ଅଚାନକ

ବର୍ତ୍ତମାନ ଏକ ବିବଦମାନ ଫିଲ୍‌ମର କେନ୍ଦ୍ରବିନ୍ଦୁ ପାଲଟିଥିବା ଡକ୍ଟର ମନମୋହନ ସି˚ହ ଦୀର୍ଘ ଏକ ଦଶନ୍ଧି ଧରି ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ମଧୢ କେବେହେଲେ ଜଣେ ରାଜନେତା ନଥିଲେ। ଭାରତ ଏକ ‘ଲୋକଙ୍କର, ଲୋକଙ୍କ ଦ୍ବାରା ଓ ଲୋକଙ୍କ ପାଇଁ’ ଗଣତନ୍ତ୍ର ହୋଇଥିଲେ ମଧୢ ସେ କେବେହେଲେ ଥରୁଟିଏ ମଧୢ ମତଦାତାମାନଙ୍କ ଦ୍ବାରା ନିର୍ବାଚିତ ହୋଇ ନଥିଲେ। ସେ ମଧୢ ଜଣେ ପେସାଦାର ଅମଲା ବା ସିଭିଲ୍‌ ସର୍ଭାଣ୍ଟ୍‌ ନଥିଲେ। ସେ କିନ୍ତୁ ତାଙ୍କ ଦୀର୍ଘ କ୍ୟାରିଅର‌୍‌ରେ ଯେଉଁ ସବୁ ପଦପଦବି ହାସଲ କରି ପାରିଥିଲେ (ତା’ ମଧୢରେ ଅନ୍ତର୍ଭୁକ୍ତ ଅର୍ଥନୈତିକ ବ୍ୟାପାର ସଚିବ, ପରମାଣୁ ଶକ୍ତି କମିସନ୍‌ର ସଦସ୍ୟ, ମହାକାଶ କମିସନ୍‌ର‌ ସଦସ୍ୟ, ଯୋଜନା କମିସନ୍‌ର ସଦସ୍ୟ ସଚିବ, ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିିଆର ଗଭର୍ଣ୍ଣର‌୍‌, ଯୋଜନା କମିସନ୍‌ର ଡେପୁଟି ଚେଆର‌୍‌ମ୍ୟାନ୍‌, ସାଉଥ୍‌ କମିସନ୍‌ର ମହାସଚିବ, ୟୁନିଭର‌୍‌ସିଟି ଗ୍ରାଣ୍ଟ୍‌ କମିସନ୍‌ର ଚେଆର‌୍‌ମ୍ୟାନ୍‌, ରାଜ୍ୟସଭା ସଦସ୍ୟ, ଭାରତର ବିତ୍ତମନ୍ତ୍ରୀ, ରାଜ୍ୟସଭାରେ ବିରୋଧୀ ଦଳ ନେତା, ଭାରତର ପ୍ରଧାନମନ୍ତ୍ରୀ), ସେଥିରୁ କୌଣସି ଗୋଟିଏ ବି ପାଇବା ପାଇଁ ଜଣେ ପେସାଦାର ଅମଲା ନିଜର ଡାହାଣ ହାତଟି ଦେଇ ଦେବାକୁ ପ୍ରସ୍ତୁତ ହେବେ ଏବ˚ ଜଣେ ପେସାଦାର ରାଜନେତା ନିଜର ବାମହାତଟି ଦେଇ ଦେବେ ବୋଲି କଥା ଛଳରେ କହିଲେ ଅତିରଞ୍ଜନ ହେବ ନାହିଁ।
ଏହି ବିଚକ୍ଷଣ ଅର୍ଥନୀତଜ୍ଞ ତଥା ଅଧୢାପକ ଯଦି ଏ ସମସ୍ତ ହାସଲ କଲାପରେ ନିଜର ମେରୁଦଣ୍ତକୁ ସଳଖ ରଖିପାରିଥାନ୍ତେ ତେବେ ତାଙ୍କ କ୍ୟାରିଅର‌୍‌ର ଶେଷ ଓ ଶୀର୍ଷ ସମୟରେ ତାଙ୍କୁ ଉପହାସ ଓ ସମାଲୋଚନାର ଶିକାର ହେବାକୁ ପଡ଼ିନଥାନ୍ତା କିମ୍ବା ବର୍ତ୍ତମାନର ଏହି ଫିଲ୍‌ମ ‘ଦି ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର‌୍‌’ ନିର୍ମିତ ହୋଇ ନଥାନ୍ତା। ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏକ ଧାରଣା ବଳବତ୍ତର ହୋଇଥିଲା ଯେ ତାଙ୍କ ହାତରେ କିଛି କ୍ଷମତା ନାହିଁ, ସମସ୍ତ କ୍ଷମତା ଅଛି କ˚ଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ହାତରେ। ଏପରିକି ଅତ୍ୟନ୍ତ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପତ୍ରିକା ‘ଦି ଇକନୋମିଷ୍ଟ୍’ ତାଙ୍କ ବିଷୟରେ ଲେଖିଥିଲା: ‘ମନମୋହନ ସି˚ହ ପଦବିରେ ଅଛନ୍ତି, କ୍ଷମତାରେ ନାହାନ୍ତି’ (‘ମନମୋହନ ସି˚ହ ଇଜ୍‌ ଇନ୍‌ ପୋଜିସନ୍‌, ନଟ୍‌ ଇନ୍‌ ପାଵାର‌୍‌’)। ଏଭଳି ଧାରଣା ମନମୋହନଙ୍କୁ ଯେ ବ୍ୟଥିତ କରିନଥିଲା, ଏପରି ନୁହେଁ। ସେ ଥରେ କହିଥିଲେ ଯେ ସାମ୍ପ୍ରତିିକ ଗଣମାଧୢମ ଅପେକ୍ଷା ଇତିହାସ ତାଙ୍କ ପ୍ରତି ଅଧିକ ଦୟାଳୁ ହେବ।
ଘଟଣାଚକ୍ରରେ ସେଭଳି ଇତିହାସ ଲେଖା ଯିବାରେ ବିଳମ୍ବ ଘଟିଲା ନାହିଁ। ୨୦୧୪ ଏପ୍ରିଲ୍‌ରେ ହିଁ ପ୍ରଧାନମନ୍ତ୍ରୀ ମନମୋହନ ସି˚ହଙ୍କର ଗଣମାଧୢମ ଉପଦେଷ୍ଟା (ମିଡିଆ ଆଫଭାଇଜର‌୍‌) ରହିଥିବା ସଞ୍ଜୟ ବରୁ ତାଙ୍କର ଅନୁଭୂତି ଆଧାରରେ ମନମୋହନ ସି˚ହଙ୍କ ସମ୍ବନ୍ଧରେ ରଚନା କରିଥିବା ପୁସ୍ତକ ‘ଦି ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର‌୍‌: ଦି ମେକିଙ୍ଗ୍‌ ଆଣ୍ତ୍‌ ଅନ୍‌ମେକି˚ ଅଫ୍‌ ମନମୋହନ ସି˚ହ’ (‘ଅଚାନକ ପ୍ରଧାନମନ୍ତ୍ରୀ: ମନମୋହନ ସି˚ହଙ୍କର ଗଠନ ଓ ଅବଗଠନ’) ପ୍ରକାଶିତ ହେଲା। ଏହି ପୁସ୍ତକ ହିଁ ହେଉଛି ବର୍ତ୍ତମାନର ଫିଲ୍‌ମର ଆଧାର। ଏହା ସ୍ପଷ୍ଟ ଯେ ମନମୋହନ ସି˚ହଙ୍କର ହୃତ ଖ୍ୟାତିର ପୁନଃ ପ୍ରତିଷ୍ଠା ହିଁ ଥିଲା ପୁସ୍ତକର ରଚୟିତା ବରୁଙ୍କର ଉଦ୍ଦେଶ୍ୟ। ତାଙ୍କ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ରୂପେ ମନମୋହନ ସି˚ହଙ୍କର ପ୍ରଥମ ପାଳି (୨୦୦୪-୨୦୦୯)ର ରେକର୍ଡ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା- ଅର୍ଥନୈତିକ ନୀତି ନିର୍ଦ୍ଧାରଣରୁ ଭାରତର ଆଣବିକ ବାସନ୍ଦ ଦୂର କରିବା ପର୍ଯ୍ୟନ୍ତ। ମନମୋହନଙ୍କ ଦ୍ବିତୀୟ ପାଳି ପ୍ରଧାନମନ୍ତ୍ରୀତ୍ବ ସମୟରେ ବରୁ ଆଉ ନିଜ ପଦରେ ନଥିଲେ। ତାଙ୍କର ଅଧିକା˚ଶ ସମସ୍ୟା ଏହି ଦ୍ବିତୀୟ ପାଳିରେ ହିଁ ଦେଖାଦେଇଥିଲା ବୋଲି ବରୁ ପ୍ରଦର୍ଶିତ କରିଛନ୍ତି।
ବରୁଙ୍କ ମହତ୍‌ ଉଦ୍ଦେଶ୍ୟ ସତ୍ତ୍ବେ କିନ୍ତୁ ତାଙ୍କ ଅଜାଣତରେ କିମ୍ବା ଜାଣତରେ ପୁସ୍ତକଟିରେ ମନମୋହନ ସି˚ହଙ୍କର ଯେଉଁ ଛବି ଆଙ୍କି ହୋଇ ଯାଇଛି ତାହା ତାଙ୍କ ସମ୍ବନ୍ଧରେ ବଳବତ୍ତର ଥିବା ସାଧାରଣ ଧାରଣା ଠାରୁ ବହୁ ଅଲଗା: ସେ ରାଜନୀତିରେ ଅପରିପକ୍ବ, ଛଳକପଟ ଜାଣି ନଥିବା ଜଣେ ବ୍ୟକ୍ତି ଯିଏ ଅଚାନକ ନିଜକୁ ପ୍ରଧାନମନ୍ତ୍ରୀ ଚୌକିରେ ଆବିଷ୍କାର କରିଥିଲେ। ବହିଟି ପଢ଼ିଲେ ଧାରଣା ହୁଏ ସେ ଏପରି ଆଦୌ ନଥିଲେ। ଏ ସମ୍ପର୍କରେ ମନମୋହନଙ୍କ ଚରିତ୍ରର ଦୁଇଟି ଦିଗ ଏଠାରେ ପ୍ରଣିଧାନଯୋଗ୍ୟ। ଏକ, ଦୁର୍ନୀତି ପ୍ରତି ତାଙ୍କର ଆଭିମୁଖ୍ୟ; ଦୁଇ, ଠିକଣା ସମୟରେ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବା ପାଇଁ ତାଙ୍କର ଅନିଚ୍ଛା ବା ଅସାମର୍ଥ୍ୟ। ପ୍ରଥମଟି ସମ୍ବନ୍ଧରେ ବରୁଙ୍କ ନିଜ ବର୍ଣ୍ଣନା ଏହିପରି: ‘‘ସରକାରରେ ତାଙ୍କର କ୍ୟାରିଅର‌୍‌ ସାରା ଡକ୍ଟର‌୍‌ ସି˚ହ ସାଧାରଣ ଜୀବନରେ ଦୁର୍ନୀତି ପ୍ରତି ଗ୍ରହଣ କରିଥିବା ଆଭିମୁଖ୍ୟ ସମ୍ବନ୍ଧରେ ମୋର ଯାହା ମନେହୁଏ, ତାହା ହେଲା ସିଏ ନିଜେ ନିଜର ସାଧାରଣ ଜୀବନରେ ସାଧୁତାର ଚରମ ମାନ ରକ୍ଷା କରିବେ, କିନ୍ତୁ ଅନ୍ୟମାନଙ୍କ ଉପରେ ଏହା ଲଦି ଦେବେ ନାହିଁ।’’ ଏହାର ଅର୍ଥ ନିଜର ରାଜନୈତିକ ଅପରିପକ୍ବତା ଯୋଗୁ ନୁହେଁ, ବରଂ ନିଜର ବ୍ୟକ୍ତିଗତ ପସନ୍ଦ ଯୋଗୁ ହିଁ ମନମୋହନ ନିଜର ବିପଥଗାମୀ ସହକର୍ମୀମାନଙ୍କୁ ବାଟକୁ ଆଣିବା ପାଇଁ କୌଣସି କଠୋର ପଦକ୍ଷେପ ନେଇ ନଥିଲେ। ଏହା ଏକ ଅମଲାସୁଲଭ ମନୋଭାବ ହୋଇପାରେ, କିନ୍ତୁ ଏକ ଜନନାୟକସୁଲଭ ମନୋଭାବ ନୁହେଁ। ଏହାର ପରିଣାମ ହେଲା ତାଙ୍କର ନ’ ବର୍ଷର ଶାସନ କାଳ ମଧୢରେ ନ’ଟି ମହାଦୁର୍ନୀତି।
ପଦ ତ୍ୟାଗ ପାଇଁ ମନମୋହନଙ୍କ କୁଣ୍ଠାର ସର୍ବଶ୍ରେଷ୍ଠ ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ସେ ଆମେରିକା ଗସ୍ତରେ ଥିବା ସମୟରେ ତାଙ୍କ କ୍ୟାବିନେଟ୍‌ ଦ୍ବାରା ଗୃହୀତ ଏକ ଅଧୢାଦେଶକୁ ଏକ ସାମ୍ବାଦିକ ସମ୍ମିଳନୀରେ ଧସେଇ ପଶି ଆସି ରାହୁଲ ଗାନ୍ଧୀ ସର୍ବସମକ୍ଷରେ ‘ନନ୍‌ସେନ୍‌ସ’ ଆଖ୍ୟା ଦେଇ ଚିରି ଫୋପାଡ଼ି ଦେଲେ। ଏ ଖୋଲା ଅପମାନକୁ ହଜମ କରି ସେ ପ୍ରଧାନମନ୍ତ୍ରୀ ପଦରେ ଲାଖି ରହିବା ସେତେବେଳେ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଦେଇଥିଲା। ଆଶ୍ଚର୍ଯ୍ୟ ହେବାର ଏକ କାରଣ ଥିଲା ତାଙ୍କର ପ୍ରଥମ ପାଳିରେ ସେଇ ପ୍ରଧାନମନ୍ତ୍ରୀ ମନେମୋହନ ସି˚ହ ଇସ୍ତଫା ଭୟ ଦେଖାଇ ଭାରତ-ଆମେରିକା ବେସାମରିକ ଅଣୁ ଚୁକ୍ତି ପାଇଁ କ˚ଗ୍ରେସ ନେତୃତ୍ବଠାରୁ ଅନୁମୋଦନ ହାସଲ କରିଥିଲେ। ସେତେବେଳେ ତାଙ୍କର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ରାହୁଲ ଗାନ୍ଧୀ ପ୍ରସ୍ତୁତ ହୋଇ ନଥିଲେ; ଦ୍ବିତୀୟ ପାଳିରେ କିନ୍ତୁ ମଞ୍ଚ ପାର୍ଶ୍ବରେ ରାହୁଲଙ୍କ ଉପସ୍ଥିତି ଶୂନ୍ୟ ସ୍ଥାନ ପୂରଣ ନିମିତ୍ତ ପ୍ରସ୍ତୁତ ଥିଲା। ତେଣୁ ତାଙ୍କର ଇସ୍ତଫା ଧମକ ସମ୍ପୂର୍ଣ୍ଣ ପ୍ରଭାବଶୂନ୍ୟ ହୁଅନ୍ତା। ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଘଟି ଚାଲିଥିଲେ ହେଁ ମନମୋହନ ସହକର୍ମୀଙ୍କୁ ସ˚ଯତ କରିବା ପାଇଁ କେବେହେଲେ ଆଉ ଇସ୍ତଫା ଧମକ ବ୍ୟବହାର କରି ନଥିଲେ। ସ˚ଜୟ ବରୁ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି, କିନ୍ତୁ ମନମୋହନଙ୍କ ନିରୁପାୟ ଭାବର ଅନ୍ୟ ଏକ କାରଣ ଲେଖି ତାଙ୍କୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିଛନ୍ତି। ତାଙ୍କ ମତରେ ମନମୋହନ ଦଳର ସ୍ବାର୍ଥକୁ ବଳି ଦେଇ ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ଇସ୍ତଫା ଦେଲେ ବୋଲି ଅଭିଯୋଗ ହୁଅନ୍ତା। ବରୁଙ୍କ ଭାଷାରେ ‘‘ତୁମେ ଚଢ଼ିଥିବା ଘୋଡ଼ା ଯେତେବେଳେ ବାଘରେ ପରିଣତ ହୋଇଯାଏ, ଓହ୍ଲାଇବା କଷ୍ଟକର ହୋଇପଡେ଼।’’ ମନମୋହନ କିନ୍ତୁ ନିଜର କ୍ଷମତାହୀନ ପଦବି ସପକ୍ଷରେ ଯୁକ୍ତି କରିଥିଲେ: ‘‘ଦୁଇଟି କ୍ଷମତା କେନ୍ଦ୍ର ରହିପାରିବେ ନାହିଁ।’’ ଅର୍ଥାତ୍‌ ସୋନିଆ ଗାନ୍ଧୀ ହିଁ ଏକମାତ୍ର କ୍ଷମତା କେନ୍ଦ୍ର ଥିଲେ।
ଏ ଭଳି ଏକ କଥାବସ୍ତୁକୁ ବ୍ୟବହାର କରି ଏକ ଫିଲ୍‌ମ ନିର୍ମିତ ହେଲେ ଲେଖକ ଓ ନିର୍ଦ୍ଦେଶକଙ୍କ ସମସ୍ତ ସଦିଚ୍ଛା ସତ୍ତ୍ବେ ମନମୋହନ ସି˚ହଙ୍କର ଚରିତ୍ରର ଉତ୍ତମ ଦିଗମାନଙ୍କ ସହିତ ଏ ସମସ୍ତ ଦୁର୍ବଳତା ପରିସ୍ଫୁଟ ହେବା ପାଇଁ ଯେଉଁଭଳି ବାଧୢ ସୋନିଆ ଗାନ୍ଧୀଙ୍କର ନିୟନ୍ତ୍ରକ ଭୂମିକା ମଧୢ ସେଇଭଳି ପ୍ରଦର୍ଶିତ ହେବା ପାଇଁ ବାଧୢ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ସାଧାରଣ ନିର୍ବାଚନ ଆସନ୍ନ ଥିବା ବେଳାରେ ମୁକ୍ତିଲାଭ କରୁଥିବା ଏପରି ଏକ ଫିଲ୍‌ମ କ˚ଗ୍ରେସ ଦଳର ରୋଷର ଶିକାର ହୋଇଛି। ଯଦିବା ଭାଜପାର ଟ୍ବିଟର‌୍‌ ହାଣ୍ତଲ୍‌ ଫିଲ୍‌ମଟି ଦେଖିବାକୁ ଆହ୍ବାନ ଦେବା ଏକ ବିରଳ ଘଟଣା, ତେବେ ଏଥିରେ ମଧୢ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ସେମାନେ ଫିଲ୍‌ମଟିକୁ ସ୍ବାଗତ କରିବେ। ତେବେ ଏ ସମସ୍ତ ବାଦବିବାଦ ମଧୢରେ ଯାହା ସର୍ବାଧିକ ପ୍ରଶ˚ସନୀୟ ତାହା ହେଲା କ˚ଗ୍ରେସର ଆନୁଷ୍ଠାନିକ ପ୍ରତିକ୍ରିୟା। ଦଳ ପ୍ରଚଳିତ ଧାରାରେ ଏକ ସ୍ବାଗତଯୋଗ୍ୟ ବ୍ୟତିକ୍ରମ ଘଟାଇ କ˚ଗ୍ରେସ ଶାସିତ କୌଣସି ରାଜ୍ୟରେ ଫିଲ୍‌ମର ପ୍ରଦର୍ଶନକୁ ନିଷିଦ୍ଧ କରିନାହିଁ। ଏପରିି ଏକ ସୁସ୍ଥ ପରିପକ୍ବ ପ୍ରତିକ୍ରିୟା ବର୍ତ୍ତମାନ ସମୟରେ ସେଇଭଳି ଅଚାନକ , ଯେମିତି ମନମୋହନ ପ୍ରଧାନମନ୍ତ୍ରୀ ହେବା ଥିଲା।

ସମ୍ବନ୍ଧିତ ଖବର