ଦୁର୍ଘଟଣାକୁ ଆମନ୍ତ୍ରଣ

କେନ୍ଦ୍ରାପଡ଼ା ଜିଲ୍ଲା ନିପାଣିଆ ଗ୍ରାମର ବାଲିଘାଟ ନିକଟରେ ମହାନଦୀରେ ଘଟିଥିବା ଏକ ନୌକା ଦୁର୍ଘଟଣାରେ ଦଶ ଅମୂଲ୍ୟ ଜୀବନ ଯାଇଛି। ମୃତକଙ୍କ ପରିବାରଙ୍କ ପାଇଁ ସରକାରୀ ଅନୁକମ୍ପା ମୂଳକ ରାଶି ଘୋଷଣା କରାଯାଇଛି। ଡଙ୍ଗା ବୁଡ଼ି ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣା ପରେ ମାଛଧରା ଡଙ୍ଗାରେ ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନୌକାଯାତ୍ରା ବେଳେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ‘ଲାଇଫ ଜ୍ୟାକେଟ’୍‌ ସମେତ ଅନ୍ୟ ସୁରକ୍ଷା ବ୍ୟବସ୍ଥା ବାଧୢତାମୂଳକ କରାଯାଇଛି। କୌଣସି ଦୁର୍ଭାଗ୍ୟଜନକ ଦୁର୍ଘଟଣା ପରେ ଏହି ସବୁ କେବଳ ସରକାରୀ ଔପଚାରିକତା ମାତ୍ର। ଆନ୍ତରିକତା ଶୂନ୍ୟ ଏହି ଯନ୍ତ୍ରବତ୍‌ ଔପଚାରିିକତା କିନ୍ତୁ ନିୟମିତ ବ୍ୟବଧାନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୌକା ଦୁର୍ଘଟଣା ଓ ତଦ୍‌ଜନିତ ଅକାଳରେ ଅନେକ ଜୀବନହାନିର ଦୁଃଖଦ ଧାରାକୁ ରୋକି ପାରେନାହିଁ। କିଛିଦିନ ପରେ ପ୍ରଶାସନର ସବୁ ତତ୍ପରତା ଶିଥିଳ ପଡ଼ିଯିବ। ଯାହା ଯେମିତି ଚାଲିଥିଲା, ସେମିତି ସୁରକ୍ଷା ନିୟମକୁ ଉଲ୍ଲ˚ଘନରେ ପାଳନ କରି ପୁଣି ଅସୁରକ୍ଷିତ ନୌକାଯାତ୍ରା ଚାଲିବ। ପରିଣତି ପୁଣି ଦୁର୍ଘଟଣା, ପୁଣି ଔପଚାରିକତାର ଗତାନୁଗତିକତା।

ଏ ପ୍ରକାର ନିରାଶାପୂର୍ଣ୍ଣ ଆଶଙ୍କା ଏଥିପାଇଁ ଯେ, ୨୦୧୪ ଫେବ୍ରୁଆରି ୮ରେ ହୀରାକୁଦ ଜଳଭଣ୍ତାରରେ ଘଟିଥିବା ଡଙ୍ଗାବୁଡ଼ି ଘଟଣାରେ ବଣଭୋଜିରୁ ଫେରୁଥିବା ୩୧ ଜଣଙ୍କ ପ୍ରାଣହାନି ପରେ ମଧୢ ଅନୁରୂପ ଔପଚାରିକ ତତ୍ପରତା ପ୍ରକାଶ ପାଇଥିଲା। ଦୁର୍ଘଟଣାର ତଦନ୍ତ ସହ ଜଳଯାତ୍ରା ବେଳେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁୁ କଡ଼ାକଡ଼ି କରାଯିବ ବୋଲି ଘୋଷଣା କରାଯାଇଥିଲା। ଅଥଚ, ହୀରାକୁଦ ନୌକା ଦୁର୍ଘଟଣା ପରେ ଗତ ପାଞ୍ଚବର୍ଷରେ ଆହୁରି ପାଞ୍ଚଟି ନୌକା ଦୁର୍ଘଟଣାରେ ଅନ୍ୟ ୩୧ ଜଣଙ୍କ ପ୍ରାଣହାନି ଘଟିଲାଣି। ମାତ୍ର ଛଅ ମାସ ପୂର୍ବରୁ ୨୦୧୮ ଜୁନ୍‌ରେ ଚିଲିକାରେ ଏକ ଡଙ୍ଗାବୁଡ଼ିରେ ଛଅ ଜଣଙ୍କ ମୃତ୍ୟୁ ହେଲା। ପରେ ପରେ ଜଳପଥରେ ଯାତ୍ରା, ବିଶେଷକରି ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଡଙ୍ଗାରେ ଯାଉଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବୋକ୍ତ ଔପଚାରିକତାର ପୁନରାବୃତ୍ତି ହୋଇଥିଲା। ଏପରିକି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧୢକ୍ଷତାରେ ଏକ ବୈଠକ ବସିି ଜଳପଥରେ ଯାତ୍ରୀ ପରିବହନ ବେଳେ ସୁରକ୍ଷାକୁ ପ୍ରାଥମିକତା ଦେଇ ବୋଟ୍‌ ଆଇନ- ୨୦୦୪କୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବ ସହ ବାଜି ରାଉତ ନୌକାଯାତ୍ରା ସୁରକ୍ଷା ଆଇନର ଅନୁପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରଶାସନର ସର୍ବୋଚ୍ଚ ସ୍ତରରୁ ନିର୍ଦ୍ଦେଶ ତଳ ସ୍ତରରେ ପ୍ରଶାସନିକ ଆଭିମୁଖ୍ୟ ଓ ନିୟମ ଅନୁପାଳନ ଚିତ୍ର ଓ ଚରିତ୍ର ଉପରେ ବିଶେଷ କୌଣସି ପ୍ରଭାବ ପକାଇ ପାରିନାହିଁ। ଏହାର ଦୁଃଖଦ ପ୍ରମାଣ ଛଅ ମାସ ବ୍ୟବଧାନରେ ପୁଣି ଏକ ନୌକା ଦୁର୍ଘଟଣା ଘଟି ଦଶ ଜଣଙ୍କ ପ୍ରାଣ ହାନି। ଜଳପଥରେ ଯାତ୍ରୀ ପରିବହନ ନେଇ ସୁରକ୍ଷା ନିୟମ କେବଳ କାଗଜପତ୍ରରେ ସୀମିତ। ଏହାର କାର୍ଯ୍ୟକାରିତା ଘର ଶୂନ। ଅନ୍ୟଥା, ମାଛଧରା ପାଇଁ ସୁଦ୍ଧା ଲାଇସେନ୍ସ ନଥିବା ଏକ ଡଙ୍ଗାରେ ୫୫ ଜଣ ଯାତ୍ରୀ ବଣଭୋଜି ପାଇଁ ମହାନଦୀରେ ବିପଦସଙ୍କୁଳ ଭାବେ ଯାତ୍ରା କରି ଦୁର୍ଘଟଣାର ଶିକାର ହୋଇନଥାନ୍ତେ କି ଏହାର ଦୁଃଖଦ ପରିଣତି ସ୍ବରୂପ ପାଞ୍ଚ ଶିଶୁଙ୍କ ସମେତ ଦଶଜଣଙ୍କ ଜୀବନ ଦୀପ ଅଦିନରେ ଲିଭିଯାଇ ନଥାନ୍ତା। କୌଣସି ବି ଦୁର୍ଘଟଣାରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୁଅନ୍ତି ମୃତକଙ୍କ ପରିବାର। ସରକାରୀ ଅନୁକମ୍ପା ରାଶି କ୍ଷତିର ଭରଣା ଲାଗି ଆଦୌ ପର୍ଯ୍ୟାପ୍ତ ନୁହେଁ। କେଉଁ ପରିବାର ରୋଜଗାରିଆ ହାତ ହରାଏ ତ, ଆଉ କେଉଁ ପରିବାର ଭବିଷ୍ୟତର ସାହାରା ହରାଇ ବସେ। ଏହାବ୍ୟତୀତ ମୃତକଙ୍କ ପରିବାରବର୍ଗ ଯେଉଁ ମାନସିକ ଚାପ ଓ ଭାବପ୍ରବଣତା ଦୃଷ୍ଟିରୁ ବିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି, ତାହା ଅପୂରଣୀୟ। ଦୁର୍ଘଟଣାରେ ଧନଜୀବନ ହାନି ଦେଶ ଓ ରାଜ୍ୟ ପାଇଁ ମଧୢ କିଛି କମ୍‌ କ୍ଷତି ନୁହେଁ।

ନିପାଣିଆ ନିକଟରେ ସଦ୍ୟ ଘଟିଥିବା ନୌକା-ଦୁର୍ଘଟଣା ଜନିତ ଏ ସବୁ କ୍ଷତି ଓ ବିପର୍ଯ୍ୟୟକୁ ଏଡ଼ାଯାଇ ପାରିଥାନ୍ତା, ଯଦି ଜିଲ୍ଲା ପ୍ରଶାସନ ଗତ ଛଅ ମାସ ତଳେ କିମ୍ବା ନିୟମିତ ବ୍ୟବଧାନରେ ସୁରକ୍ଷିତ ନୌକା ଯାତ୍ରା ପାଇଁ ଜାରି ହେଉଥିବା ନିର୍ଦ୍ଦେଶକୁ ଗୁରୁତ୍ବର ସହ ନେଇ ଏହାର ଅନୁପାଳନକୁ ନିଶ୍ଚିତ କରିଥାନ୍ତେ। ବନ୍ଦର ଓ ଅନ୍ତର୍ଦେଶୀୟ ଜଳ ପରିବହନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ପ୍ରାଥମିକ ତଦନ୍ତ ନୌକା ଦୁର୍ଘଟଣା ପାଇଁ ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବୋଟ୍‌ ଆଇନ-୨୦୦୪ ଅନୁଯାୟୀ ଜଳପଥରେ ନୌକାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ଦାୟିତ୍ବ ଜିଲ୍ଲା ପ୍ରଶାସନର ମୁଖ୍ୟ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ। ଏହି ଦାୟିତ୍ବ ନିର୍ବାହ ପାଇଁ ଯାତ୍ରୀ ପରିବହନ କରୁଥିବା ଡଙ୍ଗାଗୁଡ଼ିକର ଅବସ୍ଥା ଯାଞ୍ଚ ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଆବଶ୍ୟକ ସ୍ଥଳେ, ଜିଲ୍ଲାପାଳମାନେ ବେଆଇନ ନୌକା ଚଳାଚଳ ରୋକିବା ଲାଗି ସ୍ବତନ୍ତ୍ର ସ୍କ୍ବାଡ୍‌ ମଧୢ ଗଠନ କରିପାରିବେ। କିନ୍ତୁ ଜିଲ୍ଲା ପ୍ରଶାସନ ତାଙ୍କ ଦାୟିତ୍ବ ନିର୍ବାହରେ ଅବହେଳା କରିଛନ୍ତି। ଦାୟିତ୍ବ ପ୍ରତି ପ୍ରଶାସନିକ ଉଦାସୀନତାର ଦୁଃଖଦ ପରିଣାମ ନୌକା ଦୁର୍ଘଟଣା ଓ ଜୀବନ ହାନି। ବର୍ତ୍ତମାନ ବଣଭୋଜି ଋତୁ ଅବସରରେ ଶହ ଶହ ସ˚ଖ୍ୟାରେ ଲୋକେ ସପରିବାର ହୁକିଟୋଲା, ବତିଘର ଆଦି ସ୍ଥାନକୁ ନୌକାରେ ଯାଉଥିବାରୁ ଜିଲ୍ଲା ପ୍ରଶାସନ ଅଧିକ ସଜାଗ ରହିବା ଉଚିତ ଥିଲା। ଆଗୁଆ ସତର୍କତା ହେଉଛି ସୁରକ୍ଷାର ମୂଳମନ୍ତ୍ର। ଅବଶ୍ୟ, କେବଳ ଦୁଇଦିନ ତଳେ ମହାନଦୀର ନୌକା ଦୁର୍ଘଟଣା ନୁହେଁ, ହୀରାକୁଦ ଜଳଭଣ୍ତାରର ଡଙ୍ଗାବୁଡ଼ି ଠାରୁ ଆରମ୍ଭ କରି ଛଅ ମାସ ତଳେ ଜୁନ୍‌ରେ ଚିଲିକାରେ ଘଟିଥିବା ନୌକା ଦୁର୍ଘଟଣା ପର୍ଯ୍ୟନ୍ତ, ପ୍ରତ୍ୟେକ ଦୁର୍ଘଟଣାର ମୌଳିକ କାରଣ ପ୍ରଶାସନିକ ସ୍ତରରେ ସତର୍କତାର ଅଭାବ ଏବ˚ ସାଧାରଣ ଯାତ୍ରୀଙ୍କ ମଧୢରେ ସୁରକ୍ଷା ନେଇ ସଚେତନତାର ଅଭାବ, ଯାହା ଦୁର୍ଘଟଣାକୁ ହାତଠାରି ଡାକିଆଣିଛି। ନିଜ ସୁରକ୍ଷା ନେଇ ସଚେତନତାର ଅଭାବ କେମିତି ଯାତ୍ରୀଙ୍କ ପାଇଁ ଆତ୍ମଘାତୀ ହୁଏ, ପ୍ରତ୍ୟେକଟି ନୌକା ଦୁର୍ଘଟଣା ତା’ର ଗୋଟିଏ ଗୋଟିଏ ଦୁର୍ଭାଗ୍ୟଜନକ ଉଦାହରଣ।

କେବଳ ଜଳପଥରେ ପରିବହନ ବେଳେ ଯାତ୍ରୀ ସୁରକ୍ଷା ଉଭୟ ପ୍ରଶାସନିକ ସତର୍କତା ଓ ଯାତ୍ରୀଙ୍କ ମଧୢରେ ସଚେତନତାର ଅଭାବ ଦ୍ବାରା ଆକ୍ରାନ୍ତ ନୁହେଁ। ରାଜ୍ୟ ସରକାରଙ୍କ ଆଇନ ଓ ନିୟମ ପରିସରଭୁକ୍ତ ସଡ଼କରେ ମଧୢ ଯାତ୍ରୀ ପରିବହନ ସମାନ ସମସ୍ୟା ଦ୍ବାରା ଆକ୍ରାନ୍ତ। ପରିଣତି, ଓଡ଼ିଶାରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ହାର, ଜାତୀୟ ହାର ଠାରୁ ଅଧିକ। ନିକଟରେ ରାଜ୍ୟ ପରିବହନ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଏକ ତଥ୍ୟ ଅନୁଯାୟୀ, ଗତ ଦଶ ବର୍ଷରେ ଓଡ଼ିଶାରେ ୧ ଲକ୍ଷ ଚାରି ହଜାର ସଡ଼କ ଦୁର୍ଘଟଣାରେ ୪୩,୩୧୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫୭,୬୮୪ ଜଣ ଆହତ ହୋଇଛନ୍ତି। ଅର୍ଥାତ୍‌ ରାଜ୍ୟରେ ବାର୍ଷିକ ହାରାହାରି ଦଶହଜାର ସଡ଼କ ଦୁର୍ଘଟଣାରେ ଚାରିହଜାର ଜୀବନ ଯାଉଛି। ଏ ସ˚ଖ୍ୟା ନିଶ୍ଚିତ ଭାବେ ଉଦ୍‌ବେଗଜନକ। ନିକଟରେ କଟକ ମହାନଦୀ ପୋଲ ଉପରେ ଘଟିଥିବା ବସ୍‌ ଦୁର୍ଘଟଣା ହେଉ କି ପୂର୍ବରୁ ଆଠମଲିକ, ଦେବଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ୧୦ରୁ ଅଧିକ ମୃତ୍ୟୁ ହୋଇଥିବା ସଡ଼କ ଦୁର୍ଘଟଣା ଗୁଡ଼ିକର ତଦନ୍ତରୁ ଜଣା ପଡ଼ିଥିବା ଦୁର୍ଘଟଣାର ମୂଳ କାରଣ ହେଲା ଯାତ୍ରୀ ପରିବହନ ବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ଚରମ ଅବହେଳା ଓ ଉଲ୍ଲ˚ଘନରେ ନିୟମ ପାଳନର ବଦ୍‌ ଅଭ୍ୟାସ।

ନିୟମ ଓ ଆଇନ କାର୍ଯ୍ୟକାରିତା କ୍ଷେତ୍ରରେ ପ୍ରଶାସନର ଚରିତ୍ର ଓ ସୁରକ୍ଷା ନେଇ ଯାତ୍ରୀଙ୍କ ମଧୢରେ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆସିଲେ ନା ସଡ଼କରେ ନା ଜଳପଥରେ ଦୁର୍ଘଟଣା କମିବ ନା ଅଯଥା ଜୀବନ ହାନିକୁ ଏଡ଼ାଯାଇ ପାରିବ।

ସମ୍ବନ୍ଧିତ ଖବର