ଦାମ ଉପାଖ୍ୟାନ, ଏଥୁ ଅନ୍ତେ..?

ଅନୁଭବ ରାଜନୀତିର ପ୍ରବକ୍ତା ବୋଲି ଦାବି କରୁଥିବା ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ଡ. ଦାମୋଦର ରାଉତ ନିଜ ଅନୁଭବ, ଅଭିଜ୍ଞତାରୁ କିଛି ଶିକ୍ଷା ଲାଭ କଲେ ନାହିଁ। ଭୁଲ ପାଇଁ ଦଣ୍ଡ ସତ୍ତ୍ୱେ ସେହି ସମାନ ଭୁଲ ଦୋହରାଇଛନ୍ତି। ବେଲଗାମ୍‌ ତୁଣ୍ଡ ପାଇଁ ତାଙ୍କୁ ପୁଣି କଡ଼ା ମୂଲ୍ୟ ଦେବାକୁ ପଡ଼ିଛି। ଜିହ୍ଵା ଉପରେ ନିୟନ୍ତ୍ରଣ ହରାଇ ଅଳ୍ପ କିଛି ମାସ ତଳେ ଉଭୟ ମନ୍ତ୍ରୀ ଓ ଦଳୀୟ ପଦରୁ ବିଦା ହୋଇଥିବା ଡ. ରାଉତଙ୍କୁ ବିଜେଡି ନେତୃତ୍ୱ ଦଳରୁ ବହିଷ୍କାର କରିଛନ୍ତି। ଅବଶ୍ୟ, ଆଉ କେତେଦିନ ଦଳର ସୁପ୍ରିମୋ ଅଣ୍ଟିରେ ନିଆଁ ଧରି ବୁଲିଥାନ୍ତେ! ଡ. ରାଉତଙ୍କ ଦଳ ବିରୋଧୀ ବୟାନ, ବିଶୃଙ୍ଖଳା ବରଦାସ୍ତର ସୀମା ଡେଇଁବାକୁ ବସିଥିଲା। ଶେଷରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚରମ ନିଷ୍ପତ୍ତି ନେଇ ଡ. ରାଉତଙ୍କୁ ଦଳରୁ ପ୍ରସ୍ଥାନ ଦ୍ୱାର ଦେଖାଇଛନ୍ତି। ଦଳୀୟ ନେତୃତ୍ୱଙ୍କ ଏହି ନିଷ୍ପତ୍ତି ଆଦୌ ଅପ୍ରତ୍ୟାଶିତ ନଥିଲା। ବିଗତ କିଛି ଦିନର ରାଜନୈତିକ ଘଟଣାକ୍ରମ ପରିପ୍ରେକ୍ଷୀରେ କୌଣସି ସମୟରେ ବି ଏ ପ୍ରକାର କଠୋର ପଦକ୍ଷେପ ନିଆଯାଇପାରେ ବୋଲି ସମ୍ଭାବନା ଲାଗି ରହିଥିଲା। ଝୁଲି ରହିଥିବା ଡେମୋକ୍ଳିସ୍‌ ଖଣ୍ଡା ଶେଷରେ ପଡ଼ିଛି।

ନିଜ ଦଳର ସରକାରଙ୍କ ବିଭିନ୍ନ ବିଭାଗରେ ଦୁର୍ନୀତି ଓ ଅନିୟମିତତା ପ୍ରସଙ୍ଗରେ ଡ. ରାଉତଙ୍କ ବୟାନ ଶାସକ ଦଳକୁ ଘେରିବା ଲାଗି ବିରୋଧୀଙ୍କୁ ଯଥେଷ୍ଟ ବାରୁଦ ଯୋଗାଇ ଚାଲିଥିଲା। ଦଳୀୟ ନେତୃତ୍ୱର କର୍ତ୍ତୃତ୍ୱକୁ ଆହ୍ଵାନ ଦେଲା ଭଳି ବୟାନ ଦେଇ ଅଭିଜ୍ଞ ଡ. ରାଉତ ବସ୍ତୁତଃ ବହିଷ୍କାରକୁ ଆମନ୍ତ୍ରଣ ଜଣାଇଥିଲେ। ଶେଷ ମୁହୂର୍ତ୍ତରେ ‘ଆତ୍ମରକ୍ଷା’ ପାଇଁ ନେତାଙ୍କ ବନ୍ଦନା ଗାନ କରି ସେ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ଲାଗି ଚେଷ୍ଟା କରିଥିଲେ। କିନ୍ତୁ ଦାମଙ୍କ ଏ ‘ଗୋଇଠା ମାରି ବିଷ୍ଣୁ’ କୌଶଳ କାମ ଦେଖାଇ ପାରିଲା ନାହିଁ। ଏହା ପ୍ରଥମ ନୁହେଁ, ଯେତେବେଳେ ସାତଥରର ବିଧାୟକ, ଉଭୟ ପିତା ବିଜୁ ଓ ପୁତ୍ର ନବୀନଙ୍କ ସରକାରରେ ଦୀର୍ଘ ସମୟ ଧରି ମନ୍ତ୍ରୀ ରହିଥିବା ଡ. ରାଉତ ଶୃଙ୍ଖଳା ଭଙ୍ଗ ପାଇଁ ଦଳୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ବିଗତ ଅଠର ବର୍ଷର ବିଜେଡି ଶାସନରେ ସେ ତିନି ଥର ମନ୍ତ୍ରୀମଣ୍ଡଳରୁ ବିଦା ହୋଇଛନ୍ତି। ୨୦୦୬ ଓ ୨୦୧୧ରେ ପ୍ରଥମ ଓ ଦ୍ୱିତୀୟ ଥର ମନ୍ତ୍ରୀପଦରୁ ବିଦା ହେବା ପରେ ସେ ପୁଣି ପଦ ଫେରି ପାଇଥିଲେ। କିନ୍ତୁ ୨୦୧୭ରେ ଜାତିଆଣ ବୟାନ ଯୋଗୁ ବିବାଦରେ ଛନ୍ଦି ହୋଇ ମନ୍ତ୍ରୀମଣ୍ଡଳରୁ ବିଦା ହେବା ପରେ ଡ. ରାଉତ ଆଉ ଫେରି ପାରି ନ ଥିଲେ। ଅଗତ୍ୟା, ରାଜନୈତିକ ଜୀବନର ସାୟାହ୍ନରେ ହତାଶା ଭିତରେ ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଛି।

ଗତ କିଛି ଦିନର ଘଟଣାକ୍ରମ ପରିପ୍ରେକ୍ଷୀରେ ଡ. ରାଉତଙ୍କ ବହିଷ୍କାର ନେଇ କୌଣସି ଉତ୍କଣ୍ଠା ନଥିଲା। କେବଳ ଅପେକ୍ଷା ଥିଲା କାର୍ଯ୍ୟାନୁଷ୍ଠାନ କେବେ? ସେଥିପାଇଁ କ୍ୱଚିତ କୌଣସି ମହଲରେ ଦାମଙ୍କ ବହିଷ୍କାର ନେଇ ବିସ୍ମୟ ପ୍ରକାଶ ପାଇଛି। ଏପରିକି ଖୋଦ୍‌ ଡ. ରାଉତଙ୍କୁ ମଧ୍ୟ ଏହା ଆଶ୍ଚର୍ଯ୍ୟ କରି ନଥିବ। ଏହା ଥିଲା ଦାମ ଉପାଖ୍ୟାନର ଉତ୍କଣ୍ଠା ବିହୀନ ପ୍ରଥମ ଭାଗ, ଏହାର ଦ୍ୱିତୀୟ ଭାଗ ନେଇ ନିଶ୍ଚୟ ଉତ୍କଣ୍ଠା ରହିବ। ବିଜେଡିରୁ ବହିଷ୍କାର ପରେ ପଞ୍ଚସ୍ତରି ବୟସ୍କ ଅନୁଭବୀ ଡ. ରାଉତ କୌପୀନ ମାରି ମଠକୁ ଯିବା ଆଶା କରାଯାଏ ନାହିଁ। ତାଙ୍କର ରାଜନୈତିକ କାର୍ଯ୍ୟ ପରିସର କେବଳ ‘ବିଜୁ ବିଚାର ମଞ୍ଚ’ରେ ମଧ୍ୟ ସୀମିତ ରହିବ ନାହିଁ। ଦାମ ବାବୁ ନିଶ୍ଚୟ ବିଜେଡି ବାହାରେ ରାଜନୈତିକ ଜୀବନ ପାଇଁ କିଛି ବିକଳ୍ପ ଚିନ୍ତା କରିଥିବେ। କ’ଣ ସେ ବିକଳ୍ପ? ଡ. ରାଉତଙ୍କ ରାଜନୈତିକ ଜୀବନ ଆଗାମୀ ଦିନରେ କି ମୋଡ଼ ନେବ? ଏହି ଅଭିଜ୍ଞ ନେତାଙ୍କ ରାଜନୈତିକ ଜୀବନର ଗତିପଥ ପରିବର୍ତ୍ତନ ବିଜେଡି ଉପରେ କ’ଣ ପ୍ରଭାବ ପକାଇବ? ବିଶେଷ କରି, ଆଗାମୀ ଊଣେଇଶ ଲଢ଼େଇରେ ଦାମ କେଉଁ ପକ୍ଷ ସହ ରଣାଙ୍ଗନରେ ଉଭା ହେବେ? ଏ ସବୁ ପ୍ରଶ୍ନ ନିଶ୍ଚୟ ଆଗାମୀ କିଛି ଦିନ ଧରି ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆନ୍ଦୋଳିତ କରି ରଖିବ। ଏ ନେଇ କଳ୍ପନା ଜଳ୍ପନା ରାଜ୍ୟ ରାଜନୀତିର ବାତାବରଣକୁ ବେଶ୍‌ ସରଗରମ କରି ରଖିବ।

ପ୍ରଥମେ ବିଜେଡି ବାହାରେ ଡ. ରାଉତଙ୍କ ଆଗାମୀ ରାଜନୈତିକ ଜୀବନ ଓ କ୍ଷମତାସୀନ ଦଳ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ଉପରେ ଆଲୋଚନା କରାଯାଉ। ଇତିହାସ ଏହାର ସାକ୍ଷୀ ଯେ, ଡ. ରାଉତଙ୍କ ଭଳି ଯେତେସବୁ ‘ହେଭିେଓ୍ଵଟ୍‌’ ଘଟଣାଚକ୍ରରେ କିମ୍ବା ସମୟର ସୁଅରେ ବିଜେଡିରୁ ବିଦା ହୋଇଛନ୍ତି, ସେମାନେ ନିଜେ ବ୍ୟକ୍ତିଗତ ରାଜନୈତିକ ଥଇଥାନ ପାଇଁ ସଂଘର୍ଷ କରିଛନ୍ତି ସିନା, ଦଳ ଉପରେ ତା’ର କୌଣସି ପ୍ରତିକୂଳ ପ୍ରଭାବ ଲକ୍ଷ୍ୟ କରାଯାଇନାହିଁ। ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଭାବେ ବିଜୟ ମହାପାତ୍ର, ଦିଲୀପ ରାୟ ପ୍ରମୁଖ ‘ହେଭିେଓ୍ଵଟ୍‌’ଙ୍କ ଯେଭଳି ପତିଆରା, ପ୍ରତିଷ୍ଠା ଓ ଦଳ ପ୍ରତି ଅବଦାନ ଥିଲା, ଡ. ରାଉତଙ୍କ ବିଜେଡିରେ ପତିଆରା ସେମାନଙ୍କ ଠାରୁ ଊଣା। ଯଦିଓ, ନିଜକୁ ଜଣେ ଶ୍ରେଷ୍ଠ ବିଜୁ ଅନୁଗତ ଭାବେ ସେ ଅଧିକ ପ୍ରଚାର କରି ଆସିଛନ୍ତି। ବିଜେଡି ଗଠନକୁ ପ୍ରାରମ୍ଭରୁ ବିରୋଧ କରି ଦାମ ଏହାକୁ ‘ଗେଣ୍ଡା ଦଳ’ବୋଲି କହିଥିଲେ। ଗଠନର ଦୁଇବର୍ଷ ପରେ ଯାଇ ସେ ବିଜେଡିରେ ଯୋଗ ଦେଇଥିଲେ। ଯେତେବେଳେ ବିଜୟ ମହାପାତ୍ର ଓ ତାଙ୍କ ଭଳି ଅନ୍ୟ ପ୍ରତିଷ୍ଠାତା ସଦସ୍ୟଙ୍କ ବିଦାୟ ବିଜେଡିର ଉତ୍ତରଣକୁ ରୋକି ପାରି ନଥିଲା, ସେତେବେଳେ ଦାମଙ୍କ ଯୋଗୁ ବିଜେଡି ବିଶେଷ କ୍ଷତିଗ୍ରସ୍ତ ହେବା ସମ୍ଭାବନା କ୍ଷୀଣ।

ଅନ୍ୟପକ୍ଷରେ ଦାମବାବୁ ବିଜେଡି ପ୍ରତିପକ୍ଷ ଯେଉଁ ଶିବିରକୁ ଯିବେ, ଏ ଅନୁଭବୀ ନେତାଙ୍କୁ ପାଇ ସେହି ଦଳ ଯେ ଲାଭାନ୍ଵିତ ହେବ, ଏ ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ। ଅବଶ୍ୟ, ଦାମବାବୁଙ୍କ କାର୍ଯ୍ୟଶୈଳୀ ଯାହା, ସେଥିରେ ଏହା ମଧ୍ୟ ନିଃସର୍ତ୍ତ କିମ୍ବା ନିଶ୍ଚିତ ନୁହେଁ। ବିଜେଡିରୁ ଦାମଙ୍କ ବିଦାୟ ପରେ ଆଉ ଏକ ରାଜନୈତିକ ସମ୍ଭାବନାକୁ ଅଣଦେଖା କରାଯାଇ ନପାରେ। ବିଧାନସଭା ନିର୍ବାଚନକୁ ଅଳ୍ପ ସମୟ ବାକିଥିବା ବେଳେ ଆଉ ଏକ ଆଞ୍ଚଳିକ ଦଳ ଗଠନ ଲାଗି ଚାଲିଥିବା କସରତ ତ୍ୱରାନ୍ଵିତ ହୋଇପାରେ। କିନ୍ତୁ କେଉଁମାନେ ଏହି ନୂତନ ଦଳକୁ ଆସିବେ? ବର୍ତ୍ତମାନ ପରିସ୍ଥିତିରେ କେବଳ ‘ନବୀନ ପୀଡ଼ିତ’ ପୂର୍ବତନ ବିଜେଡି ନେତାଙ୍କ ଏକ ମେଳି ଗୋଟିଏ ରାଜନୈତିକ ଦଳ ଗଠନ ଲାଗି ଯଥେଷ୍ଟ ହୋଇ ନପାରେ। ପୂର୍ବତନ ବିଜେଡି ନେତାଙ୍କ ମେଳି ଗୋଟିଏ ରାଜନୈତିକ ଗୋଷ୍ଠୀର ରୂପ ନେଇ ଯଦି ଅନ୍ୟ ଏକ ଜାତୀୟ ଦଳ ସହ ହାତ ମିଳାଏ, ତେବେ ବିଜେଡିର ସମ୍ଭାବନା ଉପରେ ଏହାର କ’ଣ ପ୍ରଭାବ ପଡ଼ିବ? ଏ ସବୁ କେବଳ କଳ୍ପନାଜଳ୍ପନା ମାତ୍ର। ବର୍ତ୍ତମାନ ସମୟରେ ଏହାର ଆଧାରରେ କୌଣସି ପ୍ରକାର ରାଜନୈତିକ ଆକଳନ ବା ଭବିଷ୍ୟବାଣୀ ସଂପୂର୍ଣ୍ଣ ଅବାସ୍ତବ ଓ କଳ୍ପନା ବିଳାସ ମାତ୍ର।

ବିଜେଡିରୁ ଦାମଙ୍କ ବହିଷ୍କାର ଦଳର ନେତୃତ୍ୱ ପକ୍ଷରେ ଏକଦମ ସହଜ ଥିଲା। ଏହାର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବକୁ ପ୍ରତିହତ କରିବା ଲାଗି ବିଜେଡିର ରଣ କୌଶଳ ଅକୁଳାଣ ପଡ଼ି ନ ପାରେ। କିନ୍ତୁ ବିଦା ହେବା ପୂର୍ବରୁ ଦାମବାବୁ ସରକାରରେ ଦୁର୍ନୀତି ଓ ଅନିୟମିତତା ନେଇ ଯେଉଁ ଅଭିଯୋଗ ଉଠାଇଛନ୍ତି, ତା’ର ସମ୍ଭାବ୍ୟ ପ୍ରଭାବର ସାମନା କରିବା ଦଳ ପକ୍ଷରେ ଏତେ ସହଜ ହୋଇ ନପାରେ। ଦୀର୍ଘ ଦିନ ଧରି ମନ୍ତ୍ରୀ ଥିବା ବେଳେ ପାଟିରେ ତୁଣ୍ଡି ବାନ୍ଧିଥିବା ଦାମବାବୁ ହଠାତ୍‌ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ ଅଭିଯୋଗ ଆଣିଛନ୍ତି। ଏହାର ବିଶ୍ୱସନୀୟତା ଉପରେ ନିଶ୍ଚୟ ପ୍ରଶ୍ନ ଉଠିବ। ଗତାନୁଗତିକ ଭାବେ ଏହାକୁ ଅଭିସନ୍ଧିମୂଳକ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଉଡ଼ାଇ ଦିଆଯାଇପାରେ। କିନ୍ତୁ ଦାମଙ୍କ ଅଭିଯୋଗରୁ ଖିଅ ଧରି ବିରୋଧୀ ଦଳ ଅଭିଯାନ ଚାଲୁ ରଖିଲେ ତାର ତାତି ସରକାରୀ ଦଳ ଯେ ଅନୁଭବ ନ କରିବ, ତାହା କୁହାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର