ଶ୍ରୀଲଙ୍କାରେ ପରିବର୍ତ୍ତନ, ଭାରତର ଚିନ୍ତା

ଦକ୍ଷିଣରେ ପଡ଼ୋଶୀ ଦ୍ବୀପରା‌ଷ୍ଟ୍ର ଶ୍ରୀଲଙ୍କା‌ର ରାଜନୈତିକ ଦୃଶ୍ୟପଟରେ ନାଟକୀୟ ପରିବର୍ତ୍ତନ ଘଟିଛି। ରାଷ୍ଟ୍ରପତି ‌ମୈତ୍ରିପାଳ ଶୀରିସେନା ଦେଶର ପ୍ରଥମ ମିଳିତ ସରକାରର ପ୍ରଧାନମନ୍ତ୍ରୀ ରା‌ନିଲ୍‌ ବିକ୍ରମସିଂଘେଙ୍କୁ ବରଖାସ୍ତ କରିଛନ୍ତି। ‌ତେବେ ଦ୍ବୀପରାଷ୍ଟ୍ର‌େର ସଦ୍ୟ ସଂଘଟିତ ରାଜନୈତିକ ଘଟଣାକ୍ରମକୁ ଯାହା ଅଧିକ ନାଟକୀୟତା ପ୍ରଦାନ କରିଛି, ତା’ ହେଲା ରାଷ୍ଟ୍ରପତି ଶୀରିସେନା ତାଙ୍କର ପୁରୁଣା ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ରାଜପକ୍ଷ ରାଷ୍ଟ୍ରପତି ଥିବା ବେଳେ ଶୀରିସେନା ତାଙ୍କର ମନ୍ତ୍ରୀ ଥିଲେ। ଶୀରିସେନା ୨୦୧୪ରେ ମନ୍ତ୍ରିମଣ୍ଡଳରୁ ବାହାରି ଆସି ପରବର୍ଷ ୨୦୧୫ରେ ରାଷ୍ଟ୍ରପତି ପଦ ପାଇଁ ରାଜପକ୍ଷଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ତାଙ୍କୁ ଗାଦିଚ୍ୟୁତ କରିଥିଲେ। କୁହାଯାଏ, ରାଜ‌ନୀତିରେ କେହି ସ୍ଥାୟୀ ମିତ୍ର କିମ୍ବା ଶତ୍ରୁ ନଥାନ୍ତି। ମାତ୍ର ତିନି ବର୍ଷ ତଳେ ପରସ୍ପରର ରାଜନୈତିକ ଶତ୍ରୁ ଶୀରିସେନା ଏବଂ ରାଜପକ୍ଷଙ୍କ ମଧ୍ୟରେ ମିତ୍ରତା ଏହାର ତାଜା ଉଦାହରଣ।

ଶ୍ରୀଲଙ୍କାର ରାଜନୈତିକ ଦୃଶ୍ୟପଟରେ ଏ ପରିବର୍ତ୍ତନ ନାଟକୀୟ ମନେ ହେଉଥିଲେ ସୁଦ୍ଧା, ଦ୍ବୀପରାଷ୍ଟ୍ରର ଆଭ୍ୟନ୍ତରୀଣ ରାଜନୈତିକ ଘଟଣାକ୍ରମ ଓ ଆନ୍ତଃ- ଦଳୀୟ ସମୀକରଣ ଉପରେ ନିକଟରୁ ନଜର ରଖି ଆସିଥିବା ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକଙ୍କ ପାଇଁ କ୍ଷମତା ସମୀକରଣରେ ଏ ଅଦଳବଦଳ ଆଦୌ ଅପ୍ରତ୍ୟାଶିତ ନୁହେଁ। ଗତ କିଛି ମାସ ହେଲା ରାଷ୍ଟ୍ରପତି ଶୀରିସେନାଏବଂ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ ଚାଲିଥିଲା। ନିକଟରେ ଭାରତ ଗସ୍ତ ଅବସରରେ ବିକ୍ରମସିଂଘେଙ୍କ ଏକ ବୟା‌ନକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ଅଧିକ ଘନୀଭୂତ ହୋଇଥିଲା। ଅନ୍ୟପକ୍ଷରେ ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରପତି ଶୀରିସେନା ଓ ପୂର୍ବତନ ରାଷ୍ଟ୍ରପତି ରାଜପକ୍ଷ ପରସ୍ପର ନିକଟତର ହେଉଥିଲେ। ରାଷ୍ଟ୍ରପତି ପଦ ପାଇଁ ବିକ୍ରମସିଂଘେଙ୍କ ଅଭିଳାଷ ଶୀରିସେନାଙ୍କ ପାଇଁ ଅସ୍ବସ୍ତିକର ଥିଲା ଓ ଏହାହିଁ ଦୁଇ ନେତାଙ୍କ ମଧ୍ୟରେ ବିବାଦର ମଞ୍ଜି ପୋତି ଥିଲା। ଏହି ପୃଷ୍ଠଭୂମିରେ ଶୀରିସେନାଙ୍କ ଦଳ ‘ୟୁନାଇଟେଡ ପିପୁଲ୍‌ସ ଫ୍ରିଡମ୍‌ ଆଲାଏନ୍‌ସ’ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ନେତୃତ୍ବରେ ପରିଚାଳିତ ମିଳିତ ସରକାରରୁ ଓହରି ଆସି ରାଜପକ୍ଷଙ୍କ ଦଳ ଶ୍ରୀଲଙ୍କା ଫ୍ରିଡମ୍‌ ପାର୍ଟି ସହ ହାତ ମିଳାଇବା ଏକ ସୁଚିନ୍ତିତ ରାଜନୈତିକ ଯୋଜନାର ଚୂଡ଼ାନ୍ତ ଫଳ। ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ଦଳ ନ୍ୟାସନାଲ୍‌ ୟୁନାଇଟେଡ ପାର୍ଟି ରାଷ୍ଟ୍ରପତି ଶୀରିସେନାଙ୍କ ପଦକ୍ଷେପକୁ ‘ଅଗଣତାନ୍ତ୍ରିକ’ ‘ଅସାମ୍ବିଧାନିକ’ ବର୍ଣ୍ଣନା କରି ଏହାର ଦୃଢ଼ ପ୍ରତିବାଦ ଜଣାଇଛନ୍ତି। କିନ୍ତୁ ଶୀରିସେନା- ରାଜପକ୍ଷଙ୍କ ଶକ୍ତିଶାଳୀ ଯୋଡ଼ିର ବିରୋଧ ପାଇଁ ବିକ୍ରମସିଂ‌ଘେଙ୍କ ଶକ୍ତି ଯଥେଷ୍ଟ ହୋଇ ନପାରେ।

ଶ୍ରୀଲଙ୍କ‌ାରେ କ୍ଷମତା ସମୀକରଣରେ ଏ ଆକସ୍ମିକ ପରିବର୍ତ୍ତନ କେବଳ ଦ୍ବୀପରାଷ୍ଟ୍ରରେ ଆଭ୍ୟନ୍ତରୀଣ ଉଦ୍‌ବେଳନ ସୃଷ୍ଟି କରିନାହିଁ, ଦକ୍ଷିଣ ଏସିଆର ଆଞ୍ଚଳିକ ଭାରସାମ୍ୟ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେବାର ସମ୍ଭାବନାକୁ ଏଡ଼ାଯାଇ ନପାରେ। ବି‌େଶଷକରି, ଏସିଆର ଦୁଇ ପ୍ରମୁଖ ଶକ୍ତିି- ଭାରତ ଓ ଚୀନ୍‌ ପାଇଁ ଶ୍ରୀଲଙ୍କାର ପରିବର୍ତ୍ତନ ବେଶ୍‌ ଗୁରୁତ୍ବ ବହନ କରେ। ଦକ୍ଷିଣ ଏସିଆ ଅଞ୍ଚଳ‌େର ନିଜ ନିଜ ସ୍ବାର୍ଥର ସୁରକ୍ଷା ପା‌ଇଁ ଦୁଇ ଶକ୍ତି ମଧ୍ୟରେ ସାନି ପ୍ରତିଯୋଗିତା ସକାଶେ ଶ୍ରୀଲଙ୍କାରେ ପରିବର୍ତ୍ତନ ଅବକାଶ ସୃଷ୍ଟି କରିଛି। ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷଙ୍କ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ଭାରତ ପାଇଁ ଆଦୌ ଏକ ସୁଖଦ ସଂକେତ ନୁହେଁ। ଅନ୍ୟପକ୍ଷରେ ଚୀନ୍‌ ପାଇଁ ଶ୍ରୀଲଙ୍କାର ଏହି ପରିବର୍ତ୍ତନ ଦକ୍ଷିଣ ଏସିଆରେ ପ୍ରଭାବ ବିସ୍ତାର ସକାଶେ ଅଧିକ ଅନୁକୂଳ ହୋଇପାରେ। କଲମ୍ବୋରେ ପରିବର୍ତ୍ତନ ପରି‌େପ୍ରକ୍ଷୀରେ ଭାରତ-ଶ୍ରୀଲଙ୍କା ଦ୍ବିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ ଭାରସାମ୍ୟ ବିଷୟ ଆଲୋଚନା ବେଳେ ପୂର୍ବରୁ ଉଲ୍ଲେଖ କରାଯାଇଥିବା ବିତାଡ଼ିତ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ନୂଆଦିଲ୍ଲୀ ବୟାନ ବିଶେଷ ଆଲୋଚନାର ଅପେକ୍ଷା ରଖୁଛି। ଶ୍ରୀଲଙ୍କାର ତାଜା ପରିବର୍ତ୍ତନ ସହ ଏହି ବୟାନର ନିବିଡ଼ ସମ୍ପର୍କ ରହିଛି। ନୂଆଦିଲ୍ଲୀ‌େର ପ୍ରଧାନମନ୍ତ୍ରୀ ରଣସିଂଘେ ତାଙ୍କ ବିବୃତ୍ତିରେ ଶ୍ରୀଲଙ୍କା‌ର ଭାରତୀୟ ପ୍ରକଳ୍ପ ଗୁଡ଼ିକର ମନ୍ଥର କାର୍ଯ୍ୟକାରିତା ପ୍ରସଙ୍ଗ ଉଲ୍ଲେଖ କରିଥିଲେ ଓ ଏଥିପାଇଁ ରାଷ୍ଟ୍ରପତି ଶୀରିସେନାଙ୍କ ଅ‌ାଡ଼କୁ ସେ ଅଙ୍ଗୁଳି ଦେଖାଇଥି‌େଲ। ଦେଶରେ ଭାରତ ବିରୋଧୀ ମ‌େନାଭାବ ଗୁମୁରୁ ଥିବା ବେଳେ ନିଜ ଦେଶର ସରକାର ବିରୋଧରେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଏ ପ୍ରକାର ଭାରତ ସପକ୍ଷବାଦୀ ବୟାନ ଶୀରିସେନାଙ୍କ ପକ୍ଷରେ ହଜମ କରିବା ସମ୍ଭବ ନଥିଲା। ଏହି ବୟାନ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁଯୋଗ ଦେଇଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ‌ଯେ, ଭାରତର ସଦିଚ୍ଛାମୂଳକ ମଧ୍ୟସ୍ଥତା ଯୋଗୁ ଶୀରିସେନା ଓ ବିକ୍ରମସିଂଘେ ମିଳିତ ସରକାର ଗଠନ କରିବାକୁ ସମର୍ଥ ହୋଇଥିଲେ। ଆଶା କରାଯାଉଥିଲା, ରାଜପକ୍ଷଙ୍କ ବିଦାୟ ପରେ ଶୀରିସେନାଙ୍କ ଶାସନରେ ଶ୍ରୀଲଙ୍କାର ଆଭିମୁଖ୍ୟ ଭାରତ ସପକ୍ଷରେ ଢଳିବ। କିନ୍ତୁ ରାଜପକ୍ଷଙ୍କ ସମୟ‌େର ଚୀନ୍‌ ସପକ୍ଷବାଦୀ ଧାରା ବଦଳିଲା ନାହିଁ। ଶ୍ରୀଲଙ୍କା ଭାରତ ଅପେକ୍ଷା ଚୀନ୍‌ ଆଡ଼କୁ ଅଧିକ ଢଳି ଚାଲିଛି, ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି।

ନୂଆ ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ ରାଷ୍ଟ୍ରପତି ରାଜପକ୍ଷଙ୍କ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ଭାରତର ଚିନ୍ତାକୁୁ ଅଧିକ ବଢ଼ାଇ ‌ଦେଇଛି। ନୂଆ ପ୍ରଧାନମନ୍ତ୍ରୀଙ୍କ ଅମଳରେ କଲମ୍ବୋ କର୍ତ୍ତୃପକ୍ଷ ଚୀନ୍‌ ଆଡ଼କୁ ଢଳିବା ଧାରା ଅଧିକ ତ୍ବରାନ୍ବିତ ହେବା ସମ୍ଭାବନା ରହିଛି। ଅବଶ୍ୟ, ଏହା ସତ୍ୟ ଯେ, କ୍ଷମତାକୁ ଫେରିବା ଲାଗି ରାଜପକ୍ଷ ଭାରତର ସଦିଚ୍ଛା ଲୋଡ଼ିଥିଲେ। ଏଥିପାଇଁ ନିକଟରେ ସେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଆମନ୍ତ୍ରଣ କ୍ରମେ ଭାରତ ଆସିଥିଲେ। ପୂର୍ବରୁ ତାଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ଜି.ଏଲ୍.ପେଇରିସ୍‌ଙ୍କୁ ନୂଆଦିଲ୍ଲୀ ପଠାଇଥିଲେ। ଏହା ସ‌େତ୍ତ୍ବ ଭାରତ ଅପେକ୍ଷା ଚୀନ୍‌ ସହ ରାଜପକ୍ଷଙ୍କ ଘନିଷ୍ଠତା ଯେ ଅଧିକ,ଏହା ଏକ ବାସ୍ତବତା। ତାଙ୍କରି ଶାସନ କାଳରେ ହିଁ ଶ୍ରୀଲଙ୍କା ବେଜିଂର ପୂରା ଏକ ଉପନିବେଶ ନ ହେଲେ ସୁଦ୍ଧା ‌େଗାଟିଏ ସମ୍ପତ୍ତିରେ ପରିଣତ ହୋଇଥିଲା, ଯା‌ହା ଭାରତର ସ୍ବାର୍ଥ ପାଇଁ ବିପଦର ସଙ୍କେତ ଦେଇଥିଲା।

ରାଜପକ୍ଷଙ୍କ ଶାସନ କାଳରେ ଚୀନ୍‌ ଖାଲି ଶ୍ରୀଲଙ୍କାରେ ପ୍ରବେଶ କରିନଥିଲା, ଭାରତ ମହାସାଗର‌େର ସାମରିକ ଉପସ୍ଥିତି ବୃଦ୍ଧି ଲାଗି ଅବାଧ ସୁଯୋଗ ପାଇଥିଲା। ହାମ୍ବନ୍‌ଟୋଟା ବନ୍ଦରକୁ ଚୀନ୍‌ ଲିଜ୍‌ରେ ନେବା ସହ କଲମ୍ବୋ ବନ୍ଦରରେ ଚୀନ୍‌ର ବୁଡ଼ାଜାହାଜ ଲଙ୍ଗର ପକାଇଥିଲେ। ରାଜପକ୍ଷଙ୍କ ଏହି ଚୀନ୍‌ ପ୍ରୀତି ଭାରତଠାରୁ ଏକ ବୃହତ୍‌ ପ୍ରଭାବ କ୍ଷେତ୍ର ଛଡ଼ାଇ ନେଇଥିଲା। ଅନ୍ୟପକ୍ଷରେ ଏହା ଚୀନ୍‌ର ସଂପ୍ରସାରଣବାଦୀ ଅଭିଯାନକୁ ଇନ୍ଧନ ‌ଯୋଗାଇଲା। ରାଜପକ୍ଷଙ୍କ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ଗୋଟିଏ ପକ୍ଷରେ ଚୀନ୍‌ ପା‌ଇଁ ନୂତନ ସମ୍ଭାବନାର ପ୍ରତିଶ୍ରୁତି ଏବଂ ଅନ୍ୟପକ୍ଷରେ ଭାରତ ପାଇଁ ଏକ ନୂଆ ଆହ୍ବାନ।

ତେଣୁ ଏହି ନୂଆ ଆହ୍ବାନ ପ୍ରତି ନୂଆଦିଲ୍ଲୀ କର୍ତ୍ତୃପକ୍ଷ ସଜାଗ ହେବାକୁ ପଡ଼ିବ। ଏହାର ମୁକାବିଲା ପାଇଁ କେବଳ କଲମ୍ବୋ ସହ ଦ୍ବିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ନୁହେଁ, ଦକ୍ଷିଣ ଏସିଆରେ ଆ‌ଞ୍ଚଳିକ ଭାରସାମ୍ୟ ପ୍ରସଙ୍ଗରେ ମଧ୍ୟ ଭାରତକୁ ସତର୍କତ‌ାର ସହ କୂଟନୈତିକ ଓ ସାମରିକ ରଣକୌଶଳରେ ପରିବର୍ତ୍ତନ ଉପରେ ଗୁରୁତ୍ବର ସହ ବିଚାର କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର