ରାଫେଲ ଚୋରାବାଲିରେ…

ଫରାସୀ କମ୍ପାନି ‘ଡାସଲଟ’ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌ ଖର୍ଦ୍ଦି କାରବାରରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗର ତଦନ୍ତ ଆବେଦନ କରି ଦାଏର ଏକାଧିକ ଜନସ୍ବାର୍ଥ ମାମଲାକୁ ମାନ୍ୟବର ସୁପ୍ରିମ୍‌ କୋର୍ଟ ଗତ ମାସ (ଡିସେମ୍ବର) ୧୪ ତାରିଖ ଦିନ ଖାରଜ କରିଦେଲେ। କାରବାର ନିୟମାନୁଯାୟୀ ହୋଇଛି ଓ ତଦନ୍ତର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ ମତ ଦେଇଥିଲେ। ତେବେ ଉଚ୍ଚତମ ନ୍ୟାୟାଳୟଙ୍କଠାରୁ ‘କ୍ଲିନ୍‌ ଚିଟ୍‌’ ପାଇବା ସତ୍ତ୍ବେ ରାଫେଲ୍‌ ପ୍ରସଙ୍ଗରେ ମୋଦୀ ସରକାର ଆଶ୍ବସ୍ତିର ସହ ନିଃଶ୍ବାସ ନେଇପାରୁ ନାହାନ୍ତି। ବର˚ ରାଫେଲ କାରବାର ନେଇ ଅଡୁଆର ଚୋରାବାଲିରେ ସରକାର ଆହୁରି ଆହୁରି ଫସି ଚାଲିଛନ୍ତି।

ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଡିସେମ୍ବର ଚଉଦ ତାରିଖର ରାୟରେ ତଥାକଥିତ ‘ବ୍ୟାକରଣଗତ ଅସ˚ଗତି’ କେବଳ ଉଚ୍ଚତମ ନ୍ୟାୟାଳୟଙ୍କ ‘କ୍ଲିନ୍‌ ଚିଟ୍‌’ର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ନାହିଁ, ସମୁଦାୟ ରାଫେଲ କାରବାରରେ ସରକାରଙ୍କ ଭୂମିକାକୁ ନେଇ ଉଠିଥିବା ସନ୍ଦେହର ଧୂଆଁକୁ ପତଳା କରିବା ପରିବର୍ତ୍ତେ ଆହୁରି ଅଧିକ ବହଳ କରିଛି। ରାଫେଲ୍‌ କାରବାରର ସିଏଜି ତର୍ଜମା କରି ରିପୋର୍ଟ ଦେଇଛନ୍ତି ଏବ˚ ସ˚ସଦର ପବ୍ଲିକ୍‌ ଆକାଉଣ୍ଟ୍‌ସ୍‌ କମିଟି (ପିଏସି) ମଧୢ ସିଏଜି ରିପୋର୍ଟର ସମୀକ୍ଷା କରିଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ରାୟରେ ଏହା ଉଲ୍ଲେଖ ଅଛି। କିନ୍ତୁ ବାସ୍ତବତା ହେଲା, ନା ସିଏଜି ରିପୋର୍ଟ ଦେଇଛନ୍ତି ନା ପିଏସି ରିପୋର୍ଟ ପାଇଛନ୍ତି। ସରକାରଙ୍କ ପକ୍ଷରୁ ଜଉମୁଦ ଦିଆ ବନ୍ଦ ଲଫାପାରେ କୋର୍ଟଙ୍କୁ ଦିଆଯାଇଥିବା ସୂଚନା ଆଧାରରେ ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ ସିଏଜି ଓ ପିଏସି କଥା ଉଲ୍ଲେଖ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ସରକାର ଜଉମୁଦ ଦିଆ ବନ୍ଦ ଲଫାପାରେ କୋର୍ଟଙ୍କୁ ଭୁଲ ସୂଚନା ଦେଇଥିଲେ? ନା ମାନ୍ୟବର କୋର୍ଟ ସରକାରଙ୍କ ସୂଚନାର ଭୁଲ ତର୍ଜମା କରିଛନ୍ତି? ଯେଉଁଠି ବି ଭୁଲ୍‌ ହୋଇଥାଉ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭୁଲ ହୋଇଛି; ଯାହା ରାଫେଲ୍‌ କାରବାର ନେଇ ସରକାରଙ୍କୁ ମିଳିଥିବା ‘କ୍ଲିନ୍‌ ଚିଟ୍‌’କୁ ବସ୍ତୁତଃ ଅର୍ଥହୀନ କରିଦେଇଛି। ଖୋଦ୍‌ ସରକାରଙ୍କ ପକ୍ଷରୁ ରାୟରେ ସ˚ଶୋଧନ ଲାଗି ଶୀର୍ଷ ଅଦାଲତରେ ଆବେଦନ କରାଯାଇଛି।

ସରକାରଙ୍କ ଆବେଦନ ଉପରେ ସୁପ୍ରିମ୍‌ କୋର୍ଟରେ ଶୁଣାଣିକୁ ଅପେକ୍ଷା କରାଯାଇଥିବା ବେଳେ ଆଉ ଦୁଇଟି ଘଟଣା ରାଫେଲ୍‌ କାରବାର ନେଇ ବିବାଦର ଝଡ଼କୁ ନୂଆ ମୋଡ଼ ଦେଇଛି। ସ˚ସଦର ପ୍ରଥମ କାର୍ଯ୍ୟ ଦିବସରେ ବୁଧବାର ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନ ଗୁରୁତର ଅସୁସ୍ଥ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଶୟନ କକ୍ଷରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବା ରାଫେଲ ସ˚କ୍ରାନ୍ତ ଫାଇଲ୍‌ ମହଜୁଦ ଅଛି! ଗୋଆର ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍‌ ରାଣେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହା କହୁଥିବାର ଏକ ଅଡିଓ ଟେପ୍‌ ଆଧାରରେ ବିରୋଧୀ ପକ୍ଷ ସ˚ସଦରେ ସରକାରଙ୍କୁ ଘେରିଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଲା, ପାରିକରଙ୍କ ପାଖରେ ସରକାରଙ୍କୁ ଅଡୁଆରେ ପକାଇଲା ଭଳି ରାଫେଲ୍‌ ସ˚କ୍ରାନ୍ତ କିଛି ତଥ୍ୟ ଥିବାରୁ ମୋଦୀ ତାଙ୍କୁ ଭୟ କରୁଛନ୍ତି। ସେଥିପାଇଁ, ଗୁରୁତର ଅସୁସ୍ଥତା ସତ୍ତ୍ବେ ପାରିକରଙ୍କୁ ଗୋଆ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଲାଗି ଦଳର ନେତୃତ୍ବ ସାହସ କରିପାରୁନାହାନ୍ତି। ପାରିକର ଓ ସରକାର ଉଭୟଙ୍କ ପକ୍ଷରୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ତନ କରାଯାଇଥିଲେ ସୁଦ୍ଧା ଏହା ସରକାରଙ୍କ ଉପରେ ରାଫେଲ୍‌ ତାତିକୁ ବହୁଗୁଣ ବଢ଼ାଇ ଦେଇଛି। ରାଫେଲ୍‌କୁ କେନ୍ଦ୍ର କରି ଏହି ତାତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭ୍ରଷ୍ଟାଚାର ବିରୋଧୀ ଭାବମୂର୍ତ୍ତି ତରଳି ଯିବା ଆଶଙ୍କାକୁ ଏଡ଼ାଯାଇ ନପାରେ।

ଗଣମାଧୢମରେ ପ୍ରକାଶିତ ଆଉ ଏକ ରିପୋର୍ଟ ମଧୢ ରାଫେଲ୍‌ ପ୍ରସଙ୍ଗରେ କାଠଗଡ଼ାରେ ଥିବା ମୋଦୀ ସରକାରଙ୍କୁ ଆହୁରି ଅଧିକ କୋଣଠେସା କରିଛି। ଏହି ରିପୋର୍ଟରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ୩୬ଟି ରାଫେଲ୍‌ କିଣିବା ନେଇ ଫ୍ରାନ୍‌ସ ସରକାର ଏବ˚ ଡାସଲଟ କମ୍ପାନି ସହ କଥାବାର୍ତ୍ତାରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉପେକ୍ଷା କରି ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ମୂଲଚାଲରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସରକାରଙ୍କ ଆଭ୍ୟନ୍ତରୀଣ ଆନ୍ତଃ-ବିଭାଗୀୟ ଯୋଗାଯୋଗ ବେଳେ ଗୋଟିଏ ଫାଇଲରେ କୁଆଡେ଼ ଏହା ଲିଖିତ ଭାବେ ଉଲ୍ଲେଖ ଅଛି। ରାଫେଲ୍‌ ମାମଲାରେ ସରକାର, ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଶାଣରେ ରଖି ଆକ୍ରମଣ ଲାଗି ବିରୋଧୀଙ୍କୁ ଏହା ନୂଆ ବାରୁଦ ଦେବ। ଯୁଗ୍ମ ସ˚ସଦୀୟ କମିଟି (ଜେପିସି) ଦ୍ବାରା ରାଫେଲ୍‌ କାରବାରର ତଦନ୍ତ ପାଇଁ ବିରୋଧୀଙ୍କ ଦାବିକୁ ଏହା ଆହୁରି ଅଧିକ ବଳ ଦେବ। ଇତି ମଧୢରେ ଆଉ ଏକ ଘଟଣାକ୍ରମରେ ପୂର୍ବତନ ବିଜେପି ମନ୍ତ୍ରୀ ଅରୁଣ ସୌରୀ, ଯଶୋବନ୍ତ ସିହ୍ନା ଏବ˚ ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ରାଫେଲ୍‌ ରାୟର ସମୀକ୍ଷା ଲାଗି ସୁପ୍ରିମ କୋର୍ଟରେ ‘ରିଭ୍ୟୁ ପିଟିସନ’ ଦାଏର‌୍‌ କରିଛନ୍ତି।

ରାଫେଲ୍‌ ପ୍ରସଙ୍ଗରେ ପ୍ରବଳ ଚାପରେ ଥିବା ମୋଦୀ ସରକାରଙ୍କ ଅଡୁଆ କେବଳ ନ୍ୟାୟାଳୟ କିମ୍ବା ସ˚ସଦରେ ବଢ଼ି ନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ମଧୢ ରାଫେଲ୍‌ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଅଡୁଆ ବଢ଼ି ଚାଲିଛି। ତିନିଟି ରାଜ୍ୟରେ ପରାଜୟ ପରେ ସ୍ଥିତି ରାଜନୈତିକ ଦୃଷ୍ଟିରୁ ଦୁର୍ବଳ ପଡ଼ିଯାଇଥିବା ବେଳେ ରାଫେଲ୍‌ ପ୍ରସଙ୍ଗରେ ଦୁଇଟି ଆଞ୍ଚଳିକ ଦଳଙ୍କ ସରକାର ବିରୋଧୀ ଆଭିମୁଖ୍ୟ ମୋଦୀ ଓ ବିଜେପିର ସ୍ଥିତିକୁ ଆହୁରି ଦୁର୍ବଳ କରିଛି। ଏନ୍‌ଡିଏର ସହଯୋଗୀ ଭାବେ ମିତ୍ର ଦଳ ଶିବସେନା ଏବ˚ ଉଭୟ ବିଜେପି ଓ କ˚ଗ୍ରେସଠାରୁ ‘ସମଦୂରତ୍ବ’ ନୀତି ଧରିଥିବା ବିଜୁ ଜନତା ଦଳ ଯୁଗ୍ମ ସ˚ସଦୀୟ କମିଟି ଦ୍ବାରା ତଦନ୍ତ ଦାବିରେ ବିରୋଧୀଙ୍କ ସହ ସ୍ବର ମିଳାଇଛନ୍ତି। ବୁଧବାର ଲୋକସଭାରେ ବିଜେଡିର କଳିକେଶ ସି˚ହଦେଓ କଟାକ୍ଷ କରି ପ୍ରଶ୍ନ ଉଠାଇଛନ୍ତି ଯେ, ରାଫେଲ୍‌ର ମୂଲ୍ୟ ବିଷୟ ଦାଣ୍ତରେ ହାଟରେ ଗଡ଼ିଲାଣି। ଅଥଚ, ସରକାର ସ˚ସଦକୁ ଏହା ଜଣାଇବାରେ କୁଣ୍ଠା କାହିଁକି? ବୈଷୟିକ ଜ୍ଞାନକୌଶଳ କାହିଁକି ହସ୍ତାନ୍ତର ହେଲା ନାହିଁ, ଏ ସମ୍ପର୍କରେ ଶ୍ବେତପତ୍ର ପାଇଁ ସି˚ହଦେଓ ଦାବି କରିଥିଲେ। ଶିବସେନା ସା˚ସଦ ଅରବିନ୍ଦ ସାଵନ୍ତ କହିଥିଲେ- ଯଦି କୌଣସି ଅନିୟମିତତା ହୋଇନାହିଁ, ସରକାର ସ୍ବଚ୍ଛ ତେବେ ଜେପିସି ତଦନ୍ତ ପାଇଁ ସରକାର ରାଜି ହେଉନାହାନ୍ତି କାହିଁକି? ଆଗାମୀ ଲୋକସଭା ନିର୍ବାଚନରେ ଆସନ ଭାଗବଣ୍ଟାରେ ନିଜର ଭାଉ ବଢ଼ାଇବା ପାଇଁ ଶିବସେନା ରାଫେଲ୍‌କୁ ହୁଏତ ଆୟୁଧ କରିଥାଇପାରେ। କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମିତ୍ର ଦଳ ମଧୢ ଜେପିସି ଗଠନ ଦାବିରେ ସ୍ବର ମିଳାଇବା, ରାଫେଲ୍‌ ପ୍ରସଙ୍ଗରେ ସରକାରଙ୍କୁ ଦୁର୍ବଳ କରିଛିି। ବର୍ତ୍ତମାନ ସୁଦ୍ଧା ରାଫେଲ୍‌ ପ୍ରସଙ୍ଗରେ ପ୍ରାୟତଃ ନିରବତା ଅବଲମ୍ବନ କରି ଆସୁଥିବା ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ରାଫେଲ୍‌ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ମୁହଁ ଖୋଲିବାର ଉଦ୍ଦେଶ୍ୟ କ’ଣ? ସମ୍ଭବତଃ, ନିକଟରେ ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ବିଜେଡି ସରକାର ବିରୋଧରେ ଦୁର୍ନୀତି ଅଭିଯୋଗର ଏହା ପାଲଟା ଜବାବ। ବିଜେଡି ବାର୍ତ୍ତା ଦେବାକୁ ଚାହେଁ ଯେ, ଭ୍ରଷ୍ଟାଚାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ କୌଣସି ନୈତିକତା ନାହିଁ। ମୋଦୀ ମହାଶୟଙ୍କୁ ‘କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ’ ନୀତିବାଣୀ ଶୁଣାଇ ଦୁର୍ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣରୁୁ ଶାଣ କାଢ଼ିି ନେବା ଲାଗି ବିଜେଡିର ଏହା ଏକ କୌଶଳ।

ରାଫେଲ୍‌ ପ୍ରସଙ୍ଗରେ ବିରୋଧୀଙ୍କ ସହ ସ୍ବର ମିଳାଇ, ଦୁଇ ଆଞ୍ଚଳିକ ଦଳ ଶିବସେନା ଓ ବିଜେଡି କେତେ ଦୂର ନିଜ ନିଜ ଉଦ୍ଦେଶ୍ୟ ହାସଲ କରିବେ, ତାହା ବର୍ତ୍ତମାନ ସମୟରେ ନିଶ୍ଚିତ କରି କୁହାଯାଇ ନ ପାରେ। କିନ୍ତୁ ଏତିକି ନିଶ୍ଚିତ ଭାବେ କୁହାଯାଇ ପାରିବ ଯେ, ରାଫେଲ୍‌ ନେଇ ଅଡୁଆର ଚୋରାବାଲିରେ ତଳକୁ ତଳକୁ ଟାଣି ହୋଇ ଯାଉଥିବା ବିଜେପି, ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତତଃ ନିର୍ବାଚନ ପର୍ଯ୍ୟନ୍ତ ଏଥିରୁ ଉଦ୍ଧାର ପାଇବା ସମ୍ଭାବନା କ୍ଷୀଣ। ନିର୍ବାଚନ ପର୍ଯ୍ୟନ୍ତ ରାଫେଲ୍‌ ତାତିକୁ ବଳବତ୍ତର ରଖିବା ଲାଗି ବିରୋଧୀଙ୍କ ପାଖରେ ଯଥେଷ୍ଟ ରସଦ ମହଜୁଦ ଅଛି; ଏଥିରୁ କିଛି ସରକାର ଓ ଶାସକ ଦଳ ନିଜ ଆଡ଼ୁ ବିରୋଧୀଙ୍କ ହାତକୁ ଟେକି ଦେଇଛନ୍ତି।

ସମ୍ବନ୍ଧିତ ଖବର