ରାତିଅଧିଆ ନିଷ୍ପତ୍ତିର ଭବିଷ୍ୟତ

1 512

ଦେଶର ପ୍ରମୁଖ ଭ୍ରଷ୍ଟାଚାର ବିରୋଧୀ ତଦନ୍ତକାରୀ ସଂସ୍ଥା ସିବିଆଇର ଶୀର୍ଷ ସ୍ତରର ଦୁଇ ଅଫିସରଙ୍କ ମଧ୍ୟରେ ଚାଲିଥିବା ବିବାଦରେ ହସ୍ତକ୍ଷେପ କରି ମୋଦୀ ସରକାର ଗ୍ରହଣ କରିଥିବା ରାତି ଅଧିଆ ନିଷ୍ପତ୍ତି ଯେ ସନ୍ଦେହାସ୍ପଦ, ଏ ଆଶଙ୍କା ସହ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ବସ୍ତୁତଃ ଏକମତ ହୋଇଛନ୍ତି। ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଇ ଦିଆଯାଇଥିବା ସିବିଆଇ ନିର୍ଦ୍ଦେଶକ ଅ‌ାଲୋକ ବର୍ମାଙ୍କ ଆବେଦନ ଉପରେ ଶୁକ୍ରବାର ପୂର୍ବାହ୍ନରେ ସୁପ୍ରିମ୍‌‌କୋର୍ଟ ଜାରି କରିଥିବା ନିର୍ଦ୍ଦେଶରେ ଏହା ପ୍ରତିଫଳିତ ହୋଇଛି। ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ରଞ୍ଜନ ଗଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଆବେଦନକାରୀ ବର୍ମାଙ୍କୁ ହଠାତ୍‌ କୌଣସି ଆଶ୍ବସ୍ତି ଦେଇ ନଥିଲେ ସୁଦ୍ଧା ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥାରେ ଦେଖା ଦେଇଥିବା ଅଭାବନୀୟ ଅଚଳାବସ୍ଥା‌ର ଅବସାନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ମୋଟ ଉପରେ ସିବିଆଇର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସରକାରଙ୍କ ରାତିଅଧିଆ ନିଷ୍ପତ୍ତିର ଭାଗ୍ୟ ଓ ଭବିଷ୍ୟତ ଏବେ ଉଚ୍ଚତମ ନ୍ୟାୟାଳୟଙ୍କ ଇଜିଲାସରେ।

ସିବିଆଇର ବିଶ୍ବସନୀୟତାକୁ ଧୂମାଭ କରିଥିବା ବିବାଦର ସମାଧାନ ଉଦ୍ଦେଶ୍ୟରେ ଶୁକ୍ରବାର ପୂର୍ବାହ୍ନରେ ସୁପ୍ରିମ୍‌କୋର୍ଟ ଜାରି କରିଥିବା ନିର୍ଦ୍ଦେଶର ତିନିଟି ପ୍ରମୁଖ ବିନ୍ଦୁ ବିଶେଷ ଉଲ୍ଲେଖ ତଥା ଆଲୋଚନାର ଅପେକ୍ଷା ରଖୁଛି। ପ୍ରଥମ, ସିବିଆଇ ନିର୍ଦ୍ଦେଶକ ଆ‌ଲୋକ ବର୍ମାଙ୍କ ବିରୋଧରେ ତାଙ୍କର ସହଯୋଗୀ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଆଣିଥିବା ଲା‌ଞ୍ଚ ଅଭିଯୋଗର କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି) ତଦନ୍ତ କରିବେ। ଏହି ତଦନ୍ତ ଦୁଇ ସପ୍ତାହ ମଧ୍ୟରେ ସମାପ୍ତ କରିବା ଲାଗି ସମୟ ସୀମା ଧାର୍ଯ୍ୟ କରାଯାଇଛି। ଜନୈକ ମାଂସ ରପ୍ତାନିକାରୀ ବ୍ୟବସାୟୀ ମୋଇନ୍‌ କ୍ୟୁରେସିଙ୍କ ବି‌େରାଧରେ ଥିବା ଏକ ମାମଲାର ରଫାଦଫା ପାଇଁ ସିବିଆଇ ନିର୍ଦ୍ଦେଶକ ଦୁଇ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଆଉ ଏକ ମାମଲା‌େର ସ୍ବତନ୍ତ୍ର ନିର୍ଦ୍ଦେଶକ ଅସ୍ଥାନା ଲାଞ୍ଚ ନେଇଥିବା ଅଭିଯୋଗ ଉପରେ ସିବିଆଇ ପକ୍ଷରୁ ଏଫ୍‌ଆଇଆର୍‌ ଦାଏର୍‌ ହୋଇ ତଦନ୍ତ ଚାଲିଛି। ଉଲ୍ଲେଖନୀୟ ଯେ, ଅସ୍ଥାନାଙ୍କ ନିର୍ଦ୍ଦେଶରେ ନିର୍ଦ୍ଦେଶକଙ୍କ ବିରୋଧରେ ଜାଲିଆତି କରି ପ୍ରମା‌ଣ ସଂଗ୍ରହ ଅଭିଯୋଗରେ ଜଣେ ସିବିଆଇ ଅଧିକାରୀ ଗିରଫ ହୋଇଛନ୍ତି। ଦ୍ବିତୀୟ, ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ତାତ୍ପର୍ଯ୍ୟପୂର୍ଣ୍ଣ, ତା ହେଲା, କେବଳସିଭିସି ଏକାକୀ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରିବେ ନାହିଁ। ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଅନଙ୍ଗ ପଟ୍ଟନାୟକ ସିଭିସି ତଦନ୍ତର ତଦାରଖ କରିବେ। ସିଭିସି ଏକ ସ୍ବାଧୀନ ସାମ୍ବିଧାନିକ ସଂସ୍ଥା ହୋଇଥିଲେ ସୁଦ୍ଧା, ଉଚ୍ଚତମ ନ୍ୟାୟାଳୟ କାହିଁକି ଜଣେ ପୂର୍ବତନ ବିଚାରପତିଙ୍କୁ ତଦନ୍ତର ତଦାରଖ ଦାୟିତ୍ବ ଦେଲେ? ସମ୍ଭବତଃ ବର୍ମା ବନାମ ଅସ୍ଥାନା ପ୍ରକରଣ‌େର ସିଭିସିଙ୍କ ଆଭିମୁଖ୍ୟ ଉପରେ ‌େକତେକ ମହଲରେ ସନ୍ଦେହ ପ୍ରକାଶ ପାଇଥିବାରୁ ତଦନ୍ତର ସ୍ବଚ୍ଛତା ଓ ବିଶ୍ବସନୀୟତା ପାଇଁ ସୁପ୍ରିମ୍‌କୋର୍ଟର ଜ‌େଣ ପୂର୍ବତନ ବିଚାରପତିଙ୍କୁ ତଦାରଖ ଦାୟିତ୍ବ ଦିଆଯାଇଛି।

ଅବଶ୍ୟ, କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ, ସିଭିସିଙ୍କ ନିରପେକ୍ଷତା କିମ୍ବା କର୍ତ୍ତୃତ୍ବ ଉପରେ ପ୍ରଶ୍ନର ଅବକାଶ ନାହିଁ। ତଥା‌ପି, ପ୍ରସଙ୍ଗର ଗୁରୁତ୍ବ ଓ ସ୍ବଳ୍ପ ସମୟ ସୀମା ମଧ୍ୟରେ ତଦନ୍ତ ସମ୍ପନ୍ନ ହେବା ଜରୁରୀ ଥିବାରୁ ଏ ବ୍ୟତିକ୍ରମ କରାଯାଇଛି। ତେବେ ସୁପ୍ରିମ୍‌କୋର୍ଟଙ୍କ ଏ ସ୍ପଷ୍ଟୀକରଣ ସତ୍ତ୍ବେ ସିଭିସିଙ୍କ ଭୂମିକା ନେଇ ଉଠିଥିବା ସନ୍ଦେହ ଯେ ଅବାନ୍ତର କି ଅମୂଳକ ନଥିଲା, ଏ ସଂକେତ ସ୍ପଷ୍ଟ। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଅସ୍ଥାନାଙ୍କ ଅଭିଯୋଗ ଉପରେ ନିର୍ଦ୍ଦେଶକ ବର୍ମା ସହଯୋଗ କଲେ ନାହିଁ ବୋଲି ସିଭିସି ସରକାରଙ୍କୁ ଗୋପନ ରିପୋର୍ଟ ଦେଲେ। ଅଥଚ, ଅନ୍ୟପକ୍ଷରେ ଅସ୍ଥାନାଙ୍କ ଅଭିଯୋଗର ଏକ ନକଲ ଦେବା ଲାଗି ଅନୁରୋଧ କରି ସିବିଆଇ ପକ୍ଷରୁ ଦିଆଯାଇଥିବା ଏକ ପତ୍ରକୁ ସିଭିସି ଏଡ଼ାଇ ଯାଇଥିଲେ। ଉଲ୍ଲେଖନୀୟ ହେଲା, ନିୟମତଃ ସିବିଆଇ କାର୍ଯ୍ୟର ତଦାରଖ ଦାୟିତ୍ବ ସିଭିସିଙ୍କ ଉପରେ ନ୍ୟସ୍ତ। ବର୍ଷେ ପୂର୍ବରୁ ଦୁଇ ତୁଙ୍ଗ ଅଫିସରଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲାଣି। ଅଥଚ, ସିଭିସି ଚୁପ୍‌ ରହିଥିଲେ। ସିଭିସି ନିଜ ଦାୟିତ୍ବ ଯଦି ସୁଚାରୁଭ‌ାବେ ନିର୍ବାହ କରିଥାନ୍ତେ, ତେବେ ବୋଧହୁଏ ସିବିଆଇରେ ବର୍ତ୍ତମାନ ଦେଖା ଦେଇଥିବା ସଙ୍କଟକୁ ଏଡ଼ାଯାଇ ପାରିଥାନ୍ତା। ସାମ୍ବିଧାନିକ ସଂସ୍ଥାମାନଙ୍କ ଏପ୍ରକାର ନିଷ୍କ୍ରିୟତା ଯୋଗୁ କ‌ାର୍ଯ୍ୟନିର୍ବାହୀକୁ ନିଜ ସୀମା ଡେଇଁ ଅଯଥା ହସ୍ତକ୍ଷେପ ଲା‌ଗି ସୁ‌େଯାଗ ମିଳୁଛି। ଏହା ଏକ ନିଷ୍ଠୁର ବାସ୍ତବତା ଯେ, ଚଳିତ ଶାସନରେ ଦେଶର ସାମ୍ବିଧାନିକ – ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସ୍ବାଧୀନ କର୍ତ୍ତୃତ୍ବ ଓ ମର୍ଯ୍ୟାଦାରେ ଅବକ୍ଷୟର ଅପଲକ୍ଷଣ ସ୍ପଷ୍ଟ ପରିଲକ୍ଷିତ।

ସିବିଆଇ ବିବାଦ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ତୃତୀୟ ମୁଖ୍ୟ ବିନ୍ଦୁଟି ହେଲା, କ୍ୟାବିନେଟ୍‌ର ନିଯୁକ୍ତି କମିଟି ଦ୍ବାରା ତରବରିଆ ଭାବେ ରାତି ଅଧିଆ ନିଯୁକ୍ତ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କ ହାତ ବାନ୍ଧି ଦିଆଯାଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ କୌଣସି ଗୁରୁତ୍ବପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ। କେବଳ ସେତିକି ନୁହେଁ, ଅକ୍ଟୋବର ୨୩ ତାରିଖରୁ ୨୬ ତାରିଖ ପୂର୍ବାହ୍ନ ୧୧.୩୦ ସୁଦ୍ଧା ସେ ନେଇଥିବା ନିଷ୍ପତ୍ତି ଉପରେ ବସ୍ତୁତଃ ସ୍ଥଗିତାଦେଶ ଜାରି କରାଯାଇଛି। ଏହି ସମୟ କାଳର କେତେକ ନିଷ୍ପତ୍ତି ବେଶ୍‌ ବିବାଦୀୟ ଏବଂ ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା। ନାଗେଶ୍ବର ରାଓ ଦାୟିତ୍ବ ନେବା ପରେ ପରେ ଅସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିବା ଅନୁସନ୍ଧାନକାରୀ ଦଳକୁ ଭ‌ାଙ୍ଗି ଦେଇଥିଲେ। ତଦନ୍ତର ନେତୃତ୍ବ ନେଉଥିବା ଅଧିକାରୀଙ୍କୁ ଆଣ୍ଡାମାନ ବଦଳି କରିଥିଲେ। ସୁପ୍ରିମ୍‌‌େକାର୍ଟଙ୍କ ଆଦେଶ ପରିପ୍ରେକ୍ଷୀରେ ଅନ୍ତରୀଣ ସିବିଆଇ ମୁଖ୍ୟ ରାଓ ନି‌େର୍ଦ୍ଦଶକ ଚୌକିରେ ବସିଲେ ସୁଦ୍ଧା ତାଙ୍କ ପାଖରେ କୌଣସି କ୍ଷମତା ନାହିଁ। ଗୋଟିଏ ସଂସ୍ଥା ବା ଅନୁଷ୍ଠାନ, ଯେତେ କ୍ଷମତ‌ା ଓ ପ୍ରଭାବଶାଳୀ ହେଉ ନା କାହିଁକି, ବିଶ୍ବସନୀୟତା ହରାଇ ବସିଲେ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ସମ୍ଭବ ନୁହେଁ। ତଦନ୍ତକାରୀ ସଂସ୍ଥାର ବିଶ୍ବସନୀୟତା ଏତେ ମାତ୍ରାରେ ପ୍ରଭାବିତ ହୋଇଛି ଯେ, ସେ ପରିସ୍ଥିତିରେ ଅନ୍ତରୀଣ ନିର୍ଦ୍ଦେଶକଙ୍କ ଉପରେ ଲଗାମ କଷିବା ଏକାନ୍ତ ଆବଶ୍ୟକ ଥିଲା। ଅନ୍ତତଃ ପଦର ଅପବ୍ୟବହାର ଓ ଅଧିକ ଅବକ୍ଷୟର ଅବକାଶ ରହିବ ନାହିଁ।

ନିଃସନ୍ଦେହ, ସିପ୍ରିମ୍‌କୋର୍ଟଙ୍କ ଶୁକ୍ରବାର ପୂର୍ବାହ୍ନର ନିର୍ଦ୍ଦେଶ ସିବିଆଇକୁ ସଂକଟ ମଧ୍ୟକୁ ଠେଲି ଦେଇଥିବା ସନ୍ଦେହର ମୋଚନ କରି ପ୍ରମୁଖ ତଦନ୍ତକାରୀ ସଂସ୍ଥାର ହୃତ ନିରପେକ୍ଷତା, ବିଶ୍ବସନୀୟତା ଫେରାଇ ଆଣିବା ଦିଗରେ ଏକ ନ୍ୟାୟବନ୍ତ ବଳିଷ୍ଠ ସକାରାତ୍ମକ ପଦକ୍ଷେପ। ଆଶା, ଦୀପାବଳି ପରେ ଆସନ୍ତା ନ‌େଭମ୍ବର ୧୨ ତାରିଖ‌େର ମାନ୍ୟବର କୋର୍ଟ ସାଂପ୍ରତିକ ଅଚଳାବସ୍ଥାର ଅବସାନ ସକାଶେ କେବଳ ବାଟ ଫିଟାଇବେ ନାହିଁ, ଭବିଷ୍ୟତରେ ଯେଭଳି ଏ ପ୍ରକାର ଦୁର୍ଭାଗ୍ୟଜନକ ପରିସ୍ଥିତିର ପୁନରାବୃତ୍ତି ନ ଘଟେ, ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିବେ। ୧୯୯୬ରେ ବିନୀତ ନାରାୟଣ ମାମଲାର ରାୟରେ ଯେମିତି ସିବିଆଇ ମୁଖ୍ୟଙ୍କ ପାଇଁ ନିର୍ଦ୍ଦିଷ୍ଟ ଦୁଇ ବର୍ଷିଆ କାର୍ଯ୍ୟକାଳର ବ୍ୟବସ୍ଥା କରି ଏହାର ନିରପେକ୍ଷତା ଓ ବିଶ୍ବସନୀୟତା ନିଶ୍ଚିତ କରିବା ଦିଗରେ ଯତ୍‌ସାମାନ୍ୟ ପଦକ୍ଷେପ ନେଇଥିଲେ, ଏଥର ମଧ୍ୟ ସେମିତି କିଛି ବ୍ୟବସ୍ଥା ମାନ୍ୟବର ଅଦାଲତଙ୍କଠାରୁ ଆଶା କରାଯାଏ। ସୁପ୍ରିମ୍‌କୋର୍ଟଙ୍କ ନଭେମ୍ବର ୧୨ ତାରିଖ ରାୟ ଏ ଆଶାକୁ କେ‌େତଦୂର ଗ୍ରହଣ କରିବ ଓ ସିବିଆଇର ହୃତ ବିଶ୍ବସନୀୟତା କେତେ ମାତ୍ରାରେ ଫେରି ଆସିବ, ତାହା ଏକ ବଡ଼ ପ୍ରଶ୍ନ। କିନ୍ତୁ ଗୋଟିଏ ବିଷୟ ପ୍ରଶ୍ନାତୀତ ଯେ, ଏ ପ୍ରକରଣରେ ଭ୍ରଷ୍ଟାଚାର ପ୍ରସଙ୍ଗରେ ମୋଦୀ ସରକାରଙ୍କ ବିଶ୍ବସନୀୟତା ସବୁ ଦିନ ଲାଗି ସନ୍ଦିଗ୍‌ଧ ହୋଇ ରହିଯିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. illestruous News says

    Many People in Bhubaneswar at several Places are saying that from tomarrow onwards recless four wheelers will start plying on Roads to cause hazardeous things with the association of THREE OR TWO PERSONS RIDING Motorcycles.Though the BJD Government is providing Rice and other Ration to Economically weaker sections the wrong doing natured people are becoming uncontrollable because of their inborn traits which are not suitable for educated society.

    The Habitual offendors are illetrates and from crude family villages is an reason behind all sorts of offenses.
    Groups of Offendors for doing Offenses are working togetherly at different Junctions in Bhubaneswar especially at Kalinga Nagar Locality is a saying of many educated people.
    Engaging the working class at Flood hit areas and in Dams Building for Development of Agriculture in Odisha should be made as a Standard Policy so that Idleness of Working Class will be reduced in Bhubaneswar.