ସମ୍ମାନର ସହ ବଞ୍ଚିବା ଅଧିକାର

ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ ନ୍ୟାୟ। କିନ୍ତୁ ଦୀର୍ଘ ଚବିଶ ବର୍ଷ ପରେ ଦେଶର ସର୍ବୋଚ୍ଚ ଅଦାଲତରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ନାମ୍ବିି ନାରାୟଣନ୍‌ଙ୍କୁ ମିଳିଥିବା ନ୍ୟାୟ ନିଶ୍ଚିତ ଭାବେ ଏକ ସୁଖଦ ବ୍ୟତିକ୍ରମ। ୧୯୯୪ର କପୋଳକଳ୍ପିତ ତଥାକଥିତ ‘ଇସ୍ରୋ ଗୁପ୍ତଚର’ ମାମଲାରେ ଅନ୍ୟାୟର ଶିକାର ନାରାୟଣନ୍‌ଙ୍କ ସପକ୍ଷରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଏକ ତିନିଜଣିଆ ଖଣ୍ଡପୀଠ ଦେଇଥିବା ରାୟ ଜୀବନର ସାୟାହ୍ନରେ ପୂର୍ବତନ ବୈଜ୍ଞାନିକଙ୍କୁ ଯେତିକି ବଡ଼ ଏକ ଆଶ୍ୱସ୍ତି ନୁହେଁ, ବ୍ୟବସ୍ଥା ଦ୍ୱାରା ତାଙ୍କ ଭଳି ଆକ୍ରୋଶର ଶିକାର ଅନ୍ୟ ଅଗଣିତ ନିରୀହ ନ୍ୟାୟାଶ୍ରିତଙ୍କ ପାଇଁ ତା’ଠାରୁ ବଡ଼ ଏକ ଆଶା। ବ୍ୟକ୍ତି ଅଧିକାରର ସୁରକ୍ଷା ଓ ଏହାର ପରିସୀମା ସମ୍ପ୍ରସାରିତ କରିବାର ଉଜ୍ଜ୍ୱଳ ପରମ୍ପରାକୁ ବଜାୟ ରଖି ସୁପ୍ରିମ୍‌ କୋର୍ଟ ଭାରତୀୟ ନାଗରିକଙ୍କ ସମ୍ମାନର ସହ ବଞ୍ଚିବା ଓ ବ୍ୟକ୍ତିଗତ ଆତ୍ମସମ୍ମାନକୁ ପୁଣି ମୌଳିକ ଅଧିକାରର ସ୍ୱୀକୃତି ଦେଇଛନ୍ତି।

ବୈଜ୍ଞାନିକ ନାରାୟଣନ୍‌ଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଥ୍ୟା ଓ କପୋଳକଳ୍ପିତ ଥିଲା ବୋଲି ସ୍ପଷ୍ଟ କରି ମାନ୍ୟବର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ଏହି ଅଭିସନ୍ଧିମୂଳକ ଷଡ୍‌ଯନ୍ତ୍ର ପଛର ଖଳନାୟକ ପୁଲିସ୍‌ ଅଧିକାରୀମାନେ ଯେମିତି ଆଇନର ସମ୍ମୁଖୀନ ହୁଅନ୍ତି, ତା’ର ମଧ୍ୟ ବିହିତ ବ୍ୟବସ୍ଥା କରିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ବୈଜ୍ଞାନିକ ନାରାୟଣନ୍‌ଙ୍କୁ ଫସାଇ ଥିବା ଉଚ୍ଚପଦସ୍ଥ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସୁପାରିସ ଲାଗି ଖଣ୍ଡପୀଠ ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଡି.କେ. ଜୈନଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ କରିଛନ୍ତିି। କମିଟିର ଅନ୍ୟ ଦୁଇଜଣ ସଦସ୍ୟଙ୍କ ମଧ୍ୟରେ ଜଣେ କେରଳ ସରକାର ଓ ଅନ୍ୟ ଜଣକ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ହେବେ। ଏହା ପଦର ଅପବ୍ୟବହାର କରୁଥିବା ଅନ୍ୟ ପୁଲିସ୍‌ ଅଫିସରଙ୍କ ପାଇଁ ଏକ ଚେତାବନୀ। ମିଥ୍ୟାକୁ ଢାଲ କରି ସତ୍ୟର ଜ୍ୱାଳାରୁ ବର୍ତ୍ତିବା ସମ୍ଭବ ନୁହେଁ। ଦିନେନା ଦିନେ ସତ୍ୟର ଦଂଶନ ଭୋଗିବାକୁ ପଡ଼ିବ। ଏହା ସତ ଯେ ବୈଜ୍ଞାନିକ ନାରାୟଣନ ବିଗତ ୨୪ ବର୍ଷ ଧରି ଯେଉଁ ଗଭୀର ମାନସିକ ର୍ଯାତନା, ସାମାଜିକ ଲାଞ୍ଛନା ଓ ଆତ୍ମଦାହ ଦେଇ ଯାଇଥିବେ, ତାର କ୍ଷତି ଭରଣା କରିବା ସମ୍ଭବ ନୁହେଁ। କିନ୍ତୁ ସୁପ୍ରିମ୍‌ କୋର୍ଟ ମଞ୍ଜୁର କରିଥିବା ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ନ୍ୟାୟ ପାଇଁ ଦୀର୍ଘ ସଂଘର୍ଷରେ ନାରାୟଣନ୍‌ଙ୍କ ବିଜୟର ପ୍ରତୀକ। ତେବେ ପ୍ରତୀକାତ୍ମକ ଭାବେ ନାରାୟଣନ୍‌ଙ୍କୁ ସିନା କିଛି କ୍ଷତିପୂରଣ ମିଳିଲା, ଜଣେ ବିଜ୍ଞାନୀଙ୍କୁ ଗୁପ୍ତଚର ଆରୋପରେ ଗବେଷଣାରୁ ଦୂରେଇ ନେବା ଫଳରେ ଭାରତୀୟ ବିଜ୍ଞାନର ଯେଉଁ କ୍ଷତି ହେଲା, ତାହା ପୂରଣ କରିବ କିଏ?

କବିବର ରାଧାନାଥ ରାୟ ଦରବାର ମହାକାବ୍ୟରେ ଲେଖିଛନ୍ତି: ‘‘ମୁହିଁ ଅଟଇ ପୁଲିସ, ବିନା ମେଘେ ସୃଜି ପାରଇ କୁଳିଶ।’’ ୧୯୯୪, ନଭେମ୍ବର ୩୦ ତାରିଖରେ ଆରମ୍ଭ ହୋଇ ସେପ୍‌ଟେମ୍ବର ୧୪, ୨୦୧୮ରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଇସ୍ରୋ ଗୁପ୍ତଚର କାହାଣୀ ଏହାର ଏକ ନଗ୍ନ ଉଦାହରଣ। କ୍ରାୟୋଜେନିକ ରକେଟ ନିର୍ମାଣ ନେଇ କେତେକ ତଥ୍ୟ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସ୍‌ଆଇ)କୁ ହସ୍ତାନ୍ତର କରିବା ଅଭିଯୋଗରେ କେରଳ ପୁଲିସ୍‌ ‘ଇସ୍ରୋ’ର ବୈଜ୍ଞାନିକ ନାମ୍ବି ନାରାୟଣନ୍‌ ଓ ତାଙ୍କର ଅନ୍ୟ ତିନିଜଣ ସହଯୋଗୀଙ୍କୁ ଗିରଫ କଲା। ପୁଲିସ୍‌ ପାଖରେ ଅଭିଯୁକ୍ତ ବୈଜ୍ଞାନିକ ମାନଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନଥିଲା। କେବଳ ସନ୍ଦେହ ଆଧାରରେ ଦେଶର ସୁରକ୍ଷା ସହ ଯୋଡ଼ି ହୋଇଥିବା ଏକ ସ୍ପର୍ଶକାତର ପ୍ରସଙ୍ଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଯେତିକି ସନ୍ଦିଗ୍‌ଧ ଓ ବିବାଦୀୟ ଥିଲା, ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ତା’ଠାରୁ ଅଧିକ ସନ୍ଦିଗ୍‌ଧ ଥିଲା। ଆମ ଦେଶରେ ମାଳଦ୍ୱୀପର ତିନିଜଣ ମହିଳାଙ୍କ ଉପସ୍ଥିତିକୁ ପ୍ରମାଣ ଭାବେ ଦର୍ଶାଇ ଅଭିଯୁକ୍ତଙ୍କୁ ଦେଶ ବିରୋଧୀ ଗୁପ୍ତଚର ଭାବେ ଉପସ୍ଥାପନ କରାଗଲା। କିନ୍ତୁ କେରଳ ପୁଲିସ୍‌ର ଏହି ମନଗଢ଼ା ଗୁପ୍ତଚର କାହାଣୀର ପର୍ଦ୍ଦାଫାସ ହେଲା ସେତେବେଳେ, ଯେତେବେଳେ ୧୯୯୬ରେ ସିବିଆଇ ତଦନ୍ତରୁ ସ୍ପଷ୍ଟ ହୋଇଗଲା ଯେ, ମାମଲା ପଛରେ କାଣିଚାଏ ସୁଦ୍ଧା ସତ୍ୟତା ନାହିଁ। ବୈଜ୍ଞାନିକଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ ପରେ ମୁଖ୍ୟତଃ ଜାତୀୟ ସୁରକ୍ଷା ଓ ଗୋଟିଏ କେନ୍ଦ୍ରୀୟ ସଂସ୍ଥା ସହ ସମ୍ପୃକ୍ତ ‘ଇସ୍ରୋ ଗୁପ୍ତଚର’ ମାମଲା ଉପରେ ଯବନିକା ପଡ଼ିବ ବୋଲି ଆଶା କରାଯାଉଥିଲା। ଏହା ଉପରେ ଆଉ ଅଧିକ ଅନୁସନ୍ଧାନର ଆବଶ୍ୟକତା ନଥିଲା। ଯେହେତୁ, ମାମଲା ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏହା ପଛରେ ଆକ୍ରୋଶ ଥିଲା, ରାଜ୍ୟ ସରକାର ସାନି ତଦନ୍ତ ଲାଗି ପୁଣି ଏକ ଏସ୍‌ଆଇଟି ଗଠନ କଲେ। ଏସ୍‌ଆଇଟି ବିରୋଧରେ ଆବେଦନ ହାଇକୋର୍ଟରେ ଖାରଜ ହୋଇଗଲା। କିନ୍ତୁ ମାନ୍ୟବର ସୁପ୍ରିମ୍‌ କୋର୍ଟରେ ହାଇକୋର୍ଟଙ୍କ ଆଦେଶ ନ୍ୟାୟିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲା ନାହିଁ।

ଉଚ୍ଚତମ ନ୍ୟାୟାଳୟ ବି ବୋଧହୁଏ ହାଇକୋର୍ଟଙ୍କ ଏସ୍‌ଆଇଟି ରାୟକୁ କାଏମ୍‌ ରଖିଥାନ୍ତେ, ଯଦି ସିବିଆଇ ତାର ତଦନ୍ତ ରିପୋର୍ଟ ସହ ଦାଖଲ କରିଥିବା ଏକ ଗୋପନୀୟ ରିପୋର୍ଟ ସମ୍ପର୍କରେ ଅବଗତ ହୋଇ ନଥାନ୍ତେ। ଏହି ରିପୋର୍ଟରେ ସିବିଆଇ ମାମଲାର ତଦନ୍ତରେ ଇଚ୍ଛାକୃତ ଅଭିସନ୍ଧିମୂଳକ ତ୍ରୁଟି ନେଇ କେରଳ ପୁଲିସ ଆଡ଼କୁ ଅଙ୍ଗୁଳି ଉଠାଇ ନିର୍ଦ୍ଦିଷ୍ଟ ଭାବେ ଅତିରିକ୍ତ ପୁଲିସ୍‌ ଡିଜି ସେବି ମାଥ୍ୟୁସ୍‌, ଏସ୍‌ପି କେ.କେ. ଯୋଶୁଆ ଏବଂ ଏସ୍‌. ବିଜୟନ୍‌ଙ୍କୁ ଦାୟୀ କରିଥିଲେ। ସୁପ୍ରିମ୍‌ କୋର୍ଟ ଏସ୍‌ଆଇଟି ତଦନ୍ତକୁ ଖାରଜ କରିବା ସହ ମିଥ୍ୟା ମାମଲାର ଶିକାର ବୈଜ୍ଞାନିକଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଲେ। ତେବେ ବିଡ଼ମ୍ବନା ହେଲା, ନିଜ ପଦର ଅପବ୍ୟବହାର ଓ କର୍ତ୍ତବ୍ୟରେ ଖିଲାପ କରିଥିବା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଗଲାନାହିଁ। ଅନ୍ୟପକ୍ଷରେ ସେମାନଙ୍କୁ ପଦୋନ୍ନତି ଦିଆଗଲା। ଏହା ଅନ୍ୟାୟ ଓ ପଦର ଅପବ୍ୟବହାରକୁ ପୃଷ୍ଠପୋଷକତା ଓ ସରକାରୀ ପ୍ରୋତ୍ସାହନ ନୁହେଁ ତ ଆଉ କ’ଣ? କଟା ଘା’ରେ ଚୂନ ସ୍ୱରୂପ ଜାତୀୟ ମାନବାଧିକାର କମିସନ୍‌ ମଞ୍ଜୁର କରିଥିବା ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ବିରୋଧରେ ଜଣେ କର୍ତ୍ତବ୍ୟରେ ଖିଲାପୀ ପୁଲିସ୍‌ ଅଧିକାରୀଙ୍କ ଆବେଦନ ଉପରେ ହାଇକୋର୍ଟ କ୍ଷତିପୂରଣ ଅର୍ଥ ନ ଦେବାକୁ ସରକାରଙ୍କୁ ନିର୍ଦେଶ ଦେଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ନାରାୟଣନ୍‌ ୨୦୧୨ରେ ସୁପ୍ରିମ୍‌କୋର୍ଟରେ ଆବେଦନ କଲେ। ଛଅ ବର୍ଷ ତଳର ଆବେଦନ ଉପରେ ଶୁକ୍ରବାର ସୁପ୍ରିମ୍‌କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇ ବୈଜ୍ଞାନିକଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ପଦର ଅପବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ଅଭିଯୁକ୍ତ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବାଟ ପରିଷ୍କାର କରିଛନ୍ତି।

ଦୁର୍ଭାଗ୍ୟଜନକ ଇସ୍ରୋ ଗୁପ୍ତଚର ପ୍ରକରଣ ପ୍ରମାଣ କରୁଛି ଯେ ଉପନିବେଶବାଦୀ ଶାସନରୁ ମୁକ୍ତ ଭାରତରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଶାସକ ଆଇନର ଶାସନର ରାଣ ଖାଉଥିବା ସତ୍ତ୍ୱେ ବାସ୍ତବତା ହେଲା ପୁଲିସ୍‌ର ‘ବିନା ମେଘେ ସୃଜି ପାରଇ କୁଳିଶ’ ଚରିତ୍ର ବ୍ରିଟିସ ଶାସନ ବେଳେ ଯେମିତି ଥିଲା, ଏବେ ସେମିତି ଅଛି। ଖାକିର ଔଦ୍ଧତ୍ୟପୂର୍ଣ୍ଣ କାରନାମାକୁ ନିର୍ବାଚିତ ସରକାରଙ୍କ ପୃଷ୍ଠପୋଷକତା ଓ ପ୍ରୋତ୍ସାହନର ମଧ୍ୟ ଏହା ଏକ ଦୁଃଖଦ ଦୃଷ୍ଟାନ୍ତ।

କଂଗ୍ରେସ ସରକାରଙ୍କ ପୃଷ୍ଠପୋଷକତାରେ ଏହି କପୋଳକଳ୍ପିତ କାହାଣୀର ଆରମ୍ଭ। କାହାଣୀକୁ ଆଗେଇ ନେବା ପଛରେ ବାମପନ୍ଥୀ ସରକାରଙ୍କ ପ୍ରୋତ୍ସାହନ। ପରିଣତି ନାରାୟଣନ୍‌ଙ୍କ ଭଳି ଜଣେ ନିରୀହ, ନିର୍ଦୋଷ ନାଗରିକ ଅନ୍ୟାୟର ଶିକାର ହୋଇ ମାନସିକ ନିର୍ଯାତନା, ସାମାଜିକ ଲାଞ୍ଛନା ଭିତରେ ପେଷି ହେଲେ। ତେବେ, ଇସ୍ରୋ ଗୁପ୍ତଚର ମାମଲା ଉପରୁ ସିନା ପରଦା ଉଠିଲା, ଅନୁରୂପ ଆହୁରି ଅନେକ ଷଡ଼୍‍ଯନ୍ତ୍ର ପ୍ରସୂତ କପୋଳକଳ୍ପିତ ମାମଲା ଆଢୁଆଳରେ ରହିଯାଉଛି। ଯେଉଁଥିରେ ନାମ୍ବିି ନାରାୟଣନ୍‌ଙ୍କ ଭଳି ଶହ ଶହ ନିର୍ଦୋଷ, ନିରୀହ ଛନ୍ଦି ହୋଇ ନିରବରେ ଅନ୍ୟାୟ ଓ ଅପମାନର ଅନ୍ଧାରରେ ଶଢ଼ୁଛନ୍ତି। ସେଭଳି ହତଭାଗ୍ୟ ଅନ୍ୟ ନାରାୟଣନ୍‌ମାନଙ୍କ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଶୁକ୍ରବାର ରାୟ ନିଶ୍ଚୟ ଏକ ଆଶାର କିରଣ। ଅନ୍ୟାୟ, ଅବିଚାର ବିରୋଧରେ ଲଢ଼େଇ ଜାରି ରଖ, ନ୍ୟାୟ, ଅଧିକାର ଅବଶ୍ୟ ହାସଲ ହେବ।

ସମ୍ବନ୍ଧିତ ଖବର