ଶୁଆ ବୋଲ ନ ମାନିବାରୁ…?

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକନମ୍ବର ଓ ଦୁଇ ନମ୍ବରଙ୍କ ମଧ୍ୟରେ ଚାଲିଥିବା ଲଢ଼େଇର ଅନ୍ତ କେଉଁଠି ଓ କେବେ? ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରା‌େକଶ ଆସ୍ଥାନାଙ୍କ ମଧ୍ୟରୁ କିଏ ସତ କିଏ ମିଛ? ସିବିଆଇ ଦୁଇ ମୁଖିଆଙ୍କୁ ରାତି ଅଧିଆ ଛୁଟିରେ ପଠାଇ ଦିଆଯିବା ଆଇନତଃ ‌େକତେ ଯଥାର୍ଥ? ନିର୍ଦ୍ଧାରିତ କାର୍ଯ୍ୟକାଳ ପାଇଁ ନିଯୁକ୍ତ ସିବିଆଇ ମୁଖ୍ୟଙ୍କୁ ତରବରିଆ ଭାବେ ଦାୟିତ୍ବରୁ ଅବ୍ୟା‌ହତି ଦେବାର କ୍ଷମତା ସରକାରଙ୍କ ଅଛି ତ? ନା ସିବିଆଇର ମର୍ଯ୍ୟାଦା ଓ ବିଶ୍ବସନୀୟତା ବଜାୟ ରଖିବା ଆଳରେ ଆତ୍ମରକ୍ଷା ପାଇଁ ମୋଦୀ ସରକାରଙ୍କର ଏହା ଏକ ତରବରିଆ ନିଷ୍ପତ୍ତି? ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇର ଉଚ୍ଚସ୍ତରରେ ବିବାଦକୁ ନେଇ ଗତ କିଛି ଦିନର ନାଟକୀୟ ଘଟଣାକ୍ରମ ପରିପ୍ରେକ୍ଷୀରେ ଉଠୁଥିବା ଉପରୋକ୍ତ ପ୍ରଶ୍ନ ଗୁଡ଼ିକର ଆଜି ଦିନରେ କୌଣସି ସ୍ପଷ୍ଟ ଉତ୍ତର ନାହିଁ। କିନ୍ତୁ ବର୍ତ୍ତମାନ ଯାହା ସ୍ପଷ୍ଟ ହୋଇ ଯାଇଛି, ତା’ ହେଲା ଭ୍ରଷ୍ଟାଚାର ବିରୋଧରେ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଭାବେ ସିବିଆଇର ବିଶ୍ବସନୀୟତା ଓ ସମ୍ମାନ ଗୁରୁତର ପ୍ରଭା‌ବିତ। ଯଦି କୁହାଯାଏ, ସିବିଆଇର ବିଶ୍ବସନୀୟତାର କଫିନ୍‌ରେ ଶେଷ କଣ୍ଟା ପିଟାଯାଉଛି, ତେବେ ବୋଧହୁଏ ଅତିରଞ୍ଜନ ହେବ ନାହିଁ। ୨୦୧୩, ଜୁନ୍‌ ୨୪ରେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ନରେନ୍ଦ୍ର ମୋଦୀ କହିଥିଲେ ଯେ, ସିବିଆଇ ଉପରେ ଲୋକଙ୍କ ବିଶ୍ବାସ ନାହିଁ। ପାଞ୍ଚବର୍ଷ ପରେ ତାଙ୍କର ଶାସନ ଅମଳରେ ହିଁ ସେ ନେଇ ଆଉ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ।

ଚଳିତ ବର୍ଷ ଆରମ୍ଭରେ ଜାନୁଆରି ୧୨ରେ ଉଚ୍ଚତମ ନ୍ୟାୟାଳୟର ଚାରିଜଣ ବରିଷ୍ଠତମ ବିଚାରପତିଙ୍କ ଖୋଲା ବିଦ୍ରୋହ ଯେଭଳି ଦେଶର ନ୍ୟାୟପାଳିକା ପ୍ରତି ଦେଶାସୀଙ୍କ ଆସ୍ଥା ଓ ବିଶ୍ବାସକୁ ଦୋହଲାଇ ଦେଇଥିଲା, ସେମିତି ସିବିଆଇ ଶୀର୍ଷସ୍ତରରେ ଦୁଇ ଅଫିସରଙ୍କ ମଧ୍ୟରେ କଳି ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା ପରେ ତଦନ୍ତକାରୀ ସଂସ୍ଥା ପ୍ରତି ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି। ସ୍ପଷ୍ଟ ହୋଇଯାଇଛି ଯେ, ୫୫ ବର୍ଷ ତଳେ ୧୦୬୩ ଏପ୍ରିଲ ପହିଲାରେ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗାଇବା ଲାଗି ଗଠିତ ଏହି ତଦନ୍ତକାରୀ ସଂସ୍ଥା ଖୋଦ୍‌ ଦୁର୍ନୀତିର ସଂକ୍ରମଣ ଦ୍ବାରା ଗୁରୁତର ଆକ୍ରାନ୍ତ। ଅନ୍ୟଥା, ଦୁଇ ତୁଙ୍ଗ ଅଫିସର ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣନ୍ତେ ନାହିଁ କି ସଦ୍ୟ ସଂସ୍ଥାର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବେ ଅବସ୍ଥାପିତ ଅଧିକାରୀଙ୍କ ସାଧୁତା ଓ ନିରପେକ୍ଷତା ଉପ‌େର ପ୍ରଶ୍ନ ଉଠନ୍ତା ନାହିଁ। ବାସ୍ତବରେ ସିବିଆଇରେ ଦୁର୍ନୀତିର ସଂକ୍ରମଣ ନେଇ ଯେଉଁ ଚିତ୍ର ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଛି, ତାହା କେବଳ ପାଣିରେ ବୁଡ଼ି ରହିଥିବା ତୁଷାର ପର୍ବତର ଉପରକୁ ଦେଖାଯାଉଥିବା ଅଂଶ ମାତ୍ର। ସରକାରଙ୍କ ଅନ୍ୟ ଯେକୌଣସି ବିଭାଗ ଏବଂ ପୁଲିସ୍‌ ଥାନା ଯେମିତି ଦୁର୍ନୀତି କବଳିତ, ସିବିଆଇର ଅବସ୍ଥା ତା’ଠାରୁ କିଛି ଭିନ୍ନ ନୁହେଁ। କେବଳ ‘ବଡ଼ ଘର ବଡ଼ ଗୁମର’ ଭଳି କ୍ବଚିତ୍‌ ପଦାକୁ ଆସିଥାଏ। ଗତ ଗୋଟିଏ ସପ୍ତାହର ଘଟଣାକ୍ରମରେ ସିବିଆଇର ଯେଉଁ ‌େଚହେରା ସାମ୍ନାକୁ ଆସିଛି, ସେଥିରୁ ଏହି ପ୍ରଶ୍ନର ଉତ୍ତର ମଧ୍ୟ ମିଳିଯାଇଛି ଯେ, କାହିଁକି ବିଶ୍ବ ଦୁର୍ନୀତି ସୂଚକାଙ୍କର ମାନ୍ୟତା ତାଲିକାରେ ଭାରତର ସ୍ଥାନ ଏ‌େତ ଶୋଚନୀୟ? କାହିଁକି ସ୍ବୀଧୀନତାର ସାତ ଦଶକ ପ‌େର ବି ଭ୍ରଷ୍ଟାଚାରର ବିଷ ବୃକ୍ଷର ଚେର ଲମ୍ବି ଚାଲିଛି? ସରକାର ନିର୍ବିଶେଷରେ ଦେଶରେ ତଥାକଥିତ ଭ୍ରଷ୍ଟାଚାର ବି‌େରାଧୀ ଲଢ଼େଇ ଯେ ସମ୍ପୂର୍ଣ୍ଣ ଭେଜାଲ ସିବିଆଇର ଦୁର୍ଭାଗ୍ୟଜନକ ଘଟଣାକ୍ରମ ତା’ର ଦୁଃଖଦ ପ୍ରମାଣ।

ସିବିଆଇର ଆଜି ଏ ପ୍ରକାର ଶୋଚନୀୟ ସ୍ଥିତି କାହିଁକି? ଏଥିପାଇଁ ଦାୟୀ କିଏ? ଭ୍ରଷ୍ଟାଚାର ବିରୋଧରେ ନୁହେଁ, ନିଜର ରାଜନୈତିକ ଓ ନ୍ୟସ୍ତ ସ୍ବାର୍ଥ ପାଇଁ ସିବିଆଇର ବ୍ୟବହାର ପାଇଁ ଦଳ ନିର୍ବିଶେଷ‌େର ପ୍ରତ୍ୟେକ କ୍ଷମତାସୀନ ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ ପ୍ରବଣତା ଏଥିପାଇଁ ମୁଖ୍ୟତଃ ଦାୟୀ। ସଂପ୍ରତି ସିବିଆଇରେ ଯେଉଁ ଅସ୍ବସ୍ତିକର ସଙ୍କଟ ସୃଷ୍ଟି ହୋଇଛି, ତା’ର ମୂଳରେ ମଧ୍ୟ ରହିଛି, ତଦନ୍ତକରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ଚଳିତ ସରକାରଙ୍କ ବ୍ୟଗ୍ରତା। ‘କୋଲ୍‌ଗେଟ୍‌’ ମାମଲାର ଶୁଣାଣି ବେଳେ ସିବିଆଇ ସମ୍ପର୍କରେ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ ଥିଲା ‌େଯ ଏହା ଏକ ପଞ୍ଜୁରି ଆବଦ୍ଧ ଶୁଆ। ମାଲିକ ଯାହା ଶିଖାଇଛନ୍ତିି ତାହାକୁ କେବଳ ଦୋହରାଉଛି। ସମ୍ଭବତଃ, ବର୍ତ୍ତମାନ ପଞ୍ଜୁରି ଆବଦ୍ଧ ଶୁଆ‌ର ବୋଲ ନ ମାନିବାର ଲକ୍ଷଣ ଦେଖି ମୁନିବ ବିଚଳିତ। ପରିଣତି ତୁଙ୍ଗ ସ୍ତରରେ ବିବାଦ, ଯାହା କ୍ରମଶଃ ଉଗ୍ର ରୂପ ଧାରଣ କରି ସଙ୍କଟ ସୃଷ୍ଟି କରିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବିଧିବଦ୍ଧ ଭାବେ ସୁପ୍ରିମ୍‌ କୋର୍ଟ ନିର୍ଦ୍ଧାରିତ ପଦ୍ଧତିରେ ନିଯୁକ୍ତ ସିିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆଭିମୁଖ୍ୟ ଓ କାର୍ଯ୍ୟଶୈଳୀ କ୍ଷମତାସୀନ ସରକାରଙ୍କ ମନକୁ ଯାଉ ନଥିଲା। ସେଥିପାଇଁ ଗୁଜୁରାଟ କ୍ୟାଡ଼ରର ଜଣେ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଗଲା। ସିବିଆଇ ତଦନ୍ତାଧୀନ ଏକ ମାମଲାରେ ଆସ୍ଥାନଙ୍କ ନାମ ସନ୍ଦେହ ମଧ୍ୟରେ ଥିବା ସତ୍ତ୍ବେ ତାଙ୍କୁ ନିଯୁକ୍ତି ଦିଆଯିବା ନିଶ୍ଚିତ ଭାବେ ପ୍ରଥମରୁ ବିବାଦୀୟ ହୋଇଥିଲା। ଯେହେତୁ, ସିବିଆଇ ନିର୍ଦ୍ଦେଶକ ବର୍ମା, ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ଆସ୍ଥାନାଙ୍କ ନିଯୁକ୍ତି ଉପରେ ଆପତ୍ତି ଉଠାଇଥିଲେ, ଉଭୟଙ୍କ ମଧ୍ୟରେ ବିଗତ ବ‌ର୍ଷେ ଧରି ଶତ୍ରୁତା ରହି ଆସିଥିଲା। ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଏହାର ପରିଣତି। ତେବେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ ସୁଦ୍ଧା ଅଭିଯୋଗ ପଛରେ ସତ୍ୟତା ନାହିଁ ବୋଲି କୁହାଯାଇ ପାରିବ ନାହିଁ। ବର୍ମାଙ୍କ ଇତିହାସ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ପଦାକୁ ଆସି ନାହିଁ। କିନ୍ତୁ ଗୁଜୁରାଟରେ ନିଜ ଝିଅ ବାହାଘର ବେଳେ ଆସ୍ଥାନାଙ୍କ କାରନାମା ସମ୍ପର୍କରେ ଯେତିକି ବିଷୟ ପଦାକୁ ଆସିଛି, ତାହା ବେଶ୍ ଗମ୍ଭୀର। ଏହା କେବଳ ଆସ୍ଥାନାଙ୍କ ସାଧୁତାକୁ ସନ୍ଦିଗ୍ଧ କରି ଦେଇନାହିଁ, ତାଙ୍କ ନିଯୁକ୍ତିଦାତା କ୍ଷମତାସୀନ ସରକାରଙ୍କ ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆସ୍ଥାନାଙ୍କୁ ସିବିଆଇ ମୁଖ୍ୟ ଭାବେ ଅବସ୍ଥାପିତ କରିବା ଲାଗି ଯେ ମୋଦୀ ସରକାର କ୍ଷେତ୍ର ପ୍ରସ୍ତୁତ କରିଥିଲେ, ଏଥିରେ ସନ୍ଦେହ ନାହିଁ।

ଏବେ ସରକାର ସଫେଇ ଦେଇଛନ୍ତି ଯେ, ସିବିଆଇର ବିଶ୍ବସନୀୟତା ରକ୍ଷା ପାଇଁ ପରସ୍ପର ବିରୋଧରେ ଅଭି‌େଯାଗ ଆଣିଥିବା ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯାଇଛି। ପ୍ରଶ୍ନ ଉଠୁଛି ବର୍ଷକ ତଳେ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଯେତେବେଳେ ଅଭିଯୋଗ ଉଚ୍ଚତମ ନ୍ୟାୟାଳୟ ପର୍ଯ୍ୟନ୍ତ ଗଲା, ସେତେବେଳେ ବିଶ୍ବସନୀୟତା କଥା ଚିନ୍ତା କରାଗଲା ନାହିଁ କାହିଁକି? ପ୍ରାରମ୍ଭିକ ଅନୁସନ୍ଧାନ ପରେ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର ହେଲା, ତଥାପି ସରକାରଙ୍କ ମନକୁ ସିବିଆଇର ବିଶ୍ବସନୀୟତା ବିଷୟ ଆସିଲା ନାହିଁ କେମିତି? ପୁଣି ସିବିଆଇ ନିର୍ଦ୍ଦେଶକ ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କୁ ସମାନ ବୋଲି ବିଚାର କଲେ କେମିତି? ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପ୍ରକ୍ରିୟା ସ୍ବତନ୍ତ୍ର ଓ ତାଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳର ସୁରକ୍ଷା ଦିଆଯାଇଛି। ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ପ୍ରତି ରାଜନୈତିକ ପୃଷ୍ଠପୋଷକତା ଥାଇପାରେ, କିନ୍ତୁ ଆଇନତଃ ନିର୍ଦ୍ଦେଶକଙ୍କ ଭଳି ତାଙ୍କୁ ସୁରକ୍ଷା ଦିଆଯାଇ ନାହିଁ। ତଥାପି ନିର୍ଦ୍ଦେଶକ ବର୍ମା ଓ ଆସ୍ଥାନକୁ ଗୋଟିଏ ନିକିତିରେ ତଉଲିବା ସ୍ବତଃ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହ ମଧ୍ୟକୁ ଟାଣି ଆଣୁଛି। ସିବିଆଇର ତଦାରଖ ଦାୟିତ୍ବରେ ଥିବା ସିଭିସିଙ୍କ ଭୂମିକା ମଧ୍ୟ ବିବାଦାସ୍ପଦ ହୋଇ ପଡ଼ିଛି। ନିଃସନ୍ଦେହ ସରକାର ସିବିଆଇର ସ୍ବୟଂଶାସନ କ୍ଷମତା ଉପରେ ରାତି ଅଧିଆ ହସ୍ତକ୍ଷେପ କରିଛନ୍ତି ଓ ଏହା ପଛରେ ନ୍ୟସ୍ତ ସ୍ବାର୍ଥ ରହିଛି।

୧୯୬୩ରେ ଗଠିତ ‌େହବାର ପ୍ରଥମ ‌େଗାଟିଏ ଦୁଇଟି ଦଶକ ଛାଡ଼ିଦେଲେ ପ୍ରତ୍ୟେକ କ୍ଷମତାସୀନ ସରକାର ରାଜନୈତିକ ସ୍ବା‌ର୍ଥ ସାଧନ ଉଦ୍ଦେଶ୍ୟରେ ସିବିଆଇକୁ ହାତବାରିସି କରି ଆସିଛନ୍ତି। ସେଥିପାଇଁ ସିବିଆଇକୁ ଏକ ସାମ୍ବିଧାନିକ ସଂସ୍ଥାର ମାନ୍ୟତା ପ୍ରଦାନ ଲାଗି ପ୍ରସ୍ତାବକୁ ସରକାରମାନେ ଏଡ଼ାଇ ଆସିଛନ୍ତି। କିନ୍ତୁ ଚଳିତ ସରକାର ଅମଳରେ ଏହା ସବୁ ସୀମା ସରହଦ ଡେଇଁ ଚରମରେ ପହଞ୍ଚିବା ଫଳରେ ବୋଧହୁଏ ଏମିତି ଏକ ସଙ୍କଟ ସୃଷ୍ଟି ହେ‌ାଇଛି। ଚଳିତ ସରକାରଙ୍କ ଅମଳରେ ସିବିଆଇ କେବଳ ବିଶ୍ବସନୀୟତା ହରାଇ ନାହିଁ, ଏହା ଲୋକହସା ମଧ୍ୟ ହୋଇଛି। ବର୍ତ୍ତମାନ ଏକମାତ୍ର ଆଶା ସୁପ୍ରିମ୍‌ କୋର୍ଟ। ଆଜି (୨୬ ତାରିଖ) ସର୍ବୋଚ୍ଚ ଅଦାଲତ ଏ ମାମଲାରେ କ’ଣ ଆଭିମୁଖ୍ୟୁ ଗ୍ରହଣ କରିବେ, ତା’ ଉପରେ ସିବିଆଇ ପ୍ରକରଣର ପରବର୍ତ୍ତୀ ମୋଡ଼ ନିର୍ଭର କରେ। ତେବେ, ଏହି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଉଭୟ ସିବିଆଇର ବିଶ୍ବସନୀୟତା ଏବଂ ଭ୍ରଷ୍ଟାଚାର ବିରୋଧରେ ରାଣ ଖାଉଥିବା ଏହାର ମୁନିବ ମୋଦୀ ସରକାରଙ୍କ ଭାବମୂର୍ତ୍ତି ପ୍ରତି ଯେଉଁ କ୍ଷତି ହୋଇଛି, ତା’ର ଭରଣା ସହଜ ନୁହେଁ।

ସମ୍ବନ୍ଧିତ ଖବର