ନୈତିକତାର ଛାଟ

ଭାରତୀୟ ରାଜନୀତିର ଅପରାଧୀକରଣ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ବିଭିନ୍ନ ରାୟ ମାଧ୍ୟମରେ ଅନେକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଏହି ପ୍ରକ୍ରିୟାରେ ନିର୍ବାଚନ ପଦ୍ଧତିରେ ମଧ୍ୟ କିଛି ମାତ୍ରାରେ ସ୍ୱଚ୍ଛତା ଓ ସଂସ୍କାର ଆସିଛି। ସୁପ୍ରିମ୍‌ କୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ସାଧାରଣ ମତଦାତା ସଂସଦ ଓ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ଶିକ୍ଷା, ସମ୍ପତ୍ତି ଓ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ ସୂଚନା ପ‌ାଇ ପାରୁଛନ୍ତି; ଯା‌ହା ନିଷ୍ପତ୍ତି ନେବାରେ ସେମାନଙ୍କୁ ସହାୟକ ‌ହେଉଛି। ଉଚ୍ଚତମ ନ୍ୟୟାଳୟଙ୍କ ସ୍ପଷ୍ଟ ଓ ଦୃଢ଼ ମତ ଯେ ଆପରାଧିକ ମାମଲାରେ ଅଭିଯୁକ୍ତ ‘ଦାଗୀ’ ବ୍ୟକ୍ତିମାନେ ଗଣତନ୍ତ୍ରର ମନ୍ଦିର- ସଂସଦ ଓ ବିଧାନସଭାକୁ ପ୍ରବେଶ ପାଇବା ଉଚିତ ନୁହେଁ। କିନ୍ତୁ ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ସଂସଦ ଓ ବିଧାନସଭାର ଦ୍ୱାର ବନ୍ଦ ଲାଗି ଅଦାଲତ ନ୍ୟାୟିକ ହସ୍ତକ୍ଷେପରୁ ବିରତ ରହିଛନ୍ତି। ଦାଗୀ‌ ନେତାଙ୍କୁ ବିଧାୟକ ଓ ସାଂସଦ ପଦ ପାଇଁ ଅଯୋଗ୍ୟ ଘୋଷଣା ସକାଶେ ଆବେଦନକୁ ମଙ୍ଗଳବାର ଅଗ୍ରାହ୍ୟ କରିଦେଇ ଏଥିପାଇଁ ଆଇନ ପ୍ରଣୟନଲାଗି ଅଦାଲତ ସଂସଦ ଉପରେ ଦାୟିତ୍ୱ  ନ୍ୟସ୍ତ କରିଛନ୍ତି। ଭାରତୀୟ ଶାସନ ବ୍ୟବସ୍ଥାର ତିନି ପ୍ରମୁଖ ଅଙ୍ଗ ମଧ୍ୟରେ ଭାରସାମ୍ୟ ରଖିବା ପାଇଁ କ୍ଷମତା ବିଭାଜନର ରହିଥିବା ‘ସା‌ମ୍ବିଧାନିକ ଲକ୍ଷ୍ମଣରେଖା’କୁ ଅଦାଲତ ସମ୍ମାନ ଦେଇଛନ୍ତି। ଅାଇନ ପ୍ରଣୟନ ସଂସଦର କାର୍ଯ୍ୟ ପରିସରଭୁକ୍ତ। ପୁଣି ଦେଶର ପ୍ରଚଳିତ ଆଇନ ବ୍ୟବସ୍ଥା ଅନୁଯାୟୀ ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ନିର୍ଦୋଷ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ରାଜନୀତିର ଅପରାଧୀକରଣ ପ୍ରସଙ୍ଗକୁ ଅଦାଲତ ଯେତିକି ଗୁରୁତ୍ୱ ଦେଇ ଏହାର ପ୍ରତିକା‌ର ଲାଗି ସଂସଦ ଉପରେ ଦାୟିତ୍ୱ ଛାଡ଼ିଛନ୍ତି, ମାନ୍ୟବର ସାଂସଦମା‌‌ନେ କଣ ଦାୟିତ୍ୱକୁ ସେତିକି ଗୁରୁତ୍ୱର ସହ ନେବେ? ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କ ପାଇଁ ସଂସଦ ଓ ବିଧା‌ନସଭାର ଦ୍ୱାର ବନ୍ଦ ଲାଗି କଣ ନିକଟ ଭବିଷ୍ୟତରେ ଆଇନ ହେବ? ବିଗତ ଅଭିଜ୍ଞତା, ଏବଂ ରାଜନୀତିରେ ଅପରାଧର ସଂକ୍ରମଣକୁ ଦଳ ନିର୍ବିଶେଷରେ ରାଜନୈତିକ ବର୍ଗଙ୍କ ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ପରିପ୍ରେକ୍ଷୀରେ ଉପରୋକ୍ତ ପ୍ରଶ୍ନ ଗୁଡ଼ିକର ଆଜି ଦିନରେ କୌଣସି ସ୍ପଷ୍ଟ ଉତ୍ତର ମିଳୁନାହିଁ। କିନ୍ତୁ ଗୋଟିଏ ବିଷୟ ଅତ୍ୟନ୍ତ ସ୍ପଷ୍ଟ ଯେ, ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ ଉପରେ ସଂସଦ ଯେତିକି ଅଧିକ ଟାଳଟୁଳ କରିବ, ଭାରତୀୟ ଗଣତନ୍ତ୍ର ସେତିକି ଅଧିକ ବିପଦ ମୁହଁକୁ ଠେଲି ହୋଇଯିବ। ରାଜନୀତିର ଅପରାଧୀକରଣ ନେଇ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଏହାର ଚିତ୍ର ଖୋଦ୍‌ ସଂସଦ ଓ ରାଜ୍ୟର ବିଧାନସଭା ଗୁଡ଼ିକରୁ ମିଳେ। ଲୋକସଭାରେ ୫୪୨ ସାଂସଦଙ୍କ ମଧ୍ୟରୁ ୧୭୯ (୩୩%) ସଦସ୍ୟଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ବରିଷ୍ଠଙ୍କ ସଦନ କୁହାଯାଉଥିବା

ରାଜ୍ୟସଭା‌େର ମଧ୍ୟ ଆପରାଧିକ ପୃଷ୍ଠଭୂମିର ସଦସ୍ୟଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ରାଜ୍ୟସଭାର ୨୨୮ ସାଂସଦଙ୍କ ମଧ୍ୟରୁ ୫୧ ଜଣ ଆପରାଧିକ ମାମଲାରେ ଅଭିଯୁକ୍ତ। ଦେଶର ବିଧାନସଭା ଗୁଡ଼ିକୁ ନିର୍ବାଚିତ ୪,୦୮୩ ସଦସ୍ୟଙ୍କ ମଧ୍ୟରୁ ୧୩୫୬ (୩୩%) ବିଭିନ୍ନ ମାମଲାରେ ଅଭିଯୁକ୍ତ। ଭାରତୀୟ ଗଣତନ୍ତ୍ର ପ୍ରତି ଭୟାବହତାର ଏହା ଏକ ସତର୍କ ସଂକେତ। ଉଲ୍ଲେଖନୀୟ ହେଲା ଲୋକସଭା ଓ ରାଜ୍ୟସଭାର ଯଥାକ୍ରମେ ୨୧% ଓ ୯% ସଦସ୍ୟଙ୍କ ବିରୋଧରେ ଏବଂ ୨୨% ବିଧାୟକଙ୍କ ବିରୋଧରେ ହତ୍ୟା, ଅପହରଣ, ବଳାତ୍କାର ଭଳି ଗୁରୁତର ଆପରାଧିକ ମାମଲା ରହିଛି। ଏମିତି କୌଣସି ରାଜନୈତିକ ଦଳ ନାହିଁ ଯାହାର ଜଣେ ‌ହେଲେ ସାଂସଦ କିମ୍ବା ବିଧାୟକ ‘ଦାଗୀ’ ତାଲିକାରେ ନାହାନ୍ତି। କେବଳ ମିଜୋରାମ୍‌କୁ ଛାଡ଼ିଦେଲେ ସବୁ ରାଜ୍ୟର ବିଧାନସଭା‌ରେ ୩%ରୁ ଆରମ୍ଭ କରି ୪୯% ପର୍ଯ୍ୟନ୍ତ ବିଧାୟକ ଆପରାଧିକ ମାମଲାରେ ଅଭିଯୁକ୍ତ। ଏହି ପରିସଂଖ୍ୟାନ ସ୍ୱତଃ ରାଜନୀତିରେ ଅପରାଧର ସଂକ୍ରମଣର ଚିତ୍ର ପ୍ରଦାନ କରେ। ରାଜନୀତିର ଅପରାଧୀକରଣ ପ୍ରତି ରାଜନୈତିକ ବର୍ଗଙ୍କ ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ବିନା କ’ଣ ଏହା ସମ୍ଭବ? ପ୍ରଶ୍ନ ଉଠିବା ଅସ୍ୱାଭାବିକ ନୁହେଁ ଯେ, ଯେଉଁ ଆଇନ ପ୍ରଣୟନକାରୀ ଶାସନର ଅଙ୍ଗ ସଂସଦର ଯଦି ୩୩% ଅଭିଯୁକ୍ତ, ରାଜନୀତିର ଅପରାଧୀକରଣ ରୋକିବା ଲାଗି ସେହି ସଂସଦ କ’ଣ ଆଇନ କରି ପାରିବ? ଅଭିଯୁକ୍ତର ଦୋଷ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ସେ ନିର୍ଦୋଷ। ଏହି ଯୁକ୍ତି ଦର୍ଶାଇ ଦାଗୀନେତାଙ୍କ ବିରୋଧରେ ଆଇନକୁ ଏଡ଼ାଇ ଦିଆଯାଉଛି। ଆମର ନ୍ୟାୟ ପ୍ରକ୍ରିୟାର ମନ୍ଥର ଗତି ମଧ୍ୟ ଦାଗୀ ନେତାଙ୍କୁ ସୁରକ୍ଷା ପ୍ରଦାନରେ ସହାୟକ ହେଉଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶରେ ନିର୍ବା‌ଚିତ ଜନପ୍ରତିନିଧିଙ୍କ ବିରୋଧରେ ମାମଲାର ଫଇସଲା ପାଇଁ ୧୧ଟି ରାଜ୍ୟର ୧୨ଟି ସ୍ୱତନ୍ତ୍ର କୋର୍ଟ ଖୋଲାଯାଇଛି। ଗୋଟିଏ ବର୍ଷ ମଧ୍ୟରେ ମାଲାର ଫଇସଲା ପାଇଁ ସମୟ ସୀମା ଧାର୍ଯ୍ୟ ‌ ହୋଇଛି। ଏହି ସବୁ କୋର୍ଟରେ ୨,୨୪୬ଟି ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଛି। ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ ଉପରେ ଟାଲଟୁଳ ପାଇଁ ଆଇନ ପ୍ର‌େଣତାମାନେ ଆଉ ଏକ ଯୁକ୍ତିର ମଧ୍ୟ ଆଶ୍ରୟ ନେଇ ପାରନ୍ତି। ଅନେକ ସମୟରେ ରାଜନୈତିକ ବ୍ୟକ୍ତିିଙ୍କ ବିରୋଧରେ ଆକ୍ରୋଶ ରଖି ଉଦ୍ଦେଶ୍ୟମୂଳକ ଭାବେ ମାମଲା ରୁଜୁୁ କରାଯାଇଥାଏ। ତେବେ, ଏହି ବିଷୟ ବିଚାରକୁ ନେଇ ରାଜନୀତିର ଅପରାଧୀକରଣ ରୋକିବା ଲାଗି ଅାଇନ ପ୍ରଣୟନ ସମ୍ଭବ ବୋଲି ସୁପ୍ରିମ୍‌ କୋର୍ଟ ମତ ଦେଇଛନ୍ତି। ତଥାପି ସଂସଦ ଦ୍ୱାରା ନିକଟ ଭବିଷ୍ୟତରେ ଦାଗୀ ନେତାଙ୍କ ବ୍ୟବସ୍ଥାପକ ସଭାରେ ପ୍ରବେଶ ବନ୍ଦ ଲାଗି ଆଇନ ପ୍ରଣୟନ ନେଇ ଆଶା ଅପେକ୍ଷା ଆଶଙ୍କା ଅଧିକ।

ଅବଶ୍ୟ, ଆଶଙ୍କାର ଘନତା ଭିତରେ ଖଦ୍ୟୋତ ତୁଲ୍ୟ ଏକ ଛୋଟ ଅାଶାର ଆଲୋକ ହେଲା ସୁପ୍ରିମ୍‌କୋର୍ଟଙ୍କ ନୈତିକତାର ଛାଟ। ଦା‌ଗୀ ନେତାଙ୍କ ବିରୋଧରେ ଜନମତ ସୃଷ୍ଟି କରି ରାଜନୈତିକ ବର୍ଗଙ୍କ ଉପରେ ନୈତିକ ଚାପ ସକାଶେ କୋର୍ଟ ବ୍ୟବସ୍ଥା କରିଛନ୍ତି। ନୂଅ‌ା ନିର୍ଦ୍ଦେଶ ଅନୁଯାୟୀ ପ୍ରାର୍ଥୀଙ୍କ ଆପରାଧିକ ପୃଷ୍ଠଭୂମି ବିଷୟ କେବଳ ମନୋନୟନ ପତ୍ରରେ ଉଲ୍ଲେଖରେ ଆଉ ସୀମିତ ରହିବ ନାହିଁ। ପ୍ରତ୍ୟେକ ରାଜନୈତିକ ଦଳ ନିଜ ପ୍ରାର୍ଥୀଙ୍କ ଅପରାଧ ସମ୍ପର୍କରେ ବ୍ୟାପକ ପ୍ରଚ‌ା‌ର କରିବେ। ଉଭୟ ଛପା ଓ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମରେ ପ୍ରାର୍ଥୀଙ୍କ ବିରୋଧରେ ରହିଥିବା ଅପରାଧର ବିବରଣୀ ପ୍ରମୁଖତାର ସହ ପ୍ରକାଶ ପ‌ାଇବ। ପ୍ରାର୍ଥୀଙ୍କ ଆପରାଧିକ କାରନାମାର ବ୍ୟାପକ ପ୍ରଚାର ଓ ପ୍ରସାର ନିଶ୍ଚୟ ଏମିତି ଏକ ଜନମତ ସୃଷ୍ଟି କରିବ, ଯାହା ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିବାକୁ ଦଳ ନେତୃତ୍ୱକୁ ନିରୁତ୍ସାହିତ କରିବ। ଏହା ଦ୍ୱାରା ଦାଗୀ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ମଧ୍ୟ ପ୍ରଭାବିତ ହେବ। ଯେ କୌଣସି ଗଣତନ୍ତ୍ରର ସୁରକ୍ଷା ପାଇଁ ଆଇନ ଅପେକ୍ଷା ଜନସଚେତନତା ଓ ନୀତି ନୈତିକତାର ଚାପ ଅଧିକ ନିର୍ଣ୍ଣାୟକ। ରାଜନୀତିରେ ଅପରାଧର ସ˚କ୍ରମଣ ରୋକିବା ଲାଗି ଆଇନ ଅପେକ୍ଷା ସଚେତନ ସଜାଗ ଜନତା ନିଶ୍ଚୟ ଅଧିକ ପ୍ରଭାବଶାଳୀ ଏକ ଔଷଧ।

ସମ୍ବନ୍ଧିତ ଖବର