୨୦୧୬ ଏପ୍ରିଲ୍ ୨୫ ତାରିଖ ଦିନ ଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଥିଲା ସେଠାରେ ଏକ ସଭାମଞ୍ଚରେ ଆସୀନ ଭାରତର ୪୩ ତମ ମୁଖ୍ୟ ବିଚାରପତି ତୀରଥ ସିଂହ ଠାକୁର ସର୍ବ ସମକ୍ଷରେ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନିଜର କୋହ ସମ୍ବରଣ କରିନପାରି କାନ୍ଦି ପକାଇବାର ଦୃଶ୍ୟ। ମୁଖ୍ୟ ବିଚାରପତି ଠାକୁର ସେଠାରେ ସମବେତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମାନଙ୍କର ମୁଖ୍ୟ ବିଚାରପତିମାନଙ୍କୁୁ ଉଦ୍ବୋଧନ ଦେବା ସମୟରେ ଦେଶର ଅଦାଲତମାନଙ୍କର ବିଚାର ଅପେକ୍ଷାରେ ପଡ଼ି ରହିଥିବା ଅସରନ୍ତି ମାମଲାମାନଙ୍କର ପାହାଡ଼ ଓ ସେ ସବୁର ଶୁଣାଣି କରିବା ପାଇଁ ଯଥେଷ୍ଟ ସଂଖ୍ୟକ ବିଚାରପତିମାନଙ୍କର ଅଭାବ ବିଷୟରେ ଉଲ୍ଲେଖ କରି ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ। ଉଲ୍ଲେଖଯୋଗ୍ୟ ସେଇ ସମୟରେ ଖୋଦ୍ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ମାମଲାର ସଂଖ୍ୟା ଥିଲା ୬୦,୦୦୦ରୁ ଅଧିକ।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶର ୪୪ତମ ମୁଖ୍ୟ ବିଚାରପତି ଜଗଦୀଶ ସିଂହ ଖେହାର ଆହଲୁଓ୍ଵାଲିଆ ମଧ୍ୟ ବିଚାରାଧୀନ ମାମଲାମାନଙ୍କର ଅତିକାୟ ବୋଝ ନେଇ ଅନୁରୂପ ଭାବେ ଚିନ୍ତିତ ଥିଲେ। ସେ କିନ୍ତୁ ଏ ନେଇ କୌଣସି ଭାବୁକତା ପ୍ରଦର୍ଶନ କରିବା ପରିବର୍ତ୍ତେ ଓ ସରକାରଙ୍କ ଦ୍ୱାରା ଅଧିକ ସଂଖ୍ୟକ ବିଚାରପତି ନିଯୁକ୍ତିର ଅନିଶ୍ଚିତତାକୁ ଅପେକ୍ଷା କରିବା ପରିବର୍ତ୍ତେ ଘନ ଅନ୍ଧକାର ଦୂର କରିବା ପାଇଁ ରବୀନ୍ଦ୍ରନାଥ ଠାକୁରଙ୍କର ଛୋଟିଆ ମାଟିର ପ୍ରଦୀପଟି ପରି (‘‘ମାଟିର ପ୍ରଦୀପ ଛିଲ, ସେ ବଲିଲ ସ୍ୱାମୀ/ ଆମାର୍ ଯେଟୁକୁ ସାଧ୍ୟ, କରିବ ତା ଆମି’’) ନିଜର ସହକର୍ମୀମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ସେମାନଙ୍କର ସୁଦୀର୍ଘ ଗ୍ରୀଷ୍ମ ଅବକାଶରେ ମଧ୍ୟ କିଛି କିଛି ମାମଲାର ଶୁଣାଣି କରନ୍ତୁ (ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ପରବର୍ତ୍ତୀ ସମୟରେ ଜଣେ ବିପ୍ଳବୀ ବିଚାରପତି ରୂପେ ପ୍ରସିଦ୍ଧି ଲାଭ କରିଥିବା ଜଷ୍ଟିସ୍ ଜଷ୍ଟି ଚେଲମେଶ୍ୱର ଗ୍ରୀଷ୍ମାବକାଶରେ ଶୁଣାଣି କରିବା ପାଇଁ ଗଠିତ ତିନିଗୋଟି ସାମ୍ବିଧାନିକ ବେଞ୍ଚ୍ରୁ କୌଣସି ଗୋଟିକରେ ମଧ୍ୟ ଅଂଶ ଗ୍ରହଣ କରିବା ପାଇଁ ମନା କରି ଦେଇଥିଲେ)। ବର୍ତ୍ତମାନର ମୁଖ୍ୟ ବିଚାରପତି ଦୀପକ ମିଶ୍ର ମଧ୍ୟ ବିଚାରାଧୀନ ମାମଲାମାନଙ୍କର ଲମ୍ବା ତାଲିକାମାନକୁ ଲକ୍ଷ୍ୟ କରି ଗଭୀର ଉଦ୍ବେଗ ପ୍ରକଟ କରିଛନ୍ତି ଏବଂ ତାଙ୍କ ଉଦ୍ୟମର ଫଳ ସ୍ୱରୂପ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟାରେ କିଞ୍ଚିତ ହ୍ରାସ ଘଟି ତାହା ୬୦,୦୦୦ ତଳକୁ ଆସିଛି (ପ୍ରାୟ ୫୮,୦୦୦)।
ଏହି ପୃଷ୍ଠଭୂମିରେ କେହି ବୋଧହୁଏ ଦ୍ୱିମତ ହେବେ ନାହିଁ ଯେ ଦେଶର ସର୍ବୋଚ୍ଚ ଅଦାଲତଙ୍କୁ କୌଣସି ଅନାବଶ୍ୟକ, ଗୁରୁତ୍ୱହୀନ ମାମଲାରେ ସଂଶ୍ଳିଷ୍ଟ କରାଯିବା ଉଚିତ ନୁହେଁ। ଏହାଦ୍ୱାରା ସର୍ବୋଚ୍ଚ ଅଦାଲତଙ୍କର ବହୁମୂଲ୍ୟ ସମୟ ନଷ୍ଟ ହେବା ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଛୁଆ ତାଲିକାଭୁକ୍ତ ମାମଲାମାନ ଅବହେଳାର ଶିକାର ହୋଇଥାନ୍ତି। ଏବେ କିନ୍ତୁ ଏପରି ଏକ ଘଟଣା ଘଟିବା ଦେଖାଯାଇଛି ଯେଉଁଥିରେ ଆବେଦନକାରୀମାନେ ଏକ ମାମଲାରେ ଯେପରି ଅନାବଶ୍ୟକ ଭାବରେ ସର୍ବୋଚ୍ଚ ଅଦାଲତଙ୍କ ସମୟ ନଷ୍ଟ କରିବାକୁ ପଛେଇ ନାହାନ୍ତି, ସର୍ବୋଚ୍ଚ ଅଦାଲତ ମଧ୍ୟ ସେହିପରି ସେମାନଙ୍କର ଆବେଦନକୁ ଶୁଣାଣି କରିବା ପାଇଁ ତତ୍ପର ହୋଇ ନିଜର ଉପରବର୍ଣ୍ଣିତ ଆଭିମୁଖ୍ୟର ବିପରୀତାଚରଣ କରିବାକୁ କୁଣ୍ଠିତ ହୋଇ ନାହାନ୍ତି। ଯେତେବେଳ ନକ୍ସଲବାଦୀମାନଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ନିକଟରେ ମହାରାଷ୍ଟ୍ର ପୁଲିସ୍ ପାଞ୍ଚ ଜଣ ପ୍ରମୁଖ ବୌଦ୍ଧିକ ସଂଗ୍ରାମୀଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କଲା, ଦେଶର କେତେକ ଜଣାଶୁଣା ଓକିଲ ଏହା ବିରୁଦ୍ଧରେ ସିଧାସଳଖ ସୁପ୍ରିମ୍ କୋର୍ଟଙ୍କ ନିକଟରେ ଆବେଦନ ଦାଖଲ କଲେ। ସୁପ୍ରିମ୍ କୋର୍ଟ ମଧ୍ୟ ସାଙ୍ଗେ ସାଙ୍ଗେ ଏହାକୁ ଅଗ୍ରାଧିକାର ପ୍ରଦାନ କରି ପ୍ରାଥମିକ ଶୁଣାଣି କରି ଏହି ଅଭିଯୁକ୍ତମାନଙ୍କୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଗୃହବନ୍ଦୀ କରି ରଖିବା ପାଇଁ ପୁନେ ପୁଲିସ୍କୁ ନିର୍ଦ୍ଦେଶ ପ୍ରଦାନ କଲେ- ଅର୍ଥାତ୍ ସେମାନଙ୍କୁ ହାଜତକୁ ନିଆଯାଇ ପାରିବ ନାହିଁ।
ଏଠାରେ ସ୍ୱାଭାବିକ ଭାବରେ ଯେଉଁ ପ୍ରଶ୍ନ ଉଠୁଛି, ତାହା ହେଲା, ନକ୍ସଲମାନଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ହେବାରେ ଏଇ ପାଞ୍ଚଜଣ ଦେଶରେ ପ୍ରଥମ ନୁହଁନ୍ତି। ଏଥିପୂର୍ବରୁ ହଜାର ହଜାର ଏପରି ଗିରଫଦାରୀ ଘଟିଛି। କିନ୍ତୁ ସେମାନଙ୍କ କ୍ଷେତ୍ରରେ ପ୍ରଥମେ ମାଜିଷ୍ଟ୍ରେଟ୍ କୋର୍ଟରେ ଶୁଣାଣି ହୋଇଥାଏ। ସମ୍ପୃକ୍ତ ମାଜିଷ୍ଟ୍ରେଟ୍ ଅଭିଯୋଗର ପୁଙ୍ଖାନୁପୁଙ୍ଖ ଯାଞ୍ଚ କଲା ପରେ ଅଭିଯୋଗର ଗ୍ରହଣଯୋଗ୍ୟତା ଅନୁସାରେ ଅଭିଯୁକ୍ତଙ୍କୁ ହାଜତକୁ ପଠାଇ ଦିଅନ୍ତି କିମ୍ବା ଜାମିନ ପ୍ରଦାନ କରନ୍ତି। ଅଭିଯୁକ୍ତ ମାଜିଷ୍ଟ୍ରେଟ୍ଙ୍କ ଆଦେଶରେ ସନ୍ତୁଷ୍ଟ ନହେଲେ ଏହା ବିରୁଦ୍ଧରେ ଯଥାକ୍ରମେ ସେସନ୍ସ କୋର୍ଟ, ହାଇକୋର୍ଟ ଓ ଏପରିକି ସୁପ୍ରିମ୍କୋର୍ଟରେ ଏହା ବିରୁଦ୍ଧରେ ଆବେଦନ କରିପାରେ। ତା’ଛଡ଼ା ସେସନ୍ସ କୋର୍ଟ ବା ହାଇକୋର୍ଟରୁ ଆଗୁଆ ଜାମିନ ସ୍ଥଳବିଶେଷରେ ପାଇବା ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା ରହିଛି। ତେଣୁ ଏକାଥରକେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେବାର ଆବଶ୍ୟକତା ବା ଅବକାଶ ନାହିଁ। ଯଦି ଦେଶରେ ଏପରି ଗିରଫର ସମ୍ମୁଖୀନ ହେଉଥିବା ସମସ୍ତେ ପ୍ରଥମରୁ ଯାଇ ସୁପ୍ରିମ୍କୋର୍ଟରେ ପହଞ୍ଚି ଯାଆନ୍ତେ ତେବେ ସର୍ବୋଚ୍ଚ ଅଦାଲତରେ କିପରି ଅସମ୍ଭାଳ ଭିଡ଼ ସୃଷ୍ଟି ହୁଅନ୍ତା ତାହା ସହଜେ ଅନୁମେୟ।
ତେବେ ଭୀମା କୋରୋଗାଓଁ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗର ସମ୍ମୁଖୀନ ହୋଇଥିବା ଏହି ପାଞ୍ଚଜଣ ତଥାକଥିତ ଭାବେ ଦେଶର ସାଧାରଣ ନାଗରିକଙ୍କ ସ୍ୱାର୍ଥରକ୍ଷା ପାଇଁ ସକ୍ରିୟ ଥିଲେ ହେଁ ସେମାନେ ସେମାନଙ୍କ ସହିତ ସମାନ ନୁହଁନ୍ତି (ଜର୍ଜ ଅର୍େଓ୍ଵଲ୍ଙ୍କ ଭାଷାରେ ସେମାନେ ହେଉଛନ୍ତି ‘‘ଅନ୍ୟମାନଙ୍କଠାରୁ ଅଧିକ ସମାନ’’)। ତେଣୁ ସେମାନଙ୍କ ମାମଲା ଏକାଥରକେ କେବଳ ସୁପ୍ରିମ୍କୋର୍ଟଙ୍କ କୌଣସି ସାଧାରଣ ବେଞ୍ଚ୍ ନୁହେଁ, ସିଧାସଳଖ ସମ୍ବିଧାନ ବେଞ୍ଚ୍ରେ ପହଞ୍ଚିଗଲା। ଆଉ ଏହାକୁ ଯେଉଁମାନେ ସେଠାରେ ପହଞ୍ଚାଇଲେ ସେମାନେ ହେଉଛନ୍ତି ଦେଶର ସର୍ବାଧିକ ନାମୀ ଦାମୀ ଓକିଲମାନେ- ଅଭିଷେକ ମନୁ ସିଂହଭି, ଦୁଷ୍ୟନ୍ତ ଡାଭେ, ପ୍ରଶାନ୍ତ ଭୂଷଣ, ବୃନ୍ଦା ଗ୍ରୋଭର୍, ରାଜୁ ରାମଚନ୍ଦ୍ରନ୍, ଇନ୍ଦିରା ଜୟସିଂ, ଅମରେନ୍ଦ୍ର ସରନ ଆଦି। ଏମାନେ ପ୍ରତ୍ୟେକ ଥର କୋର୍ଟରେ ଉପସ୍ଥିିତ ହେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମହକିଲଙ୍କଠାରୁ ନେଇଥାନ୍ତି। ସର୍ବହରାର ବନ୍ଧୁ ପାଞ୍ଚଜଣ ଅଭିଯୁକ୍ତ ଏ ବିଶାଳ ଓକିଲ ଫିସ୍ ଦେବା ପାଇଁ ଅର୍ଥ କେଉଁଠୁ ଆଣିଲେ?
କୁହାଯାଇପାରେ ବ୍ୟକ୍ତି ସ୍ୱାଧୀନତାର ସୁରକ୍ଷା ପାଇଁ ଲଢ଼ୁଥିବା ଅଭିଯୁକ୍ତଙ୍କ ଲାଗି ଏହି ଓକିଲମାନେ ବିନା ପାରିଶ୍ରମିକରେ ଅଦାଲତରେ ଲଢ଼େଇ କରିବା ସକାଶେ ଆଗେଇ ଆସିଛନ୍ତି। ଯଦି ନକ୍ସଲମାନଙ୍କ ସହିତ ଅଭିଯୁକ୍ତ ମାନଙ୍କର ସମ୍ପର୍କରେ ସତ୍ୟତା ଥାଏ (ପୁନା ପୁଲିସ୍ ଦୀର୍ଘ କାଳ ଅନୁସନ୍ଧାନ ପରେ ହିଁ ଅଭିଯୋଗ ଆଣିଛି) ତେବେ ନକ୍ସଲମାନେ ଯେଉଁଭଳି ବ୍ୟକ୍ତି ସ୍ୱାଧୀନତା ଚାହାଁନ୍ତି ତାହା ହେଉଛି ଫରାସୀ ବିପ୍ଳବ ପରର ଫ୍ରାନ୍ସରେ ଦେଖା ଦେଇଥିବା ଆତଙ୍କରାଜ ସମୟରେ ବ୍ୟକ୍ତି ସ୍ୱାଧୀନତା ଭଳି, ଯେଉଁଥିରେ ବ୍ୟକ୍ତି ସ୍ୱାଧୀନତାର ଅନ୍ୟତମ ପ୍ରସିଦ୍ଧ ପୂଜାରୀ ରୂପେ ଖ୍ୟାତ ଆଲେକ୍ସିସ୍ ଡି ଟକ୍ଭିଲ୍ଙ୍କର ପରିବାରର ଅନେକ ସଦସ୍ୟ ହାଣ ମୁହଁରେ ପଡ଼ିଥିବା ବେଳେ ମାତ୍ର ୨୪ ବର୍ଷ ବୟସରେ ତାଙ୍କ ପିତାଙ୍କର କେଶ ଧଳା ହୋଇ ଯାଇଥିଲା ଓ ମାତା ପାଗଳୀ ହୋଇ ଯାଇଥିଲେ। ଏପରି ବ୍ୟକ୍ତି ସ୍ୱାଧୀନତା ପ୍ରତି ସତର୍କ ରହିବା ପାଇଁ ଟକ୍ଭିଲ୍ ଆହ୍ଵାନ ଦେଇଛନ୍ତି। ଏପରି ସ୍ୱାଧୀନତା ସଂଗ୍ରାମୀମାନେ ସମାଜ ପ୍ରତି ବିପଦ।