ସତୁରି ଦଶକରେ ପ୍ରଖ୍ୟାତ ଗାୟକ ଅକ୍ଷୟ ମହାନ୍ତିଙ୍କ ଏକ ଲୋକପ୍ରିୟ ‘ରୋମାଣ୍ଟିକ୍’ ଗୀତର ଗୋଟିଏ ଧାଡ଼ି ଥିଲା- ‘‘କଥାର ଭରସା କିଛି ନାହିଁ, ଯେଣୁ କଥା ବି ପବନ, ମିଶିଗଲା ପବନରେ’’ (ସଂଯୋଗ କ୍ରମେ ଆଜି ସ୍ବର୍ଗତ କଣ୍ଠଶିଳ୍ପୀ ଅକ୍ଷୟଙ୍କ ଜନ୍ମଦିନ)। ପ୍ରେମିକାକୁ ପ୍ରେମିକର ପ୍ରତିଶ୍ରୁତି ସବୁର ବାଲିଘର ଚରିତ୍ରକୁ ଉପଲକ୍ଷ୍ୟ କରି ଏହି ଧାଡ଼ିଟି ଲେଖା ହୋଇଥିଲା। ଜନତାଙ୍କୁ ନେତାଙ୍କ ପ୍ରତିଶ୍ରୁତିର ଚରିତ୍ର ମଧ୍ୟ ଏହାଠାରୁ କିଛି ଭିନ୍ନ ନୁହେଁ। ନେତାଙ୍କ ପ୍ରତିଶ୍ରୁତି ବି ଖାଲି କଥା ଭଳି ପବନ, ମିଶିଯାଏ ପବନରେ। ବରଂ କୁହାଯାଇପାରେ, ପବନରେ ଗଣ୍ଠି ପକାଇବା ଭାରତୀୟ ରାଜନେତାଙ୍କ ଏକ ବିଶେଷ କଳା। କେନ୍ଦ୍ରର କାମିକା ମନ୍ତ୍ରୀ ଭାବେ ଜଣାଶୁଣା ନୀତିନ୍ ଗଡ଼କରୀଙ୍କୁ ଯଦି ବିଶ୍ବାସ କରାଯାଏ, ତେବେ ଏ କଳାେର ବିଜେପି ନେତାଏ ପକ୍କା ଓସ୍ତାଦ। ମନ୍ତ୍ରୀ ଗଡକରୀ ମହୋଦୟ ନିକଟରେ ଏକ ମରାଠି ଟେଲିଭିଜନ ଚ୍ୟାନେଲର ଗୋଟିଏ କାର୍ଯ୍ୟକ୍ରମେର ଭାଗ ନେଇ କହିଛନ୍ତି ଯେ, ଚଉଦ ସାଧାରଣ ନିର୍ବାଚିନରେ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଦଳୀୟ ନେତାମାନେ ଏମିତି ଅନେକ ପ୍ରତିଶ୍ରୁତି ଦେଇଥିଲେ, ଯାହା ବାସ୍ତବରେ ରୂପାୟିତ ହୋଇ ପାରିବ ନାହିଁ ବୋଲି ସେମାନେ ବେଶ୍ ଅବଗତ ଥିଲେ। ଗଡକରୀ ସ୍ବୀକାର କରିଥିଲେ- ‘‘ସରକାରକୁ ଆସିବୁ ବୋଲି ଆମେ ଆଶା କରି ନଥିଲୁ, ସେଥିପାଇଁ ଲୋକଙ୍କୁ ଅସମ୍ଭବ, ଅବାସ୍ତବ ପ୍ରତିଶ୍ରୁତି ସବୁ ଦେଇଥିଲୁ। ଶାସନକୁ ଆସିଲା ପରେ ସେହି ସବୁ ପ୍ରତିଶ୍ରୁତି ପାଇଁ ଆମେ ଅଡୁଆରେ ପଡିଛୁ।’’
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣ ରାଜନେତାଙ୍କ ଭଳି ବୁଲାଇ ବଙ୍କେଇ ନକହି କଥାଟା ସିଧା ସିଧା କହିଥିବାରୁ ମନ୍ତ୍ରୀ ଗଡକରୀ ନିଶ୍ଚୟ ଧନ୍ୟବାଦର ପାତ୍ର। ତେବେ ଚଉଦ ନିର୍ବାଚନ ପ୍ରଚାର ବେଳେ ଦଳ ପକ୍ଷରୁ ଦେଶବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଏନ୍ଡିଏ ସରକାରକୁ ଯେତିକି ଅଡୁଆରେ ପକାଇଛି, ମନ୍ତ୍ରୀଙ୍କ ମୁହଁରେ ବାସ୍ତବତାର ସ୍ବୀକାରୋକ୍ତି ମୋଦୀ ସରକାରଙ୍କୁ ତା’ଠାରୁ ଅଧିକ ଅଡ଼ୁଆରେ ପକାଇଛି। ଉଣେଇଶ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ଏବଂ ସେମିଫାଇନାଲ କୁହାଯାଉଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଗଡ଼କରୀଙ୍କ ବୟାନ ବିେଜପିର ପ୍ରତିଶ୍ରୁତିର ଅସଲ ସ୍ବରୂପକୁ ପଦାରେ ପକାଇ ଦେଇଛି। ଏହାର ଅର୍ଥ ପ୍ରତିଶ୍ରୁତି ପଛରେ କୌଣସି ନିଷ୍ଠା ଓ ଆନ୍ତରିକତା ନ ଥିଲା। ଏହାକୁ ଯଦି ମତଦାତାଙ୍କ ସହ ଠକାମି, ପ୍ରତିଶ୍ରୁତି ନାମରେ ପ୍ରତାରଣା, ଜନତାଙ୍କ ବିଶ୍ବାସ ସହ ଖେଳ ବୋଲି କୁହାଯାଏ, ତେବେ ଅତିରଞ୍ଜନ ହେବ ନାହିଁ। ଗଣତନ୍ତ୍ରରେ ଛଳନା ଓଶଠତା ଆଶା କରାଯାଏନାହିଁ।
ଅବଶ୍ୟ, ମନ୍ତ୍ରୀ ଗଡକରୀ ବିଜେପିର ପ୍ରଥମ ବରିଷ୍ଠ ନେତା ନୁହନ୍ତି, ଯିଏ ଦଳୀୟ ପ୍ରତିଶ୍ରୁତିର ଅସଲ ଚରିତ୍ରକୁ ପଦାରେ ପକାଇଛନ୍ତିି। ପୂର୍ବରୁ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ମାନିଥିଲେ ଯେ ଚଉଦରେ ଦଳ ପକ୍ଷରୁ ଦିଆଯାଇଥିବା କେତେକ ପ୍ରତିଶ୍ରୁତି ଖାଣ୍ଟି ‘ଜୁମଲା’ ବା ଭେଳିକି ଥିଲା। ସେ ନିର୍ଦ୍ଦିଷ୍ଟ ଭାବେ ପ୍ରତି ଭାରତୀୟଙ୍କ ବ୍ୟାଙ୍କ୍ ଖାତାରେ ୧୫ ଲକ୍ଷ ଟଙ୍କା କରି ଜମା ହେବ ବୋଲି ଏକାଧିକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପ୍ରସଙ୍ଗରେ ଏହା କହିଥିଲେ। ମୋଦୀ ଆଶା ଦେଖାଇଥିଲେ ଯେ, ବିଦେଶରେ ଗଚ୍ଛିତ ଥିବା ବିପୁଳ ପରିମାଣର କଳା ଟଙ୍କା ଫେରାଇ ଆଣି ସବୁ ଭାରତୀୟଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। ସରକାରଙ୍କ ପାଞ୍ଚବର୍ଷିଆ କାର୍ଯ୍ୟକାଳ ଶେଷ ହେବା ଲାଗି ଅବଗଣନା ଆରମ୍ଭ ହୋଇଗଲାଣି, ଅଥଚ କୌଣସି ଭାରତୀୟଙ୍କ ଖାତାରେ ବିଦେଶରୁ ଆସିଥିବା କଳାଧନରୁ ଟଙ୍କାଟିଏ ସୁଦ୍ଧା ଜମା ହୋଇ ନାହିଁ। ଏପରିକି, ଜନଧନ ଯୋଜନାରେ ଗରିବଙ୍କୁ ବ୍ୟାଙ୍କ୍ ଖାତା ଖୋଲିବା ଲାଗି ପ୍ରୋତ୍ସାହିତ କରିବା ଲାଗି ଏ ପ୍ରକାର ପ୍ରଚାର କରାଯାଇଥିଲା। କିନ୍ତୁ ହେଲା କ’ଣ? ବିମୁଦ୍ରାୟନ ବଳେ କଳାଧନକୁ ଧଳାରେ ପରିଣତ କରିବା ଲାଗି ‘ଜନଧନ’ ବ୍ୟାଙ୍କ୍ ଖାତାର ବହୁଳ ଅପବ୍ୟବହାର ହେଲା।
ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ୍ ଖାତାେର ପନ୍ଦର ଲକ୍ଷ ଟଙ୍କା ଜମା ସଂକ୍ରାନ୍ତ ପ୍ରତିଶ୍ରୁତି କେବଳ ଏକମାତ୍ର ପ୍ରତିଶ୍ରୁତି ନୁହେଁ, ଯାହା ସରକାରୀ ଦଳର କଥା ଓ କାମ ମଧ୍ୟରେ ପାର୍ଥକ୍ୟ ଉପରେ ଆଲୋକପାତ କରୁଛି। ଆକର୍ଷଣୀୟ ସ୍ଲୋଗାନ୍ ସହ ଅନ୍ୟ କେତେକ ପ୍ରତିଶ୍ରୁତିର ଚିତ୍ର ଓ ଚରିତ୍ର ମଧ୍ୟ ସମାନ। ପ୍ରତିଶ୍ରୁତି ଦିଆଯାଇଥିଲା, ‘ସବ୍କା ସାଥ୍, ସବ୍କା ବିକାଶ’। ତେବେ ଗତ ସାଢ଼େ ଚାରିବର୍ଷରେ ଗୋ-ସୁରକ୍ଷା ଅଭିଯାନ ଆଳରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ବିରୋଧେର ଆକ୍ରମଣର ଅସ୍ବସ୍ତିକର ଧାରା ପରିପ୍ରେକ୍ଷୀରେ କ’ଣ କୁହାଯାଇ ପାରିବ ଯେ, ‘ସବ୍କା ସାଥ୍ ସବ୍କା ବିକାଶ’ ସ୍ଲୋଗାନ ବାସ୍ତବତାରେ ରୂପାୟିତ ହୋଇ ପାରିଛି? କେବଳ ସଂଖ୍ୟାଲଘୁ ସଂପ୍ରଦାୟ ନୁହନ୍ତି, ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସୀମାନ୍ତରିତ ଦଳିତ ବର୍ଗ ମଧ୍ୟ ବିକାଶ ପ୍ରକ୍ରିୟାର ମୁଖ୍ୟ ସ୍ରୋତେର ନିଜକୁ ଖୋଜି ପାଉ ନାହାନ୍ତି। ସଦ୍ୟ ବିଜେପି ଶାସିତ ଏକ ରାଜ୍ୟରେ ଦେଶର ଅନ୍ୟ ଅଞ୍ଚଳର ଲୋକଙ୍କୁ ‘ବାହାର ଲୋକ’ କହି ଯେଉଁ ପ୍ରକାର ଅବସ୍ଥା ସୃଷ୍ଟି କରାଯାଇଛି, ତାହା କଦାପି ‘ସବ୍କା ସାଥ୍, ସବ୍କା ବିକାଶ’ ଭାବନାର ଅନୁକୂଳ ନୁହେଁ। ଯଦି ସ୍ଲୋଗାନ୍ ପଛରେ ନିଷ୍ଠା ନ ରହେ, ତେବେ ତାହା କେବଳ ପ୍ରଚାରଧର୍ମୀ ଫମ୍ପା ଧ୍ବନି ମାତ୍ର।
ଶାସନ ଗାଦିକୁ ଆସିବା ପୂର୍ବରୁ ମୋଦୀଙ୍କ ଆଉ ଏକ ସ୍ଲୋଗାନ୍ ଥିଲା- ‘ମିନିମମ୍ ଗଭର୍ଣ୍ଣମେଣ୍ଟ, ମେକ୍ସିମମ୍ ଗଭର୍ଣ୍ଣାନ୍ସ’(କ୍ଷୁଦ୍ର ସରକାର, ଉତ୍ତମ ଶାସନ) । କିନ୍ତୁ ଗତ ସାଢ଼େ ଚାରିବର୍ଷରେ ସରକାର ତଥା ଅମଲାତନ୍ତ୍ରର ସର୍ବବ୍ୟାପୀ ଚରିତ୍ରର ସାମାନ୍ୟତମ ସଂକୋଚନ ହୋଇଛି କି? ବରଂ ଅନ୍ୟପକ୍ଷରେ ଶାସନ କଳର କାୟାର ସଂପ୍ରସାରଣ ତ୍ବରାନ୍ବିତ ହୋଇଛି। ପୂର୍ବବର୍ତ୍ତୀ ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ବାର ସଂଖ୍ୟା ବିଶିଷ୍ଟ ପରିଚୟ ପତ୍ର ‘ଆଧାର’କୁ ଆୟୁଧ କରି ସରକାରୀ କଳ ସାଧାରଣ ନାଗରିକର ଦୈନନ୍ଦିନ ଜୀବନର ପ୍ରତ୍ୟେକ ବ୍ୟାପାରରେ ଅନୁପ୍ରବେଶ ଲାଗି ଉଦ୍ୟମ କରିଥିଲେ। ଅବଶ୍ୟ, ଅଦାଲତଙ୍କ ହସ୍ତକ୍ଷେପ ଫଳରେ ଏ ଅପଚେଷ୍ଟା କିଛି ମାତ୍ରାେର ପ୍ରତିହତ ହୋଇଛି। ତେବେ ‘ମିନିମମ୍ ଗଭର୍ଣ୍ଣମେଣ୍ଟ, ମେକ୍ସିମମ୍ ଗଭର୍ଣ୍ଣାନ୍ସ’ ସ୍ଲୋଗାନ୍ର ବିଶ୍ବସନୀୟତା ଉପରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ବ୍ୟକ୍ତି ସ୍ବାଧୀନତାର ପରିସରକୁ ସଙ୍କୁଚିତ କରି ସରକାରୀ କଳର କ୍ଷମତାର ସଂପ୍ରସାରଣ ପାଇଁ କ୍ଷମତାସୀନ ଶାସକ ବର୍ଗଙ୍କ ପ୍ରବଣତା। ଏହି ପ୍ରକ୍ରିୟାରେ ରାଷ୍ଟ୍ରର ସ୍ବାର୍ଥକୁ ଆଳ କରାଯାଉଛି। ଚଳିତ ଶାସନର ଏକ ବିଲକ୍ଷଣ ହେଲା, କ୍ଷମତା କେନ୍ଦ୍ରୀଭୂତ କରିବାର ଅହେତୁକ ପ୍ରଚଣ୍ଡ ପ୍ରବଣତା ଯେଉଁଥିରୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ମୌଳିକତା, ସମ୍ବିଧାନର ଭାବନା, ସଂଘୀୟ ଢାଞ୍ଚା ମଧ୍ୟ ବାଦ୍ ପଡ଼ିନାହିଁ।
ଖୋଦ୍ ଜଣେ ବରିଷ୍ଠ ମନ୍ତ୍ରୀ କ୍ଷମତାସୀନ ଦଳର ପ୍ରତିଶ୍ରୁତିର ଅସଲ ସ୍ବରୂପକୁ ପଦାରେ ପକାଇ ନିଜ ସରକାରଙ୍କ ଦୋମୁହାଁ ଚେହେରାକୁ ଧରା ପକାଇ ଦେଇଛନ୍ତି। ଆସନ୍ତା ନିର୍ବାଚନରେ ଦଳର ସମ୍ଭାବନା ଉପରେ ଏହାର କ’ଣ ପ୍ରଭାବ ପଡ଼ିବ? ବିରୋଧୀଙ୍କୁ ଏଥିରୁ କେତେ ଫାଇଦା ମିଳିବ? ସର୍ବୋପରି ଏହା ଉପରେ ମତଦାତାଙ୍କ ପ୍ରତିକ୍ରିୟା କ’ଣ ରହିବ? ହଠାତ୍ ଏ ସବୁ ପ୍ରଶ୍ନର ଉତ୍ତର ମିଳିବ ନାହିଁ। ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ। ତେବେ ଗୋଟିଏ କଥା ସ୍ପଷ୍ଟ ହୋଇ ଯାଇଛି ଯେ, ଭାରତୀୟ ରାଜନେତାମାନେ ରାଷ୍ଟ୍ରନେତା ସ୍ତରକୁ ଉନ୍ନୀତ ହେବା ଲାଗି କୁଣ୍ଠିତ। ରାଜନେତାମାନେ କେବଳ ପରବର୍ତ୍ତୀ ନିର୍ବାଚନ ପାଇଁ ଚିନ୍ତା କରନ୍ତି। ରାଷ୍ଟ୍ର ନେତାମାନେ କିନ୍ତୁ ପରବର୍ତ୍ତୀ ପିଢ଼ି ପାଇଁ ଚିନ୍ତା କରନ୍ତି। ମାନ୍ୟବର ମନ୍ତ୍ରୀ ଗଡକରୀଙ୍କ ବୟାନରୁ ମିଳୁ୍ଥିବା ଅସୁସ୍ଥ ସଂକେତ ହେଲା- ଆମ ରାଜନେତାଙ୍କ ଚିନ୍ତା, ଚେତନା ସବୁକିଛି କେବଳ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସୀମିତ। ଏପରିକି, ଭୋଟ ପାଇଁ ମିଥ୍ୟା, ପ୍ରତାରଣାକୁ ଆୟୁଧ କରିବାେର ମଧ୍ୟ ଦ୍ବିଧା ନାହିଁ।