ବ୍ୟବସ୍ଥା ପ୍ରତି ଆସ୍ଥା ରହୁ

ନିର୍ବାଚନ ସମୟ ଆସିଲେ ଅଯୋଧୢାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ବାତାବରଣ ଉଷୁମ ହୋଇ ଉଠେ। ବିଗତ ତିନି ଦଶକ ହେଲା, ଭାରତୀୟ ରାଜନୀତିରେ ଏହା ଏକ ଧାରା। ଊଣେଇଶ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ରହି ଯାଇଥିବା ବେଳେ ପୁଣି ଏହି ସ୍ପର୍ଶକାତର ପ୍ରସଙ୍ଗ ରାଜନୈତିକ ପରିବେଶରେ ଉଷ୍ମତା ଭରି ଦେଇଛି। ସ˚ଘ ପରିବାରର ମୁଖ୍ୟ ମୋହନ ଭାଗବତ ତାଙ୍କର ‘‘ବିଜୟା ଦଶମୀ’’ ଉଦ୍‌ବୋଧନରୁ ରାମଜନ୍ମଭୂମି- ବାବ୍ରୀ ମସ୍‌ଜିଦ୍‌ ପ୍ରସଙ୍ଗ ଯେ, ଏଥର ମଧୢ ନିର୍ବାଚନ ବେଳେ ରାଜନୈତିକ ମଞ୍ଚର କେନ୍ଦ୍ରକୁ ଫେରିବ ତାର ସ˚କେତ ମିଳି ଯାଇଥିଲା। ଅଯୋଧୢାରେ ଜମି ବିବାଦର ସମାଧାନ ଲାଗି ନିଷ୍ପତ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସକାଶେ କେନ୍ଦ୍ରର ମୋଦୀ ସରକାରକୁ ଭାଗବତ ଆହ୍ବାନ ଦେଇଥିଲେ। ଅଯୋଧୢାର ବିବାଦୀୟ ଜମି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନ ସୁପ୍ରିମ୍‌ କୋର୍ଟରେ ଉଠିବାର ଦଶ ଦିନ ପୂର୍ବରୁ ଭାଗବତ ଏହି ଆହ୍ବାନ ଦେଇଥିଲେ। ମାନ୍ୟବର ସୁପ୍ରିମ୍‌ କୋର୍ଟ ଅକ୍ଟୋବର ୨୯ରେ ଅଯୋଧୢା ଜମି ବିବାଦ ମାମଲାର ଶୁଣାଣିକୁ ଆସନ୍ତା ଜାନୁଆରି ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାର ନିଷ୍ପତ୍ତି ଶୁଣାଇବା ପରେ ପ୍ରତିବାଦାତ୍ମକ ବୟାନବାଜି ଭିତରେ ଏଥିରେ ଆଉ କୌଣସି ସନ୍ଦେହ ରହି ଯାଇ ନଥିଲା ଯେ, ବିକାଶ ନୁହେଁ, ବର˚ ପୁଣି କେନ୍ଦ୍ରରେ କ୍ଷମତାସୀନ ଦଳର ନିର୍ବାଚନ ଅଭିଯାନର ମୁଖ୍ୟ ପ୍ରସଙ୍ଗ ରାମମନ୍ଦିର ହେବ। ହିମାଚଳ ପ୍ରଦେଶର ପାଲାମପୁରଠାରେ ୧୯୮୯ ଜୁନ୍‌ରେ ଅନୁଷ୍ଠିତ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଅଯୋଧୢାରେ ରାମମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହେବା ଦିନଠାରୁ ଏହି କ୍ରମ ଜାରି ରହି ଆସିଛି।

ଏହି କ୍ରମରେ ସଦ୍ୟତମ ଘଟଣା ହେଲା, ରାଜଧାନୀ ନୂଆଦିଲ୍ଲୀଠାରେ ରବିବାର ଉଦ୍‌ଯାପିତ ଅଖିଳ ଭାରତୀୟ ସନ୍ଥ ସମିତିର ଦୁଇ ଦିନିଆ ସମ୍ମିଳନୀ। ୧୨୭ଟି ଧାର୍ମିକସ˚ସ୍ଥା ଓ ସ˚ଗଠନର ସାଧୁ, ସନ୍ଥ ଓ ଧର୍ମଗୁରୁଙ୍କ ସହ ବିଜେପିର ଅନେକ ମନ୍ତ୍ରୀ ଓ ତୁଙ୍ଗ ନେତା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ସମ୍ମିଳନୀରେ ଅଯୋଧୢାରେ ରାମମନ୍ଦିର ନିର୍ମାଣ ଲାଗି କେନ୍ଦ୍ର ସରକାର ଏକ ଅଧୢାଦେଶ ଜାରି କରନ୍ତୁ ବୋଲି ଦାବି କରି ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଛି। ଦାବି ସପକ୍ଷରେ ଦେଶବ୍ୟାପୀ ଆନ୍ଦୋଳନର ଏକ ଖସଡ଼ା ମଧୢ ଘୋଷଣା କରାଯାଇଛି। ନଭେମ୍ବର ୨୫ରେ ନାଗପୁର, ଅଯୋଧୢା ଓ ବେଙ୍ଗାଲୁରୁରେ ବିଶାଳ ସମାବେଶ ପରେ ଡିସେମ୍ବର ୯ରେ ଦିଲ୍ଲୀଠାରେ ଆଉ ଏକ ରାଲିର ଆୟୋଜନ କରାଯିବ। ପରେ ପରେ ଦେଶର ୫୦୦ ଜିଲ୍ଲାରେ ମଧୢ ଅନୂରୂପ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ନିର୍ବାଚନକୁ ଆଖି ଆଗରେ ରଖି ଅଯୋଧୢାରେ ଯଥା ଶୀଘ୍ର ରାମମନ୍ଦିର ନିର୍ମାଣ ନେଇ ସମ୍ମିଳନୀରେ ଉପସ୍ଥିତ ସାଧୁ, ସନ୍ଥ ଓ ରାଜନୈତିକ ନେତୃମଣ୍ତଳୀଙ୍କ ଭିତରେ ବ୍ୟଗ୍ରତା ସ୍ପଷ୍ଟ ବାରି ହେଉଥିଲା। ଅଯୋଧୢାରେ ରାମମନ୍ଦିର ନିର୍ମାଣ ନେଇ ସମ୍ମିଳନୀରେ ବ୍ୟଗ୍ରତା ପ୍ରକାଶ ପାଇବା ଓ ଆଉ ଏକ ପର୍ଯ୍ୟାୟ ଆନ୍ଦୋଳନ ପାଇଁ କାର୍ଯ୍ୟକ୍ରମ ଘୋଷଣାରେ କୌଣସି ନୂତନତ୍ବ କିମ୍ବା ଅସ୍ବାଭାବିକତା ନାହିଁ। ତାଜା କସରତ କେବଳ ପୁରୁଣା ପାଠର ପୁନରାବୃତ୍ତି ସଦୃଶ। କିନ୍ତୁ ଯାହା ନୂଆ, ଅସ୍ବାଭାବିକ ଏବ˚ ଚିନ୍ତାଜନକ ମନେ ହେଉଛି, ତା’ ହେଲା ଦେଶର ନ୍ୟାୟ ବ୍ୟବସ୍ଥା ବିରୋଧରେ ସମ୍ମିଳନୀରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରତିଫଳିତ ନକାରତ୍ମକ ଭାବନା। ଧର୍ମଗୁରୁ ଓ ରାଜନେତାଙ୍କ ଭାଷଣରେ ଖୁନ୍ଦି ହୋଇଥିଲା ନ୍ୟାୟପାଳିକା ପ୍ରତି ଅନାସ୍ଥା ଓ ଅସମ୍ମାନ। କେବଳ ଏକମାତ୍ର ବ୍ୟତିକ୍ରମ ଥିଲେ ଆଧୢାତ୍ମିକ ଗୁରୁ ରବିଶଙ୍କର। କଥାବାତ୍ତା ମାଧୢମରେ ସମସ୍ୟା ସମାଧାନର ବାଟ ଖୋଜିବା ଲାଗି ଶ୍ରୀ ଶ୍ରୀ ମତ ଦେଇଥିଲେ। ଅନ୍ୟ ପ୍ରାୟ ସବୁ ସାଧୁସନ୍ଥ ଓ ରାଜନେତାଙ୍କ ସ୍ବରରେ ନ୍ୟାୟପାଳିକା ପ୍ରତି ଅନାସ୍ଥାର ଭାବ ପ୍ରତିଧ୍ବନିତ ହୋଇଥିଲା। ସ˚କେତ ସ୍ପଷ୍ଟ ଥିଲା ଯେ, ଅଯୋଧୢା ଜମି ବିବାଦ ମାମଲାରେ ଯଦି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଅନୁକୂଳ ନ ହୁଏ, ତେବେ ତାକୁ ସ୍ବୀକାର କରାଯିବ ନାହିଁ। ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଅପେକ୍ଷା ନ କରି କେନ୍ଦ୍ର ସରକାର ସ˚ସଦରେ ବିଧେୟକ ଆଣି ଆଇନ ପ୍ରଣୟନ କରନ୍ତୁ କିମ୍ବା ଅଧୢାଦେଶ ଜାରି କରନ୍ତୁ ବୋଲି ପ୍ରକାଶ ପାଇଥିବା ସହମତି ପ୍ରସ୍ତାବର ରୂପ ନେଇଥିଲା, ଯାହା ଗୃହୀତ ହୋଇଛି। ଅଯୋଧୢା ଜମି ମାମଲାର ଶୁଣାଣିକୁ ଆସନ୍ତା ଜାନୁଆରି ପର୍ଯ୍ୟନ୍ତ ଘୁଞ୍ଚାଇ ଦେବା ପରେ ଜଣେ ଆର‌୍‌ଏସ୍‌ଏସ୍‌ ନେତା ହିନ୍ଦୁଙ୍କ ଭାବାବେଗ ସହ ସୁପ୍ରିମ୍‌ କୋର୍ଟ ଖେଳୁଛନ୍ତି ବୋଲି ଦେଇଥିବା କଟୁ ଟିପ୍ପଣୀ ସମ୍ମିଳନୀରେ ମଧୢ ପ୍ରତିଧ୍ବନିତ ହୋଇଛି।

ଅବଶ୍ୟ, ଯାହା ଅଧିକ ଚିନ୍ତା ଓ ଉଦ୍‌ବେଗର ବିଷୟ, ତା’ହେଲା ସମ୍ମିଳନୀରେ ଯୋଗ ଦେଇଥିବା ଦୁଇଜଣ କେନ୍ଦ୍ରମନ୍ତ୍ରୀ ମଧୢ ନ୍ୟାୟ ବ୍ୟବସ୍ଥା ବିରୋଧୀ ସ୍ବର ସହ ସ୍ବର ମିଳାଇବା। ଅଯୋଧୢା ଜମି ବିବାଦ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ଆଗତ ଆବେଦନ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଅଛି। ଅତି ବେଶୀରେ ଆଉ ଦୁଇ ମାସ ମଧୢରେ ଶୁଣାଣି ହେବ। ଅଥଚ, ଆଇନ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ପି.ପିି. ଚୌଧୁରୀ ତାଙ୍କ ବକ୍ତବ୍ୟରେ କହିିଲେ ଯେ, ରାମମନ୍ଦିର ନିର୍ମାଣ ପାଇଁ ଅନ୍ୟ ବିକଳ୍ପ ଖୋଜାଯିବା ଉଚିତ। ଅନ୍ୟତମ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସି˚ହ କହିିଲେ ଯେ ରାମମନ୍ଦିର ନିର୍ମାଣକୁ ରୋକିବା ଲାଗି ବିଶ୍ବର କୌଣସି ଶକ୍ତିର କ୍ଷମତା ନାହିଁ। ଏହାର ଅର୍ଥ କ’ଣ? କେନ୍ଦ୍ର ମନ୍ତ୍ରୀମାନଙ୍କ ବକ୍ତବ୍ୟ କ’ଣ ବାର୍ତ୍ତା ଦେଉଛି? ନ୍ୟାୟପାଳିକାର ରାୟ ସପକ୍ଷରେ ନଆସିଲେ, ତାକୁ ଗ୍ରହଣ କରାଯିବ ନାହିଁ। ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ମୂଲ୍ୟହୀନ। ଧାର୍ମିକ ବିଶ୍ବାସ, ଭାବନା ନାମରେ ଏକଦା ରାଜୀବ ଗାନ୍ଧୀଙ୍କ ସରକାର ଶାହାବାନୋ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଅକାମି କରି ପାର୍ଲାମେଣ୍ଟରେ ଆଇନ ଆଣିଥିଲେ। ସେତେବେଳେ ଏହାର ଯେଉଁମାନେ ବିରୋଧ କରିଥିଲେ, ଏବେ ସେମାନେ ଧାର୍ମିକ ବିଶ୍ବାସ ଓ ଭାବନା ନାମରେ ନ୍ୟାୟପାଳିକାର ଅବଜ୍ଞା ପାଇଁ ସମାନ ରାସ୍ତା ଆପଣେଇବା ସକାଶେ କୁଣ୍ଠାବୋଧ କରିବେ ନାହିଁ ବୋଲି ସ୍ପଷ୍ଟ ସ˚କେତ ମିଳୁଛି। ଏହା କେବଳ ନ୍ୟାୟପାଳିକା ପ୍ରତି ଅନାସ୍ଥା ନୁହେଁ, ନ୍ୟାୟପାଳିକା ଉପରେ ଚାପ ସୃଷ୍ଟି ଲାଗି ଏକ ଅପଚେଷ୍ଟା ମଧୢ।

ଧାର୍ମିକ ବିଶ୍ବାସ ଓ ଭାବନା ସହ ଯୋଡ଼ି ହୋଇଥିବା ପ୍ରସଙ୍ଗରେ ନ୍ୟାୟପାଳିକାର ହସ୍ତକ୍ଷେପ କେତେଦୂର ଗ୍ରହଣୀୟ? ଏହା ଏକ ଭିନ୍ନ ପ୍ରଶ୍ନ। ଏ ପ୍ରସଙ୍ଗ ନିଶ୍ଚୟ ବ୍ୟାପକ ବିତର୍କର ଅପେକ୍ଷା ରଖୁଛି। କିନ୍ତୁ, କ୍ଷମତା ଓ ବ୍ୟବସ୍ଥାରେ ଥିବା ବ୍ୟକ୍ତିମାନେ ଯଦି ନ୍ୟାୟପାଳିକା ପ୍ରତି ଆସ୍ଥା ଓ ସମ୍ମାନ ନ ରଖନ୍ତି, ତେବେ ତାହା ଏକ ଭୁଲ ସ˚କେତ ଦେଉଛି। ଅବଶ୍ୟ, ପାଲାମପୁରରେ ଗୃହୀତ ବିଜେପି ପ୍ରସ୍ତାବରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ, ଅଯୋଧୢା ବିବାଦର ସମାଧାନ ଅଦାଲତରେ ସମ୍ଭବ ନୁହେଁ। ଆପୋସ କଥାବାର୍ତ୍ତା ଦ୍ବାରା ବିବାଦର ସମାଧାନ ପାଇଁ ଉଦ୍ୟମ ହେବା ଉଚିତ। କଥାବାର୍ତ୍ତା ବିଫଳ ହେଲେ ଆଇନଗତ ବିକଳ୍ପ ତଲାସ କରାଯାଇ ପାରେ। ତେବେ ସେତେବେଳେ ବିଜେପି କ୍ଷମତାରେ ନଥିଲା। କ୍ଷମତାରେ ବିଜେପି ନେତାଙ୍କଠାରୁ ଆଚରଣ ଓ ଉଚ୍ଚାରଣରେ ଅଧିକ ଦାୟିତ୍ବ ଓ ସ˚ଯମ ଆଶା କରାଯାଏ। ଯେହେତୁ ସ୍ଥିତିବସ୍ଥା ବଦଳି ନାହିଁ, ନ୍ୟାୟିକ ପ୍ରକ୍ରିୟା ଚାଲୁ ରହିଛି, ନ୍ୟାୟପାଳିକା ପ୍ରତି ମନ୍ତ୍ରୀଙ୍କ ଅନାସ୍ଥା ସୂଚକ ବୟାନ ଅପେକ୍ଷିତ ନୁହେଁ। ସବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ସପକ୍ଷରେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ମଧୢ କ୍ଷମତାସୀନ ଦଳର ଅନୁରୂପ ଆଭିମୁଖ୍ୟ ଏକ ଗୁରୁତର ବିଲକ୍ଷଣର ଅଶୁଭ ସ˚କେତ। ସବରିମାଳା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟର ବିରୋଧକୁ କେନ୍ଦ୍ରର କ୍ଷମତାସୀନ ବିଜେପିର ଅଧୢକ୍ଷ ସମର୍ଥନ କରିଛନ୍ତି। ଏ ନେଇ ଆନ୍ଦୋଳନରେ ମଧୢ ଦଳ ସାମିଲ ହୋଇଛି, ଯଦିଓ ରାୟର ପୁନଃବିଚାର ପାଇଁ ଏକ ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଉଲ୍ଲେଖନୀୟ ହେଲା, ପଡେ଼ାଶୀ ପାକିସ୍ତାନରେ ମଧୢ ସେଠାକାର ସୁପ୍ରିମ୍‌କୋର୍ଟଙ୍କ ଏକ ରାୟ ବିରୋଧରେ ଦେଶର ଧର୍ମୀୟ ମୌଳବାଦୀ ମାନେ ଉଗ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏ ପରିସ୍ଥିତିରେ କିପରି ଦାବି କରାଯାଇ ପାରିବ ଯେ, ଇସ୍‌ଲାମିକ୍‌ ପାକିସ୍ତାନଠାରୁ ଧର୍ମନିରପେକ୍ଷ ଭାରତ ଭିନ୍ନ?

ରାମମନ୍ଦିର ପ୍ରସଙ୍ଗରେ ଆନ୍ଦୋଳନ ହେଉ। ନିର୍ବାଚନରେ ଏହାକୁ ପ୍ରସଙ୍ଗ କରିବା ଲାଗି ରାଜନୈତିକ କାର୍ଯ୍ୟକ୍ରମ ଚାଲୁ। ଏଥିରେ କୌଣସି ଆପତ୍ତି ନାହିଁ। କିନ୍ତୁ ନ୍ୟାୟପାଳିକା ପ୍ରତି ଅନାସ୍ଥା ପ୍ରକାଶ କରି ଶାସନ ବ୍ୟବସ୍ଥାର ଭାରସାମ୍ୟରେ ଅଯଥା ବିଭ୍ରାଟ ସୃଷ୍ଟି କରି ଏହାର ବିଶ୍ବସନୀୟତା ଉପରେ ଆକ୍ରମଣ କରା ନ ଯାଉ। ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପିର ପ୍ରତିଶ୍ରୁତି ଥିଲା- ସାମ୍ବିଧାନିକ ବ୍ୟବସ୍ଥା ଭିତରେ ଅଯୋଧୢା ବିବାଦର ସମାଧାନ ନେଇ ସବୁ ବିକଳ୍ପ ଉପରେ ବିଚାର କରାଯିବ। ଏହା ହିଁ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ପ୍ରକୃଷ୍ଟ ପନ୍ଥା। ନ୍ୟାୟିକ ପ୍ରକ୍ରିୟା ସେହି ସାମ୍ବିଧାନିକ ବ୍ୟବସ୍ଥାର ଗୋଟିଏ ଅ˚ଶ। ତେଣୁ ଧୈର୍ଯ୍ୟର ସହ ସମ୍ବିଧାନର ପରିସର ମଧୢରେ ସମାଧାନ ଖୋଜା ଯାଉ। ତରବରିଆ ଭାବେ ଏମିତି କିଛି ପଦକ୍ଷେପ ନିଆ ନ ଯାଉ, ଯାହା ଅଯଥା ଅଶାନ୍ତି, ଉତ୍ତେଜନା ଓ ବିଦ୍ବେଷ ସୃଷ୍ଟି କରିବ। ଅବଶ୍ୟ ବର୍ତ୍ତମାନ ମଧୢ କଥାବାର୍ତ୍ତା ମାଧୢମରେ ସମସ୍ୟାର ସମାଧାନ ଲାଗି ସମୟ ଗଡ଼ି ଯାଇ ନାହିଁ।

ସମ୍ବନ୍ଧିତ ଖବର