ଫେଲ୍‌ ପିଲା

‘‘ଆମ ସମସ୍ତଙ୍କ ପାଇଁ ମିଠା ଖବର। ଆମେ ଅତ୍ୟନ୍ତ ଖୁସି ଓ ଗର୍ବିତ ଯେ ବେଙ୍ଗଲ୍‌କୁ ରସଗୋଲା ପାଇଁ ଜିଆଇ (ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌୍‌) ମର୍ଯ୍ୟାଦା ପ୍ରଦାନ କରାଯାଇଛି।’’ ଏହା ହେଉଛି ବେଙ୍ଗଲ୍‌ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କରିଥିବା ଟ୍ଵିଟ୍‌। ମଙ୍ଗଳବାର ଦିନ ରସଗୋଲାର ଉତ୍ପତ୍ତିକୁ ନେଇ ଓଡ଼ିଶା ଓ ବେଙ୍ଗଲ୍‌ ମଧ୍ୟରେ ଦୁଇ ବର୍ଷ ଧରି ଚାଲିଥିବା ଟଣାଓଟରାରେ ଅନ୍ତ ଘଟାଇ ସମ୍ପୃକ୍ତ କର୍ତ୍ତୃପକ୍ଷ ବେଙ୍ଗଲ୍‌କୁ ରସଗୋଲାର ‘ଜିଆଇ’ ପ୍ରଦାନ କରିବା ପରେ ପରେ ମମତା ବାନାର୍ଜୀ ଏହି ଟ୍ଵିଟ୍‌ ପ୍ରସାର କରି ସେ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏହାପରେ ଏଥିପାଇଁ ସେ ରାଜ୍ୟରେ ଉତ୍ସବ ପାଳନ କରାଯିବ କି ନାହିଁ ତାହା ଜଣାପଡ଼ିନାହିଁ, କିନ୍ତୁ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ସଫଳତା ଆଶା କରି ଛାତ୍ରଟିଏ ଉତ୍ସବ ପାଳନ କଲାଭଳି ୨୦୧୫ଠାରୁ ଓଡ଼ିଶା ବହୁ ଆଡ଼ମ୍ବର ସହକାରେ ‘ରସଗୋଲା ଦିବସ’ ପାଳନ କରି ଆସୁଛି। ବର୍ତ୍ତମାନ ଫଳ ପ୍ରକାଶ ପରେ ଜଣାପଡୁଛି ଛାତ୍ରଟି କେବଳ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛି ତାହା ନୁହେଁ, ସେ ମୂଳରୁ ପରୀକ୍ଷା ହିଁ ଦେଇନାହିଁ। ଅର୍ଥାତ୍‌ ଓଡ଼ିଶା ସରକାର ରସଗୋଲା ପାଇଁ ଜିଆଇ ମାନ୍ୟତା ଓଡ଼ିଶାକୁ ପ୍ରଦାନ କରାଯିବା ପାଇଁ ମୂଳରୁ ଆବେଦନ ହିଁ କରିନାହାନ୍ତି। ଛାତ୍ରଟିର ପିତା-ମାତା ସେ ପରୀକ୍ଷା ଦେଇ ନଥିବା ନେଇ ଅନ୍ଧାରରେ ଥିବା ଭଳି ଓଡ଼ିଶା ରାଜ୍ୟବାସୀ ଏ ଆବେଦନ କରାଯାଇ ନଥିବା ନେଇ ଅନ୍ଧାରରେ ଥିଲେ।

‘ଜିଆଇ’ର ମହତ୍ତ୍ୱ ହେଉଛି ଏହା ଯେ ଏକ ପୁସ୍ତକର କପିରାଇଟ୍‌ କିମ୍ବା ଏକ ଔଷଧର ପେଟେଣ୍ଟ୍‌ ଭଳି ଜିଆଇ ମାନ୍ୟତା ଏକ ନିର୍ଦ୍ଦିଷ୍ଟ ପଦାର୍ଥ ଉପରେ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳର ବୌଦ୍ଧିକ ଅଧିକାରକୁ ବିଧିବଦ୍ଧ ଆଇନଗତ ସ୍ୱୀକୃତି ପ୍ରଦାନ କରିଥାଏ। ବିଶ୍ୱବାଣିଜ୍ୟ ସଂଗଠନ (ଡବ୍‌ଲ୍ୟୁଟିଓ) ଅନ୍ତର୍ଗତ ବୌଦ୍ଧିକ ଅଧିକାର ସମ୍ପର୍କିତ ବାଣିଜ୍ୟ ପ୍ରତି ଲାଗୁ ହେଉଥିବା  ‘ଟ୍ରିପ୍‌ସ୍‌’ ନିୟମକାନୁନ୍‌ର ଅନ୍ତର୍ଗତ ଏହି ‘ଜିଆଇ’ ଏକ ଲିଖିତ ଆକାର ବା ଚିତ୍ର ଆକାର ଧାରଣ କରିପାରେ। ଉଦାହରଣ ସ୍ୱରୂପ ବେଙ୍ଗଲ୍‌ର ଦାର୍ଜିଲିଂଠାରେ ଉତ୍ପନ୍ନ ଚା’କେବଳ ‘ଦାର୍ଜିଲିଂ’ ନାମ ବହନ କରି ବଜାରରେ ପ୍ରବେଶ କରିପାରିବ, ଅନ୍ୟ କୌଣସି ଅଞ୍ଚଳର ବା ରାଜ୍ୟର ବା ଦେଶର ଚା’ର ଏହା ସହ ସାଦୃଶ୍ୟ ଥିଲେ ମଧ୍ୟ ତାହା ‘ଦାର୍ଜିଲିଂ’ ନାମ ବହନ କରି ପାରିବ ନାହିଁ। ଏଭଳି ସ୍ୱୀକୃତି ପ୍ରଦାନ କରାଯିବା ପଛରେ ନିହିତ ଥିବା ଯୁକ୍ତି ହେଲା ସେଇ ଅଞ୍ଚଳ (ସହର, ରାଜ୍ୟ, ଦେଶ ଇତ୍ୟାଦି)ରେ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ପ୍ରସ୍ତୁତ ପଦାର୍ଥ ଏକ ସ୍ୱତନ୍ତ୍ର ଗୁଣବତ୍ତା ବହନ କରିଥାଏ ଯାହା ଯୋଗୁଁ ପଦାର୍ଥଟି ପ୍ରସିଦ୍ଧି ଲାଭ କରିଥାଏ। ଏହି ଜିଆଇ ସ୍ୱୀକୃତି ପାଇବା ପରେ ଅନ୍ୟ କୌଣସି ପଦାର୍ଥକୁ ସେଇ ନାମରେ ବିକ୍ରୟ କରାଯାଇ ପାରିବ ନାହିଁ। ଯେମିତି ଫ୍ରାନ୍‌ସର ସାମ୍ପେନ୍‌ ଅଞ୍ଚଳ ବାହାରେ ସେଇ ଅଙ୍ଗୁରରୁ ପ୍ରସ୍ତୁତ କୌଣସି ଶ୍ୱେତବର୍ଣ୍ଣ ସୁରାକୁ ‘ସାମ୍ପେନ୍‌’ ନାମ ଦିଆଯାଇନଥାଏ କିମ୍ବା ସ୍କଟ୍‌ଲାଣ୍ଡ୍‌ ବାହାରେ ସେଇ ବାର୍ଲିରୁ ପ୍ରସ୍ତୁତ କୌଣସି ହ୍ଵିସ୍କିକୁ ‘ସ୍କଚ୍‌’ କୁହାଯାଇ ନଥାଏ। ବ୍ୟବସାୟ ଦୃଷ୍ଟିରୁ ସମ୍ପୃକ୍ତ ପଦାର୍ଥ ପାଇଁ ଜିଆଇ ଯେ ଅତ୍ୟନ୍ତ ଉପଯୋଗୀ ତାହା ସ୍ପଷ୍ଟ। ‘ଜିଆଇ’ ସମ୍ପୃକ୍ତ ପଦାର୍ଥ ବଜାରରେ ସମ୍ମୁଖୀନ ହେଉଥିବା ପ୍ରତିଯୋଗିତାକୁ ସଙ୍କୁଚିତ କରିଦେଇ ଏହାର ଉତ୍ପାଦନ- ବା ଯୋଗାଣକାରୀ ମାନଙ୍କୁ ଏକପ୍ରକାର ଏକଚାଟିଆ ଅଧିକାର ପ୍ରଦାନ କରିଥାଏ।

ଚେନ୍ନାଇସ୍ଥିତ ‘ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ (ଜିଆଇ) ରେଜିଷ୍ଟ୍ରି ଆଣ୍ଡ୍‌ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ଇଣ୍ଡିଆ’ ନାମକ ସଂସ୍ଥା ମଙ୍ଗଳବାର ଦିନ ତାମିଲନାଡୁର ମାମଲ୍ଲାପୁରମ୍‌ ପଥର ସ୍ଥାପତ୍ୟ ଏବଂ ପଶ୍ଚିମବଙ୍ଗର ‘ବାଂଲାର ରସୋଗୋଲ୍ଲା’କୁ ‘ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ ଟ୍ୟାଗ୍‌’ ମର୍ଯ୍ୟାଦା ପ୍ରଦାନ କରିଛି। ରସଗୋଲା ବଙ୍ଗଳାରେ ଉଦ୍ଭାବିତ ହୋଇଥିଲା ବୋଲି ଦାବି କରି ପଶ୍ଚିମବଙ୍ଗ ଓଡ଼ିଶା ସହିତ ଏକ ଭିଡ଼ା ଓଟରା ଚଳାଇ ଆସିଥିଲା। ଏହି ଭିଡ଼ା ଓଟରା ଚାଲିଥିବା ବେଳେ କେବଳ ଝଗଡ଼ାରେ ନ ମାତି ୨୦୧୫ ସେପ୍‌ଟେମ୍ବର ୮ ତାରିଖରେ ପଶ୍ଚିମବଙ୍ଗ ସରକାରଙ୍କର ଫୁଡ୍‌ ପ୍ରସେସିଙ୍ଗ୍‌ ଇଣ୍ଡଷ୍ଟ୍ରି ନିର୍ଦ୍ଦେଶାଳୟ ରସଗୋଲା ପାଇଁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି କରି ଉପରୋକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଆବେଦନ ଦାଖଲ କରିଦେଇଥିଲେ। ଏଥିପାଇଁ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ପ୍ରକ୍ରିୟା ଅବଲମ୍ବନ  (ଦାବିକୁ ପରୀକ୍ଷା କରି ଏହା ବିରୁଦ୍ଧରେ ପ୍ରତିବାଦ ଗ୍ରହଣ କରିବା, ଶୁଣାଣି ଅନୁଷ୍ଠିତ କରିବା, ପ୍ରତିପକ୍ଷର ମତକୁ ବିଚାରକୁ ନେବା ଏବଂ ଅପିଲ୍‌ ବିଚାର କରିବା) କରିବା ପରେ ୨୦୧୭ ଜୁଲାଇ ୧୪ ତାରିଖରେ ଏହା ଜିଆଇ ଜର୍ଣ୍ଣାଲ୍‌ ସଂଖ୍ୟା ୯୯ରେ ପ୍ରକାଶ ପାଇଥିଲା, ଅର୍ଥାତ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଜୁଲାଇ ୬ ତାରିଖରେ ‘ଓଡ଼ିଶାରେ ରସଗୋଲା ଦିବସ ପାଳିତ ହେବାର ଠିକ୍‌ ସପ୍ତାହକ ପରେ।

ଯାହା ବର୍ତ୍ତମାନ ବ୍ୟାପକ ଭାବରେ ପ୍ରଚାରିତ, ପଶ୍ଚିମବଙ୍ଗ ଦାବି କରୁଛି ଯେ ରସଗୋଲାର ଉତ୍ପତ୍ତି ସ୍ଥଳ ହେଉଛି କଲିକତା ଏବଂ ୧୮୯୬ରେ ମିଷ୍ଟାନ୍ନ ନିର୍ମାତା ନବୀନ ଚନ୍ଦ୍ର ଦାସ ଏହାର ଉଦ୍ଭାବନ କରିଥିଲେ। ଏହାକୁ ସାବ୍ୟସ୍ତ କରିବା ପାଇଁ ପଶ୍ଚିମବଙ୍ଗ ସରକାର ବିଭିନ୍ନ ଐତିହାସିକ ନଥିପତ୍ର ମାନ ପେସ୍‌ କରିଥିଲେ। ରସଗୋଲା ସହିତ ବେଙ୍ଗଲର ଘନିଷ୍ଠ ସମ୍ପର୍କ ପ୍ରମାଣିତ କରିବା ପାଇଁ ସେ ରାଜ୍ୟ ସରକାର ଅନ୍ୟ ଯେଉଁ ସବୁ ନଥିପତ୍ର ଦାଖଲ କରିଥିଲେ ସେଥିରେ ନଦିଆ ଜିଲ୍ଲାର ଫୁଲିଆ ଗ୍ରାମର ଜନୈକ ମିଷ୍ଟାନ୍ନ ପ୍ରସ୍ତୁତକର୍ତ୍ତା ହାରାଧନଙ୍କୁ ମଧ୍ୟ ଏହାର ଉଦ୍ଭାବନ ସହିତ ସମ୍ପୃକ୍ତ କରାଯାଇଛି। ପଶ୍ଚିମବଙ୍ଗ ସରକାର ନିଜର ଦାବି ସପକ୍ଷରେ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରାୟ ଅଧଡଜନ ସରିକି ଏପରି ଐତିହାସିକ ପ୍ରମାଣ ଦାଖଲ କରି ନିଜ ସପକ୍ଷରେ ଏହି ନିର୍ଦ୍ଦେଶ ହସ୍ତଗତ କରିବାରେ ସଫଳ ହୋଇଛନ୍ତି।

ଅପରପକ୍ଷେ ଓଡ଼ିଶାର ଦାବି ଅନୁସାରେ ବେଙ୍ଗଲରେ ରସଗୋଲାର ଆବିର୍ଭାବର ବହୁ ପୂର୍ବରୁ ୧୩ଶ ଶତାବ୍ଦୀରେ ପୁରୀ ଠାରେ ହିଁ ରସଗୋଲାର ପ୍ରଥମ ଆବିର୍ଭାବ ଘଟିଥିଲା। ଜଗନ୍ନାଥ ସଂସ୍କୃତି ସହିତ ଏହାର ଅଭିନ୍ନ ସମ୍ପର୍କ ବର୍ତ୍ତମାନ ବହୁ ପ୍ରଚାରିତ। କିଂବଦନ୍ତି ଅନୁସାରେ ରଥଯାତ୍ରା ପରେ ଘରବାହୁଡ଼ା ବା ନୀଳାଦ୍ରି ବିଜେ ଅବସରରେ ରୋଷ ଜର୍ଜରିତ ମହାଲକ୍ଷ୍ମୀକୁ ମନାଇବା ପାଇଁ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ରସଗୋଲା ଖାଇବାକୁ ଦେଇଥିଲେ। ବିଶିଷ୍ଟ ସାଂସ୍କୃତିକ ଅନୁସନ୍ଧାନ ଗବେଷକ ଅସିତ ମହାନ୍ତି ବହୁ ପରିଶ୍ରମ କରି ଓଡ଼ିଶାର ପୁରାଣ ସାହିତ୍ୟ, ପୋଥିପତ୍ରରେ ରସଗୋଲାର ଉପସ୍ଥିତି ଆବିଷ୍କାର କରି ଏହା ଓଡ଼ିଶାର ନିଜସ୍ୱ ଉଦ୍ଭାବନ ବୋଲି ତାଙ୍କର ସୁଦୀର୍ଘ ରିପୋର୍ଟରେ ଅକାଟ୍ୟ ପ୍ରମାଣ ପ୍ରଦାନ କରିଥିଲେ। କିନ୍ତୁ ଏ ରାଜ୍ୟର ଜଣାଶୁଣା ଅମଲାତାନ୍ତ୍ରିକ ଉଦାସୀନତା ଓ ଶିଥିଳତା ଯୋଗୁଁ ଓଡ଼ିଶା ପରୀକ୍ଷାରେ ପାସ୍‌ କରିବା ଦୂରେ ଥାଉ ପରୀକ୍ଷାରେ ବସି ମଧ୍ୟ ପାରିଲା ନାହିଁ।

ସମ୍ବନ୍ଧିତ ଖବର