‘ମି ଠୁ’ର ବାର୍ତ୍ତା

0 491

ଅନ୍ୟଥା ରକ୍ଷଣଶୀଳ ଭାରତୀୟ ସମାଜରେ ନାରୀ ଜାଗରଣର ଏକ ନୂଆ ଚିତ୍ର ଉପସ୍ଥାପନ କରୁଥିବା ‘ମି ଠୁ’ ଅଭିଯାନ କ୍ରମଶଃ ବ୍ୟାପକ ହେବାରେ ଲାଗିଛି। ପ୍ରତ୍ୟେକ ଦିନ କେହି ନା କେହି ମହିଳା ତାଙ୍କ ପ୍ରତି ଯୌନ ଶୋଷଣ ହୋଇଥିବାର ଅଭିଯୋଗ କରି ସମାଜର କୌଣସି ପ୍ରଭାବଶାଳୀ ପୁରୁଷଙ୍କ ଆଡ଼କୁ ଅଭିଯୁକ୍ତ ଭାବେ ଅଙ୍ଗୁଳି ଦେଖାଉଛନ୍ତି। ଅଭିଯୁକ୍ତ ପୁରୁଷ ମାନେ ଯେମିତି କଳା, ଶିଳ୍ପ, ଶିକ୍ଷା, ସାହିତ୍ୟ, ସାମ୍ବାଦିକତା ଆଦି କ୍ଷେତ୍ରରେ ପରିଚିତ, ସମ୍ମାନିତ ବ୍ୟକ୍ତି, ସେମିତି ଅଭିଯୋଗକାରିଣୀ ପୀଡ଼ିତାମାନେ ମଧୢ ନିଜ ନିଜ କ୍ଷେତ୍ରରେ ବେଶ୍‌ ପ୍ରତିଷ୍ଠିତ ଓ ସଫଳ ମହିଳା। ପୀଡ଼ିତାମାନେ ଲୋକଲୋଚନକୁ ଆଣୁଥିବା ଯୌନ ଉତ୍ପୀଡ଼ନର ପ୍ରତିଟି କାହାଣୀ ଅତୀତର। କେଉଁ ଘଟଣା ପନ୍ଦର ବର୍ଷ ତଳର ତ ଆଉ କେଉଁ ଘଟଣା ପଚିଶବର୍ଷ ପୁରୁଣା, ଏପରିକି ତିରିଶରୁ ଅଧିକ ବର୍ଷ ତଳର। ବର୍ଷ ବର୍ଷ ଧରି ଚାପି ରଖିଥିବା ଅତୀତ ଦୁଃସ୍ବପ୍ନର ଯନ୍ତ୍ରଣା, ବ୍ୟଥାକୁ ଉଦ୍‌ଗାରିବା ଲାଗି ପୀଡ଼ିତାଙ୍କ ସକାଶେ ‘ମି ଠୁ’ ଅଭିଯାନ ସୃଷ୍ଟି କରିଛି ଏକ ଅବକାଶ।

ତେବେ, କୌଣସି ପୀଡ଼ିତା ଅତୀତରେ ତାଙ୍କ ପ୍ରତି ହୋଇଥିବା ଶୋଷଣ, ନିର୍ଯାତନାର କାହାଣୀ ବୟାନ କରି ତଥାକଥିତ ‘ଭଦ୍ରଲୋକ’ଙ୍କ ଅସଲ ଚେହେରା ସାମ୍ନାକୁ ଆଣିବା କ୍ଷଣି ପୁରୁଷ ପ୍ରଧାନ ନାରୀ ପ୍ରତି ସଦା ସନ୍ଦେହୀ ସମାଜ ଅନେକ ପ୍ରଶ୍ନ ପଚାରୁଛି। ଏତେ ଦିନ ପର୍ଯ୍ୟନ୍ତ କାହିଁକି ଚୁପ୍‌ ଥିଲ? ଯଦି, ଶୋଷଣର ଶିକାର ହେଲେ, ତେବେ ପୀଡ଼ିତା କାହିଁକି ଆଇନର ଆଶ୍ରୟ ନେଲେ ନାହିଁ? କାହିଁକି ଥାନାକୁ ଯାଇ ପୁଲିସ୍‌ର ଦ୍ବାରସ୍ଥ ହେଲେ ନାହିଁ? କୋର୍ଟରେ କାହିଁକି ମାମଲା କଲେ ନାହିଁ? ଏତେ ବିଳମ୍ବରେ ଅଭିଯୋଗର ଉଦ୍ଦେଶ୍ୟ କ’ଣ? ଏମିତି ପ୍ରଶ୍ନର ବର୍ଷା କରି ଯେଉଁମାନେ ପୀଡ଼ିତାଙ୍କୁ ତାଙ୍କ ଉଦ୍ଦେଶ୍ୟ ନେଇ ଜେରା କରି ଚରିତ୍ରକୁ ସନ୍ଦିଗ୍ଧ ଭାବେ କାଠଗଡ଼ାକୁ ଟାଣୁଛନ୍ତି, ଜାତୀୟ ମହିଳା କମିସନ୍‌ଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ସେମାନଙ୍କ ପାଇଁ ଉତ୍ତର ରହିଛି। ଜାତୀୟ ମହିଳା କମିସନ୍‌ (ଏନ୍‌ସିଡବ୍‌ଲ୍ୟୁ)ଙ୍କ ରିପୋର୍ଟ ଅନୁଯାୟୀ ପ୍ରତି ଦୁଇ ଘଣ୍ଟାରେ ଜଣେ ଅପରାଧ ପୀଡ଼ିତା ମହିଳା ଏତଲା ଦେବାକୁ ଆସି ପୁଲିସ୍‌ ଉଦାସୀନତାର ସାମ୍‌ନା କରନ୍ତି। ଏତଲା ଗ୍ରହଣ ନକରି ତାଙ୍କୁ ଫେରାଇ ଦିଆଯାଏ। ଯୌନ ନିର୍ଯାତନାଠାରୁ ଆରମ୍ଭ କରି ଘରୋଇ ହି˚ସା ପର୍ଯ୍ୟନ୍ତ ବିବିଧ ଅପରାଧର ଅଭିଯୋଗ ନେଇ ଆଇନରୁ ନ୍ୟାୟ ପାଇବା ଆଶାରେ ପ୍ରତିଦିନ ଏମିତି ତେରଜଣ ମହିଳା ପୁଲିସ୍‌ ଉଦାସୀନତା ଓ ନିଷ୍କ୍ରିୟତାର ଶିକାର ହୁଅନ୍ତି। ଗତ ଚାରିବର୍ଷ ଦଶ ମାସ ମଧୢରେ ନାରୀ ବିରୋଧୀ ଅପରାଧ ପ୍ରସଙ୍ଗରେ ଆଇନର ରକ୍ଷକ ପୁଲିସ୍‌ର ଉଦାସୀନତା ଏବ˚ ସମ୍ବେଦନଶୂନ୍ୟତାର ବୟାନ କରୁଥିବା ଏ ପ୍ରକାର ୨୩,୬୬୧ଟି ଅଭିଯୋଗ ଜାତୀୟ ମହିଳା କମିସନଙ୍କ ପାଖରେ ପହଞ୍ଚିଛି। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଯେତେ ସ˚ଖ୍ୟକ ମହିଳାଙ୍କ ଅଭିଯୋଗକୁ ନରଖି ପୁଲିସ୍‌ ଫେରାଇ ଦେଇଛି ବୋଲି କମିସନ୍‌ଙ୍କ ପାଖରେ ତଥ୍ୟ ଅଛି, ତା’ଠାରୁ ବହୁ ଅଧିକ ସ˚ଖ୍ୟାରେ ଅପରାଧର ଶିକାର ମହିଳାଙ୍କ ପାଇଁ ପୁଲିସ୍‌ ନିଷ୍କ୍ରିୟତା କଟା ଘା’ରେ ଚୂନ ବୋଳିଛି।

ଏଥିରେ କେଉଁ ବିଶ୍ବାସ ଓ ଆଶାରେ ନ୍ୟାୟ ପାଇଁ ମହିଳା ଆଇନର ଦ୍ବାରସ୍ଥ ହେବେ? ମହିଳା ବିରୋଧୀ ଅପରାଧ, ବିଶେଷକରି ଯୌନ ଶୋଷଣ ମାମଲାରେ ଆମ ସମାଜର ମାନସିକତା ଏତେ ମାତ୍ରାରେ ନକାରାତ୍ମକ ଯେ, ପ୍ରଥମେ ପୀଡ଼ିତାକୁ ହିଁ ଅଭିଯୁକ୍ତ ଭାବେ କାଠଗଡ଼ାରେ ଠିଆ କରାଯାଏ। ଏହି ମାନସିକତାର ପରିଣତି କେବଳ ପ୍ରତି ଦୁଇ ଘଣ୍ଟାରେ ଜଣେ ଅପରାଧ ପୀଡ଼ିତାଙ୍କ ଏତଲାକୁ ପୁଲିସ୍‌ ଅଗ୍ରାହ୍ୟ କରିବା ନୁହେଁ, ଦୁର୍ବଳ ଅନୁସନ୍ଧାନ ଯୋଗୁ ନିରାଶାଜନକ ଦୋଷୀ ସାବ୍ୟସ୍ତ ହାର ମଧୢ ଏହାର ଦୁଃଖଦ ପରିଣତି। ମହିଳା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୮.୯%। ମହିଳାଙ୍କ ବିରୋଧରେ ଅପରାଧକୁ ଏହା ପ୍ରୋତ୍ସାହନ ନୁହେଁ ତ ଆଉ କ’ଣ? ନିଃସନ୍ଦେହ, ବିଗତ ତିନି ଦଶକ ମଧୢରେ ମହିଳା ଓ ଦଳିତ, ଆଦିବାସୀଙ୍କ ଭଳି ସମାଜର ଅନ୍ୟ ଦୁର୍ବଳ ବର୍ଗଙ୍କ ସୁରକ୍ଷା ଓ କଲ୍ୟାଣ ଉଦ୍ଦେଶ୍ୟରେ ଅନେକ ପ୍ରଗତିଶୀଳ ଓ କଠୋର ଆଇନ ପ୍ରଣୀତ ହୋଇଛି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧୢ ମହିଳା ସୁରକ୍ଷା ପ୍ରସଙ୍ଗରେ ଏକାଧିକ ମାର୍ଗ ନିର୍ଦ୍ଦେଶାବଳୀ ଜାରି ପରିଛନ୍ତି। ଏହା ସତ୍ତ୍ବେ ଯୌନ ଶୋଷଣ ସମେତ ମହିଳା ବିରୋଧୀ ଅପରାଧ ବଢ଼ି ଚାଲିଛି କାହିଁକି? ଆଇନର କାର୍ଯ୍ୟକାରିତା ଦାୟିତ୍ବରେ ଥିବା ଆଇନର ରକ୍ଷକ ପୁଲିସ ଓ ଶାସନ କଳର ଅନ୍ୟ କର୍ତ୍ତୃପକ୍ଷଙ୍କ ପୀଡ଼ିତାଙ୍କ ପ୍ରତି ସମ୍ବେଦନଶୂନ୍ୟ, ଉଦାସୀନ ଚରିତ୍ର ଏହାର ମଞ୍ଜି କାରଣ।

ସମାଜରେ ମହିଳା ବିରୋଧୀ ଅପରାଧ ପ୍ରବଣତା ବୃଦ୍ଧି ପ୍ରସଙ୍ଗରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର‌୍‌ବି) ଦ୍ବାରା ପ୍ରସ୍ତୁତ ୨୦୦୭ ରୁ ୨୦୧୬ ନାରୀ ବିରୋଧୀ ଅପରାଧ ସ˚କ୍ରାନ୍ତ ରିପୋର୍ଟରେ ଥିବା କିଛି ତଥ୍ୟ ଏଠାରେ ଉଲ୍ଲେଖ କରାଯାଇପାରେ। ୨୦୦୭ରେ ପ୍ରତି ଘଣ୍ଟାରେ ୨୧ଟି ମହିଳା ବିରୋଧୀ ଅପରାଧ ପଞ୍ଜିକୃତ ହେଉଥିଲା। ୨୦୧୬ରେ ଏହା ପ୍ରତି ଘଣ୍ଟାରେ ୩୯କୁ ବୃଦ୍ଧି ପାଇଥିଲା। ୨୦୧୨ରେ ପ୍ରତି ଲକ୍ଷେ ଜନସ˚ଖ୍ୟାରେ ମହିଳା ବିରୋଧୀ ଅପରାଧ ହାର ଥିଲା ୪୧.୭; ଯାହା ୨୦୧୬ ବେଳକୁ ୫୫.୨କୁ ବୃଦ୍ଧି ପାଇଥିଲା। ୨୦୦୭ ରୁ ୨୦୧୬ ଦଶ ବର୍ଷ ମଧୢରେ ଦେଶରେ ମହିଳା ବିରୋଧୀ ଅପରାଧ ୮୩% ବୃଦ୍ଧି ପାଇଥିଲା। ଏହି ଧାରା ଏବେ ମଧୢ ଜାରି ରହିଛି। ଭାରତୀୟ ସମାଜରେ ମହିଳା କେତେ ଅସୁରକ୍ଷିତ, ଏନ୍‌ସିଆର‌୍‌ବି ପରିସ˚ଖ୍ୟାନ ତା’ର ଦୁଃଖଦ ଇଙ୍ଗିତ। ଗୋଟିଏ ପଟେ ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇ ଚାଲିଛି। ଅଥଚ, ଅନ୍ୟ ପଟେ ଶହେ ଅଭିଯୁକ୍ତଙ୍କ ମଧୢରେ ମାତ୍ର ୧୯ରୁ ବି କମ୍‌ ଆଇନ ଅନୁଯାୟୀ ଦଣ୍ତିତ ହେଉଛନ୍ତି। ଏଥିରେ ଆଇନ ଯେତେ କଠୋର ହେଲେ ସୁଦ୍ଧା ଅପରାଧର ଶିକାର ପୀଡ଼ିତା ସୁରକ୍ଷା ଓ ନ୍ୟାୟର ଆଶା ରଖିିବେ କେମିତି? କେବଳ ପୁଲିସ୍‌ ତଥା ସାମଗ୍ରିକ ଭାବେ ଶାସନକଳର ଉଦାସୀନତା ନୁହେଁ, ମହିଳାଙ୍କ ପ୍ରତି ଅନ୍ୟାୟ ନେଇ ଭାରତୀୟ ସମାଜର ସାମୂହିକ ସମ୍ବେଦନଶୂନ୍ୟତା ଏ ପ୍ରକାର ଦୁର୍ଭାଗ୍ୟଜନକ ସ୍ଥିତି ପାଇଁ ଦାୟୀ। ଓଡ଼ିଶାରେ କୁନ୍ଦୁଲି ଗଣବଳାତ୍କାର ଘଟଣା ନେଇ ବେଶ୍‌ ତମ୍ବିତୋଫାନ ହେଲା। ପୀଡ଼ିତାଙ୍କୁ ନ୍ୟାୟ ମିଳୁ ବୋଲି ସାମାଜିକ କର୍ମୀଙ୍କ ଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଦାବି କଲେ। ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଲେ। ଅଥଚ, ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିସନଙ୍କ ଆଗରେ ଜଣେ ବି ସାମାଜିକ କର୍ମୀ କିମ୍ବା ରାଜନେତା ନା ହାଜର ହେଲେ ନା ସତ୍ୟପାଠ ଦାଖଲ କଲେ। ପୀଡ଼ିତାଙ୍କୁ ନ୍ୟାୟ ଦେବା ଦିଗରେ ଏହା ହିଁ ସମାଜର ସାମୂହିକ ନିଷ୍ଠା ଓ ଆନ୍ତରିକତା ଉପରେ ସ୍ବତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ନାହିଁ ବୋଲି ଅଭିଯୋଗ କରି ସ୍ଥାନୀୟ ବିଧାୟକ ଇସ୍ତଫା ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ନିଜ ସ୍ତରରେ ସେ କ’ଣ ଉଦ୍ୟମ କରିଥିଲେ? କମିସନଙ୍କ ଆଗରେ ହାଜର ହୋଇ ବ୍ୟକ୍ତିଗତ ଭାବେ ସେ ଜାଣିଥିବା ତଥ୍ୟ ଉପସ୍ଥାପନ କରିବା କ’ଣ ଜନପ୍ରତିନିଧି ଭାବେ ବିଧାୟକଙ୍କ ଦାୟିତ୍ବ ନଥିଲା?

ତେବେ, ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ସବୁଠାରୁ ବଡ଼ ବିଡ଼ମ୍ବନା ହେଲା, ଅଧିକା˚ଶ ଘଟଣାରେ ପରିବାର ଓ ପରିଚିତ ପରିଜନଙ୍କ ସ˚ପୃକ୍ତି। ମହିଳାଙ୍କ ବିରୋଧରେ ଯେତିକି ଅପରାଧ ହୁଏ, ସେଥିରୁ ୩୩ ପ୍ରତିଶତ ହେଲା ପରିବାର, ସମ୍ପର୍କୀୟଙ୍କ ଦ୍ବାରା ନିର୍ଯାତନା। ଯୌନ ଶୋଷଣ ମାମଲାରେ ମଧୢ ୮୦ ପ୍ରତିଶତରୁ ଅଧିକ ଘଟଣାରେ ପରିବାର, ପଡେ଼ାଶୀ, ପରିଚିତ ପରିଜନ ଅଭିଯୁକ୍ତ। ଏହା କେବଳ ମଧୢଯୁଗୀୟ ସ୍ବଭାବ ସୁଲଭ ନାରୀ ବିରୋଧୀ ନକାରାତ୍ମକ ସାମୂହିକ ମାନସିକତାର ପ୍ରତିଫଳନ ନୁହେଁ, ନାରୀ ସୁରକ୍ଷା ପ୍ରତି ସମାଜର ସାମୂହିକ, ଅଙ୍ଗୀକାର କେତେ ଭେଜାଲ, ତା’ର ଦୁଃଖଦ ସୂଚକ। ପରିଚିତ, ପରିଜନଙ୍କ ଗହଣରେ ବି ମହିଳାଙ୍କ ଇଜ୍ଜତ, ସ୍ବାଭିମାନ ଯେ ସୁରକ୍ଷିତ ନୁହେଁ, ତା’ର ସବୁଠାରୁ ବଡ଼ ପ୍ରମାଣ ହେଲା, ‘ମିଠୁ’ ଅଭିଯାନରେ ପଦାକୁ ଆସୁଥିବା ଜଣେ ପରେ ଜଣେ ଭଦ୍ରମୁଖା ପିନ୍ଧା ପୁରୁଷଙ୍କ ପାଶବିକ ପ୍ରବୃତ୍ତିର କାହାଣୀ। ଅଫିସ୍‌, ଅନୁଷ୍ଠାନ ଓ ଅନ୍ୟ କର୍ମସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଶୋଷଣ ମାମଲା ୨୦୧୪ ରୁ ୨୦୧୭ ତିନି ବର୍ଷ ମଧୢରେ ୫୪% ବୃଦ୍ଧି ମଧୢ ପରିଚିତ ପରିଜନଙ୍କ ଭିତରେ ମହିଳାର ସୁରକ୍ଷା ଯେ ନିଶ୍ଚିତ ନୁହେଁ, ତା’ର ପ୍ରାମାଣିକତା ପ୍ରଦାନ କରୁଥିବା ଆଉ ଏକ ତଥ୍ୟ।

‘ମି ଠୁ’ ଅଭିଯାନରେ ପଦାକୁ ଆସୁଥିବା ଅଭିଯୋଗ ନିଶ୍ଚୟ ଆଇନର କଷଟିରେ ଉତ୍ତୀର୍ଣ୍ଣ ହୋଇ ପାରିବ ନାହିଁ। ପ୍ରମାଣ ଅଭାବରୁ ଅଭିଯୋଗ ଆଇନତଃ ସିଦ୍ଧ ସାବ୍ୟସ୍ତ ହେବ ନାହିଁ। କିନ୍ତୁ ସମାଜର ସାମୂହିକ ବିବେକ ଓ ନୈତିକତା ପାଇଁ ଅଭିଯାନ ଗୋଟିଏ ବଡ଼ ବାର୍ତ୍ତା ଦେଉଛି। ବାର୍ତ୍ତା ସ୍ପଷ୍ଟ ଯେ ମଧୢଯୁଗୀୟ ମାନସିକତାରୁ ମୁକୁଳି ସମୟ ଓ ପରିବର୍ତ୍ତନ ସହ ତାଳ ଦେଇ ଏକବି˚ଶ ଶତାବ୍ଦୀର ଭାରତୀୟ ସମାଜକୁ ମହିଳାଙ୍କ ପ୍ରତି ଆଭିମୁଖ୍ୟ ଓ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ। ନାରୀଙ୍କ ସହ ସମ୍ପର୍କରେ ମର୍ଯ୍ୟାଦା ରକ୍ଷା କରି ପୁରୁଷଙ୍କୁ ମହିଳାଙ୍କ ସମ୍ବେଦନଶୀଳତାକୁ ସମ୍ମାନ ଦେବାରେ ଅଭ୍ୟସ୍ତ ହେବାକୁ ପଡ଼ିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.