ରଣକୌଶଳରେ ନୂଆ ଧାର!

କ୍ରମାଗତ ପଞ୍ଚମ ଥର ପାଇଁ ଓଡ଼ିଶାବାସୀଙ୍କ ଜନାଦେଶ ହାସଲ ଲକ୍ଷ୍ୟରେ ଅଠର ବର୍ଷ ହେଲା କ୍ଷମତାସୀନ ବିଜେଡି ତା’ର ସେହି ପୁରୁଣା ମୌଳିକ ପ୍ରସଙ୍ଗ- ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ସୁରକ୍ଷା-କୁ ମୁଖ୍ୟ ଆୟୁଧ କରି ଊଣେଇଶ ରଣାଙ୍ଗନକୁ ଓହ୍ଲାଇବ। ବୁଧବାର ଅନୁଷ୍ଠିତ ଏକୋଇଶତମ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନରୁ ଏହା ସ୍ପଷ୍ଟ ହୋଇଯାଇଛି। ଅବଶ୍ୟ, ଏଥିରେ କୌଣସି ନୂତନତ୍ବ ନାହିଁ। ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଜାତୀୟ ରାଜନୈତିକ ଦଳଙ୍କ ମୁକାବିଲା ପାଇଁ ଗୋଟିଏ ଆଞ୍ଚଳିକ ଦଳ ପକ୍ଷରେ ଆଞ୍ଚଳିକ ସ୍ବାର୍ଥ ଓ ସ୍ବାଭିମାନକୁ ମୁଖ୍ୟ ପ୍ରସଙ୍ଗ କରିବା ଏକ ସ୍ବାଭାବିକ ରଣକୌଶଳ। ଏହି ରଣକୌଶଳ ଗତ ଦୁଇ ଦଶକ ହେଲା ବିଜେଡି ପାଇଁ ବେଶ୍‌ ସଫଳ ସାବ୍ୟସ୍ତ ହୋଇଛି। ଓଡ଼ିଶା ରାଜନୀତିର ଇତିହାସରେ ବିଜେଡି ସଫଳତମ ଆଞ୍ଚଳିକ ଦଳ। ଓଡ଼ିଶାର ସ୍ବାର୍ଥ-ସ୍ବାଭିମାନକୁ ପ୍ରସଙ୍ଗ ଓ ଏହାର ଉଦାତ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନକୁ ପାଥେୟ କରି ଦୁଇହଜାର ମସିହାରୁ ବିଜେଡି ରାଜ୍ୟରେ କେବଳ ଲଗାତାର ଜନାଦେଶ ପାଇ ଆସୁନାହିଁ, ପ୍ରତ୍ୟେକ ନିର୍ବାଚନରେ ଓଡ଼ିଶାର ମତଦାତା ଦଳ ପ୍ରତି ପୂର୍ବାପେକ୍ଷା ଅଧିକ ଉଦାର ସମର୍ଥନ ଜଣାଇ ଆସୁଛନ୍ତି।

ତେବେ ବିଜେଡି ସଭାପତିଙ୍କ ପ୍ରତିଷ୍ଠା ଦିବସ ଭାଷଣରୁ ଯେଉଁ ନୂଆ ସ˚କେତଟି ମିଳିଛି, ତା’ ହେଲା ଏଥର ପ୍ରସଙ୍ଗ ସେହି ସମାନ ରହିଲେ ସୁଦ୍ଧା ଊଣେଇଶ ଅଭିଯାନରେ ଦଳର ସ୍ବର ପୂର୍ବାପେକ୍ଷା ଅଧିକ ଶାଣିତ ଓ ତୀବ୍ର ହେବ। ପ୍ରତିପକ୍ଷ ଜାତୀୟ ଦଳମାନଙ୍କୁ ଘେରିବା ଲାଗି ପାରମ୍ପରିକ ରଣକୌଶଳରେ ନୂଆ ଧାର ଦେଇଛନ୍ତି। ସ୍ବଭାବ ସୁଲଭ ସ୍ବକୀୟ ଶୈଳୀରେ ବିଜେଡି ସୁପ୍ରିମୋ ନବୀନଙ୍କ ଭାଷଣର ବିଷୟବସ୍ତୁ, ସ୍ବର ଓ ଶବ୍ଦ ଆଦିର ଅନୁଧୢାନ କଲେ ଏଥିରେ କୌଣସି ସନ୍ଦେହ ରହୁ ନାହିଁ ଯେ, ଊଣେଇଶ ଅଭିଯାନରେ ଶଙ୍ଖ ଧ୍ବନି ବଜ୍ର ନିର୍ଘୋଷ ହୋଇ ଗର୍ଜିବ। ନରମ ଗଳାରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଭରି ରହିଥିବା ଉତ୍ତେଜନା ସ˚କେତ ଦେଉଥିଲା ଯେ, ମଇଦାନରେ ପ୍ରତିଦ୍ବନ୍ଦ୍ବୀ ଭାବେ ଦୁଇ ଜାତୀୟ ରାଜନୈତିକ ଦଳ ବିଜେପି ଓ କ˚ଗ୍ରେସର ଶକ୍ତିଶାଳୀ ଉପସ୍ଥିତି ପରିପ୍ରେକ୍ଷୀରେ ଏକ ତ୍ରିକୋଣୀୟ ମୁକାବିଲାରେ ଗଡ଼ ସୁରକ୍ଷା ଲାଗି ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଅଧିକ କଠୋର ଓ ଆକ୍ରମଣାତ୍ମକ ରୂପ ନେଇପାରେ। ଏହାର ସବୁଠାରୁ ସ୍ପଷ୍ଟ ସୂଚନା ମିଳିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ମୁହଁରେ ପିତା ବିଜୁ ପଟ୍ଟନାୟକଙ୍କ ଦାବିର ପୁନରାବୃତ୍ତିରୁ। ନବେ ଦଶକରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଜୁ ପଟ୍ଟନାୟକ ରାଜ୍ୟ ପାଇଁ ଆର୍ଥିକ ସ୍ବାଧୀନତା ଦାବି କରିଥିଲେ। ବିଜୁବାବୁ ପ୍ରଶ୍ନ କରିଥିଲେ- ରାଜ୍ୟରେ ଅମାପ ଖଣିଜ ସମ୍ପଦ ଭରି ରହିଥିବା ବେଳେ ଓଡ଼ିଶା କାହିଁକି ଟଙ୍କା ପାଇଁ କେନ୍ଦ୍ର ଆଗରେ ଗୋଡ଼ଭାଙ୍ଗି ଛିଡ଼ା ହେବ? ଦେଶରେ ସର୍ବାଧିକ ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ ଓ ବକ୍‌ସାଇଟ ସହ ଦେଶ ମୋଟ କୋଇଲାର ୨୫% ଗଚ୍ଛିତ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏ ପ୍ରଶ୍ନ ଆଦୌ ଅପ୍ରାସଙ୍ଗିକ ନଥିଲା। ଯଦିଓ, କିଛି ମହଲରେ ବିଜୁଙ୍କ ପିଠିରେ ସେତେବେଳେ ‘ବିଚ୍ଛିନ୍ନତାବାଦୀ’ର ମୋହର ଲଗାଯାଇଥିଲା, ତଥାପି ଦେଶର ସ˚ଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କ ସ୍ବତନ୍ତ୍ର ଅଧିକାରକୁ ବିଜୁଙ୍କ ଉକ୍ତି ଯଥେଷ୍ଟ ଗୁରୁତ୍ବ ଆଣି ଦେଇଥିଲା।

ପ୍ରାୟ ୨୫ ବର୍ଷ ପରେ ବିଜୁଙ୍କ ଦାବି ପୁତ୍ର ନବୀନ ପଟ୍ଟନାୟକଙ୍କ ସ୍ବରରେ ପ୍ରତିଧ୍ବନିତ ହୋଇଛି। ପ୍ରତିଷ୍ଠା ଦିବସ ଉଦ୍‌ବୋଧନରେ ନବୀନ ରାଜ୍ୟଙ୍କ ଆର୍ଥିକ ସ୍ବାଧୀନତା ଦାବି ଦୋହରାଇ କହିଛନ୍ତି- ଆମକୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା କିମ୍ବା ଏହା ବଦଳରେ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଦରକାର ନାହିଁ। ବର˚ ଆମକୁ ଆର୍ଥିକ ସ୍ବାଧୀନତା ମିଳୁ। ନିଜସ୍ବ ସମ୍ବଳରୁ ଓଡ଼ିଶା ନିଜର ବିକାଶ କରିବାକୁ ସମର୍ଥ। ଅବଶ୍ୟ, ରାଜ୍ୟ ଗୁଡ଼ିକ ପାଇଁ ଆର୍ଥିକ ସ୍ବାଧୀନତା ସକାଶେ ବିଜେଡିର ଏ ଦାବି ଏହା ପ୍ରଥମ ନୁହେଁ। ୨୦୧୧ରେ ବିଜେଡିର କାର୍ଯ୍ୟକାରିଣୀରେ ଆର୍ଥିକ ସ୍ବାଧୀନତା ଦାବି ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଏହି ପ୍ରସ୍ତାବ ଆଣିଥିଲେ। ତେବେ ଦଳର କାର୍ଯ୍ୟକାରିଣୀରେ ଅନୁମୋଦିତ ଆର୍ଥିକ ସ୍ବାୟତ୍ତତା ଦାବିକୁ ଏହା ପୂର୍ବରୁ ଦଳର ସଭାପତି କେବେ ସାଧାରଣରେ ଦୋହରାଇ ନଥିଲେ। ସାତ ବର୍ଷ ପରେ ଦାବିକୁ ପୁଣି ଉଠାଇବା ପଛରେ ଉଦ୍ଦେଶ୍ୟ କ’ଣ? ଉଦ୍ଦେଶ୍ୟ, ଅର୍ଥନୈତିକ ଅପେକ୍ଷା ରାଜନୈତିକ ଅଧିକ। ବର୍ତ୍ତମାନ ସମୟରେ ଦାବି ଉପସ୍ଥାପନ ପାଇଁ ସା˚ପ୍ରତିକ ରାଜନୈତିକ ବାତାବରଣ ବେଶ୍‌ ଅନୁକୂଳ। ରାଜନୈତିକ ଦୃଷ୍ଟିରୁ ଦେଖିଲେ ଆର୍ଥିକ ସ୍ବାଧୀନତା ଦାବି ମାଧୢମରେ ନବୀନ ପୁଣି ଥରେ ଦଳର ମୌଳିକ ରାଜନୈତିକ ପ୍ରସଙ୍ଗ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ରାଜ୍ୟ ରାଜନୀତିର କେନ୍ଦ୍ରକୁ ନେଇ ଆସିଛନ୍ତି। ସାଢେ଼ ତିନି ଦଶକର ପୁରୁଣା ସ୍ବତନ୍ତ୍ର ପାହ୍ୟା ରାଜ୍ୟ ଦାବି ପ୍ରତି ପୁଣି ଥରେ ଜାତୀୟ ସ୍ତରରେ ଧୢାନ ଆକର୍ଷଣ ଦିଗରେ ଏହା ଏକ ସାନି ପ୍ରୟାସ। ଚଳିତ ମୋଦୀ ସରକାର ଅମଳରେ ଯେତେବେଳେ ସ˚ଘୀୟ ଶାସନ ବ୍ୟବସ୍ଥା ଚାପଗ୍ରସ୍ତ, ସ˚ଘୀୟ ଭାବନା ବିପନ୍ନ, କେନ୍ଦ୍ର-ରାଜ୍ୟ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଚାଲିଛି ଓ ଏହାର ପ୍ରତିବାଦରେ ଆଞ୍ଚଳିକ ଦଳମାନଙ୍କ ମେଳି ଲାଗି ଉଦ୍ୟମ ଚାଲିଛି, ସେତେବେଳେ ନବୀନ ଆର୍ଥିକ ସ୍ବାଧୀନତା ଦାବି ଉଠାଇବା ନିଶ୍ଚୟ ଏକ ଚତୁର ରାଜନୈତିକ ରଣକୌଶଳ। ଅଚିରେ ଓ ଅନାୟସରେ ଅନ୍ୟ ଆଞ୍ଚଳିକ ଦଳ ଏବ˚ ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଞ୍ଚଳିକ ଦଳର ମୁଖ୍ୟମନ୍ତ୍ରୀମାନେ ଯେ ନବୀନଙ୍କ ଦାବିକୁ ସମର୍ଥନ କରିବେ, ଏଥିରେ ସନ୍ଦେହ ନାହିଁ। ଚତୁର୍ଦ୍ଦଶ ଅର୍ଥ କମିସନ୍‌ ଦ୍ବାରା ରାଜସ୍ବ ଭାଗରେ ୧୦% ବୃଦ୍ଧି ଆଳରେ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ହ୍ରାସ ଫଳରେ ପ୍ରାୟ ସବୁ ରାଜ୍ୟ ସରକାର କ୍ଷୁବ୍‌ଧ। ମୋଦୀ ସରକାର ଅମଳରେ ପୀଡ଼ିତ ରାଜ୍ୟ ସରକାରମାନଙ୍କ ଅସନ୍ତୋଷକୁ ନବୀନ ନୂଆ ସ୍ବର ଦେଇଛନ୍ତି।

ତେବେ ଏହି ପ୍ରକ୍ରିୟାରେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଜାତୀୟ ରାଜନୈତିକ ଦଳ ବିରୋଧରେ ନବୀନଙ୍କ ରଣକୌଶଳକୁ ନୂଆ ଧାର ଦେଇଛି। ଏହା କେବଳ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଅଡ଼ୁଆରେ ପକାଇବ ନାହିଁ, ପୂର୍ବରୁ ବହୁବର୍ଷ କ୍ଷମତାରେ ଥିବା କ˚ଗ୍ରେସ ବିରୋଧରେ ମଧୢ ଏହା ଉଦ୍ଦିଷ୍ଟ। ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଉଭୟ ଏନ୍‌ଡିଏ ଓ ୟୁପିଏ ସରକାର ସମୟରେ ଓଡ଼ିଶା ପ୍ରତି ରେଳବାଇ ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ ବିକାଶର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରତି କ୍ରମାଗତ ଅନ୍ୟାୟ ଓ ଉପେକ୍ଷାର ଅବତାରଣା କରିଥିଲେ। ନିଜ ଯୁକ୍ତି ସପକ୍ଷରେ ଉଦାହରଣ ସ୍ବରୂପ ମୁଖ୍ୟମନ୍ତ୍ରୀ କିଛି ତଥ୍ୟ ରଖିଥିଲେ। ମହାନଦୀ କୋଇଲା କମ୍ପାନି ଓଡ଼ିଶାରେ କୋଇଲାରୁ ୨୦ ହଜାର କୋଟି ଟଙ୍କାର ବାର୍ଷିକ ଲାଭ ଉଠଉଛି। ଅଥଚ, ୨୦୧୫ରୁ କୋଇଲା ରୟାଲଟି ବୃଦ୍ଧି ବିଷୟ ଚିନ୍ତା ସୁଦ୍ଧା କରାଯାଉନାହିଁ। ଶେଷଥର ପାଇଁ ୨୦୧୨ରେ କୋଇଲା ରୟାଲଟି ବୃଦ୍ଧି କରାଯାଇଥିଲା। ନିୟମ ଅନୁଯାୟୀ ପ୍ରତି ତିନି ବର୍ଷରେ କୋଇଲା ରୟାଲଟି ବୃଦ୍ଧିର ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟ ସ୍ବାର୍ଥ ଜଡ଼ିତ ବ୍ୟବସ୍ଥାକୁ କିଏ ପଚାରେ? ସେହିଭଳି ପୂର୍ବତଟ ରେଳବାଇର ଓଡ଼ିଶାରେ କାରବାର ବାର୍ଷିକ କୋଡ଼ିଏ ହଜାର କୋଟି ଟଙ୍କାରୁ ଅଧିକ। ଅଥଚ, ଓଡ଼ିଶା ପାଇଁ ରେଳବାଇର ବାର୍ଷିକ ବଜେଟ୍‌ ହାରାହାରି ମାତ୍ର ୨୦୦୦ କୋଟି ଟଙ୍କା। ଏହାର ପରିଣତି କେନ୍ଦ୍ରରେ କ˚ଗ୍ରେସ ଓ ବିଜେପି ନେତୃତ୍ବାଧୀନ ଏକାଧିକ ସରକାର ସତ୍ତ୍ବେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସ˚ପୂର୍ଣ୍ଣ ହୋଇପାରି ନାହିଁ। କେବଳ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ନୁହେଁ, ଓଡ଼ିଶାର ଭାବଗତ ସ˚ହତି ଓ ସାମାଜିକ-ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅନେକ ରେଳ ପ୍ରକଳ୍ପ ବର୍ଷ ବର୍ଷ ଧରି ଝୁଲିରହିବା କେନ୍ଦ୍ରୀୟ ଅବହେଳାର ଦୁଃଖଦ କାହାଣୀ ବୟାନ କରେ। ଅର୍ଥାତ୍‌, ଆର୍ଥିକ ସ୍ବାଧୀନତା ଦାବି ଉଠାଇ ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। କେନ୍ଦ୍ରୀୟ ଅବହେଳା ବିଷୟ କହି ନବୀନ ଉଭୟ ପ୍ରତିଦ୍ବନ୍ଦ୍ବୀ ଜାତୀୟ ଦଳଙ୍କୁ ନିଶାଣରେ ରଖିଛନ୍ତି।

ଆର୍ଥିକ ସ୍ବାଧୀନତା ଦାବିରୁୁ ହଠାତ୍‌ ଯେ, କୌଣସି ଫଳ ମିଳିଯିବ, ଏ ଆଶା ନାହିଁ। କିନ୍ତୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ, ଅଧିକ ଅନୁଦାନ ଓ ବିଶେଷକରି କୋଇଲା ରୟାଲଟି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସହ ମୂଲଚାଲରେ ଓଡ଼ିଶାର ପକ୍ଷକୁ ଏହା ନିଶ୍ଚୟ ଓଜନିଆ କରିବ। ଗଣତାନ୍ତ୍ରିକ ରାଜନୀତିରେ ମୂଲଚାଲରେ ଗୋଟିଏ ପକ୍ଷର ପଲା ଭାରୀ ହେଲେ ଅପରପକ୍ଷ ଉପରେ ଚାପ ପଡ଼େ। ସେ ଦୃଷ୍ଟିରୁ ଓଡ଼ିଶାର ପଲା ଭାରୀ ଅର୍ଥାତ୍ ବିଜେଡିର ପଲା ଭାରୀ; ଯାହା ପ୍ରତିପକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କ ଉପରେ ଚାପ ପକାଇ ପାରେ। ‘ଆର୍ଥିକ ସ୍ବାଧୀନତା’ର ନୂଆ ଧାର ସହ ନବୀନଙ୍କ ଏ ରଣକୌଶଳ କେତେ ସଫଳ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଲଗାତାର ଚାରିଟି ନିର୍ବାଚନରେ ଜିଣି ଅଠର ବର୍ଷର ମୁଖ୍ୟମନ୍ତ୍ରିତ୍ବ ପରେ ବି ନବୀନ ବାବୁଙ୍କ ରାଜନୈତିକ ବିଚକ୍ଷଣତା ଓ ତାଙ୍କର ରାଜନୈତିକ ରଣକୌଶଳର ସଫଳତା ଉପରେ ଯେଉଁ ‘ଡାଉଟି˚ ଥୋମାସ୍‌’ମାନଙ୍କ ସନ୍ଦେହ ଥିବ, ଏହି ‘ମାଷ୍ଟର‌୍‌ ଷ୍ଟ୍ରୋକ୍‌’- ‘ରାଜ୍ୟଙ୍କୁ ଆର୍ଥିକ ସହାୟତା’ ସେମାନଙ୍କୁ ପୁନଃଚିନ୍ତନ ଲାଗି ବାଧୢ କରିପାରେ।

ସମ୍ବନ୍ଧିତ ଖବର