ବିତ୍ତୀୟ ହୋମିଓପାଥି

ବେଳେ ବେଳେ ଦେଖାଯାଇଥାଏ କେହି କେହି କୌଣସି ଦୁରାରୋଗ୍ୟ ବ୍ୟାଧିରେ  ପୀଡ଼ିତ ରୋଗୀ ଅନ୍ୟ ସମସ୍ତ ବିଜ୍ଞାନସମ୍ମତ ଆଧୁନିକ ଚିକିତ୍ସାରୁ କୌଣସି ସୁଫଳ ନପାଇ ହତାଶ ହେବା ପରେ ହୋମିଓପାଥି ଭଳି ବିକଳ୍ପ ଚିକିତ୍ସାର ଶରଣାପନ୍ନ ହୋଇଥାନ୍ତି। ମନେ ହେଉଛି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ବୋଧହୁଏ ବର୍ତ୍ତମାନ ଏକ ଅନୁରୂପ ଆଚରଣ ପ୍ରଦର୍ଶନ କରିଛନ୍ତି। ଗତ ବୁଧବାର ଦିନ ତାଙ୍କ ମନ୍ତ୍ରଣାଳୟ ୧୯ଟି ଦ୍ରବ୍ୟ ଉପରେ ବୃଦ୍ଧି କରିଥିବା ଆମଦାନି ଶୁଲ୍‌କ ହାର ହେଉଛି ଏହାର ପ୍ରମାଣ।

ହୋମିଓପାଥି ଚିକିତ୍ସା ପଦ୍ଧତିର ଅନ୍ୟତମ ମୂଳ ସୂତ୍ର ହେଉଛି: ସଦୃଶ ଦ୍ୱାରା ସଦୃଶର ଆରୋଗ୍ୟ ସାଧନ। ସରଳ ଭାବରେ କହିଲେ, ଯେଉଁ ପଦାର୍ଥ ଜଣେ ସୁସ୍ଥ ମନୁଷ୍ୟଠାରେ ଏକ ନିର୍ଦ୍ଧିଷ୍ଟ ରୋଗ ସୃଷ୍ଟି କରିଥାଏ, ‌ସେହି ରୋଗରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କଠାରେ ଯଦି ଉକ୍ତ ପଦାର୍ଥକୁ ପ୍ରୟୋଗ କରାଯାଏ, ତାହା ଠିକ୍‌ ବିପରୀତ ଫଳ ପ୍ରଦାନ କରିଥାଏ, ଅର୍ଥାତ୍‌ ରୋଗ ଭଲ କରି ଦେଇଥାଏ। ଭାରତୀୟ ଅର୍ଥନୀତି ବର୍ତ୍ତମାନ ବ୍ୟାଧିଗ୍ରସ୍ତ। ପେଟ୍ରୋଲ, ଡି‌ଜେଲ ଆଦିର ଅସମ୍ଭାଳ ଦରବୃଦ୍ଧି ଖାଉଟିମାନଙ୍କ ପକେଟ୍‌ରେ ନିଆଁ ଲଗାଇ ଦେଇଛି। ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ତୀବ୍ର ସ୍ଖଳନ ଘଟି ବିଦେଶରୁ ଆମଦାନି କରା ହେଉଥିବା ଦ୍ରବ୍ୟମାନଙ୍କୁ ଅତ୍ୟନ୍ତ ମହଙ୍ଗା କରିବାରେ ଲାଗିଛି। ଏହାର ପରିଣାମ ସ୍ୱରୂପ ଭାରତର ଚଳନ୍ତି ହିସାବ ନିଅଣ୍ଟ (ସିଏଡି) ଅନୁପାତ ଦେଶର ‘ଜିଡିପି’ର ୩% ରୂପକ ବିପଦ ସୀମାର ନିକଟବର୍ତ୍ତୀ ହେବାକୁ ଲାଗିଲାଣି।

ମୋଟ ଉପରେ ଭାରତର ଖାଉଟିମାନେ ଏବେ ଯେଉଁ ରୋଗରେ ପଡ଼ିଛନ୍ତି ତାହା ହେଉଛି ଦରଦାମ୍‌ ବୃଦ୍ଧି। ହୋମିଓପାଥିର ଉପରୋକ୍ତ ସୂତ୍ର ଅବଲମ୍ବନ କରି ଯଦି ଏ ରୋଗର ଚିକିତ୍ସା କରାଯାଏ, ତେବେ ରୋଗୀକୁ ଯେଉଁ ଔଷଧ ସେବନ କରିବାକୁ ଦିଆଯିବ, ତାହା ହେଉଛି- ଆଉ ଅଧିକ ଦରବୃଦ୍ଧି। ଅତଏବ ଅର୍ଥମନ୍ତ୍ରୀ ଦେଶବାସୀଙ୍କୁ ପୁଣି ୧୯ ପାନ ଦରବୃଦ୍ଧି ରୂପକ ଔଷଧ ଖୁଆଇ ଦେଇଛନ୍ତି। ଅର୍ଥମନ୍ତ୍ରୀ ଏଥିପାଇଁ ୧୯ ପ୍ରକାରର ସାମଗ୍ରୀ ଉପରେ ଆଦାୟ କରାଯାଉଥିବା ଆମଦାନି ଶୁଳ୍‌କ ହାରରେ ତୀକ୍ଷ୍‌ଣ ବୃଦ୍ଧି ଘଟାଇଛନ୍ତି। ତାଙ୍କର ଏହି ପଦକ୍ଷେପ ପଛରେ ନିହିତ ଥିବା ଘୋଷିତ ଉଦ୍ଦେଶ୍ୟ ହେଲା- ‘କେତେକ ପଦାର୍ଥର ଆମଦାନି ନିୟନ୍ତ୍ରଣ କରିବା’ ଏବଂ ଚଳନ୍ତିି ହିସାବ ନିଅଣ୍ଟକୁ ସଂକୁଚିତ କରିବା।

ସରକାରଙ୍କର ଏହି ଶୁଳ୍‌କ ବୃଦ୍ଧିର ତୀକ୍ଷ୍‌ଣତା ହୃଦୟଙ୍ଗମ କରିବା ପାଇଁ ଏଠାରେ ତାହାର କେତୋଟି ଉଦାହରଣ ପ୍ରଦାନ କରାଯାଇପାରେ। ଯେମିତି, ଜୋତାରେ ପ୍ରାୟ ୨୫%, ଗହଣା, ଏଆର୍‌କଣ୍ଡିସନ୍‌ କ‌େମ୍ପ୍ରସର ଏବଂ ରେଫ୍ରିଜରେଟର୍‌ ଭଳି ତିନିଟି ଦ୍ରବ୍ୟ ଉପରେ ୩୩%, ରେଡିଆଲ୍‌ କାର୍‌ ଟାୟାର୍‌, ହୀରା, ମୂଲ୍ୟବାନ ପଥର, ଯାତ୍ରୀ ବ୍ୟାଗ୍‌, ରନ୍ଧନଶାଳା ଓ ଗାଧୁଆ ଘରେ ବ୍ୟବହୃତ ପ୍ଲାଷ୍ଟିକ୍‌ ସାମଗ୍ରୀ ଏବଂ ଅଫିସ ସାମଗ୍ରୀ ଭଳି ୧୧ ପ୍ରକାର ଦ୍ରବ୍ୟ ଉପରେ ୫୦% ଏବଂ ଏଆର୍‌କଣ୍ଡିସନର୍‌, ରେଫ୍ରିଜରେଟର୍‌ ଓ ୱାସିଙ୍ଗ୍‌ ମେସିନ୍‌ରେ ବ୍ୟବହୃତ ଉପ‌ାଦାନ ସମେତ ତିନି କିସମର ଦ୍ରବ୍ୟ ଉପାରେ ୧୦୦%। ବିତ୍ତ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ତାଲିକାର ଶେଷରେ ଥିବା ଦ୍ରବ୍ୟଟି ହେଉଛି ଉଡ଼ାଜାହାଜ ଇନ୍ଧନ (ଏଭିଏସନ୍ ଟର୍ବାଇନ୍‌ ଫୁଏଲ୍‌), ଯାହା ଉପରେ ୫% ଶୁଳ୍‌କ ଲାଗିଛି- ସତେ ଯେମିତି ବର୍ଦ୍ଧିତ ତୈଳ ଦର ଯଥେଷ୍ଟ ନଥିଲା।

ଆମଦାନି ଶୁଳ୍‌କର ଏପରି ପ୍ରୟୋଗ ବସ୍ତୁତଃ ଭାରତୀୟ ଅର୍ଥନୀତିକୁ ଏକ ନିବୁଜ ଅର୍ଥନୀତିରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ, ଯାହା ଉଦାରୀକରଣ ଓ ଅବାଧ ଆନ୍ତର୍ଜାତିକ ବାଣିଜ୍ୟର ପରିପନ୍ଥୀ। ତେବେ ତାହା ଉପରେ  ଅଧିକ ଦୃଷ୍ଟି ନିକ୍ଷେପ କରିବା ପୂର୍ବରୁ ଏଠାରେ ଯାହା ପ୍ରତି ପ୍ରଥମେ ଦୃଷ୍ଟି ଆକର୍ଷଣ କରାଯିବା ଉଚିତ ହେବ, ତାହା ହେଲା, ଯଦି ଆମଦାନି ସଂକୋ‌ଚନ ହେଉଛି ସରକାରଙ୍କ ଉଦ୍ଦେଶ୍ୟ ତେବେ ଟଙ୍କାର ବିନିମୟ ମୂଲ୍ୟରେ ଘଟି ଚାଲିଥିବା ହ୍ରାସ ତ ସେ ଉଦ୍ଦେଶ୍ୟ ସାଧନ କରୁଥିଲା; ବୋଝ ଉପରେ ନଳିତା ବିଡ଼ା ପରି ତାହା ଉପରେ ଆହୁରି ଶୁଳ୍‌କ ବୃଦ୍ଧି କରାଗଲା କାହିଁକି? ଆମଦାନି ଶୁଳ୍‌କ ବୃଦ୍ଧି ପାଇଁ ସରକାର ୧୯ଟି ଶ୍ରେଣୀର ଦ୍ରବ୍ୟ ଠାବ କରିବା ଦେଖି ମନେ ହୋଇପାରେ ବୋଧହୁଏ ଏ ସବୁ ଦ୍ରବ୍ୟ ମାନଙ୍କର ଆମଦାନିରେ ବେଲଗାମ୍‌ ବୃଦ୍ଧି ଘଟି ଚାଲିଥିଲା, ଯେଉଁଥିପାଇଁ ତାହାକୁ କାବୁ କରିବା ପାଇଁ ଶୁଳ୍‌କ ଲଗାମ ବ୍ୟବହାର କରାଯାଇଛି। ଏହାର ସତ୍ୟତା ପରଖିବା ପାଇଁ କେତୋଟି ନମୁନା ଉପରେ ନଜର ପକାଯାଇପାରେ।

ଉଦାହରଣ ସ୍ୱରୂପ ଚଳିତ ବିତ୍ତବର୍ଷର ଆରମ୍ଭଠାରୁ ଚାରି ମାସ ମଧ୍ୟରେ (ଏପ୍ରିଲ-ଜୁଲାଇ, ୨୦୧୮) ଏହି ଜୋତା ଆମଦାନିରେ ମାତ୍ର ୧୦% ବୃଦ୍ଧି ଘଟିଛି। ଚଳିତ ବଜେଟ୍‌ରେ ଏହା ଉପରେ ୧୦୦% ଟିକସ ବୃଦ୍ଧି ଏବଂ ଟଙ୍କାର ନୀଚା ବିନିମୟ ମୂଲ୍ୟ ମିଶି ଏହାର ଆମଦାନିକୁ ଏପରି ସଂକୁଚିତ କରିଥିବା ବେଳେ, ଏବେ ପୁଣି ଶୁଳ୍‌କ ବୃଦ୍ଧି କାହିଁକି? ଏହି ସମୟ କାଳରେ ରେଡ଼ିଆଲ୍‌ କାର୍‌ ଟାୟାର ଆମଦାନିରେ ବାସ୍ତବରେ ୧% ସଂକୋଚନ ଘଟିବା ଦେଖା ଯାଇଥିଲେ ମଧ୍ୟ ତାହା ଉପରେ ଆହୁରି ଆମଦାନି ଶୁଳ୍‌କ ବୃଦ୍ଧି କରିବା ଏକ ସନ୍ଦେହ ସୃଷ୍ଟି କରିପାରେ ଯେ ସରକାର କ’ଣ ଘରୋଇ ପ୍ରତିଦ୍ୱନ୍ଦ୍ୱୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଏପରି କରିଛନ୍ତି? ତାଲିକାଭୁକ୍ତ ୧୯ଟି ଯାକ ପଦାର୍ଥ ମାନଙ୍କ ପାଇଁ ଚିତ୍ର ଊଣା ଅଧିକେ ଏହିପରି। ଏକ ଆକଳନ ଅନୁସାରେ ବର୍ଦ୍ଧିତ ଆମଦାନି ଶୁଳ୍‌କ ଯୋଗୁଁ ସରକାର ଅତିରିକ୍ତ ୪,୦୦୦ କୋଟି ଟଙ୍କା ବାର୍ଷିକ ସମ୍ବଳ ସଂଗ୍ରହ କରି ପାରନ୍ତି, ଯାହା ବହିଃଶୁଳ୍‌କ ମାଧ୍ୟମରେ ସଂଗ୍ରହ କରିବାକୁ ଥିବା ଲକ୍ଷ୍ୟର ମାତ୍ର ୩.୫%। ତେଣୁ ନା ସମ୍ବଳ ସଂଗ୍ରହ ଦୃଷ୍ଟିରୁ ନା ‘ସିଏଡି’ ସଂକୋଚନ ଦୃଷ୍ଟିରୁ, ବତ୍ତର୍ମାନର ଶୁଳ୍‌କ ବୃଦ୍ଧିରେ କୌଣସି ଯଥାର୍ଥତା ଅଛି।

ତା‌େହଲେ ସରକାର ଏପରି ବିତ୍ତୀୟ ଚିକିତ୍ସା ପଦ୍ଧତି ଆପଣାଇବା ପଛରେ ଥିବା ଅସଲ କାରଣ କ’ଣ? ସରକାର ବୋଧହୁଏ ଆମଦାନି ପ୍ରାଚୀର ନିର୍ମାଣ କରି ଦେଶକୁ ଏକ ଆତ୍ମନିର୍ଭରଶୀଳ ଅର୍ଥନୀତିରେ ପରିଣତ କରିବାକୁ ପୁଣି ଉଦ୍ୟମ ଆରମ୍ଭ କରିଛନ୍ତି, ଯାହା ଅତୀତରେ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛି। ବିଗତ ବର୍ଷ ମାନଙ୍କରେ ସରକାର କାର୍ପାସ୍‌ ବସ୍ତ୍ରରୁ ଆରମ୍ଭ କରି ଖାଇବା ତେଲ, ଇଲେକ୍‌ଟ୍ରୋନିକ୍ସ ଦ୍ରବ୍ୟ ଆଦି ଉପରେ ଆମଦାନି ଶୁଳ୍‌କ ବୃଦ୍ଧି କରି ଚାଲିଛନ୍ତି। ଯଦିବା ଡାଭୋସ୍‌ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଏପରି ବାଣିଜ୍ୟ ପ୍ରତିରୋଧକ କାର୍ଯ୍ୟକୁ ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ପରି ବିପଦ ସହିତ ତୁଳନା କରିଥିଲେ, ତାଙ୍କ ସରକାର ଠିକ୍‌ ତା’ର ବିପରୀତ ଆଚରଣ କରି ଚାଲିଛି। ଏପରି ନୀତି କେବଳ ଖାଉଟିମାନଙ୍କ ସ୍ୱାର୍ଥ ହାନି ଘଟାଇବ, ତାହା ନୁହେଁ, ଏହାଦ୍ୱାରା ଭାରତୀୟ ଶିଳ୍ପ ବ୍ୟବସାୟର ଆନ୍ତର୍ଜାତିକ ପ୍ରତିଦ୍ୱନ୍ଦ୍ୱିତା କ୍ଷମତା ହ୍ରାସ ପାଇବ ଓ ଭାରତୀୟ ରପ୍ତାନି କ୍ଷତିଗ୍ରସ୍ତ ହେବ। ଭାରତୀୟ ଅର୍ଥନୀତି ପୁଣି ୧୯୯୧ ପୂର୍ବ ଅବସ୍ଥାକୁ ଫେରିଯିବ। ଏହାହିଁ ହେବ ବିତ୍ତୀୟ ହୋମିଓପାଥିର ପରିଣତି।

ସମ୍ବନ୍ଧିତ ଖବର