ବେଣା ଉପୁଡ଼ା

‘‘ତିନି ପଇସା ଯହୁଁ ପାଇ/ଆହୁରି ବେଣା ଉପାଡ଼ଇ।’’ ଆଜିକାଲି ପପ୍‌ କଲ୍‌ଚର‌୍‌, ରିଅଲିଟି ସୋ’ ଯୁଗରେ ଯେଉଁମାନଙ୍କର ତଥାପି ଆଗ କାଳର ତ୍ରିନାଥ ମେଳାର ଏହି ପଦ ମନେଥିବ, ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ ଦୁହିଁବାକୁ ମୋଦୀ ସରକାରଙ୍କର ସଦ୍ୟତମ ଉଦ୍ୟମରେ ସେମାନେ ନିଶ୍ଚୟ ଏହି ପଦର ପ୍ରତିଧ୍ବନି ଶୁଣି ପାରୁଥିବେ। ତ୍ରିନାଥ ମେଳା ସହିତ ପରିଚିତ ନଥିବା ଅନ୍ୟମାନେ ଅତି କମ୍‌ରେ ସୁନା ଅଣ୍ତା ଦିଆ କୁକୁଡ଼ା ଗପକୁ ମନେ ପକାଉଥିବେ। ରଘୁରାମ ରାଜନ୍‌ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର‌୍‌ ଥିବା ସମୟରେ ୨୦୧୫-୧୬ରେ ରିଜର୍ଭ ବ୍ୟାଙ୍କ୍‌ କେନ୍ଦ୍ର ସରକାରଙ୍କୁ ଡିଭିଡେଣ୍ତ୍‌ ଆକାରରେ ମୋଟ ୬୫,୮୦୦ କୋଟି ଟଙ୍କାର ସମ୍ବଳ ହସ୍ତାନ୍ତର କରିଥିଲା। ୨୦୧୮ ବିତ୍ତ ବର୍ଷରେ ରିଜର୍ଭ ବ୍ୟାଙ୍କ୍‌ ସରକାରଙ୍କୁ ଆଉ ୫୦,୦୦୦ କୋଟି ଟଙ୍କାର ଡିଭିଡେଣ୍ତ୍‌ ବା ଲାଭା˚ଶ ହସ୍ତାନ୍ତର କରିଛି। କେନ୍ଦ୍ର ସରକାର କିନ୍ତୁ ଏତିକିରେ ସନ୍ତୁଷ୍ଟ ନହୋଇ ରିଜର୍ଭ ବ୍ୟାଙ୍କ୍‌ ଠାରୁ ଆହୁରି ୩.୬ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ଗଣମାଧୢମରେ ଚର୍ଚ୍ଚା ଜୋର‌୍‌ ଧରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬-୧୭ ବିତ୍ତ ବର୍ଷରେ ରିଜର୍ଭ ବ୍ୟାଙ୍କ୍‌ ସରକାରଙ୍କୁ ପ୍ରଦାନ କରିଥିବା ଡିଭିଡେଣ୍ତ୍‌ ପରିମାଣରେ ହ୍ରାସ ଘଟିବା ଦେଖାଯାଇଥିଲା; କିନ୍ତୁ ତାହାର କାରଣ ଥିଲା ମୋଦୀ ସରକାରଙ୍କର ଆତ୍ମଘାତୀ ବିମୁଦ୍ରୀକରଣ। ଅନାବଶ୍ୟକ ଭାବେ କେବଳ ନୂଆ ନୋଟ୍‌ ଛାପିବା ପାଇଁ ରିଜର୍ଭ ବ୍ୟାଙ୍କ୍‌କୁ ପ୍ରାୟ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା।

କେନ୍ଦ୍ର ସରକାରଙ୍କ ପାଟିରୁ ଲାଳ ଗଡ଼ିବାର କାରଣ ହେଉଛି ରିଜର୍ଭ ବ୍ୟାଙ୍କ୍‌ର ହିସାବ ଖାତାରେ ପରିଦୃଷ୍ଟ ହେଉଥିବା ବଳକା ସମ୍ବଳ। ଉପଲବ୍‌ଧ ସୂଚନା ଅନୁଯାୟୀ ଜୁନ୍‌ ୩୦ ତାରିଖ ସୁଦ୍ଧା ରିଜର୍ଭ ବ୍ୟାଙ୍କ୍‌ ଖାତାରେ ଥିବା ଏହି ବଳକା ସମ୍ବଳର ପରିମାଣ ଥିଲା ପ୍ରାୟ ୯.୬୩ ଲକ୍ଷ କୋଟି ଟଙ୍କା। ଯେଉଁ ସବୁ ପାଣ୍ଠିରେ ଏ ବଳକା ସମ୍ବଳ ମହଜୁଦ୍‌ ଅଛି ସେଗୁଡ଼ିକ ହେଲେ: କଣ୍ଟିଜେନ୍‌ସି ଫଣ୍ତ୍‌, ଆସେଟ୍‌ ଡେଭେଲପ୍‌ମେଣ୍ଟ୍‌ ଫଣ୍ତ୍‌, କରେନ୍‌ସି ଆଣ୍ତ୍‌ ଗୋଲ୍‌ଡ ରିଭାଲୁଏସନ୍‌ ଆକାଉଣ୍ଟ୍‌, ଫରେନ୍‌ ଏକ୍‌ସଚେଞ୍ଜ୍‌ ଫର‌୍‌ଵାର୍ଡ କଣ୍ଟ୍ରାକ୍ଟ୍‌ସ ଭାଲୁଏସନ୍‌ ଆକାଉଣ୍ଟ୍‌ ଏବ˚ ଇନ୍‌ଭେଷ୍ଟମେଣ୍ଟ୍‌ ରିଭାଲୁଏସନ୍‌ ଆକାଉଣ୍ଟ୍‌ ଆଦି। ଗଣମାଧୢମରେ ପ୍ରକାଶ ପାଇଥିବା ଅସମର୍ଥିତ ସୂଚନା ଅନୁସାରେ ସରକାର ନିକଟ ଅତୀତରେ ଏଥିରୁ ପ୍ରାୟ ୩.୬ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌କୁ ତିନିଥର ଇସାରା ଦେଇ ସାରିଲେଣି। ସରକାରଙ୍କର ଏହି ଉଦ୍ୟମ ବିଧିବଦ୍ଧ ଭାବରେ ପଦାକୁ ଫୁଟି ବାହାରିଥିଲା ଯେତେବେଳେ ଅକ୍ଟୋବର ୨୬ ତାରିଖ ଦିନ ରିଜର୍ଭ ବ୍ୟାଙ୍କ୍‌ର ଡେପୁଟି ଗଭର୍ନର‌୍‌ ବିରଳ ଆଚାର୍ଯ୍ୟ ତାଙ୍କର ଏକ ଭାଷଣରେ ଆନ୍ତର୍ଜାତିକ ନିବେଶ ବ୍ୟାଙ୍କ୍‌ ଗୋଲ୍‌ଡମ୍ୟାନ୍‌ ସାକ୍‌ସର ଜଣେ ବିଶେଷଜ୍ଞ ଆଲ୍‌ବେର୍ତ୍ତୋ ରାମୋସ୍‌ଙ୍କୁ ଉଦ୍ଧାର କରି ସତର୍କବାଣୀ ଶୁଣାଇଥିଲେ ଯେ କେନ୍ଦ୍ରୀୟ ବ୍ୟାଙ୍କ୍‌ର ବଳକା ସମ୍ବଳ ବ୍ୟବହାର କରି ସରକାର ନିଜର ଖର୍ଚ୍ଚ ଭରଣା କରିବା ଏକ ସକାରାତ୍ମକ ପଦକ୍ଷେପ ନୁହେଁ। ସେ କହିଥିଲେ ଏହା କେନ୍ଦ୍ରୀୟ ବ୍ୟାଙ୍କ୍‌ର ସନ୍ତୁଳନପତ୍ରକୁ ଦୁର୍ବଳ କରିବା ସହିତ ସରକାରଙ୍କୁ ବଦ୍‌ଖର୍ଚ୍ଚ କରିବା ପାଇଁ ଉତ୍ସାହିତ କରିଥାଏ। ବିରଳ ଆଚାର୍ଯ୍ୟଙ୍କର ଏହି ମନ୍ତବ୍ୟ ସରକାରୀ ମହଲରେ ଯେଉଁ ହଇଚଇ ସୃଷ୍ଟି କରିଥିଲା, ତା’ର ପ୍ରଭାବ ଏବେ ବି ଅନୁଭୂତ ହେବାରେ ଲାଗିଛି। ଆଚାର୍ଯ୍ୟଙ୍କ ଅଭିଯୋଗର ପ୍ରତିକ୍ରିୟା ସ୍ବରୂପ ବିତ୍ତ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଏବେ ଏହାକୁ ଏକ ଭିତ୍ତିହୀନ ଗୁଜବ ବୋଲି ସ୍ପଷ୍ଟୀକରଣ ଦେବା ଦେଖାଯାଇଛି। କିନ୍ତୁ ତାଙ୍କର ଏହି ସ୍ପଷ୍ଟୀକରଣର ପରବର୍ତ୍ତୀ ଅ˚ଶ ଉପରେ ସଯତ୍ନ ଦୃଷ୍ଟିପାତ କଲେ କୌଣସି ସନ୍ଦେହ ରହେ ନାହିଁ ଯେ ସରକାରଙ୍କର ଅନ୍ତିମ ଲକ୍ଷ୍ୟ ହେଉଛି ରିଜର୍ଭ ବ୍ୟାଙ୍କ୍‌ର ବଳକା ସମ୍ବଳର ଏକ ବିଶେଷ ଅ˚ଶ ହାତେଇ ସରକାରୀ ତହବିଲକୁ ପରିପୁଷ୍ଟ କରିବା। କାରଣ ଅମଲା ଜଣକ ଘୋଷଣା କରିଛନ୍ତି ଯେ ଆନ୍ତର୍ଜାତିକ ମାନଦଣ୍ତ ଅନୁସାରେ ରିଜର୍ଭ ବ୍ୟାଙ୍କ୍‌ ନିକଟରେ ଆବଶ୍ୟକତାଠାରୁ ବହୁ ଅଧିକ ଅନୁପାତରେ ବଳକା ସମ୍ବଳ ମହଜୁଦ ଅଛି ଏବ˚ ସେଥିରେ ହ୍ରାସ ଘଟାଯିବା ଆବଶ୍ୟକ। ଅର୍ଥାତ୍‌, ଉଦ୍‌ବୃତ୍ତ ସମ୍ବଳ ସରକାର ନେଇ ଯିବାକୁ ହକ୍‌ଦାର, କାରଣ ସରକାର ହିଁ ହେଉଛନ୍ତି ଶେଷରେ ରିଜର୍ଭ ବ୍ୟାଙ୍କ୍‌ର ମାଲିକ।

ଅବଶ୍ୟ ଏପରି ଏକ ଯୋଜନା ସମ୍ପୃକ୍ତ ଅମଲାଙ୍କର ନିଜସ୍ବ ମୌଳିକ ଚିନ୍ତାଧାରା ନୁହେଁ। ୨୦୧୬-୧୭ ପାଇଁ ସେ ପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ବେକ୍ଷଣରେ ସରକାରଙ୍କର ତତ୍କାଳୀନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଏଭଳି ଏକ ପ୍ରସ୍ତାବ ଦେବା ଦେଖାଯାଇଥିଲା। ସେ ସେତେବେଳେ କହିଥିଲେ ଯେ ରିଜର୍ଭ ବ୍ୟାଙ୍କ୍‌ ଏତେ ଅଧିକ ପରିମାଣର ପୁଞ୍ଜି ନିଷ୍କ୍ରିୟ କରି ରଖିବା ଅପେକ୍ଷା ସରକାରଙ୍କୁ ସେଥିରୁ ପ୍ରାୟ ଚାରି ଲକ୍ଷ କୋଟି ଟଙ୍କା ହସ୍ତାନ୍ତରିତ କରି ଦେବା ଉଚିତ ହେବ, ଯାହାକୁ ସରକାର ଅଧିକ ଉତ୍ପାଦନଶୀଳ ଭାବରେ ବିନିଯୋଗ କରିପାରିବେ। ସରକାରଙ୍କ ଉପରେ ତାଙ୍କର ଏଭଳି ବିଶ୍ବାସ କେତେଦୂର ଯଥାର୍ଥ, ତାହା ଆଉ ଏକ ପ୍ରଶ୍ନ (ଏହାର କେତେଦିନ ପରେ ସେ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରି ଆମେରିକାକୁ ଫେରିଗଲେ), କିନ୍ତୁ ସେତେବେଳେ ମଧୢ ସୁବ୍ରମଣ୍ୟନ୍‌ ସତର୍କବାଣୀ ଶୁଣାଇଥିଲେ ଯେ ଏହି ଉଦ୍‌ବୃତ୍ତ ପୁଞ୍ଜି ହସ୍ତାନ୍ତର ଯେମିତି ରିଜର୍ଭ ବ୍ୟାଙ୍କ୍‌ର ସ୍ବାଧୀନତା ଖର୍ବ ନକରେ। ରିଜର୍ଭ ବ୍ୟାଙ୍କ୍‌ର ସମ୍ପୂର୍ଣ୍ଣ ସହଯୋଗରେ ହିଁ ସରକାର ଏପରି କୌଣସି ପଦକ୍ଷେପ ନେବା ଉଚିତ ବୋଲି ସେ କହିଥିଲେ, ଯେମିତି ଏହା ଦ୍ବାରା ରିଜର୍ଭ ବ୍ୟାଙ୍କ୍‌ର ସ୍ବାଧୀନତା ଓ ବିଶ୍ବସନୀୟତା ଉପରେ ସାମାନ୍ୟତମ ଆଞ୍ଚ ନ ଆସେ। (ଅର୍ଥାତ୍‌ ସୁନା ଅଣ୍ତା ଲୋଭରେ କୁକୁଡ଼ାକୁ ମାରିଦେବ ନାହିଁ।) ବର୍ତ୍ତମାନ କିନ୍ତୁ ଦେଖାଯାଉଛି ମୋଦୀ ସରକାର ସୁବ୍ରମଣ୍ୟନ୍‌ଙ୍କ ପ୍ରସ୍ତାବର କେବଳ ଲାଭଜନକ ଅ˚ଶଟିକୁ ଗ୍ରହଣ କରିଛନ୍ତି। ରିଜର୍ଭ ବ୍ୟାଙ୍କ୍‌ ସହିତ ସହଯୋଗ ପରିବର୍ତ୍ତେ ମୁକାବିଲା କରିବାକୁ ପସନ୍ଦ କରିଛନ୍ତି। କୁକୁଡ଼ା ଜୀବନ ଏବେ ବିପନ୍ନ। ସାଧାରଣ ଜନତା ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯଦି ରିଜର୍ଭ ବ୍ୟାଙ୍କ୍‌ ଶେଷରେ ସରକାରଙ୍କୁ ୩.୬ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରେ, ତା’ର ସ୍ବରୂପ କିଭଳି ହେବ? ମନେରଖିବା କଥା ଏହି ପରିମାଣ ହେଉଛି ରିଜର୍ଭ ବ୍ୟାଙ୍କ୍‌ ନିକଟରେ ଥିବା ମୋଟ ଗଚ୍ଛିତ ପୁଞ୍ଜିର ପ୍ରାୟ ୪୦%, ଯାହାକୁ ରିଜର୍ଭ ବ୍ୟାଙ୍କ୍‌ ଦଶନ୍ଧି ଦଶନ୍ଧି ଧରି ସଞ୍ଚୟ କରିଛି। ସେତିକି ନୁହେଁ, ଏହି ପରିମାଣ ହେଉଛି ଦେଶର ମୋଟ ଜାତୀୟ ଉତ୍ପାଦ (ଜିଡିପି)ର ପ୍ରାୟ ୨%! ବିମୁଦ୍ରୀକରଣ ଯୋଗୁଁ ଦେଶର ଜିଡିପିରେ ଯେଉଁ ୨% ସ˚କୋଚନ ଘଟିଥିଲା, ମୋଦୀ କ’ଣ ଏହି ଉପାୟରେ ତାହାର ଭରଣା କରିବାକୁ ଚାହୁଁଛନ୍ତି କି? ଏଥିରେ କିନ୍ତୁ ସମସ୍ୟା ହେଲା ରିଜର୍ଭ ବ୍ୟାଙ୍କ୍‌ ଯେଉଁ ପଦ୍ଧତିରେ ସରକାରଙ୍କୁ ଏହି ୩.୬ ଲକ୍ଷ କୋଟି ଟଙ୍କା ଦେଉ ନା କାହିଁକି, ରିଜର୍ଭ ବ୍ୟାଙ୍କ୍‌କୁ ସେଥିପାଇଁ ସେଇ ପରିମାଣର ନୂଆ ନୋଟ୍‌ ଛାପିବାକୁ ପଡ଼ିବ। ଏହା ଯଦି ମୁଦ୍ରାସ୍ଫୀତିରେ ରୂପାନ୍ତରିତ ହୁଏ, ତେବେ ତାହା ସମସ୍ତଙ୍କ ପାଇଁ ନୂଆ ମୁଣ୍ତବିନ୍ଧା ସୃଷ୍ଟି କରିବ। ତେବେ ସେତେବେଳକୁ ନୂଆ ସରକାର ଆସି ସାରିଥିବେ।

ସମ୍ବନ୍ଧିତ ଖବର