କାମ ହିଁ କଥା କହେ

0 342

ଭାରତର ୪୫ତମ ପ୍ରଧାନ ବିଚାରପତି ଭାବେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ପୂରି ଯାଇଛି। ଅଗଷ୍ଟ ୨୮, ୨୦୧୭ରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ନ୍ୟାୟମୂର୍ତ୍ତି ମିଶ୍ରଙ୍କ ତେରମାସର କାର୍ଯ୍ୟକାଳ ବେଶ୍‌ ଘଟଣାବହୁଳ ଥିଲା। ବିବାଦର ତୁଫାନ୍‌ ମଧ୍ୟ ଉଠିଥିଲା। କିନ୍ତୁ ଅଘଟଣ, ବିବାଦ ପାଇଁ ନ୍ୟାୟମୂର୍ତ୍ତି ମିଶ୍ରଙ୍କ କାର୍ଯ୍ୟକାଳ ‌ଯେତିକି ମନେ ରହିବ, ତା’ଠାରୁ ଅଧିକ ସ୍ମରଣୀୟ ହୋଇ ରହିବ ସେ ନ୍ୟାୟିକ ପରମ୍ପରାରେ ଯୋଡି ଯାଇଥିବା କିଛି ନୂଆ ଉଜ୍ଜ୍ବଳ ଅଧ୍ୟାୟ, ରଖି ଯାଇଥିବା କେତେକ ଦୃଷ୍ଟାନ୍ତ। ଚଳିତ ବର୍ଷ ଆରମ୍ଭ ହେବାର ମାତ୍ର ଦିନ କେତେଟା ପରେ ଜାନୁଆରି ୧୨ ତାରିଖରେ ଉଚ୍ଚତମ ନ୍ୟାୟାଳୟର ଚାରିଜଣ ବରିଷ୍ଠତମ ବିଚାରପତି ଭାରତୀୟ ନ୍ୟାୟପାଳିକାର ଇତିହାସରେ ପ୍ରଥମଥର ପାଇଁ ପ୍ରଧାନ ନ୍ୟାୟାଧୀଶଙ୍କ ବିରୋଧରେ ଖୋଲା ବିଦ୍ରୋହକୁ ଓହ୍ଲାଇ ଆସିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ବିଚାରପତି ଭାବେ ନ୍ୟାୟମୂର୍ତ୍ତି ମିଶ୍ରଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ବ୍ୟକ୍ତ କରି ପ୍ରଶ୍ନ ଉଠାଇଲେ। ଏହି ଅଭୂତପୂର୍ବ ଘଟଣାର ସାତ ମାସ ପରେ ନ୍ୟାୟମୂର୍ତ୍ତି ମିଶ୍ର ନିଜସ୍ବ ସଦ୍ଭାବ ସୁଲଭ ଭଙ୍ଗୀରେ ସହଯୋଗୀ ବିଚାରପତିଙ୍କ ଅଭିଯୋଗର ଉତ୍ତର ଦେଲେ। ସ୍ବାଧୀନତା ଦିବସ ଅବସରରେ ସୁପ୍ରିମ୍‌କୋର୍ଟ ପରିସରରେ ଆୟୋଜିତ ଉତ୍ସବରେ ଉଦ୍‌ବୋଧନ ନେଇ ନ୍ୟାୟମୂର୍ତ୍ତି ମିଶ୍ର ଇଂରେଜୀ କବି ଟେନିସନଙ୍କ ଏକ ପଂକ୍ତି- ‘ଷ୍ଟ୍ରଙ୍ଗ ଇନ୍‌ ୱିଲ୍‌, ଷ୍ଟ୍ରାଇଭ୍, ସିକ୍‌ ଅ‌ାଣ୍ଡ୍‌ ନଟ୍‌ ୟିଲ୍‌ଡ଼’ ଆବୃତ୍ତି କରି କହିଥିଲେ, ଯେତେବେଳେ ଚାରିଆଡ଼େ କୋଳାହଳ, ନିରବରେ ନିଷ୍ଠାର ସହ ନିଜ କାମ କରିଯିବା ଉଚିତ; କାମ ହିଁ କଥା କହିବ। ତେର ମାସ ଚାରିଦିନର କାର୍ଯ୍ୟକାଳ ପରେ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ନ୍ୟାୟମୂର୍ତ୍ତିଙ୍କ କାର୍ଯ୍ୟ ହିଁ ଆଜି କଥା କହୁଛି। ‌େସ କେବଳ ତାଙ୍କର ସହଯୋଗୀ ବିଚାରପତିଙ୍କ ଅଭିଯୋଗର ଠିକଣା ଉତ୍ତର ଦେଇ ନାହାନ୍ତି, ଭାରତୀୟ ନ୍ୟାୟପାଳିକାର ଇତିହାସରେ ପ୍ରଥମ ଥର ପାଇଁ ଜଣେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହା-ଅଭିଯୋଗ ଆଣିବାର ଆସ୍ପର୍ଧା କରିଥିବା ରାଜନୈତିକ ବର୍ଗଙ୍କ ବିଭ୍ରାନ୍ତିକୁ ମଧ୍ୟ ଦୂର କରିଛନ୍ତି। ଏହି ପ୍ରକ୍ରିୟାରେ, ନଭେମ୍ବରରେ ‘ମେଡିକାଲ ନାମଲେଖା’ରେ ଭ୍ରଷ୍ଟାଚାର ଅଭିଯୋଗ, ଜାନୁଆରି ୧୨ରେ ଚାରିଜଣ ବିଚାରପତିଙ୍କ ମିଳିତ ଅଭିଯୋଗ ଫଳରେ ଦେଶବାସୀଙ୍କ ମନରେ ପ୍ରଧାନ ବିଚାରପତିଙ୍କ ଭାବମୂର୍ତ୍ତି, ନ୍ୟାୟପାଳିକାର ଛବି ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଓ ଅବିଶ୍ବାସ ଭରା ମଳିନ ଧାରଣା ଧୋଇ ସଫା ହୋଇଯାଇଛି। ନ୍ୟାୟପାଳିକାର ବିଶ୍ବସନୀୟତାରେ ଯାହା ବି ଊଣା ହୋଇଥିଲା, ତାହା ନିଶ୍ଚୟ ଭରଣା ହୋଇଛି। ନିଃସନ୍ଦେହ, ପ୍ରଧାନ ବିଚାରପତି ଭାବେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳରେ ଉଜ୍ଜ୍ବଳ ନ୍ୟାୟିକ ପରମ୍ପରାର ଔଜ୍ଜ୍ବଲ୍ୟ ଆହୁରି ବଢ଼ିଛି। ଶାସନ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ଅଂଗ ଭାବେ ନ୍ୟାୟପାଳିକାର ଗରିମା ଓ ମର୍ଯ୍ୟାଦା ପୂର୍ବବତ୍‌ ଅତୁଟ ରହିଛି।

Panda Mobile only

ପ୍ରଧାନ ବିଚାରପତି ଭାବେ କାର୍ଯ୍ୟକାଳର ଶେଷ କିଛି ଦିନରେ ବ୍ୟକ୍ତି ସ୍ବାଧୀନତା ଓ ଅଧିକାର, ମହିଳାଙ୍କୁ ସମାନତା ଓ ସମ୍ମାନ ସପକ୍ଷରେ ନ୍ୟାୟମୂର୍ତ୍ତି ମିଶ୍ରଙ୍କ ଖଣ୍ଡପୀଠ ଶୁଣାଇ ଥିବା ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଓ ଐତିହାସିକ ରାୟ ତ ନିଶ୍ଚୟ ନ୍ୟାୟପାଳିକ‌ାର ଇତିହାସରେ ଉଜ୍ଜ୍ବଳ ସ୍ଥାନ ଅଧିକାର କରିବ। କିନ୍ତୁ ସେ ନିଜ କାର୍ଯ୍ୟକାଳରେ ନ୍ୟା‌ୟପାଳିକା ବ୍ୟାପାରରେ ସ୍ବଚ୍ଛତା ଆଣିବା ଲାଗି ନେଇଥିବା କେତେକ ପଦକ୍ଷେପ ଇତିହାସରେ ଆହୁରି ଅଧିକ ଉଜ୍ଜ୍ବଳ ଦୃଷ୍ଟାନ୍ତ ହୋଇ ରହିବ। ସୁପ୍ରିମ୍‌‌େକାର୍ଟର ପ୍ରଧାନ ବିଚାରପତି ଏବଂ ଅନ୍ୟ ଚାରିଜଣ ବରିଷ୍ଠତମ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍‌ ବୈଠକର ବିବରଣୀ ସର୍ବଜନୀନ କରିବା ପାଇଁ ନ୍ୟାୟମୂର୍ତ୍ତି ମିଶ୍ରଙ୍କ ନିଷ୍ପତ୍ତି ନ୍ୟାୟପାଳିକାର ସ୍ବଚ୍ଛତା ଦିଗ‌େର ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହାଦ୍ବାରା ଉଚ୍ଚ ନ୍ୟାୟପାଳିକାରେ ବିଚାରପତିି ନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ସ୍ବଚ୍ଛତା ଆସିଛି; ଯାହା ପ୍ରିୟାପ୍ରୀତି ତୋଷଣର ଅଭିଯୋଗ ପାଇଁ ଅବକାଶକୁ ଯଥେଷ୍ଟ ମାତ୍ରାରେ ସଙ୍କୁଚିତ କରିଛି। ପୂର୍ବରୁ ହାଇକୋର୍ଟ କିମ୍ବା ସୁପ୍ରିମ୍‌କୋର୍ଟର ବିଚାରପତି ନିଯୁକ୍ତି ପାଇଁ କେଉଁ ସବୁ ପ୍ରାର୍ଥୀଙ୍କ ନାମ ସୁପାରିସ ହୋଇଛି, କେଉଁ ପ୍ର‌ାର୍ଥୀଙ୍କୁ ବାଦ୍ ଦିଆଗଲା ଓ କାହିଁକି, କିମ୍ବା ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ବିଚାରପତି ନିଯୁକ୍ତି ଦିଆଯିବାର ଯଥାର୍ଥତା ଆଦି ବିଷୟ ଗୋପନ ରହୁଥିଲା। କାହାର କିଛି ଜାଣିବାର ସୁଯୋଗ ନଥିଲା। କିନ୍ତୁ ଗତବର୍ଷ ଅକ୍ଟୋବରରେ ନ୍ୟାୟମୂର୍ତ୍ତି ମିଶ୍ରଙ୍କ ଦ୍ବାରା ନୂଆ ବ୍ୟବସ୍ଥାର ପ୍ରବର୍ତ୍ତନ ହେଲା। ଉଚ୍ଚ ନ୍ୟାୟପାଳିକା‌ର ବିଚାରପତି ଚୟନ ପ୍ରକ୍ରିୟା ଉପରୁ ଗୋପନୀୟତାର ଚାଦର ହଟାଇ ଦିଆଗଲା। କଲେଜିୟମ୍‌ର କେଉଁ ସଦସ୍ୟ କେଉଁ ପ୍ରାର୍ଥୀଙ୍କ ସମ୍ପର୍କରେ କଣ ମତ ଦେଲେ, ତା’ର ସମ୍ପୂର୍ଣ୍ଣ ବିବରଣୀ ଲିଖିତ ଭାବେ ରଖାଯାଉଛି। ସର୍ବସ‌ାଧାରଣଙ୍କ ଅବଗତି ନିମ‌େନ୍ତ ବିବରଣୀ ଉଚ୍ଚତମ ନ୍ୟାୟାଳୟଙ୍କ ୱେବ୍‌ସାଇଟ୍‌ରେ ଉପଲବ୍‌ଧ କରାଯାଉଛି। ଏନ୍‌ଜେଏସି (ଜାତୀୟ ନ୍ୟାୟିକ ନିଯୁକ୍ତି କମିସନ୍‌) ମାଧ୍ୟମରେ ବିଚାରପତି ନିଯୁକ୍ତି କ୍ଷେତ୍ରରେ କାର୍ଯ୍ୟନିର୍ବାହୀର ହସ୍ତକ୍ଷେପର ଆଶଙ୍କା ଥିଲା। ଏହି ପରିପ୍ରେକ୍ଷୀରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କଲେଜିୟମ୍‌ର ପ୍ରାଧାନ୍ୟ ଓ ବିଶ୍ବସନିୟତା ବଜାୟ ରଖିବା ଲାଗି ଏହାର କାର୍ଯ୍ୟରେ ସ୍ବଚ୍ଛତା ଏକାନ୍ତ ଆବଶ୍ୟକ ଥିଲା। ନ୍ୟାୟିକ ବ୍ୟାପାରରେ ଅଧିକ ସ୍ବଚ୍ଛତା ଆଣିବା ପାଇଁ ନ୍ୟାୟମୂର୍ତ୍ତି ମିଶ୍ରଙ୍କ ଅମଳର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଲା, ମାମଲାର ଶୁଣାଣି ଓ ଅନ୍ୟ ଅଦାଲତୀ କାର୍ଯ୍ୟର ସିଧା ପ୍ରସାରଣ। ନ୍ୟାୟମୂର୍ତ୍ତି ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବାର ଅବ୍ୟବହିତ ପୂର୍ବରୁ ଏହି ଅଭିନବ ବ୍ୟବସ୍ଥା ଆରମ୍ଭ ହୋଇଛି। ନ୍ୟାୟାଶ୍ରୟୀ ମହକିଲ ମାନେ ଏହାଦ୍ବାରା ନିଜ ମାମଲା ସମ୍ପର୍କରେ ସ୍ପଷ୍ଟ ଓ ପ୍ରତ୍ୟକ୍ଷ ସୂଚନା ପାଇପାରିବେ। କାର୍ଯ୍ୟକାଳର ଶେଷ ପର୍ଯ୍ୟାୟରେ ସମଲିଙ୍ଗୀ ଯୌନ ସମ୍ପର୍କ ସଂକ୍ରାନ୍ତ ଦଫା ୩୭୭, ପରକିୟା ପ୍ରୀତି ପ୍ରସଙ୍ଗରେ ଦଫା ୪୯୭ର ଉଚ୍ଛେଦ କରି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଇଥିବା ରାୟ ସଂସ୍କାରଧର୍ମୀ। ସମୟ ଓ ଅବସ୍ଥାର ପରିବର୍ତ୍ତନ ସହ ତାଳ ଦେଇ ସମାଜ ଓ ଆଇନର ଦୃଷ୍ଟିଭଙ୍ଗୀରେ ଯେ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ, ଉକ୍ତ ଦୁଇଟି ରାୟରେ ଉଚ୍ଚତମ ନ୍ୟାୟାଳୟ ଏହି ବାର୍ତ୍ତା ଦେଇଛନ୍ତି। ସାମାଜିକ ଦୃଷ୍ଟିକୋଣରୁ ନୈତିକତାର ମାପଦଣ୍ଡଠାରୁ ସମ୍ବିଧାନ ଧାର୍ଯ୍ୟ କରିଥିବା ‌େନୖତିକତାର ମାପଦଣ୍ଡ ଅଧିକ ଗୁରୁତ୍ବପୂର୍ଣ୍ଣ। ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନଦେବା ସହ ବ୍ୟକ୍ତି ସ୍ବାଧୀନତା ଓ ଅଧିକାରର ପରିସରକୁ ଆହୁରି ସଂପ୍ରସାରିତ କରାଯାଇଛି। ସେହିପରି ‘ଆଧାର’ ରାୟରେ ରାଷ୍ଟ୍ରହିତ ଓ ବ୍ୟକ୍ତି ଅଧିକାର ମଧ୍ୟରେ ଭାରସାମ୍ୟ ରକ୍ଷା କରାଯାଇଥି‌େଲ ସୁଦ୍ଧା ମୌଳିକ ଅଧିକାର ଭାବେ ବ୍ୟକ୍ତିଗତ ଗୋପନୀୟତାକୁ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ସବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ରହିଥିବା ଆଠଶହ ବର୍ଷର କଟକଣା ଉଠାଇ ପ୍ରକାଶ ପାଇଥିବା ରାୟ ନାରୀଙ୍କୁ ସମାନତା ଓ ସମ୍ମାନ ପ୍ରଦାନ ପ୍ରସଙ୍ଗରେ ନୂଆ ଦିଗନ୍ତ ସୃଷ୍ଟି କରିଛି। ସାମାଜିକ- ଧାର୍ମିକ ପ୍ରଥା, ପରମ୍ପରା ଅପେକ୍ଷା ସମ୍ବିଧାନ ପ୍ରଦତ୍ତ ବ୍ୟକ୍ତି ଅଧିକାର, ଗଣତାନ୍ତ୍ରିକ ଭାବନା ଅଧିକ ଗୁରୁତ୍ବପୂର୍ଣ୍ଣ। ଦେଶରେ ମହିଳା ସଶକ୍ତୀକରଣ ଦିଗରେ ସବରିମାଲା ରାୟ ଏକ ବଳିଷ୍ଠ ନ୍ୟାୟିକ ପ୍ରୟାସ। ଅଯୋଧ୍ୟା ଫଇସଲା ଧାର୍ମିକ ବିବାଦର ସମାଧାନ ଦିଗରେ ସହାୟକ ନହୋଇପାରେ, କିନ୍ତୁ ବର୍ଷ ବର୍ଷ ଧରି ଗଡ଼ି ଆସୁଥିବା ଜମି ବିବାଦର ସମାଧାନପାଇଁ ଏହା ବାଟ ଫିଟାଇଛି।
ପ୍ରଧାନ ବିଚାରପତି ଭାବେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ, ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଉଭୟ ଉଦାହରଣ ଓ ଆହ୍ବାନ ହୋଇ ରହିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.