‘ଏର୍‌ହୋନ୍‌’ ନ୍ୟାୟ

ଊନବି˚ଶ ଶତାଦ୍ଦୀର ବ୍ରିଟିସ୍ ଔପନ୍ୟାସିକ ସାମୁଏଲ୍‌ ବଟ୍‌ଲର‌୍‌ଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଏର‌୍‌ହୋନ୍‌’ରେ ‘ଏର‌୍‌ହୋନ୍‌’ ନାମକ କାଳ୍ପନିକ ଦେଶରେ ପ୍ରଚଳିତ ଆଇନ୍‌ ଓ ନ୍ୟାୟ ବ୍ୟବସ୍ଥା ଅନୁସାରେ ରୋଗରେ ପଡ଼ିବା (ଯେମିତି ଯକ୍ଷ୍ମା) ହେଉଛି ଅପରାଧ, ଯେଉଁଥିପାଇଁ ରୋଗୀମାନଙ୍କୁ ଜେଲ୍‌ ଦଣ୍ତ ମିଳିଥାଏ ଏବ˚ ଅପରାଧ ହେଉଛି ଏକ ରୋଗ, ଯେଉଁଥିପାଇଁ ଅପରାଧୀ ମାନଙ୍କୁ ହସ୍‌ପିଟାଲ୍‌ରେ ରଖା ଯାଇଥାଏ। ଭାରତରେ ଏପରି ‘ଏର‌୍‌ହୋନ୍‌’ ସୁଲଭ ଆଇନ୍‌ ପ୍ରବର୍ତ୍ତନ କରାଯାଇ ନଥିଲେ ହେଁ ବାସ୍ତବରେ ଏଠାରେ ଏଭଳି ଏକ ଚିତ୍ର ସହିତ ଆମେ ଅପରିଚିତ ନୋହୁଁ। ଧନୀ ଅପରାଧୀମାନଙ୍କୁ ହସ୍‌ପିଟାଲ୍‌ରେ ଦେଖିବା ଓ ଗରିବ ରୋଗୀମାନଙ୍କୁ ଜେଲ୍‌ରେ ଦେଖିବା ବିରଳ ନୁହେଁ। ଏହାର ମୁଖ୍ୟ କାରଣ ହେଉଛି ବ୍ୟୟବହୁଳ ଓ ଜଟିଳ ଆଇନର ଲଢେ଼ଇ ଲଢ଼ିବା ଗରିବ ଓ ଅଶିକ୍ଷିତ (ସେମାନେ ହିଁ ଅଧିକ ରୋଗରେ ପଡ଼ନ୍ତି) ଅଭିଯୁକ୍ତ ମାନଙ୍କ କ୍ଷମତା ବହିର୍ଭୁତ ହୋଇଥିବା ବେଳେ ଧନୀମାନେ ବିଚକ୍ଷଣ ଦାଗୀ ଓକିଲମାନଙ୍କ ସହାୟତାରେ ଆଇନର ମାରପେଞ୍ଚକୁ ଅଧିକ ସଫଳତାର ସଦ୍‌ ବ୍ୟବହାର କରିଥାନ୍ତି। କେତେଦିନ ତଳେ ଦିଲ୍ଲୀର ନେସ୍‌ନାଲ୍‌ ଲ ୟୁନିଭର୍ସିଟି ଭାରତରେ ମୃତ୍ୟୁଦଣ୍ତ ଉପରେ କରିଥିବା ଏକ ସର୍ବେକ୍ଷଣର ଫଳାଫଳ ଅନୁସାରେ ସାକ୍ଷାତକାରରେ ଅ˚ଶଗ୍ରହଣ କରିଥିବା ମୃତ୍ୟୁଦଣ୍ତ ଅପେକ୍ଷାରେ ଥିବା ଦେଶର ୩୭୩ ଜଣ ବନ୍ଦୀଙ୍କ ମଧୢରୁ ତିନି- ଚତୁର୍ଥା˚ଶ ଥିଲେ ଦୁର୍ବଳ ଅର୍ଥନୈତିକ ବର୍ଗର ଅର୍ଥାତ୍‌ ଗରିବ ଶ୍ରେଣୀର।

ଆଇନ ଯେ ଗରିବମାନଙ୍କ ଅପେକ୍ଷା ଧନୀମାନଙ୍କୁ ଅଧିକ ସହାୟକ ହୋଇଥାଏ, ଏହା ହେଉଛି ତାହାର ଏକ ଅକାଟ୍ୟ ପ୍ରମାଣ। ଆମେରିକା ସୁପ୍ରିମ୍‌ କୋର୍ଟର ତତ୍‌କାଳୀନ ବିଚାରପତି ଜଷ୍ଟିସ୍‌ ହ୍ୟୁଗୋ ବ୍ଲାକ୍‌ ସେ ଦେଶରେ ମଧୢ ଦେଖାଯାଉଥିବା ଏଇଭଳି ପରିସ୍ଥିତିକୁ ଲକ୍ଷ୍ୟ କରି ଏକ ମନ୍ତବ୍ୟ ପ୍ରଦାନ କରି ପ୍ରସିଦ୍ଧି ଲାଭ କରିଥିଲେ: ‘‘ଯେଉଁଠି ଜଣେ ବ୍ୟକ୍ତି କିଭଳି ବିଚାର ପାଇବ ତାହା ତା’ ପାଖରେ ଉପଲବ୍‌ଧ ଅର୍ଥ ଉପରେ ନିର୍ଭର କରେ, ସେଠାରେ ସମାନ ନ୍ୟାୟ ପ୍ରତିଷ୍ଠିତ ହୋଇ ପାରିବ ନାହିଁ।’’ ମନେହେଉଛି ଭାରତର ସୁପ୍ରିମ୍‌ କୋର୍ଟ ଏବେ ଗତାନୁଗତିକ ନ୍ୟାୟ ପ୍ରଦାନ ଧାରାକୁ ଅତିକ୍ରମ କରି ନ୍ୟାୟ ବ୍ୟବସ୍ଥାର ଏହି ଗୁରୁତର ଦୁର୍ବଳତା ଦୂର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସୁପ୍ରିମ୍‌କୋର୍ଟର ନିଜସ୍ବ ସ˚ସ୍ଥା ‘ସୁପ୍ରିମ୍‌ କୋର୍ଟ ଲିଗାଲ୍‌ ସର୍ଭିସେସ୍‌ କମିଟି’ ମୃତ୍ୟୁଦଣ୍ତ ବା ଅନ୍ୟ କଠୋର ଦଣ୍ତରେ ଦଣ୍ତିତ ଗରିବ ନ୍ୟାୟ ପ୍ରାର୍ଥୀମାନେ ଗୁଣାତ୍ମକ ଆଇନଗତ ସହାୟତା ପାଇପାରୁ ନାହାନ୍ତି ବୋଲି ତା’ ଦ୍ବାରା କରାଯାଇଥିବା ଏକ ଅନୁଶୀଳନ ମାଧ୍ୟମରେ ସିଦ୍ଧାନ୍ତରେ ପହଞ୍ଚଛି।

ଗତ ମାସରେ ସର୍ବୋଚ୍ଚ ଅଦାଲତ ପ୍ରଦାନ କରିଥିବା ରାୟରେ ମଧୢ ଏହି ସଚେତନତା ପ୍ରତିଫଳିତ ହେବା ଦେଖାଯାଇଥିଲା। ମୃତ୍ୟୁଦଣ୍ତ ପାଇଥିବା ଦୁଇ ଜଣଙ୍କର ଦଣ୍ତକୁ କୋହଳ କରି ଆଜୀବନ କାରାଦଣ୍ତରେ ପରିବର୍ତ୍ତିତ କରିବା ଅବସରରେ କୋର୍ଟ ଦୁଇ ଅପରାଧୀଙ୍କର ଦୁଃସ୍ଥ ସାମାଜିକ- ଅର୍ଥନୈତିକ ପୃଷ୍ଠଭୂମିକୁ ବିଚାରକୁ ନେଇଥିଲେ। ଆଇନ ଯେ ଧନୀମାନଙ୍କୁ ଅଧିକ ସହାୟକ ହୋଇଥାଏ, ଏହା ପ୍ରତିପାଦିତ କରିବା ପାଇଁ କୋର୍ଟ ସେତେବେଳେ ଉପରୋକ୍ତ କମିଟିର ରିପୋର୍ଟକୁ ଉଦ୍ଧାର କରି କହିଥିଲେ ‘‘ଗରିବ ଓ ଅଭାବଗ୍ରସ୍ତମାନଙ୍କର ମାମଲାର ବିଚାର କରାଯିବାରେ ଅହେତୁକ ଦୀର୍ଘ ବିଳମ୍ବ ଘଟିଥାଏ।’’ ସୁପ୍ରିମ୍‌ କୋର୍ଟ ଦେଶରେ ଗରିବ ଓ ସୁବିଧା ସୁଯୋଗରୁ ବଞ୍ଚିତ ଲୋକମାନଙ୍କୁ ଗୁଣାତ୍ମକ ଆଇନଗତ ସହାୟତା ଯୋଗାଇବା ପ୍ରତି ସର୍ବାଧିକ ଧୢାନ ଦିଆଯିବା ଜରୁରୀ ହୋଇ ପଡ଼ିଲାଣି ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ।

ମାଲିମକଦ୍ଦମା ଲୋକଙ୍କୁ ସର୍ବସ୍ବାନ୍ତ କରିଥାଏ ବୋଲି ସବୁ କାଳରେ ସତର୍କବାଣୀ ଶୁଣାଯାଇଥାଏ। ଓକିଲ ଖର୍ଚ୍ଚ ବହନ କରି କରି ମୁଦେଇ ମୁଦାଲା ନିଃସ୍ବ ହୋଇଯିବା ଜଣାଶୁଣା। କିନ୍ତୁ ବର୍ତ୍ତମାନ ଭାରତରେ ଅଦାଲତୀ ନ୍ୟାୟ ଏପରି ବ୍ୟୟବହୁଳ ହୋଇ ଯାଇଛି ଯେ ସମ୍ବଳହୀନ ଲୋକ ଜଣେ ନ୍ୟାୟ ପାଇବା ପାଇଁ ଅଦାଲତର ଦ୍ବାରରେ ପହଞ୍ଚି ମଧୢ ପାରିବ ନାହିଁ। ଏ ସମ୍ବନ୍ଧରେ ସରକାର ମଧୢ ଯେ ସଚେତନ ନୁହଁନ୍ତି, ଏପରି ମଧୢ ନୁହେଁ। ନ୍ୟାୟ ବ୍ୟବସ୍ଥାର ଏହି ଗୁରୁତର ଦୁର୍ବଳତା ଦୂର କରିବା ଉଦ୍ଦେଶ୍ୟରେ ପ୍ରାୟ ତିନି ଦଶନ୍ଧି ତଳେ ୧୯୮୭ରେ ‘ନେସନାଲ୍‌ ଲିଗାଲ ସର୍ଭିସେସ୍‌ ଅଥରିଟି’ (ନାଲ୍‌ସା) ପ୍ରତିଷ୍ଠିତ ହୋଇଥିଲା। ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ମାଗଣାରେ ଆଇନ ସେବା ଉପଲବ୍‌ଧ କରାଇବା ଥିଲା ଏହାର ଲକ୍ଷ୍ୟ। ‘ନାଲ୍‌ସା’ ଏ ଦିଗରେ ତାର ସାଧୢମତେ କରି ଆସିଥିବା କାର୍ଯ୍ୟ ପ୍ରଶ˚ସନୀୟ ହୋଇଥିଲେ ମଧୢ ତାହା ଏପର୍ଯ୍ୟନ୍ତ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି। ପ୍ରତି ସରକାରରେ ଆଇନ ମନ୍ତ୍ରୀମାନେ ନିୟମିତ ଏ ସମସ୍ୟା ସମ୍ବନ୍ଧରେ ଚିନ୍ତା ବ୍ୟକ୍ତ କରୁଥିଲେ ମଧୢ ସମସ୍ୟାର ଅନ୍ତ ଘଟୁ ନାହିଁ।

ସୁପ୍ରିମ୍‌ କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ଓ ଜିଲ୍ଲା କୋର୍ଟ ମାନଙ୍କରେ ଆଇନ ବ୍ୟବସାୟ କରୁଥିବା ସଫଳ ଆଇନଜୀବୀମାନଙ୍କର ପାଉଣା ବା ଫିସ୍‌ ଏତେ ବିଶାଳ ହୋଇଥାଏ ଯେ କେବଳ ଧନୀ ନ୍ୟାୟ ପ୍ରାର୍ଥୀମାନେ ସେମାନଙ୍କ ସେବା ପାଇ ପାରନ୍ତି। ଯେତେବେଳେ ଜଣେ ଧନୀ ଓ ଜଣେ ଗରିବ ମଧୢରେ ନ୍ୟାୟିକ ଲଢେ଼ଇ ଆରମ୍ଭ ହୁଏ, ସେତେବେଳେ ଏ ଲଢେ଼ଇର ଅସମତୁଲତା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଥାଏ। ଏପରି ନ୍ୟାୟ ଯୁଦ୍ଧର ଫଳାଫଳ ଅଦାଲତରେ ପ୍ରାୟ ଧନୀ ପ୍ରତିଦ୍ବନ୍ଦ୍ବୀ ସପକ୍ଷରେ ଯିବା ପରିଲକ୍ଷିତ ହୋଇଥାଏ। ଧନୀ ମହକିଲମାନଙ୍କର ଏହି ଦାମୀ ଓକିଲମାନେ କେବେ ସାମାଜିକ ସଚେତନତା ଦ୍ବାରା ପ୍ରଚୋଦିତ ହୋଇ ଗରିବ ନ୍ୟାୟ ଆଶାୟୀଙ୍କୁ ମାଗଣାରେ ସେବା ଯୋଗାଇବା ପ୍ରାୟ ଦେଖାଯାଇ ନଥାଏ। ଆଉ ଯଦି କାଁ ଭାଁ କେତେବେଳେ ସେଭଳି ଘଟିଥାଏ ତେବେ ସେମାନେ ଗରିବ ମହକିଲ ପାଇଁ ସେଭଳି ଧୢାନ ଓ ସମୟ ଦିଅନ୍ତି ନାହିଁ ଯାହା ଧନୀ ମହକିଲ ମାନଙ୍କ ପାଇଁ ନିୟୋଜିତ କରିଥାନ୍ତି।

ସମ୍ବିଧାନର ଧାରା ୩୯-ଏ ମାଗଣା ଆଇନ ସେବା ପ୍ରଦାନର ବ୍ୟବସ୍ଥା କରିଥିଲେ ହେଁ ତାହା ବସ୍ତୁତଃ ସେଇ କାଗଜ ପୃଷ୍ଠାରେ ହିଁ ସୀମିତ ରହି ଆସିଛି। ବର୍ତ୍ତମାନ ଖୋଦ୍‌ ସୁପ୍ରିମ୍‌ କୋର୍ଟ ଏ ଦିଗରେ ନେଇଥିବା ପଦକ୍ଷେପ ସେଇ ସାମ୍ବିଧାନିକ ଅଧିକାରକୁ ବାସ୍ତବତାରେ ପରିଣତ କରିବ ବୋଲି ନୂଆ ବର୍ଷ ଆରମ୍ଭରେ ଏକ ଆଶା ଉଦ୍ରେକ ହୋଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବର୍ତ୍ତମାନ ଦେଶରେ ଆବିର୍ଭୂତ ହୋଇଥିବା ରାଜନୀତିର ମୁଖ୍ୟ ଆଧାର ହେଉଛି ମାଗଣା ବଣ୍ଟନ ରାଜନୀତି। କୃଷିଋଣ ଛାଡ଼ରୁ ଆମ୍ମା କ୍ୟାଣ୍ଟିନ୍‌, ଉଜ୍ଜ୍ବଳାରୁ ମାଗଣା ମଙ୍ଗଳସୂତ୍ର ବଣ୍ଟନ ପର୍ଯ୍ୟନ୍ତ ଏପରି ବଣ୍ଟନ ବ୍ୟବସ୍ଥା ବର୍ତ୍ତମାନ ଦେଶସାରା ଚେର ବିସ୍ତାର କରିବାକୁ ଲାଗିଥିବା ବେଳେ ଏକ ମାଗଣା କିନ୍ତୁ ଦକ୍ଷ ଓ ଫଳପ୍ରଦ ଆଇନ ସେବା ବଣ୍ଟନ ବ୍ୟବସ୍ଥାର ମଧୢ ଯେ ଆବଶ୍ୟକତା ରହିଛି ତାହା ଯଦି ରାଜନୈତିକ ଦଳମାନେ ହୃଦୟଙ୍ଗମ କରନ୍ତେ ତେବେ ସୁପ୍ରିମ୍‌ କୋର୍ଟଙ୍କର ଏ ଦିଗରେ ଚିନ୍ତା ଅନେକା˚ଶରେ ଲାଘବ ହୋଇଯାଆନ୍ତା।

ସମ୍ବନ୍ଧିତ ଖବର