ଅଲିଭା ଆଲୁଅ

ଗାନ୍ଧୀ ଜୟନ୍ତୀ ଅବସରରେ ବାପୁଙ୍କ ନାମରେ ନାମିତ ଦିଲ୍ଲୀରେ ଆୟୋଜିତ ‘ମହାତ୍ମା ଗାନ୍ଧୀ ଇଣ୍ଟର‌୍‌ନେସ୍‌ନାଲ୍‌ ସାନିଟେସନ୍‌ କନ୍‌ଭେନ୍‌ସନ୍‌’’ରେ ଯୋଗ ଦେଇ ମିଳିତ ଜାତିସ˚ଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପରିବେଶକୁ ନିର୍ମଳ ରଖିବା ଉପରେ ମହାତ୍ମା ଗାନ୍ଧୀ ଦେଇଥିବା ଦିଗ୍‌ଦର୍ଶନକାରୀ ଗୁରୁତ୍ୱର ଭୂୟସୀ ପ୍ରଶ˚ସା କରିଥିଲେ। ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସ୍ୱଚ୍ଛତା ପ୍ରତି ବାପୁଙ୍କର ଆଭିମୁଖ୍ୟ କେବଳ ଟୋକେଇ ଓ ଝାଡୁର ବ୍ୟବହାର କିମ୍ବା ଶୌଚାଳୟ ବ୍ୟବହାର ମଧ୍ୟରେ ସୀମିତ ନଥିଲା; ବର˚ ବାପୁ ଯେଉଁ ଜୀବନଶୈଳୀର ଉପାସକ ଓ ପ୍ରଚାରକ ଥିଲେ, ତାହା ଅନିବାର୍ଯ୍ୟ ଭାବରେ ଏକ ଆବର୍ଜନାମୁକ୍ତ ପରିବେଶ ସୃଷ୍ଟି ପାଇଁ ଉଦ୍ଦିଷ୍ଟ।

ଅତି ସ˚କ୍ଷେପରେ ବାପୁଙ୍କର ଏହି ଜୀବନ ଶୈଳୀ ତାଙ୍କର ଏହି ସୁପରିଚିତ ଉକ୍ତିଟିରେ ନିହିତ ଥିଲା: ‘‘ପ୍ରତ୍ୟେକ ବ୍ୟକ୍ତିର ଆବଶ୍ୟକତା ପୂରଣ ପାଇଁ ପୃଥିବୀରେ ଯଥେଷ୍ଟ ସମ୍ବଳ ରହିଛି, କିନ୍ତୁ ପ୍ରତ୍ୟେକର ଲୋଭ ଚରିତାର୍ଥ କରିବା ପାଇଁ ନାହିଁ।’’ ସମସ୍ତେ ଯଦି ନିଜର ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇବା ପାଇଁ ହିଁ କୌଣସି ଅପଚୟ ନକରି ସମ୍ବଳ ବ୍ୟବହାର କରିବେ, ତେବେ ଉପଲବ୍ଧ ସମ୍ବଳ ଯେ କେବଳ ଯଥେଷ୍ଟ ହେବ, ତାହା ନୁହେଁ, ସମ୍ବଳ ବ୍ୟବହାର ଓ ଉପଭୋଗ ଜନିତ ବର୍ଜ୍ୟବସ୍ତୁ ସୃଷ୍ଟି ପରିମାଣ ମଧ୍ୟ ସର୍ବନିମ୍ନ ହେବ। ଉଦାହରଣ ସ୍ୱରୂପ ବାପୁ ତାଙ୍କର ଜୀବନକାଳରେ କେତେ ଖଣ୍ତି ଧୋତି ବା ଚପଲ ବ୍ୟବହାର କରିଥିବେ ଏବ˚ ପରିତ୍ୟାଗ କରିଥିବେ, ତାହାର ହିସାବ ଆମ ପାଖରେ ଉପଲବ୍‌ଧ ନଥିଲେ ହେଁ, ଏଥିରେ ବୋଧହୁଏ କେହି ଦ୍ୱିମତ ହେବେ ନାହିଁ ଯେ ତାହାର ସ˚ଖ୍ୟା ଆଙ୍ଗୁଳିରେ ଗଣି ହେବାଠାରୁ ଅଧିକ ହୋଇ ନଥିବ। କୌଣସି ପଦାର୍ଥର ସ୍ୱଳ୍ପ ବ୍ୟବହାର ପରେ ଫିଙ୍ଗି ଦିଆଯାଇଥିବା ସ˚ସ୍କୃତି ସମ୍ପୂର୍ଣ୍ଣ ରୂପେ ବାପୁଙ୍କ ଜୀବନ ଦର୍ଶନର ପରିପନ୍ଥୀ ଥିଲା। ଅପରପକ୍ଷରେ ଦୀର୍ଘସ୍ଥାୟୀ ପଦାର୍ଥର ଦୀର୍ଘକାଳୀନ ବ୍ୟବହାର ଗାନ୍ଧୀଦର୍ଶନ ସହିତ ଖାପ୍‌ ଖାଇଥାଏ ଏବ˚ ଆପଣା ଛାଏଁ ବର୍ଜ୍ୟବସ୍ତୁ ସୃଷ୍ଟିକୁ ସର୍ବନିମ୍ନ ସ୍ତରରେ ରଖିବାରେ ସହାୟକ ହୋଇଥାଏ।

ମୋହନ ଦାସ ଗାନ୍ଧୀଙ୍କୁ ଯେତେବେଳେ ୩୨ ବର୍ଷ ବୟସ ହୋଇଥିଲା, ସେହି ବର୍ଷ ୧୯୦୧ରେ ସାନ୍‌ଫ୍ରାନ୍‌ସିସ୍କୋ ବେଏ ଅଞ୍ଚଳରେ ଅବସ୍ଥିତ ଲିଭର‌୍‌ମୋର‌୍‌ ପ୍ଲେଜାଣ୍ଟନ୍‌ ଫାୟାର‌୍‌ ଡିପାର୍ଟମେଣ୍ଟରେ ଆଲୋକ ପ୍ରଦାନ କରିବା ପାଇଁ ଏକ ବିଜୁଳି ବଲ୍‌ବ ଖଞ୍ଜା ଯାଇଥିଲା। ୧୮୯୦ ଦଶକ ଶେଷ ଆଡ଼କୁ ଓହାଇଓ ରାଜ୍ୟର ସେଲ୍‌ବି ଇଲେକ୍‌ଟ୍ରିକ୍‌ କମ୍ପାନି ଦ୍ବାରା ଏହି ୩୦ ଵାଟ୍‌ ଶକ୍ତି ବିଶିଷ୍ଟ ହସ୍ତ ନିର୍ମିତ ବଲ୍‌ବ ଉତ୍ପାଦିତ ହୋଇଥିଲା। ଉଲ୍ଲେଖଯୋଗ୍ୟ କଥା ହେଲା ଯେ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଜୁଳି ବଲ୍‌ବଟି ଅନବରତ ଭାବରେ ଜଳି ଆଲୋକ ପ୍ରଦାନ କରି ଚାଲିଛି-  କାର୍ବନ୍‌ ଫିଲାମେଣ୍ଟ୍‌ ବଲ୍‌ବଟି ତଥାପି ଫିଉଜ୍‌ ହୋଇ ନାହିଁ। ଉପଯୁକ୍ତ ଭାବରେ ଏହାର ନାମ ରଖାଯାଇଛି- ‘ସେଣ୍ଟେନିଆଲ୍‌ ଲାଇଟ୍‌’ (ଶତାବ୍ବୀର ଆଲୋକ)।

ଅନେକଙ୍କ ମନରେ ସ୍ୱାଭାବିକ ଭାବରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ- ଆମେ ଏବେ ବ୍ୟବହାର କରୁଥିବା ବିଜୁଳିବତିଗୁଡ଼ିକ ଏପରି ଶତାୟୁ ହେଉ ନାହାନ୍ତି କାହିଁକି? ମହାତ୍ମା ଯେ ଏଭଳି ପଦାର୍ଥର ପ୍ରଚଳନକୁ ଶତ ପ୍ରତିଶତ ସମର୍ଥନ ପ୍ରଦାନ କରନ୍ତେ, ଏଥିରେ କୌଣସି ସନ୍ଦେହ ନାହିଁ; ଏହା ତାଙ୍କର ଉପର ବର୍ଣ୍ଣିତ ଜୀବନ ଶୈଳୀ ଆଭିମୁଖ୍ୟ ସହିତ ସମ୍ପୂର୍ଣ୍ଣ ଖାପ ଖାଇ ଯାଇଥାଏ। ଏଥିରେ ସର୍ବନିମ୍ନ ସମ୍ବଳ ବ୍ୟବହୃତ ହୋଇ ସର୍ବାଧିକ ସମ୍ଭବ ଉପଯୋଗିତା ସୃଷ୍ଟି ହୋଇଥାଏ ଏବଂ ବଲ୍‌ବଟି ଏପର୍ଯ୍ୟନ୍ତ ଏକ ବର୍ଜ୍ୟବସ୍ତୁରେ ପରିଣତ ହୋଇ ନଥିବାରୁ ଏଥିଯୋଗୁଁ କୌଣସି ଆବର୍ଜନା ସୃଷ୍ଟି ହୋଇ ନାହିଁ। ତେବେ ସେପରି ବଲ୍‌ବ ଏବେ ମିଳୁ ନାହିଁ କାହିଁକି? ଏହାର ଉତ୍ତର ହେଲା- ୧୯୨୪ରେ ଆମେରିକାର ସମସ୍ତ ବଡ଼ବଡ଼ ବିଜୁଳି ବଲ୍‌ବ ନିର୍ମାଣକାରୀ କମ୍ପାନିମାନେ ଏକାଠି ହୋଇ ଏକ ନିଷ୍ପତ୍ତି ନେଲେ ଯେ ସେମାନେ ଏପରି ବଲ୍‌ବ ତିଆରି କରିବେ ଯେଉଁଗୁଡ଼ିକର ସର୍ବା‌ଧିକ ଜୀବନକାଳ ଏକ ହଜାର ଘଣ୍ଟା ମଧ୍ୟରେ ସୀମିତ ରହିବ। ସେମାନଙ୍କର ଏହି ପଦକ୍ଷେପର କା‌ରଣ ଅନୁମାନ କରିବା କଷ୍ଟକର ନୁହେଁ: ପୁରୁଣା ବଲ୍‌ବ ଫିଉଜ୍‌ ନହେଲେ ନୂଆ ବଲ୍‌ବ ବିକ୍ରି ‌ହେବ ନାହିଁ; କମ୍ପାନି ବୁଡ଼ିଯିବ। ଏହାର ଅନିବାର୍ଯ୍ୟ ପରିଣତି ହେବ ଛଟେଇ, ବେକାରି, ଦାରିଦ୍ର୍ୟ, ଅନାହାର…।

ଗତବର୍ଷ ଆଣ୍ଟୋନିଓ ଗୁଟେ‌େରସ୍‌ଙ୍କ ଜାତିସଂଘ ଅଧୀନସ୍ଥ ‘ୟୁଏନ୍‌ଇପି’ ପରିବେଶ ସଂସ୍ଥା ପ୍ରକାଶ କରିଥିଲା ଯେ ଯଦି ସମ୍ବଳର ଅପଚୟ ଘଟୁନଥାନ୍ତା, ତେବେ ସମଗ୍ର ପୃଥିବୀର ଅର୍ଥନୀତିର ଟ୍ରିଲିଅନ୍‌ ଡଲାର୍ ଅଧିକ ଆୟ ଦ୍ବାରା ସମୃଦ୍ଧ ହୁଅନ୍ତା। ସେହିପରି, ଜାତିସଂଘର ‘ଫୁଡ୍‌ ଆଣ୍ଡ୍ ଏଗ୍ରିକଲ୍‌ଚର୍‌ ଅର୍ଗାନାଇଜେସନ୍‌’ର ଆକଳନ ଅନୁସାରେ ପ୍ରତିବର୍ଷ ପୃଥିବୀରେ ଉତ୍ପନ୍ନ ଖାଦ୍ୟ ପଦାର୍ଥର ଯେତିକି ଅଂଶ ନଷ୍ଟ ହୋଇଥାଏ, ତ‌ାହାର ମୂଲ୍ୟ ହେଉଛି ପ୍ରାୟ ୭୫୦ ବିଲିଅନ୍‌ ଡଲାର୍‌। ସମସ୍ୟା ହେଲା ଯଦି ଏତିକି ପରିମାଣର ଖାଦ୍ୟ ଦ୍ରବ୍ୟର ଅପଚୟ ଘଟୁ ନଥାନ୍ତା, ତେବେ ଖାଦ୍ୟଦ୍ରବ୍ୟ ଚାହିଦାରେ ସେତିକି ହ୍ରାସ ଘଟନ୍ତା। ଅତଏବ ଖାଦ୍ୟ ଦ୍ରବ୍ୟ ବିକ୍ରି ସେତିିକି ହ୍ରାସ ପାଆନ୍ତା, କୃଷକମା‌େନ ସେତିିକି ଆୟ ହରାଇ ବସନ୍ତେ। କୃଷକମାନଙ୍କୁ ସର୍ବଦା ବାପୁଙ୍କ ପରି ସରଳ ଜୀବନ ଯାପନ କରିବାକୁ ପଡ଼ନ୍ତା। ବତ୍ତର୍ମାନ ସଦ୍ୟସଦ୍ୟ ଦିଲ୍ଲୀରେ ଦେଖା ଯାଇଥିବା କୃଷକ ଆନ୍ଦୋଳନ ହେଉଛି ଏହାର ତାଜା ପ୍ରମାଣ ଯେ ଆଜିର ଅଭିଳାଷାପୂର୍ଣ୍ଣ ସମାଜର ଅଭିନ୍ନ ଅଂଶ କୃଷକ ସମାଜ ତାହା ଚାହେଁ ନାହିଁ। ଏହା ସରୋଜିନୀ ନାଇଡୁଙ୍କ ପ୍ରସିଦ୍ଧ ମନ୍ତବ୍ୟକୁ ମନେ ପକାଇ ଦିଏ, ଯାହାର ମର୍ମ ହେଲା- ବାପୁ, ଆପଣଙ୍କୁ ଜଣା ନାହିଁ ଆପଣଙ୍କୁ ଦା‌ରିଦ୍ର୍ୟରେ ରଖିବା ପ‌ାଇଁ ଆମକୁ କେତେ ମୂଲ୍ୟ ଦେବାକୁ ପଡୁଛି।

ତେବେ ଏହା ମଧ୍ୟ ବାଧ୍ୟତାମୂଳକ ନୁହେଁ ‌ଯେ ଏକ ଉନ୍ନତ ଜୀବନଧାରଣର ମାନ ହାସଲ କରିବା ପାଇଁ ସମ୍ବଳର ଅପଚୟ ଓ ତଜ୍ଜନିତ ଆବର୍ଜନା ସୃଷ୍ଟି ହେଉଛି ବାଧ୍ୟତାମୂଳକ। ଏକ ଦୀର୍ଘ ସମୟ କାଳରେ ହୁଏତ ଜନସଂଖ୍ୟାରେ ଯେଉଁ ବୃଦ୍ଧି ଘଟିବ, ତାହାର ଚାହିଦା ମେଣ୍ଟାଇବା ପାଇଁ ଅଧିକ ଅପଚୟବିହୀନ ଉତ୍ପାଦନ ଆବଶ୍ୟକ ହେବ। ସେହିପରି  ଏବେ ଯେଉଁ ପର୍ବତାକାର ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି ଆଧୁନିକ ପ୍ରବିଧି ପ୍ରୟୋଗ ଦ୍ୱାରା ତାର ପୁନଃବ୍ୟବହାର ସମ୍ଭବ ହେବ- ଯାହା ବର୍ତ୍ତମାନ ପୃଥିବୀ ବ୍ୟାପୀ ଏକ ବିଶାଳ ଶିଳ୍ପରେ ପରିଣତ ହେବାର ସମ୍ଭାବନା ଦେଖା ଦେଲାଣି। ଏଥିରେ ନୂତନ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହେବ। ଯେଉଁ ପ୍ରବିଧି ଆଧୁନିକ ଜୀବନ ଶୈଳୀ ସମ୍ଭବ କରାଇଛି ସେଇ ପ୍ରବିଧିର ପ୍ର‌ୟୋଗ ପରିବେଶର ନିର୍ମଳତା ରକ୍ଷା କରିବା ସହିତ ଜୀବନ ଜୀବିକାକୁ ମଧ୍ୟ ସୁରକ୍ଷିତ ରଖିବ। ବାପୁ ମଧ୍ୟ ବୋଧହୁଏ ଏଥିରେ ଏକମତ ହୁଅନ୍ତେ।

ସମ୍ବନ୍ଧିତ ଖବର