କଲୋସିଅମ୍‌!

ଆତ୍ମବଡ଼ିମାଜନିତ ନିର୍ବୋଧତାର ଏକ ସଂଯତ ତଥା ମର୍ମଭେଦୀ ବ୍ୟଙ୍ଗର ଅନୁକରଣୀୟ ଉଦାହରଣ ରୂପେ ଅତୁଳନୀୟ ମନୋଜ ଦାସଙ୍କର କାହାଣୀ ‘ବ୍ୟାଘ୍ରାରୋହଣ’ର ଶେଷ ଆଡ଼କୁ ମହାରାଜା ନିଜେ ଫାଶରେ ପଡ଼ିଥିବା ମହାବଳ ବାଘ ପିଠିରେ ବସିବା ପାଇଁ ହକ୍‌ଦାର ବୋଲି ଘୋଷଣା କରିଥିଲେ ହେଁ, ସେ ‘ଅତ୍ୟନ୍ତ ସ୍ୱାସ୍ଥ୍ୟବାନ୍‌’ ଶରୀରର ଅଧିକାରୀ ହୋଇଥିବାରୁ ଶେଷ ମୁହୂର୍ତ୍ତରେ ସେଥିପାଇଁ ଆସାମର୍ଥ୍ୟ ପ୍ରକାଶ କରିଥିଲେ। ତେବେ ରାଜାଙ୍କର ଅସାମର୍ଥ୍ୟର ଅର୍ଥ ନଥିଲା ଯେ ମନ୍ତ୍ରୀ କି ସେନାପତି କି କଟୁଆଳ କି ରଟୁଆଳ କି ମାଳୀ ଭଳି କୌଣସି ଅର୍ବାଚୀନ ଅଧସ୍ତନ କିମ୍ବା କୌଣସି ପ୍ରଜାଙ୍କୁ ସେ ସମ୍ମାନ ପ୍ରଦାନ କରାଯିବ। ରାଜା ତେଣୁ ତାଙ୍କର ଅତ୍ୟନ୍ତ ସ୍ୱାସ୍ଥ୍ୟବାନ୍‌ ମସ୍ତିଷ୍କ ବା କଥିତ ଭାଷାରେ କହିଲେ ଗଡ଼ଜାତିଆ ରଜାଗୋଜାସୁଲଭ ମୋଟା ବୁଦ୍ଧି ପ୍ରୟୋଗ କରି ସ୍ଥିର କଲେ ଯେ ତାଙ୍କ ସ୍ଥାନରେ ବ୍ୟାଘ୍ରାରୋହଣ କରିବେ ତାଙ୍କ ପୁତ୍ର ରାଜ କୁମାର। ବ୍ୟାଘ୍ରାରୋହଣର ଶେଷ ପରିଣତି କ’ଣ ହେବ ତାହା ଭଲ ରୂପେ ବୁଝିଥିବା କୁମର ଏଥିପାଇଁ ଘୋର ଅନିଚ୍ଛା ପ୍ରକାଶ କରିବା ସତ୍ତ୍ୱେ ଛାମୁଁଙ୍କ ଆଦେଶ ବଳରେ ସେ ପାଶବଦ୍ଧ ବାଘ ପିଠି ଉପରେ ଚଢ଼ି ବସିବାକୁ ବାଧ୍ୟ ହେଲେ। ତା’ପରେ ବାଘଟିର ଫାଶ କାଟିଦିଆଗଲା ଏବଂ ସେ ଆରୋହୀଙ୍କ ସହିତ ଘନ ଜଙ୍ଗଲ ମଧ୍ୟରେ ଅଦୃଶ୍ୟ ହୋଇଗଲା। ଏଥର ରାଜାଙ୍କର ଚେତା ପଶିଲା। ସେ କରତାଳିରତ ପ୍ରଜାମାନଙ୍କ ଉପରେ ଖିଙ୍କାରି ହୋଇ ସେମାନଙ୍କୁ ଘଉଡ଼ାଇ ଦେବାକୁ ରକ୍ଷୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ସେନାପତି ଓ ସୈନ୍ୟମାନଙ୍କୁ କୁମରଙ୍କୁ ଫେରାଇ ଆଣିବାକୁ ଜଙ୍ଗଲ ଭିତରକୁ ପଠାଇଲେ। ଦୁଇ ଘଣ୍ଟା ପରେ ସେନାପତି ରାଜକୁମାରଙ୍କର ରକ୍ତାକ୍ତ ଉତ୍ତରୀୟଟି କେବଳ ଧରି ଅରଣ୍ୟ ଭିତରୁ ଫେରିଲେ।

ସମୟ ବଦଳି ଯାଇଛି। ମନୋଜ ଦାସଙ୍କ କାହାଣୀ କାଳର ବଂଶାନୁକ୍ରମିକ ରାଜାମାନେ ବିଲୁପ୍ତ ହୋଇ ସାରିଛନ୍ତି। ସେମାନଙ୍କ ସ୍ଥାନ ନେଇଛନ୍ତି ନିର୍ବାଚିତ ଓ ନିଯୁକ୍ତ ରାଜାମାନେ। ଏମାନେ ସେ କାଳର ରାଜାଙ୍କ ଭଳି ‘ସ୍ୱାସ୍ଥ୍ୟବାନ୍‌’ ହୋଇପାରନ୍ତି, କିନ୍ତୁ ତୀକ୍ଷ୍‌ଣ ମସ୍ତିଷ୍କର ଅଧିକାରୀ। କଥାକାର ଯଦି ‘ବ୍ୟାଘ୍ରାରୋହଣ’ କାହାଣୀର କାଳ ପରିବର୍ତ୍ତନ କରି ତାହାକୁ ବର୍ତ୍ତମାନ କାଳର ଏକ କାହାଣୀ ରୂପେ ପୁନର୍ଲିଖନ କରନ୍ତେ, ହୁଏତ କାହାଣୀର ଧାରା ଓ ଉପସଂହାରକୁ ସମ୍ପୂର୍ଣ୍ଣ ଓଲଟାଇ ଦିଅନ୍ତେ। ମୂଳ କାହାଣୀର ଘଟଣାକ୍ରମ ସର୍ବନିମ୍ନ ସ୍ତରରେ ଥିବା ମାଳୀଠାରୁ ଆରୋହଣ କରି କରି ଶେଷରେ ଶୀର୍ଷ ସ୍ଥାନରେ ଥିବା ମହାରାଜାଙ୍କ ପାଇଁ ଏକ ବ୍ୟକ୍ତିଗତ ଟ୍ରାଜେଡିରେ ଅନ୍ତିମ ବିନ୍ଦୁ ସ୍ପର୍ଶ କରିଛି। କୁମରଙ୍କୁ ବାଘ ଖାଇଛି। ନୂତନ ସଂସ୍କରଣରେ ବୋଧହୁଏ କାହାଣୀର ଧାରା ମହାରାଜାଙ୍କଠାରୁ ଆରମ୍ଭ ହୁଅନ୍ତା ଓ ଅବରୋହଣ କରି କରି ତାହାର ଅନ୍ତ ଘଟନ୍ତା ସର୍ବନିମ୍ନ ସ୍ତରରେ ଥିବା କୌଣସି ଏକ ପ୍ରଜା ବା ପ୍ରଜାମାନଙ୍କ ପାଇଁ ସେଇ ଭଳି ବ୍ୟକ୍ତିଗତ ଟ୍ରାଜେଡିରେ। ପ୍ରଜାଙ୍କୁ ବାଘ ଖାଆନ୍ତା। ଉଭୟ କାଳର ରାଜାମାନଙ୍କର କାହାଣୀର ରାଜକୁମାରଙ୍କ ଭାଷାରେ ‘ଅନ୍ଧ ଅହମିକା’ ଏକା ଭଳି, କିନ୍ତୁ ବର୍ତ୍ତମାନର ପ୍ରଖର ବୁଦ୍ଧିସମ୍ପନ୍ନ ରାଜା ଏଥିଯୋଗୁଁ ନିଜର ନିରାପତ୍ତାରେ ଆଦୌ ଆଞ୍ଚ ଆସିବାକୁ ନଦେଇ ପ୍ରଜାମାନଙ୍କୁ ବାଘ ମୁହଁକୁ ଠେଲି ଦିଅନ୍ତେ। ତାହା ପୁଣି ନିରାପଦ ଦୂରତାରେ ରହି।

ବର୍ତ୍ତମାନ ବାଘୁଣୀ ‘ସୁନ୍ଦରୀ’କୁ କେନ୍ଦ୍ର କରି ଅନୁଗୁଳର ସାତକୋଶିଆ ଅଞ୍ଚଳରେ ଯେଉଁ ବାସ୍ତବ ଟ୍ରାଜେଡ଼ି ଅଭିନୀତ ହେବାରେ ଲାଗିଛି, ତାହା ‘ବ୍ୟାଘ୍ରାରୋହଣ’ର ଏହି ବିପରୀତ ପରିକଳ୍ପନାର ଏକ ନିଚ୍ଛକ ପ୍ରତିଛବି। ବାନ୍ଧବଗଡ଼ରୁ ସାତକୋଶିଆକୁ ବାଘ ଆଣିବାର ନିଷ୍ପତ୍ତି ସେଠାକାର ଅଧିବାସୀ ପ୍ରଜାମାନଙ୍କର ନୁହେଁ; ତାହା ବନସ୍ତପତି ରାଜାମାନଙ୍କର। ଏହା ପ୍ରଦର୍ଶନୀମୂଳକ ଅହମିକାର ଅଂଶ। ବାଘ ମୁହଁରେ ଜୀବନ ଯାଉଛି କିନ୍ତୁ ପ୍ରଜାଙ୍କର ଓ ସେମାନଙ୍କର କ୍ଷୁଦ୍ର ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଗୃହପାଳିତ ପଶୁଙ୍କର। ସେମାନଙ୍କର ଦୈନନ୍ଦିନ ଜୀବନଯାତ୍ରା ବାଘ ଭୟରେ ଠପ୍‌ ହୋଇପାଇଛି: ଲୋକେ କାମଧନ୍ଦାକୁ ଯାଇ ପାରୁନାହାନ୍ତି, ରୋଗୀ ଡାକ୍ତରଖାନାକୁ ଯାଇ ପାରୁ ନାହାନ୍ତି, ପିଲା ପାଠ ପଢ଼ିବାକୁ ସ୍କୁଲ ଯାଇ ପାରୁନାହାନ୍ତି। ଏଣେ ରାଜାମାନେ କେତେବେଳେ କହୁଛନ୍ତି ବାଘକୁ ଫେରାଇ ଦିଆଯିବ ତ କେତେବେଳେ ସମ୍ପୂର୍ଣ୍ଣ ସମ୍ବେଦନାଶୂନ୍ୟ ଭାବରେ ଘୋଷଣା କରୁଛନ୍ତି ବାଘ ସେଇଠି ରହିବ।

ବାଘ ଯାଉ କି ରହୁ, ବାଘ ଆଣିବା ନିଷ୍ପତ୍ତିର ପରିଣତି ଯେ ସମ୍ପୂର୍ଣ୍ଣ କ୍ଷତିକାରକ ହୋଇଛି, ତାହା ବର୍ତ୍ତମାନ ସ୍ପଷ୍ଟ। ରାଜକୋଷରୁ ଅର୍ଥାତ୍‌ କରଦାତାଙ୍କ ଅର୍ଥ ବ୍ୟୟ କରାଯାଇ ବାଘକୁ ଅଣାଯାଇଛି। ବାଘ ଆସିବା ପରେ ପ୍ରଜାମାନଙ୍କ ଧନଜୀବନ ନଷ୍ଟ ହୋଇଛି। ଯଦି ବାଘକୁ ଫେରାଇ ଦିଆଯାଏ, ତେବେ ପୁଣି ରାଜକୋଷରୁ ବ୍ୟୟ କରା ହେବ। ଏବେ ଦେଖାଯାଇଛି ଯଦି ପୋଲଟିଏ ଭୁଶୁଡ଼ି ଧନଜୀବନ ନଷ୍ଟ ହେଉଛି, ସେଥିପାଇଁ ସମ୍ପୃକ୍ତ ଇଞ୍ଜିନିଅର୍‌, କଣ୍ଟ୍ରାକ୍ଟର୍‌ ଆଦିଙ୍କୁ ଉତ୍ତରଦାୟୀ କରାଯାଉଛି ଓ ଦଣ୍ଡ ଦିଆଯାଉଛି। ପୋଲ ନିର୍ମାଣ ପରି ବାଘ ଅଣାଯିବା ମଧ୍ୟ ଏକ ପ୍ରକଳ୍ପ। ଏ ପ୍ରକଳ୍ପ ଯୋଗୁଁ ଧନ ଜୀବନର ଯେଉଁ ଭଳି କ୍ଷତି ଘଟିଛି ଓ ଘଟୁଛି, ସେଥିପାଇଁ ଉତ୍ତରଦାୟୀଙ୍କୁ ଚିହ୍ନଟ କରାଯାଇ ଅନୁରୂପ କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ।

ଏସବୁ ଘଟଣା ଭିତରେ ସାତକୋଶିଆର ସମ୍ପୃକ୍ତ ଅଞ୍ଚଳର ଅଧିବାସୀଙ୍କ ଅବସ୍ଥା ଦେଖିଲେ ମନେ ହୁଏ, ସେମାନେ ହେଉଛନ୍ତି ପ୍ରାଚୀନ ରୋମ୍‌ର ‘କଲୋସିଅମ୍‌’ ଷ୍ଟାଡିଅମ୍‌ରେ ସମ୍ଭ୍ରାନ୍ତ ଦର୍ଶକମାନଙ୍କ ମନୋରଞ୍ଜନ ସକାଶେ ସିଂହ ସହ ଲଢ଼ିବାକୁ ବାଧ୍ୟ ହେଉଥିବା ବନ୍ଦୀ ମାନଙ୍କ ଭଳି। ବାଘ ଉତ୍ପାତ ସେମାନଙ୍କର ଜୀବନ ଜୀବିକାକୁ ବିପନ୍ନ କରି ତୋଳିଥିବା ବେଳେ ସମଗ୍ର ଗଣମାଧ୍ୟମ ପାଇଁ ଏହା ଏକ ରୋମାଞ୍ଚକର ପ୍ରସଙ୍ଗରେ ପରିଣତ ହୋଇଛି। କଲୋସିଅମ୍‌ରେ ମନୁଷ୍ୟ- ସିଂହ ଲଢ଼େଇ ଉପରେ ଆଧାରିତ ବର୍ଣ୍ଣାଡ୍‌ ଶ’ଙ୍କର ପ୍ରସିଦ୍ଧ ନାଟକ ‘ଆଣ୍ଡ୍ରୋକ୍ଲ୍‌ସ୍‌ ଆଣ୍ଡ ନି ଲାୟନ୍‌’ରେ ବନ୍ଦୀ ଦରଦୀ ଆଣ୍ଡ୍ରୋକ୍ଲ୍‌ସ୍‌କୁ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଏକ ଭୟଙ୍କର ସିଂହ ସହିତ ଲଢ଼ିବାକୁ ଛାଡ଼ି ଦିଆଯାଇଛି। ସିଂହଟି ଗର୍ଜନ କରି ନିରସ୍ତ୍ର ଆଣ୍ଡ୍ରୋକ୍ଲ୍‌ସ୍‌ ଆଡ଼କୁ ମାଡ଼ି ଆସିବା ଦେଖି ଦର୍ଶକମାନେ ଆଣ୍ଡ୍ରୋକ୍ଲ୍‌ସ୍‌ର ଆସନ୍ନ ରକ୍ତାକ୍ତ ଅନ୍ତ ଅପେକ୍ଷାରେ ରୋମାଞ୍ଚିତ ହୋଇ ଯେତେବେଳେ ନିଃଶ୍ୱାସ ବନ୍ଦ କରି ବସିଛନ୍ତି, ସେତେବେଳେ ହଠାତ୍‌ ସେମାନେ ଏକ ଅଦ୍ଭୁତ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଅଭିଭୂତ ହୋଇ ପଡ଼ନ୍ତି: ସିଂହ ଆଣ୍ଡ୍ରୋକ୍ଲ୍‌ସ ପାଖରେ ପହଞ୍ଚିବା ପରେ ହଠାତ୍‌ ଏକ ପୋଷା କୁକୁର ପରି ଆଣ୍ଡ୍ରୋକ୍ଲ୍‌ସକୁ କୁଣ୍ଢାଇ ଧରିଛି ଓ ଉଭୟ ନାଚିବାରେ ଲାଗିଛନ୍ତି। ଏକ ପ୍ରାଚୀନ କାହାଣୀ ଛାୟାରେ ରଚିତ ଏହି ରହସ୍ୟର କାରଣ ହେଲା, ଅତୀତରେ ଜଙ୍ଗଲରେ ଆଣ୍ଡ୍ରୋକ୍ଲସ୍‌ ସେଇ ସିଂହର ପାଦରେ ପଶିଥିବା ଏକ କଣ୍ଟାକୁ ବାହାର କରି ସିଂହକୁ ଯନ୍ତ୍ରଣା ମୁକ୍ତ କରିଥିଲା। ଏବେ କିନ୍ତୁ ସାତକୋଶିଆ ରୂପକ କଲୋସିଅମ୍‌ରେ ସେଭଳି ସୌଭାଗ୍ୟ କୌଣସି ଅଧିବାସୀଙ୍କର ହେବାର କ୍ଷୀଣତମ ସମ୍ଭାବନା ନାହିଁ।

କେବଳ ସାତକୋଶିଆ ନୁହେଁ, ବନ୍ୟ ଜନ୍ତୁ ବନାମ ମନୁଷ୍ୟ ସଂଘାତ ଏବେ ରାଜ୍ୟରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ତଳ ଘଟି ଅଞ୍ଚଳରେ ପର୍ଯ୍ୟଟକ ମନୋରଞ୍ଜନ କରୁଥିବା କୁମ୍ଭୀର ସଂରକ୍ଷଣ ଏପରି ନିୟମିତ ଭାବରେ ମନୁଷ୍ୟ ଶିକାରରେ ପରିଣତ ହୋଇଛି, ନଦୀକୂଳିଆ ଅଞ୍ଚଳରେ ଚାଷବାସ ବିପଜ୍ଜନକ ହୋଇ ପଡିଛି। ଆଉ ସଂରକ୍ଷିତ ପ୍ରାଣୀ ବିଷଧର ସାପ ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ମନୁଷ୍ୟ ବାସଗୃହରୁ ପୁଞ୍ଜା ପୁଞ୍ଜା ହୋଇ ବାହାରୁଛନ୍ତି। ଆମୋଦଦାୟକ ଭାବରେ ସର୍ବଦା ନବ ଉଦ୍ୟୋଗୀମାନଙ୍କର ଗୁଣଗାନକାରୀ ମହାନ ଅର୍ଥନୀତିଜ୍ଞ ଯୋଶେଫ୍‌ ସୁମ୍ପିଟର୍‌ଙ୍କୁ ଅନୁସରଣ କଲା ଭଳି ସାପ ଉଦ୍ଧାର ଏଠାରେ ଏକ ନୂତନ ଅର୍ଥକରୀ ଉଦ୍ୟୋଗରେ ପରିଣତ ହୋଇଗଲାଣି।

ସତେ ଯେମିତି ସାରା ରାଜ୍ୟ ହେଉଛି ଏକ କଲୋସିଅମ୍‌ ଏବଂ ରାଜ୍ୟବାସୀ ସାଧାରଣ ମନୁଷ୍ୟମାନେ ହେଉଛନ୍ତି କଲୋସିଅମ ଭିତରେ ଆତ୍ମରକ୍ଷା ଓ ସଂଭ୍ରାନ୍ତ ବର୍ଗଙ୍କ ମନୋରଂଜନ ପାଇଁ ହିଂସ୍ର ଜନ୍ତୁମାନଙ୍କ ସହିତ ଲଢୁଥିବା ବନ୍ଦୀ ନିରସ୍ତ୍ର ଗ୍ଲାଡିଏଟର୍‌!

ସମ୍ବନ୍ଧିତ ଖବର