ମୋଦୀଙ୍କ ‘ଚାଲେଞ୍ଜର‌୍‌’!

1 1,300

‘ହିନ୍ଦୀ ବେଲ୍‌ଟ’ର ତିନିଟି ରାଜ୍ୟ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ଦେଶର ରାଜନୈତିକ ପାଣିପାଗରେ ଯେଉଁ ପରିବର୍ତ୍ତନ ଆସିଛି, ତା’ର ପ୍ରଭାବରୁ ଏକ ନମ୍ବର ରାଜନୈତିକ ଦଳ, କେନ୍ଦ୍ରରେ କ୍ଷମତାସୀନ ବିଜେପିର ଆଭ୍ୟନ୍ତରୀଣ ସମୀକରଣ ସୁଦ୍ଧା ମୁକ୍ତ ରହି ପାରି ନାହିଁ। ଚଉଦ ସାଧାରଣ ନିର୍ବାଚନରେ ଐତିହାସିକ ସଫଳତା ପରେ ବିଗତ ସାଢ଼େ ଚାରିବର୍ଷରେ ଦଳ ଭିତରେ ଯାହା ଦେଖାଯିବା ତ ଦୂରେ ଥାଉ, କଳ୍ପନା ସୁଦ୍ଧା କରାଯାଇ ନଥିଲା, ତାହା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରଙ୍କୁଶ ଏକକ ନାୟକତ୍ବ ଉପରେ ହଠାତ୍‌ ପ୍ରଶ୍ନ ଉଠିଛି। ମୋଦୀଙ୍କ ଏକାନ୍ତ ଅନୁଗତ, ତାଙ୍କ ଛାଇ କୁହାଯାଉଥିବା ବିଜେପି ରାଷ୍ଟ୍ରୀୟ ଅଧୢକ୍ଷ ଅମିତ ଶାହଙ୍କ ତଥାକଥିତ ‘ଚାଣକ୍ୟ ରଣନୀତି’ ଦଳୀୟ ମହଲରେ ସନ୍ଦିଗ୍‌ଧ ହୋଇ ପଡ଼ିଛି। ଅପ୍ରତିଦ୍ବନ୍ଦ୍ବୀ ମୋଦୀଙ୍କ ନେତୃତ୍ବ କେବଳ ବାହାରୁ ନୁହେଁ, ଦଳ ଭିତରେ ମଧୢ ହଠାତ୍‌ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଛି। ଊଣେଇଶରେ ବିଜେପି ଚଉଦ ସଫଳତାର ପୁନରାବୃତ୍ତି କରିନପାରି ଏକାକୀ ସ˚ଖ୍ୟାଗରିଷ୍ଠତା ଠାରୁ ବହୁ ଦୂରରେ ରହିବା ନେଇ ଆଶଙ୍କା ଦଳରେ ନେତୃତ୍ବ ପ୍ରତିଦ୍ବନ୍ଦ୍ବିତା ଲାଗି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି। ‘ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ, ସେ ନେଇ ନିଶ୍ଚିତ କରି କିଛି କୁହାଯାଇ ପାରିବ ନାହିଁ।’ ବିଜେପି ସରକାରର ପରମ ସମର୍ଥକ ତଥା ଏହାର ଶ୍ରେଷ୍ଠ ହିତାଧିକାରୀ ଯୋଗଗୁରୁ ରାମଦେବଙ୍କ ଏହି ବୟାନ ସ˚ପ୍ରସାରିତ ହିନ୍ଦୁତ୍ବ ପରିବାରରେ ମଧୢ ମୋଦୀଙ୍କ ପତିଆରା ଊଣା ପଡ଼ୁଥିବା ଓ ତାଙ୍କ ନେତୃତ୍ବ ‘ଅପ୍ରତିଦ୍ବନ୍ଦ୍ବୀ’ ଚରିତ୍ର ହରାଇ ବସୁଥିବାର ସ˚କେତ ଦେଉଛି।

ତେବେ, ବିଜେପିରେ ମୋଦୀଙ୍କ ପ୍ରତିଦ୍ବନ୍ଦ୍ବୀ କିଏ? ମୋଦୀଙ୍କ ନେତୃତ୍ବକୁ ଆହ୍ବାନ ଦେବାର ସାମର୍ଥ୍ୟ ରଖୁଥିବା ବରିଷ୍ଠ ନେତାମାନେ ‘ମାର୍ଗ ଦର୍ଶକ ମଣ୍ତଳ’ ରୂପକ ବୃଦ୍ଧାଶ୍ରମରେ ଅବସର ଜୀବନ ବିତାଉଛନ୍ତି। ଏ ପରିସ୍ଥିତିରେ କିଏ ସେ ନୂଆ ‘ଚାଲେଞ୍ଜର’? ବାୟୁମଣ୍ତଳରେ ଶୂନ୍ୟତା ସୃଷ୍ଟି ହେଲେ ତାହା ଅପୂର୍ଣ୍ଣ ରହେନାହିଁ। ଆଖପାଖରୁ ପବନ ଝଡ଼ ବେଗରେ ଆସି ଶୂନ୍ୟତାକୁ ପୂରଣ କରିଦିଏ। ରାଜନୀତିରେ କିନ୍ତୁ ନେତୃତ୍ବର ଶୂନ୍ୟତା ସୃଷ୍ଟି ହେଲେ, ହଠାତ୍‌ ଝଡ଼ ଭାବେ କୌଣସି ବିକଳ୍ପ ନେତୃତ୍ବ ଶୂନ୍ୟତା ପୂରଣ କରେ ନାହିଁ। ଶୂନ୍ୟତା ପୂରଣ ପାଇଁ ଆଖପାଖରେ ବିକଳ୍ପ ନେତୃତ୍ବ ଧୀରେ ଧୀରେ ଉଭା ହୁଏ। ବିଜେପିରେ ମଧୢ ମୋଦୀଙ୍କ ବିକଳ୍ପ ନେତୃତ୍ବ ଉଭା ହେବାର ପ୍ରକ୍ରିୟା ସମ୍ଭବତଃ ଆରମ୍ଭ ହୋଇଯାଇଛି। ବିଜେପି ଭିତରେ ଏବ˚ ବାହାରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଜଣେ ପୂର୍ବତନ ରାଷ୍ଟ୍ରୀୟ ଅଧୢକ୍ଷ ନୀତିନ ଗଡ଼କରୀଙ୍କ ଠାରେ ‘ମୋଦୀ ଚାଲେଞ୍ଜର’ର ଝଲକ ଦେଖାଯାଉଛି। ଡିସେମ୍ବର ଏଗାରରେ ବିଧାନସଭା ଫଳାଫଳ ପ୍ରକାଶ ପାଇଲା। ଏହାର ଏଗାର ଦିନ ପରେ ଡିସେମ୍ବର ୨୩ ତାରିଖ ଦିନ ପୁନେ ଠାରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ଏକ ବୟାନ ଯୋଗୁ ମୋଦୀଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ସେ ଧୢାନ ଆକର୍ଷଣ କରିଛନ୍ତି। ଗଡ଼କରୀ ନିର୍ବାଚନରେ ବିପର୍ଯ୍ୟୟ ସକାଶେ ମୋଦୀ-ଶାହ ଯୋଡ଼ିଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଥିଲେ। ଶାହ କିମ୍ବା ମୋଦୀଙ୍କ ନାମ ଉଲ୍ଲେଖ ନକରି ଗଡ଼କରୀ କହିଥିଲେ- ନିର୍ବାଚନରେ ଦଳର ପରାଜୟ ପାଇଁ ନେତୃତ୍ବ ଦାୟିତ୍ବ ନେବା ଉଚିତ। ‘‘ଦଳୀୟ ସ˚ଗଠନ ପ୍ରତି ନେତାଙ୍କ ଆନୁଗତ୍ୟ ସେ ପର୍ଯ୍ୟନ୍ତ ପ୍ରତିପାଦିତ ହେବ ନାହିଁ, ଯେ ପର୍ଯ୍ୟନ୍ତ ନେତୃତ୍ବ ବିପର୍ଯ୍ୟୟର ଦାୟିତ୍ବ ନିଜ ଉପରକୁ ନେଇ ନାହାନ୍ତି।’’ ସେ ଇଙ୍ଗିତ କରିଥିଲେ ଯେ, ସଫଳତାର ଅନେକ ଦାବିଦାର, ବିଫଳତା ସର୍ବଦା ଅନାଥ ନୀତି ନେତୃତ୍ବର ଚରିତ୍ର ନୁହେଁ। ନିଃସନ୍ଦେହ, ଏହି ଟିପ୍ପଣୀ ମୋଦୀ-ଶାହ ଯୋଡ଼ିଙ୍କୁ ଲକ୍ଷ୍ୟ କରି ଗଡ଼କରୀଙ୍କ ଏକ ବାଣ ଥିଲା। ନିର୍ବାଚନରେ ପରାଜୟ ପ୍ରସଙ୍ଗରେ ହିନ୍ଦୁତ୍ବ ଦଳରେ କେହି ତୁଙ୍ଗ ନେତା ଏତେ ରୋକ୍‌ଠୋକ ଭାବେ ନେତୃତ୍ବ ଆଡ଼କୁ ଅଙ୍ଗୁଳି ଦେଖାଇବା ଏହା ଥିଲା ପ୍ରଥମ।

ପରେ ପରେ ତାଙ୍କର ପୁନେ ବୟାନକୁ ଗଣମାଧୢମରେ ଠିକଣା ଭାବେ ଉପସ୍ଥାପନ କରଯାଇ ନାହିଁ ବୋଲି ଗଡ଼କରୀ ସ୍ପଷ୍ଟୀକରଣ ଦେଇଥିଲେ ସୁଦ୍ଧା ସପ୍ତାହେ ବିତିବା ପୂର୍ବରୁ ନୂଆଦିଲ୍ଲୀ ଠାରେ ଆଉ ଏକ କାର୍ଯ୍ୟକ୍ରମ ଅବସରରେ ସେ ତାଙ୍କର ପୂର୍ବ ବୟାନକୁ ଦୋହରାଇ ଥିଲେ। ତିନି ରାଜ୍ୟରେ ଦଳର ବିପର୍ଯ୍ୟୟ ପାଇଁ ନେତୃତ୍ବକୁ ଦାୟୀ କରିଥିଲେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଗଡ଼କରୀଙ୍କ ନେତୃତ୍ବ ବିରୋଧୀ ସ୍ବରରେ ଦଳର ଆହୁରି ଅନେକ ନେତା ଓ କର୍ମୀଙ୍କ ସ୍ବର ମଧୢ ପ୍ରତିଧ୍ବନିତ ହୋଇଛି। ବିଜୟ ପାଇଁ ଶ୍ରେୟ ନେଉଥିବା ମୋଦୀ-ଶାହ ଯୋଡ଼ି ପରାଜୟର ଦାୟିତ୍ବକୁ ଏଡ଼ାଇ ପାରିବେ କେମିତି?

ତେବେ, ପ୍ରଶ୍ନ ଉଠୁଛି ସାଢ଼େ ଚାରିବର୍ଷ ପରେ ଗଡ଼କରୀ ନେତୃତ୍ବ ଆଡ଼କୁ ଅଙ୍ଗୁଳି ଦେଖାଇ ପ୍ରଶ୍ନ କରିବାର ସାହସ ପାଇଲେ କେଉଁଠୁ? ଏହି ପ୍ରଶ୍ନ ହିଁ ବିଜେପିରେ ଆଭ୍ୟନ୍ତରୀଣ ସମୀକରଣ କଡ଼ ଲେଉଟାଉ ଥିବାର ସୂଚନା ଦେଉଛି ଓ ସମୀକରଣର ଭବିଷ୍ୟତ ରୂପରେଖ ନେଇ କଳ୍ପନାଜଳ୍ପନାର ଅବକାଶ ସୃଷ୍ଟି କରୁଛି। କଠୋର ଶୃଙ୍ଖଳା ମଧୢରେ ସୁଦ୍ଧା ବିଜେପିର ତଥାକଥିତ ‘ଆଭ୍ୟନ୍ତରୀଣ ଗଣତନ୍ତ୍ର’ରୁ ଗଡ଼କରୀଙ୍କୁ ଏ ସାହସ ମିଳିଲା ବୋଲି ବିଶ୍ବାସ କରିବା ନିର୍ବୋଧତା ହେବ। ମୋଦୀଙ୍କ ଏକକ ନାୟକତ୍ବ ବିରୋଧରେ ସ୍ବର ଉତ୍ତୋଳନ ଲାଗି ଆଭ୍ୟନ୍ତରୀଣ ଗଣତନ୍ତ୍ର ଯଦି ସ୍ବାଧୀନତା ଦେଉଥାନ୍ତା, ତେବେ ବିମୁଦ୍ରୀକରଣ ବିଭ୍ରାଟ କିମ୍ବା ଲୋକସଭା ଉପ-ନିର୍ବାଚନ ଗୁଡ଼ିକରେ ଦଳର ଧାରାବାହିକ ପରାଜୟ ସତ୍ତ୍ବେ ଦଳରେ କାହିଁକି ନେତୃତ୍ବ ଆଡ଼କୁ ଅଙ୍ଗୁଳି ଉଠି ନଥିଲା? ରାଜନୀତିରେ କୌଣସି ନିଷ୍ପତ୍ତି ଗ୍ରହଣରେ ‘ସମୟ’ ଓ ‘ପରିସ୍ଥିତି’ର ବିଚାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ହିନ୍ଦୁତ୍ବ ଗଡ଼ ଭାବେ ପରିଚିତ ତିନିଟି ରାଜ୍ୟରେ ଦଳର ପରାଜୟ ଉପଯୁକ୍ତ ପରିସ୍ଥିତି ଓ ଊଣେଇଶ ନିର୍ବାଚନ ପାଇଁ ଅବଗଣନାର ଆରମ୍ଭ- ନେତୃତ୍ବ ବିରୋଧରେ ସ୍ବର ଉଠାଇବା ଲାଗି ଅନୁକୂଳ ସମୟ ସୃଷ୍ଟି କରିଛି। ଦଳର ନିର୍ବାଚନୀ ପରାଜୟ ଯୋଗୁ ନିଶ୍ଚିତ ଭାବେ ମୋଦୀଙ୍କ ପ୍ରତିଷ୍ଠା ଓ ଭାବମୂର୍ତ୍ତି ପ୍ରଭାବିତ ହୋଇଛି। ଦଳରେ ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, ମୋଦୀ ଯାଦୁ ଆଉ ପୂର୍ବଭଳି କାମ କରୁନାହିଁ। କଥାରେ ଅଛି, ବିଧାଏ ମାରିବ ସେତେବେଳେ, ନଇଁ ପଡ଼ିଥିବ ଯେତେବେଳେ।

ନିର୍ବାଚନରେ ପରାଜୟ ଯୋଗୁ ମୋଦୀଙ୍କ ନେତୃତ୍ବ ନିଶ୍ଚୟ ଚାପରେ ଅଛି। କିନ୍ତୁ ନଇଁ ପଡ଼ିବା ଭଳି ସ୍ଥିତି ଆସିନାହିଁ। ଏହା ସତ୍ତ୍ବେ କଅଁଳ ଲୁହାକୁ ବିରାଡ଼ି କାମୁଡ଼ିଲା ଭଳି ଗଡ଼କରୀ କେମିତି ମୋଦୀଙ୍କ ବିପକ୍ଷରେ ଛିଡ଼ା ହେବା ଲାଗି ସାହସ ପାଇଲେ? ଅନୁକୂଳ ସମୟ ଓ ପରିସ୍ଥିତି ସହ ବିଜେପିର ଆଦର୍ଶଗତ ଜନ୍ମଦାତା ଆରଏସ୍‌ଏସ୍‌ର ସମର୍ଥନ ଗଡ଼କରୀଙ୍କୁ ଶକ୍ତି ଓ ସାମର୍ଥ୍ୟ ଦେଇଛି। ନାଗପୁରସ୍ଥିତ ସ˚ଘ ମୁଖ୍ୟାଳୟର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆଶୀର୍ବାଦ ବିନା ଗଡ଼କରୀଙ୍କ ପକ୍ଷରେ ବିରୋଧର ସ୍ବର ଉଠାଇବା ସମ୍ଭବ ନୁହେଁ। ଏହା ହିଁ ବିଜେପିର ଆଭ୍ୟନ୍ତରୀଣ ସମୀକରଣ ପାଇଁ ଅଧିକ ନିର୍ଣ୍ଣାୟକ, ଯାହା ମୋଦୀଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି ଓ ‘ଚାଲେଞ୍ଜ୍‌ର’ ଭାବେ ଗଡ଼କରୀଙ୍କୁ ବିଶ୍ବସନୀୟତା ପ୍ରଦାନ କରିଛି। ବିଜେପି ମହଲରେ ଏହା ଅଛପା ନୁହେଁ ଯେ, ମୋଦୀ ଅପେକ୍ଷା ଗଡ଼କରୀ ଆରଏସ୍‌ଏସ୍‌ର ଅଧିକ ନିକଟତର। ବିଶେଷକରି, ସରସ˚ଘ ସ˚ଚାଳକ ମୋହନ ଭାଗବତଙ୍କ ସହ ଘନିଷ୍ଠତା ଯୋଗୁ ଗଡ଼କରୀଙ୍କ ବିଜେପିରେ ଏକ ସ୍ବତନ୍ତ୍ର ସ୍ଥାନ ରହିଆସିଛି। ଫଳରେ ପୂର୍ବରୁ ମଧୢ ଏକାଧିକ ଥର ବିଭିନ୍ନ ପ୍ରସଙ୍ଗରେ ଗଡ଼କରୀ ଭିନ୍ନ ମତ ପ୍ରକାଶ କରିଥିଲେ ସୁଦ୍ଧା ସେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ନାହାନ୍ତି। କିନ୍ତୁ, ଏହି କାରଣରୁ ମୋଦୀ-ଗଡ଼କରୀ ସମ୍ପର୍କ ମଧୢ ସେତେ ବନ୍ଧୁତ୍ବପୂର୍ଣ୍ଣ ନୁହେଁ।

ଗତ ସେପ୍‌ଟେମ୍ବରରେ ବିଦେଶରେ ଆରଏସ୍‌ଏସ୍‌ ପ୍ରାୟୋଜିତ ହିନ୍ଦୁ ସମ୍ମିଳନୀରେ ଯୋଗ ଦେବାକୁ ଗଡ଼କରୀଙ୍କୁ ରୋକାଯାଇଥିଲା। ପୁଞ୍ଜିନିବେଶ ସ˚କ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ଉଦ୍ଦେଶ୍ୟରେ ଗଡ଼କରୀଙ୍କ ପୂର୍ବନିର୍ଦ୍ଧାରିତ ବିଦେଶ ଗସ୍ତକୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଅନୁମତି ମିଳି ନଥିଲା। ଯଦିଓ, ଦେଶରେ ଦଳର ଜାତୀୟ କାର୍ଯ୍ୟକାରିଣୀର ବୈଠକ ଓ ଅନ୍ୟାନ୍ୟ କେତେକ ଜରୁରି ସରକାରୀ କାର୍ଯ୍ୟ ଦର୍ଶାଯାଇ ବିଦେଶ ଗସ୍ତ ପାଇଁ ଗଡ଼କରୀଙ୍କୁ ବାରଣ କରାଯାଇଥିଲା, ତଥାପି ଅସଲ କାରଣ ମୋଦୀ ଓ ଗଡ଼କରୀଙ୍କ ଶୀତଳ ସମ୍ପର୍କ। ଆରଏସ୍‌ଏସ୍‌ର ଆଶୀର୍ବାଦ ବ୍ୟତୀତ ଆଉ ଦୁଇଟି ବିଷୟ ମଧୢ ମୋଦୀଙ୍କ ବିପକ୍ଷରେ ଉଦୀୟମାନ ପ୍ରତିଦ୍ବନ୍ଦ୍ବୀ ଭାବେ ଗଡ଼କରୀଙ୍କ ପ୍ରାର୍ଥିତ୍ବକୁ ବଳ ଦେଉଛି। ପ୍ରଥମ, କେନ୍ଦ୍ରର ଜଣେ ଦକ୍ଷ ମନ୍ତ୍ରୀ ଭାବେ ଗଡ଼କରୀ ଜଣାଶୁଣା। ଜାତୀୟ ରାଜପଥ ପ୍ରକଳ୍ପ ଗୁଡ଼ିକର ତ୍ବରାନ୍ବିତ-କାର୍ଯ୍ୟକାରିତାର ଶ୍ରେୟ ଗଡ଼କରୀଙ୍କୁ ଦିଆଯାଉଛି। ଦ୍ବିତୀୟ, ଯାହା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ, ବିଜେପିର ଅଧିକା˚ଶ ମେଣ୍ଟ ସହଯୋଗୀଙ୍କ ମନୋଭାବ ମୋଦୀ ଅପେକ୍ଷା ଗଡ଼କରୀଙ୍କ ପ୍ରତି ଅଧିକ ଅନୁକୂଳ। ଏପରିକି ଏନ୍‌ଡିଏରେ ନଥିବା କିଛି ଦଳ ମୋଦୀ ପ୍ରଧାନମନ୍ତ୍ରୀ ନହେଲେ ମେଣ୍ଟକୁ ସମର୍ଥନର ସର୍ତ୍ତ ରଖିବା ଗଡ଼କରୀଙ୍କୁ ସୁହାଉଛି। ଅବଶ୍ୟ, ସାଢ଼େ ଚାରିବର୍ଷ ପରେ ମୋଦୀଙ୍କ ଏକକ ନାୟକତ୍ବ ପ୍ରତି ଆହ୍ବାନ ଏକ ବାସ୍ତବତା ହୋଇଥିବା ବେଳେ, ନେତୃତ୍ବ ପାଇଁ ‘ଚାଲେଞ୍ଜର‌୍‌’ ଭାବେ ଉଭା ହେଉଥିବା ଗଡ଼କରୀ ପ୍ରତିଦ୍ବନ୍ଦ୍ବିତାରେ କେତେ ଆଗେଇବେ, ଶେଷରେ କେଉଁଠି ରହିବେ, ତାହା ଆଜି ଦିନରେ କେବଳ ମାତ୍ର କଳ୍ପନାଜଳ୍ପନାର ବିଷୟ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Rafale deal says

    The Role of a Prime Minister is very important because the Native State of the Prime Minister gets huge money and Development.Since from 1947 all Prime Ministers are from UTTAR PRADESH,GUJARAT,KARNATAKA,ANDHRA PRADESH and due to this reason those States were Financially Become Rich in India.
    Now Muslims in India are Funding in Indian Political Parties with the Arab and Petroleum Exporting Countries (Muslims Countries) and hence it is a Public Talk in India now a days that people of India will be unitedly express their views against the Insurgency of Muslims and Arab Countries people into India with their Petrol money.In Odisha Muslims are keeping close information about the Hindus to utilize their Petrol money in India.In Several Market places,Hotels,Real Estate business such money is flowing into Indian Market is a Public Talk.This time someone from our State Should become Prime Minister of India.