ମେଙ୍କେନ୍ ଅଙ୍କ

ବିଂଶ ଶତାବ୍ଦୀର ପ୍ରସିଦ୍ଧ ଆମେରିକୀୟ ସାମ୍ବାଦିକ ତଥା ଚିନ୍ତାନାୟକ ଏଚ୍ ଏଲ୍ ମେଙ୍କେନ୍ ରାଜନେତାମାନଙ୍କୁ ଏହିପରି ବର୍ଣ୍ଣନା କରିଥିଲେ: ‘‘ଜଣେ ରାଜନେତା ହେଉଛନ୍ତି ଏପରି ଏକ ଜୀବ ଯିଏ ଏକ ବାଡ଼ ଉପରେ ବସି ପାରନ୍ତି କିନ୍ତୁ ସେଇ ସମୟରେ ମଧ୍ୟ ଦୁଇ କାନକୁ ଭୂଇଁରେ ଲଗାଇ ରଖି ପାରନ୍ତି।’’ ଆକ୍ଷରିକ ଭାବରେ ଏହା ଏକ ଅସମ୍ଭବ କାର୍ଯ୍ୟ ହୋଇଥିଲେ ହେଁ ଏହାର ଭାବାର୍ଥ ଅନୁସାରେ ନେତା ଜଣକ ବାଡ଼ ଉପରେ ବସି ଉଭୟ ପାର୍ଶ୍ବର ଘଟଣାବଳୀକୁ କାନ ଡ଼େରି ରହିଥାନ୍ତି। ଯେଉଁ ପଟର ଘଟଣା ପ୍ରବାହ ତାଙ୍କ ପାଇଁ ଅନୁକୂଳ ଶବ୍ଦ ସୃଷ୍ଟି କରିବ, ସେ ସେଇ ପଟକୁ ଡେଇଁ ପଡ଼ିବାକୁ ପ୍ରସ୍ତୁତ ହୋଇ ବସିଥାନ୍ତି।

ସୋମବାର ଦିନ କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ୍ ପ୍ରଦାନ କରିଥିବା ଏକ ମନ୍ତବ୍ୟରୁ ସ୍ପଷ୍ଟ ଜଣା ପଡ଼ିଥାଏ ଯେ ସେ ହେଉଛନ୍ତି ଏହିପରି ଜଣେ ମେଙ୍କେନୀୟ ନେତା। ଚିଦମ୍ବରମ୍ ଯାହା କହିଛନ୍ତି, ସଂକ୍ଷେପରେ ତାହା ହେଲା- କଂଗ୍ରେସ୍ କେବେହେଲେ ରାହୁଲ ଗାନ୍ଧୀଙ୍କୁ ୨୦୧୯ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରଦର୍ଶିତ କରିନାହିଁ। ତାଙ୍କର ଏହି ଉକ୍ତିକୁ ବାଡ଼ର ଦୁଇପଟରେ ଥିବା ରାହୁଲ ସପକ୍ଷବାଦୀ ଓ ବିପକ୍ଷବାଦୀମାନେ ଯେମିତି ଚାହିଁବେ ସେମିତି ତର୍ଜମା କରିପାରିବେ। ଶେଷରେ ଯେଉଁ ପକ୍ଷର ବିଜୟ ଘଟିବ ଚିଦମ୍ବରମ୍ ନିଜକୁ ସେଇ ପକ୍ଷର ବୋଲି ଦାବି କରିପାରିବେ। କାରଣ ଚିଦମ୍ବରମ୍ ତାଙ୍କର ଏହି ମନ୍ତବ୍ୟ ଦ୍ବାରା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସମ୍ଭାବନାକୁ କାଟି ଦେଇ ନାହାନ୍ତି କିମ୍ବା ସ୍ବୀକୃତି ଦେଇ ନାହାନ୍ତି।

ଚିଦମ୍ବରମ୍‌ଙ୍କ ମନ୍ତବ୍ୟ ରାଜନେତା-ସୁଲଭ ଅନିଶ୍ଚିତତାର ଏକ ଉଦାହରଣ ହୋଇଥିଲେ ହେଁ ଯାହା କିନ୍ତୁ ସମ୍ପୂର୍ଣ୍ଣ ନିଶ୍ଚିତ, ତାହା ହେଲା ଗତ ମେ’ ମାସରେ ଖୋଦ୍ ରାହୁଲ ଗାନ୍ଧୀ ପ୍ରଦାନ କରିଥିବା ଏକ ବକ୍ତବ୍ୟ। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କଲେ ଯେ ସେ ୨୦୧୯ରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି କି, ରାହୁଲ ଗାନ୍ଧୀ ମୁହୂର୍ତ୍ତଟିଏ ମଧ୍ୟ ନଷ୍ଟ ନକରି ଉତ୍ତର ଦେଇଥିଲେ- ‘‘କାହିଁକି ନୁହେଁ?’’ କିଏ ତେବେ ସତ କହୁଛି? ଏହାର ଉତ୍ତର ଅବଶ୍ୟ ନିକଟ ଭବିଷ୍ୟତ ପ୍ରସବ କରିବାକୁ ଯାଉଛି, କିନ୍ତୁ ଆମୋଦଦାୟକ ଭାବରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ଚିଦମ୍ବରମ୍‌ଙ୍କ ଉତ୍ତର ସେମାନଙ୍କୁ ସୁହାଉଛି ବୋଲି ଘୋଷଣା କରି ଆନନ୍ଦ କୋଳାହଳ କରିବା ଦେଖାଯାଉଛି।

ଦେଶର ରାଜନୈତିକ ଦୃଶ୍ୟପଟରେ ୨୦୧୯ ନିର୍ବାଚନ ସମ୍ବନ୍ଧରେ ଯେଉଁ ଏକ ଧାରଣା ସୃଷ୍ଟି ହୋଇଛି, ତାହା ହେଲା ଏହି ନିର୍ବାଚନ ହେବ ଦୁଇ ପକ୍ଷର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଲଢ଼େଇ। ରାହୁଲ ଗାନ୍ଧୀ- କାରଣ ବିରୋଧୀ ଶିବିରରେ ଆଉ ଜାତୀୟ ସ୍ତରରେ ସ୍ବୀକୃତ ଅନ୍ୟ କୌଣସି ନେତା ନାହାନ୍ତି। ରାହୁଲ ଗାନ୍ଧୀଙ୍କ ଯୋଗ୍ୟତା ଯାହା ହୋଇଥାଉ ପଛକେ ସେ ହିଁ ମୋଦୀଙ୍କର ପ୍ରତିଦ୍ବନ୍ଦ୍ବୀ ରୂପେ ଉଭା ହେବାର ସମ୍ଭାବନା ଥିବା ଏକମାତ୍ର ରାଜନେତା। ତେଣୁ ଉଭୟ ନେତାଙ୍କ ମଧ୍ୟରେ ଏକ ମନସ୍ତାତ୍ତ୍ବିକ ଯୁଦ୍ଧ ଏବେଠାରୁ ଆରମ୍ଭ ହୋଇଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଭୟଙ୍କ ମଧ୍ୟରେ ଏହି ମନସ୍ତାତ୍ତ୍ବିକ ଯୁଦ୍ଧକୁ ଯଦି ଏକ ଆଖିରେ ଆଖି ମିଳାଇବା ଲଢ଼େଇ (ରାହୁଲ ଗାନ୍ଧୀଙ୍କର ପ୍ରିୟ ଖେଳ) ରୂପେ ବିଚାର କରାଯାଏ, ଯେଉଁଥିରେ ଯିଏ ଆଗ ପଲକ ପକାଏ ସେ ହାରିଥାଏ, ତା’ହେଲେ ଚିଦମ୍ବରମ୍‌ଙ୍କ ବୟାନକୁ ଭାଜପା ପକ୍ଷ ଦାବି କରୁଥିବା ଭଳି ପ୍ରଥମ ରାଉଣ୍ଡ୍‌ରେ ନରେନ୍ଦ୍ର ମୋଦୀଙ୍କ ବିଜୟ ରୂପେ ଗ୍ରହଣ କରାଯାଇପାରେ। ଭାଜପା ପକ୍ଷ ଅନୁସାରେ ମୋଦୀ ଅପଲକ ନୟନରେ ପ୍ରଧାନମନ୍ତ୍ରୀ ପଦ ପ୍ରତି ଲକ୍ଷ୍ୟ ରଖିଥିବା ବେଳେ ଚିଦମ୍ବରମ୍‌ଙ୍କ ମନ୍ତବ୍ୟ ସୂଚାଉଛି ଯେ ରାହୁଲ ଗାନ୍ଧୀ ସେ ପ୍ରତିଦ୍ବନ୍ଦ୍ବିତାରେ ଅଂଶଗ୍ରହଣ କରିବା ନିଶ୍ଚିତ ବା ଅବଧାରିତ ନୁହେଁ। ଅର୍ଥାତ୍ ରାହୁଲ ପ୍ରଥମେ ପଲକ ପକାଇଛନ୍ତି। ଚିଦମ୍ବରମ୍ ଏହା ଦ୍ବାରା ଯେଉଁ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛନ୍ତି, ତାହା ନରେନ୍ଦ୍ର ମୋଦୀ ତଥା ତାଙ୍କ ଦଳ ଭାଜପାର ୨୦୧୯ ନିର୍ବାଚନୀ ରଣକୌଶଳ ସହିତ ଏପରି ଖାପ୍ ଖାଇଯାଏ ଯେ ମନେହୁଏ ସତେ ଯେମିତି ଚିଦମ୍ବରମ୍ କଂଗ୍ରେସ ଭିତରେ ଥାଇ ମୋଦୀଙ୍କର ‘ଟ୍ରୋଜାନ୍ ହର୍ସ’ ରୂପେ କାର୍ଯ୍ୟ କରୁଛନ୍ତି।

କାରଣ ବିରୋଧୀ ଶିବିର ଯେ ନେତୃତ୍ବହୀନ, ଏହି ଭଳି ଏକ ଧାରଣା ସୃଷ୍ଟି କରିବା ହେଉଛି ମୋଦୀ ପକ୍ଷର ଏକ ମୁଖ୍ୟ ଲକ୍ଷ୍ୟ। ଭାଜପା ପଟରେ ମୋଦୀଙ୍କ ଭଳି ଦେଶକୁ ନେତୃତ୍ବ ଦେବା ପାଇଁ ଏକ ଶକ୍ତିଶାଳୀ ସେନାପତି ଥିବା ବେଳେ ଶତ୍ରୁପକ୍ଷ ଏ ପର୍ଯ୍ୟନ୍ତ ଜଣେ ସେନାପତି ବାଛିବା ପାଇଁ ଯେ ଉଣ୍ଡାଳି ହେଉଛନ୍ତି, ଏହି ପରି ଧାରଣା ମତଦାତାମାନଙ୍କୁ ମୋଦୀଙ୍କ ସପକ୍ଷରେ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି। ଚିଦମ୍ବରମ୍‌ଙ୍କ ମନ୍ତବ୍ୟ ଠିକ୍ ସେଇ ଭଳି ଧାରଣାକୁ ବଳିଷ୍ଠ କରିଛି ଯାହା। ତଥାକଥିତ ମହାଗଠବନ୍ଧନ ହୁଗୁଳି ଚାଲିଥିବା ବେଳେ ଚିଦମ୍ବରମ୍‌ଙ୍କ ଉକ୍ତି ଆହୁରି ଅଧିକ ତାତ୍ପର୍ଯ୍ୟ ବହନ କରିଥାଏ।

କିନ୍ତୁ ଚିଦମ୍ବରମ୍ ମଧ୍ୟ ସେ ଗଠବନ୍ଧନକୁ ମଜଭୁତ କରିବା ପାଇଁ ଏ ଭଳି ମନ୍ତବ୍ୟ ଦେଇଥାଇ ପାରିଥାନ୍ତି। ନରେନ୍ଦ୍ର ମୋଦୀଙ୍କୁ କ୍ଷମତାଠାରୁ ଯେମିତି ହେଲେ ଦୂରେଇ ରଖିବା ପାଇଁ ହିଁ ଏହି ମହାଗଠବନ୍ଧନର ପରିକଳ୍ପନା କରାଯାଇଥିଲା। ଏଥିପାଇଁ ଦରକାର ହେଲେ କଂଗ୍ରେସ୍ ପ୍ରଧାନମନ୍ତ୍ରୀ ପଦଠାରୁ ଦୂରେଇ ରହିବାକୁ ମଧ୍ୟ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଥିଲା। ରାହୁଲ୍‌ଙ୍କର ଉପରୋକ୍ତ ମନ୍ତବ୍ୟ କିନ୍ତୁ ସେଥିରେ ଯେଉଁ ସନ୍ଦେହର ବୀଜ ବପନ କରିଲା, ତାହାର ପ୍ରଭାବରେ ସମ୍ଭାବ୍ୟ ସହଯୋଗୀ ଦଳମାନେ ବିଭିନ୍ନ ରାଜ୍ୟରେ ଗଠବନ୍ଧନରୁ ଦୂରେଇ ଯିବା ଦେଖାଯାଇଛି। ହୁଏତ ଚିଦମ୍ବରମ୍‌ଙ୍କ ମନ୍ତବ୍ୟ ସେଇ ଅବିଶ୍ବାସ ଦୂର କରିବାରେ ସାହାଯ୍ୟ କରିପାରେ ଯାହା ସହଯୋଗୀମାନଙ୍କୁ ପୁଣି ଗଠବନ୍ଧନ ପ୍ରତି ଆକର୍ଷିତ କରିପାରେ। ଯଦି ଶେଷରେ ରାହୁଲ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଅପସରି ଯାଆନ୍ତି, ତେବେ କିଏ ଜାଣେ, ହୁଏତ ଖୋଦ୍ ଚିଦମ୍ବରମ୍‌ଙ୍କ ମୁଣ୍ଡରେ ଶିରିପା ବନ୍ଧା ଯାଇପାରେ। ଅତିକମ୍‌ରେ ସେ ଗଠବନ୍ଧନର ପ୍ରିୟପାତ୍ରରେ ପରିଣତ ହେବେ। ଶେଷରେ ଯେଉଁ ପକ୍ଷ ଜିତିଲେ ବି ଉଭୟ ପକ୍ଷଙ୍କୁ ବିଜୟର ଧାରଣା ପ୍ରଦାନ କରିଥିବା ଚିଦମ୍ବରମ୍ ଯେ ଲାଭବାନ ହେବେ, ତାହା ହିଁ ହେଉଛି ବୋଧହୁଏ ତାଙ୍କର ହିସାବ।

ସମ୍ବନ୍ଧିତ ଖବର