ନାରୀ ଗୋଟେ ଦେହ?

‘‘ଭାବିଥିଲି ମୁଁ କରିବି ତାକୁ ମୋର/ଏକାନ୍ତ ଆହା ଏକାନ୍ତ ନିଜର,/ ତା’ର ସେଇ ଆକାଶ ପରି ଆଲ୍‌ପନାର ଦେହେ/ରହିବ ନାହିଁ କାର/ଇଞ୍ଚେ ଅଧିକାର।’’ ଦେବଦାସ ଛୋଟରାୟଙ୍କର ଏକ ପୁରୁଣା କବିତା ‘ଦୁଇଟି ତାରାର ରାତି’ର ଏଇ କେତୋଟି ଧାଡ଼ିରେ ବୋଧହୁଏ ନିହିତ ଅଛି ଗତକାଲିର ‘ସମ୍ବାଦ’ରେ ପ୍ରକାଶିତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ତାଙ୍କର ମର୍ମସ୍ପର୍ଶୀ ଚିଠିରେ ବିଶିଷ୍ଟ କବି ଗାୟତ୍ରୀବାଳା ପଣ୍ଡା ପଚାରିଥିବା ତାଙ୍କର ଏହି ପ୍ରଶ୍ନର ଉତ୍ତର: ନାରୀ ‘‘କ’ଣ କେବଳ ଗୋଟେ ଦେହ?’’ ଗାୟତ୍ରୀବାଳା ଏ ପ୍ରଶ୍ନ ପଚାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ; ସେ କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଏ ପ୍ରଶ୍ନ ମୋଦୀଙ୍କ ଦଳ ଭାରତୀୟ ଜନତା ପାର୍ଟିର ସଭାପତି ଅମିତ ଶାହଙ୍କୁ ପଚାରିଥିଲେ ତାହା ଆହୁରି ଅଧିକ ଯଥାର୍ଥ ଓ ଲକ୍ଷ୍ୟଭେଦୀ ହୋଇଥାନ୍ତା। କାରଣ ଶନିବାର ଦିନ ସବରୀମାଳା ପ୍ରସଙ୍ଗରେ ଭାଜପା ସଭାପତି ତାଙ୍କ ଦଳର ଯେଉଁଭଳି ପଶ୍ଚାତ୍‌ମୁଖୀ ଆଭିମୁଖ୍ୟ ପ୍ରକାଶ କରିଛନ୍ତି, ତାହାର ମର୍ମ ହେଲା ଦେବଦାସଙ୍କ କାବ୍ୟ ନାୟିକା ଭଳି ନାରୀ ଯେ କେବଳ ଏକ ଦେହ, ତାହା ନୁହେଁ, ତା’ର ନିଜର ଦେହ ଉପରେ ମଧ୍ୟ ତା’ ନିଜର ଅଧିକାର ନାହିଁ। ତେଣୁ ସେ ରଜସ୍ବଳା ହୋଇଥିବା ସମୟରେ ତା’ର ମନ ଚାହିଁଲେ ମଧ୍ୟ ସେ ନିଜର ସେ ଦେହକୁ ନେଇ ସବରୀମାଳା ମନ୍ଦିରରେ ପ୍ରବେଶ କରିପାରିବ ନାହିଁ, ଯଦିବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାକୁ ପ୍ରବେଶ ଅଧିକାର ପ୍ରଦାନ କରିଛନ୍ତି। ଶନିବାର ଦିନ କେରଳର କାନ୍ନୁର ଠାରେ ଭାଜପାର କାର୍ଯ୍ୟାଳୟ ଉଦ୍‌ଘାଟନ କରିବା ଅବସରରେ ଅମିତ ଶାହ ଘୋଷଣା କରିଥିଲେ ଯେ ତାଙ୍କ ଦଳ ଆୟାପ୍ପା ଭକ୍ତମାନଙ୍କ ପଛରେ ପାହାଡ଼ ପରି ଛିଡ଼ା ହୋଇଛି ଏବଂ ଧର୍ମ ବିଶ୍ବାସ ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଏହି ଆୟାପ୍ପା ଭକ୍ତମାନେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ୧୦ ରୁ ୫୦ ବର୍ଷ ବୟସ ସୀମା ମଧ୍ୟରେ ଥିବା ନାରୀମାନଙ୍କର ସବରୀମାଳା ମନ୍ଦିରରେ ପ୍ରବେଶକୁ ବିରୋଧ କରୁଛନ୍ତି ଏବଂ ଏହି ବିରୋଧ ହିଂସାସ୍ମକ ରୂପ ମଧ୍ୟ ନେବା ଦେଖାଯାଇଛି। ଉଲ୍ଲେଖଯୋଗ୍ୟ ଗାୟତ୍ରୀବାଳା ସୂଚାଇଥିବା ଭଳି ଏହି ବିରୋଧୀମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଭକ୍ତ ଅନ୍ତର୍ଭୁକ୍ତ। ସେତିକି ନୁହେଁ, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ନିଜର ସାମ୍ବିଧାନିକ ଦାୟିତ୍ବ ସମ୍ପାଦନ କରୁଥିବା କେରଳ ରାଜ୍ୟ ସରକାର ବିରୁଦ୍ଧରେ ମଧ୍ୟ ଏଥିପାଇଁ ଶାହ ବିଷୋଦ୍‌ଗାର କରିଛନ୍ତି। ରାଜ୍ୟର ସିପିଏମ୍ ସରକାର ହିନ୍ଦୁ ପରମ୍ପରା ଓ ପ୍ରଥାର ଅବମାନନା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। କେରଳରେ ହିନ୍ଦୁ ପରମ୍ପରା ଓ ପ୍ରଥା ପ୍ରତି ଭାଜପାର ଏହି ଅନ୍ଧ ଅନୁରକ୍ତି ଓ ସମର୍ଥନ ପଛରେ ରହିଥିବା ଅସଲ କାରଣ ହେଉଛି ଏହାକୁ ଆଶ୍ରୟ କରି ସେ ଦଳ କେରଳର ଦ୍ବିଦଳୀୟ ରାଜନୈତିକ କ୍ଷମତା ପ୍ରତିଦ୍ବନ୍ଦ୍ବିତାରେ ଏକ ତୃତୀୟ ଦଳ ରୂପେ ପ୍ରବେଶ କରିବାକୁ ଆଶା କରୁଛି। କିନ୍ତୁ ଏହା ଦ୍ବାରା ଭାଜପା ନିଜ ଉପରେ କିଭଳି ଏକ ଗୁରୁତର ନୈତିକ ପ୍ରଶ୍ନବାଚୀ ଲଗାଇଛି, ତାହା ବିଷୟରେ ଏକ ସମ୍ୟକ୍ ଧାରଣା କରାଯାଇ ପାରିବ, ଯଦି ସେ ଦଳ ଓ ତା’ର ନେତାମାନେ ଇତିହାସ ବହି ଧରି ପ୍ରାୟ ଦୁଇଶହ ବର୍ଷ ତଳକୁ ଫେରି

ଯିବାର କଷ୍ଟ ସ୍ବୀକାର କରନ୍ତି। କାଳ ୧୮୧୧ ସାଲ। ରାଜା ରାମ ମୋହନ ରାୟଙ୍କ ବଡ଼ ଭାଇ ଜଗମୋହନଙ୍କର ପରଲୋକ ଘଟିଥାଏ। ତାଙ୍କର ଯୁବତୀ ପତ୍ନୀ ତଥା ରାମମୋହନଙ୍କ ଭାଉଜ ଅଳକା ମଞ୍ଜରୀ ଅତଏବ ବିଧବା ହୋଇ ଯାଇଥାନ୍ତି। ସେ କାଳର ଦୃଢ଼ ହିନ୍ଦୁ ପରମ୍ପରା ଓ ପ୍ରଥା ଅନୁସାରେ ତେଣୁ ବିଧବା ଅଳକା ମଞ୍ଜରୀଙ୍କୁ ସ୍ବାମୀଙ୍କର ଚିତାଗ୍ନିରେ ନିଜ ‘ଦେହ’କୁ ଝାସ ଦେଇ ପୋଡ଼ି ପାଉଁଶ କରିଦେବାକୁ ହେବ। କାରଣ ନାରୀ ଏକ ‘ଦେହ’ ମାତ୍ର ଏବଂ ସେ ଦେହର ମାଲିକ ହେଉଛି ସ୍ବାମୀ ନାମକ ଜଣେ ପୁରୁଷ। ସ୍ବାମୀର ମୃତ୍ୟୁ ପରେ ତାର ସେ ସମ୍ପତ୍ତି ଯେମିତି ଆଉ କାହା ହାତରେ ନପଡ଼େ, ତାହା ନିଶ୍ଚିତ କରିବା ପାଇଁ ବା ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାଷାରେ କହିଲେ ନିଜର ସତୀତ୍ବ ଅକ୍ଷୁଣ୍ଣ ରଖିବା ପାଇଁ ପତ୍ନୀ ନିଜକୁ ମୃତ ସ୍ବାମୀର ଚିତାରେ ଜଳାଇ ଦେଇଥାଏ। ସେଇ ପ୍ରଥା ଅନୁସାରେ ଚିତା ପ୍ରସ୍ତୁତ କରା ହୋଇଥାଏ। ଜ୍ଞାତି କୁଟୁମ୍ବ ସମସ୍ତେ ସେଠାରେ ଉପସ୍ଥିତ। ଅଳକା ମଞ୍ଜରୀ ପାଟ ଶାଢ଼ି ପିନ୍ଧି ମୁଣ୍ଡରେ ସଧବାର ସନ୍ତକ ସିନ୍ଦୂର ଲଗାଇଥାନ୍ତି। କେଶ ମୁକୁଳା। ମୁହଁରେ ତାଙ୍କର ଭୀଷଣ ଭୟର ଚିହ୍ନ। ଶବକୁ ଜୁଇ ପାଖକୁ ଅଣାଗଲା। ରାମମୋହନ ଘଟିବାକୁ ଯାଉଥିବା ବର୍ବର କାଣ୍ଡର ଘୋର ବିରୋଧ କରି ଆସିଥିଲେ। କିନ୍ତୁ ତାଙ୍କ ପ୍ରତି କେହି କର୍ଣ୍ଣପାତ ନକରି ବନ୍ଧୁବାନ୍ଧବମାନେ ମିଶି ଅଳକା ମଞ୍ଜରୀଙ୍କୁ ମାଡ଼ି ବସି ଶବ ସହିତ ଏକାଠି କରି ବାନ୍ଧି ପକାଇଲେ ଓ ମୃତ-ଜୀବିତ ଶରୀର ବିଡ଼ାକୁ ଜୁଇ ଉପରେ ଥୋଇ ଅଗ୍ନି ସଂଯୋଗ କରିଦେଲେ। ଅଳକା ମଞ୍ଜରୀଙ୍କର ଆର୍ତ୍ତ ଚିତ୍କାର ରାମମୋହନଙ୍କ ହୃଦୟକୁ ବିଦାରିତ କରିଥିଲା। କିନ୍ତୁ ଉପସ୍ଥିତ ପରମ୍ପରା ପାଳନକାରୀ ବନ୍ଧୁ ପରିଜନମାନେ ‘ମହା ସତୀ! ମହା ସତୀ!’ ଚିତ୍କାର କରି ଅଳକା ମଞ୍ଜରୀଙ୍କ ସତୀତ୍ବର ଜୟଗାନ କରୁଥାନ୍ତି। ଏବେ ପ୍ରଶ୍ନ ପଚରା ଯାଇପାରେ ଆଜିର ଭାଜପା ନେତାମାନେ ଯଦି ସେଦିନ ସେଠାରେ ଉପସ୍ଥିତ ଥାନ୍ତେ, ‌େ‌ତବେ ସେମାନେ ରାମମୋହନଙ୍କ ସହିତ ମିଶି ଅଳକା ମଞ୍ଜରୀଙ୍କ ସତୀଦାହର ବିରୋଧ କରିଥାନ୍ତେ, ନା ଜ୍ଞାତି କୁଟୁମ୍ବଙ୍କ ସହ ମିଶି ପରମ୍ପରାକୁ ସମର୍ଥନ କରି ‘ମହା ସତୀ ଅଳକା ମଞ୍ଜରୀ’ଙ୍କର ଜୟଗାନ କରିଥାନ୍ତେ? ସେମାନଙ୍କର ସବରୀମାଳା ଆଚରଣ ଦେଖି ମନେ ହେଉଛି ସେମାନେ ଦ୍ବିତୀୟ କାର୍ଯ୍ୟଟି କରିଥାନ୍ତେ। ନିଜ ପରିବାରରେ ଆଚରିତ ଏହି ବର୍ବର କାଣ୍ଡ ରାଜା ରାମମୋହନ ରାୟଙ୍କୁ ସତୀଦାହ ପ୍ରଥାର ବିଲୋପ ସାଧନ ପାଇଁ ଯେଉଁ ପ୍ରତିଜ୍ଞାବଦ୍ଧ କରିଥିଲା, ତାହାର ଫଳ ସ୍ବରୂପ ସେ ଗଭର୍ନର୍ ଜେନେରାଲ୍ ୱିଲିଅମ୍ ବେଣ୍ଟିକ୍‌ଙ୍କୁ ପ୍ରଭାବିତ କରି ଶେଷରେ ୧୮୨୯ରେ ସତୀଦାହ ପ୍ରଥାର ଉଚ୍ଛେଦ ସାଧନ କରାଇଥିଲେ। ଏଠାରେ ସେ ସମୟରେ ବେଣ୍ଟିକ୍‌ଙ୍କ ଆଚରଣକୁ ବର୍ତ୍ତମାନ କେରଳରେ ଭାଜପାର କ୍ଷମତା ଅନୁଧାବନ ସହିତ ତୁଳନା କରାଯାଇପାରେ। ବେଣ୍ଟିକ୍ ଯେତେବେଳେ ସତୀଦାହ ପ୍ରଥା ଉଚ୍ଛେଦ କରିବାକୁ ଚିନ୍ତା କଲେ, ସେତେବେଳେ ତାଙ୍କର ଘନିଷ୍ଠ ଉପଦେଷ୍ଟା ଚାର୍ଲସ ମେଟ୍‌କାଫ୍ ତାଙ୍କୁ ସେଥିରୁ ନିବୃତ୍ତ କରିବା ଉଦ୍ଦେଶ୍ୟରେ ସାବଧାନ ବାଣୀ ଶୁଣାଇଲେ ଯେ ଯେହେତୁ ସତୀଦାହ ହେଉଛି ଏକ ଦୃଢ଼ ପରମ୍ପରା, ଏହାର ଉଚ୍ଛେଦ ସାଧନ କରାଗଲେ ହିନ୍ଦୁମାନେ ଇଂରେଜ୍ ଶାସନ ବିରୁଦ୍ଧରେ ବିଦ୍ରୋହ କରିପାରନ୍ତି। ବେଣ୍ଟିକ୍ କିନ୍ତୁ କ୍ଷମତା ମୋହ ତ୍ୟାଗ କରି ଏକ ଅନ୍ଧ ପରମ୍ପରାର ଅନ୍ତ ଘଟାଇଲେ, ଯଦିବା ସେ ପରମ୍ପରା ପ୍ରତି ଅନେକ ହିନ୍ଦୁ ନାରୀଙ୍କର ମଧ୍ୟ ଅଭ୍ୟାସଗତ ସମର୍ଥନ ରହିଥିଲା। ଭାଜପା କିନ୍ତୁ କେରଳରେ କ୍ଷମତା ଲୋଭରେ ସେଠାରେ ଏକ ଅନ୍ଧ ପରମ୍ପରାକୁ ଚିରସ୍ଥାୟୀ କରିବାକୁ ଚାହୁଁଛି।

ସାମ୍ବିଧାନିକ ଦୃଷ୍ଟିରୁ ଏହା ମଧ୍ୟ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଦେଶର ଶାସକ ଦଳର ମୁଖ୍ୟ ଅମାନ୍ୟ କରିବାକୁ ଆହ୍ବାନ ଦେଉଛନ୍ତି। ଦେଶରେ ତେବେ ଆଇନର ଶାସନ ଚାଲିବ କିପରି? ତା’ ହେଲେ ତିନି ତଲାକ୍ ଭଳି ପାରମ୍ପରିକ ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ଇସଲାମୀୟ ନେତାମାନେ ମାନିବେ କାହିଁକି? ହାଜି ଅଲି ଦରଗାହରେ ମହିଳାମାନେ ପ୍ରବେଶ କରିବା ପାଇଁ ଅଦାଲତ ନିର୍ଦ୍ଦେଶକୁ ମୁଲ୍ଲାମାନେ ପାଳନ କରିବେ କାହିଁକି? ସୁପ୍ରିମ୍ କୋର୍ଟ ତ କୌଣସି ରଜସ୍ବଳା ନାରୀକୁ ଆୟାପ୍ପା ମନ୍ଦିରରେ ପ୍ରବେଶ କରିବାକୁ ବାଧ୍ୟ କରୁନାହାନ୍ତି। ଏହା ନାରୀମାନଙ୍କର ବ୍ୟକ୍ତିଗତ ପସନ୍ଦର କଥା। ନାରୀମାନଙ୍କର କ’ଣ ନିଜର ମତ ବା ପସନ୍ଦ ବୋଲି କିଛି ନାହିଁ, କାରଣ ଗାୟତ୍ରୀବାଳା କହିଥିବା ଭଳି ନାରୀଟିଏ ହେଉଛି କେବଳ ଗୋଟେ ଦେହ?

ସମ୍ବନ୍ଧିତ ଖବର