କ˚ଗ୍ରେସ ବିରୋଧୀ ଭାବନାରୁ ଜନ୍ମ ନେଇଥିଲା ଦକ୍ଷିଣର ଅନ୍ୟତମ ପ୍ରମୁଖ ଆଞ୍ଚଳିକ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)। ଏହାର ପ୍ରତିଷ୍ଠାତା ତେଲୁଗୁ ଫିଲ୍ମର କି˚ବଦନ୍ତି ପୁରୁଷ ଏନ୍.ଟି. ରାମାରାଓଙ୍କ ବିପୁଳ ଲୋକପ୍ରିୟତା ବଳରେ ଗଠନର ମାତ୍ର ନଅ ମାସ ମଧୢରେ ଦଳ ଅଭୂତପୂର୍ବ ନିର୍ବାଚନୀ ସଫଳତା ସହ ଆନ୍ଧ୍ରପ୍ରଦେଶରେ ପ୍ରଥମ ଅଣ-କ˚ଗ୍ରେସ ସରକାର ପ୍ରତିଷ୍ଠା କରିଥିଲା। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ କ˚ଗ୍ରେସ ସପକ୍ଷରେ ଅନୁକମ୍ପା ହାଵାର ଝଡ଼ରେ ଅନ୍ୟ ପ୍ରାୟ ସବୁ ବିରୋଧୀ ରାଜନୈତିକ ଦଳ ଧରାଶାୟୀ ହୋଇଥିଲେ। କିନ୍ତୁ ତେଲୁଗୁଦେଶମ୍ ଆନ୍ଧ୍ରରେ ଅଣ-କ˚ଗ୍ରେସ ଶକ୍ତିର ଧ୍ବଜା ଉଡ଼ାଇ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଲୋକସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା। ସମୟକ୍ରମେ ତେଲୁଗୁ ଅସ୍ମିତାର ପତାକା ଧରିଥିବା ଏହି ଦଳର ଭୂମିକା କେବଳ ଆନ୍ଧ୍ରର ଶାସକ କିମ୍ବା ବିରୋଧୀ ଦଳରେ ସୀମିତ ରହିନାହିଁ। ବିଗତ ତିନି ଦଶକର ଭାରତୀୟ ରାଜନୀତିରେ ଜାତୀୟ ସ୍ତରରେ ଏକ ପ୍ରମୁଖ କ˚ଗ୍ରେସ-ବିରୋଧୀ ଶକ୍ତି ଭାବେ ତେଲୁଗୁ ଦେଶମ୍ ପ୍ରଭାବଶାଳୀ ଭୂମିକା ଗ୍ରହଣ କରି ଆସିଛି। ବାଜପେୟୀଙ୍କ ଏନ୍ଡିଏ-୧ ସମୟରେ ତେଲୁଗୁଦେଶମ୍ର ନିର୍ଣ୍ଣାୟକ ଭୂମିକା ଏହାର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ‘କିଙ୍ଗ୍ ମେକର୍’ର ଖ୍ୟାତି ଦେଇଥିଲା। ୨୦୧୪ର ମୋଦୀଙ୍କ ଏନ୍ଡିଏ-୨ରେ ମଧୢ ତେଲୁଗୁଦେଶମ୍ ଥିଲା ଏକ ପ୍ରମୁଖ ଅ˚ଶୀଦାର।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ପରିସ୍ଥିତି ବଦଳିବା ସହ ରାଜନୀତିରେ ସ˚ପର୍କ ଓ ସମୀକରଣ ମଧୢ ବଦଳିଯାଏ। କୁହାଯାଏ, ରାଜନୀତିରେ କେହି ସ୍ଥାୟୀ ଶତ୍ରୁ କିମ୍ବା ସ୍ଥାୟୀ ମିତ୍ର ନୁହନ୍ତି। ଏହି ଆପ୍ତ ବାକ୍ୟର ଆଉ ଏକ ଉଦାହରଣ ସଦ୍ୟ ଦେଖିବାକୁ ମିଳିଛି। ଅତୀତର ତିକ୍ତତାକୁ କବର ଦେଇ ଏକଦା କ˚ଗ୍ରେସ ବିରୋଧୀ ମେଣ୍ଟର ପ୍ରମୁଖ ଶକ୍ତି ତେଲୁଗୁଦେଶମ୍ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କ˚ଗ୍ରେସ ସହ ହାତ ମିଳାଇଛି। ଗଣତନ୍ତ୍ର ସୁରକ୍ଷାର ରାଣଖାଇ କ˚ଗ୍ରେସ ଅଧୢକ୍ଷ ରାହୁଲ ଗାନ୍ଧୀ ଓ ତେଲୁଗୁଦେଶମ୍ ସୁପ୍ରିମୋ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କେବଳ ଊଣେଇଶ ଲଢେ଼ଇ ପାଇଁ ପରସ୍ପର ସହ ମେଣ୍ଟ ଘୋଷଣା କରି ନାହାନ୍ତି, ବିଜେପି ବିରୋଧରେ ଜାତୀୟ ସ୍ତରରେ ଏକ ବୃହତ୍ ମିଳିତ ବିରୋଧୀ ମେଣ୍ଟ ଗଠନର ଲକ୍ଷ୍ୟ ହାସଲ ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମଧୢ ଘୋଷଣା କରିଛନ୍ତିି। ମାତ୍ର ଅଳ୍ପ ମାସ ତଳେ ଏନ୍ଡିଏ ମେଣ୍ଟ ଛାଡ଼ିଥିବା ଗୋଟିଏ ପ୍ରମୁଖ ଅଣ-କ˚ଗ୍ରେସ ଶକ୍ତି କ˚ଗ୍ରେସର ସହଯୋଗୀ ହେବା ନିଶ୍ଚିତଭାବେ ଜାତୀୟ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା। ବିଶେଷକରି ବିରୋଧୀ ଏକତା ପ୍ରକ୍ରିୟାକୁ ଏହା ଏକ ନୂଆ ମୋଡ଼ ଦେବାର ସମ୍ଭାବନା ମଧୢ ରଖୁଛି।
ତେବେ, ବିରୋଧୀ ଏକତା ପ୍ରସଙ୍ଗରେ ସା˚ପ୍ରତିକ ଅନିଶ୍ଚିତତା ଲାଗି ରହିଥିବା ବେଳେ ପ୍ରଶ୍ନ ଉଠୁଛି, ସକଳ ସମ୍ଭାବନା ସତ୍ତ୍ବେ, ଟିିଡିପି- କ˚ଗ୍ରେସ ମିତ୍ରତା କ’ଣ ବିରୋଧୀ ଏକତା ଲକ୍ଷ୍ୟ ହାସଲ ପାଇଁ ନିର୍ଣ୍ଣାୟକ ହେବ? ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏହି ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧୢରେ ବୁଝାମଣା ବିରୋଧୀ ଏକତା ପ୍ରସଙ୍ଗରେ ଏକ ସକାରାତ୍ମକ ସ˚କେତ। କିନ୍ତୁ ଲକ୍ଷ୍ୟ ଏବେ ବି ବହୁ ଦୂରରେ। ବିରୋଧୀ ଏକତା ପ୍ରକ୍ରିୟାରେ ସଫଳତା ପାଇଁ ଆହୁରି କସରତ ଆବଶ୍ୟକ। ଅବଶ୍ୟ, ବିରୋଧୀ ମେଳି ପାଇଁ କ୍ଷୁଦ୍ର ଓ ଆଞ୍ଚଳିକ ଦଳଙ୍କ ମନ ଜିଣିବା ଲାଗି ତଥାପି ସ˚ଘର୍ଷରତ ପ୍ରମୁଖ ଜାତୀୟ ଦଳ କ˚ଗ୍ରେସ ପାଇଁ ଏଥିରେ ଉତ୍ସାହିତ ହେବାର ଏକାଧିକ କାରଣ ରହିଛି। ପ୍ରଥମ, ଏକଦା କ˚ଗ୍ରେସ-ବିରୋଧୀ ମେଣ୍ଟର ଏ ପ୍ରମୁଖ ଶକ୍ତିର ସମର୍ଥନ ଏକ ବଡ଼ ଉପଲବ୍ଧ, ଯାହା ସର୍ବପୁରାତନ ଦଳର ନୈତିକ ମନୋବଳକୁ ଦୃଢ଼ କରିବ। ଦ୍ବିତୀୟ, ଟିଡ଼ିପିର ପକ୍ଷ ପରିବର୍ତ୍ତନ ଉଭୟ କ˚ଗ୍ରେସ ଓ ବିଜେପିକୁ ବାଦ୍ ଦେଇ ତୃତୀୟ ସାମ୍ମୁଖ୍ୟ ଗଠନର ପ୍ରୟାସ ତରଳି ଯାଇଥିବାର ସ୍ପଷ୍ଟ ସ˚କେତ। ନାଇଡୁ ଗୋଟିଏ ସମୟରେ ମୁଖ୍ୟତଃ ଆଞ୍ଚଳିକ ଦଳ ମାନଙ୍କୁ ନେଇ ତୃତୀୟ ସାମ୍ମୁଖ୍ୟ ଗଠନ ଉଦ୍ୟମର ଅଗ୍ରଣୀ ସୂତ୍ରଧର ଥିଲେ। ପରବର୍ତ୍ତୀ ସମୟରେ ତୃଣମୂଳ କ˚ଗ୍ରେସର ସର୍ବମୟ କର୍ତ୍ରୀ ମମତା ବାନାର୍ଜୀ ଏବ˚ ଟିଆର୍ଏସ୍ର ଚନ୍ଦ୍ରଶେଖର ରାଓ ‘ଫେଡେ଼ରାଲ୍ ଫ୍ରଣ୍ଟ୍’ ଲାଗି ଉଦ୍ୟମ କରିଥିଲେ। କିନ୍ତୁ ଅନେକ ଆଞ୍ଚଳିକ ଦଳଙ୍କ ଶୀତଳ ଆଭିମୁଖ୍ୟ ଯୋଗୁ ତାହା ଭୂଇଁରୁ ଉଠି ପାରି ନଥିଲା। ଏବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ବର୍ତ୍ତମାନ ପରିସ୍ଥିତିରେ ଜାତୀୟ ରାଜନୀତିରେ ତୃତୀୟ ସାମ୍ମୁଖ୍ୟ ପାଇଁ ଆଉ ସ୍ଥାନ ନାହିଁ। ବିଜେପି ବିରୋଧରେ ବିକଳ୍ପ ମେଣ୍ଟ କରିବାକୁ ହେଲେ କ˚ଗ୍ରେସକୁ ହିଁ କେନ୍ଦ୍ରରେ ରଖିବାକୁ ହେବ। ବିଜେପିର ପ୍ରତିରୋଧ କରିବାକୁ ଚାହୁଁଥିବା ଆଞ୍ଚଳିକ ଦଳଙ୍କ ପାଇଁ କ˚ଗ୍ରେସ ସହ ମିତ୍ରତା ଏକ ବାଧୢବାଧକତା। ଅନ୍ୟପକ୍ଷରେ କ˚ଗ୍ରେସ ପକ୍ଷରେ ବିଜେପିର ପ୍ରଭାବଶାଳୀ ମୁକାବିଲା ସକାଶେ ଅଣ- ଏନ୍ଡିଏ ଆଞ୍ଚଳିକ ଦଳଙ୍କ ସହ ସାଲିସ ମଧୢ ଏକ ବାଧୢବାଧକତା। ତେବେ, କ˚ଗ୍ରେସ ପାଇଁ ଦ୍ବନ୍ଦ୍ବ ହେଲା ସାଲିସର ସୀମା କେତେ? ନିଜ ସ୍ବାର୍ଥ, ସମ୍ମାନକୁ ସାଲିସ କରି କ୍ଷୁଦ୍ର ଆଞ୍ଚଳିକ ସହଯୋଗୀଙ୍କୁ କେତେ ସ୍ଥାନ ଛାଡ଼ି ପାରିବ? ପୁଣି କେତେ ସ୍ଥାନ ପାଇଲେ ଏହି ସମ୍ଭାବ୍ୟ ଉଚ୍ଚାଭିଳାଷୀ ସହଯୋଗୀମାନେ ସନ୍ତୁଷ୍ଟ ହେବେ?
ଏହି ପ୍ରଶ୍ନଗୁଡ଼ିକ ମଧୢରେ ଛନ୍ଦି ହୋଇଥିବା କ˚ଗ୍ରେସର ଦ୍ବନ୍ଦ୍ବ ହିଁ ବିଜେପି- ବିରୋଧୀ ମେଣ୍ଟ ଲକ୍ଷ୍ୟ ହାସଲ ଦିଗରେ ପ୍ରଧାନ ସମସ୍ୟା। କ୍ଷୁଦ୍ର ଆଞ୍ଚଳିକ ଦଳଙ୍କ ଦାବିର ବୋଝ ଏତେ ଯେ ତାକୁ ଉଠାଇବା କ˚ଗ୍ରେସ ନେତୃତ୍ବ ପକ୍ଷରେ ସହଜ ହେଉ ନାହିଁ। କର୍ଣ୍ଣାଟକରେ ଅବସ୍ଥା ଚକ୍ରରେ ଖାସ୍ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି କନିଷ୍ଠ ଆଞ୍ଚଳିକ ଦଳ ଜେଡି(ଏସ୍)ର ପ୍ରାଧାନ୍ୟକୁ କ˚ଗ୍ରେସକୁ ସ୍ବୀକାର କରିବାକୁ ପଡ଼ିଲା। ସବୁ ସ୍ଥାନରେ କ˚ଗ୍ରେସ ପାଇଁ କିନ୍ତୁ କନିଷ୍ଠ ସହଯୋଗୀ ହେବା ଆତ୍ମଘାତୀ ହୋଇପାରେ। ସବୁ କ୍ଷୁଦ୍ର ଓ ଆଞ୍ଚଳିକ ଦଳ କ˚ଗ୍ରେସର ଦୁର୍ବଳତାରୁ ଫାଇଦା ଉଠାଇ ଅଧିକରୁ ଅଧିକ ଦାବି କରୁଛନ୍ତି। ଊଣେଇଶ ଲଢେ଼ଇ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧୢ ବିରୋଧୀ ଶିବିରରେ ମୂଲଚାଲରେ ଏହି ଅବସ୍ଥା ଦେଖା ଦେଉଛି; ଯାହା ବିରୋଧୀ ଏକତାକୁ ପ୍ରଭାବିତ କରିପାରେ। ତିନି ବିଜେପି ଶାସିତ ରାଜ୍ୟ ମଧୢପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିରୋଧୀ ଏକତା ଉଦ୍ୟମ ଫସର ଫାଟି ଯାଇଛି। ଏହି ତିନି ରାଜ୍ୟରେ ଶାସକ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କ˚ଗ୍ରେସ ହେଲେ ସୁଦ୍ଧା ମାୟାବତୀଙ୍କ ବହୁଜନ ସମାଜ ପାର୍ଟିର ଉପସ୍ଥିତିକୁ ଅସ୍ବୀକାର କରାଯାଇ ପାରିବ ନାହିଁ। କ˚ଗ୍ରେସ- ବିଏସ୍ପି ମେଣ୍ଟ ହୋଇଥିଲେ ବିଜେପି ପାଇଁ ମୁକାବିଲା ନିଶ୍ଚୟ ଅଧିକ କଡ଼ା ହୋଇଥାନ୍ତା। କିନ୍ତୁ ଶକ୍ତି ଅନୁପାତରେ ଅଧିକ ଆସନ ପାଇଁ ବିଏସ୍ପିର ଦାବିକୁ କ˚ଗ୍ରେସ ଗ୍ରହଣ କରିପାରି ନାହିଁ। ଫଳରେ, ରାଜସ୍ଥାନ ଓ ମଧୢପ୍ରଦେଶରେ ବିରୋଧୀ ଶିବିରରେ ଏହି ଦୁଇ ଶକ୍ତି ପୃଥକ ଭାବେ ଏକାକୀ ଲଢ଼ୁଥିବା ବେଳେ ଛତିଶଗଡ଼ରେ ପୂର୍ବତନ କ˚ଗ୍ରେସ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସହ ବିଏସ୍ିପି ମେଣ୍ଟ କରିଛି। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧୢ ଏହି ତିନିଟି ରାଜ୍ୟର କେତେକ ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରିଛି। ଏହା ବିଧାନସଭା ନିର୍ବାଚନରେ ବିଜେପି ବିରୋଧୀ ଭୋଟର ବିଭାଜନ ଲାଗି ଅବକାଶ ସୃଷ୍ଟି କରି ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କ˚ଗ୍ରେସର ସମ୍ଭାବନାକୁ ପ୍ରଭାବିତ କରୁଛି। ଲୋକସଭା ନିର୍ବାଚନରେ ମଧୢ ବିରୋଧୀ ଶିବିରରେ ଏକତା ଉଦ୍ୟମ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ, ଯାହା ସ୍ବାଭାବିକ ଭାବେ ବିଜେପିକୁ ସୁହାଇବ।
ତେଣୁ, ଫାରୁକ୍ ଅବଦୁଲ୍ଲା, ଶରଦ ପାଵାର ଆଦି ବିରୋଧୀ ଶିବିରର ଅନ୍ୟ ପ୍ରମୁଖ ନେତାଙ୍କ ଗହଣରେ ରାହୁଲ ଓ ଚନ୍ଦ୍ରବାବୁ ପରସ୍ପର ସହ ହାତ ମିଳାଇବା ପ୍ରମୁଖତାର ସହ ଶିରୋନାମାରେ ସ୍ଥାନ ପାଇବା ଲାଗି ଯୋଗ୍ୟତା ରଖିପାରୋ କିନ୍ତୁ ବିରୋଧୀ ଏକତା ସମ୍ଭାବନାକୁ ଏହା ବିଶେଷ ଉଜ୍ଜ୍ବଳ କଲାଭଳି ମନେ ହେଉନାହିଁ। କର୍ଣ୍ଣାଟକରେ କୁମାରସ୍ବାମୀଙ୍କ ନେତୃତ୍ବରେ କ˚ଗ୍ରେସ ଜେଡି(ଏସ୍) ସରକାର ଗଠନ ଅବସରରେ ମିଳିତ ଶକ୍ତି ପ୍ରଦର୍ଶନ ସହ ଆରମ୍ଭ ହୋଇଥିଲା ବିରୋଧୀ ଏକତାର ପ୍ରକ୍ରିୟା। କିନ୍ତୁ ଗତ କିଛି ମାସର ଘଟଣାକ୍ରମ ଯୋଗୁ ସାଧାରଣ ଜନତାଙ୍କ ମଧୢରେ ଗୋଟିଏ ଧାରଣା ଦାନା ବାନ୍ଧିବାରେ ଲାଗିଛି ଯେ, କଳହରତ ବିରୋଧୀ ଏକାଠି ହୋଇ ପାରିବେ ନାହିଁ। ବିଶ୍ବାସ ହେଉନାହିଁ ଯେ, ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର ଏକ ସମ୍ପୂର୍ଣ୍ଣ ଚେହେରା ସାମ୍ନାକୁ ଆସିବ। ତଥାପି ଭାରତୀୟ ମତଦାତାଙ୍କ ଏ ନିରାଶବାଦୀ ଧାରଣା ବଦଳିପାରେ, ଯଦି ଅଧିକ ବିଳମ୍ବ ହେବା ପୂର୍ବରୁ ବିରୋଧୀ ଶିବିରର ନେତା ଗଣ ନିଜ ଅହଙ୍କାରକୁ ଗୌଣ କରି ବିରୋଧୀ ଏକତାକୁ ମୁଖ୍ୟ କରିବେ। ନେତୃତ୍ବ ପ୍ରସଙ୍ଗରେ ନ ହେଲା ନାହିଁ, ଅନ୍ତତଃ ସର୍ବନିମ୍ନ ସାଧାରଣ ମିଳିତ ରାଜନୈତିକ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଏକମତ ହେବେ।