ଅଯୋଧ୍ୟା ଅଡୁଆ- ଯେଉଁଠି, ସେଇଠି

0 347

ଚଳିତ ସପ୍ତାହରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଫଇସଲା ଶୁଣାଇ ଚାଲିଛନ୍ତି। ଏହି କ୍ରମରେ ଗୁରୁବାର ଦିନ ସ୍ୱାଧୀନତା ପରବର୍ତ୍ତୀ ଭାରତର ସବୁଠାରୁ ବିବାଦୀୟ ଓ ଅତ୍ୟନ୍ତ ସ୍ପର୍ଶକାତର ଅଯୋଧ୍ୟା ମାମଲାରେ ସୁଦୂରପ୍ରସାରୀ ଗୁରୁତ୍ୱବହନ କରୁଥିବା ଏକ ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ନ୍ୟାୟମୁର୍ତ୍ତି ଦୀପକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ୨-୧ ସଂଖ୍ୟାଗରିଷ୍ଠ ରାୟରେ ଦୁଇଟି ନିଷ୍ପତ୍ତି ଶୁଣାଇଛନ୍ତି। ପ୍ରଥମ, ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମିକୁ ତିନି ପକ୍ଷ ମଧ୍ୟରେ ସମାନ ତିନି ଭାଗ କରି ବାଣ୍ଟି ୨୦୧୦ର ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଅପିଲ ଉପରେ ସ୍ଥଗିତ ରହିଥିବା ଶୁଣାଣି ଉଚ୍ଚତମ ନ୍ୟାୟାଳୟରେ ପୁଣି ଆରମ୍ଭ ହେବ। ଦ୍ୱିତୀୟ, ‘ମସ୍‌ଜିଦ୍‌ ଇସ୍‌ଲାମର ଅବିଚ୍ଛେଦ୍ୟ ଅଂଗ ନୁହେଁ’ ବୋଲି ୧୯୯୪ରେ ଇସ୍‌ମାଇଲ ଫାରୁକି ମାମଲାରେ ସୁପ୍ରିମ୍‌ କୋର୍ଟର ଏକ ପାଞ୍ଚଜଣିଆ ଖଣ୍ଡପୀଠ ଦେଇଥିବ‌ା ମନ୍ତବ୍ୟର ପୁନବିର୍ଚାର ହେବ ନାହିଁ। ତିନିଜଣିଆ ଖଣ୍ଡପୀଠର ଦୁଇଜଣ ସଦସ୍ୟ ନିଜେ ପ୍ରଧାନ ବିଚାରପତି ଏବଂ ନ୍ୟାୟମୂର୍ତ୍ତି ଅଶୋକ ଭୂଷଣଙ୍କ ମତ ହେଲା ଫାରୁକି ମାମଲାରେ କୋର୍ଟଙ୍କ ମନ୍ତବ୍ୟର ପୁନର୍ବିଚାର ଲାଗି ଆଉ ଏକ ବୃହତ୍ତର ଖଣ୍ଡପୀଠ ଗଠନର ଆବଶ୍ୟକତ‌ା ନାହିଁ।

ଅନ୍ୟପକ୍ଷରେ ଖଣ୍ଡପୀଠର ତୃତୀୟ ସଦସ୍ୟ ନ୍ୟାୟମୂର୍ତ୍ତି ଅବଦୁଲ୍‌ ନାଜିର ଭିନ୍ନ ଏକ ପୃଥକ୍‌ ରାୟରେ ବିପରୀତ ମତ ଦେଉଛନ୍ତି। ନ୍ୟାୟମୂର୍ତ୍ତି ନା‌ଜିରଙ୍କ ମତ ହେଲା ମସ୍‌ଜିଦ୍‌ ଓ ଇସଲାମ ସମ୍ପର୍କ ନେଇ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର ଆବଶ୍ୟକ। ସଂଖ୍ୟାଗରିଷ୍ଠ ରାୟ ପଛରେ ଯୁକ୍ତି ହେଲା, ଅଯୋଧ୍ୟାରେ ସରକାରଙ୍କ ଦ୍ୱାରା ୬୭ ଏକର ଜମି ଅଧିଗ୍ରହଣ ପ୍ରସଙ୍ଗରେ ଫାରୁକ୍‌ ମାମଲାରେ ସୁପ୍ରିମ୍‌ କୋର୍ଟ ଦେଇଥିବା ମନ୍ତବ୍ୟର ବର୍ତ୍ତମାନ ବିଚାରାଧୀନ ଜମି ମାମଲାର ବିଚାରରେ କୌଣସି ପ୍ରାସଙ୍ଗିକତା ନାହିଁ। ୧୯୯୪ରେ ପାଞ୍ଚଜଣିଆ ଖଣ୍ଡପୀଠ ଦେଇଥିବା‌ ମନ୍ତବ୍ୟର ପ୍ରାସଙ୍ଗିକତା କେବଳ ସେହି ସମୟର ଜମି ଅଧିଗ୍ରହଣ ମାମଲାରେ ସୀମିତ। ଅନ୍ୟପକ୍ଷରେ ଭିନ୍ନ ମତ ସହ ସଂଖ୍ୟାଲଘୁ ରାୟ ଶୁଣାଇଥିବା ନ୍ୟାୟମୂର୍ତ୍ତି ନଜିରଙ୍କ ଯୁକ୍ତି ହେଲା- ୧୯୯୪ର ‘ମସ୍‌ଜିଦ୍‌ ଇସ୍‌ଲାମ୍‌ର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ’ ମନ୍ତବ୍ୟ ଆଧାରରେ ହିଁ ଆହ୍ଲାବାଦ ହାଇକୋର୍ଟ ୨.୭୭ ଏକର ଜମିର ସତ୍ତ୍ୱାଧିକାର ନେଇ ବିବାଦର ଚୂଡ଼ାନ୍ତ ଫଇସଲା କରିଛନ୍ତି। ଏହି କାରଣରୁ ଜମି ବିବାଦର ଫଇସଲା ପୂର୍ବରୁ ପ୍ରଥମେ ଫାରୁକି ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟର ଏକ ବୃହତ୍ତର ଖଣ୍ଡପୀଠ ପୁନଃ ବିଚାର କରିବା ଆବଶ୍ୟକ। ସମ୍ବିଧାନର ଧାରା ୧୫, ୨୫ ଓ ୨୬ରେ ଭାରତୀୟ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଧାର୍ମିକ ଅଧିକାର ସହ ମଧ୍ୟ ଏହା ଯୋଡ଼ି ହୋଇଛି।

Panda Mobile only

ଉଚ୍ଚତମ ନ୍ୟାୟାଳୟଙ୍କ ୨.୧ ସଂଖ୍ୟାଗରିଷ୍ଠ ରାୟ ନିଶ୍ଚୟ ଅଯୋଧ୍ୟା ଜମି ବିବାଦର ଫଇସଲା‌ ସକା‌େଶ ବାଟ ପରିଷ୍କାର କରିଛି। ରାମଲାଲା ମହାରାଜ, ନିରମୋହୀ ଆଖଡ଼ା ଏବଂ ସନ୍ନି ୱାକଫ୍‌ ବୋର୍ଡ ମଧ୍ୟରେ ସମାନ ତିିନି ଭାଗରେ ଜମି ଭାଗ କରି ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ। ଏହାର ଭାଗ୍ୟ ନିର୍ଦ୍ଧାରଣ କରି ଜମି ବିବାଦ ଉପରେ ଚୂଡ଼ାନ୍ତ ନ୍ୟାୟିକ ମୋହର ଲାଗିପାରେ। ଏହା କିନ୍ତୁ ରାମ ଜନ୍ମଭୂମି- ବାବ୍ରି ମସ୍‌ଜିଦ୍‌, ହିନ୍ଦୁ-ମୁସଲମାନ ବିବାଦର ସମାଧାନ କରିପାରିବ ନାହିଁ। ୧୮୮୫ରେ ରାମ ଚଉତରା ଭାବେ ଏକ ଚୋଟ ଚାଳିଆ ତିଆରି ପାଇଁ ମାତ୍ର ୧୭X୨୧ ଫୁଟ ଜମି ପାଇଁ ମହନ୍ତ ରଘୁବର ଦା‌ସଙ୍କ ଆବେଦନ ସହ ଆରମ୍ଭ ହୋଇଥିବା ୧୩୩ ବର୍ଷ ପୁରୁଣା ଜମି ବିବାଦ ହୁଏତ ସମାଧାନ ଆଡ଼କୁ ଆଉ ପାଦେ ଆଗେଇ ଥାଇପାରେ। (ଅବଶ୍ୟ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତର ବିଚାରାଧୀନ ଜମି ବିବାଦ ୧୯୫୯ରେ ଆରମ୍ଭ ହୋଇଥିଲା।), କିନ୍ତୁ ଜମି ବିବାଦର ଅନ୍ତତଃ ବତିଶ ବର୍ଷ ପୂର୍ବରୁ ମନ୍ଦିର-ମସଜିଦ୍‌ ନେଇ ପ୍ରଥମ ସାଂପ୍ରଦାୟିକ ସଂଘର୍ଷ ସହ ୧୮୫୩ରୁ ଆରମ୍ଭ ‌ହୋଇଥିବା ହିନ୍ଦୁ-ମୁସଲମାନ ବିବାଦ ୧୬୫ ବର୍ଷ ତଳେ ଯେଉଁଠି ଥିଲା, ଆଜି ମଧ୍ୟ ସେଇଠି ଅଛି। ରାମଜନ୍ମଭୂମି- ବାବ୍ରୀ ମସ୍‌ଜିଦ୍‌ ବିବାଦ ଏକ ସାଧା‌ରଣ ଜମି ବିବାଦ ନୁହେଁ, ବରଂ ଏମିତି ଏକ ବିବାଦ; ଯାହା ସହ ଦୁଇଟି ସଂପ୍ରଦାୟର ଧର୍ମୀୟ ଭାବାବେଗ ଯୋଡ଼ି ହୋଇଛି। ଧାର୍ମିକ ପ୍ରଶ୍ନକୁ ବାଦ ଦେଇ ବିବାଦର ସମାଧାନ ସମ୍ଭବ ନୁହେଁ। ୧୯୯୪ ଫାରୁକି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ମନ୍ତବ୍ୟର ବିବାଦୀୟ ଜମି ପ୍ରସଙ୍ଗରେ ପ୍ରାସଙ୍ଗିକତାକୁ ଅସ୍ୱୀକାର କରିବା ଅର୍ଥ ବାସ୍ତବତା ପ୍ରତି ମୁହଁ ମୋଡିବା। ହିନ୍ଦୁଙ୍କ ବିଶ୍ୱାସ ଯେ, ବିବାଦୀୟ ୨.୭୭ ଏକର ଜମିରେ ସେହି ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଠି ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ। ଅନ୍ୟପକ୍ଷରେ ମୁସଲମାନ ମାନଙ୍କ ଯୁକ୍ତି ହେଲା, ଏହି ଜମିରେ ବାବ୍ରୀ ମସ୍‌ଜିଦ୍‌ ଥିଲା, ଯେଉଁଠି ସେମାନେ ବର୍ଷ ବର୍ଷ ଧରି ପ୍ରାର୍ଥନା କରି ଆସୁଥିଲେ। ମୋଗଲ ସମ୍ରାଟ ବାବରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଶାସକ ମୀର୍‌ ବାକି ୧୫୨୫ରେ ବାବ୍ରୀ ମସ୍‌ଜିଦ୍‌ ନିର୍ମାଣ କରିଥିଲେ। ତା ପୂର୍ବରୁ ତ୍ରେତୟାରେ ଜନ୍ମ ନେଇଥିବା ଶ୍ରୀରାମଙ୍କୁ ଉପାସନା ପାଇଁ ସେଠାରେ ଏକ ମନ୍ଦିର ଥିଲା। ଆହ୍ଲାବାଦ ହାଇକୋର୍ଟ ୨୦୧୦ ରାୟରେ ଉଲ୍ଲେଖ କରିଛନ୍ତି ଯେ, ବିବା‌ଦୀୟ ଜମିରେ ରାମମନ୍ଦିର ଥିଲା ଏବଂ ପରେ ମନ୍ଦିର ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ ହୋଇଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଜମି ବିବାଦ ସହ ଦୁଇଟି ସମ୍ପ୍ରଦାୟର ଧାର୍ମିକ ବିଶ୍ୱାସ ଓ ଭାବନା ଯୋଡ଼ି ହୋଇଛି। ତେଣୁ ଇସ୍‌ମାଇଲ୍‌ ଫାରୁକି ମାମଲାରେ କେବଳ ମସ୍‌ଜିଦ୍‌ ନୁହେଁ, ମନ୍ଦିର, ଗୀର୍ଜା ଭଳି ଧାର୍ମିକ ସ୍ଥଳ ସହ ସମ୍ପୃକ୍ତ ଧର୍ମର ସମ୍ପର୍କ ନାହିଁ ବୋଲି ସୁପ୍ରିମ୍‌ କୋର୍ଟଙ୍କ ମନ୍ତବ୍ୟ ନିଶ୍ଚୟ ପୁନର୍ବିଚାରର ଅପେକ୍ଷା ରଖୁଛି। ତେବେ, ସଂଖ୍ୟାଗରିଷ୍ଠ ରାୟ ଏହି ବିବାଦୀୟ ମନ୍ତବ୍ୟର ପୁନର୍ବିଚାରକୁ ଆଡ଼େଇ ଯାଇଛନ୍ତି। ୨.୭୭ ଏକର ଜମି ବିବାଦର ଫଇସଲା ଲାଗି ହୁଏତ ଧର୍ମର ବ୍ୟାଖ୍ୟା ଆବଶ୍ୟକ ହୋଇନପାରେ। କିନ୍ତୁ ଧର୍ମକୁ ବାଦ ଦେଇ କ’ଣ ରାମଜନ୍ମଭୂମି- ବାବ୍ରୀ ମସ୍‌ଜିଦ୍‌ ବିବାଦର ସମାଧାନ ସମ୍ଭବ?

ବିଗତ ବହୁ ଦଶକ ହେଲା ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଅଯୋଧ୍ୟା ପ୍ରସଙ୍ଗ ବାତା‌ବରଣକୁ ଉଷ୍ଣ କରି ଆସିଛି। ସେହି ଧାରାରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ସଦ୍ୟତମ ରାୟ ପୁଣି ଥରେ ଉଣେଇଶ ନିର୍ବାଚନ ପୂର୍ବରୁ ଅଯୋଧ୍ୟା ପ୍ରସଙ୍ଗକୁ ରାଜନୈତିକ ମଇଦାନକୁ ଟାଣିଛି ସିନା, ଏହା ମୂଳ ହିନ୍ଦୁ-ମୁସଲମାନ ଧାର୍ମିକ ବିବାଦର ସମାଧାନ ଦିଗରେ ସହା‌ୟକ ହେବ ନାହିଁ।

ସକଳ ବିନମ୍ରତାର ସହ ଆମର ସ୍ପଷ୍ଟ ମତ ଯେ, ଧାର୍ମିକ ବିଶ୍ୱାସ ଓ ଭାବାବେଗ ସହ ଯୋଡ଼ି ହୋଇଥିବା କୌଣସି ବିବାଦର ସମାଧାନ ଲାଗି ଅଦାଲତ ପ୍ରକୃଷ୍ଟ ସ୍ଥାନ ନୁହେଁ। ଆଇନ ଓ ଅଦାଲତର ବାହାରେ ଆପୋସ ଆଲୋଚନା ଜରିଅ‌ାରେ ବିବାଦର ସମାଧାନ ସକା‌େଶ ବାଟ ଖୋଜାଯିବା ଉଚିତ। ମାର୍ଚ୍ଚ, ୨୦୧୭ରେ ସୁପ୍ରିମ୍‌କୋର୍ଟର ତତ୍କାଳୀନ ବିଚାରପତି ନ୍ୟାୟମୂର୍ତ୍ତି ଜେ.ଏସ୍‌. କେହାର କଥାବାର୍ତ୍ତା ମାଧ୍ୟମରେ ବିବାଦର ଆ‌ପୋସ ସମାଧାନ ଲାଗି ସବୁ ପକ୍ଷଙ୍କୁ ଆବେଦନ କରିଥିଲେ। ଦେଶର ଏକତା, ସଂହତି ଓ ସାଂପ୍ରଦାୟିକ ସଦ୍ଭାବ ଦୃଷ୍ଟିରୁ ୧୯୯୪ ଫାରୁକି ମାମଲାରେ ମନ୍ତବ୍ୟର ପୁନଃବିଚାର ଅପେକ୍ଷା ନ୍ୟାୟମୂର୍ତ୍ତି କେହାରଙ୍କ ଆବେଦନ ଉପରେ ଦୁଇ ସଂପ୍ରଦାୟର ନେତୃତ୍ୱମଣ୍ଡଳୀ ଗୁରୁତ୍ୱର ସହ ପୁନଃବିଚାର କରିବା ଅଧିକ ଆବଶ୍ୟକ। ରାଜନୈତିକ ଦଳମାନେ ଏ ପ୍ରସଙ୍ଗକୁ ରାଜନୀତିର ପଶାପାଲିରେ ଗୋଟି ଭାବେ ବ୍ୟବହାର ନ କରି ଅାପୋସ ଆଲୋଚନା ଦ୍ୱାରା ବିବାଦର ଅବସାନ ଲାଗି ନିଷ୍ଠାପର ପ୍ରୟାସ କରନ୍ତୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.