ଗୁରୁଜ୍ଞାନ!

ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି ବୋଲି ଅନୁଭବ କରୁଥିବା ବ୍ୟକ୍ତିମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି କରିବା ପାଇଁ ଏକ କିସମର ଗୁରୁମାନଙ୍କୁ ସକ୍ରିୟ ଥିବା ଦେଖାଯାଏ, ଯେଉଁମାନଙ୍କୁ ‘ପଜିଟିଭିଟି ଗୁରୁ’ ବା ‘ସକାରାତ୍ମକ ଗୁରୁ’ ରୂପେ ଅଭିହିତ କରାଯାଇଥାଏ। ପ୍ରତ୍ୟେକ ପରିସ୍ଥିତିର ସକାରାତ୍ମକ ଦିଗ ପ୍ରତି ଧୢାନ ଦେବାର କୌଶଳ ଏହି ଗୁରୁମାନଙ୍କୁ ଜଣା ଥାଏ ବୋଲି ସେମାନେ ଦାବି କରିଥାନ୍ତି ଏବ˚ ଶିଷ୍ୟମାନଙ୍କୁ ସେମାନେ ସେଇ କୌଶଳ ଶିଖାଇଥାନ୍ତି ବୋଲି ବିଶ୍ବାସ କରାଯାଏ। ଉଦାହରଣ ସ୍ବରୂପ ଯଦି ଗାଡ଼ି ଖରାପ ହୋଇଯିବା କାରଣରୁ କୌଣସି ଶିଷ୍ୟଙ୍କୁ ଚାଲିବାକୁ ପଡ଼ିଲା, ଗୁରୁ କହିବେ ଚାଲିବା ହେଉଛି ସ୍ବାସ୍ଥ୍ୟ ପାଇଁ ଭଲ। ଯଦି କୌଣସି ଶିଷ୍ୟ କହେ ଯେ ସେ ୬୦ ବର୍ଷ ବୟସରେ ଅବସର ନେବା ପରେ ତାକୁ ବାର୍ଦ୍ଧକ୍ୟ ଗ୍ରାସ କଲା ଭଳି ମନେ ହେଉଛି, ଗୁରୁ ଉପଦେଶ ଦେଇ କହିବେ- ନିଜକୁ ୬୦ ବର୍ଷର ବୃଦ୍ଧ ନୁହେଁ, ୬୦ ବର୍ଷର ଯୁବକ ବୋଲି ମନେକର।

ଏପରି ଗୁରୁମାନେ ନିଜ ଜୀବନରେ ଯେ ପ୍ରକୃତରେ ଏ ଉପଦେଶକୁ କାର୍ଯ୍ୟକାରୀ କରନ୍ତି, ତାହା ସାଧାରଣତଃ କାହାରିକୁ ଜଣା ନଥାଏ। ଏବେ କିନ୍ତୁ ଜଣେ ‘ପଜିଟିଭିଟି ଗୁରୁ’ ଏଭଳି ସକାରାତ୍ମକ ଆଭିମୁଖ୍ୟକୁ ନିଜ ବ୍ୟକ୍ତିଗତ ଜୀବନରେ ଏପରି ଆକ୍ଷରିକ ଭାବରେ ଗ୍ରହଣ କରିବା ଦେଖାଯାଇଛି, ଯାହା ସାରା ଦୁନିଆରେ ଚହଳ ସୃଷ୍ଟି କରିଛି। ସେ ହେଉଛନ୍ତି ହଲାଣ୍ତ୍‌ର ୬୯ ବର୍ଷୀୟ ଜଣାଶୁଣା ‘ପଜିଟିଭିଟି ଗୁରୁ’ ଏମିଲ୍‌ ରାଟେଲ୍‌ବ୍ୟାଣ୍ତ୍‌। ତାଙ୍କର ଜନ୍ମ ତାରିଖ ହେଉଛି ମାର୍ଚ୍ଚ ୧୧, ୧୯୪୯। ଗତ ମାସରେ ରାଟେଲ୍‌ବ୍ୟାଣ୍ତ୍‌ ଆର୍ନହେମ୍‌ର ଏକ ଅଦାଲତରେ ଏପରି ଏକ ଆବେଦନ ପେସ୍‌ କରିଥିଲେ, ଯାହା ବିଚାରପତିମାନେ ପୂର୍ବରୁ କେବେହେଲେ ଦେଖି ନଥିଲେ। ତାଙ୍କର ପ୍ରାର୍ଥନା ଥିଲା ଯେ ତାଙ୍କର ଜନ୍ମ ତାରିଖକୁ ପରିବର୍ତ୍ତନ କରି ମାର୍ଚ୍ଚ ୧୧, ୧୯୬୯ କରିଦିଆଯାଉ। ଅର୍ଥାତ୍‌ ତାଙ୍କର ଜନ୍ମ ତାରିଖକୁ ୨୦ ବର୍ଷ ଆଗକୁ ଘୁଞ୍ଚାଇ ଆଣି ତାଙ୍କ ବୟସକୁ ୨୦ ବର୍ଷ କମ୍‌ କରିଦିଆଯାଉ।

ଏଭଳି ଉଦ୍ଭଟ ମନେ ହେଉଥିବା ଆବେଦନ ପଛରେ ରାଟେଲ୍‌ବ୍ୟାଣ୍ତ୍‌ ଯେଉଁ କାରଣ ପେସ୍‌ କରିଥିଲେ, ତାହାକୁ କିନ୍ତୁ ଆଜିକାଲି ଦୁନିଆରେ ଉଦ୍ଭଟ ରୂପେ ବିଚାର କରାଯିବ କି ନାହିଁ ତାହା ଆଉ ଏକ ବିଚାର୍ଯ୍ୟ ପ୍ରଶ୍ନ। ଆଜିର ଲିଙ୍ଗ-ସଚେତନ ଦୁନିଆରେ ‘ଏଲ୍‌ଜିବିଟି’ ଏକ ନିତ୍ୟ ବ୍ୟବହୃତ ଶବ୍ଦରେ ପରିଣତ ହୋଇ ସାରିଲାଣି। ଅନେକଙ୍କୁ କିନ୍ତୁ ଏହି ଇ˚ରେଜୀ ଅକ୍ଷରପୁଞ୍ଜିର ଶେଷ ଅକ୍ଷରଟି ଏକ ଗୋଲକଧନ୍ଦାରେ ପକାଇ ଦେଇଥାଏ। ଏହି ଅକ୍ଷର-‘ଟି’- ହେଉଛି ଇ˚ରେଜୀ ଶବ୍ଦ ‘ଟ୍ରାନ୍‌ସଜେଣ୍ତର‌୍‌’ର ପ୍ରଥମ ଅକ୍ଷର। ‘ଟ୍ରାନ୍‌ସଜେଣ୍ତର‌୍‌’ କିଏ? ସିଏ ହେଉଛନ୍ତି ସେପରି ବ୍ୟକ୍ତି ଯିଏ ନିଜକୁ ଯେଉଁ ଲିଙ୍ଗର ଅଧିକାରୀ ବୋଲି ମନେ କରନ୍ତି, ତାଙ୍କର ପ୍ରକୃତିଦତ୍ତ ଶାରୀରିକ ଲିଙ୍ଗ ହେଉଛି ତାହାଠାରୁ ଭିନ୍ନ। ଅର୍ଥାତ୍‌ ଯଦି ଜଣେ ପୁରୁଷ ଶରୀର ଧାରଣ କରୁଥିବା ବ୍ୟକ୍ତି ନିଜକୁ ଜଣେ ନାରୀ ବୋଲି ଅନୁଭବ କରନ୍ତି, ତା ହେଲେ ତାଙ୍କୁ ନାରୀ ବୋଲି ବିଚାର କରାଯାଏ ଓ ଯଦି ଜଣେ ନାରୀ ନିଜକୁ ପୁରୁଷ ବୋଲି ଅନୁଭବ କରନ୍ତି ତାଙ୍କୁ ପୁରୁଷ ରୂପେ ବିଚାର କରାଯାଏ। କେତେକ ଘଟଣାରେ ଅସ୍ତ୍ରୋପଚାର ସାହାଯ୍ୟରେ ଏପରି ବ୍ୟକ୍ତି ନିଜର ଶାରୀରିକ ଲିଙ୍ଗ ପରିବର୍ତ୍ତନ କରିବାକୁ ମଧୢ ଚେଷ୍ଟା କରିଥାନ୍ତି। ନିଜକୁ ନାରୀ ବୋଲି ଅନୁଭବ କରୁଥିବା ଜଣେ ପୁରୁଷ ଶରୀରଧାରୀଙ୍କୁ ସମାଜ ଯଦି ପୁରୁଷ ରୂପେ ବିଚାର କରେ ତାହା ତାଙ୍କ ପ୍ରତି ଲିଙ୍ଗ ବିଦ୍ବେଷ ରୂପେ ପରିଗଣିତ ହୋଇଥାଏ ଓ ଏହାର ବିପରୀତ ମଧୢ ସେଇ ଭଳି ଲିଙ୍ଗବିଦ୍ବେଷ ରୂପେ ବିବେଚିତ ହୋଇଥାଏ। କୌଣସି ଆଧୁନିକ ଉଦାର ସମାଜରେ ଏପରି ବିଦ୍ବେଷ ଗ୍ରହଣୀୟ ନୁହେଁ ଓ ଅପରାଧ ରୂପେ ଦେଖାଯାଇଥାଏ।

ରାଟେଲ୍‌ବ୍ୟାଣ୍ତ୍‌ଙ୍କର ଅଭିଯୋଗ ହେଲା ଏହି ନିୟମ ଅନୁସାରେ ଯେହେତୁ ସେ ନିଜକୁ ଜଣେ ୪୯ ବର୍ଷୀୟ କର୍ମକ୍ଷମ ବ୍ୟକ୍ତି ରୂପେ ଅନୁଭବ କରୁଛନ୍ତି, ସମାଜ ତାଙ୍କ ପ୍ରତି ଜଣେ ୬୯ ବର୍ଷୀୟ ଅବସରପ୍ରାପ୍ତ ପେନ୍‌ସନ୍‌ଭୋଗୀ ପ୍ରତି ପ୍ରଯୁଜ୍ୟ ଆଚରଣ ପ୍ରଦର୍ଶନ କରିବା ହେଉଛି ଲିଙ୍ଗଗତ ବିଦ୍ବେଷ ପରି ଏକ ବୟସଗତ ବିଦ୍ବେଷ। ଲୋକମାନେ ଯଦି ନିଜର ଲିଙ୍ଗ ଓ ନାମ ପରିବର୍ତ୍ତନ କରି ପାରୁଛନ୍ତି, ସେ କାହିଁକି ନିଜର ଜନ୍ମ ତାରିଖ ଓ ବୟସ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ରାଟେଲ୍‌ବ୍ୟାଣ୍ତ୍‌ ପ୍ରଶ୍ନ କରିଛନ୍ତି। ସେ ନିଜର ବୟସ ପରିବର୍ତ୍ତନ ଆବେଦନ ପଛରେ ମଧୢ ମଜଭୁତ କାରଣ ଉପସ୍ଥାପନ କରିଛନ୍ତି ଯେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ତାଙ୍କର ଶରୀର ଜଣେ ୪୫ ବର୍ଷୀୟ ବ୍ୟକ୍ତିର ଶରୀର ସହ ତୁଳନୀୟ ବୋଲି କହିଛନ୍ତି। ‘ପଜିଟିଭିଟି ଗୁରୁ’ଜଣକ ଏହା ତାଙ୍କର ସକାରାତ୍ମକ ଚିନ୍ତାଧାରାର ନିୟମିତ ପ୍ରୟୋଗର ସୁଫଳ ବୋଲି ଦର୍ଶାଇଛନ୍ତି। ସେ ନିଜକୁ ସର୍ବଦା ଯୁବକ ରୂପେ ଅନୁଭବ କରୁଥିବାରୁ ତାଙ୍କର ଶରୀର ମଧୢ ଯୁବ ସୁଲଭ ହୋଇଛି ବୋଲି ସେ ଦାବି କରିଛନ୍ତି।

ଏକ ଚରମ ଉଦାରପନ୍ଥୀ ଦେଶ ରୂପେ ଖ୍ୟାତ ହଲାଣ୍ତ୍‌ର ବିଚାରପତିମାନେ କିନ୍ତୁ ରାଟେଲ୍‌ବ୍ୟାଣ୍ତ୍‌ଙ୍କ ପ୍ରତି ଏ ମାମଲାରେ ଆବଶ୍ୟକ ଉଦାରତା ପ୍ରଦର୍ଶନ କରିପାରି ନାହାନ୍ତି। ସେଠାକାର ଅଦାଲତ ରାଟେଲ୍‌ବ୍ୟାଣ୍ତ୍‌ଙ୍କର ଆବେଦନର ବିଚାର କରି ତାହାକୁ ଖାରଜ କରି ଦେଇଛନ୍ତି। ଅଦାଲତ ରାଟେଲ୍‌ବ୍ୟାଣ୍ତ୍‌ଙ୍କର ଜନ୍ମ ତାରିଖ ପରିବର୍ତ୍ତନ ଜନିତ ସମ୍ଭାବ୍ୟ ବିଭ୍ରାଟମାନଙ୍କର ସମାଧାନ କିପରି ହେବ ଥଳକୂଳ ନପାଇବା ଏହାର ଏକ ମୁଖ୍ୟ କାରଣ। ଜନ୍ମ ତାରିଖରେ ପରିବର୍ତ୍ତନ କରାହେଲେ ରେକର୍ଡଖାତା ମାନଙ୍କରୁ ୨୦ ବର୍ଷ କାଳ ମଧୢରେ ଲିପିବଦ୍ଧ ହୋଇଥିବା ଜନ୍ମ, ମୃତ୍ୟୁ, ବିବାହ, ବ୍ୟାବସାୟିକ ପାର୍ଟନର‌୍‌ସିପ୍‌ ଆଦିର ରେକର୍ଡ ସବୁ ଉଭାନ୍‌ ହୋଇଯିବ ବୋଲି ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି। ଏଥିରୁ ବିଭିନ୍ନ ପ୍ରକାରର ଅବାଞ୍ଛନୀୟ ଆଇନଗତ ଓ ସାମାଜିକ ପରିଣତି ମାନ ସୃଷ୍ଟି ହେବ ବୋଲି ଅଦାଲତ ସତର୍କବାଣୀ ଶୁଣାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହିଭଳି ବିଭ୍ରାଟର ସମ୍ଭାବନା ଥିବା ସତ୍ତ୍ବେ ଚଳିତ ବର୍ଷ ଅଗଷ୍ଟରେ ଆମେରିକାରେ ଏକ ଫେଡେରାଲ୍‌ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ ଇଣ୍ତିଆନା ରାଜ୍ୟର ସ୍କୁଲ୍‌ମାନଙ୍କରେ ଟ୍ରାନ୍‌ସଜେଣ୍ତର‌୍‌ ଛାତ୍ରଛାତ୍ରୀମାନେ ସେମାନଙ୍କର ଶାରୀରିକ ନୁହେଁ ମାନସିକ ଲିଙ୍ଗ ଅନୁସାରେ ଉପଯୁକ୍ତ ଟଏଲେଟ୍‌ ବ୍ୟବହାର କରିପାରିବେ- ସରଳ ଭାବରେ କହିଲେ ଝିଅଙ୍କ ଟଏଲେଟ୍‌ରେ ପୁଅ ଓ ପୁଅଙ୍କ ଟଏଲେଟ୍‌ରେ ଝିଅମାନେ ପ୍ରବେଶ କରିପାରିବେ। ଏହା ଛାତ୍ରଛାତ୍ରୀଙ୍କ ପିତାମାତାମାନଙ୍କ ମଧୢରେ ଆତଙ୍କ ସୃଷ୍ଟି କରିଛି।

ରାଟେଲ୍‌ବ୍ୟାଣ୍ତ୍‌ଙ୍କ ଦାବି ପଛରେ ତାଙ୍କର ପ୍ରକୃତରେ କେତେ ଆନ୍ତରିକତା ରହିଛି ତାହା ଆମକୁ ଜଣାନାହିଁ। କିନ୍ତୁ ରାଟେଲ୍‌ବ୍ୟାଣ୍ତ୍‌ ଯେ ତାଙ୍କର ଅତ୍ୟନ୍ତ ଉଦାର ସମାଜ ସମ୍ମୁଖରେ ଏକ ଅତ୍ୟନ୍ତ ପ୍ରାସଙ୍ଗିକ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। କେବଳ ସେ ବାସ କରୁଥିବା ଡଚ୍‌ ସମାଜ ନୁହେଁ, ପୃଥିବୀର ଅନେକ ସମାଜ ବର୍ତ୍ତମାନ ପରିଣତ ହୋଇ ସାରିଲେଣି ୨୦୦୭ର ଓସ୍କାର ପୁରସ୍କାର ପ୍ରାପ୍ତ ହଲିଉଡ୍‌ ଫିଲ୍ମର ଶୀର୍ଷକ ଭଳି ‘ନୋ କଣ୍ଟ୍ରି ଫର‌୍‌ ଓଲ୍‌ଡ ମେନ୍‌’(‘ଏ ଦେଶ ବୃଦ୍ଧମାନଙ୍କ ପାଇଁ ନୁହେଁ)। ଲିଙ୍ଗଗତ ବିଦ୍ବେଷ ଭଳି ବରିଷ୍ଠ ନାଗରିକମାନେ ସେମାନଙ୍କର ନିତିଦିନିଆ ଜୀବନରେ ବିଭିନ୍ନ ବାଛ ବିଚାରର ସମ୍ମୁଖୀନ ହେବା ଧନୀ ଗରିବ ସବୁ ସମାଜରେ ବର୍ତ୍ତମାନ ଏକ ନିଷ୍ଠୁର ସତ୍ୟରେ ପରିଣତ ହୋଇଛି। ତେବେ ରାଟେଲ୍‌ବ୍ୟାଣ୍ତ୍‌ଙ୍କର ପ୍ରଧାନ ଅଭିଯୋଗ ହେଲା ଏହା ଯେ ଡେଟି˚ ସାଇଟ୍‌ ‘ଟିଣ୍ତର‌୍‌’ରେ ସେ ତାଙ୍କର ବୟସ ୬୯ ଲେଖିଲେ ଝିଅମାନେ ଜବାବ ଦେଉନାହାନ୍ତି; ଯଦି ସେ ବୟସ ୪୯ ଲେଖନ୍ତେ ତେବେ ପରିସ୍ଥିତି ଭିନ୍ନ ପ୍ରକାର ହୁଅନ୍ତା। ଜଣେ ‘ପଜିଟିଭିଟି ଗୁରୁ’ଙ୍କର ଏ ସମସ୍ୟାର ପଜିଟିଭ୍‌ ସମାଧାନ ଅନ୍ୟ ‘ପଜିଟିଭିଟି ଗୁରୁ’ମାନେ ବାହାର କରନ୍ତୁ। ତାହା ହେବ ଅସଲ ଗୁରୁଜ୍ଞାନ।

ସମ୍ବନ୍ଧିତ ଖବର