ନୂଆ ପଦ୍ଧତି, ନୂଆ ସମ୍ଭାବନା

0 123

ଆଇନର ଜାଲରେ ଛନ୍ଦି ହୋଇଥିବା ଓ୍ଵାର୍ଡ ଆରକ୍ଷଣ ପ୍ରସଙ୍ଗ ଅଦାଲତରେ ବିଚାରାଧୀନ ଥିବା ପରିପ୍ରେକ୍ଷୀରେ ରାଜ୍ୟରେ ପୌର-ନିର୍ବାଚନ ନେଇ ଅନିଶ୍ଚିତତା ଲାଗି ରହିଛି। ଏହା ନିକଟ ଭବିଷ୍ୟତରେ ଦୂର ହେବା ସମ୍ଭାବନା କ୍ଷୀଣ। ଚଳିତ ମାସ ୧୯ ତାରିଖରେ ପୂରିବାକୁ ଯାଉଥିବା ୬୫ଟି ପୌରସଂସ୍ଥାର କାର୍ଯ୍ୟକାଳ ବୃଦ୍ଧି କିମ୍ବା ପରିଷଦ ଭଙ୍ଗ କରି ପ୍ରଶାସକ ନିଯୁକ୍ତି ବିଷୟ ଉପରେ ସରକାରଙ୍କ ସର୍ବୋଚ୍ଚ ସ୍ତରରେ ବିଚାର ବିମର୍ଶ ଚାଲିଛି। ଆଜି ଦିନରେ ପରିସ୍ଥିତି ଯାହା, ସେଥିରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ପୌର ନିର୍ବାଚନର ଆଶା ନାହିଁ।

ତେବେ, ରାଜ୍ୟର ପାଞ୍ଚଟି ପୌର ନିଗମ, ୪୫ଟି ପୌର ପରିଷଦ ଏବଂ ୬୨ଟି ବିଜ୍ଞପିତ ଅଞ୍ଚଳ ପରିଷଦ (ମୋଟ ୧୧୨ ପୌର ସଂସ୍ଥା) ପାଇଁ ପରବର୍ତ୍ତୀ ନିର୍ବାଚନ ଯେତେବେଳେ ବି ହେବ, ବର୍ତ୍ତମାନର ପଦ୍ଧତିଠାରୁ ଭିନ୍ନ ହେବ; ଯାହା ପୌର ସଂସ୍ଥାର ସାଂଗଠନିକ ଚିତ୍ର, ଚରିତ୍ର ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖୁଛି। ପୌର ସଂସ୍ଥାର ମୁଖ୍ୟ ରାଜନୈତିକ କାର୍ଯ୍ୟନିର୍ବାହୀ- ମେୟର, ପୌରାଧ୍ୟକ୍ଷ (ନଗରପାଳ) ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ପରୋକ୍ଷ ପରିବର୍ତ୍ତେ ପ୍ରତ୍ୟକ୍ଷ ନିର୍ବାଚନ ହେବ। ନିର୍ବାଚନ ପଦ୍ଧତିରେ ଏ ପରିବର୍ତ୍ତନ ସକାଶେ ପୌର ଆଇନରେ ଆବଶ୍ୟକ ସଂଶୋଧନ ଲାଗି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ସରକାରୀ ଭାବେ ଖବରକୁ ଖଣ୍ଡନ କରାଯାଇ ନଥିବାରୁ ପୌରାଧ୍ୟକ୍ଷ ନିର୍ବାଚନ ପଦ୍ଧତିରେ ପରିବର୍ତ୍ତନ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି ବୋଲି ଯଦି ଧରି ନିଆଯାଏ, ତେବେ ଏହା ଗୋଟିଏ ସକାରାତ୍ମକ ପଦକ୍ଷେପ। ସହରାଞ୍ଚଳରେ ବସବାସ କରୁଥିବା ରାଜ୍ୟ ଲୋକସଂଖ୍ୟାର ୧୬.୬୯% (୭୦ ଲକ୍ଷରୁ ଅଧିକ)ଙ୍କ ଦୈନନ୍ଦିନ ସମସ୍ୟା, ପୌରସେବା ନେଇ ଆଶା ଆକାଂକ୍ଷା ସହ ଏହି ନିଷ୍ପତ୍ତି ଯୋଡ଼ି ହୋଇଛି। ଅବଶ୍ୟ, ପୌରାଞ୍ଚଳ ଭୋଟରଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ପୌରସଂସ୍ଥା ମୁଖ୍ୟମାନଙ୍କ ନିର୍ବାଚନ ବ୍ୟବସ୍ଥା ଏହା ପ୍ରଥମ  ନୁହେଁ। ପୂର୍ବରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ବ୍ୟବସ୍ଥାର ପ୍ରବର୍ତ୍ତନ କରାଯାଇଥିଲା। ୧୯୯୨ରେ ବହୁ ପୌରସଂସ୍ଥାର ଅଧ୍ୟକ୍ଷ ଭୋଟରଙ୍କ ଦ୍ୱାରା ସିଧାସଳଖ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସରକାରଙ୍କ ଅମଳରେ ପୁଣି ମ୍ୟୁନିସିପାଲ୍‌ ଆଇନରେ ସଂଶୋଧନ କରାଯାଇ ପୌରାଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ଉଚ୍ଛେଦ ହେଲା। ପୁଣି ଅପ୍ରତ୍ୟକ୍ଷ ନିର୍ବାଚନର ବ୍ୟବସ୍ଥା ହେଲା। ପୌରପରିଷଦକୁ ପୌରାଞ୍ଚଳ ଓ୍ଵାର୍ଡରୁ ନିର୍ବାଚିତ ହୋଇ ଆସୁଥିବା ସଦସ୍ୟଙ୍କ ଦ୍ୱାରା ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ବ୍ୟବସ୍ଥାର ପ୍ରବର୍ତ୍ତନ ହେଲା। ଏହି ବ୍ୟବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ରହିଛି। ପୌର ପରିଷଦରେ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ଭୋଟରେ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି।

ପ୍ରତ୍ୟକ୍ଷ ଭାବେ ପୌରାଧ୍ୟକ୍ଷ ନିର୍ବାଚନ ନିଶ୍ଚିତ ଭାବେ ଅଧିକ ଗଣତାନ୍ତ୍ରିକ। ଏହାଦ୍ୱାରା ‘ଫାଷ୍ଟ ଆମଙ୍ଗ୍‌ ଦି ଇକ୍ୱାଲ୍‌ସ’ ଭାବେ ପୌରାଧ୍ୟକ୍ଷଙ୍କ ପ୍ରତିଷ୍ଠା ବଢ଼ିବ। ଏହା ସହ ଉଭୟ ଆଇନ ଓ ନୈତିକତା ଦୃଷ୍ଟିରୁ ସେ ଅଧିକ କ୍ଷମତାର ହକ୍‌ଦାର ହୋଇପାରିବେ। ଏହା ଅଧ୍ୟକ୍ଷଙ୍କୁ ଭୋଟରଙ୍କ ପାଖରେ ଅଧିକ ଉତ୍ତରଦାୟୀ ମଧ୍ୟ କରିବ। ସହରାଞ୍ଚଳରେ ଲୋକସଂଖ୍ୟା ଯେପରି ବୃଦ୍ଧି ପାଇ ଚାଲିଛି, ସହରୀକରଣ ଜନିତ ନୂଆ ନୂଆ ସମସ୍ୟା ଦେଖାଦେଉଛି, ସେ ଦୃଷ୍ଟିରୁ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ଜନପ୍ରତିନିଧି ଅଧିକ ପ୍ରଭାବଶାଳୀ ହୋଇପାରିବେ ବୋଲି ଆଶା କରାଯାଏ। ୨୦୦୧ ଜନଗଣନା ତୁଳନାରେ ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାର ସହରାଞ୍ଚଳ  ଲୋକସଂଖ୍ୟା ପ୍ରାୟ ୧୫ ଲକ୍ଷ ବୃଦ୍ଧି ପାଇ ୭୦ ଲକ୍ଷ ଟପି ଯାଇଥିଲା। ଗତ ସାତ ବର୍ଷରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଲୋକସଂଖ୍ୟା ବୃଦ୍ଧି ହାର ଅଧିକ। ସହରୀ ଲୋକସଂଖ୍ୟା ଓ ସହରାଞ୍ଚଳର ସଂପ୍ରସାରଣ ଫଳରେ କେତେକ ପୌରସଂସ୍ଥାର ପାହ୍ୟାରେ ଉନ୍ନତି ହୋଇଛି ଓ ଆଉ କେତେକ ନୂଆ ପୌରସଂସ୍ଥା ଗଠିତ ହୋଇଛି। ପୌରସଂସ୍ଥା ଗୁଡ଼ିକର କାର୍ଯ୍ୟ ପରିସର ମଧ୍ୟ କ୍ରମାଗତ ଭାବେ ସଂପ୍ରସାରିତ ହୋଇଚାଲିଛି। ସହରୀ ଜୀବନର କେନ୍ଦ୍ରରେ ଥିବା ପୌରସଂସ୍ଥା ଗୁଡ଼ିକ ମାର୍ଫତରେ ବିବିଧ ଉନ୍ନୟନ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ପରିମଳଠାରୁ ଆରମ୍ଭ କରି ବାସଗୃହ  ଯୋଗାଣ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ପର୍ଯ୍ୟନ୍ତ ମୌଳିକ ସାମାଜିକ କ୍ଷେତ୍ରରେ ପୌରସଂସ୍ଥା ଗୁଡ଼ିକର ଦାୟିତ୍ୱ ବହୁଗୁଣ ବଢ଼ିଯାଇଛି।

ଏହି ପରିବର୍ତ୍ତନ ପରିପ୍ରେକ୍ଷୀରେ ଉନ୍ନତ ଗୁଣାତ୍ମକ ମାନର ପୌର ସେବା ନିଶ୍ଚିତ କରିବା ସକାଶେ ପ୍ରତ୍ୟକ୍ଷ ଭାବେ ସହରବାସୀଙ୍କ ଦ୍ୱାରା ନିର୍ବାଚିତ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀର ବ୍ୟବସ୍ଥା ନିଶ୍ଚୟ ସମୟୋପଯୋଗୀ। ଦେଶର ଆହୁରି ଅନେକ ରାଜ୍ୟରେ ଏହି ବ୍ୟବସ୍ଥା ବର୍ତ୍ତମାନ ପ୍ରଚଳିତ। ଏହାଦ୍ୱାରା ପୌରାଞ୍ଚଳ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମର ପରିକଳ୍ପନା ଓ କ୍ରିୟାନ୍ଵୟନ ଅଧିକ ପ୍ରଭାବଶାଳୀ ହୋଇ ପାରିବ। ପୌର ପ୍ରଶାସନ ଅଧିକ ସମ୍ବେଦନଶୀଳ ଏବଂ ଉତ୍ତରଦାୟୀ ହେବ। ପରୋକ୍ଷ ନିର୍ବାଚନ ସହ ଯୋଡ଼ି ହୋଇଥିବା ରାଜନୈତିିକ ମୂଲଚାଲ, ଅନ୍ୟ ଚାପର ଆଶଙ୍କା ନରହିଲେ ପ୍ରତ୍ୟକ୍ଷ ନିର୍ବାଚିତ ପୌରାଧ୍ୟକ୍ଷ ପୌର ପ୍ରଶାସନକୁ ଠିକଣା ନେତୃତ୍ୱ ଦେଇପାରିବେ। ଅସ୍ଥିରତା ପାଇଁ ବିଶେଷ ଅବକାଶ ରହିନପାରେ।

ଅବଶ୍ୟ, ମନେ ରଖିବାକୁ ପଡ଼ିବ ଯେ, ପ୍ରତ୍ୟକ୍ଷ ଭାବେ ପୌରାଧ୍ୟକ୍ଷଙ୍କ ନିର୍ବାଚନର ବ୍ୟବସ୍ଥା ହୋଇଗଲେ ପୌର ପ୍ରଶାସନ ଓ ପୌରସେବାରେ ଆପେ ଗୁଣାତ୍ମକ ପରିବର୍ତ୍ତନ ଆସିଯିବ ନାହିଁ। ଈପ୍‌ସିତ ପରିବର୍ତ୍ତନ ପାଇଁ କେବଳ ପୌରାଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ପୌର ଆଇନର ପ୍ରସ୍ତାବିତ ସଂଶୋଧନ କେବଳ ଅଧ୍ୟକ୍ଷ ନିର୍ବାଚନ ପଦ୍ଧତିର ପରିବର୍ତ୍ତନରେ ସୀମିତ ନରଖି, ପୌରାଧ୍ୟକ୍ଷଙ୍କ ହାତରେ ଅଧିକ କ୍ଷମତା ପ୍ରଦାନ, ପୌରସଂସ୍ଥା ଗୁଡ଼ିକୁ ସ୍ୱୟଂଶାସନ ସହ  ଅଧିକ ଦାୟିତ୍ୱ ପ୍ରଦାନ ଲାଗି ମଧ୍ୟ ବ୍ୟବସ୍ଥା ଆବଶ୍ୟକ। ଯେଉଁ ସହରବାସୀ ପ୍ରତ୍ୟକ୍ଷ ଭାବେ ନଗରପାଳଙ୍କୁ ବାଛିବେ, ସେମାନଙ୍କର ଆଶା ଆକାଂକ୍ଷା ପୂରଣ ଲାଗି ଏହା ଏକାନ୍ତ ଆବଶ୍ୟକ। ୭୩ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ସମ୍ବିଧାନର ଦ୍ୱାଦଶ ପରିଚ୍ଛଦରେ ଅଠରଟି ବିଷୟ ପୌରସଂସ୍ଥାଙ୍କ ପରିସରଭୁକ୍ତ କରିବା ଲାଗି ବ୍ୟବସ୍ଥା ରହିଛି। କିନ୍ତୁ ଓଡ଼ିଶାରେ ଏହାର ଅଧା ଦାୟିତ୍ୱ ଅଦ୍ୟାବଧି ପୌରସଂସ୍ଥାଙ୍କୁ ହସ୍ତାନ୍ତର ହୋଇନାହିଁ। ଏ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ଯେ, ପୌରାଧ୍ୟକ୍ଷଙ୍କୁ ଅଧିକ କ୍ଷମତା ଓ ପୌରସଂସ୍ଥାକୁ ସ୍ୱୟଂଶାସନ ସହ ଅଧିକ ଦାୟିତ୍ୱ ଦେବା ବେଳେ ଉତ୍ତରଦାୟିତ୍ୱ ଲାଗି ଯେମିତି ଯଥେଷ୍ଟ ବ୍ୟବସ୍ଥା ରହେ। ଅନ୍ୟଥା କ୍ଷମତାର ଦୁରୁପଯୋଗର ଆଶଙ୍କା ରହିଛି। ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପୌରାଧ୍ୟକ୍ଷ ଅଧିକ କ୍ଷମତା ଆଳର ଯେମିତି ସ୍ୱେଚ୍ଛାଚାରୀ ହେବାର ସୁଯୋଗ ନପାଆନ୍ତି,  ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଇ ଆବଶ୍ୟକ ‘ରକ୍ଷାକବଚ’ର ବ୍ୟବସ୍ଥା ଦରକାର। ପରିଷଦର ଅନ୍ୟ ସଦସ୍ୟ-ଓ୍ଵାର୍ଡକାଉନ୍‌ସିଲର୍‌ଙ୍କ ଭୂମିକାକୁ ମଧ୍ୟ ନ୍ୟୂନ କରାଯାଇ ନ ପାରେ। ପୌରପାଳଙ୍କ ପୂରା ସହର ପ୍ରତି ଯେମିତି ଦାୟିତ୍ୱ ଓ ସବୁ ସହରବାସୀଙ୍କ ପ୍ରତି ଉତ୍ତରଦାୟୀ, ଓ୍ଵାର୍ଡ କାଉନ୍‌ସିଲର୍‌ ମଧ୍ୟ ନିଜ ଓ୍ଵାର୍ଡର ଉନ୍ନୟନ ପ୍ରତି ସେମିତି ଉତ୍ତରଦାୟୀ। ପୌରାଧ୍ୟକ୍ଷ, ଓ୍ଵାର୍ଡମେମ୍ବରଙ୍କ ମଧ୍ୟରେ ସହଯୋଗ ଓ ସମନ୍ଵୟ ଏକାନ୍ତ ଆବଶ୍ୟକ।

ଆଶା, ପ୍ରସ୍ତାବିତ ପୌର ଆଇନର ସଂଶୋଧନ କେବଳ ପୌରାଧ୍ୟକ୍ଷ ନିର୍ବାଚନ ପଦ୍ଧତିର ପରିବର୍ତ୍ତନରେ ସୀମିତ ନ ରହି, ସହରୀକରଣର ଆହ୍ଵାନ, ସହରୀଲୋକଙ୍କ ଆଶା, ଆକାଂକ୍ଷାକୁ ଆଖି ଆଗରେ ରଖି ସାମଗ୍ରିକ ଭାବେ ପୌର ପ୍ରଶାସନର ସଂସ୍କାର ପ୍ରତି ମଧ୍ୟ ସମୁଚିତ ଦୃଷ୍ଟି ଦିଆଯିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.