୧୯୦୧ ମସିହାରେ ସାହିତ୍ୟ ପାଇଁ ସର୍ବପ୍ରଥମ ନୋବେଲ ପ୍ରାଇଜ୍ ପ୍ରଦାନ କରାଯାଇଥିଲା। ୧୯୦୯ରେ ୮୧ ବର୍ଷ ବୟସରେ ଦେହାନ୍ତ ଘଟିଥିବା ଭିକ୍ଟୋରିଆନ୍ ସମୟର ବ୍ରିଟିସ୍ ଔପନ୍ୟାସିକ ଓ କବି ଜର୍ଜ ମେରେଡିଥ୍ କେବେ ହେଲେ ଏହି ପ୍ରାଇଜ୍ଟି ପାଇ ପାରି ନଥିଲେ। କିନ୍ତୁ ଏହି ପ୍ରାଇଜ୍ର ଇତିହାସରେ ତାଙ୍କର ନାମ ସବୁଦିନ ପାଇଁ ଏକ ବିଶେଷ ସ୍ଥାନ ଦଖଲ କରି ରହିଛି: ପ୍ରାଇଜ୍ ଆରମ୍ଭ ହେବାଠାରୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ବର୍ଷ ନୋବେଲ ପ୍ରାଇଜ୍ ପ୍ରଦାନ ନିମିତ୍ତ ମେରେଡିଥ୍ଙ୍କ ନାମ ସୁପାରିସ (ନୋମିନେସନ୍) ହୋଇ ଚାଲିଥିଲା- ମୋଟ ସାତଥର। ଇଂରେଜୀ ଭାଷାରେ ଗୋଟିଏ ବିଶେଷ ଶବ୍ଦର ଉଦ୍ଭାବନ ପାଇଁ ଏହି ହତାଶ ନୋବେଲ ଆଶାୟୀ ଏବେ ବି ସ୍ମରଣୀୟ ହୋଇ ରହିଛନ୍ତି। ଶବ୍ଦଟିର ଅର୍ଥ ହେଉଛି- ହସକୁ ଘୃଣା କରୁଥିବା ବ୍ୟକ୍ତି। ଶବ୍ଦଟି ହେଉଛି: ‘ମିସୋଜେଲାଷ୍ଟ୍’। ହସ ପ୍ରତି ଖ୍ରୀଷ୍ଟଧର୍ମର ପାରମ୍ପରିକ ଆଭିମୁଖ୍ୟ ବର୍ଣ୍ଣନା କରିବା ପାଇଁ ଏହାଠାରୁ ଅଧିକ ଉପଯୁକ୍ତ ଶବ୍ଦ କିଛି ନାହିଁ। ବାଇବଲ୍ରେ ଯୀଶୁଖ୍ରୀଷ୍ଟ କହିଛନ୍ତି: ‘‘ବର୍ତ୍ତମାନ ଯିଏ ହସିବ, ସିଏ ପରେ ଶୋକ ଓ କ୍ରନ୍ଦନ କରିବ।’’ ଏଥିରୁ ଯେଉଁ ‘ମିସୋଜେଲାଷ୍ଟ୍’ ବା ହାସ୍ୟ-ବିରୋଧୀ ସଂସ୍କୃତିର ଆବିର୍ଭାବ ଘଟିଥିଲା ସେଥିରେ ସମ୍ଭ୍ରାନ୍ତ, ସଂସ୍କୃତିସମ୍ପନ୍ନ ବ୍ୟକ୍ତିମାନେ ହସିବାକୁ ଏକ ଅସଭ୍ୟ, ନିମ୍ନରୁଚିସମ୍ପନ୍ନ ଆଚରଣ ରୂପେ ବିଚାର କରୁଥିଲେ। ସେମାନଙ୍କ ମତରେ ହସ ସମ୍ପୃକ୍ତ ବ୍ୟକ୍ତିର ମୁଖମଣ୍ଡଳର ପ୍ରତ୍ୟେକ ଅଂଶକୁ ଏପରି ବିକୃତ କରିଦିଏ ଯେ ଯେକୌଣସି ଜଣେ ରୁଚିସମ୍ପନ୍ନ ଦର୍ଶକ ଏପରି ବ୍ୟକ୍ତିର ସାନ୍ନିଧ୍ୟଠାରୁ ନିଜକୁ ଦୂରେଇ ନେବାକୁ ଚାହିଁଥାଏ। ହସ ହେଲା ବୋକା, ଦୁର୍ବଳ ମସ୍ତିଷ୍କ ବ୍ୟକ୍ତିର ଲକ୍ଷଣ।
Sambad is now on WhatsApp
Join and get latest news updates delivered to you via WhatsApp
ଆଧୁନିକ ଯୁଗର ଦାର୍ଶନିକମାନେ କିନ୍ତୁ ଏହାର ବିପରୀତ ମତ ପୋଷଣ କରିଥାନ୍ତି। ଉଦାହରଣ ସ୍ବରୂପ ବିଂଶ ଶତାବ୍ଦୀର ପ୍ରସିଦ୍ଧ ଦାର୍ଶନିକ ବଟ୍ରାଣ୍ଡ ରସେଲ କହିଛନ୍ତି: ‘‘ଏକ ସ୍ମିତ ହାସ୍ୟ ବିଜୁଳିର ଝଲକ ପରି ଆସି ଚାଲିଯାଏ, କିନ୍ତୁ ତାହାର ସ୍ମୃତି ସାରା ଜୀବନ ଅଲିଭା ରହିଯାଇଥାଏ।’’ ରସେଲ୍ଙ୍କର ହସ ସମ୍ପର୍କରେ ଏହି ଅନ୍ତର୍ଦୃଷ୍ଟି ଯଦି ସାହିତ୍ୟରେ କେଉଁଠି ସବୁଠାରୁ ମନଛୁଆଁ ଢଙ୍ଗରେ ପ୍ରତିଫଳିତ ହୋଇଥାଏ, ତାହା ହେଉଛି ମନୋଜ ଦାସଙ୍କ ଅନବଦ୍ୟ ଗଳ୍ପ ‘ଅନେକ ସ୍ମିତ ହସ’ରେ ବୋଲି ଏହି ଗଳ୍ପର ସମସ୍ତ ବିଦଗ୍ଧ ପାଠକପାଠିକାମାନେ ଏକମତ ହେବେ।
ଗଳ୍ପଟିରେ ‘ମିସୋଜେଲାଷ୍ଟ୍’ ସୁଲଭ ଚରିତ୍ର ରାଓ ବାବୁ ସର୍ବଦା ସାରା ଦୁନିଆ ପ୍ରତି ବିମୁଖ ଥାନ୍ତି। ସେ ଦିନ ସକାଳେ ସେ ଗରମ ଚା’ କପ୍ଟି ଧରି ଓଠରେ ଲଗାଇବାକୁ ଉଦ୍ୟତ ହେଉଥିବା ମୁହୂର୍ତ୍ତରେ ଖବରକାଗଜ ହକର୍ ପିଲାଟି ଝରକା ଦେଇ ଫିଙ୍ଗିଥିବା ରବିବାସରୀୟ ‘ସରସ ପତ୍ରିକା’ ଖଣ୍ଡ ତାଙ୍କ ମୁହଁରେ ବାଜି ତାଙ୍କ ଉପରେ ଗରମ ଚା’ ଅଜାଡ଼ି ଦେଲା। ରାଓ ରାଗ ତମତମ ହୋଇ ପତ୍ରିକାଟିର ସ୍ଥାନୀୟ ଏଜେଣ୍ଟ୍ଙ୍କ ଠାରେ ହକର୍ ପିଲାଟି ବିରୋଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ସାଇକେଲ୍ ଚଢ଼ି ରାସ୍ତାକୁ ବାହାରି ପଡ଼ିଲେ। ରାସ୍ତାରେ ବିପରୀତ ଦିଗରୁ କାର୍ ଚଳାଇ ଆସୁଥିବା ତାଙ୍କର ହାକିମଙ୍କୁ ଦେଖି ରାଓ ବାବୁ ନିଜର ସମସ୍ତ ବିରକ୍ତି ସତ୍ତ୍ବେ ଗୋଟିଏ ହାତ ଟେକି ତାଙ୍କୁ ସଭକ୍ତି ନମସ୍କାରଟିଏ ଜଣାଇଲେ। ହାକିମ ଜଣକ ରାଓଙ୍କ ନତମସ୍ତକ ଏକହାତିଆ ନମସ୍କାର ପ୍ରତି ଦୃକ୍ପାତ ନକରି ଗାଡ଼ି ଚଳାଇ ଅଦୃଶ୍ୟ ହୋଇଗଲେ। ତେବେ ତାଙ୍କ ଗାଡ଼ି ପଛରେ ଆସୁଥିବା ତିନିଜଣ ସାଇକେଲ୍ ଆରୋହୀ ରାଓଙ୍କ ନମସ୍କାର ସେମାନଙ୍କ ପ୍ରତି ଉଦ୍ଦିଷ୍ଟ ମନେ କରି ଏକ ସମୟରେ ସମବେତ ପ୍ରତିନମସ୍କାର କରିସାରି ପରସ୍ପର ମୁହଁ ଚାହାଁଚୁହିଁ ହେବାରୁ ତିନିଜଣ ଯାକ ଅନ୍ୟମନସ୍କ ହୋଇ ଭାରସାମ୍ୟ ହରାଇ ଭୂପତିତ ହେଲେ। ସେମାନଙ୍କୁ ଅତିକ୍ରମ କରିଯାଇଥିବା ରାଓ ପଛକୁ ଅନାଇ ହସି ଦେଲେ।
ତା’ପରେ ଯାହା ସବୁ ଘଟିଲା ତାହାକୁ ରସେଲ୍- ପ୍ରଭାବ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ହସଟି ତାଙ୍କ ଓଠରେ ଲାଖିଗଲା। ରାଓଙ୍କ ଅଜାଣତରେ ତାଙ୍କ ମୁହଁର ଆକୃତି ହୋଇଗଲା ଆଜି କାଲିର ସ୍ମାର୍ଟ ଫୋନ୍ ମାନଙ୍କରେ ବ୍ୟବହୃତ ସୋସିଆଲ୍ ମିଡିଆର ସୁପରିଚିତ ‘ସ୍ମାଇଲି’ ଆଇକନ୍ ବା ‘ଇମୋଜି’ ପରି। ସାରା ଦୁନିଆ ପ୍ରତି ତାଙ୍କର ଆଭିମୁଖ୍ୟ ମଧ୍ୟ ବଦଳି ଗଲା। ସେ ଭାବିଲେ ଯଦି ସମ୍ପୂର୍ଣ୍ଣ ଅପରିଚିତ ତିନିଜଣ ଭୁଲ୍ବଶତଃ ହେଉ ପଛକେ ତାଙ୍କୁ ପ୍ରତିନମସ୍କାର ଜଣାଇବାର ଆବଶ୍ୟକତା ଅନୁଭବ କଲେ, ତେବେ ସଂସାରର ପ୍ରତି ଲୋକଠାରେ କିଛି ନା କିଛି ଭଲପଣିଆ ରହିଛି। ଏହାର ଅଧିକ ପ୍ରମାଣ ସ୍ବରୂପ ସେ ଆବିଷ୍କାର କଲେ ବାଟ ସାରା ବିଭିନ୍ନ କିସମର ଲୋକମାନେ ତାଙ୍କର ମୁହାଁମୁହିଁ ହେବା ମାତ୍ରେ ତାଙ୍କୁ ସ୍ମିତ ହାସ୍ୟ ପ୍ରଦାନ କରିବାରେ ଲାଗିଛନ୍ତି। ଏହା ତାଙ୍କର ମନକୁ ସରସତାରେ ଭରି ଦେଲା ସତ କିନ୍ତୁ ସେ ଏହା ପଛରେ ଥିବା ରହସ୍ୟ ଜାଣିବାକୁ ମଧ୍ୟ ବ୍ୟାକୁଳ ହୋଇପଡ଼ିଲେ। ଶେଷରେ ଗୋଟିଏ ଘର ଆଗରେ ଏକୁଟିଆ ଛିଡ଼ା ହୋଇଥିବା ଛୋଟ ଝିଅଟିଏ ମଧ୍ୟ ତାଙ୍କୁ ଚାହିଁ ହସିଦେବା ପରେ ସେ ସାଇକେଲରୁ ଓହ୍ଲାଇ ସନ୍ତର୍ପଣରେ ତାକୁ ତା ହସିବାର କାରଣ ପଚାରନ୍ତେ ଝିଅଟି କହିଲା- ତୁମେ ମତେ ଅନାଇ ହସି ହସି ଆସୁଥିବାରୁ ତ ମୁଁ ବି ହସିଲି! ଅନେକ ସ୍ମିତ ହସର କାରଣ ଯେ ତାଙ୍କର ହସହସ ମୁହଁ- ଏହା ଆବିଷ୍କାର କରି ରାଓ ଆନନ୍ଦ ମନରେ ଘରକୁ ବାହୁଡ଼ି ଗଲେ, ହକର୍ ପିଲାଟିକୁ ମନେ ମନେ କ୍ଷମା କରି ଦେଇ।
ହସର ଏ ଭଳି କରାମତି ସମ୍ବନ୍ଧରେ ମନସ୍ତତ୍ତ୍ବବିତ୍ମାନେ ଲମ୍ବା ଲମ୍ବା ଗବେଷଣା ପ୍ରସୂତ ସନ୍ଦର୍ଭମାନ ପ୍ରସ୍ତୁତ କରିଛନ୍ତି ଯାହାର ସାର ମର୍ମ ହେଲା ହସ ମାନସିକ ଚାପ ହ୍ରାସ କରିଥାଏ, ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ ଓ ପରିବେଶକୁ ଆନନ୍ଦମୟ କରିଥାଏ। ଆଜିର ଚାପଗ୍ରସ୍ତ ମନୁଷ୍ୟମାନେ ତରବର ହୋଇ ଯାତ୍ରା କରିବା ପାଇଁ କୌଣସି ବିମାନ ବନ୍ଦରରେ ବିଭିନ୍ନ ପ୍ରତିବନ୍ଧ ଅତିକ୍ରମ କରୁଥିବା ବେଳେ ଯଦି ତାଙ୍କୁ ଯାଞ୍ଚ କରୁଥିବା ସୁରକ୍ଷାକର୍ମୀମାନେ ସେ କାର୍ଯ୍ୟଟି ହସ ହସ ମୁହଁରେ କରନ୍ତି ତେବେ ବିଚରା ଯାତ୍ରୀଟିର ଉତ୍କଣ୍ଠା, ଆଶଙ୍କା ଆଦି ବହୁଗୁଣରେ ପ୍ରଶମିତ ହୋଇ ଯାଆନ୍ତା। ସୁରକ୍ଷା କର୍ମୀଙ୍କଠାରୁ କେବେ ରାଓ ସୁଲଭ ସ୍ମିତହାସ୍ୟ ଲାଭ କରିଥିବା ଅନେକ ଯାତ୍ରୀଙ୍କର ଉପରୋକ୍ତ ଅନୁଭୂତି ନିଶ୍ଚୟ ଥିବ।
ବର୍ତ୍ତମାନ କିନ୍ତୁ ସେ ସମ୍ଭାବନାର ଅନ୍ତ ଘଟିବାକୁ ଯାଉଛି। ଏ ସବୁ ସ୍ଥାନରେ ନିରାପତ୍ତା ରକ୍ଷା ଦାୟିତ୍ବରେ ଥିବା ‘କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ’ (ସିଆଇଏସ୍ଏଫ୍) ଏବେ ତାର ସୁରକ୍ଷା କର୍ମୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି ଯେ ସେମାନେ ଆଉ ଯାତ୍ରୀମାନଙ୍କୁ ପ୍ରସାରିତ ହାସ୍ୟ (ବ୍ରଡ୍ ସ୍ମାଇଲ୍) ପ୍ରଦର୍ଶନ କରିପାରିବେ ନାହିଁ। ସେମାନେ ଚାହିଁଲେ ଯାତ୍ରୀମାନଙ୍କୁ ଏକ କୁଣ୍ଠିତ ହାସ୍ୟ (ସଫିସିଏଣ୍ଟ୍ ସ୍ମାଇଲ୍) ପ୍ରଦର୍ଶନ କରିପାରନ୍ତି। ଅର୍ଥାତ୍ କଥିତ ଓଡ଼ିଆରେ କହିଲେ ସୁରକ୍ଷା କର୍ମୀଙ୍କ ମୁହଁ ଏ ଭଳି ହେବା ଦରକାର ସତେ ଯେମିତି ସେମାନଙ୍କର କିଏ ଶହେ ଷାଠିଏ ଖାଇ ଯାଇଛି। ନିରାପତ୍ତା ଓ ସ୍ମିତ ହାସ୍ୟ ପରସ୍ପର ପରିପନ୍ଥୀ ବୋଲି ସିଆଇଏସ୍ଏଫ୍ ଉଚ୍ଚ କର୍ତ୍ତାମାନେ ବିଶ୍ବାସ କରୁଛନ୍ତି। ଏହାର େଯୗକ୍ତିକତା ବୁଝିବା କଷ୍ଟ। ତେବେ ଗୋଟିଏ କଥା ସ୍ପଷ୍ଟ, ‘ସିଆଇଏସ୍ଏଫ୍’ ନୀତି ନିର୍ଦ୍ଧାରଣକାରୀମାନେ ବାଇବଲ୍ର ପୁରୁଣା ଚିନ୍ତାଧାରାକୁ ଅନୁସରଣ କଲା ଭଳି ଏହାକୁ ଏକ ‘ମିସୋଜେଲାଷ୍ଟ୍’ ବାହିନୀରେ ପରିଣତ କରିବାକୁ ଚାହୁଁଛନ୍ତି, ଯେମିତି ସେମାନେ ଅନ୍ୟ କାହାଠାରେ ସ୍ମିତ ହାସ୍ୟଟିଏ ଆବିର୍ଭାବର କାରଣ ନ ହୁଅନ୍ତୁ। ଏହା ଠାରୁ ବଳି ନକରାତ୍ମକ ଚିନ୍ତାଧାରା ଆଉ କ’ଣ ଥାଇପାରେ?