ରାଫେଲ୍‌ ରହସ୍ୟ

ରାଫେଲ୍‌ ଯୁଦ୍ଧ ବିମାନ କିଣାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ କରି ମୋଦୀ ସରକାର ବିରୋଧରେ କଂଗ୍ରେସର ଆକ୍ରମଣ କ୍ରମଶଃ ଅଧିକ ଶାଣିତ ହେଉଛି। କୈଳାସ ଯାତ୍ରା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଧମକ ଦେଇଛନ୍ତି ଯେ ଖୁବ୍‌ ଶୀଘ୍ର ସେ ରାଫେଲ୍‌ ପ୍ରସଙ୍ଗରେ ଏକ ‘ବଙ୍କର ବିଧ୍ୱଂସୀ ବୋମା’ ପକାଇବେ। କ’ଣ ସେ ବୋମା ଜଣା ନାହିଁ। କିନ୍ତୁ ଗତ କିଛି ମାସ ଧରି ଲଗାତାର କଂଗ୍ରେସ ଉଠାଇ ଆସୁଥିବା ପ୍ରଶ୍ନ ଓ ତଥ୍ୟ ନିଶ୍ଚିତ ଭାବେ ରାଫେଲ୍‌ ପ୍ରସଙ୍ଗରେ ସନ୍ଦେହର କଳା ବାଦଲକୁ ଘନୀଭୂତ କରି ଚାଲିଛି। ଅବଶ୍ୟ, ଏକା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ନୁହଁନ୍ତି, କ୍ଷମତାସୀନ ବିଜେପିର ଅନେକ ଭିନ୍ନମତବାଦୀ ନେତା ଓ ପ୍ରତିରକ୍ଷା ବିଶେଷଜ୍ଞ ମଧ୍ୟ ରାଫେଲ୍‌ କାରବାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ପ୍ରଶ୍ନଗୁଡ଼ିକ ଉପରେ ଫ୍ରାନ୍ସ ସହ ଚୁକ୍ତିନାମାରେ ଗୋପନୀୟତାର ସର୍ତ୍ତକୁ ଢାଲ କରି ଏନ୍‌ଡିଏ ସରକାର ପକ୍ଷରୁ ଅସମ୍ପୂର୍ଣ୍ଣ, ଅସ୍ପଷ୍ଟ ଉତ୍ତର ଦିଆଯାଉଛି। ଫଳରେ ସନ୍ଦେହର ଧୂଆଁ ଦୂର ହେବା ପରିବର୍ତ୍ତେ ରାଫେଲ୍‌ କାରବାର ଅଧିକ ରହସ୍ୟ ମଧ୍ୟକୁ ଠେଲି ହୋଇଯାଉଛି।

ପ୍ରଥମେ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନର ମୂଲ୍ୟ ନେଇ ଉଠୁଥିବା ପ୍ରଶ୍ନ ଉପରେ ଆଲୋଚନା କରାଯାଉ। ଅଭିଯୋଗ ହେଉଛି, ୟୁପିଏ ସରକାର ଅମଳରେ ରାଫେଲ୍‌ ଯୁଦ୍ଧ ବିମାନର ମୂଲ୍ୟ ନେଇ ଯେଉଁ ବୁଝାମଣା ହୋଇଥିଲା, ୨୦୧୫, ଏପ୍ରିଲ୍‌ରେ ମୋଦୀ ସରକାର ସ୍ୱାକ୍ଷର କରିଥିବା ଚୁକ୍ତିନାମା ଅନୁଯାୟୀ ବହୁଗୁଣ ଅଧିକ ମୂଲ୍ୟରେ ବିମାନ କିଣାଯାଉଛି। ୟୁପିଏ ସରକାର ଗୋଟିଏ ରାଫେଲ୍‌ ୫୭୦ କୋଟି ଟଙ୍କାରେ ଖର୍ଦ୍ଦି ଲାଗି ବୁଝାମଣା କରିଥିଲେ। ଅଥଚ, ଏନ୍‌ଡିଏ ସରକାର ଗୋଟିଏ ବିମାନକୁ ୧,୬୭୦ କୋଟି ଟଙ୍କାରେ କିଣିବା ଲାଗି ଚୁକ୍ତି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ସରକାର ପ୍ରତି ଯୁଦ୍ଧ ବିମାନ ପିଛା କାହିଁକି ପ୍ରାୟ ତିନିଗୁଣ ଅଧିକ ମୂଲ୍ୟ ଦେଉଛନ୍ତି? ଅଭିଯୋଗକୁ ଖାରଜ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଉତ୍ତର ହେଲା- ପୂର୍ବବର୍ତ୍ତୀ ୟୁପିଏ ସରକାର ବୁଝାମଣା କରିଥିବା ମୂଲ୍ୟଠାରୁ ୨୦ ପ୍ରତିଶତ କମ୍‌ରେ ଏନ୍‌ଡିଏ ରାଫେଲ୍‌ କିଣିବାକୁ ଚୁକ୍ତି କରିଛନ୍ତିି। ତେବେ, ଜେଟ୍‌ଲୀ ମହୋଦୟ ଏହା ସ୍ପଷ୍ଟ କରିନାହାନ୍ତି ଯେ, ୟୁପିଏ ପ୍ରତି ବିମାନ ପାଇଁ କେତେ ମୂଲ୍ୟ ସ୍ଥିର କରିଥିଲା, ଏବଂ ବର୍ତ୍ତମାନର ସରକାର ନିର୍ଦ୍ଦିଷ୍ଟ ଭାବେ କେତେ ମୂଲ୍ୟରେ ରାଫେଲ୍‌ କିଣୁଛନ୍ତି। ଫଳରେ ଯୁଦ୍ଧ ବିମାନର ମୂଲ୍ୟ ନେଇ ସନ୍ଦେହ ଦୂର କରିବା ଲାଗି ଜେଟ୍‌ଲୀଙ୍କ ଉତ୍ତର ଯଥେଷ୍ଟ ହୋଇ ପାରୁ ନାହିଁ।

ଅବଶ୍ୟ, ଏକଥା ସତ ଯେ ୟୁପିଏ ସମୟରେ ରାଫେଲ୍‌ ନିର୍ମାତା ଫରାସୀ କମ୍ପାନି ଡାସ୍‌ଲଟ ସହ ହୋଇଥିବା ବୁଝାମଣା ଏବଂ ବର୍ତ୍ତମାନର ମୋଦୀ ସରକାର କରିଥିବା ଚୁକ୍ତିନାମାର ଚରିତ୍ର ପରସ୍ପରଠାରୁ ଭିନ୍ନ। ମନମୋହନ ସିଂହ ସରକାର ୧୨୬ଟି ରାଫେଲ୍‌ କିଣିବା ପାଇଁ ବୁଝାମଣା କରିଥିଲେ। ଏ ବୁଝାମଣା ଅନୁଯାୟୀ ଡାସ୍‌ଲଟ ୧୨୬ ମଧ୍ୟରୁ ଫ୍ରାନ୍ସ କାରଖାନାରେ ନିର୍ମିତ ୧୮ଟି ଯୁଦ୍ଧ ବିମାନ ସିଧାସଳଖ ଯୋଗାଇବ ଏବଂ ଅବଶିଷ୍ଟ ୧୦୮ଟି ଭାରତରେ ନିର୍ମାଣ ହେବ। ଏହାଦ୍ୱାରା ଯୁଦ୍ଧ ବିମାନ ନିର୍ମାଣ ସଂକ୍ରାନ୍ତ ବୈଷୟିକ ଜ୍ଞାନକୌଶଳର ଭାରତକୁ ହସ୍ତାନ୍ତରିତ ହୋଇଥାନ୍ତା। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍‌ (ଏଚ୍‌.ଏ.ଏଲ୍‌) ଡାସ୍‌ଲଟର ସହଯୋଗୀ ଭାବେ ରାଫେଲ୍‌ ନିର୍ମାଣ କରିବା ବ୍ୟବସ୍ଥା ଥିଲା। ଅନ୍ୟପକ୍ଷରେ ମୋଦୀ ସରକାରଙ୍କ ସହ ଚୁକ୍ତି ଅନୁଯାୟୀ, ଡାସ୍‌ଲଟ କମ୍ପାନି କେବଳ ସିଧାସଳଖ ଫ୍ରାନ୍ସରେ ନିର୍ମିତ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ ଭାରତକୁ ଯୋଗାଇ ଦେବ। ଭାରତରେ ବିମାନ ନିର୍ମାଣ ସକାଶେ କୌଣସି ବ୍ୟବସ୍ଥା ନାହିଁ। ୟୁପିଏ ଓ ଏନ୍‌ଡିଏ ବିଝାମଣା ମଧ୍ୟରେ ଏ ପରିବର୍ତ୍ତନ, ବିଶେଷକରି ୧୨୬ ସ୍ଥାନରେ କେବଳ ୩୬ଟି ବିମାନ କିଣାଯାଉଥିବାରୁ ମୂଲ୍ୟରେ ତାରତମ୍ୟ ରହିପାରେ। କିନ୍ତୁ ମୂଲ୍ୟରେ କେତେ ତାରତମ୍ୟ ରହିବା ଉଚିତ? ଏ ପ୍ରସଙ୍ଗରେ ପ୍ରତିରକ୍ଷା ବିଭାଗର ଏକ ଆଭ୍ୟନ୍ତରୀଣ ସର୍କୁଲାରକୁ ଯଦି ବିଶ୍ୱାସ କରାଯାଏ, ତେବେ ଭାରତର ଆବଶ୍ୟକତା ଅନୁଯାୟୀ ରାଫେଲ୍‌ରେ କେତେକ ଅତିରିକ୍ତ ଯନ୍ତ୍ରାଦି ଉପକରଣ ଖଞ୍ଜା ଯାଇ ଯୁଦ୍ଧ ଜେଟ୍‌ର ଆଧୁନିକୀକରଣ କରାଯାଇଛି। ଫଳରେ ୟୁପିଏ ତୁଳନାରେ ରଫେଲର ମୂଲ୍ୟ ବଢ଼ିଛି।  ୟୁପିଏ ଅମଳରେ ହୋଇଥିବା ବୁଝାମଣା ଆଧାରରେ ରାଫେଲ୍‌ର ମୂଲ୍ୟ ଯାହା ସେଥିରେ ଅତିରିକ୍ତ ଯନ୍ତ୍ରପାତି ଲାଗିଥିଲେ ମୂଲ୍ୟ ବଢ଼ି ହୋଇଥାଆନ୍ତା ୧,୭୦୫ କୋଟି ଟଙ୍କା। କିନ୍ତୁ ଏନ୍‌ଡିଏ ସରକାର ଏହାକୁ ୧,୬୪୬ କୋଟିରେ କିଣୁଛନ୍ତି। ଅର୍ଥାତ୍‌, ୟୁପିଏ ତୁଳନାରେ ଏନ୍‌ଡିଏ ଗୋଟିଏ ରାଫେଲ୍‌ ପାଇଁ ୫୯ କୋଟି ଟଙ୍କା କମ୍‌ ମୂଲ୍ୟ ଦେଇଛନ୍ତି। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, କ’ଣ ସବୁ ଅତିରିକ୍ତ ଯନ୍ତ୍ର-ଉପକରଣ ଆଦି ଲାଗିଲା ଯେ ଗୋଟିଏ ରାଫେଲ୍‌ ମୂଲ୍ୟ ୟୁପିଏ ତୁଳନାରେ ୧୦୭୬ କୋଟି ଟଙ୍କା ବଢ଼ିଗଲା? ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ବାୟୁସେନା ପାଇଁ ଆହୁରି ଯୁଦ୍ଧ ବିମାନର ଆବଶ୍ୟକତା ଥିବା ବେଳେ ଏକ ବୃହତ୍‌ ସଂଖ୍ୟକ ଯୁଦ୍ଧ ବିମାନ ଭାରତରେ ନିର୍ମାଣ ପାଇଁ ବୁଝାମଣା ପ୍ରତି ଅଣଦେଖା କରି କାହିଁକି ସିଧାସଳଖ କେବଳ ୩୬ଟି ବିମାନ କିଣାରେ କାରବାରକୁ ସୀମିତ ରଖାଗଲା? ୟୁପିଏ ସହ ବୁଝାମଣା ଅନୁଯାୟୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନୋଟିକ୍‌ସ(ଏଚ୍‌ଏଏଲ୍‌)ରେ ରାଫେଲ୍‌ ନିର୍ମାଣ ହୋଇଥିଲେ ପୁଞ୍ଜି ନିବେଶର ଏକ ବଡ଼ ସୁଯୋଗ ଥିଲା। ମୂଲ୍ୟ ଓ ବୈଷୟିକ ଦକ୍ଷତା ଦୃଷ୍ଟିରୁ ରାଫେଲ୍‌ ଯଦି ବାୟୁସେନାର ଶ୍ରେଷ୍ଠ ପସନ୍ଦ, ତେବେ ଆବଶ୍ୟକତା ପୂରଣ ପାଇଁ ଅଧିକ ଯୁଦ୍ଧ ବିମାନ ଖର୍ଦ୍ଦି କିମ୍ବା ଦେଶରେ ନିର୍ମାଣ ପ୍ରତି ଅଣଦେଖା କରାଗଲା କାହିଁକି? ପୁଣି ଅଧିକ ଯୁଦ୍ଧ  ବିମାନ ଯୋଗାଣ ଓ କାରିଗରି ଜ୍ଞାନ କୌଶଳ ହସ୍ତାନ୍ତର ନେଇ ବୁଝାମଣାରେ ଯଦି ସମସ୍ୟା ଉପୁଜିଲା, ତେବେ ବିକଳ୍ପ ଭାବେ ବାୟୁସେନା ସୁପାରିସ କରିଥିବା ସମାନ ଭାବେ ଦକ୍ଷତା ସଂପନ୍ନ ଜର୍ମାନି ନିର୍ମିତ ଯୁଦ୍ଧ ବିମାନ ‘ୟୁରୋ ଫାଇଟର’ ବିଷୟ ବିଚାରକୁ ନିଆଗଲା ନାହିଁ କାହିଁକି? ‘ୟୁରୋ ଫାଇଟର’ ର ନିର୍ମାତା ଜର୍ମାନିର ଇଏଡିଏସ୍‌ କମ୍ପାନି ରାଫେଲ୍‌ଠାରୁ ୨୦ ପ୍ରତିଶତ କମ୍‌ ମୂଲ୍ୟରେ ଯୁଦ୍ଧ ବିମାନ ଯୋଗାଣ ଲାଗି ପ୍ରସ୍ତାବ ଦେଇଥିଲେ।

ମୋଦୀ ସରକାରଙ୍କ ରାଫେଲ୍‌ କାରବାରକୁ ଯାହା ସବୁଠୁ ଅଧିକ ଧୂମାଭ କରି ଦେଇଛି, ତା’ହେଲା ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ କମ୍ପାନିକୁ ‘ଅଫ୍‌ସେଟ୍‌’ ସହଯୋଗୀ ଭାବେ ନିଯୁକ୍ତି। ‘ଅଫ୍‌ସେଟ୍‌ ପାର୍ଟନର’ ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ରାଫେଲ୍‌ ନିର୍ମାତା ଡାସ୍‌ଲଟ କମ୍ପାନିର ନିଜସ୍ୱ ନିଷ୍ପତ୍ତି ବୋଲି ସଫେଇ ଦିଆଯାଉଛି। କିନ୍ତୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ, ସ୍ପର୍ଶକାତର ପ୍ରତିରକ୍ଷା କାରବାରରେ ସରକାରଙ୍କ ଅଗୋଚରରେ ଅଫ୍‌ସେଟ୍‌ ସହଯୋଗୀ ନିଯୁକ୍ତି ହୋଇଥିବା ବିଷୟ ବିଶ୍ୱାସଯୋଗ୍ୟ ହେଉନାହିଁ। ସରକାରଙ୍କ ଅଜ୍ଞାତରେ ଏହା ସମ୍ଭବ ନୁହେଁ। ଏପ୍ରିଲ ୨୦୧୫ରେ ରାଫେଲ୍‌ ଚୁକ୍ତି ଘୋଷଣାର ମାତ୍ର ଦୁଇ ସପ୍ତାହ ପୂର୍ବରୁ  ଅମ୍ବାନୀଙ୍କ କମ୍ପାନି ପଞ୍ଜିକୃତ ହୋଇଥିଲା। ବିମାନ ନିର୍ମାଣ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ହାଲ୍‌’କୁ ବାଦ୍‌ ଦେଇ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅନଭିଜ୍ଞ ସଦ୍ୟ ଜନ୍ମ ନେଇଥିବା ଗୋଟିଏ କମ୍ପାନିକୁ ‘ଅଫ୍‌ସେଟ୍‌ ପାର୍ଟନର୍‌’ ମନୋନୀତ କରାଯିବା ସ୍ୱତଃ କାରବାରକୁ ସନ୍ଦେହ ବଳୟ ମଧ୍ୟକୁ ଟାଣି ଆଣୁଛି। ସରକାରର ସର୍ବୋଚ୍ଚ ସ୍ତରରୁ ବିନା ଆଶୀର୍ବାଦ ଓ ପୃଷ୍ଠପୋଷକତାରେ ଏହା ସମ୍ଭବ ହୋଇଥିବା ମନେ ହେଉନାହିଁ। ପ୍ରଶ୍ନ ଉଠୁଛି, ‘ଅଫ୍‌ସେଟ୍‌୍‌ ପାର୍ଟନର’ ଛଦ୍ମ ନାମରେ  ଅମ୍ବାନୀ କଂପାନି ରାଫେଲ କାରବାରରେ ମଧ୍ୟସ୍ଥି ନୁହେଁ ତ? ନିୟମ ଅନୁଯାୟୀ ପ୍ରତିିରକ୍ଷା କାରବାରରେ କୌଣସି ମଧ୍ୟସ୍ଥିର ଭୂମିକା ନାହିଁ।

ରାଫେଲ କାରବାରକୁ ଏକ ଅଡୁଆ ଗଣ୍ଠିର ଚିତ୍ର ଦେଉଥିବା ଏହି ପ୍ରଶ୍ନଗୁଡ଼ିକରୁ ବୋଫର୍ସର ଗନ୍ଧକୁ ଏଡ଼ାଯାଇପାରୁନାହିଁ।  ପ୍ରଶ୍ନଗୁଡ଼ିକୁ  ଶସ୍ତା ରାଜନୀତି କହି ଏଡ଼ାଇଯିବା ସହଜ। କିନ୍ତୁ ଏହାଦ୍ୱାରା ସନ୍ଦେହର ଧୂଆଁ ହଟୁ ନାହିଁ। କେବଳ ସରକାରରେ ଥିବା କ୍ଷମତାସୀନ ମେଣ୍ଟର ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ନୁହେଁ, ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଫେଲ୍‌ କାରବାର ଉପରୁ ଯେତେଶୀଘ୍ର ରହସ୍ୟର ପରଦା ଉଠିବ, ସେତେ ମଙ୍ଗଳକର।

ସମ୍ବନ୍ଧିତ ଖବର