ପଥର ଚକି

ନୋବେଲ୍‌ ପ୍ରାଇଜ୍‌ ବିଜେତାମାନଙ୍କ ବେକରେ ଓହଳାଇ ଦିଆଯାଉଥିବା ସୁନା ଛାଉଣୀ ମେଡାଲ୍‌ର ହାରାହାରି ଓଜନ ହେଉଛି ପ୍ରାୟ ୧୭୫ ଗ୍ରାମ୍‌ ମାତ୍ର। ୧୯୯୧ର ନୋବେଲ୍‌ ଶାନ୍ତି ପୁରସ୍କାର ଲାଭ କରିଥିବା ବର୍ତ୍ତମାନ ମ୍ୟାମାର (ବର୍ମା)ର ଶାସିକା ଅଙ୍ଗ୍‌ ସାନ୍‌ ସୁ ଚି ଏବେ ଯଦି କେତେବେଳେ ସେ ମେଡାଲଟିକୁ ସାଇତା ଜାଗାରୁ କାଢ଼ି ବେକରେ ପକାଉଥିବେ ତାହା କିନ୍ତୁ ତାଙ୍କୁ ମନେ ହେଉଥିବ ଏକ ୧୭୫ କିଲୋଗ୍ରାମ୍‌ ଓଜନର ପଥର ଚକି ପରି। କାରଣ ଏହି ପ୍ରାଇଜ୍‌ ଯୋଗୁଁ ହିଁ ପୃଥିବୀସାରାର ଉଦାର ଗଣମାଧ୍ୟମ ଓ ମନ୍ତବ୍ୟକାରମାନେ ବର୍ମାରେ ରୋହିଙ୍ଗ୍ୟା ମୁସଲମାନ ସଙ୍କଟରେ ତାଙ୍କର ନିଷ୍କ୍ରିୟତାକୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ଗତମାସରେ ଜାତିସଂଘ ମଧ୍ୟ ରୋହିଙ୍ଗ୍ୟା ମାନଙ୍କର ଗଣହତ୍ୟା ଓ ଧର୍ଷଣ ପାଇଁ ବର୍ମାର ସେନାବାହିନୀ ଓ ଜେନେରାଲ ମାନଙ୍କୁ ଦାୟୀ କଲା ପରେ ସୁ ଚିଙ୍କର ନୋବେଲ୍‌ ପ୍ରାଇଜ୍‌ ପ୍ରତ୍ୟାହାର ପାଇଁ ଦାବି ଉଠିବା ଦେଖା ଯାଇଥିଲା। ପୁରସ୍କାର ପ୍ରଦାନକାରୀ ସଂସ୍ଥା ନରେଓ୍ଵର ନୋବେଲ୍‌ କମିଟି କିନ୍ତୁ ଏଥିପ୍ରତି କର୍ଣ୍ଣପାତ ନ କରି ଏକ ବକ୍ତବ୍ୟ ଜାରିି କରିଥିଲା ଯେ ପ୍ରାଇଜ୍‌ ପ୍ରତ୍ୟାହାରର ପ୍ରଶ୍ନ ଉଠୁ ନାହିଁ।

ନୋବେଲ୍‌ କମିଟି ଏହା ମଧ୍ୟ ସ୍ପଷ୍ଟ କରି ଦେଇଥିଲା ଯେ ତାଙ୍କର ଅତୀତର କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଜଣେ ବ୍ୟକ୍ତିଙ୍କୁ ନୋବେଲ୍‌ ପ୍ରାଇଜ୍‌ ପ୍ରଦାନ କରାଯାଇଥାଏ। ପୁରସ୍କାର ବିଜେତାଙ୍କର ଭବିଷ୍ୟତ କାର୍ଯ୍ୟ ସହିତ ପୁରସ୍କାର ପ୍ରଦାନକାରୀ ସଂଗଠନର କୌଣସି ସମ୍ପର୍କ ନାହିଁ। କମିଟି ଏହା ମଧ୍ୟ ଇଙ୍ଗିତ କରିଥିଲା ଯେ ପୁରସ୍କାର ପାଇବା ପରେ ନିଜ ଭାବମୂର୍ତ୍ତିର ପରିଚାଳନା ହେଉଛି ପୁରସ୍କାର ବିଜେତାଙ୍କର ନିଜ ଦାୟିତ୍ୱ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଅଙ୍ଗ୍‌ ସାନ୍‌ ସୁ ଚି ସେ ଦାୟିତ୍ୱ ଉଚିତ ଭାବରେ ତୁଲାଇଛନ୍ତି କି? ଯେତେବେଳେ ବର୍ମାରୁ ସେଠାକାର ସଂଖ୍ୟାଗରିଷ୍ଠ ବୌଦ୍ଧ ଅଧିବାସୀଙ୍କ ସହିତ ହିଂସାତ୍ମକ ବିବାଦ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ରୋହିଙ୍ଗ୍ୟା ଶରଣାର୍ଥୀ ମାନଙ୍କର ପଡ଼ୋଶୀ ବାଂଲାଦେଶ (ସେମାନଙ୍କର ମୂଳ ଦେଶ)କୁ ସୁଅ ଛୁଟିଲା, ସେତେବେଳେ ସୁ ଚି କେବେହେଲେ ସେ ସମ୍ବନ୍ଧରେ ପାଟି ଫିଟାଇଲେ ନାହିଁ କି ପୁଲିସ୍‌ ଓ ସେନାକୁ ତାଗିଦ୍‌ କଲେ ନାହିଁ। ଏବେ ରଏଟର୍‌ ସମ୍ବାଦ ସରବରାହ ସଂସ୍ଥାର ଦୁଇଜଣ ସାମ୍ବାଦିକ ସେ ଦେଶର ସରକାରୀ ଗୋପନୀୟତା ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏକ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡ ପାଇବା ପରେ ସୁ ଚି ପ୍ରତିକ୍ରିୟା ପ୍ରକାଶ କରି ଏହା ସମ୍ପୂର୍ଣ୍ଣ ରୂପେ ଅଦାଲତୀ ଓ ନ୍ୟାୟିକ ପ୍ରସଙ୍ଗ ବୋଲି କହି କୌଣସି ବ୍ୟକ୍ତିଗତ ମନ୍ତବ୍ୟ ପ୍ରଦାନ କରିବାକୁ ମନା କରି ଦେଇ ନିଜର ସମାଲୋଚକମାନଙ୍କୁ ତାଙ୍କ ଉପରେ ଆକ୍ରମଣ ପାଇଁ ଆହୁରି ଗୋଳାବାରୁଦ ଯୋଗାଇ ଦେଇଛନ୍ତି।

ଅଙ୍ଗ୍‌ ସାନ୍‌ ସୁ ଚି ତାହେଲେ କ’ଣ ଜଣେ ଶାନ୍ତିଦୂତ ନା ସଇତାନ? ଏ ପ୍ରଶ୍ନ ବର୍ତ୍ତମାନ ସାରା ଦୁନିଆକୁ ଆନ୍ଦୋଳିତ କରୁଥିବା ବେଳେ, ଉଦାରବାଦୀ ମାନଙ୍କର ରାୟ ହେଉଛି: ନିଃସନ୍ଦେହରେ ସଇତାନ୍‌। କିନ୍ତୁ ଏପରି ରାୟ ହେଉଛି ସେହିପରି ଏକତରଫା ଓ ପକ୍ଷାନ୍ଧ ଯେଉଁଭଳି ସେମାନଙ୍କର ପ୍ରତିପକ୍ଷ ରକ୍ଷଣଶୀଳ ଶିବିରରେ ଦେଖାଯାଇଥାଏ। ଉଦାରବାଦୀମାନେ ଯେଉଁଭଳି ଚାହୁଁଛନ୍ତି ସେପରି କରିବା ସୁଚିଙ୍କ ପାଇଁ ସହଜ ହୁଅନ୍ତା। ସେ ରୋହିଙ୍ଗ୍ୟା ମାନଙ୍କ ପକ୍ଷ ନେଇ ଉଭୟ ସେନାବାହିନୀ ଓ ବର୍ମାର ମୂଳ ଅଧିବାସୀ ସଂଖ୍ୟାଗରିଷ୍ଠ ବୌଦ୍ଧ ମାନଙ୍କୁ ଭର୍ତ୍ସନା କରନ୍ତେ। ଏହାଦ୍ୱାରା ସେ ବିଶ୍ୱ ଦରବାରରେ ପ୍ରଶଂସିତ ହୁଅନ୍ତେ ଓ ତାଙ୍କର ନୋବେଲ୍‌ ପୁରସ୍କାର ନେଇ କେହି ପ୍ରଶ୍ନ ଉଠାନ୍ତେ ନାହିଁ। ତା’ପରେ କ’ଣ ଘଟନ୍ତା ଅନୁମାନ କରାଯାଉ।

ଦୁଇବର୍ଷ ତଳେ ପ୍ରାୟ ଚଉଠ ଶତାବ୍ଦୀ ପରେ ପ୍ରଥମ ଥର ପାଇଁ ଏକ ଗଣତାନ୍ତ୍ରିକ ନିର୍ବାଚନ ମାଧ୍ୟମରେ ସୁ ଚି ଓ ତାଙ୍କ ପାର୍ଟି ‘ନେସନାଲ୍‌ ଲିଗ୍‌ ଫର୍‌ ଡେମୋକ୍ରାସି’ (ଏନ୍‌ଏଲ୍‌ଡି) ବର୍ମାରେ ବିପୁଳ ଜନ ସମର୍ଥନ ଲାଭ କରି କ୍ଷମତାକୁ ଆସିଲେ। ସୁ ଚି କିନ୍ତୁ ବିଧିବଦ୍ଧ ଭାବରେ ରାଷ୍ଟ୍ରପତି ହୋଇ ପାରିଲେ ନାହିଁ, କାରଣ ସେ ଦେଶର ସାମରିକ ବାହିନୀ ଦ୍ୱାରା ପ୍ରଭାବିତ ସମ୍ବିଧାନ ଅନୁସାରେ ଦେଶର ଶାସନ ମୁଖ୍ୟଙ୍କର ପତି/ପତ୍ନୀ ଓ ସନ୍ତାନମାନେ ବର୍ମାର ନାଗରିକ ହୋଇଥିବା ବାଧ୍ୟତାମୂଳକ। ସୁ ଚିଙ୍କର ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁତ୍ର ହେଉଛନ୍ତି ବ୍ରିଟିସ ନାଗରିକ। ସେ ତେଣୁ ଏକ ଉପଦେଷ୍ଟା ପଦରେ ରହି ଶାସନ ପରିଚାଳନା କରୁଛନ୍ତି। ବର୍ମାର ସର୍ବଶକ୍ତିମାନ ସାମରିକ ବାହିନୀ ପାର୍ଲାମେଣ୍ଟର ଏକ ଚଉଠ ଆସନ ନିଜ ଦଖଲରେ ରଖିଛି- ଏଥିପାଇଁ ସମ୍ବିଧାନରେ ବ୍ୟବସ୍ଥା କରାଯାଇଛି। ସାମରିକ ବାହିନୀ ଗୃହ ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗମାନ ନିଜ ହାତରେ ରଖିଛି।

୨୦୧୨ଠାରୁ ବିକ୍ଷୁବ୍‌ଧ ରାଖିନ୍‌ ପ୍ରଦେଶରେ ସଂଖ୍ୟା ଗରିଷ୍ଠ ବୌଦ୍ଧ ଜନମତ ସମ୍ପୂର୍ଣ୍ଣ ଓ ତୀବ୍ର ଭାବରେ ମୁସଲମାନ ରୋହିଙ୍ଗ୍ୟା ବହିରାଗତ ମାନଙ୍କ ବିରୋଧରେ ଯାଇ ସାରିଛି। ସେ ବର୍ଷ ଜାତିଗତ ସଂଘର୍ଷରେ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୬ ଅକ୍‌ଟୋବରରେ ରୋହିଙ୍ଗ୍ୟା ଚରମପନ୍ଥୀମାନେ ରାଖିନ୍‌ର ବୌଦ୍ଧ ଓ ହିନ୍ଦୁ ମୂଳ ଅଧିବାସୀମାନଙ୍କ ଉପରେ ଓ ପୁଲିସ୍‌ ଥାନାମାନଙ୍କ ଉପରେ ଆକ୍ରମଣ କରିବା ପରେ ଉଭୟ ପକ୍ଷ ମଧ୍ୟରେ ବିଦ୍ୱେଷ ଚରମ ସୀମାରେ ପହଞ୍ଚିଥିଲା। ମନେ ରଖିବା କଥା ଅତୀତରେ ବର୍ମାରେ କ୍ଷମତାସୀନ ସରକାରମାନେ ରୋହିଙ୍ଗ୍ୟାମାନଙ୍କୁ ବର୍ମାର ନାଗରିକତ୍ୱ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି। ଉଭୟ ସାମରିକ ବାହିନୀ ଓ ବର୍ମାର ସଂଖ୍ୟାଗରିଷ୍ଠ ମୂଳ ଅଧିବାସୀମାନେ ବିଚାର କରନ୍ତି ଯେ ରୋହିଙ୍ଗ୍ୟାମାନେ ହେଉଛନ୍ତି ପଡ଼ୋଶୀ ଦେଶରୁ ଆସିଥିବା କୁଣିଆ ଭଳି ଯେଉଁମାନେ ଆଉ ନିଜ ଘରକୁ ନ ଫେରି ଏଠାରେ ଆସ୍ଥାନ ଜମାଇ ଗୃହସ୍ୱାମୀଙ୍କୁ ନାଲି ଆଖି ଦେଖାଉଛନ୍ତି। ସୁଚିଙ୍କର ଦୀର୍ଘ ଗଣତାନ୍ତ୍ରିକ ସଂଗ୍ରାମ ସମୟରେ ଦେଶର ଜନତା ସାମରିକ ଶାସନ ବିରୁଦ୍ଧରେ ତାଙ୍କୁ ସମର୍ଥନ ପ୍ରଦାନ କରିଥିଲେ। ସେହି ଦୀର୍ଘ ସଂଗ୍ରାମର ଫଳସ୍ୱରୂପ ସୀମିତ ହେଲେ ମଧ୍ୟ ବର୍ମାରେ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଛି।

ବର୍ତ୍ତମାନ କିନ୍ତୁ ରୋହିଙ୍ଗ୍ୟା ପ୍ରସଙ୍ଗରେ (ଯାହାକୁ ସେଠାରେ ଏକ ଦେଶର ସାର୍ବଭୌମତ୍ୱ ପ୍ରସଙ୍ଗ ରୂପେ ଦେଖାଯାଉଛି) ଜନତା ଓ ସାମରିକ ବାହିନୀ ଏକାଠି ହୋଇ ଯାଇଚନ୍ତି। ସୁଚି ଯଦି ସେମାନଙ୍କୁ ବିରୋଧ କରନ୍ତି ତେବେ ସେ ବିତାଡ଼ିତ ହେବା ଓ ବର୍ମାରେ ଗଣତନ୍ତ୍ରର ଅନ୍ତ ଘଟି ପୁଣି ସାମରିକ ଶାସନ ଫେରିବା ନିଶ୍ଚିତ। ତାଙ୍କର ସମାଲୋଚନା ଦ୍ୱାରା ରୋହିଙ୍ଗ୍ୟାମାନଙ୍କର କିଛି ଲାଭ ହେବ ନାହିଁ। ବରଂ ସେ କ୍ଷମତାରେ ଥିଲେ ଧୀରେ ଧୀରେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ। ଦୀର୍ଘଦିନ ଗୃହବନ୍ଦୀ ରହିଥିବା ସୁଚି ପୁଣି ବନ୍ଦୀ ଜୀବନ କାଟିବାକୁ ଭୟ କରୁନାହାନ୍ତି। ନିଜ ଦେଶରେ କଷ୍ଟଅର୍ଜିତ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ହିଁ ସେ ଚୁପ୍‌ ରହିଛନ୍ତି, ଯଦିବା ତାଙ୍କର ନିରବତା ତାଙ୍କ ନୋବେଲ୍‌ ମେଡାଲକୁ ତାଙ୍କ ପାଇଁ ଏକ ପଥର ଚକିରେ ପରିଣତ କରିଛି।

ସମ୍ବନ୍ଧିତ ଖବର