କୁହାଯାଏ, ଗଣତନ୍ତ୍ର ଗୋଟିଏ ପକ୍ଷରେ ସୁରକ୍ଷା ପ୍ରଦାନ ଓ ପ୍ରଶ˚ସାଗାନର ବିଜ୍ଞାନ, ଅନ୍ୟପକ୍ଷରେ ପୂର୍ବାନୁମାନ ଓ ଗୋଟିଏ ମତକୁ ସିଦ୍ଧ ପ୍ରମାଣିତ କରିବାର କଳା (ଡେମୋକ୍ରେସି ଇଜ୍ ଦି ସାଇନ୍ସ ଅଫ୍ ଇନ୍ସୁଲେସନ୍ ଆଣ୍ତ୍ ଏଡୁଲେସନ୍, ଆର୍ଟ ଅଫ୍ ପ୍ରେଡିକ୍ସନ୍ ଆଣ୍ତ୍ ଭେଲିଡେସନ୍)। ପାଞ୍ଚଟି ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପରେ ଦୁଇଦିନ ହେଲା ରାଜନୈତିକ ନେତା ଓ ଦଳୀୟ ଭୋଟ ପଣ୍ତିତଙ୍କ ଦ୍ବାରା ଚାଲିଥିବା ଜନାଦେଶର ବ୍ୟବଚ୍ଛେଦ ଓ ବିଶ୍ଳେଷଣରେ ଏ ବିଜ୍ଞାନ ଓ କଳାର ପୂରା ପ୍ରୟୋଗ ଦେଖିବାକୁ ମିଳିଛି। ବିଭିନ୍ନ ପକ୍ଷ ନିଜକୁ ସୁହାଇଲା ଭଳି ଫଳାଫଳର ତର୍ଜମା କରି ଭିନ୍ନ ଭିନ୍ନ ଚିତ୍ର ଉପସ୍ଥାପନ କରୁଛନ୍ତି; ଠିକ୍ ଯେମିତି ‘ହାତୀ ଦର୍ଶନ’ ପରେ ଦୃଷ୍ଟିହୀନମାନେ ବୃହତ୍କାୟ ପ୍ରାଣୀର ପରସ୍ପରଠାରୁ ଭିନ୍ନ ରୂପ ବର୍ଣ୍ଣନା କରିଥିଲେ। ଅବଶ୍ୟ, ପାର୍ଥକ୍ୟ ଏତିକି ଯେ ହାତୀ ସମ୍ପର୍କରେ ଦୃଷ୍ଟିହୀନମାନେ ସମ୍ପୂର୍ଣ୍ଣ ବାସ୍ତବତା ଦେଖିବାକୁ ଅକ୍ଷମ ଥିଲେ, ଏଇଠି କିନ୍ତୁ ଦଳୀୟ ନେତା ଓ ପଣ୍ତିତମାନେ ଆଖି ଥାଇ ସୁଦ୍ଧା ପୂରା ସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ନାରାଜ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମେ ବିଜେପି ଦୃଷ୍ଟିକୋଣରୁ ପାଞ୍ଚଟି ରାଜ୍ୟର, ବିଶେଷକରି ଦଳ ଦ୍ବାରା ଶାସିତ ତିନିଟି ରାଜ୍ୟର ବିଧାନସଭା ଫଳାଫଳ ବିଷୟ ଆଲୋଚନା କରାଯାଉ। ତିନିଟି ଯାକ ରାଜ୍ୟ- ଛତିଶଗଡ଼, ରାଜସ୍ଥାନ ଓ ମଧୢପ୍ରଦେଶରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା, ୨୦୧୪ ପରବର୍ତ୍ତୀ କାଳରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ପଦ୍ମ ଫୁଟି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ˚ ବିଜେପି ଚାଣକ୍ୟ କୁହାଯାଉଥିବା ଦଳର ରାଷ୍ଟ୍ରୀୟ ଅଧୢକ୍ଷଙ୍କୁ ଶତ ପ୍ରତିଶତ ଶ୍ରେୟ ଦେଇ ପ୍ରଶ˚ସାରେ ପୋତି ଦିଆଯାଉଥିଲା। ଏବେ କିନ୍ତୁ ହଠାତ୍ ବଖାଣ ବଦଳି ଯାଇଛି। ଦଳର ନାଆକୁ କୂଳରେ ଲଗାଇବାରେ ବିଫଳ ହୋଇଥିଲେ ସୁଦ୍ଧା ମଙ୍ଗୁଆଳ ଯୋଡ଼ିଙ୍କୁ ଦାୟୀ କରାଯିବା ତ ଦୂରେଥାଉ, ସେମାନଙ୍କ ଆଡ଼କୁ ଦଳୀୟ ମହଲରେ ଅଙ୍ଗୁଳି ଦେଖାଇବାକୁ ବି କେହି ସାହସ କୁଳାଇ ପାରୁ ନାହାନ୍ତି। ଦୁଇ ତୁଙ୍ଗ ନେତାଙ୍କୁ ସୁରକ୍ଷା ଦେବା ପାଇଁ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଠାବୋଳା ଯାଉଛି। ସ୍ଥାନୀୟ ପ୍ରସଙ୍ଗ, ରାଜ୍ୟସ୍ତରରେ ସରକାର ବିରୋଧୀ ମନୋଭାବ (ଆଣ୍ଟିଇନ୍କମ୍ବେସି)କୁ ଦାୟୀ କରାଯାଉଛି। ଏହାହିଁ ସୁରକ୍ଷା ପ୍ରଦାନର ବିଜ୍ଞାନ। ଅବଶ୍ୟ ଏଠାରେ ଏହାର ଭ୍ରମାତ୍ମକ ପ୍ରୟୋଗ ହେଉଛି। ତିନିଟି ବିଜେପି ଶାସିତ ରାଜ୍ୟରେ ଦଳର ପରାଜୟ ପାଇଁ ରାଜ୍ୟ ନେତୃତ୍ବ ଉପରେ ଦୋଷ ଲଦି କେନ୍ଦ୍ରୀୟ ନେତୃତ୍ବ ନିଜ ଦାୟିତ୍ବ ଖସାଇ ପାରିବେ ନାହିଁ। ସଫଳତା ପାଇଁ ଶ୍ରେୟ ନେଉଥିବା ମଙ୍ଗୁଆଳଙ୍କୁ ବିଫଳତା ମୁଣ୍ତାଇବାକୁ ପଡ଼ିବ। ରାଜ୍ୟସ୍ତରରେ ସରକାର ବିରୋଧୀ ହାଵା ଯଦି ଥିଲା, ତେବେ ସେଥିରେ କେନ୍ଦ୍ର ସରକାରଙ୍କ ଅବଦାନ କିଛି କମ୍ ନୁହେଁ। ବିମୁଦ୍ରୀକରଣ, କୃଷିଜାତ ସାମଗ୍ରୀ ପାଇଁ ସହାୟକ ମୂଲ୍ୟ ଘୋଷଣାରେ ଟାଳଟୁଳ ଓ ଶେଷରେ ଉତ୍ପାଦନ ଖର୍ଚ୍ଚ ଉପରେ ୫୦% ଅଧିକ ସୂତ୍ରର ବିକୃତୀକରଣ ଜନିତ ଚାଷୀ ଅସନ୍ତୋଷ ଦଳ ପାଇଁ ମହଙ୍ଗା ପଡ଼ିଛି। ଏହାକୁ ଅସ୍ବୀକାର କରିବା ବାସ୍ତବତା ପ୍ରତି ମୁହଁ ବୁଲାଇବା ଏବ˚ ଆତ୍ମ-ପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ।
ତିନିଟି ରାଜ୍ୟର ଭୋଟ ଗଣିତ ମଧୢ ଏହି ସମାନ କଥା କହୁଛି। ଗତ ୨୦୧୩ ବିଧାନସଭା ନିର୍ବାଚନ ତୁଳନାରେ ୨୦୧୮ରେ ବିଜେପିର ଭୋଟ ଶତା˚ଶ ଯେତେ କମିଛି, ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ତା’ଠାରୁ ଅଧିକ କମିଛି। ମଧୢପ୍ରଦେଶରେ ୨୦୧୩ ବିଧାନସଭା ନିର୍ବାଚନ ତୁଳନାରେ ବିଜେପିର ଭୋଟ ଭାଗ ୩.୮୮% କମି ୪୪.୮୮ରୁ ୪୧%କୁ ହ୍ରାସ ପାଇଛି। ଯଦି ୨୦୧୪ ଲୋକସଭା ନିର୍ବାଚନର ୫୫% ଭୋଟ ଶତା˚ଶ ସହ ତୁଳନା କରାଯାଏ, ତେବେ ବିଜେପିର ଜନାଧାର ରାଜ୍ୟରେ ୧୪% ସ˚କୁଚିତ ହୋଇଛି। ଏହି ବିଶାଳ କ୍ଷତିରୁ ଏକ ବୃହତ୍ ଭାଗ ନିଶ୍ଚୟ କେନ୍ଦ୍ରୀୟ ନେତୃତ୍ବ ଓ ଦିଲ୍ଲୀରେ ଦଳର ସରକାରଙ୍କ ଖାତାକୁ ଯିବ। ଛତିଶଗଡ଼ ଓ ରାଜସ୍ଥାନରେ ମଧୢ ଚଉଦ ଲୋକସଭା ନିର୍ବାଚନ ତୁଳନାରେ ବିଜେପିର ଭୋଟ ଭାଗ ୧୨% କମିଛି। ଲୋକସଭା ନିର୍ବାଚନରେ ବିଜେପିର ଭୋଟ ଭାଗ ବୃଦ୍ଧି ପାଇଁ ଯଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମୋଦୀଙ୍କୁ ଶ୍ରେୟ ଦିଆଯାଉଥିଲା, ଏବେ ଭୋଟ ଶତା˚ଶ ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ନିରାଶାଜନକ ପ୍ରଦର୍ଶନକୁ କାହିଁକି ଦାୟୀ କରାଯିବ ନାହିଁ?- ‘ହିନ୍ଦୀ ବେଲଟ’ର ଅ˚ଶ ହିନ୍ଦୁତ୍ବର ଗଡ଼ କୁହାଯାଉଥିବା ଏହି ତିନିଟି ରାଜ୍ୟରେ ବିଜେପି ଚଉଦ ତୁଳନାରେ ୬୧.୫ ଲକ୍ଷ କମ୍ ଭୋଟ ପାଇଛି। ଅନ୍ୟ ପକ୍ଷରେ କ˚ଗ୍ରେସ ୧.୨୪ କୋଟି ଅଧିକ ଭୋଟ ପାଇଛି।
ହିନ୍ଦୁତ୍ବ ଦଳରେ ମୋଦୀ-ଶାହ ଯୋଡ଼ିଙ୍କୁ ସୁରକ୍ଷା ପ୍ରଦାନର ଜୋରସୋର କସରତ ଯେମିତି ଗଣତନ୍ତ୍ରର ପୂର୍ବୋକ୍ତ ବିଜ୍ଞାନର ଯଥାର୍ଥତା ସାବ୍ୟସ୍ତ କରୁଛି, ସେମିତି କ˚ଗ୍ରେସର ଶିବିରରେ ସଫଳତା ପାଇଁ ଅଧୢକ୍ଷ ରାହୁଲ ଗାନ୍ଧୀଙ୍କୁ ସି˚ହ ଭାଗ ଶ୍ରେୟ ଦେଇ ପ୍ରଶ˚ସାଗାନ ତାର ଆଉ ଏକ ପ୍ରମାଣ। ନିଃସନ୍ଦେହ, ଚଉଦ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ଏବ˚ ପରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ଲଗାତାର ଖରାପ ପ୍ରଦର୍ଶନର ନିରାଶାଜନକ ପୃଷ୍ଠଭୂମିରେ ବାଘ ମୁହଁରୁ ଆହାର ଛଡ଼ାଇ ଆଣିଲା ଭଳି ତିନିଟି ରାଜ୍ୟରେ ବିଜେପି ହାତରୁ କ୍ଷମତା ଛଡ଼ାଇ ଆଣିବା କ˚ଗ୍ରେସ ପକ୍ଷରେ ଏକ ବିରାଟ ଉପଲବ୍ଧି। ନିରାଶାର ଅନ୍ଧାରରେ ରାସ୍ତା ଦରାଣ୍ତୁ ଥିବା ଦଳ ହଠାତ୍ ଆଶାର ଆଲୁଅ ଦେଖିପାରିଛି। କିନ୍ତୁ ଏହାର ଆଧାରରେ ଆଗାମୀ ଦିନରେ ମଧୢ ରାହୁଲଙ୍କ ନେତୃତ୍ବରେ କ˚ଗ୍ରେସର ଗୋଲାପି ଭବିଷ୍ୟତର ପୂର୍ବାନୁମାନ ନିଶ୍ଚୟ ତରବରିଆ ଓ ଅପରିପକ୍ବ ହେବ। ପୂର୍ବାପେକ୍ଷା କ˚ଗ୍ରେସର ପ୍ରଦର୍ଶନ ନିଶ୍ଚୟ ଉନ୍ନତ ଓ ଉତ୍ସାହପ୍ରଦ। ଆଗକୁ ପଥ ତଥାପି ସହଜ ନୁହେଁ। ଅନେକ ଆହ୍ବାନ ଅପେକ୍ଷା କରିଛି। ଛତିଶଗଡ଼ ବ୍ୟତୀତ ଅନ୍ୟ ଦୁଇଟି ରାଜ୍ୟରେ କ˚ଗ୍ରେସର ସଫଳତାରେ ନିଅଣ୍ଟିଆ ରହିଯାଇଛି। ରାଜସ୍ଥାନ ଓ ମଧୢପ୍ରଦେଶରେ ଦଳକୁ ନିରଙ୍କୁଶ ସ˚ଖ୍ୟାଗରିଷ୍ଠତା ମିଳିପାରି ନାହିଁ। ଆସନ ଦୃଷ୍ଟିରୁ ଏହି ଦୁଇଟି ରାଜ୍ୟରେ କ˚ଗ୍ରେସ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ଠାରୁ ଯେତେ ଆଗୁଆ, ଭୋଟ ଶତା˚ଶରେ ସେତେ ଆଗୁଆ ନୁହେଁ। ରାଜସ୍ଥାନରେ କ˚ଗ୍ରେସ ୯୯ ଓ ବିଜେପି ୭୩ଟି ଲେଖାଁ ଆସନ ପାଇଛନ୍ତି। ଅଥଚ, କ˚ଗ୍ରେସ ୩୯.୩% ଭୋଟ ପାଇଥିବା ବେଳେ ବିଜେପିର ଭୋଟ ଶତା˚ଶ ମାତ୍ର .୫% କମ୍- ୩୮.୮%। ମଧୢପ୍ରଦେଶରେ କ˚ଗ୍ରେସ ୧୧୪ ଆସନ ସହ ବିଜେପି ଠାରୁ ୫ଟି ଆସନ ଅଧିକ ପାଇଥିଲେ ମଧୢ ବିଜେପି ଅଧିକ ପ୍ରତିଶତ ଭୋଟ ପାଇଛି। କ˚ଗ୍ରେସ ୪୦.୯% ଭୋଟ ପାଇଥିବା ବେଳେ ବିଜେପିର ଭୋଟ ଭାଗ ୪୧%। ଭୋଟ ଶତା˚ଶରେ ଏହି ନାମମାତ୍ର ବ୍ୟବଧାନ ଆଧାରରେ ଆଗାମୀ ଦିନରେ ମଧୢ କ˚ଗ୍ରେସ ଅଗ୍ରଣୀ ରହିବ ବୋଲି ପୂର୍ବାନୁମାନ ତର୍କସିଦ୍ଧ ମନେହେଉନାହିଁ।
ନିର୍ବାଚନ ଫଳାଫଳର ବିଶ୍ଳେଷଣ ପରିପ୍ରେକ୍ଷୀରେ ଭୋଟ ଗଣିତ, ସୁରକ୍ଷା ପ୍ରଦାନ, ପ୍ରଶ˚ସା ଗାନର ବିଜ୍ଞାନ ଓ ପୂର୍ବାନୁମାନର କଳା ଭିତରେ ଗଣତନ୍ତ୍ରର ମୌଳିକ ମନ୍ତ୍ରକୁ କେହି ଭୁଲି ଯିବା ଉଚିତ ନୁହେଁ। ଗଣତନ୍ତ୍ରର କେନ୍ଦ୍ରରେ ଗଣ- ସେଥିପାଇଁ ଗଣତନ୍ତ୍ର ହେଉଛି- ଲୋକଙ୍କ ପାଇଁ, ଲୋକଙ୍କ ଦ୍ବାରା ଓ ଲୋକଙ୍କର ତନ୍ତ୍ର। ଲୋକଙ୍କ ସହ ଯୋଡ଼ି ହୋଇ ଯେ ସେମାନଙ୍କ ଦୁଃଖ, ସୁଖରେ ରହି ସମସ୍ୟା ବୁଝିବ, ସେ ହିଁ ସଫଳ ହେବ। ଲୋକଙ୍କ ଦୁଃଖ, ସମସ୍ୟାଠାରୁ ବିଜେପି ସରକାର ଓ ଦଳ ଦୂରେଇ ଯାଉଥିବା ମଧୢପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ଲୋକେ ଅନୁଭବ କଲେ, ସେଥିପାଇଁ ମତଦାତା ବିକଳ୍ପ ଖୋଜିଲେ। ତେଲେଙ୍ଗାନାରେ ବିକଳ୍ପ ଖୋଜିଲେ ନାହିଁ କାହିଁକି? କାହିଁକି ସେଠାରେ ଟିଆରଏସ୍ ବିରୋଧରେ ‘ଆଣ୍ଟି ଇନ୍କମ୍ବେସି’ କାମ ଦେଲା ନାହିଁ? କାରଣ କେସିଆରଙ୍କ ସରକାର ଚାଷୀ, ମହିଳା ଆଦି ସମାଜର ବିଭିନ୍ନ ବର୍ଗର ସମସ୍ୟା ବୁଝି କଲ୍ୟାଣକାରୀ ପଦକ୍ଷେପ ନେଇଛି। ଦୁର୍ଦଶାରେ ଥିବା ଚାଷୀଙ୍କ ପାଇଁ ‘ରାୟତୁୁ ବନ୍ଧୁ’ ଯୋଜନାରେ ସେଠାରେ ଏକର ପିଛା ୮୦୦୦ ଟଙ୍କା ବିନିଯୋଗ ସହାୟତା ଦିଆଯାଉଛି। ତିନି ବିଜେପି ଶାସିତ ରାଜ୍ୟର ଫଳାଫଳରେ ତାରତମ୍ୟ ମଧୢ ଜନମଙ୍ଗଳକାରୀ କଲ୍ୟାଣ ଯୋଜନା ଯେ ଜନ ସମର୍ଥନର ମୁଖ୍ୟ ମାପକାଠି, ଏହାର ସୂଚକ। ମଧୢପ୍ରଦେଶରେ ସରକାର ବିରୋଧରେ ଭୋଟରଙ୍କ ଆକ୍ରୋଶ ଅପେକ୍ଷାକୃତ କମ୍। କାରଣ ସେଠାରେ ଶିବରାଜ ସି˚ହ ଚୌହାନ୍ଙ୍କ ଅନେକ କଲ୍ୟାଣମୂଳକ କାର୍ଯ୍ୟ ଜନତାଙ୍କ କ୍ରୋଧକୁ କିଛି ମାତ୍ରାରେ ତରଳାଇ ପାରିଥିଲା। ନିର୍ବାଚନ ଜିଣିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସଫଳ ସୂତ୍ର ନାହିଁ କି କୌଣସି ତତ୍ତ୍ବ କାମ କରେ ନାହିଁ। ତେଣୁ ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶର ବାର୍ତ୍ତା ହେଲା- ଲୋକଙ୍କ ସହ ଯୋଡ଼ି ହୋଇ ରହ, ଯେତିକି ଯୋଡ଼ି ହେବ, ସେହି ଅନୁପାତରେ ଫଳ ମିଳିବ।