ପବନରେ ଜହର

ଦେଶର ରାଜଧାନୀ ସହର ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ବର୍ଷର ଅନେକ ଦିନ ଖବରକାଗଜର ଶିରୋନାମାରେ ରହେ। ପବନରେ ଜହର ଭୟରେ ମୁହଁରେ ତୁଣ୍ତି ବାନ୍ଧି ଯାତାୟତ କରୁଥିବା ଦିଲ୍ଲୀବାସୀଙ୍କ ଚିତ୍ର ସହ ଟେଲିଭିଜନରେ ବାୟୁ ପ୍ରଦୂଷଣର ଭୟାବହତା ନେଇ ଉଦ୍‌ବିଗ୍ନ ବିଶେଷଜ୍ଞ ଓ ସରକାରୀ କଳର ପ୍ରତିନିଧିଙ୍କ ମଧୢରେ ବିତର୍କ ବେଶ୍‌ ଉଷ୍ମତା ସୃଷ୍ଟି କରେ। ଅଥଚ, ରାଜଧାନୀର ପବନରେ ଜହରର ରାଜୁତି ଯେମିତିକୁ ସେମିତି ଜାରି ରହେ। ବାୟୁ ପ୍ରଦୂଷଣ ନେଇ ଗତ ବର୍ଷ ଯେଉଁ ସ୍ଥିତି ଥିଲା, ଏ ବର୍ଷ ମଧୢ ସେହି ସ୍ଥିତି, ପରବର୍ତ୍ତୀ ବର୍ଷ ମଧୢ ସେହି ସମାନ ଅବସ୍ଥା। ସେପ୍‌ଟେମ୍ବରରେ ମୌସୁମୀ ବିଦାୟ ନେଲା ପରେ ପୁଣି ପରବର୍ତ୍ତୀ ବର୍ଷ ଜୁନ୍‌ରେ ମୌସୁମୀର ଆଗମନ ପର୍ଯ୍ୟନ୍ତ ଦିଲ୍ଲୀବାସୀଙ୍କ ଏହି ଜହର ମିଶା ପବନରୁ ତ୍ରାହି ନାହିଁ। ତେବେ କେବଳ ଦିଲ୍ଲୀ ନୁହେଁ, ଦେଶର ୧୨୪ଟି ସହରରେ ବାୟୁ ପ୍ରଦୂଷଣ ଅନୁମୋଦିତ ମାତ୍ରାରୁ ଅଧିକ। ବିଶ୍ବର ସର୍ବାଧିକ ବାୟୁ ପ୍ରଦୂଷିତ ୧୨ଟି ସହର ତାଲିକାରେ ଭାରତର ୧୧ଟି ସହର ସ୍ଥାନ ପାଇବା ଦେଶର ସହରାଞ୍ଚଳ ଲୋକେ ନିଃଶ୍ବାସ-ପ୍ରଶ୍ବାସ ନେଉଥିବା ପବନ କେତେ ମାତ୍ରାରେ ଅସ୍ବାସ୍ଥ୍ୟକର, ସ୍ବତଃ ତା’ର ସୂଚନା ଦେଉଛି। ଅବଶ୍ୟ, ବାୟୁ ପ୍ରଦୂଷଣର ପ୍ରାର୍ଦୁଭାବ କେବଳ ସହରାଞ୍ଚଳରେ ସୀମିତ ନୁହେଁ। ଦେଶର ଗ୍ରାମୀଣ ଜନସାଧାରଣ ମଧୢ ଏହାର ଘାତକ ପ୍ରାର୍ଦୁଭାବର ଶିକାର। ଦେଶର ୧୦୦ଟି ଗବେଷଣା ସ˚ସ୍ଥାର ତିନିଶହରୁ ଅଧିକ ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୭୭% ଭାରତୀୟ, ଅର୍ଥାତ୍‌ ପ୍ରତି ଚାରିଜଣରେ ତିନିଜଣ ବାୟୁ ପ୍ରଦୂଷଣ ଦ୍ବାରା ପ୍ରଭାବିତ।

ତେବେ ବିଡ଼ମ୍ବନା ହେଲା, ବାୟୁ ପ୍ରଦୂଷଣର ଘାତକ ଭୟାବହତା ନେଇ ଗଣମାଧୢମରେ ଆଲୋଚନା ହେଉଛି, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରି ଏହାର ବିପଜ୍ଜନକ ପରିଣାମ ପ୍ରତି ଆଗୁଆ ସତର୍କ କରାଉଛନ୍ତି, ପ୍ରଦୂଷଣ ଉପରେ ଅଙ୍କୁଶ ସକାଶେ ମଧୢ ଜନମତ ପ୍ରଖର। ଅଥଚ, ନା ସରକାରୀ ନୀତି, କାର୍ଯ୍ୟକ୍ରମରେ ନା ସାଧାରଣ ଜନତାଙ୍କ ଦୈନନ୍ଦିନ ଆଚରଣରେ ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି। ଦେଶର ୭୭ ପ୍ରତିଶତ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ବାୟୁ ପ୍ରଦୂଷଣ ଯଦି ନିୟନ୍ତ୍ରଣରେ ନ ରହେ, ତେବେ ଏହାର ପରିଣାମ କ’ଣ ହେବ? ପୂର୍ବରୁ ଉଲ୍ଲିଖିତ ‘ଇଣ୍ତିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ’ ତତ୍ତ୍ବାବଧାନରେ ବିଭିନ୍ନ ୧୦୦ଟି ସ˚ସ୍ଥାର ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ ଭୟାବହ ବାୟୁ ପ୍ରଦୂଷଣର ଚିତ୍ର ସହ ଏହାର ଘାତକ ପରିଣାମର ଚିତ୍ର ମଧୢ ରହିଛି। ସ୍ବାସ୍ଥ୍ୟ-ବିଜ୍ଞାନ ପତ୍ରିକା ‘ଲାନ୍‌ସେଟ୍‌ ପ୍ଲାନେଟାରା ହେଲ୍‌ଥ’ରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ଗତ ୨୦୧୭ରେ ଦେଶରେ ବାୟୁ ପ୍ରଦୂଷଣ ୧୨ ଲକ୍ଷ ୪୦ ହଜାର ଜୀବନ ନେଇଥିଲା। କେବଳ ଘର ବାହାରେ ପବନରେ ଜହର ନାହିଁ, ଘର ଭିତର ପବନରେ ମଧୢ ବିଷ ମିଶିଛିି। ଫଳରେ ବାହାରର ବାୟୁ ପ୍ରଦୂଷଣ ଯୋଗୁ ୭ ଲକ୍ଷ ୫୦ ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଘର ଭିତରର ପ୍ରଦୂଷଣ ୪ ଲକ୍ଷ ୮୦ ହଜାରଙ୍କ ଜୀବନ ହାନିର କାରଣ ହୋଇଛି। ଦେଶରେ ଶିଶୁ ମୃତ୍ୟୁ ହାର ତଥାପି ଉଦ୍‌ବେଗଜନକ ସ୍ତରରେ ରହିବାର ଅନ୍ୟତମ ମୁଖ୍ୟ କାରଣ ବାୟୁ ପ୍ରଦୂଷଣ। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ତଥ୍ୟ ଅନୁଯାୟୀ ୨୦୧୭ରେ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ଅତି କମ୍‌ରେ ୧ ଲକ୍ଷ ୧୦ ହଜାର ପାଞ୍ଚବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମୃତ୍ୟୁ ଘଟିଛିି। ୧.୧୦ ଲକ୍ଷ ଶିଶୁଙ୍କ ସମେତ ୧୨.୪ ଲକ୍ଷ ମୃତ୍ୟୁ ସ˚ଖ୍ୟା ବ୍ୟତୀତ ବାୟୁ ପ୍ରଦୂଷଣର ଭୟାବହତା ନେଇ ଆଉ ଦୁଇଟି ଚିନ୍ତାଜନକ ତଥ୍ୟ ମଧୢ ଉଲ୍ଲେଖର ଅପେକ୍ଷା ରଖୁଛି। ବିଷାକ୍ତ ପବନ ଯୋଗୁ ଭାରତୀୟମାନଙ୍କ ଆୟୁ ହାରାହାରି ୧ ବର୍ଷ ସାତ ମାସ କମି ଯାଉଛି। ଅର୍ଥାତ୍‌ ବାୟୁ ପ୍ରଦୂଷଣର ନିୟନ୍ତ୍ରଣ ଦ୍ବାରା ଭାରତୀୟମାନେ ହାରାହାରି ୧.୭ ବର୍ଷ ଅଧିକ ବଞ୍ଚିପାରିବେ। ଦ୍ବିତୀୟ ତଥ୍ୟ, ବିଶ୍ବ ଲୋକସ˚ଖ୍ୟାର ୧୮% ଭାରତରେ ବସବାସ କରନ୍ତି। ଅଥଚ, ବାୟୁ ପ୍ରଦୂଷଣ ଯୋଗୁ ବିଶ୍ବର ରୋଗ ଜନିତ ବୋଝର ୨୬% ଭାରତକୁ ବୋହିବାକୁ ପଡ଼ିଥାଏ। ଲୋକସ˚ଖ୍ୟା ଅନୁପାତରେ ଏହି ଅତିରିକ୍ତ ରୋଗବୋଝର ଅର୍ଥନୈତିକ-ସାମାଜିକ ପ୍ରଭାବ ମଧୢ ଦେଶ ସକାଶେ ବେଶ୍‌ ମହଙ୍ଗା। ଏକ ଆକଳନ ଅନୁଯାୟୀ ବାୟୁ ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଅର୍ଥନୈତିକ ଦୃଷ୍ଟିରୁ ଭାରତ ବାର୍ଷିକ ୩ ଲକ୍ଷ ୫୦ ହଜାର କୋଟି ଟଙ୍କା କ୍ଷତି ସହୁଛି; ଯାହା ଜିଡିପିର ୩.୫%ରୁ ଅଧିକ।

ଆହୁରି ଚିନ୍ତାର ବିଷୟ ହେଲା, ସଦ୍ୟ ପ୍ରକାଶିତ ରିପୋର୍ଟରେ ବାୟୁ ପ୍ରଦୂଷଣର ଭୟାବହତା ଏବ˚ ଏହାର ଘାତକ ପରିଣାମର ଯେଉଁ ଚିତ୍ର ପ୍ରଦାନ କରାଯାଇଛି, ଆଗାମୀ ଦିନରେ ସେହି ଚିତ୍ର ଆହୁରି ଅଧିକ ଭୟାନକ ଏବ˚ ଘାତକ ହେବା ଆଶଙ୍କା ରହିଛି। ଅର୍ଥାତ୍‌ ଅବସ୍ଥାରେ ଉନ୍ନତି ପରିବର୍ତ୍ତେ ଅଧିକ ଶୋଚନୀୟ ହେବ; ଯାହା ବାୟୁ ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟ ସମସ୍ୟାକୁ ଅଧିକ ଜଟିଳ ଓ ଗୁରୁତର କରିବ। ୨୦୧୩ ବେଳକୁ ବିଶ୍ବରେ ମୋଟ ଯେତିକି ଶକ୍ତି ବ୍ୟବହାର ହେଉଥିଲା, ସେଥିରୁ ଭାରତର ଭାଗ ଥିଲା ୬%। ଭାରତର ଶକ୍ତି ଚାହିଦା ୨୦୪୦ ବେଳକୁ ବିଶ୍ବ ଚାହିଦାର ୧୧%କୁ ବୃଦ୍ଧି ପାଇବ। ମୁଖ୍ୟତଃ କୋଇଲା ଏବ˚ ତୈଳ ଭଳି ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନରୁ ଏହି ଶକ୍ତି ଆସିବ। ଫଳରେ ବାୟୁ ପ୍ରଦୂଷଣର ମାତ୍ରା ଆହୁରି ଅଧିକ ଘାତକ ହୋଇପାରେ। ଘର ଭିତରେ ବାୟୁ ପ୍ରଦୂଷଣ ଲାଗି ରୋଷେଇରେ ବ୍ୟବହାର ହେଉଥିବା କଠିନ ଜାଳେଣି ମୁଖ୍ୟତଃ ଦାୟୀ। ବର୍ତ୍ତମାନ ବି ଦେଶର ୫୪% ପରିବାର କାଠ, ଘଷି, କୋଇଲା ଆଦିକୁ ଜାଳେଣି ଭାବେ ବ୍ୟବହାର କରୁଛନ୍ତି; ଯାହା ଘର ଭିତର ପବନରେ ଜହର ଭରୁଛି।

ତେଣୁ ବାୟୁ ପ୍ରଦୂଷଣ ଭାରତ ପାଇଁ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା। ଏହା ଉପରେ ନିୟନ୍ତ୍ରଣ ପାଇବାକୁ ହେଲେ ସରକାରୀ ସ୍ତରରେ କିଛି ନୀତି ନିର୍ଦ୍ଧାରଣ ସହ ସାଧାରଣ ଜନତାଙ୍କ ମାନସିକତା, ଅଭ୍ୟାସରେ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ। ପେଟ୍ରୋଲ, କୋଇଲା ଭଳି ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ ଉପରେ ପ୍ରାଥମିକତା ଦେଇ ପଦକ୍ଷେପ ନେବାକୁ ହେବ। ସୌରଶକ୍ତି, ପବନ ଶକ୍ତି ଭଳି ଅଣ-ପାରମ୍ପରିକ ଶକ୍ତି ଉତ୍ପାଦନ ବୃଦ୍ଧି ଲାଗି ପ୍ରୋତ୍ସାହନ ମୂଳକ ନୀତି ପ୍ରଣୟନ ବର୍ତ୍ତମାନ ସମୟର ଆହ୍ବାନ। କାଠ, କୋଇଲା ଭଳି କଠିନ ଘରୋଇ ଜାଳେଣି ପରିବର୍ତ୍ତେ ବିକଳ୍ପ ଜାଳେଣି ପାଇଁ ଗୃହିଣୀ ମାନଙ୍କୁ ଉତ୍ସାହିତ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀଙ୍କ ‘ଉଜ୍ଜ୍ବଳା’ ଯୋଜନାରେ ୩୭ ନିୟୁତ ପରିବାରଙ୍କୁ ରନ୍ଧନ ଗ୍ୟାସ୍‌ ଯୋଗାଣ ଏ ଦିଗରେ ନିଶ୍ଚୟ ଏକ ସକାରାତ୍ମକ ପଦକ୍ଷେପ। ତେବେ ଏହି ଯୋଜନାରେ ଯେଉଁ ପରିବାରମାନଙ୍କୁ ଗ୍ୟାସ୍‌ ସିଲିଣ୍ତର ଯୋଗାଇ ଦିଆଯାଉଛି, ସେମାନଙ୍କ ମଧୢରୁ ଅଧାରୁ ଅଧିକ ପୁନର୍ବାର ଗ୍ୟାସ୍‌ ନେଉ ନାହାନ୍ତି। ଫଳରେ ଯୋଜନାର ଉଦ୍ଦେଶ୍ୟ- ଘର ଭିତରେ ପ୍ରଦୂଷଣମୁକ୍ତ ସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି- ସାଧିତ ହୋଇପାରୁ ନାହିଁ। କେବଳ ପ୍ରଥମେ ଗ୍ୟାସ୍‌ ସ˚ଯୋଗ ପ୍ରଦାନ ବେଳେ ରିହାତି ବୋଧହୁଏ ଯଥେଷ୍ଟ ନୁହେଁ। ପରବର୍ତ୍ତୀ ସମୟରେ ଗ୍ୟାସ୍‌ ସିଲିଣ୍ତର ଯୋଗାଣରେ ମଧୢ ଏହି ବର୍ଗର ମହିଳାଙ୍କ ପାଇଁ ରିହାତି ପ୍ରଦାନ ବିଷୟ ଚିନ୍ତା କରାଯାଇ ପାରେ। ଫଳରେ ଅର୍ଥନୈତିକ-ସାମାଜିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କ ମଧୢରେ ଜାଳେଣି ଭାବେ ରନ୍ଧନ ଗ୍ୟାସ୍‌ ଅଧିକ ବ୍ୟବହାର ହେବ ଏବ˚ ଘର ଭିତର ବାୟୁ ପ୍ରଦୂଷଣ କିଛି ମାତ୍ରାରେ ନିୟନ୍ତ୍ରିତ ହୋଇପାରେ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବାୟୁ ପ୍ରଦୂଷଣ ଦେଶ ପାଇଁ ଏକ ନୂଆ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ଏହାର ମୁକାବିଲା ସରକାର, ନୀତି ନିର୍ଦ୍ଧାରକଙ୍କ ପାଇଁ ଏକ ବଡ଼ ଆହ୍ବାନ।

ସମ୍ବନ୍ଧିତ ଖବର