ଉପେକ୍ଷାର ଦୁଃଖଦ କ୍ରମରେ..

0

ବିଜେଡିର ଏକୋଇଶତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତାନୁଗତିକ ଭାବେ ଦଳର ଘୋଷା ପ୍ରସଙ୍ଗ- ‘କେନ୍ଦ୍ରୀୟ ଅବହେଳା’ ବିଷୟ ଉଠାଇଥିଲେ। ତେବେ ଏ ଗତାନୁଗତିକତା ଭିତରେ ବ୍ୟତିକ୍ରମ ଥିଲା ବିଜେଡି ସୁପ୍ରିମୋଙ୍କ ସ୍ବର ଓ ଶବ୍ଦରେ। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବର ଥିଲା ପୂର୍ବାପେକ୍ଷା ଅଧିକ ଶାଣିତ ଓ ଶବ୍ଦ ଗୁଡ଼ିକ କଟାକ୍ଷପୂର୍ଣ୍ଣ। ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଅନ୍ୟାୟ ଓ ଉପେକ୍ଷାକୁ କେନ୍ଦ୍ରୀୟ ଅବହେଳାର ଦୁଃଖଦ ପ୍ରମାଣ ସ୍ବରୂପ ସେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର କଚ୍ଛପ ଗତି ଆଡ଼କୁ ଅଙ୍ଗୁଳି ଦେଖାଇଥିଲେ। କହିଥିଲେ, ରାଜ୍ୟ ସରକାର ମାଗଣାରେ ଜମି ଓ ପ୍ରକଳ୍ପ ବାବଦ ଅଧା ଖର୍ଚ୍ଚ ବହନ କରିବା ସତ୍ତ୍ବେ ରେଳପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରାଶାଜନକ। ସେ କଟାକ୍ଷ କରିଥିଲେ, ବୋଧହୁଏ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ବିଷୟ ପିଲାଏ ଇତିହାସ ବହିରେ ପଢ଼ିବେ।

କେନ୍ଦ୍ରୀୟ ଅବହେଳା, ବିଶେଷକରି ରେଳ ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରତି ଉପେକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ପାଲଟା ଜବାବ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ରେଳ ପ୍ରକଳ୍ପର ଉଦ୍‌ଘାଟନ ଓ ଲୋକାର୍ପଣ ପାଇଁ ଜାନୁଆରିରେ ଓଡ଼ିଶା ଆସୁଛନ୍ତି। ଏ ଅବସରରେ ମୋଦୀ ବଲାଙ୍ଗୀର ପଟୁ ଭୈଁସାପାଲି ପର୍ଯ୍ୟନ୍ତ ନିର୍ମାଣ ସ˚ପୂର୍ଣ୍ଣ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ୧୫.୭ କିମି ରେଳ ଲାଇନର ଉଦ୍‌ଘାଟନ କରିବେ। ‘ଏହାକୁ ନୂଆବର୍ଷର ଉପହାର’ କହି ସେ ଦିନ ନିଶ୍ଚୟ ବାଗ୍ମୀ ପ୍ରଧାନମନ୍ତ୍ରୀ ତାଙ୍କର ଓଜସ୍ବିନୀ ଭାଷଣରେ ରେଳବାଇ ସମେତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ପ୍ରତି କେନ୍ଦ୍ରର ପ୍ରତିଶ୍ରୁତିବଦ୍ଧତା ଦୋହରାଇ ବାହାବାହା ସାଉଁଟିବାକୁ ଚାହିଁବେ। ଅବଶ୍ୟ, ଏଠାରେ ଉଲ୍ଲେଖ ଅନାବଶ୍ୟକ ଯେ, ରେଳ ପ୍ରକଳ୍ପ ଉଦ୍‌ଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ସଭା ବସ୍ତୁତଃ ନିର୍ବାଚନୀ ସଭା ହେବ। ଭାଷଣରେ ଭୋଟ ଉପରେ ଅଧିକ ନଜର ରହିବ।

ରେଳ ପ୍ରକଳ୍ପ ଉଦ୍‌ଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ରାଜନୈତିକ ଉଦ୍ଦେଶ୍ୟ ନିର୍ବିଶେଷରେ, ଯଦି କେବଳ ‘କେନ୍ଦ୍ରୀୟ ଅବହେଳା’ ପ୍ରସଙ୍ଗରେ ଗସ୍ତକୁ ବିଚାର କରାଯାଏ, ତେବେ ଏକୋଇଶ ବର୍ଷ ପରେ ବଲାଙ୍ଗୀର ପଟୁ ମାତ୍ର ୧୫.୭ କିମି ରେଳପଥର ଉଦ୍‌ଘାଟନ କରି ମୋଦୀ ମହାଶୟ ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଅନ୍ୟାୟକୁ ଘଣ୍ଟ ଘୋଡ଼ାଇ ପାରିବେ ନାହିଁ। ୧୯୪୫ରେ ଏହି ରେଳପଥ ପାଇଁ ସର୍ଭେ ହୋଇଥିଲା। ଏହାର ଅର୍ଧ ଶତାବ୍ଦୀ ପରେ ୧୯୯୬-୯୭ରେ କାର୍ଯ୍ୟ ଆରମ୍ଭ ହେଲା। ଇତି ମଧୢରେ ଏକୋଇଶ ବର୍ଷ ବିତି ଯାଇଛି। ଅଥଚ, ଖୋର୍ଦ୍ଧା ପଟୁ ୬୫ କିମି ଓ ବଲାଙ୍ଗୀର ପଟୁ ମାତ୍ର ୧୫.୭ କିମି ରେଳ ଲାଇନ ବିଛା ଯାଇ ପାରିଛି। ଦୁଇ ଦଶକ ପରେ ବି ୨୬୯ କିମି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମାତ୍ର ୭୦ କିମି ସ˚ପୂର୍ଣ୍ଣ ହେବା ରେଳ ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରତି ଉପେକ୍ଷା ଓ ଅବହେଳାର ଏକମାତ୍ର ଉଦାହରଣ ନୁହେଁ। ହରିଦାସପୁର-ପାରାଦୀପ, ଅନୁଗୁଳ-ସୁକିନ୍ଦା, ତାଳଚେର-ବିମଳାଗଡ଼ ଆଦି ପ୍ରାୟ ୧୦୦୦ କିମିର ରେଳପଥ ପ୍ରକଳ୍ପ ଅସ˚ପୂର୍ଣ୍ଣ ହୋଇ ବର୍ଷ ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଅନ୍ୟାୟ ଓ ଉପେକ୍ଷା ଏକ ଦୁର୍ଭାଗ୍ୟଜନକ ଐତିହାସିକ ବାସ୍ତବତା।

ଆହୁରି ଦୁର୍ଭାଗ୍ୟଜନକ ନିଷ୍ଠୁର ବାସ୍ତବତା ହେଲା- ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଏହି ଅବହେଳାର ଦୁଃଖଦ କ୍ରମ ଏବେ ମଧୢ ଜାରି ରହିଛି। ଏହାର ସଦ୍ୟତମ ଉଦାହରଣ ହେଲା, ୯୭ କିମିର ଗୁଣପୁର-ଥେରୁବାଲି ରେଳ ଲାଇନ ନେଇ ଅନିଶ୍ଚିତତା। ଗୋଟିଏ ସମ୍ବାଦ ସ˚ସ୍ଥା ପକ୍ଷରୁ ପ୍ରସାରିତ ଏକ ଖବରରେ ଆଶଙ୍କା ପ୍ରକାଶ ପାଇଛି ଯେ, ଗୁଣପୁର-ଥେରୁବାଲି ରେଳ ପ୍ରକଳ୍ପରୁ ରେଳ ମନ୍ତ୍ରଣାଳୟ ଓହରି ଯାଇପାରେ। ୨୦୧୭-୧୮ ବଜେଟ୍‌ରେ ଏହି ପ୍ରକଳ୍ପ ଘୋଷଣା କରାଯାଇଥିଲା। ପ୍ରକଳ୍ପ ପାଇଁ ୯୩୫ କୋଟି ଟଙ୍କାର ବ୍ୟୟବରାଦ ମଧୢ ହୋଇଥିଲା। ଗତ ଦୁଇ ବର୍ଷରେ ପ୍ରକଳ୍ପ ନେଇ କୌଣସି ଅଗ୍ରଗତି ହୋଇ ନଥିବା ବେଳେ ଏବେ ଏହାକୁ ବାତିଲ ପାଇଁ ଚିନ୍ତା କରାଯାଉଛି। ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର ସ˚କ୍ରାନ୍ତ କ୍ୟାବିନେଟ୍‌ କମିଟି(ସି.ସି.ଇ.ଏ)ର ଅନୁମୋଦନ ପାଇଁ ପ୍ରସ୍ତାବ ଦେବାରେ ଅହେତୁକ ବିଳମ୍ବରୁ ଏ ପ୍ରକାର ଆଶଙ୍କା ପ୍ରକାଶ ପାଇଛି। ନିୟମାନୁଯାୟୀ ବଜେଟ୍‌ରେ ଘୋଷଣା ପରେ କୌଣସି ପ୍ରକଳ୍ପର କାର୍ଯ୍ୟାରମ୍ଭ ପାଇଁ ସି.ସି.ଇ.ଏର ଅନୁମୋଦନ ଅପରିହାର୍ଯ୍ୟ। କୁଆଡେ଼ ଏ ରେଳ ପ୍ରକଳ୍ପରୁ ଲାଭ ମିଳିବ ନାହିଁ, ସେଥିପାଇଁ ଏହାକୁ ରଦ୍ଦ କରାଯିବା କଥା ବିଚାରାଧୀନ। ଲାଭଜନକ ହେବ ବୋଲି ଆକଳନ କରି ପ୍ରକଳ୍ପକୁ ‘ପିଙ୍କ୍‌ ବୁକ୍‌’ରେ ସ୍ଥାନ ଦିଆଯିବା ସହ, ବଜେଟରେ ବ୍ୟୟ ବରାଦ କରାଗଲା। ଅଥଚ, ଦୁଇ ବର୍ଷ ପରେ ଲାଭଜନକ ନହେବା ଆଳରେ ପ୍ରକଳ୍ପ ବାତିଲ ବିଷୟ ବିଚାର କରାଯିବା ଓଡ଼ିଶା ପ୍ରତି ଅନ୍ୟାୟ ଓ ଓଡ଼ିଆଙ୍କ ସାମୂହିକ ଭାବାବେଗ ପ୍ରତି ଆଘାତ।

ଗୁଣପୁର-ଥେରୁବାଲି ପ୍ରକଳ୍ପ ପ୍ରସଙ୍ଗରେ ରେଳବାଇର ଏ ଆଭିମୁଖ୍ୟ ଦୁଃଖଦାୟକ ହେଲେ ମଧୢ ଆଦୌ ବିସ୍ମୟକର ନୁହେଁ। ଶୀତଳାପଲ୍ଲୀ ଓ ନର୍ଲା ରୋଡ୍‌ ଵାଗନ ପ୍ରକଳ୍ପ କ୍ଷେତ୍ରରେ ମଧୢ ଏହା ଘଟିଛି। ଓଡ଼ିଶା ପ୍ରତି ରେଳବାଇର ନକାରାତ୍ମକ ମନୋଭାବର ଏ ଅସ୍ବସ୍ତିକର ଧାରା ସ୍ବାଧୀନତା ପ୍ରାପ୍ତି ପର ଠାରୁ ଜାରି ରହି ଆସିଛି। ରେଳବାଇ ଏହା ବୁଝିବାକୁ ନାରାଜ ଯେ, ଓଡ଼ିଶାର ଭାବଗତ ସ˚ହତି, ଅର୍ଥନୈତିକ-ସାମାଜିକ ବିକାଶକୁ ଲାଭ-କ୍ଷତିର ହିସାବ ଫର୍ଦ୍ଦରେ ସୀମିତ ରଖାଯାଇ ପାରିବ ନାହିଁ। ଲାଭ ଦେଖିବାକୁ ଯାଇ ରେଳବାଇ ଓ କେନ୍ଦ୍ର ସରକାର ଓଡ଼ିଶାର ବୃହତ୍ତର ସ୍ବାର୍ଥକୁ ଅଣଦେଖା କରୁଛନ୍ତି। ଯେଉଁ ‘ଲାଭ ନଦେବା’ କାରଣ ଦର୍ଶାଇ ଗୁଣପୁର-ଥେରୁବାଲି ପ୍ରକଳ୍ପ ବାତିଲ ବିଷୟ ଚିନ୍ତା କରାଯାଉଛି, ସେହି କାରଣ ଯୋଗୁ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ମଧୢ ବିଳମ୍ବିତ ହେଉଛି। ଆଶାଜନକ ଲାଭ ନ ମିଳିବା ଆଶଙ୍କାରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ କାର୍ଯ୍ୟ ମନ୍ଥର ହେଉଥିବା ବିଷୟ ୨୦୦୭ରେ ଏନ୍‌ଡିଏ-୧ର ରେଳ ରାଷ୍ଟ୍ରମନ୍ତ୍ରୀ ଆର‌୍‌. ବାଲୁ ସ୍ବୀକାର କରିଥିଲେ। ତେବେ ଯେଉଁ ପ୍ରକଳ୍ପରୁ ରେଳବାଇ ପାଇଁ ବିପୁଳ ଲାଭର ସମ୍ଭାବନା ବି ରହିଛି, ତା’ର ଭାଗ୍ୟ ମଧୢ କିଛି ଭିନ୍ନ ନୁହେଁ। ହରିଦାସପୁର-ପାରାଦୀପ ସ୍ବତନ୍ତ୍ର ମାଲପରିବହନ କରିଡ଼ର ରେଳବାଇ ପାଇଁ ଲାଭ ଦୃଷ୍ଟିରୁ ଏକ ସୁନା ଅଣ୍ତାଦିଆ କୁୁକୁଡ଼ା। ପୁଣି ପରିବର୍ତ୍ତିତ ବ୍ୟବସ୍ଥାରେ ରେଳ ପ୍ରକଳ୍ପ ପାଇଁ ଏକା ରେଳବାଇ ପୁଞ୍ଜି ଖଟାଉ ନାହିଁ। ରାଜ୍ୟ ସରକାର ମାଗଣା ଜମି ସହ ଅଧା ଖର୍ଚ୍ଚ ତୁଲାଉଛନ୍ତି। ବିଭିନ୍ନ ଶିଳ୍ପ ସ˚ସ୍ଥାମାନେ ମଧୢ ସହଯୋଗୀ ହୋଇଥିବାରୁ ରେଳବାଇର ଆର୍ଥିକ ବୋଝ ହାଲୁକା ହେଉଛି। ତଥାପି ‘ଲାଭ’କୁ ଆଳ କରିବା ଦେଶର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଆଦୌ ଏକ ସକାରାତ୍ମକ ସ˚କେତ ନୁହେଁ।

‘ଲାଭ’ ବାହାନାରେ ନକାରାତ୍ମକ ଆଭିମୁଖ୍ୟ ଓ ଅଦକ୍ଷତାର ପରିଣତି ୮୨ କିମିର ହରିଦାସପୁର-ପାରାଦୀପ ପ୍ରକଳ୍ପ ୨୧ ବର୍ଷ ପରେ ବି ସ˚ପୂର୍ଣ୍ଣ ହୋଇପାରି ନାହିଁ। ପ୍ରଧାନମନ୍ତ୍ରୀଙ୍କ ଦପ୍ତର ତାଗିଦ କରିଥିଲେ ଯେ, ୨୦୧୮ ଡିସେମ୍ବର ସୁଦ୍ଧା ୪୨ କିମି ଓ ମାର୍ଚ୍ଚ ୨୦୧୯ ସୁଦ୍ଧା ଅବଶିଷ୍ଟ ୪୦ କିମି ଲାଇନ ସ˚ପୂର୍ଣ୍ଣ କର। କିନ୍ତୁ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ୨୦୧୯ ଜୁନ୍‌ ଶେଷ ସୁଦ୍ଧା ପ୍ରକଳ୍ପ ସ˚ପୂର୍ଣ୍ଣ ଲାଗି ନୂଆ ତାରିଖ ଧାର୍ଯ୍ୟ ହୋଇଛି। ପ୍ରାୟ ସବୁ ପ୍ରକଳ୍ପ ଗୁଡ଼ିକର ଅବସ୍ଥା ଏହି ଭଳି। କାମ ସ˚ପୂର୍ଣ୍ଣ ପାଇଁ ତାରିଖ ପରେ ତାରିଖ ଧାର୍ଯ୍ୟ ହେଉଛି, ଅଥଚ କାମ ସରୁନାହିଁ। ବଜେଟ୍‌ରେ ଅଧିକ ବ୍ୟୟବରାଦ ହେଉଥିବା ପ୍ରଚାର କରାଯାଉଛି। ଅଥଚ ଅସଲରେ ବର୍ଷ ଶେଷ ବେଳକୁ ବରାଦ ଅର୍ଥର ଏକ ବୃହତ୍‌ ଭାଗ ଖର୍ଚ୍ଚ ହୋଇପାରୁନାହିଁ। ଏଥିରେ ପ୍ରକଳ୍ପ କାର୍ଯ୍ୟ ଆଗେଇବ କେମିତି? ଜମି ଅଧିଗ୍ରହଣ ନିଶ୍ଚୟ ଏକ ସମସ୍ୟା। କିନ୍ତୁ ଅନେକ ସମୟରେ ଜମି ଅଧିଗ୍ରହଣରେ ବିଳମ୍ବକୁ ଆଳ କରି ପ୍ରକଳ୍ପ କାର୍ଯ୍ୟକାରିତାରେ ରେଳବାଇ ନିଜର ଅଦକ୍ଷତାକୁ ଘୋଡ଼ାଉଛି। ଖୋର୍ଦ୍ଧା-ବଲାଙ୍ଗୀର ପାଇଁ ୨୦୧୬ ଜୁଲାଇ ସୁଦ୍ଧା ୧୦୯ କିମି ରେଳପଥ ପାଇଁ ଜମି ହସ୍ତାନ୍ତର ହୋଇସାରିଥିଲା। ଅଥଚ, ସେତେବେଳକୁ ଏହାର ଅଧା ସୁଦ୍ଧା ଲାଇନ ନିର୍ମାଣ ସ˚ପୂର୍ଣ୍ଣ ହୋଇ ନଥିଲା। ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ପ୍ରତ୍ୟାହାର ଲାଗି ତତ୍କାଳୀନ ଆରଡିସି ଧମକ ଦେବା ପରେ ଯାଇ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା।

ତେଣୁ ସମସ୍ୟା ରହିଛି ଆଭିମୁଖ୍ୟରେ। ସ୍ବଳ୍ପମିଆଦୀ ‘ଲାଭ’ ଅପେକ୍ଷା ଦୀର୍ଘମିଆଦୀ ଲାଭ ଓ ଓଡ଼ିଶାର ବିକାଶ ଅଧିକ ପ୍ରାଥମିକତାର ଅପେକ୍ଷା ରଖୁଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧୢରେ ଅଯଥା ଦୋଷ ଲଦାଲଦି ପରିବର୍ତ୍ତେ ପରସ୍ପର ସହଯୋଗମୂଳକ ସକାରାତ୍ମକ ମନୋଭାବ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିବ। ଆଶା, ବଲାଙ୍ଗୀର-ଭୈଁସାପାଲି ରେଳ ଲାଇନର ଉଦ୍‌ଘାଟନ ଅବସରରେ ଓଡ଼ିଶାର ବିକାଶ ଓ ପ୍ରଗତି ପାଇଁ ଆଭିମୁଖ୍ୟରେ ଏହି ଈପ୍‌ସିତ ପରିବର୍ତ୍ତନର ସକାରାତ୍ମକ ସ˚କେତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କଠାରୁ ମିଳିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.