ସଲ୍‌ମାନ୍‌ ପ୍ରୀତି

୨୦୧୪ ଜାନୁଆରି ୧୪ ତାରିଖ ଅପରାହ୍‌ଣରେ ଅହମ୍ମଦାବାଦଠାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ଥିଲା ଭାରତର ଭାବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବଲିଉଡ୍‌ ଚିତ୍ର ତାରକା ସଲ୍‌ମାନ୍‌ ଖାନ୍‌ ସାଙ୍ଗ ହୋଇ ଗୁଡ଼ି ଉଡ଼ାଇ ମକର ସ˚କ୍ରାନ୍ତି ଉତ୍ସବ ପାଳନ କରିବା ଦୃଶ୍ୟ। ଆଉ ଜଣେ ସଲ୍‌ମାନ୍‌ ସେତେବେଳେ ଏଥିପାଇଁ ସଲ୍‌ମାନ୍‌ ଖାନ୍‌ଙ୍କୁ ସମାଲୋଚନା କରିବା ଦେଖାଯାଇଥିଲା। ସେ ଥିଲେ ସେତେବେଳର ବୈଦେଶିକ ବ୍ୟାପାର ମନ୍ତ୍ରୀ କ˚ଗ୍ରେସ ନେତା ସଲ୍‌ମାନ୍‌ ଖୁର୍ସିଦ୍‌। ସେ ସଲ୍‌ମାନ୍‌ ଖାନ୍‌ଙ୍କୁ ଭର୍ତ୍ସନା କରିଥିଲେ ଯେ ସେ କାହା ସହିତ ସାଙ୍ଗ ହେବା ପୂର୍ବରୁ ସେ ଲୋକର ଅତୀତକୁ ବିଚାରକୁ ନେବା ଆବଶ୍ୟକ। ୨୦୦୨ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକା ନେଇ ହୋଇ ଆସୁଥିବା ଅଭିଯୋଗ ପ୍ରତି ହିଁ ଏହା ଥିଲା ଖୁର୍ସିଦ୍‌ଙ୍କର କଟାକ୍ଷ।

କିନ୍ତୁ ଏକ କ୍ରୂର ବିଡ଼ମ୍ବନା ସଦୃଶ ସଲ୍‌ମାନ୍‌ ଖୁର୍ସିଦ୍‌ଙ୍କର ଏହି ସତର୍କବାଣୀ ପ୍ରତି ଯଦି କିଏ ଅଧିକ ଧୢାନ ଦେବା ଉଚିତ ଥିଲା, ସେ ହେଉଛନ୍ତି ନରେନ୍ଦ୍ର ମୋଦୀ। କାରଣ ମୋଦୀ-ସଲ୍‌ମାନ୍‌ ଖାନ୍‌ ସେଦିନ ସାଙ୍ଗ ହୋଇ ଗୁଡ଼ି ଉଡ଼ାଇବା ବେଳକୁ ଭାରତର ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନ ନରେନ୍ଦ୍ର ମୋଦୀଙ୍କୁ ଏ ସମ୍ପର୍କିତ ସମସ୍ତ ଅଭିଯୋଗମୁକ୍ତ କରିସାରିଥିଲା। ଅପରପକ୍ଷେ ନରେନ୍ଦ୍ର ମୋଦୀ ସେଦିନ ସଲ୍‌ମାନ୍‌ ଖାନ୍‌ଙ୍କ ଅତୀତ ତଥା ବର୍ତ୍ତମାନ ପ୍ରତି ବିଶେଷ ଧୢାନ ଦେବା ଆବଶ୍ୟକ ଥିଲା, ଯାହା ଏବେ ବି ଅପରିବର୍ତ୍ତିତ ରହିଛି। ବର୍ତ୍ତମାନ ଯାହା ସର୍ବଜନବିଦିତ, ତାହା ହେଲା ମାତାଲ ଅବସ୍ଥାରେ ଗାଡ଼ି ଚଳାଇ ନରହତ୍ୟା ଘଟାଇବା ଅଭିଯୋଗରେ ସଲ୍‌ମାନ୍‌ ଖାନ୍‌ ୨୦୦୨ରେ ଗିରଫ ହେବା ପରେ ୨୦୧୫ ମଇରେ ବମ୍ବେ ସେସନ୍‌ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ଏକ ନାଟକୀୟ ଘଟଣାକ୍ରମରେ ୨୦୧୫ ଡିସେମ୍ବରରେ ବମ୍ବେ ହାଇକୋର୍ଟ ତାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରି ଦେଇଥିଲେ। ୨୦୧୬ ଜୁଲାଇରେ ବମ୍ବେ ହାଇକୋର୍ଟର ଏହି ରାୟ ବିରୁଦ୍ଧରେ ମହାରାଷ୍ଟ୍ର ସରକାର କରିଥିବା ଅପିଲ୍‌କୁ ସୁପ୍ରିମ୍‌ କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି, ଯାହା ବର୍ତ୍ତମାନ ବିଚାରାଧୀନ ରହିଛି। ତେଣୁ ୨୦୧୪ ମକର ସ˚କ୍ରାନ୍ତି ଦିନ ଭଳି ସଲ୍‌ମାନ୍‌ ଖାନ୍‌ ବର୍ତ୍ତମାନ ମଧୢ ହେଉଛନ୍ତି ମାତାଲ୍‌ ଗାଡ଼ି ଚାଳନା ଜନିତ ନରହତ୍ୟା ଅପରାଧରେ ଜଣେ ବିଚାରାଧୀନ ଅଭିଯୁକ୍ତ। ସେହିପରି, କେବଳ ନରହତ୍ୟା ନୁହେଁ, ୧୯୯୮ରେ ସେ କୃଷ୍ଣସାର ମୃଗ ହତ୍ୟା କରିଥିବା ଅଭିଯୋଗରେ ଯୋଧପୁରର ଏକ ଅଦାଲତ ଦ୍ବାରା ୨୦୧୮ ଏପ୍ରିଲ୍‌ରେ ଦୋଷୀ ସାବ୍ୟସ୍ତ ହୋଇ ପାଞ୍ଚବର୍ଷର ଜେଲ୍‌ ଦଣ୍ତ ପାଇବା ପରେ ଅପିଲ୍‌ର ଶୁଣାଣି ପର୍ଯ୍ୟନ୍ତ ବର୍ତ୍ତମାନ ଜାମିନରେ ଥାଇ ଚଳପ୍ରଚଳ ହେଉଛନ୍ତି।

ଏଥିରେ ସନ୍ଦେହ ନାହିଁ ଯେ ଆଗକୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ସଲ୍‌ମାନ୍‌ ଖାନ୍‌ଙ୍କର ପ୍ରଶ˚ସକ ବା ଫ୍ୟାନ୍‌ମାନଙ୍କର ସମର୍ଥନ ଲାଭ ଆଶାରେ ସେଦିନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ସମସ୍ତ ନୈତିକତାକୁ ପଛକୁ ଠେଲି ଦେଇ ମୃଗହତ୍ୟା-ନରହତ୍ୟା-ଅଭିଯୁକ୍ତ ସଲ୍‌ମାନ୍‌ ଖାନ୍‌ଙ୍କ ସହିତ ମିଶି ଗୁଡ଼ି ଉଡ଼ାଇଥିଲେ। ଏହା ଯେ ମୋଦୀଙ୍କ ପକ୍ଷରେ ଏକ ବିରଳ ବ୍ୟତିକ୍ରମ ନଥିଲା, ତାହାର ଏକ ସଦ୍ୟ ପ୍ରମାଣ ଦେଖିବାକୁ ମିଳିଛି ଏକ ଭିନ୍ନ ସ୍ଥାନ, କାଳ, ପାତ୍ରରେ। ତେବେ ଏକ ବିଧି ନିର୍ଦ୍ଦିଷ୍ଟ ଯୋଗାଯୋଗ ଭଳି ସମସ୍ତ ଭିନ୍ନତା ସତ୍ତ୍ବେ ଏ ଘଟଣାରେ ସମ୍ପୃକ୍ତ ପାତ୍ରର ନାମ ମଧୢ ହେଉଛି- ସଲ୍‌ମାନ୍‌। ସେ ହେଉଛନ୍ତି ସାଉଦୀ ଆରବର ବର୍ବର ନରହନ୍ତା ରୂପେ ଆନ୍ତର୍ଜାତିକ କୁଖ୍ୟାତି ଲାଭ କରିଥିବା ସେ ଦେଶର ପ୍ରକୃତ ଶାସକ ପ୍ରିନ୍‌ସ ମହମ୍ମଦ ବିନ୍‌ ସଲ୍‌ମାନ୍‌। ଗତ ଶୁକ୍ରବାର ଦିନ ଆର୍ଜେଣ୍ଟିନାର ବୁଏନସ୍‌ ଆଇରେସ୍‌ଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ଏକ ପାର୍ଶ୍ବ ଦୃଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସ ହସ ବଦନରେ ପ୍ରିନ୍‌ସ ସଲ୍‌ମାନ୍‌ଙ୍କ ସହିତ କରମର୍ଦ୍ଦନ କରୁଥିବାର ଚିତ୍ର ଆନ୍ତର୍ଜାତିକ ଗଣମାଧୢମରେ ପ୍ରସାରିତ ହୋଇଛି। ଏହାକୁ ରାଜନୈତିକ ବା କୂଟନୈତିକ ସ୍ବାର୍ଥ ସାଧନ ପାଇଁ ବ୍ୟକ୍ତିଗତ ନୈତିକ ମୂଲ୍ୟବୋଧର ବଳିଦାନର ଆଉ ଏକ ଶକ୍ତିଶାଳୀ ଉଦାହରଣ ରୂପେ ବିଚାର କରାଯାଇପାରେ।

କିନ୍ତୁ ସେଥିପୂର୍ବରୁ ଏହି ସାଉଦୀ ସଲ୍‌ମାନ୍‌ଙ୍କର ବର୍ତ୍ତମାନ ସୁବିଦିତ କୁକର୍ମ ଅଭିଯୋଗ ଉପରେ ଏକ ସ˚କ୍ଷିପ୍ତ ଦୃଷ୍ଟି ନିକ୍ଷେପ କରାଯାଇପାରେ। ପାଶ୍ଚାତ୍ୟ ନ୍ୟାୟବିଧିର ଏକ ନିୟମ ହେଉଛି ‘କର୍ପସ୍‌ ଡେଲିକ୍ଟି’, ଯାହା ଅନୁସାରେ କାହାକୁ ଅପରାଧୀ ରୂପେ ସାବ୍ୟସ୍ତ କରିବା ପୂର୍ବରୁ ଏହା ପ୍ରଥମେ ସାବ୍ୟସ୍ତ ହେବା ଆବଶ୍ୟକ ଯେ ଅପରାଧଟି ପ୍ରକୃତରେ ଘଟିଛି। ଅର୍ଥାତ୍‌, କାହାକୁ ହତ୍ୟାକାରୀ ରୂପେ ସାବ୍ୟସ୍ତ କରିବା ପୂର୍ବରୁ ହତ୍ୟା ଘଟିଥିବା ସାବ୍ୟସ୍ତ ହେବା ଆବଶ୍ୟକ। ଯଦି ମୃତ ଦେହର କୌଣସି ଚିହ୍ନବର୍ଣ୍ଣ ନମିଳେ, ତେବେ ସନ୍ଦେହ ଯେତେ ଦୃଢ଼ ହେଲେ ମଧୢ କାହାକୁ ହତ୍ୟାକାରୀ ରୂପେ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ। ପ୍ରକୃତିଗତ ନରହନ୍ତାମାନେ ବେଳେବେଳେ ବାସ୍ତବରେ ଏହି ନିୟମର ସାହାଯ୍ୟ ନେଇ ଆଇନ ହାତରୁ ଖସିଯିବାକୁ ଚେଷ୍ଟା କରିବାର ଉଦାହରଣମାନ ସହିତ ଅପରାଧ ଆଇନର ଛାତ୍ରମାନେ ସୁପରିଚିତ। ବୋଧହୁଏ ଏହି ପରିପ୍ରେକ୍ଷୀରେ ସର୍ବାଧିକ ପରିଚିତ ଚରିତ୍ର ହେଉଛି ଇ˚ଲାଣ୍ତର ‘ସିରିଆଲ୍‌ କିଲର‌୍‌’ ବା ଧାରାବାହିକ ହତ୍ୟାକାରୀ ଜନ୍‌ ଜର୍ଜ ହେଗ୍‌। ସେ ଶେଷରେ ଧରାପଡ଼ିବା ପରେ ସ୍ବୀକାର କରିଥିଲା ଯେ ଏହି ନିୟମର ଆଶ୍ରୟ ନେଇ ସେ ନ’ଜଣଙ୍କୁ ହତ୍ୟା କରିଥିଲା। କିନ୍ତୁ ଏହି ‘କର୍ପସ୍‌ ଡେଲିକ୍ଟି’ ନିୟମ ଅନୁସାରେ ପୁଲିସ୍‌ କେବଳ ଛ’ଜଣଙ୍କର ହତ୍ୟା ଘଟିଥିବା ସାବ୍ୟସ୍ତ କରି ପାରିଥିଲା। ମନେହୁଏ ପ୍ରିନ୍‌ସ ସଲ୍‌ମାନ୍‌ ଇସ୍ତାନ୍‌ବୁଲ୍‌ସ୍ଥିତ ସାଉଦୀ ଦୂତାବାସରେ ବିରୋଧୀ ପତ୍ରକାର ଜମାଲ୍‌ ଖାସୋଜିଙ୍କ ହତ୍ୟାକାଣ୍ତ ରଚନା କରିବାରେ ଏହି ଜନ୍‌ ହେଗ୍‌ଙ୍କୁ ନିଜର ଆଦର୍ଶ ରୂପେ ଅନୁକରଣ କରିଛନ୍ତି।

ତା’ର ଅପରାଧମାନଙ୍କର ବିଚାର ହୋଇ ୧୯୪୯ରେ ଜନ୍‌ ହେଗ୍‌ ଫାଶୀ ପାଇବା ପୂର୍ବରୁ ସେ ଯେଉଁମାନଙ୍କୁ ହତ୍ୟା କରିଥିଲା ସେମାନଙ୍କ ଶରୀରକୁ ଏସିଡ୍‌ ଭର୍ତ୍ତି କୁଣ୍ତରେ ପକାଇ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରି ଦେବାକୁ ଉଦ୍ୟମ କରିଥିଲା। ଉଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସେ ଗୁଳି କରି କିମ୍ବା ପିଟି ପିଟି ମାରିଦେବା ପରେ ମୃତ ଦେହକୁ ଏକ ବିଶୁଦ୍ଧ ସଲ୍‌ଫୁରିକ୍‌ ଏସିଡ୍‌ ଭର୍ତ୍ତି କୁଣ୍ତରେ ପକାଇ ରଖେ ଯାହା ଫଳରେ ମୃତ ଦେହ ଏସିଡ୍‌ରେ ସମ୍ପୂର୍ଣ୍ଣ ମିଳେଇ ଯାଏ। ପରେ ସେ ମୃତକଙ୍କର କାଗଜପତ୍ର ଜାଲ୍‌ କରି ତାଙ୍କର ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି ଦଖଲ କରିନେଉଥିଲା। ତୁର୍କୀ ସରକାରୀ ସୂତ୍ରରୁ ପ୍ରକାଶିତ ବିଭିନ୍ନ ସୂଚନା ଅନୁସାରେ ଅକ୍ଟୋବର ୨ ତାରିଖରେ ଇସ୍ତାନବୁଲ୍‌ସ୍ଥିତ ସାଉଦୀ କନ୍‌ସୁଲେଟ୍‌ ଭିତରକୁ ଖାସୋଜି ପ୍ରବେଶ କଲା ପରେ ସେଠାରେ ପୂର୍ବରୁ ଅପେକ୍ଷା କରି ରହିଥିବା ସାଉଦୀ ଘାତକମାନେ ତାଙ୍କୁ ହତ୍ୟା କରି ତାଙ୍କର ଶରୀରକୁ ଖଣ୍ତ ଖଣ୍ତ କରି ସଲ୍‌ଫୁରିକ୍‌ ଏସିଡ୍‌ କୁଣ୍ତରେ ପକାଇ ମିଳେଇ ଦେଇଥିଲେ। ଆଉ ଜନ୍‌ ହେଗ୍‌ର ଜାଲି କୌଶଳକୁ ଅନୁକରଣ କଲା ଭଳି ଅନ୍ୟ ଜଣେ ଲୋକକୁ ଖାସୋଜିଙ୍କ ପୋଷାକ ପିନ୍ଧାଇ କନ୍‌ସୁଲେଟ୍‌ ବାହାରକୁ ଚାଲିଯିବାର ଦୃଶ୍ୟ ମଧୢ ଅଭିନୀତ କରାଯାଇଥିଲା।

କେବଳ ତୁର୍କୀର ପୁଲିସ୍‌ ନୁହେଁ ଆମେରିକାର ‘ସିଆଇଏ’ ମଧୢ ପ୍ରିନ୍‌ସ ସଲ୍‌ମାନ୍‌ଙ୍କୁ ଏ ହତ୍ୟାକାଣ୍ତର ମୁଖ୍ୟ ରଚନାକାରୀ ରୂପେ ସୂଚନା ପ୍ରଦାନ କରିଛି। କିନ୍ତୁ ନ୍ୟସ୍ତ ସ୍ବାର୍ଥ ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ‘ସିଆଇଏ’ ରିପୋର୍ଟକୁ ମଧୢ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଆନ୍ତର୍ଜାତିକ ସମୁଦାୟ ଊଣା ଅଧିକେ ପ୍ରିନ୍‌ସ ସଲ୍‌ମାନ୍‌ଙ୍କୁ ହିଁ ଖାସୋଜି ହତ୍ୟାକାରୀ ରୂପେ ବିଶ୍ବାସ କରିଥାନ୍ତି। ତେଣୁ ଜି-୨୦ ସମ୍ମିଳନୀରେ ସଲ୍‌ମାନ୍‌ଙ୍କ ପ୍ରତି ଅନ୍ୟ ନେତାମାନଙ୍କର ଆଭିମୁଖ୍ୟ କିଭଳି ହେବ ଦେଖିବାକୁ ସାରା ପୃଥିବୀ ଅପେକ୍ଷା କରି ରହିଥିଲା। ଏହି ପୃଷ୍ଠପଟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ପ୍ରିନ୍‌ସ ସଲ୍‌ମାନ୍‌ଙ୍କ ସହ ମିଶି ଭାରତରେ ସାଉଦୀ ପୁଞ୍ଜିନିବେଶ ସମ୍ବନ୍ଧରେ ଆଲୋଚନା କରିବା ପ୍ରିନ୍‌ସ ସଲ୍‌ମାନ୍‌ଙ୍କୁ ସେଇଭଳି ମର୍ଯ୍ୟାଦା ପ୍ରଦାନ କରିଛି ଯେମିତି ତାଙ୍କ ସହିତ ମିଶି ଗୁଡ଼ି ଉଡ଼ାଇବା ସଲ୍‌ମାନ୍‌ ଖାନ୍‌ଙ୍କୁ ପ୍ରଦାନ କରିଥିଲା। ଭାରତରେ ପୁଞ୍ଜିନିବେଶ ଆକାର ଅନୁସାରେ ସାଉଦୀ ଆରବର ସ୍ଥାନ ହେଉଛି ୪୮ତମ ମାତ୍ର। ୨୦୦୦ରୁ ୨୦୧୬ ମଧୢରେ ସାଉଦୀ ଆରବ ଭାରତରେ ନିବେଶ କରିଛି ମୋଟ ୬୪ ନିୟୁତ ଡଲାର‌୍‌ ମାତ୍ର। ଏହା ହିଁ କ’ଣ ଭାରତର ନୈତିକତାର ବିକ୍ରୟ ମୂଲ୍ୟ?

ସମ୍ବନ୍ଧିତ ଖବର