କର୍ଣ୍ଣାଟକ ୪-୧ ଫଳର ସ˚କେତ

ଆଗାମୀ ଊଣେଇଶ ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତାସୀନ ମୋଦୀ ସରକାର ବିରୋଧରେ ‘ବିରୋଧୀ ଏକତା’ ପ୍ରସଙ୍ଗରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଦୀପାବଳି ଅବ୍ୟବହିତ ପୂର୍ବରୁ ଅଣ-ବିଜେପି, ଅଣ-ଏନ୍‌ଡିଏ ଶିବିର ପାଇଁ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରୁ ଏକ ଉତ୍ସାହପ୍ରଦ ଖବର ମିଳିଛି। ରାଜ୍ୟର ତିନିଟି ଲୋକସଭା ଓ ଦୁଇଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ କର୍ଣ୍ଣାଟକର କ୍ଷମତାସୀନ ଜେଡି(ୟୁ)-କ˚ଗ୍ରେସ ମେଣ୍ଟକୁ ବୃହତ୍‌ ସଫଳତା ମିଳିଛି। ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିବା ତିନିଟି ଲୋକସଭା ଆସନରୁ ମେଣ୍ଟ ଦୁଇଟି ଆସନରେ ବିଜୟୀ ହୋଇଛି। ଉପ-ନିର୍ବାଚନ ହୋଇଥିବା ଦୁଇଟି ବିଧାନସଭା ଆସନରେ ମଧୢ ଦୁଇ ଭାଗୁଆଳି ଜେଡି(ୟୁ) ଓ କ˚ଗ୍ରେସ ନିଜ ନିଜ ସ୍ଥିତି ବଜାୟ ରଖିଛନ୍ତି। ଉଲ୍ଲେଖନୀୟ ହେଲା, ଖଣି ଲୁଟ୍‌ ନେଇ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହି ଆସିଥିବା ବେଲାରୀ ଲୋକସଭା ଆସନରେ ଗତ ଚଉଦ ବର୍ଷ ହେଲା ବିଜେପିର ଆଧିପତ୍ୟରେ ଅବସାନ ଘଟାଇ କ˚ଗ୍ରେସ ଆସନକୁ ଛଡ଼ାଇ ନେଇଛି। ଖଣି ମାଫିଆ ରେଡ୍ଡୀ ଭାତ୍ରାଙ୍କ ଅର୍ଥବଳ ଓ ବିଜେପିର ରାଜନୈତିକ ପ୍ରଭାବ ଉପ-ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରି ନାହିଁ। ବିଜୟୀ ହୋଇଥିବା ଆସନ ଗୁଡ଼ିକରେ ମେଣ୍ଟର ପ୍ରାର୍ଥୀମାନେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ବିଜେପି ପାଇଁ ଏକମାତ୍ର ସାନ୍ତ୍ବନା ଦଳ ଶିଭାମୋଗା ଲୋକସଭା ଆସନରେ ପୂର୍ବ ସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଛି। ତେବେ ଗତ ଚଉଦ ନିର୍ବାଚନରେ ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ତିନି ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଏଥର ତାଙ୍କ ପୁତ୍ର ଉପ-ନିର୍ବାଚନରେ ମାତ୍ର ୫୨ ହଜାର ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି।

କର୍ଣ୍ଣାଟକର ଲୋକସଭା ଓ ବିଧାନସଭା ଉପ-ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ଜାତୀୟ ରାଜନୀତି ପାଇଁ ଏଥିରେ ତାଠାରୁ ବହୁଗୁଣ ଅଧିକ ଗୁରୁତ୍ବପୂର୍ଣ୍ଣ ସ˚କେତ ରହିଛି। କର୍ଣ୍ଣାଟକ ପାଇଁ ଉପ-ନିର୍ବାଚନର ଜନାଦେଶ ଗୁରୁତ୍ବପୂର୍ଣ୍ଣ ଏଥିପାଇଁ ଯେ, ଏହା ରାଜ୍ୟରେ କ˚ଗ୍ରେସ-ଜେଡି(ୟୁ) ମେଣ୍ଟ ସରକାରର ସ୍ଥିରତାକୁ କେବଳ ଅଧିକ ଦୃଢ଼ତା ତଥା ସ୍ଥାୟିତ୍ବ ପ୍ରଦାନ କରିନାହିଁ, ଦୁଇ ଭାଗୁଆଳି ଦଳକୁ ରାଜନୈତିକ ଦୃଷ୍ଟିରୁ ପରସ୍ପରର ଅଧିକ ନିକଟତର ଓ ଘନିଷ୍ଠ କରାଇଛି। ଯଦିଓ ସ˚ଖ୍ୟା ଦୃଷ୍ଟିରୁ ବିଧାନସଭାରେ ମେଣ୍ଟ ପାଖରେ ପର୍ଯ୍ୟାପ୍ତ ସ˚ଖ୍ୟା ରହିଛି, ତଥାପି ଦୁଇ ସହଯୋଗୀ ମଧୢରେ ଲଗାତାର କଳି ଯୋଗୁ ଅସ୍ଥିରତା ସୃଷ୍ଟି ହେଉଥିଲା। ଉପ-ନିର୍ବାଚନ ପରେ ୨୨୪ ଜଣିଆ ବିଧାନସଭାରେ ଶାସକ ମେଣ୍ଟର ସଦସ୍ୟ ସ˚ଖ୍ୟା ୧୨୦କୁ ବୃଦ୍ଧି ପାଇଛି। ଗୃହରେ ବିଜେପିର ଆସନ ସ˚ଖ୍ୟା ୧୦୪। ମେଣ୍ଟରେ କେତେକ ସମୟରେ ସୃଷ୍ଟି ହୋଇଥିବା ଅସ୍ଥିରତାର ବାତାବରଣକୁ ଏହା ଅନେକା˚ଶରେ ଦୂର କରିପାରେ। ଦୁଇ ସହଯୋଗୀ ନିଶ୍ଚୟ ହୃଦୟଙ୍ଗମ କରିଥିବେ ଯେ, ପାରସ୍ପରିକ ସ୍ବାର୍ଥ ଦୃଷ୍ଟିରୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ରୋକିବା ଲାଗି ମେଣ୍ଟ ବଳବତ୍ତର ରହିବା ଏକାନ୍ତ ଅପରିହାର୍ଯ୍ୟ। କର୍ଣ୍ଣାଟକରେ ୨୮ଟି ଲୋକସଭା ଆସନ ରହିଛି। ଚଉଦ ତୁଳନାରେ ଊଣେଇଶରେ ଦୁଇ ସହଯୋଗୀଙ୍କ ପାଇଁ ଏବେ ସମ୍ଭାବନା ଅଧିକ ଉଜ୍ଜ୍ବଳ।

ଅବଶ୍ୟ, କର୍ଣ୍ଣାଟକ ରାଜନୀତି ଅପେକ୍ଷା ଊଣେଇଶ ଲଢେ଼ଇ ପାଖେଇ ଆସୁଥିବା ବେଳେ ଉପ-ନିର୍ବାଚନ ଫଳାଫଳ ଜାତୀୟ ରାଜନୀତି ପାଇଁ ଅଧିକ ଗୁରୁତ୍ବ ଓ ତାତ୍ପର୍ଯ୍ୟ ବହନ କରେ। ବିରୋଧୀ ଏକାଠି ହୋଇ ମିଳିତ ଭାବେ ହିନ୍ଦୁତ୍ବ ଦଳର ମୁକାବିଲା କଲେ ଯେ, ଜାତୀୟ ସ୍ତରରେ ରାଜନୈତିକ ସମୀକରଣର ସ୍ଥିତାବସ୍ଥା ବଦଳିବା ସମ୍ଭବ, ଏହା ପୁଣିଥରେ ପ୍ରମାଣିତ ହୋଇଛି। ବିରୋଧୀଙ୍କ ମିଳିତ ଶକ୍ତିର ମୁକାବିଲା ପାଇଁ ବିଜେପିର ସାମର୍ଥ୍ୟ ନିଅଣ୍ଟିଆ ପଡୁଛି। ଉତ୍ତର ପ୍ରଦେଶର ତିନିଟି ଲୋକସଭା ଆସନରେ ବିଜେପିର ପରାଜୟ ପରେ ରାଜସ୍ଥାନ ଓ ମଧୢପ୍ରଦେଶରେ ଯେଉଁ ଧାରା ଦେଖାଯାଇଥିଲା, କର୍ଣ୍ଣାଟକରେ ତାହାର ପୁନରାବୃତ୍ତି ହୋଇଛି। କର୍ଣ୍ଣାଟକ ଫଳାଫଳ ଏହାର ମଧୢ ଆଗୁଆ ସୂଚନା ଯେ, ଊଣେଇଶ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ତିନିଟି ବିଜେପି ଶାସିତ ରାଜ୍ୟ- ରାଜସ୍ଥାନ, ମଧୢପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କ˚ଗ୍ରେସ ଓ ସ˚ପୃକ୍ତ ରାଜ୍ୟମାନଙ୍କରେ ସୀମିତ ହେଲେ ସୁଦ୍ଧା, ଉଲ୍ଲେଖନୀୟ ଜନାଧାର ଥିବା ବହୁଜନ ସମାଜ ପାର୍ଟି ଏକାଠି ଲଢ଼ିଥିଲେ ବିଜେପି ପାଇଁ ମୁକାବିଲା ଅଧିକ କଡ଼ା ହୋଇଥାନ୍ତା। ତଥାପି କର୍ଣ୍ଣାଟକର ବିଜୟ ନିଶ୍ଚୟ ପାଞ୍ଚଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ କ˚ଗ୍ରେସକୁ ଉତ୍ସାହିତ କରିବ। ସର୍ବପୁରାତନ ଦଳର କର୍ମୀଙ୍କ ନୈତିକ ମନୋବଳକୁ ବଢ଼ାଇବାରେ ଏହା ସହାୟକ ହେବ।

ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଲା, କର୍ଣ୍ଣାଟକ ସଫଳତା ବିରୋଧୀ ଶିବିରରେ ଆତ୍ମବିଶ୍ବାସ ବୃଦ୍ଧି କରି ଏକତା ପ୍ରସଙ୍ଗରେ ରହିଥିବା ନିରାଶା ଓ ପାରସ୍ପରିକ ସନ୍ଦେହ ପ୍ରସୂତ ଅନିଶ୍ଚିତତାକୁ କିଛି ପରିମାଣରେ ଦୂର କରିବାରେ ସହାୟକ ହୋଇପାରେ। ନିକଟରେ ଆନ୍ଧ୍ରର ଶାସକ ଆଞ୍ଚଳିକ ଦଳ ତେଲଗୁ ଦେଶମ୍‌ ଓ କ˚ଗ୍ରେସ ପରସ୍ପର ସହ ହାତ ମିଳାଇବା ଫଳରେ ବିରୋଧୀ ଏକତା ନେଇ ଯେଉଁ ସକାରାତ୍ମକ ସ˚କେତ ମିଳିଥିଲା, କର୍ଣ୍ଣାଟକରେ ମେଣ୍ଟର ସଫଳ ପ୍ରଦର୍ଶନ ସେହି ସ˚କେତର ଉଜ୍ଜ୍ବଳତାକୁ ବଢ଼ାଉଛି। କ˚ଗ୍ରେସ ନେତୃତ୍ବ ପାଇଁ ସନ୍ଦେଶ ସ୍ପଷ୍ଟ ଯେ, ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଭାବଶାଳୀ ମୁକାବିଲା କରିବାକୁ ହେଲେ କ୍ଷୁଦ୍ର, ଆଞ୍ଚଳିକ ଦଳମାନଙ୍କୁ ଯଥା ସମ୍ଭବ ଅଧିକ ରାଜନୈତକ ସ୍ଥାନ ଛାଡ଼ିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ, ବୃହତ୍ତର ଲକ୍ଷ୍ୟ ହାସଲ ସକାଶେ ରଣକୌଶଳ ସ୍ବରୂପ କେତେକ ରାଜ୍ୟରେ ଆଞ୍ଚଳିକ ଦଳଙ୍କ କନିଷ୍ଠ ସହଯୋଗୀ ଭୂମିକା ଗ୍ରହଣ ଲାଗି ଦଳର ଦ୍ବିଧା ରହିବା ଉଚିତ ନୁହେଁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆଗାମୀ ନିର୍ବାଚନ ଓ ନିର୍ବାଚନ ପରବର୍ତ୍ତୀ ସମୀକରଣରେ କ୍ଷୁଦ୍ର ଓ ଆଞ୍ଚଳିକ ଦଳମାନଙ୍କ ନିର୍ଣ୍ଣାୟକ ଭୂମିକା ରହିବ।

ଅନ୍ୟପକ୍ଷରେ, କେନ୍ଦ୍ରରେ କ୍ଷମତାସୀନ ବିଜେପି ଲାଗି କର୍ଣ୍ଣାଟକ ଉପ-ନିର୍ବାଚନର ଜନାଦେଶ ଆଉ ଏକ ସତର୍କ ସ˚କେତ। ଚଉଦ ସଫଳତାର ପୁନରାବୃତ୍ତି ଊଣେଇଶରେ ସମ୍ଭବ ହୋଇ ନପାରେ। ଗତ ମେ’ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆଗରୁ ବିଜେପି ରାଷ୍ଟ୍ରୀୟ ଅଧୢକ୍ଷ ଅମିତ ଶାହ ଦଳୀୟ ମନ୍ତ୍ରୀ ଓ କର୍ମକର୍ତ୍ତାଙ୍କ ଏକ ବୈଠକରେ ସୂଚାଇ ଦେଇଥିଲେ ଯେ, ଊଣେଇଶରେ ପୁଣି ଦିଲ୍ଲୀ ଫେରିବା ଯାତ୍ରା ଦକ୍ଷିଣର କର୍ଣ୍ଣାଟକ ବାଟ ଦେଇ ଆସିବ। ଶାହଙ୍କ ଆକଳନ ଅନୁଯାୟୀ ରାଜ୍ୟରେ ସ୍ପଷ୍ଟ ସ˚ଖ୍ୟାଗରିଷ୍ଠତା ପାଇବାରୁ ବିଜେପି ବଞ୍ଚିତ ହୋଇଥିଲା ସିନା ସର୍ବବୃହତ୍‌ ଦଳ ଭାବେ ଉଭା ହୋଇଥିଲା। ତେବେ, ପାଞ୍ଚ ମାସ ତଳର ଏହି ସଫଳତା ଯେଉଁ ଉତ୍ସାହ ସୃଷ୍ଟି କରିଥିଲା, ଏବେ ଉପ-ନିର୍ବାଚନରେ ବିଫଳତା ସେହି ଉତ୍ସାହରେ ଭଟ୍ଟା ପକାଇ ଦେଇଛି। ଉପ-ନିର୍ବାଚନରେ ନିରାଶାଜନକ ପ୍ରଦର୍ଶନ ନିଶ୍ଚୟ ବିଜେପି ଚାଣକ୍ୟଙ୍କୁ ଊଣେଇଶରେ ଦିଲ୍ଲୀ ଲେଉଟାଣିର ପଥ ପୁନଃ ନିର୍ଣ୍ଣୟ କରିବାକୁ ବାଧୢ କରିବ। ପୁଣି, ଦକ୍ଷିଣରେ ଦଳର ଏକମାତ୍ର ଗଡ଼ କୁହାଯାଉଥିବା କର୍ଣ୍ଣାଟକରେ ନିରାଶାଜନକ ପ୍ରଦର୍ଶନ ହିନ୍ଦୁତ୍ବ ଶକ୍ତି ପାଇଁ ଏହାର ମଧୢ ଏକ ଅସ୍ବସ୍ତିକର ସ˚କେତ ଯେ, ମୋଦୀ ଯାଦୁ ତା’ର ଚମକ ହରାଇ ବସିଛି। ଚଉଦ ପରେ ଅଧିକା˚ଶ ଲୋକସଭା ଉପ-ନିର୍ବାଚନରେ ବିଜେପିର କ୍ରମାଗତ ପରାଜୟ ପୂର୍ବାପେକ୍ଷା ମୋଦୀଙ୍କ ପତିଆରା କମୁଥିବାର ଯେଉଁ ସ˚କେତ ଦେଉଥିଲା, କର୍ଣ୍ଣାଟକ ଫଳ ସେହି ସ˚କେତର ବିଶ୍ବସନୀୟତା ଉପରେ ମୋହର ଲଗାଇଛି। ବିଡ଼ମ୍ବନା ହେଲା, ବିଗତ ବର୍ଷକ ମଧୢରେ ପ୍ରାୟ ପ୍ରତ୍ୟେକ ଜନମତ ସର୍ଭେ ପ୍ରଧାନମନ୍ତ୍ରୀଙ୍କ ବିପୁଳ ଲୋକପ୍ରିୟତାର ସୂଚନା ଦେଇ ଆସୁଛି। ଅଥଚ, ଉପ-ନିର୍ବାଚନ ଫଳାଫଳରେ ତାହା ପ୍ରତିଫଳିତ ହେଉ ନାହିଁ। ଊଣେଇଶ ଲଢେ଼ଇ ପାଇଁ ରଣନୀତି ଉପରେ ପୁନର୍ବିଚାର ବିଷୟକୁ କର୍ଣ୍ଣାଟକ ଫଳାଫଳ ପରିପ୍ରେକ୍ଷୀରେ ବିଜେପି ନେତୃତ୍ବ ଏଡ଼ାଇ ପାରିବେ ନାହିଁ।

ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ର ଭାରତରେ ନିର୍ବାଚନ ଫଳାଫଳର ସଠିକ୍‌ ପୂର୍ବାନୁମାନ ସର୍ବଦା ଏକ ଦୁରୂହ ବ୍ୟାପାର। କର୍ଣ୍ଣାଟକ ଉପ-ନିର୍ବାଚନ ପରେ ଊଣେଇଶ ଜନାଦେଶର ଚିତ୍ର ଓ ଚରିତ୍ର ନେଇ କୌଣସି ପ୍ରକାର ଆଗୁଆ ଆକଳନ ରାଜନେତା ଓ ରାଜନୈତିକ ପଣ୍ତିତଙ୍କ ପାଇଁ ଏବେ ଅଧିକ ଦୁରୂହ ହୋଇପଡ଼ିଛି। ଊଣେଇଶ ଲଢେ଼ଇ ପାଇଁ ମଇଦାନ ପୂରା ଉନ୍ମୁକ୍ତ- କେହି ବି ବାଜି ମାରି ନେଇପାରେ।

ସମ୍ବନ୍ଧିତ ଖବର