଆତଙ୍କବାଦୀ ସଂଗଠନଙ୍କୁ କେଉଁଠୁ ଧନ ଯାଉଥିଲା ଯେ, ତାହା ବନ୍ଦ ହେଲା? ବିମୁଦ୍ରାୟନର ଆଉ ଏକ ଲକ୍ଷ୍ୟ ଥିଲା ନକଲି ନୋଟ୍‌କୁ ବ୍ୟବସ୍ଥାରୁ ଠେଲି ବାହାର କରିଦେବା। କିନ୍ତୁ ଆର୍‌ବିଆଇ ତଥ୍ୟ କହୁଛି ପୂର୍ବବର୍ତ୍ତୀ ବର୍ଷକ ମଧ୍ୟରେ ଯେତେ ସଂଖ୍ୟକ ଜାଲ୍‌ ନୋଟ ଧରା ପଡ଼ିଥିଲା, ପରବର୍ତ୍ତୀ ବର୍ଷକ ମଧ୍ୟରେ ତା’ଠାରୁ କମ୍‌ ସଂଖ୍ୟକ ଜାଲ୍‌ ନୋଟ ଧରାପଡ଼ିଛି। ବିମୁଦ୍ରାୟନ ପୂର୍ବରୁ ୭,୬୨,୦୭୪ ଖଣ୍ଡ ଜାଲ୍‌ ନୋଟ ଧରାପଡ଼ିଥିଲା। ପରବର୍ଷ ୫,୨୨,୭୮୩ ଖଣ୍ଡ (୩୧% କମ୍‌) ଜାଲ୍‌ ନୋଟ ଜବତ ।ହୋଇଛି। ଆର୍‌ବିଆଇ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ନୂଆ ଛପା ହୋଇଥିବା ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ର ଜାଲ ଅବତାରଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ସ୍ପଷ୍ଟ ଯେ ଜାଲ ନୋଟ ବିରୋଧରେ ବିମୁଦ୍ରାୟନ ଔଷଧ କାଟୁ କରି ନାହିଁ। ଆଉ ଏକ ବଡ଼ ଲକ୍ଷ୍ୟ ଥିଲା, ନଗଦ ପରିବର୍ତ୍ତେ ଡିଜିଟାଲ କାରବାର ବୃଦ୍ଧି। ଡିଜିଟାଲ କାରବାର ବଢ଼ିଛି କିନ୍ତୁ ଯେତିକି ହାରରେ ବଢ଼ିବ ବୋଲି ଆକଳନ କରାଯାଉଥିଲା, ସେତିକି ହାରରେ ବଢ଼ିନାହିଁ। ଡିଜିଟାଲ କାରବାର ଯେତିକି ବି ବଢ଼ିଛି, ତା’ ପଛରେ ବିମୁଦ୍ରାୟନ ଅପେକ୍ଷା ଇଣ୍ଟରନେଟ୍‌ ସେବା ସଂପ୍ରସାରଣର ଅବଦାନ ଅଧିକ। ତେବେ ଡିଜିଟାଲ କାରବାର ବଢ଼ିଥିଲେ ବି ସମାନ୍ତରାଳ ଭାବେ ନଗଦ କାରବାର ମଧ୍ୟ ବଢ଼ିଛି। ୨୦୧୬, ନଭେମ୍ବରରେ ୧୫.୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ପ୍ରସାରରେ ଥିଲା। ୨୦୧୮ରେ ପ୍ରସାରରେ ଥିବା ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ର ମୂଲ୍ୟ ୧୮.୦୪ ଲକ୍ଷ କୋଟି ଟଙ୍କା। ବଡ଼ ମୂଲ୍ୟ ନୋଟ୍‌ର ପ୍ରସାର ୮୬ରୁ ୮୦ ପ୍ରତିିଶତକୁ କମିଛି। କିନ୍ତୁ ଛୋଟ ମୂଲ୍ୟ ନୋଟର ପ୍ରସାର ୫.୮ପ୍ରତିଶିତ ବୃଦ୍ଧି ପାଇଛି। ଏ ସଂଖ୍ୟାରୁ ଏହା ସ୍ପଷ୍ଟ ଯେ ବିମୁଦ୍ରାୟନ ନଗଦ କାରବାର ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ।

ଘୋଷିତ ଲକ୍ଷ୍ୟ ହାସଲ କରିବାରେ ତ ବିମୁଦ୍ରାୟନ ବିଫଳ ହେଲା। ଅନ୍ୟପକ୍ଷରେ ଏହାର ପ୍ରତିକୂଳ ପ୍ରଭାବରୁ ଭାରତୀୟ ଅର୍ଥନୀତି ଏବେବି ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ। ଅର୍ଥନୈତିକ ଅଭିବୃଦ୍ଧି ତଥାପି ବେଗ ଧରିପାରି ନାହିଁ। ବିଶିଷ୍ଟ ଅର୍ଥନୀତିଜ୍ଞ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ବିମୁଦ୍ରାୟନ ଯୋଗୁ କ୍ଷତିର ଯେଉଁ ଆକଳନ କରିଥିଲେ, ତାହା ସତ୍ୟ ପ୍ରମାଣିତ ହୋଇଛି। ଅର୍ଥନୈତିକ ଅଭିବୃଦ୍ଧି ଅନ୍ତତଃ ୧.୫ ପ୍ରତିଶତ କମିଛି। ଅଭିବୃଦ୍ଧି ବାଧାପ୍ରାପ୍ତ ହେବା ଫଳରେ ଦେଶ ଦୁଇବର୍ଷରେ ଅନ୍ୟୂନ ୪.୫ ଲକ୍ଷ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଛି। ଆର୍ଥିକ କ୍ଷତି ସ୍ୱଳ୍ପ ମିଆଦୀ ହୋଇପାରେ, ଅର୍ଥନୀତିର ମାନ୍ଦାବସ୍ଥା ଫଳରେ ନିଯୁକ୍ତି ସଂକୋଚନ, ପୁଞ୍ଜି ବିନିଯୋଗ ହ୍ରାସ, ଦୀର୍ଘମିଆଦୀ କ୍ଷତି। ଆର୍ଥିକ କ୍ଷତିର ଆକଳନ ହୋଇ ପାରିଛି, କିନ୍ତୁ ବିମୁଦ୍ରାୟନ ଜନିତ ସାମାଜିକ କ୍ଷତି ଆହୁର ବହୁ ଗୁଣ ଅଧିକ, ଯାହାର ଆକଳନ ସମ୍ଭବ ନୁହେଁ। ବିମୁଦ୍ରାୟନ ଯୋଗୁ ଦେଶବାସୀ ଯନ୍ତ୍ରଣା ଭୋଗିଲେ, ଆଶ୍ୱାସନା ଦିଆଯାଇଥିଲା, ଏ ସାମୟିକ କଷ୍ଟ-ଯନ୍ତ୍ରଣା ବଦଳରେ ବଡ଼ ଲାଭ ମିଳିବ। କିନ୍ତୁ କାହିଁ ସେ ଲାଭ? ଆର୍‌ବିଆଇ ରିପୋର୍ଟରେ ଲାଭର ଚିହ୍ନ ବର୍ଣ୍ଣ ନାହିଁ, ଖାଲି କ୍ଷତି, କ୍ଷତି ଆଉ କ୍ଷତି।

ବିଡ଼ମ୍ବନା ହେଲା, ବିମୁଦ୍ରାୟନ ଏକ ଅର୍ଥନୈତିକ ବିପର୍ଯ୍ୟୟ ବୋଲି ପ୍ରମାଣିତ ହେବା ସତ୍ତ୍ୱେ ଏ ତଥାକଥିତ ‘ଐତିହାସିକ ନିଷ୍ପତ୍ତିି’ ଏକ ‘ଐତିହାସିକ ଭୁଲ୍‌’ ବୋଲି ସରକାର ମାନିବାକୁ ନାରାଜ। ଆୟକର ଦାତାଙ୍କ ସଂଖ୍ୟା ବୃଦ୍ଧି, ଅଧିକ ରାଜସ୍ୱ ଆୟକୁ ଦେଖାଇ ବିମୁଦ୍ରାୟନ ସଫଳ ହୋଇଛି ବୋଲି ଦାବି କରାଯାଉଛି। ଏହା ସୂର୍ଯ୍ୟଙ୍କୁ ଲଣ୍ଠନ ଦେଖାଇବା ଭଳି। ସଫଳତାର ଦାବି ହାସ୍ୟାସ୍ପଦ ଏବଂ ଆତ୍ମରକ୍ଷା ପାଇଁ ଏକ ଦୁର୍ବଳ କୌଶଳ। ବିମୁଦ୍ରାୟନ ଏକ ବୃହତ୍‌ ଠକେଇ ବୋଲି କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମତ ଦେଇଛନ୍ତି। ଏ ମନ୍ତବ୍ୟ ଉପରେ ସହମତି ହୋଇ ନପାରେ। କିନ୍ତୁ ଜଣେ ବାହାପିଆ ଶାସକଙ୍କ ଅପରିଣାମଦର୍ଶିତା ଯୋଗୁ ଗୋଟିଏ ଦେଶ କିଭଳି ବିପର୍ଯ୍ୟସ୍ତ ହୁଏ, ତା’ର ଦୁର୍ଭାଗ୍ୟଜନକ ଦୃଷ୍ଟାନ୍ତ ଭାବେ ମୋଦୀଙ୍କ ବିମୁଦ୍ରାୟନ ଗୋଟିଏ ତୋଗଲକୀ ନିଷ୍ପତ୍ତି ଭାବେ ଇତିହାସରେ ସ୍ଥାନ ପାଇବା ନେଇ ଅବଶ୍ୟ ସହମତି ହେବ।

ସମ୍ବନ୍ଧିତ ଖବର