କୁଣ୍ଠା ଦମନ

୨୦୧୬ ଜୁନ୍‌ ୮ ତାରିଖ ଦିନ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି ମନ୍ତ୍ରମୁଗ୍‌ଧ କରିବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଶେଷରେ ଭାରତ- ଆମେରିକା ସମ୍ପର୍କ ‘‘ଇତିହାସର କୁଣ୍ଠା’’ ଅତିକ୍ରମ କରିବାକୁ ଆରମ୍ଭ କରିଛି। ଆଜି ଦିଲ୍ଲୀଠାରେ ଆମେରିକାର ପରରାଷ୍ଟ୍ର ସଚିବ (ମନ୍ତ୍ରୀ) ମାଇକ୍‌ ପଂପିଓ ଏବଂ ପ୍ରତିରକ୍ଷା ସଚିବ(ମନ୍ତ୍ରୀ) ଜିମ୍‌ ମାଟିସ୍‌ଙ୍କର ଉପସ୍ଥିତିକୁ ସେଇ ପାରମ୍ପରିକ କୁଣ୍ଠା ଲଂଘନର ଏକ ଦୃଢ଼ ଉଦାହରଣ ରୂପେ ଯଥାର୍ଥରେ ବିଚାର କରାଯାଇପାରେ। ଏମିତିରେ ଦେଖିଲେ ଏ ଦୁଇ ଦେଶ ପରସ୍ପରର ପ୍ରାକୃତିକ ବନ୍ଧୁ ହେବା ଉଚିତ। କାରଣ, ଉଭୟ ଦେଶରେ ଦୃଢ଼ ଭାବରେ ସ୍ଥାପିତ ରାଜନୈତିକ ବ୍ୟବସ୍ଥା ହେଉଛି ଉଦାର ଗଣତନ୍ତ୍ର; ଗୋଟିଏ ପୃଥିବୀର ବୃହତ୍ତମ ଗଣତନ୍ତ୍ର ହୋଇଥିବା ବେଳେ ଅନ୍ୟଟି ହେଉଛି ସର୍ବାଧିକ ଶକ୍ତିଶାଳୀ ଗଣତନ୍ତ୍ର। ସତେ ଯେମିତି ଏହି ଉଦାରବାଦର ଜୀବନ୍ତ ପ୍ରମାଣ ସ୍ୱରୂପ ଆମେରିକାର ଏ ଦୁଇ ପୁରୁଷ ମନ୍ତ୍ରୀ ଭାରତର ପରରାଷ୍ଟ୍ର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଯେତେବେଳେ ତଥାକଥିତ ‘୨+୨ ଆଲୋଚନା’ ଆରମ୍ଭ କରିବେ, ସେତେବେଳେ ଆନ୍ତର୍ଜାତିକ ଗଣମାଧ୍ୟମରେ ଯେଉଁ ଦୃଶ୍ୟ ପ୍ରସାରିତ ହେବ, ତାହା ହେଲା ଟେବୁଲ୍‌ର ଆରପଟରେ ବସିଛନ୍ତି ଭାରତର ଦୁଇଜଣ ମହିଳା ମନ୍ତ୍ରୀ- ପରରାଷ୍ଟ୍ର ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରାମନ୍‌। ଲିଙ୍ଗଗତ ସାମ୍ୟ ହେଉଛି ରାଜନୈତିକ ଉଦାରବାଦର ଏକ ପ୍ରମୁଖ ଅଙ୍ଗ, ଏବଂ ସେ ସାମ୍ୟର ଏହାଠାରୁ ଅଧିକ ଶକ୍ତିଶାଳୀ ପ୍ରଦର୍ଶନ ଆଉ କ’ଣ ହୋଇପାରେ? ପୃଥିବୀର ଅନ୍ୟ କୌଣସି ଦେଶରେ ଏପରି ଦୃଶ୍ୟ କେବେ ଦେଖିବାକୁ ମିଳିନାହିଁ କି ମିଳିବ ନାହିଁ। ଏହା ଆମେରିକୀୟ ମାନଙ୍କ ଧ୍ୟାନ କେବେହେଲେ ଏଡ଼ାଇ ଯିବ ନାହିଁ।

କିନ୍ତୁ ଶୀତଳ ଯୁଦ୍ଧ ସମୟର କ୍ଷମତା ସମୀକରଣର ଚାପ ଯୋଗୁଁ ଭାରତ ସ୍ୱାଧୀନ ହେବା ପରଠାରୁ ଆମେରିକା ସର୍ବଦା ପାକିସ୍ତାନ ସହିତ ଅଧିକ ଘନିଷ୍ଠ ସମ୍ପର୍କ ରକ୍ଷା କରି ଆସିଥିବା ବେଳେ ଭାରତ ପ୍ରତି ଏକ ଶୀତଳ ଭାବ ପ୍ରକାଶ କରି ଆସିଛି। ଯଦିବା ଇସ୍‌ଲାମ୍‌ ଓ ଗଣତନ୍ତ୍ର ହେଉଛନ୍ତି ପରସ୍ପରର ପରିପନ୍ଥୀ ବୋଲି ସୁବିଦିତ, ସେ ଅଞ୍ଚଳରେ ରୁଷିଆର ପ୍ରଭାବକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆମେରିକା ଇସ୍‌ଲାମୀୟ ଦେଶ ପାକିସ୍ତାନକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଅକୁଣ୍ଠିତ ଭାବରେ ଯୋଗାଇ ଆସୁଥିଲା। ପାକିସ୍ତାନ ଏହାର ଦୁରୁପଯୋଗ କରି ସେ ସବୁକୁ ଭାରତ ବିରୁଦ୍ଧରେ ବ୍ୟବହାର କରୁଥିଲା ଏବଂ ସେଠାରେ ସକ୍ରିୟ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନ ମାନଙ୍କୁ ପରିପୁଷ୍ଟ କରୁଥିଲା, ଯେଉଁମାନେ ପୂର୍ବପଟେ ଭାରତ ଓ ପଶ୍ଚିପଟେ ଆଫଗାନିସ୍ତାନରେ ସେମାନଙ୍କର ନରସଂହାର ରଚନା କରି ଚାଲିଥାନ୍ତି। ଅତୀତର ପ୍ରାୟ ସମସ୍ତ ଆମେରିକା ରାଷ୍ଟ୍ରପତିମାନେ ଏକଥା ଜାଣି ମଧ୍ୟ ପାକିସ୍ତାନ ପ୍ରତି ସର୍ବଦା କୋହଳ ମନୋଭାବ ପ୍ରଦର୍ଶନ କରି ଆସିଛନ୍ତି।

ସେ ଦେଶର ବର୍ତ୍ତମାନର ରାଷ୍ଟ୍ରପତି କିନ୍ତୁ ଯେ ସମ୍ପୂର୍ଣ୍ଣ ଭିନ୍ନ ଧାତୁରେ ଗଢ଼ା, ଏହା ବିଶ୍ୱ ସମୁଦାୟକୁ ଆଉ ଅବିଦିତ ନାହିଁ। ତେଣୁ ୨୦୧୮ ସାଲ ଆରମ୍ଭରେ ତାଙ୍କର ସର୍ବପ୍ରଥମ ‘ଟ୍ଵିଟ୍‌’ରେ ଟ୍ଵିଟର୍‌ ପ୍ରିୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ପାକିସ୍ତାନକୁ ନିଶାଣ କରି ସେ ଦେଶ ବିରୁଦ୍ଧରେ ‘‘ମିଥ୍ୟାଚାର ଓ ଶଠତା’’ ଅଭିଯୋଗ ଆଣି କହିଥିଲେ ଯେ ଆମେରିକା ନିର୍ବୋଧଙ୍କ ଭଳି ‘‘ଆତଙ୍କବାଦୀମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀ’’ ଯୋଗାଉଥିବା ଏକ ଦେଶକୁ ସାହାଯ୍ୟ ଯୋଗାଇ ଚାଲିଛି। ଟ୍ରମ୍ପ୍‌ ହେଉଛନ୍ତି ଏକ ବିରଳ ରାଜନେତା ଯାହାଙ୍କର କଥା ଓ କାର୍ଯ୍ୟ ମଧ୍ୟରେ କୌଣସି ତଫାତ୍‌ ଦେଖାଯାଇ ନାହିଁ। ତେଣୁ କେହି ଆଶ୍ଚର୍ଯ୍ୟ ହୋଇ ନଥିବେ ଯେତେବେଳେ ଶନିବାର ଦିନ ଆମେରିକାର ପ୍ରତିରକ୍ଷା ବିଭାଗ ‘ପେଣ୍ଟାଗନ୍‌’ ଆତଙ୍କବାଦୀଙ୍କ ମୁକାବିଲା କରିବାରେ ବିଫଳ ହେବା ଅଭିଯୋଗରେ ପାକିସ୍ତାନ ପାଇଁ ଉଦ୍ଦିଷ୍ଟ ୩୦୦ ନିୟୁତ ଡଲାର୍‌ ସାହାଯ୍ୟ ରାଶି ବାତିଲ୍‌ କରିଦେବା ଘୋଷଣା କଲା। ଆମୋଦ ଦାୟକ ଭାବରେ ପାକିସ୍ତାନରେ ଏ ନେଇ ଆମେରିକା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ଯେଉଁଥିରେ ପ୍ରତିବାଦର ଅଂଶ ସ୍ୱରୂପ ଟ୍ରମ୍ପ୍‌ଙ୍କ ପ୍ରତିକୃତି ପ୍ରତି ବିଭିନ୍ନ ପ୍ରକାର ଅପମାନ ପ୍ରଦର୍ଶନ କରାଯାଇଛି। ଆମୋଦଦାୟକ ଏଇଥିପାଇଁ ଯେ ପାକିସ୍ତାନୀମାନଙ୍କର ଏତାଦୃଶ ଆଚରଣ ସେହିପରି ହୋଇଛି ଯେପରି ଭିକ ନ ପାଇଲେ ଜଣେ ଜଣେ ଭିକାରି ଉତ୍‌କ୍ଷିପ୍ତ ହୋଇ ଯାଉଥିବା ଦେଖାଯାଇଥାଏ।

ଏହି ପୃଷ୍ଠଭୂମିରେ ଗତକାଲି ଏ ଦୁଇ ଆମେରିକୀୟ ସଚିବଙ୍କର ସଂକ୍ଷିପ୍ତ ପାକିସ୍ତାନ ଗସ୍ତ ଏକ ଯାନ୍ତ୍ରିକ ଔପଚାରିକତା ମାତ୍ର ରହିଥିବା ବେଳେ ଆଜି ଦିଲ୍ଲୀଠାରେ ସେମାନଙ୍କର ଆଲୋଚନାର ବିଷୟବସ୍ତୁ ହେବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ- ଉଭୟ ଦେଶ ମଧ୍ୟରେ ନିରାପତ୍ତା ଏବଂ ସାମରିକ ସହଯୋଗର ଦୃଢ଼ୀକରଣ। ଚଳିତବର୍ଷ ଆମେରିକା ଏ ଦିଗରେ କେତେକ ନିଶ୍ଚିତ ପଦକ୍ଷେପ ନେଇଥିବା ଏଥିପୂର୍ବରୁ ମଧ୍ୟ ଦେଖାଯାଇଛି। ଏସିଆ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଆମେରିକାର ସାମରିକ କମାଣ୍ଡର୍‌ ନାମ ‘ପାସିଫିକ୍‌ କମାଣ୍ଡ୍‌’ରୁ ବଦଳାଇ ଏବେ କରି ଦିଆଯାଇଛି। ‘ଇଣ୍ଡୋ-ପାସିଫିକ୍‌ କମାଣ୍ଡ୍‌’। ପୃଥିବୀର ଏହି ଭାଗରେ ଆଞ୍ଚଳିକ ନିରାପତ୍ତା ରକ୍ଷା କରିବାରେ ଭାରତର କେନ୍ଦ୍ରୀୟ ଭୂମିକାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ନାମକରଣରେ ଏହି ପରିବର୍ତ୍ତନ କରାଯାଇଛି। ପୁଣି ଡୋନାଲ୍‌ଡ ଟ୍ରମ୍ପ୍‌ ରୁଷିଆ ବିରୁଦ୍ଧରେ ଲାଗୁ କରିଥିବା ବିଭିନ୍ନ ଅର୍ଥନୈତିକ ବାସନ୍ଦ ଜାଲରେ ରୁଷିଆ ସହିତ ଅର୍ଥନୈତିକ- ସାମରିକ ସମ୍ପର୍କ ଯୋଗୁ ଭାରତ ଯେପରି ପଡ଼ି ନଯାଏ, ଆମେରିକୀୟ କଂଗ୍ରେସ ତାହା ନିଶ୍ଚିିତ କରିବା ଲାଗି ଭାରତ ପାଇଁ ବିଶେଷ ରିହାତି ବ୍ୟବସ୍ଥା କରିଛି। ଗୁରୁତ୍ୱପୂର୍ଣ୍ଣ ଭାବରେ ଟ୍ରମ୍ପ୍‌ ପ୍ରଶାସନ ଭାରତକୁ ବିରଳ ‘‘ଷ୍ଟ୍ରାଟେଜିକ୍‌ ଟ୍ରେଡ୍‌ ଅଥରାଇଜେସନ୍‌୧’’ ମର୍ଯ୍ୟାଦା ପ୍ରଦାନ କରିଛି ଯାହା ଭାରତ ସହିତ ଉଚ୍ଚ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବାଣିଜ୍ୟ କାରବାରକୁ ନିର୍ବିଘ୍ନ କରିବା ପାଇଁ ଉଦ୍ଦିଷ୍ଟ। ସେହିପରି ଏକ ଉନ୍ନତ ଲଢ଼ୁଆ ସଶସ୍ତ୍ର ଚାଳକ ବିହୀନ ବାୟୁଯାନ (ୟୁଏଭି) ଭାରତକୁ ବିକ୍ରୟ କରାଯିବା ପ୍ରସ୍ତାବ ମଧ୍ୟ ବିଚାରାଧୀନ ଅଛି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଅନ୍ତର୍ଗତ ସାମରିକ ପ୍ରକଳ୍ପ ମାନଙ୍କରେ ଆମେରିକା ଅଭୂତପୂର୍ବ ଭାବରେ ଅଂଶଗ୍ରହଣ କରିବାକୁ ଯାଉଛି। ସର୍ବାଧିକ ଉଲ୍ଲେଖଯୋଗ୍ୟ, ଦୁଇ ଦେଶ ଯେ ସାମରିକ ସହଭାଗିତାରେ ଆନ୍ତରିକ ଭାବରେ ପରସ୍ପରର ନିକଟତର ହେବାରେ ଲାଗିଛନ୍ତି, ତାହାର ସବୁଠାରୁ ବଳିଷ୍ଠ ପ୍ରମାଣ ହେଉଛି ‘‘କମ୍ୟୁନିକେସନ୍‌ସ କମ୍ପାନିବିଲିଟି ଆଣ୍ଡ୍‌ ସିକ୍ୟୁରିଟି ଆଗ୍ରିମେଣ୍ଟ୍‌ (କମ୍‌କାସା)’’, ଯାହା ଏକ ଦଶନ୍ଧି ହେବ କାର୍ଯ୍ୟ କରୁଛି। ଆଶା ବର୍ତ୍ତମାନ ଉଭୟ ଦେଶର ଅନୁକୂଳ ନେତୃତ୍ୱଠାରୁ ଶେଷ ଠେଲା ପାଇ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଇତିହାସର କୁଣ୍ଠା ଉପରେ ଅନ୍ତିମ ବିଜୟ ହାସଲ କରିବ।

ସମ୍ବନ୍ଧିତ ଖବର