ଆଗୁଆ ଭୋଟ-ଏକ ରଣନୀତି!

0 282

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏକ ସ୍ଥିର ସରକାର ଚାଲୁଛି। ସରକାରଙ୍କ ସପକ୍ଷରେ ଲୋକସଭାରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ସମର୍ଥନ ରହିଛି। ଗତ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ବେଳେ ଏହା ପ୍ରମାଣିତ। ଚଳିତ ଲୋକସଭାର ପାଞ୍ଚବର୍ଷିଆ କାର୍ଯ୍ୟକାଳ ସରିବାକୁ ଆହୁରି ଆଠମାସରୁ ଅଧିକ ସମୟ ବାକି ଅଛି। ସେହିପରି ଲୋକସଭା ସହ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିବା ଓଡ଼ିଶାରେ ମଧ୍ୟ ଲଗାତାର ଚତୁର୍ଥ ପାଳି ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥିର ସରକାର ଚାଲିଛି। ଶହେ ସତଚାଳିଶ ଜଣିଆ ବିଧାନସଭାରେ କ୍ଷମତାସୀନ ଦଳର ସଦସ୍ୟ ସଂଖ୍ୟା ୧୧୮। ସ୍ୱାଭାବିକ ପରିସ୍ଥିିତିରେ ଆସନ୍ତା ୨୦୧୯ ଏପ୍ରିଲ୍‌ ମେ’ ପୂର୍ବରୁ ଲୋକସଭା କିମ୍ବା ଓଡ଼ିଶା ବିଧାନସଭା ନିର୍ବାଚନର ସମ୍ଭାବନା ନାହିଁ। ଏମିତି କିଛି ରାଜନୈତିକ ଅସ୍ଥିରତା କିମ୍ବା ଅନ୍ୟ କୌଣସି ପ୍ରକାର ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ ଯେ ଆଗୁଆ ନିର୍ବାଚନର ଆବଶ୍ୟକତା ପଡ଼ିବ। ଅଥଚ ବୁଧବାର ଦିନ ଓଡ଼ିଶାରେ କ୍ଷମତାସୀନ ବିଜେଡିର ଏକ ପ୍ରଦିନିଧି ଦଳ ମୁଖ୍ୟ ନିର୍ବାଚନ କମିସନରଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଭାବେ ଜଣାଇ ଦେଇଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ଲୋକସଭା ନିର୍ବାଚନ ହୁଏ, ତେବେ ତା’ସହ ଓଡ଼ିଶାରେ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ କରାଯାଉ। ଲୋକସଭା ଓ ବିଧାନସଭା ପାଇଁ ଆଗୁଆ ନିର୍ବାଚନାର ସମ୍ଭାବନା ବାତାବରଣରେ ଉଷ୍ଣତା ଓ ଉତ୍କଣ୍ଠା ଭରି ଦେଇଛି। ନା କେନ୍ଦ୍ରରେ, ନା ରାଜ୍ୟରେ ଆଗୁଆ ନିର୍ବାଚନର ସାମ୍ବିଧାନିକ ଆବଶ୍ୟକତା ଅଛି। ସାଧାରଣ ଜନମତ ମଧ୍ୟ ଆଗୁଆ ନିର୍ବାଚନ ସପକ୍ଷରେ ନାହିଁ। ଅନେକ ଏହାକୁ ଅଯଥା ବୋଝ ବିଚାର କରିପାରନ୍ତି। ତଥାପି ଆଗୁଆ ନିର୍ବାଚନର ସମ୍ଭାବନା ନେଇ ଏ କଳ୍ପନା ଜଳ୍ପନା କାହିଁକି? ଭୋଟର ମନୋଭାବ ତଥା ଭବିଷ୍ୟତ ଜନାଦେଶର ରୂପରେଖ ନେଇ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ନେତୃତ୍ୱଙ୍କ ଉତ୍କଣ୍ଠା ଏ କଳ୍ପନା ଜଳ୍ପନାର ଉତ୍ସ। ଗଭୀର ଆତ୍ମବିଶ୍ୱାସ ଭିତରେ ବି ଭବିଷ୍ୟତ ଜନାଦେଶର ଚିତ୍ରଚରିତ୍ର ନେଇ ବହଳ ଅନିଶ୍ଚିତତାରୁ ଉତ୍କଣ୍ଠାର ଜନ୍ମ। ଏହାହିଁ ଗଣତନ୍ତ୍ରର ସୌନ୍ଦର୍ଯ୍ୟ, ନିର୍ବାଚନର ଚମତ୍କାରିତା। ଅନିଶ୍ଚିତତା ପ୍ରସୂତ ଉତ୍କଣ୍ଠା ଜନିତ ବ୍ୟଗ୍ରତା ରାଜନୈତିକ ରାଣନୀତିରେ ରୂପାନ୍ତରିତ ହେବାର ଅନେକ ନଜିର ରହିଛି। ୨୦୦୪ରେ ନିର୍ଦ୍ଧାରିତ ସମୟରେ ସାତ ମାସ ପୂର୍ବରୁ ଲୋକସଭା ଭଙ୍ଗ କରି ତତ୍କାଳୀନ ବାଜପେୟୀଙ୍କ ଏନ୍‌ଡିଏ ସରକାର ଆଗୁଆ ନିର୍ବାଚନ କରାଇଥିଲେ। ଅବଶ୍ୟ, ଏହା ଏକ ଭିନ୍ନ କଥା ଯେ, ୨୦୦୪ରେ ବାଜପେୟୀଙ୍କ ଇଚ୍ଛା ବିରୋଧରେ ସ୍ଥିର ହୋଇଥିବା ‘ଆଗୁଆ ନିର୍ବାଚନ’ ରଣନୀତି ସଫଳ ହୋଇ ପାରି ନଥିଲା।

ଏହା ସତ୍ତ୍ୱେ ‘ଆଗୁଆ ନିର୍ବାଚନ’ ଯେ ଏକ ପ୍ରଭାବଶାଳୀ ରଣକୌଶଳ, ଏହାର ତାଜା ଉଦାହରଣ ହେଲା ତେଲେଙ୍ଗାନାରେ କ୍ଷମତାସୀନ ଟିଆର୍‌ଏସ୍‌ ସରକାରଙ୍କ ବିଧାନସଭା ଭଙ୍ଗ ନିଷ୍ପତ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ସି. ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ବିଧାନସଭା ଭଙ୍ଗ କରି ଆଗୁଆ ନିର୍ବାଚନ ପାଇଁ ପଥ ପରିଷ୍କାର କରାଯାଇଛି। ସମ୍ଭବତଃ ତିନିଟି ବିଜେପି ଶାସିତ ରାଜ୍ୟ- ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ସହ ତେଲେଙ୍ଗାନା ବିଧାନସଭା ପାଇଁ ନିର୍ବାଚନ ହୋଇପାରେ। ଅବଶ୍ୟ, ନିର୍ବାଚନ ତାରିଖ ନେଇ ନିର୍ବାଚନ କମିସନ୍‌ ରୂଡ଼ାନ୍ତ ନିଷ୍ପତ୍ତି ନେବେ। ୧୧୯ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଆର୍‌ଏସ୍‌ର ସଂଖ୍ୟା ୯୦। ସରକାର ସ୍ଥିର ଥିଲା। ନୀତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ଟିଆର୍‌ଏସ୍‌ ସୁପ୍ରିମୋ ସମର୍ଥନ ଘୋଷଣା ମଧ୍ୟ କରିଥିଲେ। ଏହାସତ୍ତ୍ୱେ ୨୦୧୯ ଏପ୍ରିଲ୍‌-ମେ’ରେ ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଅପେକ୍ଷା ନ କରି ଆଗୁଆ ଭୋଟ ପାଇଁ ଯିବା ଏକ ରଣକୌଶଳ। ଏ ନିଷ୍ପତ୍ତି ପଛର କାରଣ ହେଲା, ଆଞ୍ଚଳିକ ଦଳ, ଟିଆର୍‌ଏସ୍‌ ଲୋକସଭା ସହ ଏକାସଙ୍ଗେ ରାଜ୍ୟ ବିଧାନସଭା ନିର୍ବାଚନ ଚାହାନ୍ତି ନାହିଁ। ଦଳର ଆଶଙ୍କା ଯେ, କେନ୍ଦ୍ରୀୟ ଓ ରାଜ୍ୟ ତଥା ଆଞ୍ଚଳିକ ପ୍ରସଙ୍ଗ ନେଇ ମତଦାତା ବିଭ୍ରାନ୍ତିରେ ପଡ଼ିପାରନ୍ତି, ଯାହାଫଳରେ ବିଧାନସଭାରେ ଟି.ଆର୍‌.ଏସ୍‌.ର ସମ୍ଭାବନା ପ୍ରଭାବିତ ହୋଇପାରେ। ଭୋଟରଙ୍କ ମଧ୍ୟରେ ଏ ଦ୍ୱନ୍ଦ୍ୱକୁ ଏଡ଼ାଇ ରାଜ୍ୟ ପ୍ରସଙ୍ଗକୁ ଆୟୁଧ କରି ଜନାଦେଶ ହାସଲ ପାଇଁ ଏହା ଏକ ରଣନୀତି। ଟି.ଆର୍‌.ଏସ୍‌.ର ଏ ଆଗୁଆ ନିର୍ବାଚନ ନିଷ୍ପତ୍ତି ପୁଣିଥରେ ଭାରତ ଭଳି ବିଶାଳ ବିବିଧତାପୂର୍ଣ୍ଣ, ସଂଘୀୟ ବ୍ୟବସ୍ଥା ଥିବା ଦେଶରେ ଏକକ ନିର୍ବାଚନର ବାସ୍ତବ କ୍ରିୟାନ୍ଵୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ତେଲେଙ୍ଗାନାର ‘ଆଗୁଆ ନିର୍ବାଚନ’କୁ ଏକ ରଣକୌଶଳ ଭାବେ ଗ୍ରହଣ କରିବା ପଛରେ ଟି.ଆର୍‌.ଏସ୍‌.ର ଯେଉଁ ବାଧ୍ୟବାଧକତା ବା କାରଣ ରହିଛି, ଓଡ଼ିଶା ଓ କେନ୍ଦ୍ରରେ ‘ଆଗୁଆ ନିର୍ବାଚନ’ ନେଇ ପ୍ରକାଶ ପାଇଥିବା କଳ୍ପନା ଜଳ୍ପନାର କାରଣ ତା’ଠାରୁ ଭିନ୍ନ। ତେଲେଙ୍ଗାନାର ଟି.ଆର୍‌.ଏସ୍‌. ଫାଇଦା ମିଳିବା ଆଶାରେ ରାଜ୍ୟ ବିଧାନସଭା ପାଇଁ ପୃଥକ୍‌ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ କ୍ଷମତାସୀନ ବିଜେଡି ଲୋକସଭା ସହ ଏକାସଙ୍ଗେ ବିଧାନସଭା ନିର୍ବାଚନ ପାଇଁ ଆଗ୍ରହୀ। ଏହାର କାରଣ ଏଥିରୁ ଦଳ ଫାଇଦା ଆଶାରେ ଅଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଏକା ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କ୍ଷମତାସୀନ ବିଜେଡିକୁ ସୁହାଇ ଆସିଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ସମର୍ଥନ କରି ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ସପକ୍ଷରେ ମତ ଦେଇ ଆସୁଥିବା ବିଜେଡି ପୁଣିଥରେ ଆନୁଷ୍ଠାନିକ ଭାବେ ଏ ବିଷୟ ନିର୍ବାଚନ କମିସନଙ୍କୁ ମନେ ପକାଇବାର ଆବଶ୍ୟକତା କାହିଁକି ଅନୁଭବ କଲା? ସମ୍ଭବତଃ, ଆଗୁଆ ଲୋକସଭା ନିର୍ବାଚନ ହେଲେ କୌଣସି କାରଣରୁ ବାଦ୍‌ ପଡ଼ିବାର ‘ଆଳ’ର ସୁଯୋଗ ଦେବାକୁ ବିଜେଡି ଚାହେଁ ନାହିଁ। ଚଉଦରେ ଲୋକସଭା ସହ ବିଧାନସଭା ନିର୍ବାଚନ ହୋଇଥିବା ଆଉ କେତେକ ରାଜ୍ୟର ସରକାର ଆଗୁଆ ନିର୍ବାଚନକୁ ପସନ୍ଦ କରି ନପାରନ୍ତି। ସେମାନଙ୍କ ସହ ଓଡ଼ିଶା ଯଦି ବାଦ୍‌ ପଡ଼ିଯାଏ, ତେବେ ତାହା ବିଜେଡି ପାଇଁ ଅନୁକୂଳ ହୋଇନପାରେ। ସେଥିପାଇ ବିଜେଡି ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ନିଶ୍ଚିତ କରିବାକୁ ଏ ପଦକ୍ଷେପ ନେଇଛି। ଲୋକସଭା ସହ ବିଧାନସଭା ଭଙ୍ଗ ହେଲେ ସୁଦ୍ଧା ଏକା ସମୟରେ ନିର୍ବାଚନକୁ ଏଡ଼ାଇ ଦେବାର ଅନେକ ବାଟ ରହିଛି।

କେନ୍ଦ୍ରରେ ଏକ ସ୍ଥିର ଓ ଦୃଢ଼ ଥିବା ସତ୍ତ୍ୱେ ‘ଆଗୁଆ ଲୋକସଭା’ ନିର୍ବାଚନ ନେଇ ରାଜନୈତିକ ମହଲରେ କଳ୍ପନା ଜଳ୍ପନାର କାରଣ ଭିନ୍ନ। ବିଜେପିର ତୁଙ୍ଗ ସ୍ତରରେ ଏ ନେଇ ମାନସ ମନ୍ଥନ ଚାଲିଛି, ଏଥିପାଇଁ ଯେ, ଆଉ କିଛି ମାସ ପରେ ଦଳର ସରକାର ଥିବା ତିନିଟି ପ୍ରମୁଖ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଗାମୀ ଉଣେଇଶ ଲଢ଼େଇକୁ ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଯାଇ ପାରୁନାହିଁ। ଦଳର ଆକଳନ ହେଲା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳର ପ୍ରଦର୍ଶନ ଯଦି ଆଶାଜନକ ନ ହୁଏ, ତେବେ ସାଧାରଣ ନିର୍ବାଚନରେ ଦଳର ସମ୍ଭାବନା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିପାରେ। ବିଗତ କେତେକ ଉପ-ନିର୍ବାଚନର ଫଳାଫଳ ଓ ଆଉ କେତେକ ଘଟଣାକ୍ରମ ଓ ପାରମ୍ପରିକ ସରକାର ବିରୋଧୀ ପରିବେଶ ପରିପ୍ରେକ୍ଷୀରେ ଏହି ତିନିଟି ରାଜ୍ୟରେ ବିଜେପିର ପ୍ରଦର୍ଶନକୁ ନେଇ ନେତୃତ୍ୱର ଆଶା ଅପେକ୍ଷା ଆଶଙ୍କା ଅଧିକ। ପ୍ରତିକୂଳ ପ୍ରଭାବର ଆଶଙ୍କାକୁ ଏଡ଼ାଇବା ପାଇଁ ରଣନୀତି ସ୍ୱରୂପ ତିନିଟି ରାଜ୍ୟର ବିଧାନସଭା ସହ ଲୋକସଭା ନିର୍ବାଚନ କରାଇବା ବିଷୟ ଉପରେ ଚିନ୍ତା କରାଯାଉଛି।

ତେଲେଙ୍ଗାନାରେ ବିଧାନସଭା ଭଙ୍ଗ ନିଷ୍ପତ୍ତିରୁ ଏହା ପ୍ରମାଣିତ ହୋଇସାରିଛି, ଯଦି ଏକା ସମୟରେ ଲୋକସଭା ଓ ବିଧାନସଭା ପାଇଁ ଆଗୁଆ ନିର୍ବାଚନ ନେଇ ଚାଲିଥିବା କଳ୍ପନା ଜଳ୍ପନା ବାସ୍ତବତାରେ ରୂପାୟିତ ହୁଏ, ତେବେ ପୁଣି ଥରେ ପ୍ରମାଣିତ ହେବ ଯେ, କୌଣସି ସାମ୍ବିଧାନିକ କାରଣରୁ କିମ୍ବା ଅନ୍ୟ ବାଧ୍ୟବାଧ୍ୟକତାରୁ ନୁହେଁ, ବରଂ ରାଜନୈତିକ ସୁବିଧା ପାଇଁ ‘ଆଗୁଆ ନିର୍ବାଚନ’ ଏକ ରଣକୌଶଳ; ଯାହାର ଉତ୍ସ ଅନିଶ୍ଚିତତାର ଶିକାର କ୍ଷମତାସୀନ ଦଳ ଓ ନେତୃତ୍ୱଙ୍କ ମାତ୍ରାତିରିକ୍ତ ଉତ୍କଣ୍ଠା ଓ ଅସ୍ଥିରତା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.