୧୭୫୨ ସାଲ ସେପ୍ଟେମ୍ବର ୨ ତାରିଖ ବୁଧବାର ରାତିରେ ପୃଥିବୀ ସାରା ବିଛାଇ ହୋଇ ରହିଥିବା ବ୍ରିଟିସ୍ ସାମ୍ରାଜ୍ୟର ଅଧିବାସୀମାନେ ହଠାତ୍ କୁମ୍ଭକର୍ଣ୍ଣ ପାଲଟି ଯାଇଥିଲେ। ସେମାନଙ୍କ ନିଦ ଭାଙ୍ଗିବା ବେଳକୁ ପୂରା ୧୨ ଦିନ ବିତି ଯାଇଥିଲା! ସେପ୍ଟେମ୍ବର ୧୪ ଗୁରୁବାର ସକାଳେ ସେମାନେ ନିଦରୁ ଉଠିଥିଲେ। ସେମାନେ କିନ୍ତୁ ପ୍ରକୃତରେ ୧୨ ଦିନ ଧରି କୁମ୍ଭକର୍ଣ୍ଣ ଭଳି ଶୋଇ ପଡ଼ି ନଥିଲେ। ବ୍ରିଟିସ୍ କ୍ୟାଲେଣ୍ତର୍ରେ ଅଣାଯାଇଥିବା ଏକ ପରିବର୍ତ୍ତନ ହିଁ ସେମାନଙ୍କ ସମ୍ବନ୍ଧରେ ଏପରି ଏକ ଅବାସ୍ତବ ଧାରଣା ସୃଷ୍ଟି କରିଥିଲା। ବ୍ରିଟିସ୍ କ୍ୟାଲେଣ୍ତର୍ ଆକ୍ଟ, ୧୭୫୧ ବ୍ରିଟେନ୍ରେ ସେ ପର୍ଯ୍ୟନ୍ତ ପ୍ରଚଳିତ ଜୁଲିଆନ୍ କ୍ୟାଲେଣ୍ତର୍ରେ ଅନ୍ତ ଘଟାଇ ଗ୍ରେଗରିଆନ୍ କ୍ୟାଲେଣ୍ତର୍କୁ ଗ୍ରହଣ କରିବା ଫଳରେ ସେପ୍ଟେମ୍ବର ୨ ପର ତାରିଖ ହୋଇଯାଇଥିଲା ସେପ୍ଟେମ୍ବର ୧୪। ୧୫୮୨ ସାଲରେ ୟୁରୋପ୍ରେ ପ୍ରଥମେ ପ୍ରଚଳିତ ହୋଇଥିବା ଗ୍ରେଗରିଆନ୍ କ୍ୟାଲେଣ୍ତର୍ ଅନୁସାରେ ଜାନୁଆରି ୧ ତାରିଖ ମହାଦେଶର ଅନ୍ୟ ଦେଶମାନଙ୍କରେ ନବବର୍ଷ ରୂପେ ପାଳିତ ହୋଇ ଆସୁଥିଲେ ମଧୢ ୧୭୫୨ ପର୍ଯ୍ୟନ୍ତ ବ୍ରିଟିସ୍ ସାମ୍ରାଜ୍ୟ ଓ ତା’ର ଆମେରିକୀୟ ଉପନିବେଶମାନଙ୍କରେ ମାର୍ଚ୍ଚରେ ହିଁ ନବବର୍ଷ ପାଳିତ ହେଉଥିଲା। ସେଇ କୁମ୍ଭକର୍ଣ୍ଣ ରାତି ପର ଠାରୁ ହିଁ ଇ˚ରେଜ୍ମାନେ ଜାନୁଆରି ୧ ତାରିଖକୁ ନବବର୍ଷ ରୂପେ ପାଳନ କରିବାକୁ ଆରମ୍ଭ କଲେ। ଏଣୁ ଆଜି ଦିନଟିକୁ ଇ˚ରେଜୀ ନବବର୍ଷ ବୋଲି କହିବା ଏକ ଐତିହାସିକ ବିଡ଼ମ୍ବନା ଭଳି ମନେହୁଏ। ଭାରତ ଦୀର୍ଘ କାଳ ଧରି ବ୍ରିଟେନ୍ର ଏକ ଉପନିବେଶ ହୋଇ ରହିଥିବାରୁ ସ୍ବାଧୀନ ଭାରତୀୟମାନଙ୍କ ମଧୢରେ ଏହି ଇ˚ରେଜୀ ନବବର୍ଷ ନାମଟି ଯୋଗୁ ବେଳେ ବେଳେ ନବବର୍ଷ ପାଳନ ପ୍ରତି ବିରୋଧ ଭାବ ସୃଷ୍ଟି ହେବା ଦେଖାଯାଇଥାଏ (ଯେମିତି ନୂଆ ବର୍ଷ ରାତିରେ ଶ୍ରୀମନ୍ଦିରରେ ଦର୍ଶନ ସମୟ ନିର୍ଦ୍ଧାରଣକୁ ନେଇ ବିବାଦ ସୃଷ୍ଟି ହୋଇଛି)। ମନେ ହେଉଛି ନବବର୍ଷ ଯଦି ପୂର୍ବଭଳି ମାର୍ଚ୍ଚରେ ପାଳିତ ହେଉଥାନ୍ତା, ଆମ ନବବର୍ଷ ସହିତ ତାହାର ଅଧିକ ତାଳମେଳ ଯୋଗୁ ଏ ବିବାଦ ଦେଖାଯାଆନ୍ତା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ କେବଳ ଭାରତ ନୁହେଁ, ପୃଥିବୀର ଅନ୍ୟାନ୍ୟ ଅନେକ ଦେଶରେ (ଯେମିତି ଚୀନ୍) ସ୍ଥାନୀୟ ନବବର୍ଷ ଏହି ତଥାକଥିତ ଇ˚ରେଜୀ ନବବର୍ଷଠାରୁ ଭିନ୍ନ ହୋଇଥାଏ। ଭାରତ ଭଳି ସେ ସବୁ ଦେଶମାନଙ୍କରେ ମଧୢ ସ୍ଥାନୀୟ ନବବର୍ଷକୁ ପାରମ୍ପରିକ ଭାବରେ ପାଳନ କରାଯାଇଥାଏ; କିନ୍ତୁ ତା’ସହିତ ପୃଥିବୀର ପ୍ରତ୍ୟେକ ଦେଶରେ ଜାନୁଆରି ୧ ତାରିଖକୁ ନବବର୍ଷ ରୂପେ ପ୍ରବଳ ଉତ୍ସାହର ସହିତ ପାଳନ କରାଯାଇଥାଏ। ଯଦିବା ଖ୍ରୀଷ୍ଟଧର୍ମ ସହିତ ଏହି ନବବର୍ଷ ପାଳନର ଘନିଷ୍ଠ ସମ୍ପର୍କ ରହିଛି, ଜାତି, ଧର୍ମ, ସ୍ଥାନ ନିର୍ବିଶେଷରେ ଏହାର ପୃଥିବୀ ବ୍ୟାପୀ ପାଳନ ସାରା ବସୁଧା ଯେ ଗୋଟିଏ କୁଟୁମ୍ବ, ଏହି ଧାରଣାକୁ ବଳବତ୍ତର କରିଥାଏ। ଆଉ ସବୁଠି ଏହି ଦିନଟିରେ ବିଗତ ବାର ମାସର ସ୍ମୃତି ରୋମନ୍ଥନ କରାଯିବା ସହିତ ଆସନ୍ତା ବର୍ଷ କ’ଣ ଘଟିବାକୁ ଯାଉଛି, ସେ ସମ୍ବନ୍ଧରେ ଅନୁମାନ କରାଯାଇଥାଏ। ଆମେ ଏଠାରେ ସେହିପରି ଏକ ଅନୁମାନ ସ˚କ୍ଷେପରେ କରିବାକୁ ଯାଉଛୁ ଯାହାର ଆରମ୍ଭ ଭାରତରୁ।
ଚଳିତ ବର୍ଷ ଆରମ୍ଭର ହାଡ଼ଭଙ୍ଗା ଶୀତ ଝାଳବୁହା ତାତିରେ ପରିଣତ ହେବା ବେଳକୁ ପୃଥିବୀର ଏହି ବୃହତ୍ତମ ଗଣତନ୍ତ୍ର ସାଧାରଣ ନିର୍ବାଚନର ଦ୍ବାର ଦେଶରେ ଉପସ୍ଥିତ ହୋଇଯିବ। ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ପାଇଁ ଏକ ଗଣଭୋଟ୍ ସଦୃଶ। ପାଞ୍ଚ ବର୍ଷ ପୂର୍ବେ ଯେଉଁ ମ୍ୟାଜିକ୍ ବଟନ୍ଟିଏ ଦବାଇ ମୋଦୀ ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଥିଲେ ତାହା ହେଲା ଦୀର୍ଘକାଳ ଧରି ଶାସନ କ୍ଷମତାରେ ଥିବା ସମ୍ଭ୍ରାନ୍ତ ବର୍ଗ (ଯେମିତି ‘ଶାହ୍ଜାଦା’)ମାନଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଦେଶବ୍ୟାପୀ ଜନ ଅସନ୍ତୋଷ (ଯେମିତି ଆନ୍ନା ଆନ୍ଦୋଳନ)। ନିଜେ ପାଞ୍ଚବର୍ଷ କ୍ଷମତାରେ ରହିବା ପରେ ମୋଦୀ ସେ ବଟନ୍ ଏବେ ଦବାଇଲେ ଆଉ ସେ ଭଳି ଜନଗର୍ଜନ ଶୁଣିବାକୁ ମିଳୁ ନାହିଁ। ତେବେ ମୋଦୀଙ୍କ ଅସ୍ତ୍ରାଗାରରେ ଅନ୍ୟ କେତେକ ଶକ୍ତିଶାଳୀ ଅସ୍ତ୍ର ମଧୢ ରହିଛି: ଶୃଙ୍ଖଳିତ ପଦାତିକ ବାହିନୀ, ଧର୍ମଭିତ୍ତିକ ଜାତୀୟତାବାଦ, ଓ ସର୍ବୋପରି ବିଶାଳ ପାଣ୍ଠି। କ୍ଷମତାସୀନ ଦଳର ଭୁଲ ଭଟକାକୁ କାର୍ଯ୍ୟରେ ଲଗାଇ ତାକୁ ପରାସ୍ତ କରିବା ପାଇଁ ଅତୀତର କ˚ଗ୍ରେସ ଭଳି ଆଜିର ଶିଶୁସୁଲଭ ନେତୃତ୍ବାଧୀନ କ˚ଗ୍ରେସର ଶକ୍ତି ନାହିଁ। କିନ୍ତୁ ଯଦି ସମସ୍ତ ବିରୋଧୀ ଦଳମାନଙ୍କୁ ଏକାଠି କରିବାରେ କ˚ଗ୍ରେସ ସଫଳ ହୁଏ, ତେବେ ମୋଦୀ ଏ ନିର୍ବାଚନରେ ଧରାଶାୟୀ ହେବାର ଦୃଢ଼ ସମ୍ଭାବନା ରହିଛି। ଏହା କିନ୍ତୁ ଏକ ବିଶାଳ ‘ଯଦି’। ୨୦୧୯ରେ ଭାରତ ବ୍ୟତୀତ ଆଉ ଯେଉଁ ଦୁଇଟି ବୃହତ୍ ଗଣତନ୍ତ୍ରରେ ମଧୢ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ, ସେମାନେ ହେଲେ ଇଣ୍ତୋନେସିଆ ଓ ନାଇଜେରିଆ। ଏ ତିନି ଦେଶର ଲୋକସ˚ଖ୍ୟା ମିଶି ହେଉଛି ପୃଥିବୀର ମୋଟ ଲୋକସ˚ଖ୍ୟାର ଏକ-ତୃତୀୟା˚ଶରୁ ଅଧିକ। ପୃଥିବୀରେ ଗଣତନ୍ତ୍ର ଓ ବ୍ୟକ୍ତି ସ୍ବାଧୀନତା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ।
ଏ ବର୍ଷ ବ୍ରିଟେନ୍ ‘ସ୍ବାଧୀନ’ ହେବ- ବିଧିବଦ୍ଧ ଭାବରେ ୟୁରୋପିଆନ୍ ୟୁନିଅନ୍ରୁ ଅଲଗା ହୋଇ ଯିବ ବା ‘ବ୍ରେକ୍ସିଟ୍’ ଘଟିବ। ଏହି ବର୍ଷ ମଧୢ ୟୁରୋପିଆନ୍ ୟୁନିଅନ୍ରେ ଏକ ନୂତନ କମିସନ୍, ଏକ ନୂତନ ପାର୍ଲାମେଣ୍ଟ୍ ଗଠିତ ହେବ। ୨୦୧୯ରେ ଶେଷରେ ଭାରତୀୟମାନେ ଇ˚ରେଜଙ୍କୁ ପଛରେ ପକାଇବାକୁ ଯାଉଛନ୍ତି। ଯଦିବା ଟଙ୍କାର ‘କ୍ରୟ ଶକ୍ତି ସାମ୍ୟ’ (‘ପର୍ଚେଜିଙ୍ଗ୍ ପାଵାର୍ ପାରିଟି’) ଅନୁସାରେ ଭାରତର ମୋଟ ଜାତୀୟ ଉତ୍ପାଦ (ଜିଡିପି) ବ୍ରିଟେନ୍ର ଜିଡିପିକୁ ଅତିକ୍ରମ କରି ସାରିଛି, ଏ ବର୍ଷ ବିଧିବଦ୍ଧ ପ୍ରଚଳିତ ବଜାରଭିତ୍ତିକ ହିସାବ ଅନୁସାରେ ଭାରତର ଜିଡିପି ବ୍ରିଟେନ୍ର ‘ଜିଡିପି’କୁ ଟପିଯିବ। ଏହା ଭାରତକୁ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ କରିବ। ଏ ବର୍ଷ ମଧୢ ଚୀନ୍ ‘ୟୁରୋ’ ଅଞ୍ଚଳ (ୟୁରୋ ଜୋନ୍)କୁ ଅତିକ୍ରମ କରି ପୃଥିବୀର ଦ୍ବିତୀୟ ବୃହତ୍ତମ ମୁଦ୍ରା ଅଞ୍ଚଳରେ ପରିଣତ ହେବ। ୨୦୫୦ ବେଳକୁ ପୃଥିବୀର ଅର୍ଥନୈତିକ ମାନ୍ୟତା ତାଲିକା କିଭଳି ହେବାକୁ ଯାଉଛି, ୨୦୧୯ର ଏହି ଦୁଇ ପରିବର୍ତ୍ତନ ତାହାର ନିଶ୍ଚିତ ଆଭାସ ପ୍ରଦାନ କରିଥାଏ। ସେ ସମୟର ମାନ୍ୟତା ତାଲିକା ହେବ ଏହିପରି: ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ଜାପାନ୍, ଜର୍ମାନୀ, ବ୍ରିଟେନ୍।
ଏହି ବର୍ଷ ପୃଥିବୀର ଅର୍ଧେକ ଇଣ୍ଟର୍ନେଟ୍ ଦ୍ବାରା ସ˚ଯୁକ୍ତ ହୋଇ ‘ଅନ୍ ଲାଇନ୍’ ହୋଇଯିବ। ‘କୃତ୍ରିମ ବୁଦ୍ଧି’ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ରୁ ଆରମ୍ଭ କରି ‘ମୁଖ ଚିହ୍ନଟ’ ପର୍ଯ୍ୟନ୍ତ କିମ୍ବା ଚାଳକ ବିହୀନ ମଟରଗାଡ଼ି ପର୍ଯ୍ୟନ୍ତ ଏ ବର୍ଷ ଏପରି ପ୍ରତିଷ୍ଠା ଲାଭ କରିବାକୁ ଯାଉଛନ୍ତି ଯେ ଟେକ୍ନୋଲୋଜିଠାରୁ କେହି ନିସ୍ତାର ପାଇବେ ନାହିଁ। ଏଥି ସହିତ ତାଳ ଦେଇ ବିଭିନ୍ନ ଦେଶରେ ସରକାରୀ ନାଗରିକମାନଙ୍କର ବ୍ୟକ୍ତିଗତ ଗୋପନୀୟତା ରକ୍ଷା କରିବା ପାଇଁ ‘ଗୁଗ୍ଲ’, ‘ଫେସ୍ବୁକ୍’ ଆଦି ଟେକ୍ନୋଲୋଜି କମ୍ପାନିମାନଙ୍କ ଉପରେ ନିୟନ୍ତ୍ରଣ କଡ଼ାକଡ଼ି କରିବା ଦେଖାଯିବ। ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଚନ୍ଦ୍ର ପୃଷ୍ଠରେ ପାଦ ପକାଇବାର ୫୦ ବର୍ଷ ପରେ ଏ ବର୍ଷ ମହାକାଶ ଯାନମାନ ପୁଣି ଚନ୍ଦ୍ରମୁହାଁ ହେବେ। ଏମାନଙ୍କ ମଧୢରୁ କେତେକ ଘରୋଇ ଉଦ୍ୟମ ପ୍ରସୂତ ହେବେ। ଏ ବର୍ଷ ମଧୢ ‘ନାସା’ର ‘ନିଉ ହରାଇଜନ୍’ ନାମକ ମହାକାଶ ଅସୁସନ୍ଧାନକାରୀ ଯାନ ମହାକାଶ ଯାତ୍ରା ଇତିହାସରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା କରି ସର୍ବାଧିକ ଦୂରତା ଅତିକ୍ରମ କରି ସୌର ଜଗତ୍ର ଧାରରେ ୪ ବିଲିଅନ୍ ମାଇଲ (ପ୍ରାୟ ସାଢେ଼ ଛଅ ବିଲିଅନ୍ କିମି) ଦୂରରେ ଥିବା ‘ଅଲ୍ମା ଥୁଲି’ ନାମକ ପଥର ଖଣ୍ତ ପାଖରେ ପହଞ୍ଚିଯିବ। ଏହା ଆଜି ହିଁ ଘଟିବ ବୋଲି ଆକଳନ କରାଯାଇଛି (୫.୩୩ ଜିଏମ୍ଟି)।
ଶେଷରେ ଏ ବର୍ଷ ମାନବ ଜାତିର ଦୁଇଜଣ ଶ୍ରେଷ୍ଠ ମହାପୁରୁଷଙ୍କୁ ଆମେ ପୁଣି ମନେପକାଇବା: ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମଦିବସ; ମହାନ୍ ବୈଜ୍ଞାନିକ-ଚିତ୍ରକର ଲିଓନାର୍ଡୋ ଡାଭିନ୍ଚିଙ୍କର ୫୦୦ତମ ମୃତ୍ୟୁବାର୍ଷିକୀ।