ଥମାସ୍ ଏଲ୍ ଫ୍ରିଡ୍ମ୍ୟାନ୍ଙ୍କର ୨୦୦୫ରେ ପ୍ରକାଶିତ ବେଷ୍ଟ୍ସେଲର୍ ବହିର ଶୀର୍ଷକ ଥିଲା- ‘ଦି ୱାର୍ଲଡ୍ ଇଜ୍ ଫ୍ଲାଟ୍’ (‘ସମତଳ ପୃଥିବୀ’)। ବହିଟିର ଉପ-ଶୀର୍ଷକ ଥିଲା- ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଦି ଟ୍ବେଣ୍ଟି ଫାଷ୍ଟ୍ ସେଞ୍ଚୁରି’ (‘ଏକବିଂଶ ଶତାବ୍ଦୀର ଏକ ସଂକ୍ଷିପ୍ତ ଇତିହାସ’)। ଯଦିବା ଏକବିଂଶ ଶତାବ୍ଦୀ ଆରମ୍ଭର ମାତ୍ର ପାଞ୍ଚ ବର୍ଷ ପରେ ଏ ବହିଟି ପ୍ରକାଶ ପାଇଥିଲା, ବର୍ତ୍ତମାନ ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ପୂରିବାକୁ ଯାଉଥିବା ବେଳେ ମନେହେଉଛି ଫ୍ରିଡ୍ମ୍ୟାନ୍ ଏକବିଂଶ ଶତାବ୍ଦୀର ଭବିଷ୍ୟତ ଇତିହାସ ସମ୍ବନ୍ଧରେ ପ୍ରଦାନ କରିଥିବା ଧାରଣା ସତରେ ପରିଣତ ହେବାରେ ଲାଗିଛି। ‘ସମତଳ ପୃଥିବୀ’ର ମର୍ମ ହେଲା ଆଜିର ପୃଥିବୀରେ ଦେଶ ଦେଶ ମଧ୍ୟରେ ଥିବା ଭୌଗୋଳିକ ଓ ଐତିହାସିକ ଭିନ୍ନତାମାନ ନିଶ୍ଚିହ୍ନ ହେବାକୁ ଲାଗିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଯଦିବା ଏକ ଅର୍ଥନୈତିକ ପରିପ୍ରେକ୍ଷୀରେ ଫ୍ରିଡ୍ମ୍ୟାନ୍ ଏହି ସମତଳ ପୃଥିବୀ ଧାରଣା ପରିବେଷଣ କରିଥିଲେ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଝଡ଼କୁ ଦେଖିଲେ କୌଣସି ସନ୍ଦେହ ରହେ ନାହିଁ ଯେ ରାଜନୈତିକ ପୃଥିବୀ ମଧ୍ୟ ବେଶ୍ ସମତଳ ହେବାକୁ ଆରମ୍ଭ କଲାଣି। ଏହାର ଏକ ସଦ୍ୟତମ ରୋଚକ ଉଦାହରଣ ସ୍ବରୂପ ଖବର ପ୍ରକାଶ ପାଇଛି ଯେ ରିଜର୍ଭ ବ୍ୟାଙ୍କ୍ ବୋର୍ଡରେ ଏକ ଐତିହାସିକ ବ୍ୟତିକ୍ରମ ଭଳି ସ୍ଥାନ ପାଇଥିବା କେନ୍ଦ୍ର ସରକାରଙ୍କର ରାଜନୈତିକ ପ୍ରତିନିଧି ତଥା ‘ସ୍ବଦେଶୀ ଜାଗରଣ ମଞ୍ଚ’ର ଅନ୍ୟତମ ପ୍ରମୁଖ ପ୍ରବକ୍ତା ଏସ୍ ଗୁରୁମୂର୍ତ୍ତି ରିଜର୍ଭ ବ୍ୟାଙ୍କ୍ର ଅନ୍ୟତମ ଡେପୁଟି ଗଭର୍ନର୍ ବିରଳ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଏକ ଅଭିଯୋଗ ପତ୍ର ଗଭର୍ନର୍ ଉର୍ଜିତ୍ ପଟେଲଙ୍କ ନିକଟକୁ ପଠାଇଛନ୍ତି।
ଗୁରୁମୂର୍ତ୍ତିଙ୍କ ପତ୍ରର ବିଷୟବସ୍ତୁ ପ୍ରକାଶ ପାଇ ନଥିଲେ ମଧ୍ୟ, କାହାରିକୁ ଅନୁମାନ କରିବା କଷ୍ଟ ହେବ ନାହିଁ ମୋଟାମୋଟି ଭାବରେ ତାହା କ’ଣ ହୋଇଥିବ। ଗତ ସପ୍ତାହରେ ବିରଳ ଆଚାର୍ଯ୍ୟ ଏକ ଭାଷଣ ଦେବା ଅବସରରେ ରିଜର୍ଭ ବ୍ୟାଙ୍କ୍ ପାଇଁ ଅଧିକ ସ୍ବାଧୀନତା ସପକ୍ଷରେ ଯୁକ୍ତି କରିଥିଲେ। ସ୍ବାଧୀନତା ଅର୍ଥ ସରକାରୀ ହସ୍ତକ୍ଷେପରୁ ମୁକ୍ତି। ଏହା ପର ଠାରୁ ସମ୍ପୃକ୍ତ ମହଲରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ କୁଆ ବସାରେ ଢମଣା ପଶିଲା ଭଳି ବୋଲି ବର୍ଣ୍ଣନା କରାଯାଇପାରେ। ବିରଳ ଆଚାର୍ଯ୍ୟ ପ୍ରକୃତରେ ଗଭର୍ନର୍ ଉର୍ଜିତ୍ ପଟେଲଙ୍କ ମନର କଥା କହୁଛନ୍ତି େବାଲି ଅଭିଯୋଗ କରି ସରକାରୀ ପକ୍ଷ ଗଭର୍ନର ପଟେଲଙ୍କୁ ଏଥିପାଇଁ ବହିଷ୍କାର କରାଯିବା ପାଇଁ ମଧ୍ୟ ଦାବି ଉଠାଇବା ଦେଖାଗଲାଣି। ବିତ୍ତମନ୍ତ୍ରୀ ଅରୁଣ ଜେଟ୍ଲୀ ଏ ସମ୍ବନ୍ଧରେ କିଛି ନ କହିଲେ ମଧ୍ୟ ଏନ୍ପିଏ ସମସ୍ୟା ଭଳି ଅର୍ଥନୈତିକ ସଂକଟ ମୁକାବିଲାରେ ରିଜର୍ଭ ବ୍ୟାଙ୍କ୍ର ତଥାକଥିତ ଅପାରଗତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସରକାରଙ୍କ ଅସନ୍ତୋଷର ମୁଖ୍ୟ କାରଣ ହେଲା ସରକାର ଚାହୁଁଥିବା ଭଳି ଦେଶରେ ଋଣ ଯୋଗାଣରେ ବୃଦ୍ଧି ଘଟାଇବା ପାଇଁ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ଆବଶ୍ୟକ ହ୍ରାସ ଘଟାଇବାକୁ କୁଣ୍ଠା ପ୍ରକାଶ କରିଚାଲିଛି। ତା’ଛଡ଼ା, ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ପ୍ରତି ଏନ୍ପିଏ ନିୟମକୁ ରିଜର୍ଭ ବ୍ୟାଙ୍କ୍ କଡ଼ାକଡ଼ି କରିବାରୁ ସେମାନେ ସରକାର ଚାହୁଁଥିବା ଭଳି ଅଧିକ ଋଣ ପ୍ରଦାନ କରିପାରୁ ନାହାନ୍ତି। ପ୍ରାକ୍ ନିର୍ବାଚନୀ ସମୟରେ ଏଥିଯୋଗୁଁ ନିବେଶ, ଆୟ, ନିଯୁକ୍ତି ଆଦି ଆଶାନୁରୂପ ଭାବରେ ବୃଦ୍ଧି ନପାଇଲେ ତାହା କ୍ଷମତାସୀନ ଦଳ ପାଇଁ ଶୁଭଙ୍କର ହେବ ନାହିଁ। ଏଣୁ ରିଜର୍ଭ ବ୍ୟାଙ୍କ୍ ପ୍ରତି ସରକାରଙ୍କ ବିରକ୍ତି ଭାବ ବୁଝିବା କଷ୍ଟକର ନୁହେଁ, ଏବଂ ରିଜର୍ଭ ବ୍ୟାଙ୍କ୍କୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସରକାରଙ୍କର ଉଦ୍ୟମ ବୁଝିବା କଷ୍ଟକର ନୁହେଁ।
ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କ୍ (ରିଜର୍ଭ ବ୍ୟାଙ୍କ୍) ଓ ସରକାରଙ୍କ ମଧ୍ୟରେ ଦେଖା ଦେଇଥିବା ଏହି ଟଣାଭିଡ଼ା ଯେ ଫ୍ରିଡ୍ମ୍ୟାନ୍ଙ୍କ ସମତଳ ପୃଥିବୀରେ ଘଟୁଥିବା ଏକ ନିୟମିତ ଘଟଣା ମାତ୍ର, ତାହାର ଏକ ପ୍ରମାଣ ଦେଖିବାକୁ ମିଳିଥିଲା ପ୍ରାୟ ତିନି ସପ୍ତାହ ତଳେ ଫ୍ରିଡ୍ମ୍ୟାନ୍ଙ୍କ ନିଜ ଦେଶ ଆମେରିକାରେ। ସେଠାରେ ଅକ୍ଟୋବର ୧୦ ତାରିଖରେ ଅରଣା ଷଣ୍ଢ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ ଆମ ରିଜର୍ଭ ବ୍ୟାଙ୍କ୍ ଭଳି ଏକ ଚିପା ମୁଦ୍ରାନୀତି ଅନୁସରଣ କରି ସୁଧ ହାରରେ ବୃଦ୍ଧି ଘଟାଉଥିବାରୁ ଏହି ସଂସ୍ଥା ପାଗଳ (କ୍ରେଜି) ହୋଇଗଲାଣି ବୋଲି ଭର୍ତ୍ସନା କରି ଠିକ୍ ସେହିପରି ଏକ ହଇଚଇ ସୃଷ୍ଟି କରିଥିଲେ, ଯେମିତି ବର୍ତ୍ତମାନ ଆମ ଏଠାରେ ଦେଖାଦେଇଛି।
ଏକ ସମତଳ ପୃଥିବୀରେ କୌଣସି ଦେଶର ସରକାର ଓ ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ମଧ୍ୟରେ ଦେଖାଦେଇଥିବା ଏ ଭଳି କନ୍ଦଳ ମୂଳରେ ଯାହା ରହିଛି, ତାହା ହେଲା କେନ୍ଦ୍ରୀୟ ବ୍ୟାଙ୍କ୍ କାର୍ଯ୍ୟ କରିବା ପାଇଁ କେତେ ସ୍ବାଧୀନତା ପାଇବା ଉଚିତ। ଯଦି ବା ଏହା ଏକ ଦୀର୍ଘକାଳୀନ ଧାରଣା ଭଳି ମନେ ହୋଇଥାଏ, ପ୍ରକୃତରେ ଏପରି ସ୍ବାଧୀନତା ସପକ୍ଷରେ ଶାସ୍ତ୍ରୀୟ ଯୁକ୍ତିର ଆରମ୍ଭ ଘଟିଥିଲା ମାତ୍ର ୧୯୭୦ ଦଶକର ଶେଷ ଓ ୧୯୮୦ ଦଶକର ଆରମ୍ଭ ସମୟରେ। ଏହି ଯୁକ୍ତିର ଅନ୍ୟତମ ମୁଖ୍ୟ ପ୍ରବକ୍ତା ଥିଲେ ପରେ ଅର୍ଥଶାସ୍ତ୍ରରେ ନୋବେଲ୍ ପ୍ରାଇଜ୍ ପାଇଥିବା ଅର୍ଥନୀତିଜ୍ଞ ଦ୍ବୟ ଫିନ୍ କିଡ୍ଲ୍ୟାଣ୍ଡ୍ ଏବଂ ଏଡ୍ୱାର୍ଡ ପ୍ରେସ୍କଟ୍। ସରଳ ଭାବରେ କହିଲେ ସେମାନଙ୍କ ମତରେ ସରକାରଙ୍କ ହାତରେ ଯଦି ଅର୍ଥ ବ୍ୟବସ୍ଥାର ନିୟନ୍ତ୍ରଣ ସମର୍ପିତ ହୁଏ ତେବେ ସରକାର ଆପଣା ସ୍ବଳ୍ପକାଳୀନ ସ୍ବାର୍ଥ ସାଧନ ପାଇଁ ସର୍ବଦା ଏକ ହୁଗୁଳା ମୁଦ୍ରା ଓ ଋଣ ନୀତି ଅବଲମ୍ବନ କରିବେ। ଏହା ସାମୟିକ ଭାବରେ ଦେଶରେ ନିବେଶ, ନିଯୁକ୍ତି, ଆୟ ଆଦିରେ ବୃଦ୍ଧି ଘଟାଇଲେ ହେଁ, ଅବିଳମ୍ବେ ମୁଦ୍ରାସ୍ଫୀତିକୁ ଜନ୍ମ ଦେବ। ମୂଳରୁ ମୁଦ୍ରାସ୍ଫୀତିକୁ ନ ଅଟକାଇଲେ ତାହା ଏକ ରାକ୍ଷସରେ ପରିଣତ ହେବ, ଯାହା ଅର୍ଥନୀତିକୁ ଛାରଖାର କରିବ। ଏଣୁ ମୁଦ୍ରାସ୍ଫୀତି ଘଟାଇ ନ ଦେବା ପାଇଁ ଅର୍ଥ ବ୍ୟବସ୍ଥାକୁ ଏକ ସ୍ବାଧୀନ ସଂସ୍ଥା ଦାୟିତ୍ବରେ ରଖାଯିବା ଉଚିତ, ଯାହା ହେଉଛି କେନ୍ଦ୍ରୀୟ ବ୍ୟାଙ୍କ୍।
ଭାରତରେ ରିଜର୍ଭ ବ୍ୟାଙ୍କ୍ ଓ ସରକାରଙ୍କ ମଧ୍ୟରେ ଦେଖାଦେଇଥିବା କନ୍ଦଳର ଟିକିନିଖି ବିବରଣୀ ଯାହା ହୋଇଥାଉ ନା କାହିଁକି, ମୁଦ୍ରାସ୍ଫୀତିକୁ ଅଟକାଇବାକୁ ରିଜର୍ଭ ବ୍ୟାଙ୍କ୍ ଦେଉଥିବା ପ୍ରାଧାନ୍ୟ ହିଁ ହେଉଛି ଏହାର ମୂଳ। ଠିକ୍ ଆମେରିକାରେ ଘଟିଥିବା ଭଳି। ଲକ୍ଷ୍ୟ କରିବା କଥା ଭାରତରେ ପର ପର କ୍ଷମତାକୁ ଆସିଥିବା ପ୍ରାୟ ସମସ୍ତ ସରକାର ରିଜର୍ଭ ବ୍ୟାଙ୍କ୍ର ସ୍ବାଧୀନତା ଅକ୍ଷୁଣ୍ଣ ରଖି ଆସିଛନ୍ତି। ଅର୍ଥବ୍ୟବସ୍ଥା ରିଜର୍ଭ ବ୍ୟାଙ୍କ୍ର ନିୟନ୍ତ୍ରଣରେ ଥିବା ବେଳେ ରାଜକୋଷର ଆୟ-ବ୍ୟୟ ପରିଚାଳନା କିନ୍ତୁ ସର୍ବଦା ସରକାରଙ୍କ ନିୟନ୍ତ୍ରଣରେ ରହିଆସିଛି। ରାଜକୋଷୀୟ ନିଅଣ୍ଟକୁ ସୀମା ମଧ୍ୟରେ ରଖି ମୁଦ୍ରାସ୍ଫୀତିକୁ କାବୁ ମଧ୍ୟରେ ରଖିବା ପାଇଁ ବର୍ତ୍ତମାନର ମୋଦୀ ସରକାର ସର୍ବଦା ପ୍ରଶଂସନୀୟ ଆତ୍ମସଂଯମ ପ୍ରଦର୍ଶନ କରିଆସିଛି। ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ୍ର ମିଳିତ ଉଦ୍ୟମରେ ଦେଶରେ ବର୍ତ୍ତମାନ ମୁଦ୍ରାସ୍ଫୀତି ବେଶ୍ ନୀଚା ରହିଛି। ଏପରି ସମୟରେ ରିଜର୍ଭ ବ୍ୟାଙ୍କ୍ ସହିତ ଅଯଥା ଝଗଡ଼ାରେ ନ ମାତି ସରକାର ପରସ୍ପରର ସ୍ବାଧୀନତାକୁ ସମ୍ମାନ ଦେବା ସହିତ ସହଯୋଗ ଭିତ୍ତିରେ ଆଗେଇବା ଉଚିତ, ଯେପରି ଏ ପର୍ଯ୍ୟନ୍ତ କରି ଆସିଛନ୍ତି।