ହବ୍‌ସଙ୍କ ଜଙ୍ଗଲ

0 170

ମନେ ହେଉଛି ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ବର୍ତ୍ତମାନ ସପ୍ତଦଶ ଶତାବ୍ଦୀର ପ୍ରସିଦ୍ଧ ବ୍ରିଟିସ୍‌ ଦାର୍ଶନିକ ଥମାସ୍‌ ହବ୍‌ସଙ୍କ ଶିଷ୍ୟତ୍ବ ଗ୍ରହଣ କରିଛି। କୌଣସି ନୈତିକତା, ସାମାଜିକ ଶୃଙ୍ଖଳା, କଳା, ସାହିତ୍ୟ ଆଦିର ଚିହ୍ନବର୍ଣ୍ଣ ନଥିବା ଜଙ୍ଗଲୀ ଦୁନିଆରେ ମନୁଷ୍ୟର ଜୀବନ କିଭଳି ହୋଇଥାଏ, ହବ୍‌ସ ତାଙ୍କର ସୁପ୍ରସିଦ୍ଧ ପୁସ୍ତକ ‘ଲେଭିଆଥାନ୍‌’ରେ ତାହାର ଯେଉଁ ବର୍ଣ୍ଣନା କରିଥିଲେ, ତାହା ଏବେ ବି ପ୍ରତ୍ୟେକ ରାଜନୀତି ବିଜ୍ଞାନ ଛାତ୍ରର ତୁଣ୍ତ ଅଗରେ ରହିଛି। ହବ୍‌ସଙ୍କ ଅନୁସାରେ ଏକ ଜଙ୍ଗଲ ରାଜ୍‌ରେ ମନୁଷ୍ୟର ଜୀବନ ହେଉଛି ହି˚ସ୍ର ମୃତ୍ୟୁ ଆଶଙ୍କାରେ ଅହରହ ଭୟଗ୍ରସ୍ତ, ‘‘ଏକଲା, ଦରିଦ୍ର, କଦର୍ଯ୍ୟ, ପଶୁତୁଲ୍ୟ ଏବ˚ ସ˚କ୍ଷିପ୍ତ।’’ ସାତକୋଶିଆ ଅଞ୍ଚଳର ୧୩୬ଟି ଗ୍ରାମର ଅଧିବାସୀଙ୍କ ପାଇଁ ରାଜ୍ୟର ଜଙ୍ଗଲ ଶାସକମାନେ ଠିକ୍‌ ଏଇ ଭଳି ଏକ ହବ୍‌ସୀୟ ପରିବେଶ ସୃଷ୍ଟି କରିଛନ୍ତି, ଯାହା ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀଙ୍କ ପାଇଁ ଏକ କ୍ଷେତ୍ର ପରିଦର୍ଶନ ସ୍ଥଳୀ ରୂପେ କାର୍ଯ୍ୟ କରିପାରେ। ସେଠାରେ ଯେଉଁ ପରିସ୍ଥିତି ବିରାଜମାନ, ତାହା ହେଲା: ଘରୁ ବାହାରିଲେ ବାଘ ଖାଇବ, ଘରେ ରହିଲେ ବାଘଠାରୁ କୌଣସି ଗୁଣରେ କମ୍‌ ଭୟ ସଞ୍ଚାର କରୁ ନଥିବା ପୁଲିସ୍‌ ବାନ୍ଧିବ।

ଜଙ୍ଗଲ ମନ୍ତ୍ରୀ ଓ ହାକିମମାନଙ୍କର ସମ୍ବେଦନହୀନତା ଯଦି ସାତକୋଶିଆବାସୀଙ୍କର ଏ ଭଳି ଦୁର୍ଦଶାର କାରଣ ହୋଇଛି, ସେମାନଙ୍କର ଅପାରଗତା ଓ ଅବହେଳାର ପ୍ରଭାବରୁ ସେମାନଙ୍କ ଦାୟିତ୍ବରେ ଥିବା ଜଙ୍ଗଲର ଜନ୍ତୁ ଜାନୁଆରମାନେ ମଧୢ ଯେ ବର୍ତ୍ତି ପାରିନାହାନ୍ତି, ତା’ର ଏବେ ଆଉ ଦୁଇଟି ଲୋମହର୍ଷଣକାରୀ ଉଦାହରଣ ଦେଖିବାକୁ ମିଳିଛି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାରେ ବିଦ୍ୟୁତ୍‌ ଝଟ୍‌କା ପାଇ ଏକାଥରକେ ସାତଟି ହାତୀ ପ୍ରାଣ ହରାଇବା ଯଦିବା ବର୍ତ୍ତମାନ ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଛି, ନିକଟ ଅତୀତରେ ଏହି କାରଣରୁ ଓ ଅବୈଧ ଶିକାର ଯୋଗୁଁ ରାଜ୍ୟରେ ଶହ ଶହ ହାତୀ ପ୍ରାଣ ହରାଇବା ଏକ ନିୟମିତ ଧାରାରେ ପରିଣତ ହୋଇଛି। ତେଣେ ଯେଉଁ ବାଘ ପ୍ରୀତି ଯୋଗୁଁ ବନସ୍ତପତିମାନେ ସାତକୋଶିଆ ଅଞ୍ଚଳରେ ମନୁଷ୍ୟ ଜୀବନକୁ ହବ୍‌ସୀୟ ଦୁନିଆକୁ ଠେଲି ଦେଇଛନ୍ତି, ସେଇ ବାଘକୁ ଯେ ସେମାନେ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ତାହାର ଏକ ସଦ୍ୟ ପ୍ରମାଣ ସ୍ବରୂପ ଖବର ପ୍ରସାରିତ ହୋଇଛି ଯେ ଦେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଏକମାତ୍ର ମହାବଳ ବାଘକୁ ଶିକାରୀମାନେ ମାରିଦେଇ ତାର ଦୁର୍ମୂଲ୍ୟ ନଖ ଓ ଦାନ୍ତ କାଢ଼ି ନେଇଛନ୍ତି।

ଏହି ଘଟଣା ପ୍ରକାଶ ପାଇବା ପରେ ସରକାର ଦୋଷୀମାନଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ, କିନ୍ତୁ ଓଡ଼ାପଡ଼ା ହାତୀ ମୃତ୍ୟୁ ଘଟଣାରେ ସରକାର ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ବନ ବିଭାଗ ଏବ˚ ବିଦ୍ୟୁତ୍‌ ସ˚ସ୍ଥାର ତିନିଜଣ ଲେଖାଏଁ କରି ମୋଟ ଛ’ଜଣ କର୍ମଚାରୀ (ବନ କର୍ମଚାରୀମାନେ ସମସ୍ତେ ତଳିଆ)ଙ୍କୁ ନିଲମ୍ବିତ କରିଥିବା ବେଳେ ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବା ଖବର ପ୍ରକାଶ ପାଇଛି। ଘଟଣାର ଅନୁସନ୍ଧାନ ପାଇଁ ତତ୍ପରତା ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ମଧୢ କ୍ରାଇମ୍‌ ବ୍ରାଞ୍ଚ୍‌ ଉପରେ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଓଡ଼ାପଡ଼ା ହାତୀ ମୃତ୍ୟୁ ଘଟଣାରେ ବୋଧହୁଏ ହାତୀ ମୃତ୍ୟୁ ସ˚ଖ୍ୟା ସରକାରଙ୍କୁ ବିବ୍ରତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧୢ କରିଥାଇପାରେ। କିନ୍ତୁ ଏହାକୁ ଯଦି ସାତକୋଶିଆରେ ରଚିତ ହୋଇଥିବା ଟ୍ରାଜେଡି ସହିତ ତୁଳନା କରାଯାଏ, ତେବେ ସାତକୋଶିଆର ପ୍ରକୃତ ଦୋଷୀମାନଙ୍କ ପ୍ରତି ସରକାରଙ୍କର ଅହେତୁକ ନରମ ଆଭିମୁଖ୍ୟ ସ୍ପଷ୍ଟ ବାରି ହୋଇ ପଡ଼ିଥାଏ।

ବ୍ୟକ୍ତି ଓ ସରକାର ମଧୢରେ ମୌଳିକ ଫରକ ହେଲା ବ୍ୟକ୍ତି ସ୍ବାର୍ଥ ଓ ଜନସ୍ବାର୍ଥ ମଧୢରେ ଫରକ। ବ୍ୟକ୍ତି ସର୍ବଦା ନିଜର ସର୍ବାଧିକ ସ୍ବାର୍ଥ ସାଧନକୁ ନିଜର ପ୍ରତ୍ୟେକ କାର୍ଯ୍ୟର ମୂଳମନ୍ତ୍ର ରୂପେ ଗ୍ରହଣ କରିଥାଏ। ସରକାର ଅନେକ ବ୍ୟକ୍ତିଙ୍କ ସମଷ୍ଟି ହୋଇଥିଲେ ହେଁ ଏଠାରେ ବ୍ୟକ୍ତିମାନେ ନିଜ ନିଜର ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ପାରିନଥାନ୍ତି। କାରଣ ରାଜନେତାମାନଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଥାଏ ଆସନ୍ତା ନିର୍ବାଚନ ଜିତିବା। ସେମାନେ ତେଣୁ ଜନତାର ଇଚ୍ଛାକୁ ପ୍ରାଧାନ୍ୟ ଦେଇଥାନ୍ତି। ଏହି କାରଣରୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପମାନଙ୍କର ଆରମ୍ଭ ପୂର୍ବରୁ ଜନଶୁଣାଣି କରାଯାଇଥାଏ। ଏହା ସମସ୍ତେ ଜାଣନ୍ତି ଦେଶର ଅନ୍ୟତ୍ର ଭଳି ଓଡ଼ିଶାରେ ମଧୢ ଦୀର୍ଘକାଳ ଧରି କୌଣସି ବୃହତ୍‌ ଜଳସେଚନ-ଅଭିମୁଖୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇ ପାରିନଥିବାର ଏକମାତ୍ର କାରଣ ହେଉଛି ଜନତାର ଅନିଚ୍ଛା। ସେହିପରି ଆହୁରି ଅନେକ ଉଦାହରଣ ରହିଛି (ଯେମିତି ପୋସ୍କୋ) ଯେଉଁଠି ଜନତା (ଷ୍ଟେକ୍‌-ହୋଲ୍‌ଡର‌୍‌ସ)ଙ୍କ ସମ୍ମତି ଅଭାବରୁ ପ୍ରକଳ୍ପ ପରିତ୍ୟାଗ କରାଯାଇଛି।

ମଧୢପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ଆଣି ସାତକୋଶିଆରେ ସ୍ଥାନିତ କରିବା ସେଇଭଳି ଏକ ପ୍ରକଳ୍ପ ଯାହା କାର୍ଯ୍ୟକାରୀ ହେବା ପାଇଁ ଷ୍ଟେକ୍‌ହୋଲ୍‌ଡର ମାନଙ୍କର ସହମତି ଏକାନ୍ତ ଆବଶ୍ୟକ। ଯେଉଁମାନେ ପ୍ରକଳ୍ପ ଦ୍ବାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ଥାଏ, ସେମାନଙ୍କର ସହମତି ନିଆଯିବା ବର୍ତ୍ତମାନ ଏପରି ଏକ ବିଶ୍ବବ୍ୟାପୀ ଧାରାରେ ପରିଣତ ହୋଇଛି ଯେ ମେକ୍ସିକୋ ସିଟି ପାଇଁ ନିହାତି ଆବଶ୍ୟକ ଏକ ନୂତନ ବିମାନ ବନ୍ଦର ନିର୍ମାଣ ପୂର୍ବରୁ ସେଠାକାର ନବ ନିର୍ବାଚିତ ରାଷ୍ଟ୍ରପତି ଏବେ ଜନମତ ଲୋଡ଼ି ଏ କ୍ଷେତ୍ରରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ବାଘ ବ˚ଶ ବୃଦ୍ଧି ଏକ ଦୀର୍ଘକାଳୀନ ଯୋଜନା ହୋଇଥିଲେ ହେଁ ଓ ସୁନ୍ଦରୀର ସ୍ଥାନାନ୍ତରୀକରଣ ଭଳି ଏହା ଅନ୍ତର୍ଗତ ପ୍ରକଳ୍ପ ପାଇଁ ‘ଇଣ୍ଟର‌୍‌ନେସନାଲ୍‌ ୟୁନିଅନ୍‌ ଫର‌୍‌ କଞ୍ଜର୍ଭେସନ୍‌ ଅଫ୍‌ ନେଚର‌୍‌’ (ଆଇୟୁସିଏନ୍‌) ଏବ˚ ‘ନେସନାଲ୍‌ ଟାଇଗର‌୍‌ କଞ୍ଜର୍ଭେସନ୍‌ ଅଥରିଟି’ (ଏନ୍‌ଟିସିଏ) ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଜନ ସହମତି ଲୋଡ଼ାଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲେ ମଧୢ ସୁନ୍ଦରୀ ପ୍ରକଳ୍ପ ସହିତ ସମ୍ପୃକ୍ତ ଅଧିକାରୀମାନେ ଏହାକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥିଲେ।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି ବାଘ ସ˚ଖ୍ୟା ବୃଦ୍ଧି ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଏଥିପାଇଁ ଜଙ୍ଗଲ ଅଧିବାସୀମାନଙ୍କର ସାଧାରଣ ଜୀବନଧାରଣ ସହିତ କୌଣସି ବୁଝାମଣା କରାଯାଇ ପାରିବ ନାହିଁ। ଜଙ୍ଗଲରେ ଏକ ନୂତନ ବାଘ ପ୍ରବେଶ କରାଇବା ପୂର୍ବରୁ ଏହାର ସମସ୍ତ ଦିଗ ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ ଷ୍ଟେକ୍‌ହୋଲ୍‌ଡର ରୂପେ ପରିଗଣିତ ସ୍ଥାନୀୟ ଅଧିବାସୀମାନଙ୍କୁ ଏଥିରେ ବିଭିନ୍ନ ଭାବରେ ସମ୍ପୃକ୍ତ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ଆମର ସମ୍ପୃକ୍ତ ଜଙ୍ଗଲ ଅଧିକାରୀମାନେ ବୋଧହୁଏ ବାହାବା ନେବା ପାଇଁ ଜଙ୍ଗଲ ଅଧିବାସୀମାନଙ୍କୁ ବିଶ୍ବାସକୁ ନ ନେଇ, ସେମାନଙ୍କ ସହିତ ଆଲୋଚନା ନ କରି ସେମାନଙ୍କର ବିନା ସହମତିରେ ସୁନ୍ଦରୀକୁ ଆଣି ସେମାନଙ୍କର ବାସସ୍ଥଳୀରେ ଛାଡ଼ିଦେଲେ। ଏହାକୁ ବ୍ୟକ୍ତି ସ୍ବାର୍ଥ ପାଇଁ ଜନ ସ୍ବାର୍ଥକୁ ବଳି ଦିଆଗଲା ବୋଲି କୁହାଯାଇପାରେ, ଯାହାର ରାଜନୈତିକ ପରିଣାମ ରାଜନେତାମାନଙ୍କ ପାଇଁ ଅନୁକୂଳ ନହୋଇପାରେ। କିନ୍ତୁ ଏହାର ତାତ୍କାଳିକ ପରିଣାମ ସ୍ବରୂପ ମନୁଷ୍ୟ ଓ ଗୃହପାଳିତ ପଶୁମାନଙ୍କର ଜୀବନ ହାନି ଘଟିବାରେ ଲାଗିଛି। ହାତୀ ମୃତ୍ୟୁ ପାଇଁ ଯଦି ଦଣ୍ତ ଦିଆଯାଇଛି, ମନୁଷ୍ୟ ମୃତ୍ୟୁ ପାଇଁ କ’ଣ ଦଣ୍ତ ନାହିଁ?

ସମ୍ବନ୍ଧିତ ଖବର

Leave A Reply

Your email address will not be published.