ତସ୍‌ଲିମାଙ୍କ ପ୍ରଶ୍ନ

0 140

‘‘ନରହତ୍ୟା ନିଷିଦ୍ଧ; ତେଣୁ ସମସ୍ତ ହତ୍ୟାକାରୀମାନେ ଦଣ୍ଡିତ ହୋଇଥାନ୍ତି, କେବଳ ଯଦି ସେମାନେ ତୂର୍ଯ୍ୟନାଦ ସହ ତାଳ ଦେଇ ବହୁ ସଂଖ୍ୟକ ହତ୍ୟାକାଣ୍ଡ ଘଟାଇ ନଥାନ୍ତି।’’ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଫରାସୀ ଦାର୍ଶନିକ ଭଲ୍‌ଟେଆର୍‌ଙ୍କ ନରହତ୍ୟା ଏବଂ ଯୁଦ୍ଧ ମଧ୍ୟରେ ଥିବା କୃତ୍ରିମ-ପ୍ରଭେଦ ସମ୍ପର୍କରେ ଏହି ଚଟୁଳ ମନ୍ତବ୍ୟକୁ ଅନ୍ୟ ବାଗରେ କୁହାଯାଇଥାଏ: ଜଣକର ପ୍ରାଣହାନି ଘଟାଇବା ହେଉଛି ନରହତ୍ୟା, ଅନେକଙ୍କର ପ୍ରାଣହାନି ଘଟାଇବା ହେଉଛି ବୀରତ୍ୱ। ଗତ ସପ୍ତାହରେ ଭାରତରେ ଆଶ୍ରୟ ନେଇଥିବା ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସ୍‌ଲିମା ନସ୍‌ରିନ୍‌ ସେ ଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଲେଖିଥିବା ପତ୍ର ଉପରେ ଦୃଷ୍ଟିପାତ କଲେ ସ୍ପଷ୍ଟ ହୋଇଥାଏ ସେ ବୋଧହୁଏ ନିଜ ଅଜାଣତରେ ଭଲ୍‌ଟେଆର୍‌ଙ୍କର ଏହି ଉକ୍ତିକୁ ଓଲଟାଇ ଦେଇ ଶେଖ୍‌ ହସିନାଙ୍କ ବିବେକକୁ ଆଘାତ ଦେବା ପାଇଁ କହୁଛନ୍ତି: ଜଣେ ଅସହାୟକୁ ଆଶ୍ରୟ ଦେଲେ କୌଣସି ଗୌରବ ଲାଭ କରିବାର ସମ୍ଭାବନା ନଥାଏ, ଲକ୍ଷ ଲକ୍ଷ ଅସହାୟଙ୍କୁ ଆଶ୍ରୟ ପ୍ରଦାନ କଲେ ନୋବେଲ୍‌ ଶାନ୍ତି ପୁରସ୍କାର ମିଳିପାରେ।

ତସ୍‌ଲିମା ତାଙ୍କ ପତ୍ରର ଆରମ୍ଭରେ ଶେଖ୍‌ ହସିନା ବର୍ମାରୁ ପ୍ରାଣଭୟରେ ପଳାଇ ଆସିଥିବା ଚାରିଲକ୍ଷରୁ ଅଧିକ ସଂଖ୍ୟକ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀଙ୍କୁ ବାଂଲାଦେଶରେ ଆଶ୍ରୟ ପ୍ରଦାନ କରିଥିବାରୁ ଏଥି ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରି ତାଙ୍କୁ ଜର୍ମାନୀର ଚାନ୍‌ସେଲର୍‌ ଶ୍ରୀମତୀ ଆଙ୍ଗେଲା ମର୍କେଲ୍‌ଙ୍କ ସହିତ ତୁଳନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିଜ ଦେଶରେ ମଧ୍ୟପ୍ରାଚ୍ୟରୁ ସୁଅ ଛୁଟିଥିବା ମୁସଲମାନ ଶରଣାର୍ଥୀମାନଙ୍କୁ ଆଶ୍ରୟ ପ୍ରଦାନ ବିରୁଦ୍ଧରେ ଜନମତ କ୍ରମେ ତୀବ୍ରତର ହେଉଥିବା ସତ୍ତ୍ୱେ ଆଙ୍ଗେଲା ମର୍କେଲ୍‌ ନିଜର ରାଜନୈତିକ କ୍ୟାରିଅର୍‌କୁ ବାଜି ଲଗାଇ ଏକ ନିୟୁତରୁ ଅଧିକ ଏଭଳି ଆଶ୍ରୟ ପ୍ରାର୍ଥୀଙ୍କୁ ଜର୍ମାନୀରେ ଆଶ୍ରୟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଜର୍ମାନୀରେ ବିଭିନ୍ନ ଛୋଟବଡ଼ ଆତଙ୍କବାଦୀ ଆକ୍ରମଣ ରଚନା କରି ନିଜର ଅକୃତଜ୍ଞତାର ପରିଚୟ ଦେଇଥିଲେ ମଧ୍ୟ ତାହା ମର୍କେଲ୍‌ଙ୍କୁ ଲକ୍ଷ୍ୟଚ୍ୟୁତ କରିପାରି ନାହିଁ। ଏଥି ପାଇଁ ଆଙ୍ଗେଲା ମର୍କେଲ୍‌ଙ୍କୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିଛି। ଜର୍ମାନୀରେ ସଦ୍ୟ ସମାପ୍ତ ନିର୍ବାଚନରେ ବିଜୟ ଲାଭ କରି ସେ ଚତୁର୍ଥ ପାଳି ପାଇଁ କ୍ଷମତା ଲାଭ କରିଥିଲେ ମଧ୍ୟ ଏଥର ତାଙ୍କର ସଂଖ୍ୟାଗରିଷ୍ଠତାରେ ଚିନ୍ତାଜନକ ରୂପେ ହ୍ରାସ ଘଟିଛି।

ତସ୍‌ଲିମା ତାଙ୍କର ଏହି ପତ୍ରରେ ଧନୀ ଇସଲାମୀୟ ଦେଶମାନଙ୍କର ମୁଖା ଖୋଲିଦେବାକୁ ପଛାଇ ନାହାନ୍ତି କି ରୋହିଙ୍ଗ୍ୟା ମାନଙ୍କୁ ଆଶ୍ରୟ ପ୍ରଦାନ ସମସ୍ୟା ସହିତ ଇସଲାମୀୟ ଆତଙ୍କବାଦ ସମସ୍ୟା ମିଶି ରହିଥିବା ସମ୍ଭାବନା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ମଧ୍ୟ ପଛାଇ ନାହାନ୍ତି। ସେ ଲେଖିଛନ୍ତି ପୃଥିବୀସାରାର ମୁସଲମାନ ମାନଙ୍କର ଏକ ନିରାପଦ ଆଶ୍ରୟସ୍ଥଳୀ ରୂପେ ପାକିସ୍ତାନର ଗଠନ ହୋଇଥିଲେ ହେଁ ସେ ଦେଶ ରୋହିଙ୍ଗ୍ୟା ଶରଣାର୍ଥୀ ମାନଙ୍କ ପାଇଁ ନିଜର ଫାଟକ ବନ୍ଦ କରି ଦେଇଛି। ସେ କହିଛନ୍ତି, ପୃଥିବୀରେ ଇସଲାମୀୟ ମୌଳବାଦର ପ୍ରସାରରେ ସକ୍ରିୟ ଥିବା ଦେଶମାନେ (ଯେମିତି ସାଉଦୀ ଆରବ), କିମ୍ବା ମୁସଲମାନଙ୍କ ସ୍ୱାର୍ଥରକ୍ଷା ପାଇଁ ତଥା ରୋହିଙ୍ଗ୍ୟାଙ୍କ ସମର୍ଥନରେ ଗଳା ଫଟାଇ ଚିତ୍କାର କରୁଥିବା କୌଣସି ଇସଲାମୀୟ ଦେଶ ରୋହିଙ୍ଗ୍ୟା ଶରଣାର୍ଥୀ ମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ବାସ୍ତବରେ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରୁ ନିର୍ଗତ ହେଉଥିବା ଲକ୍ଷ ଲକ୍ଷ ମୁସଲମାନ ଶରଣାର୍ଥୀ ମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି କୌଣସି ଇସଲାମୀୟ ଦେଶରେ ଆଶ୍ରୟ ନେବା ଦେଖାଯାଇ ନାହିଁ। ସେମାନେ ସମସ୍ତେ ଜର୍ମାନୀ, ଫ୍ରାନ୍‌ସ, ବ୍ରିଟେନ୍‌, ସ୍ୱିଡେନ୍‌ ଭଳି ଅଣମୁସଲମାନ ଦେଶ ଆଡ଼େ ମୁହାଁଇ ଥାନ୍ତି। ସାଉଦୀ ଆରବ ଭଳି ପ୍ରବଳ ଧନୀ ଇସଲାମୀୟ ଦେଶମାନଙ୍କର ଏହି ଶରଣାର୍ଥୀମାନଙ୍କ ପ୍ରତି ଏକମାତ୍ର ଅବଦାନ ହେଉଛି ସେମାନେ ପହଞ୍ଚୁଥିବା ଦେଶରେ ସେମାନଙ୍କ ପାଇଁ ଶହ ଶହ ସଂଖ୍ୟାରେ ମସ୍‌ଜିଦ୍‌ ନିର୍ମାଣ କରିଦେବାକୁ ଆଗେଇ ଆସିବା।

ତସ୍‌ଲିମା ତାଙ୍କ ପତ୍ରରେ ମଧ୍ୟ ଉଲ୍ଲଖ କରିଛନ୍ତି ଯେ ରୋହିଙ୍ଗ୍ୟାମାନଙ୍କ ମଧ୍ୟରୁ କେତେକ ଇସ୍‌ଲାମୀୟ ମୌଳବାଦ ଆପଣାଇବା ଖବର ସବୁ ପ୍ରକାଶ ପାଉଛି। ଏଥିପାଇଁ ଅନ୍ୟ ରୋହିଙ୍ଗ୍ୟାମାନଙ୍କୁ ମଧ୍ୟ କେହି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ସେ ସ୍ୱୀକାର କରିଛନ୍ତି। ସେ ମଧ୍ୟ ସୂଚାଇଛନ୍ତି ଏହି ଅସହାୟ ହତାଶ ରୋହିଙ୍ଗ୍ୟାମାନଙ୍କୁ ନିଜ ପାଲରେ ପକାଇବାକୁ ବାଂଲାଦେଶରେ ସକ୍ରିୟ ଥିବା ଇସ୍‌ଲାମୀୟ ମୌଳବାଦୀମାନେ ଛକି ବସିଛନ୍ତି। ଏମାନଙ୍କୁ ସହଜରେ ଜିହାଦ୍‌ରେ ସାମିଲ କରାଯାଇ ପାରିବ ବୋଲି ସେମାନଙ୍କର ବିଶ୍ୱାସ। କିନ୍ତୁ ଶେଖ୍‌ ହସିନା ଏହା ଘଟିବାକୁ ଦେବେ ନାହିଁ ବୋଲି ଏବଂ ଯେଉଁମାନେ ରୋହିଙ୍ଗ୍ୟାମାନଙ୍କୁ ଏଭଳି ବ୍ୟବହାର କରିବାକୁ ଚେଷ୍ଟା କରିବେ ସେମାନଙ୍କ ପ୍ରତି କଠୋର ଶାସ୍ତି ବିଧାନ କରାଯିବ ବୋଲି ଶେଖ୍‌ ହସିନାଙ୍କ ଦୃଢ଼ ଘୋଷଣାକୁ ତସ୍‌ଲିମା ବେଶ୍‌ ପ୍ରଶଂସା କରିଛନ୍ତି। ଖୋଦ୍‌ ଏକ କ୍ଷୁଦ୍ର ଜନବହୁଳ ଦରିଦ୍ର ଦେଶ ହୋଇ ମଧ୍ୟ ନିର୍ଯାତିତ ରୋହିଙ୍ଗ୍ୟାଙ୍କ ପ୍ରତି ବାଂଲାଦେଶ ସରକାରଙ୍କର ଏହି ମାନବବାଦୀ ଆଭିମୁଖ୍ୟ ଯୋଗୁଁ ଶେଖ୍‌ ହସିନାଙ୍କୁ ଏଥର ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ଏକ ଗୁଞ୍ଜରଣ ଶୁଣିବାକୁ ମିଳିଲାଣି ବୋଲି ତସ୍‌ଲିମା ନିଜ ପତ୍ରରେ ଉଲ୍ଲେଖ କରି ଆଶା ପ୍ରକାଶ କରିଛନ୍ତି ଯେ ଶେଖ୍‌ ହସିନା ଯେପରି ଏହି ପୁରସ୍କାରକୁ ଆଖିରେ ରଖି ଏଭଳି ମାନବବାଦୀ କାର୍ଯ୍ୟ କରୁନଥାନ୍ତି।

ଏହାପରେ ତସ୍‌ଲିମା ନସରିନ୍‌ ଶେଖ୍‌ ହସିନାଙ୍କୁ ଯେଉଁ ପ୍ରଶ୍ନ ପଚାରିଛନ୍ତି ତାହା ହସିନାଙ୍କ ପାଇଁ ବେଶ୍‌ ଅସ୍ୱସ୍ତିକର। ରୋହିଙ୍ଗ୍ୟାଙ୍କ ଯନ୍ତ୍ରଣା ବୁଝିବାକୁ ସେ ସମର୍ଥ, କାରଣ ୧୯୭୫ରେ ସେ ନିଜେ ବିଦେଶରେ ଜଣେ ରାଜନୈତିକ ଶରଣାର୍ଥୀ ଥିଲେ ବୋଲି ଶେଖ୍‌ ହସିନାଙ୍କ ଉକ୍ତିକୁ ଉଦ୍ଧାର କରି ତସ୍‌ଲିମା ତାଙ୍କୁ ପ୍ରଶ୍ନ କରିଛନ୍ତି ସେ ତେବେ ତସ୍‌ଲିମାଙ୍କ ଯନ୍ତ୍ରଣା କିପରି ବୁଝି ପାରୁନାହାନ୍ତି? ତସ୍‌ଲିମା ଲେଖିଛନ୍ତି ୨୪ ବର୍ଷ ଧରି ସେ ଦେଶରୁ ଦେଶ ଘୂରିବାରେ ଲାଗିଛନ୍ତି; ତାଙ୍କର ନିଜର ବୋଲି ଦେଶ କେହି ନାହିଁ। ତାଙ୍କର ଫେରିବା ପାଇଁ ନିଜର ଘର ବୋଲି କିଛି ନାହିଁ। ସେ ହସିନାଙ୍କୁ ସିଧାସଳଖ ଅଭିଯୋଗ କରି କହିଛନ୍ତି ଯେ ହସିନା ତାଙ୍କର ପୁସ୍ତକ ସବୁକୁ ବାଂଲାଦେଶରେ ନିଷିଦ୍ଧ କରି ଦେଇଛନ୍ତି; ତସ୍‌ଲିମା ତାଙ୍କ ଭଉଣୀଙ୍କୁ ପାଓ୍ଵାର ଅଫ୍‌ ଆଟର୍ଣ୍ଣି ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଦେଶରେ ବାଂଲାଦେଶ ହାଇକମିସନ ମାନଙ୍କୁ ହସିନାଙ୍କ ନିର୍ଦ୍ଦେଶ କ୍ରମେ ସବୁ କାଗଜପତ୍ର ଦସ୍ତଖତ ହୋଇ ପାରୁନାହିଁ। ସେ ଶେଖ୍‌ ହସିନାଙ୍କୁ ପଚାରିଛନ୍ତି ଜଣେ କେତେଦୂର ଏଭଳି ନିର୍ଯାତନା ସହ୍ୟ କରିପାରିବ? ସେ ହସିନାଙ୍କୁ ମନେ ପକାଇ ଦେଇଛନ୍ତି ଯେ ସେ (ତସ୍‌ଲିମା) ତାଙ୍କର ସାରା ଜୀବନ ତ ମାନବିକତା ଓ ମାନବବାଦୀ ସପକ୍ଷରେ ହିଁ ସ୍ୱର ଉତ୍ତୋଳନ କରି ଆସିଛନ୍ତି। ତେବେ ଶେଖ୍‌ ହସିନା ତାଙ୍କୁ କାହିଁକି ଏପରି ଜଣେ ଅସ୍ପୃଶ୍ୟରେ ପରିଣତ କରି ରଖିଛନ୍ତି? କେଉଁ ମାନବବାଦର ଆସ୍ଥାନରେ ବସି ସେ ତସ୍‌ଲିମାଙ୍କ ମୁହଁ ଉପରେ ତାଙ୍କ ନିଜ ଦେଶର କବାଟ ବନ୍ଦ କରି ଦେଇଛନ୍ତି? ସେ ପଚାରିଛନ୍ତି ହସିନା ରୋହିଙ୍ଗ୍ୟାଙ୍କ ପାଇଁ ଲୋତକ ଝରାଉଥିବା ବେଳେ ତସଲିମାଙ୍କ ପରି ଜଣକର ଜୀବନକୁ ଏପରି ଯନ୍ତ୍ରଣା ଜର୍ଜରିତ କରି ରଖିଛନ୍ତି କାହିଁକି? ସେତ କିଛି ଅପରାଧ କରି ନାହାନ୍ତି, କାହାର କ୍ଷତି କରି ନାହାନ୍ତି, କି ମଣିଷ ମାରି ନାହାନ୍ତି! ଜଣେ ପ୍ରକୃତରେ ବିଶାଳ ହୃଦୟ ବ୍ୟକ୍ତି ସମସ୍ତଙ୍କ ପାଇଁ ବିଶାଳ ହୃଦୟ ହେବା ଉଚିତ। ଶେଖ୍‌ ହସିନା କ’ଣ କେବଳ ନୋବେଲ୍‌ ପୁରସ୍କାର ଆଶାରେ ରୋହିଙ୍ଗ୍ୟାଙ୍କ ପାଇଁ ନିଜ ହୃଦୟର ଦ୍ୱାର ଖୋଲି ଦେଇଛନ୍ତି?

ଶେଖ୍‌ ହସିନାଙ୍କ ପକ୍ଷରେ ତସଲିମାଙ୍କ ଏ ପ୍ରଶ୍ନର ଉତ୍ତର ଦେବା ସମ୍ଭବ ନୁହେଁ, ତେଣୁ ସେ ନିଶ୍ଚୟ ଚୁପ୍‌ ରହିବେ। କିନ୍ତୁ ଶେଖ୍‌ ହସିନା ଯଦି ପ୍ରକୃତରେ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ହକ୍‌ଦାର (ଅନେକ ଅଯୋଗ୍ୟ ବ୍ୟକ୍ତି ଅବଶ୍ୟ ଅତୀତରେ ଏ ପୁରସ୍କାର ପାଇଛନ୍ତି) ତେବେ ସପ୍ତଦଶ ଶତାବ୍ଦୀର ପ୍ରସିଦ୍ଧ ଇଂରେଜ କବି ଜନ୍‌ ଡନ୍‌ଙ୍କ ସୁପରିଚିତ କବିତା ‘ଫର୍‌ ହୁମ୍‌ ଦି ବେଲ୍‌ ଟଲ୍‌ସ’ର ଏହି କାଳଜୟୀ ଧାଡ଼ି କେତୋଟି ମନେ ରଖିବା ଉଚିତ: ‘‘ଇଚ୍‌ ମ୍ୟାନ୍‌’ସ ଡେଥ୍‌ ଡିମିନିସେସ୍‌ ମି, ଫର୍‌ ଆଇ ଆମ୍‌ ଇନଭଲ୍‌ଭଡ ଇନ୍‌ ମ୍ୟାନ୍‌କାଇଣ୍ଡ।’’ (‘‘ପ୍ରତି ଲୋକର ମୃତ୍ୟୁ ମୋର କ୍ଷୟ ସାଧନ କରିଥାଏ, କାରଣ ମୁଁ ସମଗ୍ର ମାନବ ଜାତି ସହିତ ସମ୍ପୃକ୍ତ।’’)

ସମ୍ବନ୍ଧିତ ଖବର

Leave A Reply

Your email address will not be published.